Unknown

 

 

 

 

 

 

 

 

 

 

ଚଉପଦୀ (ଲୌକିକ ଓ ସାମାଜିକ)

କବିସୂର୍ଯ୍ୟ ବଳଦେବ ରଥ

 

(୧)

ରାଗ-ତୋଡ଼ି

 

ଅନା ଅନା ସୁନୟନା କିଞ୍ଚିତ କୃପାରେ ।ପଦ।

ତୋଷ ମୋତେ ଅନୁକମ୍ପାହାତୀ ଶିରୁପାରେ,

ନ ହସି ମୋ ଭଗାରିଏ ସଢ଼ନ୍ତୁ ତ୍ରପାରେ ।୧।

 

କେତେ କେତେ ଜନ୍ମେ ଧନ ମୁଁ ଜଳ ଜପାରେ,

ଲେଖିଛି ଅଳତା ଚିତ୍ର ତୋ ଜଳଜ ପାରେ ।୨।

 

ନ ଫିଙ୍ଗେ ଦୃଷ୍ଟି ତୋ ବିନା ଆନ ସୁରୂପାରେ,

ଚିନ୍ତାମଣି ଥାଉଁ ଥାଉଁ କେ ରସେ ରୂପାରେ ।୩।

 

ଭାସିଲିଟି ଡାକିକଟି ସ୍ମର ଅକୂପାରେ,

ତରୁଣି ତରଣୀ ହୋଇ ଲଗାଅ ତୁ ପାରେ ।୪।

 

ଜଳନ୍ତର ପୁରନ୍ଦର ଚାଟୁ ଜଳପାରେ,

ରସିଲା ରସିକା ରସ କୂତୂହଳପାରେ ।୫।

 

(୧) ଟୀକା- ଅନୁକମ୍ପା ହାତୀ (ସମ୍ବୋଧନ); ଶିରୂପାରେ- ମସ୍ତକରୁ ପାଦଯାଏ, ତ୍ରପା- ଲଜ୍ଜା, ଜଳଜପାରେ- ପାଣିରେ ରହି ମନ୍ତ୍ରାଦି ଜପିବାରେ, ଜଳଜ ପାରେ- ପଦ୍ମପାଦରେ, ଡାକିକଟି- କ୍ଷୀଣକଟି, ସ୍ମରଅକୂପାରେ- କାମସାଗରରେ, ଜଳପାରେ- କଥାରେ, କୁତୂହଳପାରେ- କୌତୁକ ଶେଷ ସୀମାରେ।

 

(୨)

ରାଗ-ପୁହବୀ-ଝୁଲା

 

ଅନୁସରିଛି ରେ, ମନୁ ପାସୋରିବୁ ନାହିଁ,

ବଢ଼ି ଅଇଲାଣି, କଢ଼ି ପଦ୍ମପ୍ରାୟେ,

ଉଚ୍ଚ ହୋଇ କୁଚ ଦୁଇ । ଘୋଷା ।

 

କରକରଦନା, କରଯୋଡ଼ି ଜଣାଇଁବି ଯେତେବେଳେ ତୋତେ,

ଦରହାସ ମିଶା ପରଶନ ମୁଖ ଦରଶନ ଦେବୁ ମୋତେ ।୧।

 

ରଙ୍ଗା ଅଧରୀକି, ଭଙ୍ଗାର କହିବେ ପ୍ରୀତି ବିରୋଧିନୀ ଯେତେ,

ସୁଝୀନ ବସନା ! ବୁଝିବା ଉଚିତ, ବୁଝି ଦଣ୍ଡ ଦେବୁ ମୋତେ ।୨।

 

ତରୁଣି-ବରଙ୍କ ରଜା ଯେତେବେଳେ ହେବୁ କରୁଣା ଲହରୀ,

ଆଜନ୍ମସୁଖି ରେ ! ଲାଜ ପ୍ରବଳରେ ଦେବୁ ପରା ମନାକରି ।୩।

 

ଜମ୍ୱୁନଦଜିତ ଶମ୍ଭୁପରା ସ୍ତନ ଏକା ପଡ଼ୁ ମୋର ହସ୍ତେ,

କବିଦିନକର ରାୟଗୁରୁ ବୋଲେ ହାର କରିଥିବି ତୋତେ ।୪।

 

(୩)

ଅବନୀଭୂଷା

 

ଅତନୁ ବାଣେ ନ ଭୂଷା ରେ ।୦।

ଅନା ଏ ଶରଦ କାଳ

ଘନା ଏ ସୋହାଗଜାଳ

ଧ’ନା ଏ ଧୂତ-ଧୁନି-ରୁଷାରେ ।୧।

 

ଲୋକେ ଟେକି ରାଟ ପଣ

ଲୋକେ ଦୁର୍ଲ୍ଲଭ ଯୌବନ

ଢୋକେ ଦେଇ ନାଶ ତୃଷାରେ ।୨।

 

ଅମ୍ୱର ଚନ୍ଦ୍ର ମଣ୍ଡଳ

ଦମ୍ଭ କରେ ଦୃଷ୍ଟି ବଳ,

ଗମ୍ଭୀରୀକି ଆସ ସୁସାରେ ।୩।

 

ଏ ନିଶା ଅଷ୍ଟ ଦୁର୍ଗେଶ

ଅନିଶା କରିଚି’ ଆସ

ବସିଯିବା ବ୍ୟାଜେ ପଶାରେ ।୪।

 

(୩) ଘନା- ଗାଢ଼ କର, ସୋହାଗଜାଳ- ଆଦରସବୁ, ଧ’ନା- ଧର ନା, ଧୂତ-ଧୁନି-ରୁଷା- କଂପିତ ଅଗ୍ନିପରି ରୋଷ, ରାଟପଣ-ରାଜପଣ, ଅମ୍ବର- ଆକାଶ, ସୁସାରେ-ଭଲଭାବରେ, ବ୍ୟାଜେ- ବାହାନାରେ ।

 

(୪)

ରାଗ-ପିଲୁ-ଏକତାଳି

 

ଅରୁଣାମ୍ୱୁଜଚରଣା ତୁ ରସାରେ ଭରସା ରେ,

କରୁଣାନିଧି ଶରଣାଗତଠାରେ କି ରୁଷା ରେ ? ।ପଦ।

 

ଅସିତକେଶି । ମୁଁ ତୋ ପରିଚାର,

ରୁଷି କି ନ କରି କିଛି ବିଚାର,

ସୁଗୁଣ-ସରିତ-ପତି ତୋ ପରି

ତ ନାହିଁ ସରସା ରେ ।୧।

 

ନ ରହ ସୁଦନ୍ତି ! ବଦନ ପୋତି,

କଳପ ଅଳପ ହସନ ମୋତି,

ମୃଦୁଳ-ସରସ-ରସ-ହୃଦୟା

ତୁ ହୋ ନା ପରୁଷା ରେ ।୨।

 

ନ ନେ ଉନ୍ନାଦନା ଧୃତିକି ଛାଣି,

ଗରଳ ଗିଳିବିଟି ପିକବାଣି ।

ତରକି ହୃଦୟ କର-କିଶଳୟ

ଗଣ୍ଡେ ନ ରସା ରେ ।୩।

 

ନ କର ମୁକୁରମୁଖି ! ନିରାଶ,

ବିଷମ ବଡ଼ କୁସୁମ ଶରାସ

ସହଜରେ ମିତ ବଚନ

ଅମୃତ ଧାରା ବରଷା ରେ ।୪।

 

ଅତି ରତିପରି ଚିନ୍ତି ସୁଧୀର,

ନୀତି ଗୁଣି ମୁରମଥନ ଗିର,

ଅଷ୍ଟଦୁର୍ଗ ପତି କହେ

ସ୍ମିତବତୀ ହେଲେ ତରସା ରେ ।୫।

 

(୫)

ରାଗ-କାମୋଦୀ

 

ଆଜ କେ ଶିଖାଇଲା ରୁଷାକୁ ରେ,

ରାଜକୁରଙ୍ଗୀଶିଶୁଦୃଶାକୁ ରେ ;

ଲାଜ-ମିଳିତ ମନ୍ଦ ବିକାଶ ବାସକୁନ୍ଦରମ୍ୟହାସିନୀ

ବରଯୋଷାକୁ ରେ ।ଘୋଷା।

 

ଶୁଦ୍ଧାନ୍ତୁ ମୁଁ ବାହାର            ହେଲେ ଦୃଷ୍ଟି ଯାହାର

ଦଉଡ଼େ ମୋ ବିହାର ଆଶାକୁ ରେ,

ଉଭା ହେଲି ସମୀପେ       ନ ଚାହିଁଲା ଯେ କୋପେ

ବୋଲିବା ସିନା ଦୁଷ୍ଟଦଶାକୁ ରେ ।୧।

 

ବସି ତନାବୀ ପାଶେ,      ଅସିତକେଶା ତୋଷେ,

ହସି ଫୁଲାଇ ଚାରୁ ନାସାକୁ ରେ,

ଫୁଲକୁଥାଏ ପରା            ମୁଁ ଲପୁଥିଲେ ଧୀରା,

ଶୁଣି ମୋ ସାଧାରଣ ଭାଷାକୁ ରେ ।୨।

 

ଅଧରୁ ସୁଧାଝର,       ଦେଇ ଯେ ନାଶେ ମୋର

ବିଷମଶର-ଜ୍ୱର-ତୃଷାକୁ ରେ,

ଚିନ୍ତାକୃଶାନୁ ଝାସେ,            ସାରିଦେଲା କି ଦୋଷେ,

ପଚାରିବଟି କଟିକୃଶାକୁ ରେ ।୩।

 

ଯାହାକୁ ଅଧିକୃତି,             ଦେଇଥାଏ ସୁଦତୀ,

ଖୋସା ଉପର ଝରାଭୂଷାକୁ ରେ,

ଏହି ସିନା ବିଚିତ୍ର,             କେହି ସେ ହେଲା ପାତ୍ର,

ମୁହଁ ନ ଚାହାଁ ଭଳି ଘୋଷାକୁ ରେ ।୪।

 

ଏବେହେଁ ଚାହୁଁ ଭର୍ଗ       ମୋହନା ଅଷ୍ଟଦୁର୍ଗ

ଧରାକପଟସ୍ୱର୍ଗ ବୃଷାକୁ ରେ,

ନ ରଚୁଁ ନଖେ ଏଣୀ-      ଦୃଶାକୁ ପଦେ ବାଣୀ

ଖରଚୁ କହ ଧରାଭୂଷାକୁ ରେ ।୫।

(୫) ଟୀକା- ରାଜକୁରଙ୍ଗୀଶିଶୁଦୃଶା- ଜାତିଆ ହରିଣୀଛୁଆର ଆଖି ପରି ଆଖି ଯାହାର, ଲାଜମିଳିତ ମନ୍ଦବିକାଶ- ଲଜ୍ଜା ହେତୁରୁ ଅଳ୍ପ ପରିମାଣରେ ଯାହା ପ୍ରକାଶିତ ହୁଏ (ହାସର ବିଶେଷଣ); ବାସକୁନ୍ଦରମ୍ୟହାସିନୀ- ସୁବାସିତ କୁନ୍ଦଫୁଲ ପରି ମଧୁର ହାସ ଯାହାର, ଶୁଦ୍ଧାନ୍ତୁ- ଅନ୍ତଃପୁରରୁ, ଆଶା- ଦିଗ, ମୋ ବିହାରଆଶା- ମୁଁ ଯେଉଁ ଦିଗକୁ ବୁଲିବାକୁ ଯାଇଥାଏ, ତନାବୀ-(ଯାବନିକ) ଝରକା, ଲପିବା- କହିବା, ବିଷମଶର- ପଞ୍ଚବାଣଧାରୀ କନ୍ଦର୍ପ, ଚିନ୍ତାକୁଶାନୁ- ଚିନ୍ତାରୂପ ଅଗ୍ନି, ଝାସ- ଅଗ୍ନିତାପ, କଟିକୃଶା-କ୍ଷୀଣକଟି, ଅଧିକୃତ-ଅଧିକାର, ସୁଦତୀ-ଉତ୍ତମ ଦନ୍ତ ଯାହାର, ଘୋଷା-(ଯାବନିକ) କ୍ରୋଧ, ଭର୍ଗମୋହନା- ମହାଦେବଙ୍କୁ ଯେ ମୋହିତ କରିପାରେ, ବୃଷ- ଇନ୍ଦ୍ର; ଏଣୀଦୃଶାକୁ କହ, ସେ ନଖରେ ଧରାଭୂଷାକୁ ନ ରଚୁଁ, ପଦେ ବାଣୀ ଖରଚୁ ।

 

(୬)

 

ଆଜ ମୁଁ ଦେଖିଲି ଲାଜବତୀକି ଗୋ !

ଚମ୍ପା ଗୋରୀ ମନ୍ଦେ ହସି

କଂପାଇ ବଦନ ଶଶୀ

ଫମ୍ପା କରିଦେଲା ମୋ ଧୃତିକି ଗୋ ! ।୦।

ଛଟା ଧ୍ରୁତ-ଭ୍ରୂ-କମାଣ

କଟାକ୍ଷ ତୀକ୍ଷଣ ବାଣ

ଓଟାରି ବିନ୍ଧିଲା ମୋର ଛାତିକି ଗୋ ।୧।

ଅନଙ୍ଗ ରଙ୍ଗ ପ୍ରବୀଣା

ଅନର୍ଘ ଜ୍ୟୋତିରେ ଛଣା

ଅନାଘାତ ଘାତେ ଘାରେ ମତିକି ଗୋ ।୨।

ବାଲୁଙ୍କେଶ ନୃପ ଭାଷ

ତାଳୁରେ କୃପା କଲଶ

ଢାଳୁଚି ସେ ଯା ତା’ ଗତି ମୁକତିକି ଗୋ ।୩।

(୬) ଫମ୍ପା କରିଦେଲା- ସମ୍ପୂର୍ଣ୍ଣ ନଷ୍ଟ କରଦେଲା, ଧୃତିକି- ଧୈର୍ଯ୍ୟକୁ, ଅନଙ୍ଗ ରଙ୍ଗ ପ୍ରବୀଣା- ରତିକ୍ରୀଡ଼ାରେ ନିପୂଣା, ଅନର୍ଘ୍ୟ- ଅମୂଲ୍ୟ, ଅନାଘାତ ଘାତେ- କ୍ଷତହୀନ ଚୋଟ ବା ପ୍ରହାର ।

 

(୭)

ରାଗ-ତୋଡ଼ି

 

ଆରେ କୁରଙ୍ଗୀଦୃଶା, ଆଜ ନିଶି କି ହେବ ତୋ ଦଶା ରେ ।ପଦ।

 

ଲୁଳି ପଡ଼ୁ ତୁ ପହୁଡ଼ିଲେ ମୃଦୁଳ ତୂଳୀ ତଳପରେ କ୍ଷଣେ,

ପୁରୁଷ ତୁଲେ କି ଖେଳିବୁ ସଂସାର ଗୁରୁ ସମରପ୍ରାଙ୍ଗଣେ ।୧।

 

ନୂତନବୟସୀ ଜିଣିବ ଯତନ ତୁ ତ ନ ଜାଣୁ ପହିଲେ,

ଫତୁଆ ହେବୁ କି ସେ କାମ ଅମଳ ମତୁଆ ଯୁବା ତୁଲେ ।୨।

 

ଶରୀରଲତା ତୋ ନ ଜାଣେ ଜନମୁ ପରିରମ୍ଭଜାତ ପୀଡ଼ା,

ବରଗିଲେ ଲମ୍ୱି ସହିବୁ କେହି ସେ ଅରଗଳ ଭୁଜଭିଡ଼ା ।୩।

 

କୋଟିଏ ସବତ ଆଳିଙ୍କର ହେଲେ ଗୋଟିଏ ନ ଘେନୁ ଚୁମ୍ୱ,

ପୀବରସ୍ତନାରେ ବ୍ରଣେ ଏବେ ପୁରି ଯିବ ରଦବାସ ବିମ୍ୱ ।୪।

 

ବିଧୁବଦନା ତୋ ଲାଜ ବଳିଯିବ ନିଧୁବନ ପରିଶ୍ରମୁଁ,

ରାଜିବ ଚରଣ ଝୁଲିଲେ ନୂପୁର ବାଜିବ ସେ ଝୁମୁ ଝୁମୁ ।୫।

 

ଭରତି କରି ସମସ୍ତ ମନୋରଥ ବରତି ଆସିବୁ କେହି,

ବୀର ରାମଚନ୍ଦ୍ର ଦେବ ବୋଲେ ମୋର ନିରନ୍ତର ଚିନ୍ତା ଏହି ।୬।

 

(୭) ଟୀକା- ଲୁଳିପଡ଼ୁ- କ୍ଳାନ୍ତି ସହକାରେ ଲମ୍ବ ହୋଇଯାଉ, ଫତୁଆ- ହଟହଟା, ଅମଳ- ନିଶା, ଜନମୁ- ଜନ୍ମରୁ, ପରିରମ୍ଭ- ଆନିଙ୍ଗନ, ସବତ- ରାଣ, ପବୀର- ପୃଥୁଳ, ରଦବାସବିମ୍ବ- ଅଧରବିମ୍ବ, ନିଧୁବନ- କାମକ୍ରୀଡ଼ା ।

 

(୮)

ରାଗ-ଭାଟିଆରୀ, ଏକତାଳି

 

ଆରେ ଦୁଃଖିଧନ,

ସୁଖୀ ଏକା ଏ ସଂସାରେ ସେହି ଜନ ।ପଦ।

 

ମହାରସୋଦୟ ରାଜ୍ୟ ଥିବ, ତହିଁ ଯାହାର ସାମ୍ରାଜ୍ୟ ଥିବ,

ଝସଧ୍ୱଜ-ଯୁଦ୍ଧ ସମୟେ ବିବିଧ ରସକୁଶଳା ସାହାଯ୍ୟ ଥିବ ।୧।

 

ହରି ଚରିତରେ ତତ୍ତ୍ୱ ଥିବ, ମହୀରେ ମହା-ମହତ୍ତ୍ୱ ଥିବ,

ଜଡ଼ିବାକୁ ଅଙ୍ଗେ, ମନସିଜ ସଙ୍ଗେ, ଲଢ଼ିବାକୁ କିଛି ସତ୍ତ୍ୱ ଥିବ ।୨।

 

ଅଳକାସଦୃଶ ବାସ ଥିବ, ସୁଧା ସହୋଦର ଗ୍ରାସ ଥିବ,

ନୂଆ ରସିକାର ସୁଆଗ ସରସ, ଖିଆଲରେ ଅଭିଳାଷ ଥିବ ।୩।

 

ଉରେ ଚାରୁ ଚନ୍ଦ୍ରହାରା ଥିବ, ବଚନରେ ସତ୍ୟ ଧାରା ଥିବ,

ହରଷଦାୟିନୀ ମୁନିବିମୋହିନୀ ସରସ ହୃଦୟା ଦାରା ଥିବ ।୪।

 

କାବ୍ୟରସେ ଦିନ ବଞ୍ଚୁଥିବ, ପରଂପଦ ପୁଣ୍ୟ ସଞ୍ଚୁଥିବ,

ସୁମିଳନ ଆଶେ, ଗଣ୍ଠିଧନ ତୁଲେ ନିର୍ମଳିନ ଲୀଳା ରଚୁଥିବ ।୫।

 

ବିନୟ ସଂପଦ ପୁରିଥିବ, ଗିରିପରି ମତ୍ତକରୀ ଥିବ,

ହରିବାକୁ ସ୍ମର ଅହଙ୍କାର ଯାର ପରିଣତ ବିମ୍ୱାଧରୀ ଥିବ ।୬।

 

ସତ୍ତ୍ୱ ସମୃଦ୍ଧି ସମ୍ପଦ ଥିବ, ସବୁ ସୁଖେ ଧନ୍ୟ ପଦ ଥିବ,

ପୀଡ଼ିବାକୁ ସାର ଜଗତୀ-ଭୂଷାର ସୁରସ ସୁରଦଛଦ ଥିବ ।୭।

 

ଗୁରୁ ଦେଖି ଦୂରୁ ଲସୁଥିବ, ସଦାନନ୍ଦ ଜଳେ ଭାସୁଥିବ,

ନିଶିଯାକ ରଙ୍ଗେ, ରସି ମିଶି ଅଙ୍ଗେ, ଶଶୀମୁଖୀ ତୁଲେ ରସୁଥିବ ।୮।

 

ଅନ୍ୟାୟ ବିଭବ ଜୁରୁଥିବ, ଅରିଗର୍ବ ଶିରି ଚୁରୁଥିବ,

ବଧୂର ମଧୁର ରସଗର୍ଭଗିର ପଦକୁ ପଦେ ଯେ ପୂରୁଥିବ ।୯।

 

ସମୀପେ ସୁମନ୍ତ୍ରୀବର ଥିବ, ମଜ୍ଜିବାକୁ ଦିବ୍ୟସର ଥିବ,

ହେଲେ ହେଁ ମିଥୁନ, ପ୍ରିୟ ପ୍ରିୟାନନ, ମନେକରି ସ୍ମରଦର ଥିବ ।୧୦।

 

ସକଳ କେଳିରେ ମନ ଥିବ, ବୁଲିବାକୁ ଫୁଲବନ ଥିବ,

ଦଳିବାକୁ ଘନଜଘନାର ପୀନ କନକ-କଳଶ-ସ୍ତନ ଥିବ ।୧୧।

 

ମାନୁଥିବା ଅଭିମାନ ଥିବ, ବଳିକି ଛଳିବା ଦାନ ଥିବ,

ବରତନୁ ରତେ ଦରବି ଯିବାକୁ ହରପର-କଳା ଜ୍ଞାନ ଥିବ ।୧୨।

 

ହାଟକ ଝଟକ ଦ୍ୟୁତି ଥିବ, ମାର-ମଞ୍ଜୁଳ ମୂରତି ଥିବ,

ଅସିତକେଶୀର କରୁଣା ବଶରୁ, ରସିକ-ରାଜ୍ୟରେ ଛତି ଥିବ ।୧୩।

 

ଅକଳଙ୍କ ହେବା ଗୋତ୍ର ଥିବ, ତହିଁ ସମୁଚିତ ପୁତ୍ର ଥିବ,

ବୋଲେ ଛୋଟରାୟ, ଯାହାର ନିଶ୍ଚୟ ଅନ୍ତ ସମୟକୁ କ୍ଷେତ୍ର ଥିବ ।୧୪।

 

(୯)

ଆରେ ପ୍ରାଣସଙ୍ଗି

 

ମନମୋହନ ମନ୍ତର ତୋର ଭଙ୍ଗୀ ।ପଦ।

 

କୃପାରେ ମାନସ ରଖାଇଲୁ, ଭୂଜେ ଭୁଜବନ୍ଧା ଶିଖାଇଲୁ,

ଅଳପ ଅଳପ ବଞ୍ଚାଇଣ ବିମ୍ୱଅଧରରୁ ମଧୁ ଚଖାଇଲୁ ।୧।

 

ବ୍ରହ୍ମଜ୍ଞାନୀ ଯୋଗୀ ଯୋଗଭୁଲା, ତିଳସୁମନସ ନାସାଫୁଲା,

ପଦ ପଦକରେ ଯାଚି ଦେଉଥାଏ ଶକ୍ରପଦ ମଣିନଥଝୁଲା ।୨।

 

ସନ୍ତାପ-ସରିତ ଶୁଖାଇଲୁ, କରେ ପୟୋଧର ରଖାଇଲୁ,

ହେମ ପଶାସାର ପଲ୍ଲବପାଲିରେ, ପଚାରିବା ରୀତି ଶିଖାଇଲୁ ।୩।

 

ଅଷ୍ଟଦୁର୍ଗପତି ଭାଷେ ଭୋଳେ, ଚକ୍ରବର୍ତ୍ତୀ କଲୁ ଯୁବାକାଳେ,

ଦାନୀ ହୋଇ ଅଳ୍ପ ମାନୀ ହେଲୁ କାନି ପଣନ୍ତେ ପବନ ଯେତେବଳେ ।୪।

 

(୧୦)

ରାଗ-ତୋଡ଼ି ।-ଝୁଲା

 

ଆରେ ବିଧୁବଦନା,

ଘେନିଲୁ ତ ନାହିଁ ମୋ ନିବେଦନା ।୦।

 

ମହାବ୍ରତ ପୁଞ୍ଜ ପାଳିକାଶିରେ, ଦେଉଥିଲି ଜବା କାଳିକାଶିରେ,

ପିଠି କରିବାକୁ କି ମୋ ଆଡ଼କୁ, ସମର୍ପି ଦେଇ କାମ ଚିଆଡ଼କୁ ।୧।

 

ମାଳିଯାକ ବହୁଥାନ୍ତି ଉଦକ, ଜାଳି ଜାଗର କରି ଅଭିଷେକ,

କାଳଟି ଯାକ ସେବି ଶଙ୍କରକୁ, ଚୁମ୍ୱ ଗୋଟିକୁ ଯେ ବଳିଲି ରଙ୍କୁ ।୨।

 

ଘନକରି ପ୍ରିୟସଖୀଙ୍କି ଭିଡ଼ୁ, ସ୍ତନ କଳଶ କଠିନତା ତାଡ଼ୁ

ନାହିଁ କିଛି ସୁଖ ମୋ ଦେହେ ବୋଲି, କାହିଁକି ଦେଉ ମୋ ପାଣିକି ପେଲି ।୩।

 

କଳ-ବନପ୍ରିୟ-କୂଜିତ ବାଣୀ, ଖଳବଚନ ସତପରି ମଣି,

ସ୍ମରଜ୍ୱରଜାତ ଯାତନା ସହି, କରଜ ମୂନେ ଚିରାଉଛୁ ମହୀ ।୪।

 

ପୁରତେ କହୁଥାଏ ଏଣୁ ତୋର, ସୁରତେ ନ ରହେ ବିବେକ ମୋର,

ଅଧରେ ବୁଡ଼ିଲେ ମୋ ଦନ୍ତ ଶେଷ, ନ ଧରିବୁ ଚିତ୍ତେ ବୋଲି ମୋ ଦୋଷ ।୫।

 

ବସୁଦୁର୍ଗ-ସ୍ୱର୍ଗ-ଶକ୍ର ବିନୟେ, ବସୁମତୀ-ଭୂଷା ତୁଷ୍ଟ ହୃଦୟେ,

ଶରୀର ତ ଏ ତୁମ୍ଭର ବୋଇଲା, ପରିରମ୍ଭ କରି ନୂଆ ଛଇଳା ।୬।

 

(୧୧)

ରାଗ-ତୋଡ଼ି ପରଜ, ଏକତାଳି

 

ଆରେ ମୋ ବନ୍ଧୁ ମହୀକି ଚାହୁଁ କାହିଁକି ?

ସରସ ହୃଦୟା ମୋ ଠାରେ ସୁଦୟା ପୂରୁବ ପରି ନାହିଁ କି ? ।।ପଦ।।

 

ମୋ ରଦ ଲାଞ୍ଚନ ନ ଥିବାର ପାନ ମଣୋହି ନ କରୁ କେବେ

ପରମ ଦୟାଳୁ ବିନା ଅପରାଧେ ଚରମ କରୁ ତୁ ଏବେ ।୧।

 

ତ୍ରିଦିନ ବିରହେ ଅବରୋଧ ଗୃହେ ଭିତ୍ତିରେ ଲେଖି ମୋ ମୁଖ

ସ୍ନେହ ଅବଲମ୍ୱଶେ ତହିଁ ଚୁମ୍ବ ଦେଇ ହରୁ ପରା ଦୁଃଖ ।୨।

 

ସୁବେଶ ପଗଡ଼ି ଝରା ମାତ୍ର ଛାଡ଼ି କରେ ଧରି ତାକୁ ଆସୁ

ମୁଁ ମୋ କରେ ଶିରେ ଦେବା ଲାଳସରେ ନଦରେ ବୋଲି ତ ହସୁ ।୩।

 

ମଙ୍ଗଳାଙ୍କ ଓଷା ମୋହପାଇଁ ଯୋଷାମଣି ତୁ କରିବା ଦିନ

କଉତୁକେ ଥରେ ଦୂକୁଳ ଉପରେ ଛୁଇଁଦେଲି ସିନା ସ୍ତନ ।୪।

 

ପଛୁଁ ଯେଉଁଦିନ ଲୁଚି ମୁଁ ବିଧାନ ରଚୁ ପଡ଼ିଲୁ ତହିଁକି

କ୍ଷମା ଛାଡ଼ି ରୋଷେ ଶ୍ରବଣାବନ୍ତ ସେ ପ୍ରହାରିଛୁ ତୁ ତହିଁକି ।୫।

 

ସଉଧ ପଞ୍ଜର ପାଖେ ବସି ତୋର ମୁଖଚନ୍ଦ୍ରେ ରଖି ଆଖି

ପକ୍ୱ ବିମ୍ୱାଧରେ ଚୁମ୍ୱିଦେଲା ବେଳେ ଦେଖିଲା ସିନା ତୋ ସଖୀ ।୬।

 

ନିଧୁବନେ ତେଡ଼େ ନିବିଡ଼େ ନ ଭିଡ଼େ ଲଭିଲା ଭଳି ବ୍ୟଥାକୁ

ଅଷ୍ଟଦୁର୍ଗପତି ବୋଲେ ଅତି ଭୀତି ଜନ୍ମଇ ଏହି କଥାକୁ ।୭।

 

(୧୨)

(ରାଗ-ସାବେରି)

 

ଆରେ ମୃଦୁଅଙ୍ଗି ରେ

ଲାବଣ୍ୟ ତରଙ୍ଗି, ରତି ରସ ରଙ୍ଗିରେ ।୦।

 

ଗୋରି, ତୋହରି ପରି ନ ଥିବ ସୁନ୍ଦରୀ;

ଧନ, ମନ ତୋଷୁ ମୋ’ର, କରି କେତେ ଭଙ୍ଗିରେ ! ।୧।

 

‘ଗଭା’ କରୁଁ ବହି ଶୋଭା ଧରେ ମହୀ;

ସଂକୋଚିତ ତୋ’ନେତ୍ରକୁ ଦେଖିଲେ ‘କୁରଙ୍ଗୀ’ରେ ! ।୨।

 

ମୋତିଜିତ ଦନ୍ତି । ଦନ୍ତୀରାଜ ପତି,

‘ସ୍ମର’ ତୋ’ର ଭୂରୁ ଚାହିଁ ‘ଧନୁ’ ଦେବ ଭାଙ୍ଗିରେ ! ।୩।

 

ଶୁଣିଲେ ତୋ’ ବାଣୀ, ତାହା ଗୁଣି ଗୁଣି

‘ଶାରଦା’ ଶ୍ରୀ ପାଣି-ବିପଞ୍ଜୀକି ଦେବେ ଫିଙ୍ଗିରେ ! ।୪।

 

ଛୋଟରାୟ ଭାଷେ- ‘‘କି ସୁକୃତ ବଶେ

ହୋଇଲି ଛଇଳା ଶିରୋମଣି, ତୋ’ର ସଙ୍ଗୀରେ ?’’

 

ଟୀକା-(୧୨) ମୃଦୁ ଅଙ୍ଗୀ- କୋମଳଦେହା, ରତିରସରଙ୍ଗୀ- ରମାଣାଦି କାର୍ଯ୍ୟରେ ନିପୁଣା, ଗଭା- ପୁଷ୍ପଗୁଚ୍ଛ, କରୁଁ- ହାତରୁ, କୁରଙ୍ଗୀ- ମୃଗୀ, ଦନ୍ତୀରାଜଗତି- ଐରାବତ ହସ୍ତୀର ଗତି, ସ୍ମର- କନ୍ଦର୍ପ, ଶାରଦା- ସରସ୍ୱତୀ, ଶ୍ରୀପାଣି ବିପଞ୍ଚୀକି- ଶ୍ରୀହସ୍ତର ବୀଣାକୁ, ଛଇଳା ଶିରୋମଣି- ରମଣୀଶ୍ରେଷ୍ଠା ।

 

(୧୩)

ରାଗ-ବିହାଗ ।-ଝୁଲା

 

ଆରେ ମୋ ହୃଦହାରା,

କିପାଁ ବହେ ନେତ୍ରୁ ନୀରଧାରା ରେ ।ପଦ।

ଶୋଇଅଛୁ କିପାଁ ଧରାରେ ରାମା,

ପଙ୍କଜାକ୍ଷି ହେଜ ମୋ ଅଙ୍କ ତୋ ନିଜ—

ବିଜୟ-ପଲଙ୍କ ପରା ରେ ।୧।

 

ଥିଲେ ହେଲେ ମୋର ହରା ରେ ରାମା,

ତୁ ଅଟୁ ତ କ୍ଷମାଜଳନିଧି ବାମା—

ରାଜିଙ୍କ ମସ୍ତକ ହୀରା ରେ

 

ଘେନ ପୀନ ପୟୋଧରା ରେ ରାମା,

ବନ୍ଧୁ ତୋ ମୂରତି ସୁଷମା ସଂପତ୍ତି

ମୋ ମନ ନୟନକାରା ରେ ।୩।

 

ନବପଲ୍ଲବ ଅଧରା ରେ ରାମା,

ଗୁମାନ ନ ଧର ଧରଣୀର ଶିର—

ମଣ୍ଡନା ଝମକଝରା ରେ ।୪।

 

କ୍ଷିତିରେ କରଜ ଗିରା ରେ ରାମା,

ନ କର ରେ ଜୀବବନ୍ଧୁ ଅଭିନବ—

ପଲ୍ଲବ ସୁନ୍ଦରାଧରା ରେ ।୫।

 

ଘେନ ମୋ ଶ୍ରୀହସ୍ତଧରା ରେ ରାମା,

ଜଗଦ୍ଦେବଙ୍କୁ ତୋ ବନ୍ଧୁକଅଧର

ମଧୁରସ ପାନ କରା ରେ ।୬।

 

(୧୪)

ରାଗ-ପୁରବୀ-ଏକତାଳି

(କାମଦୁହା ବୃତ୍ତେ)

 

ଆରେ ରସସିନ୍ଧୁ !

ନାହିଁ ନାହିଁ କିପାଁ କରୁ ପ୍ରାଣବନ୍ଧୁ ରେ ।ପଦ।

 

ରାଜୀବର ଆରେ ସୁ-ରମଣି,

ରାଜୀବର-ମୁଖୀ ମୋର ବାଣୀ

ବାଜିଯାଉ ଥରେ କଟିର କିଙ୍କିଣୀ,

ଭାଜିଯାଉ କାମଦର୍ପ ଶୁଣି ରେ ।୧।

 

ମିଶିଯା’ ମୋ କୋଳେ କିପାଁ ଲାଜ,

ତୋଷିଯା’ ମୋତେ ନାଗରୀରାଜ,

ରସିକା, ମଦନ ରସେ ମୋର ସଙ୍ଗେ,

ରହିଯା ଗୋ ମରଜି କି ଆଜ ରେ ।୨।

 

ଫୁଲାଇ ନାସାକୁ ହୋଇ ତୋଷ,

ଗେଲାଇ ପଦେ ବଚନ ଭାଷ,

ଝୁଲିଯାଉ ଥରେ ଅପଘନ ତୋର,

ଭୁଲି ତୁ ଦେଖିବୁ ମୋ ମାନସ ରେ ।୩।

 

ବାସ ପ୍ରତି ଅଙ୍ଗୁ ଖସିଯାଉ,

ଦୁଇ କଳେବର ମିଶିଯାଉ,

ଝଲକି ଅଧରୁ ହାସ ଦିଶିଯାଉ,

ନିମିଷ ପରିରେ ନିଶି ଯାଉ ରେ ।୪।

 

କରଜାଗ୍ର ବାଜିକରି ଯାଉ,

ଜଘନାଦି ଅଙ୍ଗ ଥରିଯାଉ,

ଥିବା ମନୋରଥ ମୋର ପୂରିଯାଉ,

ମଦନ ଭଣ୍ଡାରୁ ସରିଯାଉ ରେ ।୫।

 

ଭାଷେ ଅଷ୍ଟଦୁର୍ଗ ମହୀପାଳ,

ରସେ କର ମର୍ଜି ଅତି ଭୋଳ,

ନାଚିଯାଉ ଥରେ ନାସା ନୀଳମଣି,

ପାଚିଯାଉ ସର୍ବ ଲତା ଫଳ ରେ ।୬।

 

(୧୫)

ରାଗ-ଭାଟିଆରୀ, ତାଳ-ଝୁଲା

 

ଆରେ ସହଚରୀ, ଥିବି ତୁମ୍ଭଙ୍କୁ ଏକା ଭରସା କରି ।।ପଦ।।

 

ମଦୁଆ ମଦନ ରଣ କଥା, ଶୁଣି ଜନମେ ଯା’ ତନୁ ବ୍ୟଥା

ଏ ଦଣ୍ଡ ତା’ ଭଳି ନୁହେଁ ନା ବୋଇଲି ଲାଜେ ଛିଡ଼ି ଗଡ଼ୁଅଛି ମଥା ।୧।

 

ଦିଆଇ ମୋତେ ଏତକ ଦଶା, କରାଇବାକୁ କି ଲୋକହସା

କରୁଥିଲ ବେଶ ସମସ୍ତେ ଦିବସ ମଧ୍ୟରୁ ପ୍ରବେଶ ହେଲା ନିଶା ।୨।

 

କହୁଛନ୍ତି ସହଚରୀ ବୋଲି, ମୁଁ ଉଲ୍ଲାସେ ସଧ କରିଗଲି

ତହିଁ ଫଳ ଜଣା ହେଲା ଯା ଆପଣା ଆବୁର ସହିତେ ସରିଗଲି ।୩।

 

ରହିଥିଲି ବନ୍ଧା ଲୋକ ପରି, ଚୁମ୍ୱନେ ଚିବୁକ ଗଲା ପୂରି

ପ୍ରଦୀପ ଗୁଡ଼ିକ ଜଳି ଝକଝକ ଦିଶୁଥିଲା ହେଲି ଏତେ ସରି ।୪।

 

ଏତେ ଯତନେ ସଧାଇ ତହିଁ, ପାଇଲି କି କି ବଧାଇ କାହିଁ

ଉରକୁ କାଞ୍ଚଲା ନ ଘୁଞ୍ଚି ବଞ୍ଚିଲା ଉପାୟ ହିଁ ଯେ କହିଲା ନାହିଁ ।୫।

 

(୧୬)

 

ଆହା ମୋ ଖଞ୍ଜନାକ୍ଷି ଅନଙ୍ଗେ ମୋ ବିନା ଦୁଃଖୀ ରେ,

ଅବନୀରେ ଢଳିପଡ଼ିବାରୁ ତୋଳି ଧରୁଥିବେ ପ୍ରିୟସଖି ରେ ।ପଦ।

 

ଅହର୍ନିଶ ଝୁରି ଝୁରି, ଅତି କୃଶ କୃଶୋଦରୀ,

ଇନ୍ଦୁକଳା ତନୁ ତାକୁ ନିନ୍ଦିବନି ତାର

ତାର ତନୁଶିରୀ ରେ ।୧।

 

ଅଶ୍ରୁଭରେ ନେତ୍ର ବେନି, ଅବିରତେ ପୁରିବନି

ଅସାର ମାର ଅକୂପାରେ ପଡ଼ିଣ

ମୃଦୁହାସୀ ଭାସିବନି ରେ ।୨।

 

ଆଭରଣ ଦୂର କରି, କେଉଁ କୁମ୍ଭ ପୟୋଧରୀ,

ଅମଳ ମୃଣାଳ ଖଣ୍ଡ ପାଣିପିଣ୍ଡେ

ମଣ୍ଡୁଥିବଟି କିପରି ରେ ।୩।

 

ଅବଧିରେ ତେଜି ଆଶା, ଅଧିକରେ ଅଭରସା,

ଅତି ଶ୍ୱାସ ଖର ପଡ଼ୁଥିବ ପରା ହେବନି

ଦଶମ ଦଶା ରେ ।୪।

 

ଅଷ୍ଟଦୁର୍ଗେଶ୍ୱର ଭଣି, ଅଭିନବ ରାମାମଣି,

ଉମାଧବ କୃପା ସତେ ହେବ ଅବା

ଜୀବ ଯିବାଯାଏ ପୁଣି ରେ ।୫।

 

(୧୭)

ରାଗ-ମୁଖାରୀ, ତାଳ-ଝୁଲା

 

ଊଣା ତ ନାହିଁ ଚାକିରିରେ, ବନ୍ଧୁ

ଗୁଣାମ୍ୱୁନିଧିରେ ଜଣା ତ ଯାଉଛି

ତୁ ମୋତେ ରୁଷିଲା ପରି ରେ ।ଘୋଷା।

 

ହଣା ବଳି ଦେଇ ଦେବୀଙ୍କି ମଣାଇ

ପାଇଅଛି ନଉକରି ।

ବଣା ମୃଗାକ୍ଷୀ ମୁଁ ତୋ ଗଣ୍ଡ ଯୁଗଳେ

ଲେଖିଛି ଚିତ୍ର ମକରୀ ରେ ।୧।

 

ବୀଣା ବାଣୀ ଯୋଡ଼ି ମାଙ୍ଗକୁ ସଜାଡ଼ି

ଅଳକା ଲାଗି ମୋହରି ।

ଗୁଣା ମୋତି ଦଣ୍ଡି ସୁନାସାରେ ମଣ୍ଡି

କଣ୍ଠେ ରତ୍ନ ଚାପସରି ରେ ।୨।

 

ଟଣାଟଣି କରି ତୋ ଉରେ ବାନ୍ଧିଛି

କାଞ୍ଚଲାରେ ଦେଇ ଜରି ।

ବୀଣାନାଦ ଜିଣି କଟୀରେ କିଙ୍କିଣୀ

ଭିଡ଼ିଛି ସୁଯତ୍ନ କରି ରେ ।୩।

 

ଶୁଣା ପ୍ରଖର ଶବ୍ଦ ପଦେ ନୂପୁର

ଖଞ୍ଜିଛି ନବ ନାଗରୀ ।

ଜଣାଉଛି କବିରବି –ବିପରୀତ

ଦାନେ ବରତନ ସରି ରେ ।୪।

 

(୧୮)

 

ଏ କି ଦୀନେ ଗୋ !

କୁନ୍ଦହାସୀ, ଗୁମାନ ଘେନନା ମନେ ।୦।

 

କୁରଙ୍ଗଦୃଶା ରେ ଗତି କେ ତୋ ବିନା

ଏ ଋତୁ ରୀତିକି ଅନାଅ ନବୀନା

ଭେକ ଟେକ ଡାକ ଯୁବା ଜୀବ ଘେନା

ହେଉ ଅଛି ପ୍ରତି ସ୍ଥାନେ ।।୧।।

 

ଚନ୍ଦ୍ରବଦନା ରେ ହର ମୋ ବେଦନା

ଭର ଭର କରେ ଦୁଃଖ ନିବେଦନା

ନୀଳକଣ୍ଠ ନାଟ ପାଟବ ଘଟନା

ଘଟୁଚି ଗିରି ଗହନେ ।।୨।।

 

କାଳିକା କପଟେ ଏ କାଳ ଭୂଜଙ୍ଗୀ

ଦେଖାଇ ବିଜୁଳି ଛଳେ ଜିହ୍ୱାଭଙ୍ଗୀ

ବକାଳିକା ଏ ନୁହେଁ ରେ ଜୀବସଙ୍ଗୀ,

ଦେଖ ବିଷଦାନ୍ତମାନେ ।।୩।।

 

ଘଡ଼ଘଡ଼ି ରଡ଼ି ଶ୍ରୁତି ପଥେ ହୁଡ଼ି

ମୁନିକରୁ ଜପା- ମାଳି ଯିବ ଝଡ଼ି

ଏ ସମୟେ କୃପା ପୀୟୁତା ନିଉଡ଼ି

ରଖ ପ୍ରାଣ ସମାଧାନେ ।।୪।।

 

ରସି ମୋର କ୍ଷଣେ ଚଞ୍ଚଳ ଇକ୍ଷଣେ

ଚାହିଁଲେ ଭାସି ଗଲିଟି ଏକ୍ଷଣେ

ନୃପ ରାମଚନ୍ଦ୍ର ଛୋଟରାୟ ଉଣେ

ବରଷାଋତୁ ବିଧାନେ ।।୫।।

 

(୧୮) କୁରଙ୍ଗଦୃଶା- ମୃଗନୟନା, ଭେକ- ବେଙ୍ଗ, ଟେକ ଡାକ- ଉଚ୍ଚ ରବ, ଭରଭର କରେ- ଛାତିରେ ହାତ ଦେଇ, ନୀଳକଣ୍ଠ ନାଟ- ମୟୂରନାଚ, କାଳିକା- ମେଘମାଳା, କାଳ ଭୁଜଙ୍ଗୀ- କାଳସର୍ପିଣୀ, ବକାଳିବା- ବଗସମୂହ, ନିଉଡ଼ି- ଅଜାଡ଼ି, ଇକ୍ଷଣେ- ସୁଦୃଷ୍ଟିରେ ।

 

(୧୯)

ରାଗ-ସାବେରି

 

ଏହି ସ୍ନେହରେ ମୁଁ କିଣା,

ତୁଳିଲେ କମଳ-ପୁଅ ପଦ ହେବ ଊଣା ।୦।

ଲହୁଲୀ ବୟସୀ ରସି ହସି ବସି ପାଶେ

ଦନ୍ତବାସେ ଶାଢ଼ୀ ଶେଷ ଭ୍ରୂଲତା ଉଲ୍ଲାସେ ।୧।

 

ତଳପ ପକାଇ ତଳେ ବସିଥାଇ ଜଗି

ନ ଖାଇ ନ ଖାଇ, ଦେଉ ପାନ ଖିଲ ଭାଙ୍ଗି ।୨।

ଭ୍ରମାଇଁ ମୋହର ନାମ ଡାକୁ ଶୁଆ-ସାରୀ,

ତୁଚ୍ଛା ପରିରମ୍ଭ ଦମ୍ଭହର ପରି କରି ।୩।

 

ପରଶଂସୁ ନିତି ରାତି ପୂର୍ଣ୍ଣିମାର ଏକା

ଖଞ୍ଜିଲେ ଗଳାରେ ହାର ହେଉ ତୁ ତାଟକା ।୪।

ଗଜପତି ରାମଚନ୍ଦ୍ର ଦେବ ଏ ବଦତି

ରତି ‘ରତି’ ନୁହେ ସମ ହାତୀଗତି ରୀତି ।୫।

 

(୧୯) କମଳପୁଅ ପଦ-ପଦ୍ମରୁ ଜାତ ବ୍ରହ୍ମା-ପଦ, ଲହୁଲୀ (ନହୁଲି)-କୋମଳ, ଦନ୍ତବାସେ ଶାଢ଼ୀଶେଷ-ପଣତକାନି ଦାନ୍ତରେ ଧରି, ତଳପ-ଶେଯ, ନଖାଇ-ନଖରେ ଧରି, ପରିରମ୍ଭ-ଆଲିଙ୍ଗନ, ତାଟକା-ଆଶ୍ଚର୍ଯ୍ୟ, ରତି-ତିଳେମାତ୍ର, ରତି-କନ୍ଦର୍ପଙ୍କ ସ୍ତ୍ରୀ ।

 

(୨୦)

ରାଗ-କାମୋଦୀ, ଆଠତାଳି

 

କମ୍ପି କମ୍ପାଇଲା ରେ ଘସା ଚୂନିବସା ଦଣ୍ଡି

ମୁଁ ନିକି ଶୁଝିବି ମୁନି-ମୋହନାର ତୁନିକୁହା ଭାବଖଣ୍ଡି ।ପଦ।

 

କୁସୁମ-ସମୟ ନ ଜାଣି କୁସୁମ-ବିଶିଖେ ହୋଇ କାତର

କରିକୁମ୍ଭଯୁଗ ନିନ୍ଦିବା ଉରଜେ ପକାଇଦେବାକୁ କର ।୧।

 

ଜାଣି ନିଶୀଶେଷ ଲାଜ ପାଇ ବେଶ ପାଶୁଁ ଉଠିବାର ବେଳେ

ବଳିଆଇ କେଳି ସଦନେ ବାଳାକୁ ବସାଇ ଦେବାରୁ କୋଳେ ।୨।

 

ଆଳି ନିକଟରେ ଥିବାର ନ ଜାଣି ନବୀନା ବାଳୀକି ଦିନେ

ଛନ୍ଦି ବାହୁଯୁଗେ ଆବଦ୍ଧ କରିଣ ଚୁମ୍ୱଦେବାରୁ ବଦନେ ।୩।

 

କବିରବି ରାୟଗୁରୁ ବୋଲେ ପ୍ରୀତେ ଦିନେ ସୁକନକ ଗୋରୀ

ମଙ୍ଗଳାଙ୍କୁ ପୂଜୁଥିଲା ତା ନ ଭାବି ପଛୁ ପକାଇଲି ଧରି ।୪।

 

(୨୧)

ରାଗ-ପୂରବୀ-ଝୁଲା

 

କରୁ କାହିଁକି ରେ, ସରୁକଟୀ ମୋତେ ଲାଜ ?

ଅରୁଚି ଘୁଞ୍ଚିବା ସରୁ ଚୁମ୍ୱନକୁ ନ ରୁଚିଲା ପରି ଆଜ ।ପଦ।

 

ତନୁଟି ଛୁଆଁଇ ନ ଦେଲୁ ନିପଟ ଧନୁଟି ପରା ତୁ ମୋର

ଜାତି-କରଜା ରେ, ଛାତିରେ ନ ମିଶି ରାତିଯାକ ହରବର ।୧।

 

ପୀଡ଼ିବି ସିନା ମୁଁ ଅଧର ଅଳପ ଭିଡ଼ିବି ସିନା ରେ ସହି,

ଘରୁଟି ବୁଡ଼ିବ ଦରୁଟି ବଚନ ଥରୁଟିକୁ ନାହିଁ ନାହିଁ ।୨।

 

ଆଉ ଟିକାକୁ ତ ସୁଖ ଯିବ ସରି ଦାଉ ବଳିଯିବ ସିନା

ପାରିବାର ସାଚି-ପାନଖିଲ ମୋର ଯାଚି ଦେଲେ ହେଲେ ମନା ।୩।

 

ନୀବିକି ଫିଟାଇ କାମ ସଦନରେ ଦେବିକି ଚଳାଇ ନଖ

ଠିକି କେ ମୋ କର ବଞ୍ଚାଇ ଦେଉଛୁ ପୋତି ଆଡ଼େ ଚନ୍ଦ୍ରମୁଖ ।୪।

 

ଭାରତୀକି ଶୁଣି ଜଗଦ୍ଦେବଙ୍କର ଗାରସାର ଗୁଣନିଧି

ହସ ହସ ହୋଇ ଆରମ୍ଭି ଦେଲା ଯେ ବୃଷରାଜବନ୍ଧ ବିଧି ।୫।

 

(୨୨)

ରାଗ - ଶାବେରୀ, ଏକତାଳି

 

କାନ୍ଦ ନା ମୁଁ ନୋହିବି ବିଦେଶୀ ରେ, ମନ୍ଦହାସୀ ।ପଦ।

କା’ର ବୋଲେ ସହି, ଗାର କାଟୁ ମହୀ,

ହାର ପରି ନେତ୍ରଧାରକୁ ବୁହାଇ,

ବାରଣଗତିକି କାରଣଟି ଏହି ଛାରକଥାକୁ କି ରୁଷିରେ ।୧।

 

କୁନ୍ଦରଦନା ମୋ ପନ୍ଦରବୟସୀ

ମନ୍ଦର-ଉରଜା ଚନ୍ଦ୍ରଜିତ ହାସୀ

କନ୍ଦର୍ପ ଶରେ ମୁଁ ଦେଖୁଁ ଗଲି ଭାସି, ସୁନ୍ଦର ନିକି ଏ ଦିଶି ରେ ।୨।

 

ଦରପଣମୁଖୀ ପରସନ ହୁଅ,

ଉରଜରେ କରଗଣ୍ଡକୁ ନ ଦିଅ

ଦରହାସୀ ଦରହାସେ ଦୟା ବହ, ସରସ ବଚନ ଭାଷି ରେ ।୩।

 

ହରିଣୀ-ନୟନା ଧରି ତୋର କର,

ସରିଗଲିଣି ମୁଁ କହୁଛି ନିକର ।

କରିବି କି ବୁଦ୍ଧି ହରସୁତ-ଶର, ମରମେ ଯାଉଛି ପଶି ରେ ।୪।

 

ସେବିଥିବି ତୋର ପାଶେ ଅନୁବ୍ରତେ,

ଯିବି ନାହିଁ କାହିଁ ଥିବା ରେ ଜୀବିତେ

କବି ରବି ବୋଲେ ଏ ଗୀତରେ ଏତେ ପାଇଛି ଗଙ୍ଗାରେ ଝାସି ରେ ।୫।

 

(୨୩)

ରାଗଝଂ – ଝୋଟି - ରୂପକ

 

କଳାକେଶୀ କଳାକରହାସୀ, ଋଷିମୋହିନୀ ନ ବସ ରୁଷି । ଘୋଷା ।

ବଳାନାଦେ ପଳା ପଳା ବୋଲି ଚଳା କାମକୁ ତୁ ଚଳାଚଳଦୃଶୀ ।୧।

 

ରସବତୀ କୁଳ ଚକ୍ରବର୍ତ୍ତୀ ହୋଇ ନ ଘେନିଲେ ମୋ ମିନତି

ନୀରସବତୀ ବୋଲିଣ ରହିଯିବ ଜଗତରେ ତୋର ଅକୀରତି ।୨।

 

ସୁନାଗୋରୀ ଯେବେ ଏତେ ସରି—କରିବାକୁ ଥିଲୁ ତୁ ବିଚାରି

ପୀୟୂଷ ରସକୁ ମଧୁର ଅଧରୁ ପିଆଇ ନ ଥାନ୍ତୁ କୃପା କରି ।୩।

 

ଭାଷା ବିନିର୍ଜିତ ମଧୁରସା—ସୁଖୀ କରି ପଦେ କହି ଭାଷା

ଆଶାକୁ ମୋହର ନ ଭାଙ୍ଗରେ ବର-ରସାଳସା ତୁ ତ ମୋ ଭରସା ।୪।

 

ଜିତକଣ୍ଠୀରବ କଟୀକଟୀ—ଚିତ୍ତ ଜାଣିଥିବାଠାରେ ଖଟି

ନବଳୁ ବିଦୁର ହରି ପରିହର ତୋତେ ଏ ବିଚିତ୍ର ନୁହଇଟି ।୫।

 

ପ୍ରାଣକୁ ପରି ପ୍ରୀତିକି ପାଳି—ଥାଉ ପରା ମୋର ଗଳାମାଳି

ଜାଣିଥାଉ ଦୁଃଖ ଖଣାକୁ ପେଲୁଛୁ ଚିତ୍ତେ ମୋର କେଉଁ ଦୋଷ ଭାଳି ।

 

ଶ୍ରୀ ବାଲୁକେଶ ନୃପତିବର—ତୋ ଛାମୁରେ ଅଛି ନିରନ୍ତର

ତେବେ ହେଲେ ରସ ବିଚକ୍ଷଣା, ଶୁଣା ନ ଗଲା ଛଣା ପୀୟୂଷ ଗିର ।୭।

 

(୨୪)

ରାଗ-ସାବେରୀ - ଆଠତାଳି

 

କଳାବତୀ ରେ, ଚଳା ମୋରେ କୃପା ଅପାଙ୍ଗଟିକି ରେ ।ପଦ।

 

ଏ କି ଭଙ୍ଗୀରେ ତୋ ଜବାଧରା,

କେ କି କହେ କି ବାଧି ସୁଧୀରା,

ଟେକିଅଛୁ ବିବେକିନୀଙ୍କ ଚକ୍ରେ ଛତିରେ ।୧।

 

ଜଟାଧାରୀ-ମୋହିନୀ ବିବେକୀ,

ହଟା ଅରିମଣ୍ଡଳେ କରିକି,

ଫିଟା ମୋ ସନ୍ଦେହ ଗଣ୍ଠିଟିକି,

ଖଟା ତ ମୁଁ କରି ନାହିଁ ଦିନେ ତୋ ନୀତିରେ ।୨।

 

କାନେ ନ ଶୁଣି ମୋ ନିବେଦନା,

ମାନେ ବଳିଲେ ରେ ସୁନୟନା,

ଧାନେ ହେଲେ ପ୍ରାଣଧନ ବିନା,

ଆନେ ନ ଥାଏ ତ କେବେ ମୋର ସମ୍ମତିରେ ।୩।

 

ତ୍ରାସେ ସରିଲିଟି ମଦନର,

ହାସେ କିପାଁ ନ ମଣ୍ଡୁ ଅଧର,

ଦାସେ ଥିଲେ ଯେତେ ଦୋଷ ତାର,

ନାଶେ ବଳଇ କି ମତି ମତିକ ମତିରେ ।୪।

 

ଦାସବତ୍ସଳା ରେ ଘନକେଶା,

ଭାଷ ପଦେ ସୁଧା-ସ୍ୱାଦୁ ଭାଷା,

କାଶହାସୀ ନ ନାଶି ମୋ ଆଶା,

ଆସ ମୋ ଅଙ୍କ ଜଗତୀକି ଗଜଗତି ରେ ।୫।

 

କଳକଣ୍ଠୀ ରସିଲେ ସଦୟ,

ଜଳନ୍ତର ବସୁଧା ବଳୟ,

ଛଦ୍ମ ସୁର ସଦ୍ମ ହରିହୟ,

ଶ୍ରୀ ପୁରୁଷୋତ୍ତମ ଛୋଟରାୟ ଭାରତୀ ରେ ।୬।

 

(୨୫)

ରାଗ-ପଞ୍ଚମ ବରାଡ଼ି

 

କଳା ବଳାହକତୁଳାଦଳିତନୀଳକୁନ୍ତଳା

ଚଳାଚଳାଚାରୁନେତ୍ରାଞ୍ଚଳା ।

ବାଳାବଳୟଇଟଳାଗଭାସଦୃଶୀ ମଞ୍ଜୁଳା ଦଳା

ଗୋରୋଚନାଙ୍ଗୀ କୋମଳା ରେ, କଳାବତି,

କଳାନିଧି ଶ୍ରୀମୁଖମଣ୍ଡଳା, ଢଳା ନେତ୍ରେ

କର ମୋ ସଙ୍ଖଳା, ବାଳାହଳାହଳଗିଳାଚୂଳାଭରଣକୋମଳା

ଜଳାତି ନିର୍ମିଳାତିବତ୍ସଳା ରେ ।୧।

 

କି ମାନିବା ସୀମା ଦେଖି ପ୍ରମାଦ ମାର୍ଗ

ଉପେକ୍ଷି ରମା ସମାଜମାନଙ୍କୁ ହରି ।

ସମାନ ବିମ୍ୱ ଚନ୍ଦ୍ରମାମୁହୀଁ ତୋ କୁନ୍ତଳେ

ଜମା ହେଲା ତମାଳମାଳ ମାଧୁରୀ ରେ, କ୍ଷମାନିଧି,

ଗୁମାନ ମାତ୍ର ନ ଧର ମୋରେ,

ଜମାଅ ମାଗୁଛି ପୟୋଧରେ,

ରମା ଉମା ତୁରଙ୍ଗମା ସମାନସାଧ୍ୟ ମଧ୍ୟମା

ଗମାର ମାର ମାରୁ ନା ଶରେ ରେ ।୨।

 

ତୁଷାରସାମ୍ୟସୁପ୍ରହସାନନା ତୁ ମୋ

ଶୁଭ-ଦଶାର ସାର ସାମଗ୍ରୀବର ।

ତୁ ସାରସାକ୍ଷୀକି ହେଜି ପ୍ରାସାଦ ସାମ୍ରାଜ୍ୟ

ତେଜି ରୁଷା-ରୁଷାରୁ ସାମର୍ଥ୍ୟ ମୋର ରେ, ରସାଳସା,

ମୁଁ ସାରସ ଚରଣରେ ପଶି,

ଅସାର ସଙ୍ଗରେ ନାହିଁ ବସି,

ତୁ ସାରାସାରବିବେକି ଭୂଷା ତୁ ସାକ୍ଷୀ

ତହିଁକି ରସାଅ ସାର୍ଥରେ ଥରେ ହସି ରେ ।୩।

 

ହରାପରାଧୀ ଦୁର୍ଜର ନାରାଜରାଜିରେ

ମୋର ପରାଭବ ଏକା କଲେ ଫନ୍ଦା ।

ଧରାଧରାଧିପସ୍ତନା ଚରାଚରାନ୍ତେ ତୋ ବିନା

ପରାଭବ କାହିଁ ହେବ ନିନ୍ଦା ରେ, ଧରାଝରା,

ଅରାତି ନୁହଇ ମୁଁ ସୁକେଶା,

ଖରାପ ନ କର ଏଡ଼େ ଆଶା,

ସ୍ମରାତୁର ଜଳନ୍ତରଧରାମରାବତୀସୁର

ପରାଣ ପାଇଲେଟି ପ୍ରଂଶସା ରେ ।୪।

 

(୨୫) ଟୀକା- କଳାବଳାହକ-କଳାମେଘ, ଜଳାତି-(ଜଳାତ୍ୟୟ ଶବ୍ଦଜ)-ଶରତ୍‍କାଳ, ଧରାଧରାଧିପ-ପର୍ବତରାଜ ।

 

(୨୬)

ରାଗ-କାମୋଦୀ, ଆଦିତାଳ

 

କହିବାକୁ ଲାଜ, ସଖି ଯାହା ହେଲା ଆଜ । ଘୋଷା ।

ପହୁଡ଼ିଥିଲେ ଜଣା ନ ଥିଲା ମୋତେ

ବୀଣା ଆଳାପେ ଲଗାଇଲି ଗେଲେ ଲୟ,

କାନ୍ତ ମୋ ଗଣ୍ଡେ ଆସି ଚୁମ୍ୱିଲେ ପରଶଂସି

ମରଣୁ ବଳିଗଲା ସେ ସମୟ ।୧।

 

ଖସି ପଡ଼ିଲା କରୁ ବିପଞ୍ଚୀ ଧରୁ ଧରୁ,

ମେରୁଗରୁଆ ହେଲା ଗଭାଫୁଲ,

ଟେକି ନୋହିଲା ମୁଖ ତହିଁ ପଞ୍ଚବିଶିଖ

ଚଣ୍ଡାଳ କଲା କେତେ କଲବଲ ।୨।

 

ଚୁମ୍ୱିଲେ ଅଙ୍ଗସୀମା, ଜାତ ପୁଲକରମା

ଶୀତ୍‌କାର ଉପୁଜିଲା ବାରମ୍ୱାର;

ନିବିଡ଼ ଭୁଜବନ୍ଧୁ ଛାଡ଼ି ନ ଦେଲେ ବନ୍ଧୁ,

ପଳାଇବାକୁ କାହିଁ ରାହା ମୋର ।୩।

 

କେତେ କଥାକୁ ଏତେ ଦଶା ଲଭିଲି ଚିତ୍ତେ,

କି ନ କଲା ଏ ଲାଜ ଘେନ ମନେ;

କିପରି ଗୋ ସଙ୍ଗାତ ବିପରୀତ

ସୁରତ ରସକୁ ରସୁଥାନ୍ତି ବାମାମାନେ ।୪।

 

ଭାଷଇ ଜଳନ୍ତର ଅବନୀ ପୁରନ୍ଦର

ହେଲେ ହୋଇବ ଏକ ଗୁଣ ଲୋପ;

ଆଉ ପାପ ସଙ୍ଗୀତ ବିଦ୍ୟାସଧରେ ଚିତ୍ତ

ନ ଦେବି ବୋଲି କଲି ସଂକଳପ ।୫।

 

(୨୬) ଟୀକା- ବିପଞ୍ଚୀ-ବୀଣା, ପଞ୍ଚବିଶିଖ-କନ୍ଦର୍ପ, ଜାତପୁଲକରମା-ରୋମାଞ୍ଚଶୋଭା ଜାତ ହେଲା-

 

(୨୭)

ରାଗ - କାମୋଦୀ, ଏକତାଳି

 

କହିବି କେତେ ଥର ଥରକୁ ରେ, ମହୀ ମଉଳିଭୂଷାବରକୁ ରେ ।

ସହିବି କେହି ଦଣ୍ଡଧର ସଦୃଶ ଚଣ୍ଡ ଚଣ୍ଡୀରମଣ-ପର ଶରକୁ ରେ ।୦।

 

ମାଦରଚୋଦ ପାପ କର୍ମତ କଲା ଅପବାଦ ନିରତ ଲୀଳା ଗାରକୁ ରେ

ଚାଦରଧରା ଦାସଠାରେ କରି ନିରାଶ ଆଦର କଲା ରୁଷା ଛାରକୁ ରେ ।୧।

 

ନିନ୍ଦଇ ଯେଉଁ ମୁଖ ସୁଧାମୟ ମୟୂଖ ସୁନ୍ଦର ବିଭାବରୀ-ବରକୁ ରେ

କୁନ୍ଦନାଙ୍ଗୀ ତା’ ଶିରୀ ସାରିଦେଲା ପ୍ରସାରି କ୍ରନ୍ଦନୁ ଅଜ୍ଞାନାଶ୍ରୁ ଝରକୁ ରେ ।୨।

 

ସୁହାଇ କ୍ରମେ କ୍ରମେ ଦୟାଳୁ ମଣି ପ୍ରେମେ ବୁହାଇଥିଲା ପୟୋଧରକୁ ରେ

ମୁହାଇଟାକୁ ପ୍ରାଣ ରଖିଛି ପଞ୍ଚବାଣ ତୁହାଇ କରେ ଯେ ପ୍ରହାରକୁ ରେ ।୩।

 

ଜଣା ନ ଥାଏ ତେବେ ହେଲେ ଦୟାଳୁଭାବେ ମଣାଇଧରି କଞ୍ଜକରକୁ ରେ ।

ବଣା ନୋହିବୁ ପ୍ରୀତିପଦବୀ ବୋଲି ନିତି ଜଣାଉଥାଏ ଏହି ଗିରକୁ ରେ ।୪।

 

ନିକିତି ତୁଳ ପରି ଭଜିଅଛି ନ କରି ଟିକିଏ ହେଲେ ପରିହରକୁ ରେ

କି କି ପରି ନ ପାରେ ପ୍ରଭୁ ଯେ ଯାହାଠାରେ ବିକିଥାଇଟି ନିଜ ଶିରକୁ ରେ ।୫।

 

କରୁଣା ସୁଧାରାଶି ଅନାଉ ଥାଉ ଭାସିଯିବାର ପସନ୍ଦ ନିତରକୁ ରେ

ଶ୍ରୀ ଜଗଦ୍ଦେବ ବୋଲେ ରସିକା ଏବେ ହେଲେ ସଦୟ କରୁ ହୃଦନ୍ତରକୁ ରେ ।୬।

 

(୨୮)

ରାଗ - ତୋଡ଼ି

 

କାଞ୍ଚନ ବରନା ଚଞ୍ଚଳେ ଅନା ରେ ବଞ୍ଚନା କର ନା ।।ପଦ।।

ମାରଦର ପରିଚାର ଜନର ନିବାର

ଯୁବ ମଦବାରଣେନ୍ଦ୍ର-ଗତି ସାର

ସାରସ ସୌରଭ ଭାର ବାସିନୀ ।।୧।।

କନ୍ଦର୍ପ ସାଳସୀ ସୁନ୍ଦରହାସୀ ପନ୍ଦର ବରଷୀ

ମନ୍ଦ ବିଦଳିତ କୁନ୍ଦ ବିଚକିକତୁନ୍ଦ ଗଳିତ

ମରନ୍ଦ ରସଝର ବିନ୍ଦୁ ସନିଭ ମୋହନ--

ସ୍ମିତ କାନ୍ତି ତୁନ୍ଦିଳ ଗଣ୍ଡ ମଣ୍ଡଳୀ ।।୨।।

ନିର୍ଧୁତକଦନା ଚନ୍ଦ୍ରବଦନା ରେ ମୋ ଶ୍ରମସଦନା

ଦୋଷ ନ ସମଝି ରୋଷ ନ କର ଏ ଘୋଷ ତରୁଣୀ ରେ

ତୋ ସମାନ ତ ନାହିଁ ଚାହିଁଲି କାହିଁରେ

ଅବଗାହିବା ମନା ନ ଥାଇ ରେ ଧନ ।।୩।।

ମାନସମୋହନା ମାନ ତୁ ସହନା ବିରସେ ରହନା

ଖଣ୍ଡ ରସନିଧି ଖଣ୍ଡ-ପରଶୁ ପରଚଣ୍ଡ ଶର ଦର ଦଣ୍ଡଭୂପର-

ପୃଷ୍ଟ ଭାଷିନୀ ଅନ୍ତ ତୋ ବଶ

ଅଷ୍ଟଦୁର୍ଗ ପୁରନ୍ଦର ରେ ।।୪।।

 

(୨୯)

କାହିଁକି ଆଜ--

 

ଦ୍ୱିଜରାଜ ବଦନେ, ଲାଜ--

ଭରି କିଶୋରୀ ନ ଚୁମ୍ୱୁ ଗୋ ।୦।

ଅରସବତୀ ଘନ-            କୁନ୍ତଳା ବୋଲି ଜନ

ନ ବୋଲନ୍ତୁ, ତୋ ଊଣା ଯାଉ ଗୋ,

ରସାଇବାକୁ ତୋତେ            ମିଳିବ ନାହିଁ ରତେ

ମୋ ପରି ପରିଜନ ଆଉ ଗୋ ।୧।

 

ତୋ ବଧୁଲି ଅଧର            ସ୍ୱର୍ଗ ସୁଧା ମଧୁର

ମୋର ରସନାକୁ ସମଜାଉ ଗୋ,

ଜାଣୁ ତ ପ୍ରାଣମିତ            ମାରମାର୍ଗଣ ଜାତ

ସମୟ ଏ କେମନ୍ତ ଦାଉ ଗୋ ।୨।

 

କୋଟିଏ ଅଭିଳାଷ            ବହି ଆସିଛି ପାଶ

ସମ୍ପ୍ରତି ଚରମକୁ ଥାଉ ଗୋ,

କୋଳେ ନିଶ୍ଚଳେ ବସ      କରି ସବ୍ରୀଡ଼ ହସ

କବି ମିହିର ଦୁଃଖ ଯାଉ ଗୋ ।୩।

(୨୯) ଟୀକା- ଦ୍ୱିଜରାଜ ବଦନେ-ଚନ୍ଦ୍ରମୁଖରେ, ରତେ-ରତିକ୍ରୀଡ଼ାରେ, ରସନାକୁ ସମଜାଉ-ସ୍ୱାଦ ଉପଲବ୍ଧି କରୁ, ମାରମାର୍ଗଣ-କନ୍ଦର୍ପଶର, ସବ୍ରୀଡ଼-ସଲ୍ଲଜ ।

 

(୩୦)

ରାଗ—ଭୈରବୀ—ଆଡ଼ତାଳି

 

କାହିଁ ଲୁଚାଇ ସେ ସ୍ନେହ, ଚାହିଁଲୁ ଧରାରେ ।୦।

ମଦନ-ଦର୍ପଣ ଝଳି-ସଦନ ସସ୍ମିତ କେଳି

ବଦନ ବିମୋଦ ନତ-ଅଙ୍ଗୀ ନ କରା ରେ ।୧।

 

ଅରୁଣଓଷ୍ଠୀ ରୁଚିର-ଚରଣ ପଙ୍କଜ ତୋର

ଶରଣ ତୁ ପରା ମୋର ମଉଳି-ଝରା ରେ ।୨।

 

ଠିକ୍‌ ଯୁବ ମଦ କଳ—ପିକଭାଷୀ ତୋ ତାମ୍ୱୁଳ—

ପିକଦାନୀ ଦାନୀବର ମୋ କରେ ଧରା ରେ ।୩।

 

ମନକୁ ମ୍ଳାନ ନ କର–ଘନ କୁନ୍ତଳା ମୋହର

ଧନକୁ ଜୀବନକୁ ତୁ ଅଧିକ ପରା ରେ

 

ଶଶିହାସୀ ମାର ମଦେ—ଇସି ଭାଷି ମୋର ହୃଦେ

ଠେସି ଦିଅ ପୀନସ୍ତନ-କନକ-ଗରା ରେ ।୫।

 

ବସୁ ଦୁର୍ଗନାଥ ବୋଲେ—ବସୁମତୀ-ଭୂଷା ଗେଲେ

ରସୁ ଲେଖା ହେଲା ସ୍ମର ଦୁଃଖ ପାଶୋରା ରେ ।୬।

 

(୩୧)

ରାଗ – ବଙ୍ଗଳାଶ୍ରୀ - ଝୁଲା

 

କାହିଁ ବରକେଳି-ମଣ୍ଡଳେ ନୋହିବ ସୁଧାରେ ତାର ସମାନ

ଅମରେଶ୍ୱରକୁ ମିଳୁଥିବ ଅବା ସୁଧାରେ ତା ରସମାନ ।୦।

 

ସଉରଭ ଲୋଭେ ଝାମ୍ପୁଥିଲା ଯହିଁ ମଧୁପ ଚାରିବଦରେ

ହରିଲିଟି ବୋଲି ବାମାର ଅଧର ମଧୁପ ଚାରି ବଦରେ ।୧।

 

ଯେଉଁପରି ହରିଚନ୍ଦନକୁ ମିଳିବା ବଦନେ ମଧୁର ସାର

ସେପରି ଥିବ କି ରସ ସରଜନେ ବଦନେ ମଧୁ ରସାର ।୨।

 

ଚାକୁରେ ବନିବା ଏଥୁଁ ଯେବେ ଅନ୍ୟ ଭରମେ ଦିଖଣ୍ଡ ସରେ

କି ବାଦୁ ମିଳିବ ଏକମାତ୍ର ଶ୍ରମ ଭରମେ ଦିଖଣ୍ଡ ସରେ ।୩।

 

ଏ କେଳି ଝଳିରୁ ଊଣା ହେବ ମଜା ଅପୂର୍ବ ସୁଆଦ ରସ

ରସକୁ ଘେନିଲେ ଇକ୍ଷୁଖଣ୍ଡ ହେବ ଅପୂର୍ବ ସୁଆଦରସ ।୪।

 

ନିଷିଦ୍ଧ ଏ ବୋଲି ନ ବହେ ଯା ତାକୁ ମହୀମ କର ମାସରେ

ଘେନୁଛି ମୁଁ ମନେ ତା’ଠାରୁ ବିଗଡ଼ ମହି ମକର ମାସରେ ।୫।

 

ଦେଉ ପ୍ରସାଦରୁ କରିପାରିବି ଏ ସଂସାରେ କରି ବିଶେଷ

କବିରବି ବୋଲେ ଏ ରସ କି ପରସଂସାରେ କରିବି ଶେଷ ।୬।

 

(୩୨)

ରାଗ—ତୋଡ଼ି—ଏକତାଳି

 

କି କଲି ମଲ୍ଲୀହାସୀକି,

କି ଦୁଃଖେ ଦେଲି ଗୁଣରାଶିକି ।୦।

ଆହା ମୋ ଲୀଳା-ବିଳାସୀ

ସମ୍ପୂର୍ଣ୍ଣ ଶରଦଶଶୀ-

ବଦନ, କରେ ନିବେଶି, ଥିବ ବସି ।

(ପଡ଼ି)

ମୋ ଛାର ପାଇଁ ଜୀବନ ମୀନଗରବଗଞ୍ଜନ—

ନୟନୁ ସରୁଅଞ୍ଜନ ଧୋଇଲା

ସେ ମୋର ମହିଳା କାହାର ମଣି ସେ ନ ଚାହିଁଲା

ଧିକ ଧିକ ମୋ ଜୀବନ ବେନି ସପତ ଭୁବନ

ଖୋଜିଲେ ସୁକୃତହୀନ ନ ଥିବ ମୋପରି ଆନ ।୧।

କଲେହେଁ ବହୁତ ଦୋଷ, କରି ନାହିଁ ଦିନେ ରୋଷ,

ସେ ଦୟାଳୁ ଅବତଂଶ,-ନାଗରୀ ଈଷ

(ପଡ଼ି)

ଶ୍ୱେତ ନଳୀନ ମୁଖୀକି ଆହା ଆଜନ୍ମ ସୁଖୀକି

ମନନୟନ ପ୍ରୀତିକି—ଦେଇ ଛାତିକି ମାଇଲୁ କାତିକି ।୨।

ଏକେ ଅତି ସୁକୁମାରୀ, ସେ ତ ନବୀନା

କିଶୋରୀ—ମୋ ମନୋହାରୀ

(ପଡ଼ି)

ଅହର୍ନିଶ ବସୁଧାରେ, କୋଟିବାର ଲୋଟିବାରେ

ଘୋଟିଲା ମଳିନ ଯୋଷା କେତକୀ ।୩।

ମୃଣାଳ-ବାହୁ ବଲ୍ଲରୀ, କରେ

ତତି କେତେ ପରି, ସେ ନାଗରୀ

(ପଡ଼ି)

ସେ ତ ଭାବମାନ ଦୂର-କରି କରେ ଏ ମନ୍ତର

ଅଷ୍ଟଦୁର୍ଗ ମହୀପତି ଭାଷିଲା,-ମୋର ସୁଶୀଳା

ଅତେଜ ଅଙ୍ଗନା ମିଶିଲା ।୪।

 

(୩୩)

 

କିପାଁ କରୁଛୁ ନିରାଶ, ମୁଁ ପରା ତୋ’ ନିଜ ଦାସ ।୦।

ସେବି ତତେ ଦିବା- ରଜନୀ ! ସଜନୀ

କେତେ ନାହାନ୍ତି ତୋ’ ପାଶ ।

ତହିଁ ମୁହିଁ ଜଣେ ହୋଇ ତୋ’ ଚରଣେ

ଦେବି ସିନା ଲାକ୍ଷାରସ ।୧।

ଆରେ ଘନକେଶି ! ସ୍ୱଜନ ବିନାଶି

ଲଭିବୁ ତୁ କେଉଁ ଯଶ ?

ତନୁଅଙ୍ଗି ! ଅଙ୍ଗୀକାର କର, ଦର—

ହାସ କର ପରକାଶ ।୨।

ନାହିଁ ଚିତ୍ର-ଅଳି ଦିଶେ ମୋ’ ସଙ୍ଖାଳି !

ଅଲଗା ତୋ’ ରଦବାସ,

ହୁଅ ପଛେ ଚଳି, କୁଚେ ପତ୍ରାବଳୀ,

ଲେଖିବାକୁ ଫରମାସ ।୩।

ଆରେ ଜୀବ ଧନ ! ଯିବାକୁ ଜୀବନ

ଲାଗୁ ନାହିଁ ମୋତେ ପ୍ରାସ,

ମୋ’ ପରି କେ ମନ ଜାଣି ନିଧୁବନ-

କୁଶଳା ! କରିବ ବେଶ ? ।୪।

ହୋଇ ତୁ ହରଷ ସରସ ହୃଦୟା !

ଅଧରୁ ସୁଧା ପରଷ;

ହରିଚନ୍ଦନ ଚାତକେ ଘନ ପରି

କରୁଣା ରସ ବରଷ ।୫।

(୩୩) ଲାକ୍ଷାରସ-ଅଳତା, ତନୁ ଅଙ୍ଗୀ-ତନୁପାତଳୀ, ଚିତ୍ରଅଳି-ମୁଖମଣ୍ଡଳରେ ଅଙ୍କିତ ଚିତ୍ର ସମୂହ, ରଦବାସ-ଓଠ ଓ ଅଧର, ଚଳି-ବିରକ୍ତ, ପ୍ରାସ-ବ୍ୟଥା, ନିଧୁବନକୁଶଳା-ରତିକ୍ରୀଡ଼ାରେ ନିପୁଣା, ଘନ ପରି-ମେଘ ସଦୃଶ ।

 

(୩୪)

 

କି ବର୍ଣ୍ଣିବି ରେ ! ତୋ’ କୁଚକୁ ? ।୦।

ଶୋଭା ଦେବୀ କର—ଲୀଳା-‘ସରସିଜ’ କି ବହିଲା

ମୁଖ ଚନ୍ଦ୍ର ନାହିଁ ସଂକୋଚକୁ ରେ ? ।୧।

 

ତାରୁଣ୍ୟ – ସୁନାରି ଯୋଡ଼ି ସ୍ୱର୍ଣ୍ଣ ସଂପୁଟ ସଜାଡ଼ି

ଭେଟିଚି କି ‘ଫୁଲ ନାରାଚ’କୁ ରେ ।୨।

 

ଅବା ତୁ କଳା ବଲ୍ଲରୀ ଦିବ୍ୟ ଫଳ ଯୁଗ ଧରି

ବଢ଼ାଉଚୁ ? ବଳିବ ରୁଚକୁ ରେ ! ।୩।

 

ବିଧ-ଚକ୍ରୀ ଏକାବେଳେ କୁମ୍ଭ ଦ୍ୱୟ କୁତୂହଳେ

ଜାତ କଲା କେହି ଏକା ଚକୁଁ ରେ ? ।୪।

 

ଅଷ୍ଟଦୁର୍ଗନାଥ ଭାଷେ ‘ବିପୁଳ’ ଦେଖି ହରଷେ

‘ଶମ୍ଭୁ’ ଇଚ୍ଛାରେ କଲା କି ଉଚ୍ଚକୁ ରେ ? ।୫।

 

(୩୪) ଶୋଭାଦେବୀ-ଲକ୍ଷ୍ମୀ, କରଲୀଳା-ସରସିଜ- ହସ୍ତର କ୍ରୀଡ଼ନକ ପଦ୍ମଫୁଲ, ତାରୁଣ୍ୟସୁନାରି-ଯୌବନ ରୂପକ ବଣିଆ, ସଂପୁଟ-ଫରୁଆ, ଫୁଲନାରାଚକୁ-କନ୍ଦର୍ପକୁ, କଳାବଲ୍ଲରୀ-କଳାପୂର୍ଣ୍ଣ ଲତିକା, ରୁଚକୁ-ରୁଚିକୁ, ବିଧିଚକ୍ରୀ-ବିଧାତାରୂପୀ କୁମ୍ଭକାର, ଚକୁ-କୁମ୍ଭାରଚକରୁ, ବିପୁଳ-ବିଶାଳତା, ଶମ୍ଭୁ-ଶିବଲିଙ୍ଗ ।

 

(୩୫)

ତୋଡ଼ି ଜଙ୍ଗଲା—ଏକତାଳି

 

କି ଭାବର ବାଣୀ ସବୁ ଜାଣି ଜାଣିରେ ଆଜ ଏ କି ଠାଣି ରେ ।୦।

ଖଳି କି ବିନ୍ଧାଣୀପଣେ ଅନ୍ତର୍ବାଣୀ—

ହୋଇ ଦେଲା ଏ ଗୁମାନୀ ମୂରତି ନିର୍ମାଣି ରେ ।୧।

 

ମୋ ଧଇର୍ଯ୍ୟ ଛାଣି ନେବାକୁ ଟାଣି

ଗଣ୍ଡକୁ ମଣ୍ଡିଛୁ ନବ କିଶଳୟ ପାଣିରେ ।୨।

 

କେଡ଼େ ମୂଢ଼ ପ୍ରାଣୀ ହେଲେ ଯେ ପଛାଣି

ବରଜି କି ସୁଧାରସ ଲୋଡ଼େ ତର ବାଣୀ ରେ ।୩।

 

ଫୁଲଚାପ-ପାଣି ତୋ ମହୀ ଚାହାଣୀ

ଦେଖି, ରଖିଲାଣିଟି ମାର୍ଗଣଗଣ ଶାଣି ରେ ।୪।

 

ଅଦୋଷରେ ଆଣି ଦୃମନଦେ ହାଣି

ଅନା ଜଗଦେବଙ୍କୁ ସୁନ୍ଦରୀ ସାମନ୍ତାଣୀରେ ।୫।

 

(୩୬)

ରାଗ—କାମୋଦୀ—ଝୁଲା

 

କି ରସିକ ସେ, ବିରସ ଯାହାର ମୁଖୁ ବିକଶେ

ପୁରୁଷ ହୋଇ ଯେ ନାରୀମନସୁନା ପ୍ରୀତି କଷଟିରେ ଯେବେ ନ କଷେ ।୦।

କଳନା ନ ଯାଏ ଲଳନାର ମୁଖ କମଳ

ପରାୟେ ସଦା ବିକଶେ

ଅଳି ହୋଇ ଯେବେ ଚୁମ୍ୱି ନ ପାରଇ,

ଅଳି କରିବାର ତାର ଧିକ ସେ ।୧।

ଚତୁରୀ ଚାତୁରୀ ବଚନ ଉଚ୍ଚାରି

ମରମେ ନୟନ ଶରକୁ ପେଷେ

ତହିଁକି ଯେ ପ୍ରତିଉତ୍ତର ନ ଦେଲା

ଯୁବାବୃନ୍ଦ ମଧ୍ୟେ ଅବିବେକ ସେ ।୨।

ଭିତରେ ସଦୟ ବାହାରେ ସଭୟ

ଦେଖାଇ କହନ୍ତି ମାତରକ ସେ

ଘେଳାଇ କରି ଯେ ଛଳାଇ ନ ଦେଲା

ନ ଜାଣଇ କିଛି ବିତରକ ସେ ।୩।

ପଙ୍କଜାକ୍ଷୀ ବାଳା ଯା’ଅଙ୍କେ ନ ବସେ

କେଉଁମନ୍ତେ ଭାଗ୍ୟବନ୍ତ ଅଟେ ସେ

କହେ କବିରବି ମୋହନୀ ମନ୍ତର

ଜାଣି ମୁଁ ତାହାର ମନକୁ କଷେ ।୪।

 

(୩୭)

ରାଗ—କାମୋଦୀ। ତାଳ ସରିମାନ୍‌

 

କେଉଁ କାରଣୁ ମୁଁ ତୋ ସେବାକୁ ଗୋ,

ମୋଠାରେ ଅବଧାନ ହେବାକୁ ଗୋ ।ପଦ।

ତୋ ଚାରୁମୁଖ ମାଠି, ଘେନି ତିଳକ କାଠି, ଭାଳଇ ଭାଲେ ନିବେଶିବାକୁ ଗୋ;

ଲାଗଇ ମନେ ଦୁଃଖ, କୋଟିସୁଧାମୟୁଖ ଦଳିବା ଝଳି ଛପି ଯିବାକୁ ଗୋ ।୧।

ମନୋହର କବରୀ, ସାଜି ପାରଇ ଗୋରି ଜାଣି ତୋ ଚିତ୍ତ ରସାଇବାକୁ ଗୋ,

ଭରସା ନୋହେ ମୋର ଛାର ନୀଳଚାମର ଚଉଁରି କେଶେ ମିଶାଇବାକୁ ଗୋ ।୨।

ତୋ ପୟୋଧର ହେମ ଦାମ ଛଡ଼ା କୁସୁମ ପରି ମୋ ଚିତ୍ତେ ଆଭାସିବାକୁ ଗୋ;

ମରଣୁଁ ଲାଜ ବଳେ ଚାହୁଁ ଚାହୁଁ ତ କଳେବରକୁ ଅଳଙ୍କାର ଦେବାକୁ ଗୋ ।୩।

ସାରି ସକଳ ବେଶ ଦେଖାନ୍ତି ଆଦରଶ ହେବା ନୋହିବା ପଚାରିବାକୁ ଗୋ;

କବିମିହିର କହେ, ସତେ ଦିଶେ ତୋ ଦେହେ କେବଳ ଅନୁଗ୍ରହ ଥିବାକୁ ଗୋ ।୪।

 

(୩୮)

ରାଗ—ତୋଡ଼ି, ଝୁଲା

 

କେଳିପ୍ରବୀଣା, କେବଳ ତୋତେ ସିନା ଜଣା ରେ,

ପ୍ରଣୟ ଧନେ ପ୍ରାଣ କିଣା ରେ ।ପଦ।

 

ନେତ୍ରାନ୍ତ ଖେଳଯୁତ, କରାଇ ମିତସ୍ମିତ,

ବିବେକ କରି ଦେଉ ବଣା ରେ ।୧।

 

ଦରଶନ ଆରମ୍ଭେ, ସରସ ଗିର ଦମ୍ଭେ,

ପରଷିବାର ସରପଣା ରେ ।୨।

 

ଦରକଣ୍ଠି ସୁନ୍ଦର, ଦରହାସ ମଧୁର,

ସରସ ଗିର ପଦେ ଶୁଣା ରେ ।୩।

 

କରୁଣାମୟ ଚିତ୍ତେ, ଅରୁଣାଧରା ମୋତେ,

ତୋ ଦାସୀଗଣନାରେ ଗଣା ରେ ।୪।

 

ମୁଁ ଏହି ଅଭିଳାଷେ, ଶିବ ଶିବାଙ୍କ ପାଶେ,

କରୁଥାଏଟି ଜଣାମଣା ରେ ।୫।

 

ଗୁଣେ ଲାବଣ୍ୟବତୀ, ପାଶେ ଭାରତୀ ରତି,

ଦୁହେଁ ତୋ ଠାରୁ କିଛି ଊଣା ରେ ।୬।

 

ବୋଲେ ଶ୍ରୀଜଗଦ୍ଦେବ, ତୋ ସ୍ନେହୁଁ

ମନୋଭବ-ମସ୍ତକେ ମାରି ପାରେ ଠଣା ରେ ।୭।

 

(୩୮) ଟୀକା- ମିତସ୍ମିତ- ଈଷଦ୍ଧାସ୍ୟ, ସରସଗିରଦମ୍ଭେ- ସରସ ବାକ୍ୟ ଛଳନାରେ, ଦରକଣ୍ଠି- କମ୍ବୁକଣ୍ଠି, ଜଣାମଣା- ପ୍ରାର୍ଥନା, ଭାରତୀ- ସରସ୍ୱତୀ, ଠଣା- ଆଘାତ ।

 

(୩୯)

କେହି ବଞ୍ଚିବି ରେ

 

ସହି ଜୀବନ ଦରଦ

ଏ କାଳରେ ଯାହା            ତେଜିଲି ରେ ଆହା

ସହୀ ଜୀବନ ଦରଦ ।୦।

ଘେନି ଯାଉଥିବ            ସ୍ମର ଶରେ ତାର

ଜୀବ ମୋ ଆଗମନରୁ

ସତେକି ଭେଟିବି            ବିନୟେ, ସେ ଦର

ଯିବ ମୋ ଆଗ ମନରୁ ।୧।

କୋଳେ ବସି ମୋର       ନାଗରୀ ମଦନ

ଅବଧୀର ନିରନ୍ତରେ

ଏବେ ବସି ଗଣୁ             ଥିବ ଦିନ ମୋର

ଅବଧିର ନିରନ୍ତରେ ।୨।

ଭୁଜଙ୍ଗୀ ଏ ବୋଲି            ଭ୍ରମ ହେବନି ମୋ

ସଜନୀର ହାର ବରେ

ତା ମୁଖ କମଳେ            ସିଂଚୁଥିବେ ସଖୀ

ସଜନୀର ‘ହା’ ରବରେ ।୩।

କି କଲି ଯା ତେଜି            ଅଇଲି ମୋର ସେ

ବନ୍ଧୁଜୀବ ସମାଧରୀ

କଣ୍ଠ ତଟେ ପ୍ରାଣ            ରଖିଥିବ ଆହା

ବନ୍ଧୁ ଜୀବ ସମା ଧରି ।୪।

ଅତି ଆର୍ତ୍ତ ହୋଇ            ବିନୟରେ ରାମା

ସେ ବି ପଦ ଶର ଦରେ

ଜଣାଉଥିବ ଯେ             ମଦନରୁ ଲଭି

ସେ ବିପଦ ଶରଦରେ ।୫।

କମ୍ପି ଯାଏ ନାମ             ବୋଲନ୍ତେ ଏ ନବ—

ଘନ’ ତାରକେଶମୁହୀଁ

ଏବେ ଦେଖି ରଖି            ପାରିବ କି ଅପ-

ଘନ ତାର କେଶ ମୁହିଁ ।୬।

ମତେ ଚିନ୍ତି ମନେ            ଅବୟବ ନବ—

ନୀତ ତନୁ କରୀଗତି

ନ ଦେଖି କାହାକୁ            ମୋ ବିନା ସେ ନବ—

ନୀତ ତନୁ କରି ଗତି ।୭।

କିଶଳୟ ଶୟ—            ନର ହୋଇଥିବ

ମୋହର ଘନସ୍ତନୀ ତ

ହେଉଥିବ ତାର            ନିରତ କାରଣ

ମୋହର ଘନ ସ୍ତନିତ ।୮।

ବିରହାଗ୍ନି ତାପେ            ଥିବ ସେ ସ୍ୱକୀୟ

ରୁଚିର ବରନ ବିନା

ମେରୁ ଗୁରୁ ମଣି            ବିନା ପିନ୍ଧା ବାସ

ରୁଚିର ବର ନବୀନା ।୯।

କି ବିଚାରୁ ଥିବ            ଧରଣୀ ଶୟନେ

ମାନସେ ଆହା ରମଣୀ

ଉଭା ହେବା ବଳ            ନ ଥିବ ଗରଳ

ମାନସେ ଆହାର ମଣି ।୧୦।

ଏ ଘନ କାଳରେ             ଜୀବ ସେ ତେଜିବ

ପରା ମାର ଶରଦରେ

ଲଭିବି କି ଆଉ            ଗଲେ ମୁହି ସମୀ—

ପରାମାର ଶରଦରେ ।୧୧।

ଜୀବ ଥିବ ସତେ            ମୋ ପ୍ରିୟାକୁ ମତେ

ଦେବ ଶ୍ରୀ ହରିଚନ୍ଦନ

ଚିତ୍ର ଦେବି ସ୍ତନେ            ତାର ଭାଷେ ଜଗ-

ଦ୍ଦେବ ଶ୍ରୀ ହରିଚନ୍ଦନ ।୧୨।

(୩୯) କେହି-କିପରି, ଜୀବନଦ ରବ-ମେଘର ଡାକ, ଦର ଭୟ, ଅବଧୀର-ଅସ୍ଥିର, ଅବଧିର-ଅବଶିଷ୍ଟ, ଭୁଜଙ୍ଗୀ-ସର୍ବଣୀ, ହାରବର-ଶ୍ରେଷ୍ଠ ହାର, ବନ୍ଧୁଜୀବ ସମଧାରୀ-ବଧୁଲୀ ଫୁଲ ପରି ଅଧର ଯାହାର, ବନ୍ଧୁ ଜୀବ ସମା ଧରି ମୋ ବନ୍ଧୁ ପ୍ରାଣ ପରି ଜୀବ ଧରିଥିବ, ଶରଦରେ-ଶରତ୍ କାଳରେ, ଶର ଦରେ-କାମବାଣ ଭୟରେ, ତାରକେଶ ମୁହିଁ-ଚନ୍ଦ୍ରମୁଖୀ, ମୋହର-ବଶ୍ୟତାର, ସ୍ତନିତ-ମେଘ ଗର୍ଜନ, ସମୀପ ରାମାର-ପ୍ରେମିକା ପାଖକୁ ।

 

(୪୦)

ରାଗ - ମୁଖାରୀ, ଆଠତାଳ

 

କୁନ୍ଦରଦନା ରସବତୀ, ରସବତୀ ରାମା ରସବତୀ ।ପଦ।

ଗଲା ନିଶି ତାହା ସଙ୍ଗତେ ମାତି,

ଯେତେ ବନ୍ଧେ ହେଲା ସୁରତି,

ରତିରେ ମାତି ନ ହେଜିଲି ରାତି,

ଢାଳୁଥିଲା ତାର ନେତ୍ର ସମ୍ପତ୍ତି, ଭିଡ଼ିଲା ଦେଇ ଛାତିକି ଛାତି ।୧।

ନାଟ କରୁଥିଲା ନାସିକାମଣି,

ଫିଟି ଚରମେ ଲୋଟୁଥିଲା ବେଣୀ,

ବାଜୁଥିଲା ତାର କଟି କିଙ୍କିଣୀ,

ନେଉଥିଲା ମୋର ଚିତ୍ତକୁ କିଣି, ଭାଷିଲା ହୁଁ ହୁଁ ଶବଦବାଣୀ ।୨।

ଉରଜେ କରଜ ଚାଳନ୍ତେ ନେଇ,

ଚମକି ଇଷି ବୋଲିଣ ଭାଷଇ,

କହୁଥାଇ କେତେ ବିନୟ ହୋଇ,

ଏଥକୁ ଆଉ ମୁହିଁ ନ ପାରଇ, ବୋଲଇ ଆଜି ପଡ଼ିଲି କାହିଁ ।୩।

କେତେବେଳ ଅନ୍ତେ ଜୀବଜୀବନ,

ଆରମ୍ଭିଲା ବିପରୀତ ବହନ,

ତେତେବେଳେ ଯାହା ହେଲା ମୋ ମନ,

ତହିଁକି କେବଳ ସାକ୍ଷୀ ମଦନ, ଗଣି ଦେଉଥିଲା ଚୁମ୍ୱନ ଦାନ ।୪।

ଅଷ୍ଟଦୁର୍ଗପତି ବୋଲେ ଏ ରସ,

ଏହି ଆଜ୍ଞା ମୋତେ ହେବ ଗିରୀଶ,

ଖଟିଥିବି ଅନବରତ ପାଶ,

ବସି ଚାହିଁଥିବି ମୁଖସାରସ, ଘେନି ବଞ୍ଚୁଥିବି ରାତ୍ରିଦିବସ ।୫।

 

(୪୧)

(ଶ୍ରୀ ରାଗ କାମୋଦୀ)

 

କୁନ୍ଦ ସୁନ୍ଦରହାସୀ ଇନ୍ଦୁବଦନା । (ପଦ)

ଶମ୍ୱ ବିଶିଖମଣି କେଶୀ ରେ ସହି

ବିମ୍ବ ସଦୃଶ ରଦନାମ୍ୱର ଚାହିଁ

ଚୁମ୍ୱନ ବିନୁ ଧୃତି ସମ୍ଭବୁ ନାହିଁ ନ କର ମନା ।୧।

କୁଞ୍ଜରବର ଗତିରେ କୁଟିଳାକ୍ଷା

ପଡ଼ିଛି ନିକଟ ଅନାଉଣି ଦୀକ୍ଷା

କଞ୍ଜ ସୁରଭି ତନୁ ମୋର ତୁ ରକ୍ଷା ମୋ ମନ୍ତ୍ର ତୋ ନା ।୨।

ଆଜ ରଜନୀ ଧନ ତୋର ଫରମାସେ

ହାଜର ହେବି ଫୁଲବଲ୍ଲୀ ନିବାସେ

ଲାଜ ରହିତ ନୟନାନ୍ତ ସବିଳାସେ ଅଳପ ଅନା ।୩।

ଅଙ୍କେ ବିହର ପିକ ନିସ୍ୱନ ଗାନେ

ଶଙ୍କର ରିପୁ ରଣରଙ୍କ ବିଧାନେ

ରଙ୍କେ ନୃପତି ରାମା ତୁ ନିଦାନେ ଘେନ ବେଦନା ।୪।

ଭାସଇ ନୃପ ଜଗଦ୍ଦେବ ୟେ ଭାଷା

ରଣକୁଶଳା ରସିକାବର ଯୋଷା

ହ୍ରାସ ସଫଳ କଲା ସକଳ ଆଶା ଶମଦମନା ।୫।

 

(୪୨)

ରାଗ - କେଦାର, ତାଳ - ସରିମାନ

 

ଖଚ ବଚନକୁ ସତ ମଣି କି ରେ । ଘୋଷା ।

ଆଦରଶେ ଥିବା ବାଙ୍କ, ଗଙ୍ଗାଜଳେ ଅଛି ପଙ୍କ,

ରବିବିମ୍ୱରେ କଳଙ୍କ ଭଣିକି ରେ ।୧।

 

ଭୃତ୍ୟର ବିଶ୍ୱାସ ଦେଖି, କରିଥାଇ ଯେବେ ସୁଖୀ,

କାଳେ ତା ଚିତ୍ତରେ ରଖି ଟାଣିକି ରେ ।୨।

 

ମଦନ ଅମଳ ବଶେ, କ୍ଷତ ଯେବେ ଦନ୍ତବାସେ,

ଦିଶଇ ଏ ଦୋଷ ଦୋଷେ ଗଣି କି ରେ ।୩।

 

ଯେବେ ପ୍ରଭୁପଣ କରି, ପାରିବୁ ହିରଣ୍ୟଗୋରି,

ଜିଣି ଯିବି କରେ ଧରି ଫଣୀକି ରେ ।୪।

 

ଲଭିବାରୁ ମୁଁ ପଣ୍ଡିତା, ବର ତୋ ପରିଚାରିତା,

ଲକ୍ଷ୍ୟ ନ କରେଁଟି ଚିନ୍ତାମଣିକି ରେ ।୫।

 

ଏଣିକି ତୋ ଅନୁଗ୍ରହ, ନୋହିଲେ ମୋ ରିପୁବ୍ୟୂହ,

କହିବ ମୋ ପାଇଁ ଦେହପଣିକି ରେ ।୬।

 

ଅଗଣିତ ଆନ ମନ, ଅନାଅ ବରଜି ମାନ,

ରାୟଗୁରୁ କବିଦିନମଣିକି ରେ ।୭।

 

(୪୨) ଟୀକା- ଆଦର୍ଶ-ଦର୍ପଣ, ଦନ୍ତବାସ-ଅଧର, ପରିଚାରିତା-ଭୃତ୍ୟତ୍ୱ, ଚିନ୍ତାମଣି-ଅଭୀଷ୍ଟପ୍ରଦ ମଣି, ଦେହପଣିକି-ଶରୀରପଣି (ଟିକସ୍) ପାଇଁ, ଆନ ରାଣ, ରିପୁବ୍ୟୂହ-ଶତ୍ରୁସମୂହ ।

 

(୪୩)

ରାଗ - ବିଳାହୋରି, ତାଳ - ଏକତାଳି

 

ଖଞ୍ଜରୀଟନୟନା ଅଳପ ଚାହାଁ ରେ ।ପଦ।

ଅଞ୍ଜନରୁଚି ମଦଗଞ୍ଜନକେଶା,

କଞ୍ଜସୁନ୍ଦର ମୁଖ ରଞ୍ଜନବେଶା,

ସଞ୍ଜ କୁମୁଦସମହାସବିଳାସା, ତୁ ସିନା ସାହା ରେ ।୧।

ଦନ୍ତ ବସନ ରୁଚି ସନ୍ତତ ଚାଖି,

ସନ୍ତତ ତବ ତନୁ କାନ୍ତିରେ ଲାଖି,

କାହିଁ ଭରସି ରସି ନାହିଁ ମୋ ଆଖି, ତୋହର ବାହାରେ ।୨।

ବାରଣବରଗମନା ରସକାରା,

ପରିଚିତ ରଣରଣ ଧରଣୀବିହାରା,

ରଚ ବଚନାମୃତ ନିର୍ଗତ ଧାରା ମିଶ ହୃଦ ହାରେ ।୩।

ଚଣ୍ଡ ମଦନ କର ଦାରୁଣ ବାଣେ,

ଦଣ୍ଡକୁ ସମୁଚିତ ନୁହଇ ମୁଁ ଟାଣେ,

ମଣ୍ଡ ଗଳକୁ କହେଁ ଅଗଣିତ ରାଣେ, ମୃଦୁଳବାହା ରେ ।୪।

ମଗ୍ନ ମୁଁ ତୋର ରସନିର୍ଝରକୂପେ,

ତନୁ ରୁଚି ନିର୍ଧୂତ ହାଟକରୂପେ,

ସକରୁଣ ହୁଅ ହରିଚନ୍ଦନ ଭୂପେ, ମୋ ସୁଖ ରାହା ରେ ।୫।

(୪୩) ଟୀକା- ଖଞ୍ଜରୀଟ- କଜଳପାତି, ଦନ୍ତବସନରୁଚି-ଅଧର ମାଧୁରୀ, ରଣରଣ-କନ୍ଦର୍ପ; ହାଟକ-ସୁନା, ସଞ୍ଜକୁମୁଦ- ସନ୍ଧ୍ୟା ସମୟରେ ଫୁଟିଥିବା କଇଁଫୁଲ, କଞ୍ଜସୁନ୍ଦର-ପଦ୍ମପରି ମନୋହର ।

 

(୪୪)

ରାଗ - ତୋଡ଼ି ଜଙ୍ଗଲା - ଆଦିତାଳ

 

ଖୁଣ ନ ଥିବା ଗୁଣ—            ଗଉରୀକି ମୋ ଋଣ—

ଲାଗି ତନୁ ସୁଝିବୁ ଆଉ ରେ ।ପଦ।

କେଣେ ସ୍ତନେ ମୋ ପାଣି             ନ ବହୁ ବୀଣାବାଣୀ

ବହେଁ ମୁଁ ତୋ’ ଲାଗି କଠାଉ ରେ ।୧।

ଥିଲେ ତୋର ମାନସ            ତୋତେ ନ ଘଟେ କିସ

କାହିଁକି ସୁଝି ନ ପକାଉ ରେ ।୨।

ନ ଦେଉ କିପାଁ ଧନ,            ମୋତେ ପ୍ରତି ଚୁମ୍ୱନ

ମୋର ଆଗ୍ରହୁଁ ତ ଚୁମ୍ୱାଉ ରେ ।୩।

ଟିପେ ମୁଁ ତ ସ୍ତନରେ            ଥରେ ତୁ ମୋ ତନୁରେ

କାହିଁକି ନଖ ନ ଖେଳାଉ ରେ ।୪।

ଉରେ ଜମାଇ ତୋର            ଉରଜ ମହୀଧର

ଭିଡ଼େ ତୁ ନଭିଡ଼ି ବଞ୍ଚାଉ ରେ ।୫।

ମୁଁ ଯେ ଲିଭାଏଁ ତୋର            କସ୍ତୁରୀ ଚିତ୍ରାଙ୍କୁର

ତୁ କାମାନଳ ନ ଲିଭାଉ ରେ ।୬।

ଶ୍ରୀ ଜଗଦେବ ବୋଲେ            ବିଶୋଧନ ନୋହିଲେ

କି କରି ନ ପାରେଟି ସାହୁ ରେ ।୭।

 

(୪୫)

ରାଗ - ତୋଡ଼ି ଜଙ୍ଗଲା - ଆଡ଼ତାଳି

 

ଗାନ-ପଣ୍ଡିତା ତୋତେ      ଆନ ନାରୀଙ୍କ ପରି

ମାନ ମାନଇ ନାହିଁ ଲେଶେ ଗୋ ।ପଦ।

ଦନ୍ତ ବାସ ପଲ୍ଲବ            ବିନା ଅରୁଣ ଭାବ

ନ ରହେ ମୁଖ ପରବେଶେ ।୧।

ପୋତିବାକୁ ଲପନ            କଲେ ହେଲେ ଯତନ

ତଳୁ ସ୍ତନ କଳଶ ଠେସେ ।୨।

ବିଶାଳ ବସୁମତୀ            ମୋ ଛାତି ବୋଲି ଚିନ୍ତି

ଭୂଭୂଷା ଭୂଷୁ ନଖଶେଷେ ।୩।

କଞ୍ଜର କିଶଳୟ            ପରି ଦିଶଇ ଶୟ—

ପଲ୍ଲବ ଦେଲେ ଗଣ୍ଡଦେଶେ ।୪।

ନ ଥାଏ କେଉଁ ଶୋଭା      ତୁ ମହୀମଥା-ଗଭା

ଚିତ୍ତ ନ ଦେଲେ ହେଲେ ବେଶେ ।୫।

ବସିବା ବେଳେ ଋଷି            କି ରମ୍ଭା କି ଉର୍ବଶୀ

ଦିଶିବ ତୋ’ ପରି ସେ କେ ସେ ।୬।

ଦିଶନ୍ତା ରୁଷାପରି             ନ ଥିଲେ କୃପା ପୂରି

ଶ୍ରୀ ଜଗଦ୍ଦେବ ଅବନୀଶେ ।୭।

 

(୪୬)

ବୃତ୍ତ - ସିନ୍ଧୁକାମୋଦୀ

 

ଗୁଣନିଧି ଲାବଣ୍ୟଲହରୀ ରେ,

ମୋ ରାଣଟି କହ କହ,

ଦିବ୍ୟ ଅବଧାନେ ଯେବେ ହେଲେ

ଧାନେ ଅଛି ମୋରେ ଅନୁଗ୍ରହ ।ପଦ।

 

ଲୀଳା ସଉଧରେ ଆରମ୍ଭି ଥିଲୁ

ତ ବିଳାସ ମଧୁର ଗାନ,

ହରିଣାଙ୍କ ବିମ୍ୱ ଚାହିଁ କିପାଁ

ବିମ୍ୱଅଧରା ହେଲୁ ମଉନ ।୧।

 

ଶଶାଙ୍କନିବାସ ଛାଡ଼ି କରି

ଶଶ କଲେ ଶ୍ରୀମୁଖ ଆଶ୍ରୟ,

ବିମଳ ବଦନ ହେବ ସଲାଞ୍ଛନ,

ବୋଲି ଲଭିଲୁ କି ଭୟ ।୨।

 

ପଲକେ ପଲଙ୍କେ ମୁଁ ପ୍ରିୟଙ୍କ

ଅଙ୍କେ ନିଶି ନୋହିଥିଲେ ସ୍ଥିତ,

ଏହି ନିଶାଚର ପିଅଇ ରୁଧିର

ବୋଲି ହେଲୁ କି ଚକିତ ।୩।

 

କରକଶତର ଅକର୍ମ ପଥର

ଦ୍ରବାଏ ମୋ କଣ୍ଠଧ୍ୱନି,

ପୀୟୂଷ-ମୃଦୁଳ ବିଧୁର କି ବଳ

ବିଚାରି ହେଲୁ କି ତୁନୀ ।୪।

 

ଅଷ୍ଟଦୁର୍ଗପତି ବୋଲେ ଗଜଗତି

ନ କରି କପଟ ଲେଶ,

କରି ଚନ୍ଦ୍ରାଲୋକ ତୁ ଦେବାରୁ

ମୂକ ହୁଏ ସନ୍ଦେହ ଅଶେଷ ।୫।

 

(୪୬) ଟୀକା- ହରିଣାଙ୍କବିମ୍ବ- ଚନ୍ଦ୍ରମଣ୍ଡଳ, ସଲାଞ୍ଛନ- କଳଙ୍କଯୁକ୍ତ, ପୀୟୂଷମୃଦୁଳ- ଅମୃତ ଥିବା ହେତୁରୁ ଅତି କୋମଳ, ଚନ୍ଦ୍ରାଲୋକ କରି- ଚନ୍ଦ୍ରଦର୍ଶନ କରି ।

 

(୪୭)

ରାଗ – କଲ୍ୟାଣ - ଏକତାଳି

ଘନଜଘନା, ମନ ଅଛି ନ କର ମନାରେ ।ପଦ।

ତୋର ଅଭିଳାଷ ଚାଲି ରେ, ସୁରସବଲ୍ଲୀ

କହୁଛି ନାଚୁଣୀ ଚାରୁଚିଲି ରେ ।୧।

ତୁଚ୍ଛା କି ହୁଏ ଉଦିତ, ମୋ ପ୍ରାଣମିତ !

ସରସ ସୁନ୍ଦର ଶିତ ସ୍ମିତରେ ।୨।

କମ୍ପୁଛି ଉରୁ କଦଳୀ, ମୋ ଗଳାମାଳି

କପାଳି ସ୍ଥଳେ ପୁଲକ ପାଳି ରେ ।୩।

ସଦୟ-ଅପାଙ୍ଗ ଭଙ୍ଗି, ଶିରୀଷ ଅଙ୍ଗୀ !

ସନ୍ଦେହ ଦେଉଛି ଭାଙ୍ଗି ରେ ।୪।

ଆଚରିଲେ ତୁ ବିଳମ୍ବ, ଫୁଲକଳମ୍ୱ

ଫିଙ୍ଗିବଟି ତା କଳମ୍ୱ ଶମ୍ୱରେ ।୫।

ବେଗେ ଅଙ୍ଗୀକାର କର, ରସିକାବର !

କହେ ଅଷ୍ଟଦୁର୍ଗମହେଶ୍ୱର ।୬।

 

(୪୮)

ଘନଜଘନା—

 

ମୋତେ ମନା କରି ଦେ ନା !

ଘନ ଘନ ନୀଳ କେଶା, ବିଲୋଳ ଲୋଚନା,

ଘେନ ଧନାଧିକ ମୁଁ ତୋ ଘେନାଘେନି ସିନା ।୧।

 

ବନାଅନା ସୁନା ଗୋରୀ ବିପଞ୍ଚୀ ବଚନା

ଅନାଦର ଅନାଉଣୀ ମୋ ପରାଣ ଘେନା ।୨।

 

ଚିନାଏ ନାହିଁ ମୋ ଦୋଷ ବିଶେଷ ନବୀନା

ଅନାରତେରେ ନାଗରୀ ଜପୁଥାଇ ତୋ ନା ।୩।

 

ଦନାର୍ଦ୍ଦନାୟୁଧ ନାମ ବିହଙ୍ଗମସ୍ତନା

ପ୍ରେମାଧୀନା ସୁନା ଗୋରୀ କଜ୍ୱଳ ତୁ ଧୋନା ।୪।

 

ନାନାଯତ୍ନେ କରି ତୋତେ ମୁଁ ଜୀବନ ଖାନା

ଛୋଟରାୟ ଭଣେ ଯୁବାଗଣେ ତୋର ବାନା ।୫।

 

(୪୮) ବିଲୋଳ- ଅତି ଚଞ୍ଚଳ, ଧନାଧିକ- ସଂପତ୍ତିରୁ ଅଧିକ, ଘେନାଘେନି- ସମାଦର, ଚିନାଏ- ଟିକିଏ, ଅନାରତରେ- ସୁଖରେ, ବିହଙ୍ଗମସ୍ତନା- ଚକ୍ରବାକସ୍ତନା, ଧୋନା- ଧନ୍ୟା ।

 

(୪୯)

ରାଗ—ସାବେରୀ—ଆଡ଼ତାଳି

 

ଘନ ନିଶାରେ, ରମଣୀମଣି ଦେଲା

ବାସବ ଭୂତି ମୋରେ ।ପଦ।

ଜାତୀ ଉପବନ ଜଗତୀକି,

ପ୍ରୀତି ସଙ୍କେତ ଗଜଗତିକି

ମତି-ମୋହନା ତେଜି ଭୀତିକି

ବିଜେ କଲା ଝର ଝର ନୀର ବରଷା ରେ ।୧।

 

ଜିଣିବାକୁ ରାମା ପଞ୍ଚବାଣ,

ମଣିଭୂଷଣେ ହୋଇ ଭୂଷଣ

କିଣି ଘେନିଗଲା ମୋର ପ୍ରାଣ,

ଛାତି ସୁପାତିରେ ମାତି ସେ ନେବ ନିଶାରେ ।୨।

 

ତରତର ଝଲକା ଝଲକ,

ବାରବାର ଲୁଟିଲା ପଲକ

ମୋର ହରିଲା ଧୀର ବିବେକ,

ନଚାଇଲା ଯୋଡ଼ି ମୋତିବସଣୀ ନାସାରେ ।୩।

 

ଧରି ବରାରୁହା କୁଚ କୁମ୍ଭ,

ବାରିରୁହ ମୁଖେ ଦେଇ ଚୁମ୍ୱ

କରି ବାଳା ମୋତେ ପରିରମ୍ଭ

ମନ ମୋହିନେଲା କହିକହି ବିନୟ ଭାଷାରେ ।୪।

 

କେଳିରସେ ନିମଜ୍ଜିତ ରଙ୍ଗେ,

ଢାଳି ନୟନ ଚାହେଁ କି ଭଙ୍ଗେ

ଢଳି ଝୁଲିଯାଏ ମୋର ଅଙ୍ଗେ

ପୂର୍ଣ୍ଣକଲା ଛୋଟରାୟ ଦେଉ ଲିପିସା ରେ ।୫।

 

(୫୦)

 

ଘେନ ମୋ’ର ଭାରତୀ ମନ୍ଥର-ଗତି ରେ ! ।୦।

ନାସିକା ମଣି ନଚାଇ, କଟି ରସନା ବଜାଇ,

ରସ ଶମ୍ୱରାରି ରଣେ ହୋଇ ତୋଷ ମତିରେ ! ।୨।

 

ଗେଲେ ‘ଉହୁଁ’ ଗିର ଭାଷି ଭାଲେ କଞ୍ଜ ଡୋଳା ଖୋସି

ଗାଢ଼େ ଭିଡ଼ି ସୁକରଜେ ପକାଅ କରତି ରେ ! ୨।

 

ତୋ’ର ବିରସ ବଦନ ଦେଖି ଆରେ ଜୀବଧନ !

‘ଅଦେହ’ ଶରେ ମୋ’ ଦେହ କଲାଣି ଭରତିରେ ! ।୩।

 

ପରିଣତ ବିମ୍ୱାଧରି ! କଲେ ପରିପନ୍ଥୀ ପରି

‘ତୋ’ ବିନା ଏ ଧରିତ୍ରୀରେ କହ କେ ମୋ’ ଗତିରେ ।୪।

 

ଛୋଟରାୟ ଦେବ କହେ --- ‘ମୁହିଁ’ ଅପରାଧୀ ନୁହେଁ ।

କର କରୁଣା ଚିତ୍ତ ରେ ମାନି ମୋ ମିନତି ରେ ।୫।

 

(୫୦) ଭାରତୀ- ବଚନ, ମନ୍ଥରଗତି- ମନ୍ଦଗାମିନୀ, କଟିରସନା- ଅଣ୍ଟାସୂତାରେ ଘଣ୍ଟି, ଶମ୍ଭରାରି- ଶମ୍ଭରାସୁର ଶତ୍ରୁ କନ୍ଦର୍ପ, ପରିଣତ- ପକ୍ୱ, ପରିପନ୍ଥୀ- ଶତ୍ରୁ ।

 

(୫୧)

ରାଗ - ଆଶାବରୀ

 

ଚନ୍ଦ୍ରନିଶାରେ, ଦେଲା ସୁନ୍ଦରୀମଣି

ମହେନ୍ଦ୍ରଭୂତି ମୋରେ ।ପଦ।

ଫୁଲବନେ କେଳିସରକୂଳେ, ନବ ସଙ୍କେତ

କଙ୍କେଳିମୂଳେ, ଶେଯ ସାଜି ନାନା ପୁଷ୍ପଦଳେ,

ବସିଥିଲି ସେ ରମ୍ଭୋରୁ ସମ୍ଭୋଗ ଆଶାରେ ।୧।

 

ଏ ସମୟେ ମୋ ଜୀବନଧନ, ଘେନି ଘନ

ସର୍ବାଙ୍ଗଚନ୍ଦନ, ତେଜି ବାଜିବା ମଣ୍ଡନମାନ,

ବିଜେ କଲା ମଲ୍ଲୀଗଭା ଭୂଷିତ ଖୋସାରେ ।୨।

 

ଶଙ୍ଖକଣ୍ଠୀକି ମୁଁ ଦେଖି କରି, ରଙ୍କ

ରତନ ଲଭିଲା ପରି, ଅଙ୍କପର୍ଯ୍ୟଙ୍କେ

ବସନ୍ତେ ଧରି, ଗଲା ଅଙ୍ଗ

ଅନଙ୍ଗ ମର୍ଦ୍ଦିବା ଦୁର୍ଦ୍ଦଶାରେ ।୩।

 

ଉରେ ଜମାଇ ଉରୋଜ କୁମ୍ଭ,

କରୁ କରୁ ଗାଢ଼େ ପରିରମ୍ଭ,

କଲି ସହସ୍ର ଚୁମ୍ୱ ଆରମ୍ଭ,

ମନ ବଳିଲା ନାହିଁ ପୀୟୂଷ ପ୍ରଶଂସାରେ ।୪।

 

ଫେଡ଼ୁ ଫେଡ଼ୁ ବାଳାବର ନୀବି,

ଯେତେ ଭାବ ତା କି ବରନିବି,

ନିବସନ କାଳେ ଯେଉଁ ଛବି,ଆଖି

ଦେଖିଲା କେଉଁ ଭାଗ୍ୟରୁ ଏ ରସାରେ ।୫।

 

ଝୁମି ଝୁମି କାମମଦଭୋଳେ,

ଝୁଲୁ ଝଲୁ ନାସାଭୂଷା ଲୋଳେ,

ଝଲ ଝଲ ଝଟକିଲା ବେଳେ,

ଝିଙ୍କି ନେଲା ସ୍ୱର୍ଗସୁଖ ମାର୍ଗକୁ ସୁସାରେ ।୬।

 

କହେ ଅଷ୍ଟଦୁର୍ଗ ହରିହୟ,

ପରସ୍ପର ପ୍ରେମ ରସମୟ,

ଜାତ ହେଲା ଯାହା ସେ ସମୟ,

ଝର ଝର ଅପୂରବ ରସ ବରଷାରେ ।୭।

 

(୫୧) ଟୀକା- ମହେନ୍ଦ୍ରଭୂତି-ଇନ୍ଦ୍ରସମ୍ପତ୍ତି, କଙ୍କେଳି-ଅଶୋକବୃକ୍ଷ, ମଣ୍ଡନ-ଅଳଙ୍କାର,ପୀୟୂଷ-ଅମୃତ, ନୀବି-କଟିର ବସ୍ତ୍ରବନ୍ଧ, ହରିହୟ-ଇନ୍ଦ୍ର ।

 

(୫୨)

ରାଗ – ଶାବେରୀ - ଝୁଲା

 

ଚନ୍ଦ୍ରବଦନା ରେ ଲେଉଟି ପଛକୁ ଅନାଁ ।ପଦ।

ଅଣ୍ଟା ତାର ସରୁ, କୁଚ ମହା ମେରୁ,

ତାହା ସହିଛି ଅବଳା ।

ସେ ସରୁ କଟିରେ ନୀରକୁମ୍ଭ ଧରି

ଆସୁଥାଏ କରି ହେଳା ।୧।

 

ସେ ଯେଉଁ ଚାହାଣୀ ହୃଦ ହୁଏ

ହାଣି ତେଣେ କିପାଁ ଆଖିଠାର

ପାଷାଣ ହୋଇଲେ ତରଳି

ପଡ଼ିବ ପୁରୁଷ କେତେ ମାତର ।୨।

 

ମତ୍ତଗଜ ଗତି ହୋଇଣ

ସୁମତି କରୁଥାଏ ସେ ସୁମନା,

ବସନ୍ତ ଋତୁରେ ଝାଳ

ଟିପିଟିପି ଖରାବେଳେ ପାଣିଅଣା ।୩।

 

ଦେଖି ତୋର ଭଙ୍ଗୀ ଯୋଗୀ

ଯୋଗ ଭାଙ୍ଗିଯିବ ପଙ୍କଜ-ଆନନା,

ବୋଲେ କବିରବି ତୋହର ଯେ

ଛବି ଚାହିଁଲେ ବଢ଼େ ବେଦନା ।୪।

 

(୫୩)

ରାଗ – ପୂରବୀ - ଆଠତାଳି

 

ଚନ୍ଦ୍ରମୁଖି ରେ, ଏକ ଭାଗ୍ୟବନ୍ତ ପଣେ

ତାକୁ ଲେଖି ରେ ।ପଦ।

କୁସୁମବନେ ବିହରୁଥିବ,

ବିଦ୍ୟାରସେ କାଳ ହରୁଥିବ,

ଜ୍ଞାନୀ ପଣ୍ଡତାର ପାନ ପିକଦାନୀ

ଧରି ନଉକରୀ କରୁଥିବ ।୦।

 

ଆଖଣ୍ଡ ମଣ୍ଡଳେ ଆଳା ଥିବ,

ଉରେ ଦିବ୍ୟ ମୋତିମାଳା ଥିବ

ଅଙ୍କରେ ଶଙ୍କର-ଧଇର୍ଯ୍ୟ-ଧ୍ୱଂସିନୀ

ପଙ୍କଜ-ନୟନା ବାଳା ଥିବ ।୨।

 

ଦନ୍ତବାସ ସୁଧା ପିଉଥିବ,

ଇଙ୍ଗିତ ଭଙ୍ଗିକି ଜାଣୁଥିବ,

ରାତିଯାକ ହାତୀକୁମ୍ଭ ଉରଜାକୁ

ଛାତିରେ ଲଗାଇ ଭିଡ଼ୁଥିବ ।୩।

 

ସଙ୍ଗୀତ ବିଦ୍ୟାକୁଶଳା ଥିବ,

ପ୍ରଭୁ ଅଧିକାର ଚଳୁଥିବ,

ପଶାଖେଳି ରସାଳସା ତୁଲେ ଗେଲେ

ବିପରୀତ ହୁଡ଼େ ଜିଣୁଥିବ ।୪।

 

ଅନର୍ଗଳ ଅଧିକାର ଥିବ,

ଉଚ୍ଚ ଅଟ୍ଟାଳିକା ଘର ଥିବ,

ନୂତନ-ଛଇଳା ଅବତାର ମାର-

ବାଣ ମାରଣ ମନ୍ତର ଥିବ ।୫।

 

ଅକଳଙ୍କ କ୍ଷତ୍ରି ଜାତି ଥିବ,

କପିଳାଶ ତୁଲ୍ୟ ହାତୀ ଥିବ,

ମହେନ୍ଦ୍ର ଦମ୍ପତି ତୁଚ୍ଛ ମଣି ରତି-

ଉତ୍ସବରେ ନିତି ମାତୁଥିବ ।୬।

 

ଅଙ୍ଗେ କର୍ପୁର ଚନ୍ଦନ ଥିବ,

ସବୁ ଦିନେ ଯଉବନ ଥିବ,

ଅନଙ୍ଗ-ଭଙ୍ଗରେ ବାଳା ସଙ୍ଗେ

ପଡ଼ି, ଗଡ଼ି ଲଢ଼ିଯିବା ମନ ଥିବ ।୭।

 

ରାମଚନ୍ଦ୍ର ଛୋଟରାୟ ଭାବ,

ଏକା ପ୍ରିୟା ଭୟ ନାହିଁ ଲବ,

ଥିବାରୁ ସରସେ ମୋର,

ଉରଦେଶେ ଶାସନ ସମ୍ପଦ ତା ଗୌରବ ।୮।

 

(୫୪)

ରାଗ - କେଦାର

 

ବୃନ୍ଦ ବୃନ୍ଦ କନ୍ଦର୍ପ ଶରମୟ ସର୍ପ

ନ ଦିଏ ମୋ ଦର୍ପ ରଖି ରେ ।ପଦ।

ରସାଇ ସାରସଦୃଶା ଲସା ମୋ ଦୁର୍ଦ୍ଦଶାରେ,

ଦଶାରେ ତୋ ଲାଭ ମୋ ଭରସା ରସାଳସା ରେ ।

ନିଶାରମଣକର, ବିଶାଳମଦହର,

ହସା ବିଭବଭର, ମିଶା ମଧୁରତର,

ପ୍ରସାଦ ପରିହର, ରୁଷାରୁତ ନ କର,

ତୃଷା ମୋହର ହର, କୃଶାନୁବର ରେ ।୧।

 

ବଳାହକ ବିଜୟି କୁନ୍ତଳା ଲୀଳାବତୀ ରେ ।

ଝଳାଅ କୁଞ୍ଜର କୁମ୍ଭସ୍ଥଳାକୃତି ଛାତି ରେ ।

ଗଳା ନବରତନ, କଳାପ ଅନୁଦିନ,

ଚଳାଚଳ ନୟନ,ଢଳା ରସକୁ ମନ,

ବଳାଅ ରେ ମଦନ, କଳାନିଧି ବହନ,

ବଳାପହକଦନ, ପଳାଉ ଧନ ରେ ।୨।

 

ଚରାଚର ବିଭୂଷଣା ଧରାଧରସ୍ତନା ରେ,

ପରାଣ ଅଛି ତୁ ଦେବା କରାରରୁ ସିନା ରେ,

ଧରା ତଳେ ମୋ ଗତି, ପରା ତୁ ଗଜଗତି,

ହରାରିଶରେ ନିତି, ମରାଇ ଅକୀରତି,

ପରାଗରେ ଜଗତି, କରାଉଛୁ ଭରତି,

ଅରାଳ ଭୂରୁତତି, ଝରା ସୁଦତି ରେ ।୩।

 

କହେ ଅଷ୍ଟଦୁର୍ଗ ନାଥ ସ୍ନେହେ ତୁ ଅଧୀନା ରେ,

ଅହେତୁକ ରୋଷ ଛାଡ଼ ମହେଶମୋହନା ରେ,

ବହେ ଅନବରତ, ଦହେ ମୃଦୁ ମରୁତ,

ସହେମ ମରକତ, ଗୃହେ ହୋଇ ମିଳିତ,

ତୁ ହେବୁ ରସ ରତ, ଦୁହେଁ ହେବା ସଙ୍ଗତ,

ମୁଁ ହେବି ମହୀଗତ, ମହେନ୍ଦ୍ରବତ ରେ ।୪।

(୫୪) ଟୀକା- ହେ ସାର ସଦୃଶା, ତୋ ଲାଭ ଦଶାରେ ମୋ ଦୁର୍ଦ୍ଦଶାକୁ ଲସା; ଅର୍ଥାତ୍ ଦୂର କର । ବଳାହକବିଜୟିକୁନ୍ତଳା- ମେଘ ଅପେକ୍ଷା ନୀଳତର କୁନ୍ତଳ ଯାହାର, କଳାନିଧିବହନବଳାପହକଦନ- ଶିବ ଶତ୍ରୁ ଅର୍ଥାତ୍ ମଦନର କଷ୍ଟ, କରାର- କଷ୍ଟ, ଅରାଳଭ୍ରୂତତି- ବାଙ୍କ ଚାହାଣି ।

 

(୫୫)

 

ଚାହାଁ ରେ, ନିଧୂବନ କେଳିକୁଶଳାକୁ । ଘୋଷା ।

କୋମଳପାଦ ସରୋରୁହ ଯାବକ ଚିତ୍ରଶଳାକାଧରାକୁ,

ତା ମଧୁରାଧର ଲାଲ-ଜବା-ମକରନ୍ଦଝୁରା ଭ୍ରମରାକୁ ।୧।

 

ନିର୍ଜିତଶୋଣସରୋଜକରେ କରୁ ଯା ସଜଡ଼ା ବିଡ଼ିଆକୁ,

ହୀରକ-କୈରବ-କାଶ-ସୁଧାକର-ହାସ ବିଳାସିନି ତାକୁ ।୨।

 

ଚାରୁ ସୁନୀଳ ଚଳାଚଳ ଲୋଚନ କୋଣ ନିଦେଶକରାକୁ,

ଚାମର ବାତଭରେ ରତି-କୌତୁକ-ସମ୍ଭବ-ଖେଦହରାକୁ ।୩।

 

ଶୈଳସହୋଦର ପୀନପୟୋଧର ଚନ୍ଦନ ଭୋଗଦିଆକୁ,

ମଞ୍ଜୁଳିମାଚଳ କକ୍ଷତଳେ ନଖକେଳିକଳା ହଟିଆକୁ ।୪।

 

ବାନ୍ଧବି ! ଯଦ୍ୟପି ମାନସରେ ଅଛି ଲେଶ କୃପା କରିବାକୁ,

ରାଜ କଦମ୍ୱ କିରୀଟ ଜଳନ୍ତରନାଥ ମହୀମଘବାକୁ ।୫।

 

(୫୫) ଟୀକା- ନିର୍ଜିତ ଶୋଣ ସରୋଜକର- ରକ୍ତପଦ୍ମଠାରୁ ଅଧିକ ମନୋହର ହସ୍ତ, କୈରବ- କଇଁ, କୁମୁଦ; ମଞ୍ଜୁଳିମାଚଳ- ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ବତସ୍ୱରୂପ, କଦମ୍ବ- ସମୂହ, କିରୀଟ- ମୁକୁଟ ।

 

Unknown

(୫୬)

ରାଗ—ତୋଡ଼ି—ଆଡ଼ତାଳି

 

ଚାହିଁ ଯା ନୟନାନ୍ତେ ଅଳପ ରେ ।ପଦ।

ଟାଳିଦେବି ମୁଁ ଦୁଃଖ-ପାଳି, ଫେରାଇ ମୁଖ

ଗାଳିରେ ହେଲେ ପଦେ ଜଳପ ରେ ।୧।

 

ଖଣ୍ଡ-ମଧୁର ବାଣୀ-ମଣ୍ଡ ସ୍ତନେ ମୋ ପାଣି

ଦଣ୍ଡ ହେଲାଟି କୋଟି କଳପ ରେ ।୨।

 

ରେ ବିମ୍ୱାଧରାବର-ସେବି ନିଶାବାସର

ହେବି ମୁଁ ତୋ କିଙ୍କର କଳପ ରେ ।୩।

 

ଗଜଗତିକି ସ୍ନେହେ-ଶ୍ରୀ ଜଗଦେବ କହେ

ପଣ୍ଡିତା ମଣ୍ଡ କେଳି ତଳପରେ ।୪।

 

(୫୭)

ରାଗ—ମୋହନା—ନିଃସାରୀତାଳ

 

ଛାଡ଼ିଲାଣି ଶିଶୁଭାବ ମୋ ଧନ

ଛୁଇଁଲାଣି ଯଉବନ ଗୁମାନ ।ପଦ।

ସରି-ବୟସୀ ସଖୀ ପରିହାସେ

ଅଧର ମଣ୍ଡିଲାଣି ଦରହାସେ ।୧।

 

ଧ୍ୱଂସଲାଣି ଧୃତି, କଟାକ୍ଷେ ଚାହିଁ

ପଢ଼ାଇବାକୁ ବାକି କିଛି ନାହିଁ ।୨।

 

ପୁରୁଷ ବାସନା ବାଜିଲାକ୍ଷଣି

ଚଞ୍ଚଳ ହୋଇଲାଣି ସୁଲକ୍ଷଣୀ ।୩।

 

କବିରବି ଏହି ଗୀତରେ କହେ

ନାଗରମାନଙ୍କ ଚିତ୍ତକୁ ମୋହେ ।୪।

 

(୫୮)

ରାଗ—ସୁରଠ—ଏକତାଳି

 

ଛି ଛି ପର ପୀରତି କିଛି ନ

ରଖଇ ମତି ମା ।ପଦ।

ଦାଉ ଘେନିଣ ତା ଗୁରୁଜନଙ୍କର

ଯାଉ ପଛେ ଜାତିରୀତି ମା

ସ୍ନେହରେ ଶ୍ରୀମୁଖ ଦେଖିଦେଲା ଯାଏ

ଦେହରେ କି ଥାଏ ଗତି ମା ।୧।

 

ଭାଜି ହୋଇ ଯାଏ ତା ବିନୁ

ତନୁଟି ବାଜି ବିରହାଗ୍ନି ତାତି ମା

ରାଜି ନ ଥାଏ କି ତା ସଙ୍ଗ ସୁଖରେ

ଲାଜ ମିତ, ହୁଏ କ୍ଷତି ମା ।୨।

 

କହଇ ଅବଶ୍ୟ ଆସିବି ବୋଲି

ମୁଁ ରହଇ ଇତରେ ମାତି ମା

ଦାସୀ ପରି ଅନୁସରି ବସୁ

ଆସି ପାହିଯାଏ ସିନା ରାତି ମା ।୩।

 

ମନୁ ତେଜି ଦିନୁ ବଳିବାର

ଆନ ନାହିଁଟି ସୁମତି ମା

ଆଖରକୁ ଫଳ ମଦନ ଶରକୁ

ଲାଖ କରିବାର ଛାତି ମା ।୪।

 

ବସଇ ବସୁଧା ତଳ ତେଜି

ଗଜଦନ୍ତ ପଲଙ୍କ ସୁପାତି ମା

ଦଶା ହୋଇଯାଏ ଅତି ବିପରୀତ

ମଶା ହୋଇଯାଏ ହାତୀ ମା ।୫।

 

ଏ କାହାକୁ ଜଣା ଟେକାଏ

ମାରଣା ମଣ୍ଡଳେ ହୋଇବ ଖ୍ୟାତି ମା

ସହି ତୁ ଅଇଲୁ ପଦେ ନ କହିଲୁ

ବୋଲେ ବସୁଦୁର୍ଗପତି ମା ।୬।

 

(୫୯)

ରାଗ—କାମୋଦୀ, ତାଳ ଆଦି

 

ଜଣା ତ ଅଛି ମାତ୍ର ଏତିକି ରେ ।

ଗଣା ନ ଯିବା ଗୁଣବତୀକି ରେ ।ପଦ।

ଉତ୍ତମ ଅଙ୍କଚ୍ଛେଦ, ଅନୁରାଗ ବିଚ୍ଛେଦ,

ଦୁହିଁକି ନେଲି ଯେ ନିକିତିକି ରେ,

ଟେକିଗଲା ପ୍ରଥମ, ଯହିଁ ତୁଟିବା ପ୍ରେମ,

ଦ୍ୱିତୀୟ ଚୁମ୍ୱଦେଲା କ୍ଷିତିକି ରେ ।୧।

 

ବଳ ପାଉଛି ମୋର, ସହି ପାରିବି ଘୋର,

କଳପାନ୍ତର ଖରା ତାତିକି ରେ,

ମଧୁରାଧରା ପ୍ରୀତି, ଅଧୁରା ହେବା କାତି,

ସୁହାଇ ଜାଣି ନାହିଁ ଛାତିକି ରେ ।୨।

 

ଅବଳାମଣି ଅବଧାନିଆ ପଣେ

ଯୁବ-ଚକ୍ରେ ଟେକାଇଥିବ ଛତିକି ରେ ;

ଖଚ ବଚନ ଶୁଣି, ଧନବଦନ ମ୍ଳାନି,

ସମୟେ ଥାଇ ଆଉ ଗତି କି ରେ ।୩।

 

ସୂଚକ ଆଗେ ସଡ଼ି, କହିବାର ଲେସଡ଼ି,

ରୁଚଇ ନାହିଁ ମୋର ମତିକି ରେ ;

ରୁଚକପୟୋଧରା, ତୁ ଚତୁରୀଙ୍କ ଧୀରା,

ବିଚାରି ପାଳିବୁ ମୋ ପ୍ରୀତିକି ରେ ।୪।

 

ସେବାରେ ତ ଫାବତ, ହେବାର ଯେବେ ସତ,

ବାଣୀ କେ ଶୁଣାଇବ ଶ୍ରୁତିକି ରେ ;

କବିମିହିର ଗୀତେ, ବୋଲେ ପରଖି ମୋତେ,

ସମର୍ପି ଦେବୁ ରତିପତିକି ରେ ।୫।

 

(୫୯) ଟୀକା- ସୂଚକ- ଖଳ ଲୋକ,ରୁଚକ- କଣ୍ଟାଭରଣ ।

 

(୬୦)

 

ଜବାଧରା, ଜାମ୍ବୁନଦ ଧରାଧର ପୟୋଧରାରେ ।୦।

ମାନ ସରସାରେ ତୋର ରତେ

ମାନସ ତ ଥାଏ ଅନାରତେ

ଆନ ସବତ ମୁଁ ବନାଇଲେ ହେଲେ

ତା ନ ସମଂଜୁ କାହିଁକି ସତେ ।୧।

 

ଭୂରୁ ତରଣୀ ଯା ଭଙ୍ଗ ସଖୀ,

କରୁ ତହିଁ ଅଙ୍ଗୀକାର ଯୋଖି

ଉରୁ କମନୀୟ ରମ୍ଭା ତ କଂପାଉ

ଦୂରୁ ତରୁଣୀନ୍ଦ୍ର ମୋତେ ଦେଖି ।୨।

 

ପାଜି ପାପୀ ଦୁଷ୍ଟ ଦଶା ମୋତେ

ଆଜି କି ରଖିବ ରେ ଜୀବିତେ

ସାଜି ନତନୁ ଲଢ଼ାଇ ମୁଁ ଲୋଡ଼ିଲି

ରାଜି ନ ଜାଣିଲି କଦାଚିତେ ।୩।

 

ରହସ୍ୟ ତୁ ତ ମୋ ସୁଖ ସଙ୍ଗୀ

କହ ଶିରୀଷ ମୃଦୁଳ ଅଙ୍ଗୀ

ଲହସି ଗଲାଣି ମୋ ଚାଟୁ ଚାତୁରୀ

ନ ହସିଲୁ ଯାହା ଏ କି ଭଙ୍ଗୀ ।୪।

 

ଆରେ ବଚନୀ ବିଜିତ ବୀଣା

ନିଧୁବନ ବିଧି ବିଚକ୍ଷଣା

ପାନ ବା କରନ୍ତି ଅଧରର ସୁଧା

ମାନ, କି ଲାଜ ନୋହିଲା ଜଣା ।୫।

ଆଜ ନାହିଁ ରୋଷ ହେତୁ ଦୋଷ

ଲାଜ ଭଳି ନୋହେ ନିଜ ଦାସ

ପଙ୍କଜ ଲୋଚନା କରି ବିବେଚନା

ଅଙ୍କ ଜଗତିକି ଆସ ଆସ ।୬।

 

ମନ୍ଦେ ହସି ଦିଅ ନେତ୍ରୋତ୍ସବ

ସନ୍ଦେହ ମୋ ମନୁ ଦୂର ହେବ

ବନ୍ଦେ ହରି ପଦକମଳେ ସନ୍ଦେହ

ସନ୍ଦେହ ବିନା ଶ୍ରୀ ଜଗଦ୍ଦେବ ।୭।

 

(୬୦) ଜାମ୍ବୁନଦ- ସୁନା, ଧରାଧର- ପର୍ବତ, ସବତ- ସବୁତ, ସାକ୍ଷ୍ୟପ୍ରମାଣ, ତରଣୀ- ନଦୀ, ନତନୁ- କନ୍ଦର୍ପ, ନିଧୁବନ ବିଧି- ରତିକ୍ରୀଡ଼ାର ରୀତି, ଜଗତି- ବେଦୀ, ସନ୍ଦୋହ- ସମୂହ ।

 

(୬୧)

ପୂରବୀ—ଏକତାଳି

 

ଜାଣିଲି ପଛିଆଣି ଚାହାଣିରୁ ଧନକୁ । ଘୋଷା ।

ପରବସୁଧା-ମୟୂଖ             ଗରବ ଦଳଇ ମୁଖ

ତାର ତନୁ ବଳଇ ହଜାର ପୁଟ କନକୁଁ ।୧।

 

ଭଲା ମନୋହାରୀ ଧରା---      ଲଲାମମଣ୍ଡନା ପରା

ସଲାମ କରିବ ସାନୁମଣି ତାର ସ୍ତନକୁ ।୨।

 

ମୁନିମନ-ମୋହନାର            ସୁନୀଳ କବରୀଭାର

ମୁଁ ନିରେଖି ତୁଚ୍ଛ ମଣେ ଅଭିନବ ଘନକୁ ।୩।

 

ଅରସିକାଏ ତା’ଠାରେ      ଭରସି ନ କହିବାରେ

ସରୁମଧ୍ୟା ଭୀରୁ ତ ଆଚରୁ ନାହିଁ ମନକୁ ।୪।

 

କବିରବି ଗୀତେ ଭଣେ      ଅବିରତ ସଙ୍ଗୀ ଜଣେ

କରିପକାଇଥାନ୍ତା ମୋ ପରି ପରିଜନକୁ ।୫।

 

(୬୨)

 

ଜାନପୁର ବିତାନରୁ ଅଭିମାନ ଛେଦରେ

ଆନ ନ କର ସାନ ବଚନମାନ ଆଦରେ

ଜ୍ଞାନ ପଥରେ ଧ୍ୟାନ କର ତୁ ତାନରେ ମୁନି ମାନନୀୟ

ଜାନପଦ ବିଧାନ କର ସୁଗାନ ବାଦରେ ।୧।

 

କାଟ କଳୁଷ ଥାଟ ଭୟକବାଟ ସାଳରେ ହାଟଟି ଏହୁ ବାଟ

ନ ତୁ ଉଚ୍ଚାଟ ହେଜରେ-

ପାନ ନ କର ଭାଟ ପଣର

ହାଟକ ନଟ-ନାଟରେ ତୁ ବାଟରେ ହେବ ଘାଟ

ଏହି ପାଟ ଶେଯରେ ।୨।

 

ବାରକ ମୋ ନିବାରଣ ମଣ ସାର

ନିତିରେ ତାର ତନୁକୁ କାରଣ

ପରଦାର ଭୀତିରେ

ମାର ଭୟରୁ ବାର ରମଣୀ-ହାର ଉରଜଭାରକୁ ତୁ

ହାର କରି ବିହାର ନ କର, ଜାର ଭୀତିରେ ।୩।

 

ଯେବର ମଣୁ ସେ ବପୁକି ତୁ ଦେବ ସାତରେ

ସେବକ ତୁଲେ ନେବ କି କରି ଏ ବନାତରେ

ଭେବଳ ହେଲେ କେବଳ ତୋର

ହେବ ଏ ଘେନି ଦେବ ଦେବ

କେବଳ ଜଗଦ୍ଦେବ ବଚନେ ସେବ ତାତରେ ।୪।

 

(୬୩)

ରାଗ-କୋଳାହଳ

 

ଜୀବବାନ୍ଧବୀ ରେ, ପ୍ରାଣବାନ୍ଧବୀ ରେ

ତୋ ବିନା ମୋତେ ନ ଦିଶେ ଆନ । ଘୋଷା ।

ଜଗତେ ନାଗରୀମାନଙ୍କୁ ମାଧୁରୀ

କରୁଥାଏ ମୁଁ ଯେ ଅନୁମାନ,

ଗୋଟିଏ ଗୁଣରେ ତୋ ନଖ କୋଣରେ

ତୁଳିବାକୁ ନ ବଳଇ ମନ ।୧।

 

ପୂର୍ବ ତପବଳେ କରିବ ଯେ ବଳେ ତୋ

ମଧୁର ରଦଚ୍ଛଦ ପାନ,

ସୁଧା ନିର୍ଝରୀକି ମଧୁର କରି କି ଲେଖିବ

ନ ଧରି ଅଭିମାନ ।୨।

 

ତରୁଣୀ ତୋ ବାଣୀ ମୃଦୁ ମୃଦୁ

ଠାଣି ଶୁଣିଥିବ ପୁଣି ଯାହା କାନ,

ସେ କି ଗଉରବଯୋଗ୍ୟ ବିଚାରିବ

ଶୁକ ପିକ ବେଣୁ ବୀଣା ଗାନ ।୩।

 

ଥରେ ଯାହା ଉର କରିଥିବ

ତୋର ଘନ ପୀନସ୍ତନ ଆଲିଙ୍ଗନ,

କୁମ୍ଭି-କୁମ୍ଭସ୍ଥଳ ଯୁଗଳକୁ ସ୍ଥୂଳ

ମଣିବ କି ନ ବିଚାରି ନ୍ୟୁନ ।୪।

 

ମଧ୍ୟ ଥିଲେ ସିନା ତୋର ସୁଦର୍ଶନା

ଘଟନା କରନ୍ତି ଉପମାନ,

ହରିକଟି ଡାକି ଦେବୀ ମଧ୍ୟରେ କି

କୃତାର୍ଥ କରନ୍ତେ ରୂପମାନ ।୫।

 

ହେଳେ ଯେ ମନ୍ଦରସ୍ତନା ତୋ

ସୁନ୍ଦର ଚାଲିରେ କରିବ ଦୃଷ୍ଟିଦାନ,

ଯେବେ ଥିବ ଲାଜ ରୁଚିବ କି

ରାଜହଂସ ଗଜରାଜ ଲୀଳାଯାନ ।୬।

 

ଜଣାଇବି କିସ ଶେଷ ମୁଖେ ଶେଷ

ହେବାର ଆୟାସ ଯେ ବିଧାନ,

କହେ ଜଳନ୍ତର ମହୀପୂରନ୍ଦର

ଥିବ ମାତ୍ର କିଛି ଅବଧାନ ।୭।

(୬୩) ଟୀକା- ରଦଚ୍ଛଦ- ଅଧର, କୁମ୍ଭୀ- ହସ୍ତୀ, ହରିକଟି- ସିଂହକଟି, ଡାକି ଡମରୁ ଶେଷ- ଅନ୍ତମୁଖଧାରୀ ଶେଷନାଗ

 

(୬୪)

(ବେହାଗଡ଼ା-ଆଦିତାଳ)

 

ଝଳିବରନା ରେ ! କଳିବୁଟି ମନେ ମନେ

“ଲଳିତ ଚନ୍ଦ୍ରମୁଖୀ ରେ !” ବୋଲି କିମ୍ପା ଡାକନ୍ତି

ତୋ ସଖୀମାନେ ।ପଦ।

‘ଶଶ’ ପ୍ରାଣ ଖାଇ ଶଶାଙ୍କ ବୋଲାଇ

ଆକାଶେ ବିହରି ମରେ

ସଲିଳ ମଣ୍ଡୁକ ପରାୟେ ମାତ୍ରକ

କିରଣଗୁଡ଼ାଏ ଧରେ ।୧।

 

ଯାହା କହୁଛନ୍ତି ଜନେ ତ ଶୁଣୁଛ

କାହାଠାରୁ କିସ ଆଣି

ଲାଗୁଆ କରିଲା ବଡ଼ ହୋଇବାରୁ

ଆଗୁଳା ହୋଇଛି ପୁଣି ।୨।

 

ନାନା କପଟରେ ଗେଲାଇ ଭୁଲାଇ

ଗୁରୁପ୍ରିୟାକୁ ହରିଲା

କଳାଗଣ୍ଡେ ମଣ୍ଡି ଆଖଣ୍ଡଳଦେବ

କୁଳ ବିଟାଳିଆ କଲା ।୩।

 

କେଉଁ ଗୁଣ ତାର ଭଲ ଦେଖି

ଅବା ତୋତେ ତାକୁ ସମ କରି

ଗେଲାଇ ହୋଇ ଯା ଡାକି

ମରୁଥାନ୍ତି ଚନ୍ଦ୍ରମୁଖୀ ନାମ ଧରି ।୪।

 

କେଉଁ ସଜନୀଟା ଆଜହୁଁ ସେ

ନାମ ତୁଣ୍ଡେ ଆସି ବସାଇବ

ଜଳନ୍ତର ସ୍ୱର୍ଗବଳବିପକ୍ଷଙ୍କ

ସୁଧରମା ମନା ହେବ ।୫।

(୬୪) ସଲୀଳ ମଣ୍ଡୁକ- ପାଣିର ବେଙ୍ଗ, ନୀରଧର- ମେଘ, ସିନ୍ଧୁଆ ପଣ- ଚୋରପଣ, ଆଖଣ୍ଡଳ ଦେବ- ଇନ୍ଦ୍ର, କୁଳବିଟାଳିଆ- ଅଜାତିଆ, ଲାବାଡ଼- ଧାରୁଆ, ଆଗୁଳା- ଆକଟ,ବଳବିପକ୍ଷ- ଇନ୍ଦ୍ର, ସୁଧରମା- ଦେବସଭା ।

 

(୬୫)

ରାଗ-ପୂରବୀ

 

ଝଳବରନା ରେ ! କଳିବୁଟି ମନେ ମନେ;

‘‘ଲଳିତ ଚନ୍ଦ୍ରମୁଖୀ ରେ !’’ ବୋଲି କିପାଁ

ଡାକନ୍ତି ତୋ ସଖୀମାନେ ? ।୦।

‘ଶଶ’ ପ୍ରାଣ ଖାଇ ‘ଶଶାଙ୍କ’ ବୋଲାଇ

ଆକାଶେ ବିହରି ମରେ,

ସଲିଳ ମଣ୍ଡୁକ ପରାଏ ମାତ୍ରକ

କିରଣ ଗୁଡ଼ାଏ ଧରେ ।୧।

 

ନୀରଧର ‘ପଙ୍କ’ ପରି ଯା’

ଦିଶଇ ନାହିଁ କି ରେ ଗଳାହରା ?

ସିନ୍ଧୁଆ ପଣ କା’ ମନ୍ଦିରେ କଲାରୁ

ଦାଗ ସେ ବିହିଲା ପରା ? ।୨।

 

ନୋହିଲେ ମୋ’ ମନେ ବିଚାରୁଚି

ଯେଣୁ ଗୁରୁ ପତ୍ନୀକି ହରିଲା,

‘କଳା’ ଗଣ୍ଡେ ମଣ୍ଡି ଆଖଣ୍ଡଳ

ଦେବ କୁଳବିଟାଳିଆ କଲା ।୩।

 

ଯାହା କହୁଚନ୍ତି ଜନେ ତ ଶୁଣୁଚୁ,

କାହାଠାରୁ କିସ ଆଣି

ଲାଗୁଆ କରି ଲାବାଡ଼ ହୋଇବାରୁ

ଆଗୁଳା ହୋଇଚି ପୁଣି ।୪।

 

କେଉଁ ଗୁଣ ତାର ଭଲ ଦେଖି

ଅବା ? ତୋତେ ତାକୁ ସାମ୍ୟ କରି

ଗେଲାଇ ହୋଇ ଯା’ ଡାକି

ମରୁଥା’ନ୍ତି ‘ଚନ୍ଦ୍ରମୁଖୀ’ ନାମ ଧରି ।୫।

 

ଯେଉଁ ସଜନୀଟା ଆଜହୁଁ ସେ

‘ନାମ’ ତୁଣ୍ଡେ ଆଣି ବସାଇବ,

ଜଳନ୍ତର-ସ୍ୱର୍ଗ ‘ବଳ ବିପକ୍ଷ’ଙ୍କ

ସୁଧରମା ମନା ହେବ ।୬।

 

(୬୬)

ରାଗ-ବଙ୍ଗଳାଶ୍ରୀ

 

ଟମକ ବାଜଇ ଜଗତୀଯାକେ

ତୁ ନ ଜାଣୁ ବୋଲି କପଟ;

ଟଭା ପୀନସ୍ତନା ସେ ଗୁଣକୁ

ମନା କରି ଦେଲୁ କି ନିପଟ ।୧।

 

ଟଳିଗଲା ଅନୁରାଗ ଯେ ତୋ ମନୁ

କି ଦୋଷୁ କର ପ୍ରକଟ;

ଟପ ଟପ ନୀର ବରଷୁ

ଅଛି ଯେ ତୋ ନୟନ ଖଞ୍ଜରୀଟ ।୨।

 

ଟକ ଟକ କରି ତୋର ରୁଷା

ଅଜଗର ଗଳିଲା ସୁଖସମ୍ପୁଟ;

ଟାଣି ପଛେ ପଦେ ବୋଲନ୍ତୁ

କାହିଁକି ମନ କଲୁ ସ୍ନେହତୁଟ ।୩।

 

ଟସର ମିଶାଇ ଦେଲେ ନିକି

ଆଉ ପସନ୍ଦ ଦିଶଇ ପାଟ;

ଟଣକପଣକତୁରୀ ଦେଲୁ

କହେ ଅଷ୍ଟଦୁର୍ଗ ଧରାରାଟ ।୪।

 

(୬୬) ଟୀକା- ସୁଖସଂପୁଟ- ସୁଖରୂପ ଫରୁଆ, ଟକଣପଣ- ଟାଣପଣ

 

(୬୭)

(କାଫି—ଆଡ଼ତାଳି)

 

ତୁ ମୋ ପରାଣ ପୂର୍ଣ୍ଣଚନ୍ଦ୍ରମୁଖୀ ରେ । ଘୋଷା ।

କେତେ ତପ କରିଥିଲା ପୁରୁବେ ମୋ ଆଖି ରେ

ହେଲା ଧନ୍ୟ ଏ ଲାବଣ୍ୟ ଦେଖି ରେ ।୧।

କାହାର ରସନା ଯିବ ପୀୟୂଷକୁ ଚାଖି ରେ

ଥରେ ତୋ ଅଧରେ ଥିଲେ ଲାଖି ରେ ।୨।

କେ ରମ୍ଭାର ସମ୍ଭୋଗକୁ ନ ଦେବ ଉପେକ୍ଷି ରେ

ତୋ ରସକୁ ପାରିଲେ ପରଖି ରେ ।୩।

ମୁଁ ରାଣ ପକାନ୍ତେ ମୋ ପରି ରେ ମନେ ରଖି

ହସୀ ସଖି ବୋଲୁ ନଖି ନଖି ରେ ।୪।

ମିଛେ ବୋଲୁ ନାହିଁ ମା ଦେଖିବେ ମୋର ସଖି

ପୃଷ୍ଠେ ‘ହେଉ’ ବୋଲି ଦେଉ ଲେଖି ରେ ।୫।

ଅଷ୍ଟଦୁର୍ଗନାଥ କହେ କେତେ ଭଙ୍ଗୀ ଶିଖି ରେ

ସରୁମଧ୍ୟା କରୁ ମୋତେ ସୁଖୀ ରେ ।୬।

 

(୬୮)

ରାଗ—ପୂରବୀତାଳ—ଆଠତାଳି

 

ତୁହି ପରା, ମୋ ହୃଦୟ ମଣିମୟହାରା ରେ । ଘୋଷା ।

ସହି ତୁ ମୋହର ସକଳ ସମ୍ପଦ,

ମଦନ-ଫଣି ରଦନ-ବିଷଗଦ,

ଅଖିଳ ବିଭବ ଆଖଣ୍ଡଳ ପଦ,

ଆରୋହଣ ପରମ୍ପରା ରେ ।୧।

 

ରସିକରାଜି ମସ୍ତକ ଅଳଙ୍କାର,

ବିଦ୍ରୁମ ନବପଲ୍ଲବ ଗର୍ବହର,

ତୋ ପୟର ଲାକ୍ଷା-ରଞ୍ଜକ ଦାସ

ମୁଁ ବିରହ ଦୁଃଖ ପାସୋରା ରେ ।୨।

 

କହିଥିବେ ସହୀ ଜାଣି ବା ନ ଜାଣି,

ମଣିଲୁ କି ସତ ଶୁଣି ତାଙ୍କ ବାଣୀ,

ଧରିଛୁ ବିରସ ବିବେକିନୀଶ୍ରେଣୀ,

ମସ୍ତକ ମଣ୍ଡନଝରା ରେ ।୩।

 

ନ ମଣ୍ଡିବୁ ସିନା ମୋର ବକ୍ଷସ୍ଥଳ,

ହୃଦୟରୁ ଯିବୁ କରି କେଉଁ କଳ,

ମୋ ମନ-ଗଗନ ତଟ ସମୁଜ୍ଜ୍ୱଳ

ଉଦୟ ନିର୍ମଳ ତାରା ରେ ।୪।

 

ସଜନୀ ଗୋ ନବସୁରତୀ-ବିଭବ,

ପାସୋରି ଯିବ କି ମନୁ ଥିଲେ ଜୀବ,

ଦୀନ କବିରବି ଚାତକର ନବ

ଘନରସ ଜଳଧାରାରେ ।୫।

 

(୬୮) ଟୀକା- ଫଣି- ସର୍ପ, ଆଖଣ୍ଡଳପଦ- ଇନ୍ଦ୍ର, ଆରୋହଣପରମ୍ପରା- ପାହଚସବୁ, ବିଦ୍ରୁମ- ପୋହଳା ।

 

(୬୯)

 

ତୋ ଉପମା ତୁହି ରାମାମଣି ଏ ସଂସାରେ ।୦।

କର ତ ଏ ଅନୁମାନ ନାନା ବଶୁଁ ସାରେ;

ତୋ’ ସମାନେ ମନକୁ ନ ଆସଇ ସୁସାରେ ।୧।

 

ରସିଥାଏ ଯେ ରସନା ସୁମଧୁର ସାରେ

ଘେନ ତ ମୋ ଧନ ! ସେ କି ଖେଳଇ ‘କଷା’ ରେ ? ।୨।

 

ମୋହନା, ମୁଁ ତୋହ ଅନୁଗ୍ରହ-ଭରସା ରେ !

ପ୍ରମୋଦେ ଚାଲଇ ଦେଇ ପ୍ରପଦ ରସାରେ ।୩।

 

ମନାଇଁ ତୁ ରସନ୍ତେ ମୋ’ ଉତ୍ସଙ୍ଗ ବସାରେ,

ବାସବ ମୋ’ ସମ ନୁହେ ଅଖଣ୍ଡ ଦଶାରେ ।୪।

 

ଭୁଲାଉ ନୟନେ ଯେବେ ଲହସା ଖୋସାରେ

ଫୁଲଇ ମୋ’ ଛାତି ଭଲେ କୁଲାଏ ଓସାରେ ।୫।

 

‘ଉରୁବଶୀ’ ବେଶ ହେଲେ ତୋ ସାମ୍ୟ ଆଶାରେ

ମରିବ ସେ ଉଲୀ ସତେ କି ଲୋକହସାରେ ! ।୬।

 

ମଣ୍ଡୁଥାଉ ଓଷ୍ଠକୁ ଯେ ସୁମନ୍ଦ ହସାରେ

ଜର ଜର ହୁଏ ମୋ’ ନୟନ ଘନସାରେ ।୭।

 

ଜଳନ୍ତରାଧିରାଜର ସସ୍ନେହ ଭାଷାରେ

ତିନ୍ତିଲା ସୁଦନ୍ତୀ ଲଜ୍ଜାଭର ବରଷାରେ ।୮।

 

(୬୯) ନାନା ବଶୁଁ- ବିଭିନ୍ନ କାରଣରୁ, ସାରେ- ସାର ବୋଲି ଭାବେ, ସୁସାରେ- ସହଜରେ, ସୁମଧୁର ସାରେ- ଉତ୍ତମ ମିଷ୍ଟାନ୍ନରେ, କଷାରେ- କଷା ଖାଦ୍ୟରେ, ପ୍ରପଦ- ପାଦ, ରସାରେ- ମାଟିରେ, ଉତ୍ସଙ୍ଗ ବସାରେ- କୋଳରେ ବସାଇବାରେ, ବାସବ- ଇନ୍ଦ୍ର, ଅଖଣ୍ଡ ଦଶାରେ- ଉତ୍ତମ ଜୀବଦ୍ଦଶାରେ, ଲହସା- ହୁଗୁଳା, ଘନସାରେ- କର୍ପୂର ବା ଚନ୍ଦନପାଣିରେ, ଲଜ୍ଜାଭର ବରଷାରେ- ଲାଜ ରୂପକ ବର୍ଷା ଜଳରେ

 

(୭୦)

 

ତୋ ସରସ ପଣେ ଜଣେ

ନାହିଁ ନାହିଁ ଆଉ ରେ ।୦।

ଲଜ୍ଜାରେ ମୋର ପ୍ରସଙ୍ଗ

ବାକ୍ୟେ ନ ପକାଉ ରେ

ମଜ୍ଜାରେ ମୋ ଅନୁଧ୍ୟାନେ

ଅଙ୍ଗ ପୁଲକାଉ ରେ ।୧।

 

ମିତ ମୋ ନାମକୁ କଳ----

ପିତ ଗୀତ ଗାଉ ରେ

ଶଙ୍କି ପ୍ରିୟ ସଖୀ ନାମ

ଅଙ୍କିତ ଲଗାଉ ରେ ।୨।

 

ସୁଚାରୁ ଚାହାଣୀ ଛଟା

ମୋ ମୁଖେ ନଚାଉ ରେ

ମୁଁ ଚାହିଁଲେ କୁଚାଚଳେ

ଶ୍ରୀମୁଖ ଲୁଚାଉ ରେ ।୩।

 

ସ୍ମର ନରତନେ ଯେବେ

ମାନସ ମଜ୍ଜାଉ ରେ

କେତେ ରସେ ମୋତେ ପ୍ରାଣ----

ଧନ ସମଜାଉ ରେ ।୪।

 

ପଣ୍ଡିତ ପଦ ମଣ୍ଡନ

ଡିଣ୍ଡିମ ବଜାଉ ରେ

ଧୀରେ ମୋ ଅରାତି ଛାତି

କରତାଇ ଯାଉ ରେ ।୫।

 

ରଦ କ୍ଷତୁ ମୁଁ ତୋ ଓଷ୍ଠ

ବଂଚାଉ ବଂଚାଉ ରେ

ମଦ ଗଜଗତି ଶ୍ରୁତି

ଉତ୍କଳ ଉଞ୍ଚାଉ ରେ ।୬।

 

ନ ବାଧିବାକୁ ମନ୍ମଥ

କରବାଳ ଦାଉରେ

ମୋ ବଳ କେବଳ ତୋର

ନିତମ୍ୱ ବଦାଉ ରେ ।୭।

 

ଜଗଦ୍ଦେବ ଭାଷେ ତୋର

ସଙ୍ଗ ସୁଖ ପାଉ ରେ

ହୀରକ ଦଶନା ମୋର

ଚିରକାଳ ଯାଉ ରେ ।୮।

 

(୭୦) ବାକ୍ୟେ- କଥାବାର୍ତ୍ତାରେ, କଳପିତ- କଲ୍ପିତ, କଳ୍ପନା କରି, କୁଚାଚଳେ- ଉଚ୍ଚ ସ୍ତନକୁ, ଶ୍ରୁତି ଉତ୍ପଳ- କାନ ରୂପକ ପଦ୍ମ, ବଦାଉ- ଢାଲ, ହୀରକ ଦଶନା- ହୀରା ଭଳି ଦାନ୍ତ ଯାହାର ।

 

(୭୧)

ରାଗ—କାମୋଦୀ—ଏକତାଳି

 

ଦମ୍ଭେ ବା ସତେ ସହି କହିଲୁ ରେ,

ଦମ୍ଭୋଳିଗଢ଼ା ଛାତି ବହିଲୁ ରେ,

ମାନସରସ-ମହୁ ପାନ ସମଗ୍ର ନୋହୁ

ବିଚ୍ଛେଦ କେହି ସହୁ ସହିଲୁ ରେ ।ପଦ।

ଜାତିଘାତୀ ସେ ପ୍ରେମ କ୍ରମ ବଡ଼ ବିଷମ

ନୋହିଲେ ନୋହିଥିବ ପହିଲୁ ରେ,

ହୋଇ ନୋହିବା ପରି ହେଲେ ଧଇର୍ଯ୍ୟ ଧରି

କି ରୂପେ ରହୁ ଦେଖି ରହିଲୁ ରେ ।୧।

 

ତୁଟିଲେ ହେଲେ ସ୍ନେହ ଠଉରିବାକୁ ଦେହ—

ରକ୍ଷା ତୁ ତୋର ଅବା ବହିଲୁ ରେ,

ଏ ଯେବେ ନୋହେ ସତ ହୋଇ ମୋ ପ୍ରାଣମିତ

ମୋପରି କାହିଁକି ତୁ ନୋହିଲୁ ରେ ।୨।

 

ସୁଖସିନ୍ଧୁ ସରିକି ଯିବା ମନ-ତରୀକି

ପ୍ରତିକୂଳରେ ପୁଣି ବାହିଲୁ ରେ,

ଯୁଗ ନୋହିଲା କ୍ଷଣ ସଂସାର ବିଲକ୍ଷଣ

ରସେ ତୁ ଅବା ଅବଗାହିଲୁ ରେ ।୩।

 

ସମଝି ନାହିଁ ତ ମୁଁ କି ଯୋଗେ ତୁ ପ୍ରଥମୁ

କି ଭଙ୍ଗୀ ଅପାଙ୍ଗରେ ଚାହିଁଲୁ ରେ

ଗାଢ଼ ପ୍ରୀତି ବିନା ସେ ବଞ୍ଚୁ ଯା ଅନାୟାସେ

ପୂର୍ବେ ବା କେଉଁ ତପେ ଦାହିଲୁ ରେ ।୪।

 

ସରସ ପ୍ରାଣ ତୃଣ ବିଶେଷ ବଜ୍ରବାଣ

ପ୍ରୟୋଗ କରି କେହି ଦହିଲୁ ରେ,

ବଳକ୍ଷକୁ ସେ ସୟନେତ୍ରା ହୃଦେ ହୃଦୟ

ଟାଳି ନ ଜାଣି ତୁ କି ସହିଲୁ ରେ ।୫।

 

ମଣିମ ସେ ତୋ ଚାଲି ନୋହେ ତ ଧେନୁ ବୋଲି

ବଳୀବର୍ଦ୍ଦକୁ ନିକି ଦୁହିଁଲୁ ରେ,

ଭଣିଲେ ଅଷ୍ଟଦୁର୍ଗ ଧରାବଳୟ ସ୍ୱର୍ଗ

ଛଳେ କି ବଳେ ମୋତେ ମୋହିଲୁ ରେ ।୬।

 

(୭୨)

ରାଗ—ମୁଖାବରୀ—ଏକତାଳି

 

ଦୟାବତୀକି, କର ଧରି ମୁଁ ମାଗୁଛି ଏତିକି

ବେଗେ ନେଇ ତୋର ପାଖରେ ହାଜର-

କର ମୋତେ ଆଜି ରାତିକି । ଘୋଷା ।

ନ ଦେଖି ଦୁଃଖିତ ମୋ ନେତ୍ର-ଚକୋର

ତୋ ଶ୍ରୀମୁଖ-ନିଶାପତିକି

ପଞ୍ଚଦଶ ତିଥି ଏକାବେଳେ ଥିଲା

ହେବାକୁ କି ନିତିନିତିକି ।୧।

 

ବିଚାରେ ହେମବରନାର ରତନେ

ନିର୍ମିତ ଥାଇ ମୂରତିକି

କୃପଣ ହେବାକୁ ମୁଁ ମାର୍ଗଣ ନୁହେଁ

ଦେଖାକୁ ନ ରଖ ଭୀତିକି ।୨।

 

ମୋ ଛାର ନିନ୍ଦାକୁ ବିଚାର କି ତୋ

ଜାଣିଲେ ଜନେ ଏ ରୀତିକି

କି ବୋଇଲେ କହ ଦାନୀବର ବୋଲି

ଟେକାଇଅଛୁ ଯେ ଛତିକି ।୩।

 

ହରିକୁ ଚନ୍ଦ୍ରମା ଧରିଲା ପରାୟେ

ବ୍ୟାକୁଳ କରିଛି ମତିକି

ଏହି ଘେନି ସିନା ଜଣାକରୁଅଛି

ଅଷ୍ଟଦୁର୍ଗ ନରପତିକି ।୪।

 

(୭୩)

ରାଗ—ମୁଖାବରୀ—ଝୁଲା

 

ଦୂତୀ ଚଳ ରେ, ଭୂତଦାୟିନୀ ବିନା କେ ବଳ ରେ ।

ସୁତୀକ୍ଷ କଟାକ୍ଷ କକ୍ଷା କରି ରକ୍ଷା

କରିବାରେ ଭାଳ ରେ । ଘୋଷା ।

ଚରମାଚଳଚୂଳ ରବି ମଣ୍ଡିଲା

ଛଳ କରିବାକୁ ଗୋଳ ରେ

କିଂଶକରୁଚି ଅଂଶୁକ ପାଗ କାମ

ଥୋଇଲାଟି ଅନୁକୂଳ ରେ ।୧।

 

ସାକ୍ଷାତରେ ଦେଖା ହୋଇଛି

ପ୍ରତ୍ୟକ୍ଷ ବିଖ୍ୟାତ ଯା ମତ ଦଳ ରେ

ବକ୍ଷ ଲକ୍ଷକୁ ତୀକ୍ଷ ମୁଖ ଶ୍ରୀମୁଖ

କଳ୍ପିଛି ଯା ବାଣ ଫଳ ରେ ।୨।

 

ସାରିଦେଲାଣି ମଙ୍ଗଳ ଦେବାର୍ଚ୍ଚନ

ବିଜୟ ଆଳତି କାଳରେ

ପୂର୍ଣ୍ଣମୃଗାଙ୍କ ରଜତ ଥାଳି

ଅଙ୍କ ନିର୍ବାପନ ଧୂମଜାଳ ରେ ।୩।

 

କହିବୁ ସୁଦୟା ଥିଲେ ସହୃଦୟା

ଅଷ୍ଟଦୁର୍ଗ ମହୀପାଳ ରେ

ଭରଜ ଉଲଟ ଘଟ ବେଣୀ

ଫଣୀ ଦେଖାଇ ତା ଶୁଭେ ଟାଳ ରେ ।୪।

 

(୭୪)

ରାଗ—ଏମନ କଲ୍ୟାଣ, ଆଡ଼ତାଳ

 

ଦୋଷ ବିନା ମୋ ନବୀନା ରୋଷ

କିମ୍ପାଇ ବହିଲା ରେ ।ପଦ।

ଗେଲାଇ ନାଗରୀ ମେଳେ,

ଗଜରାଜଗତି ଗଲାବେଳେ,

ମୋ ଆଡ଼କୁ ଫେରି ଥରେ ହେଲେ

ମୋତେ ନ ଚାହିଁଲା ରେ ।୧।

 

ମନୋହର ବେଶ ପାଇଁ,

ସୁମନସ ଖୋଜି ଦେଲି ନେଇ,

ତା ନ ଘେନି ଜୀବଧନୀ

ମଥା ପୋତି ରହିଲା ରେ ।୨।

 

ଦିନେ ବସି ସଖୀ ସଙ୍ଗେ

ହରୁଥିଲା କାଳ ନାନା ରଙ୍ଗେ,

ସେ ସମୟେ ମୋତେ ଦେଖି ହସି

ଉଭା ତ ନୋହିଲା ରେ ।୩।

 

ତା ପ୍ରୀତି ଲଭିବା ଦିନୁ,

ଲବେ ନ ମାନଇ ଫୁଲଧନୁ,

ସେ କଷଣ ସହ ବୋଲି

ବିହି ଏହା କି ବିହିଲା ରେ ।୪।

 

ନ ସହି ମୋର ତ ଶିରୀ,

କି ବିଚାରି ସେ ତ କୋପ କରି,

ମୋତେ ପଞ୍ଚଶରେ ରଚି

ତାକୁ କି ଅବା କହିଲା ରେ ।୫।

 

ବୋଲେ ଅଷ୍ଟଦୁର୍ଗ ନାଥ,

କି କରିବି ନ ଦିଶଇ ପଥ,

ଚାହୁଁ ଚାହୁଁ ଦଶଦିଶ

କାମ ଅନ୍ଧାର ପିହିଲା ରେ ।୬।

 

(୭୫)

ରାଗ—ଆଶାବରୀ—ଆଡ଼ତାଳି

 

ଧନ, କେମନ୍ତେ ମୂର୍ଚ୍ଛିବି ରେ ମନରୁ ନ ଗଲୁ କ୍ଷଣେ ।

ଶୟନେ ସ୍ୱପନେ ଦିଶିଲୁ

ନୟନେ ଜଡ଼ିଲୁ ତୁ ଅନୁକ୍ଷଣେ । ଘୋଷା ।

ତୋ ରୂପ ପଟରେ ଲେଖି

ଉରପରେ ନ ରଖିଲେ ନିଦ୍ରା ନୋହେ

ଲଭିବାରୁ ଆନ ଆରେ ଜୀବଧନ,

ନ ଯାଇ ଏ ଦେହ ସହେ ।୧।

 

ଝାସଦେବି ଯାଇ ଗଙ୍ଗାସାଗରରେ

ଏ ଜନ୍ମେ ଭେଟ ନୋହିଲେ

ଦାସ ହୋଇଲେ ତ ବାସବ

ପଣକୁ ବାଞ୍ଚା ନାହିଁ ମୋର ତିଳେ ।୨।

 

ବସିଲେ ବସିବ ଅପବାଦ

ହାଟ ହସିଲେ ହସିବେ ଲୋକେ

ନାଶିଲେ ନାଶିବେ ସକଳ ସମ୍ପତ୍ତି

ଭାସିଲେ ଭାସିବି ଶୋକେ ।୩।

ହେବ ଶିରଚ୍ଛେଦ ନୋହିବ

ବିଚ୍ଛେଦ ଏହି ଚିନ୍ତା ଅନୁକ୍ଷଣ

କ୍ଷୋଭ ହେଉଥିଲେ ଲୋଭ

ବଢ଼ୁଥାଇ ଚାହୁଁ ଚାହୁଁ ଶତଗୁଣ ।୪।

 

ବାମ ହେଲେ ହେବ ଗୁରୁ

ଗୁରୁଜନ ମୂର୍ଚ୍ଛିବା ପଦାର୍ଥ ନୋହୁ

ବୋଲେ ଜଗଦ୍ଦେବ ଶ୍ରୀ ହରିଚନ୍ଦନ

କି ଦୁଃଖ ଦେବ ସେ ଦେଉ ।୫।

 

(୭୬)

 

ଧନକୁ କେ ମାନେ ବଳାଇଲେ ରେ ।

କେ ଦେଲା ଏ ଦଣ୍ଡ      ରୋଷ ଲୌହ ଦଣ୍ଡ

ତା ମନ କୁନ୍ଦରେ ଖୁନ୍ଦାଇଲେ ରେ ।୦।

ମୋ ସୁଖ ମୃଦୁଳ—

ମାଳତୀର ମାଳ

 

କା ପାଦ ପାଷାଣେ ବଳାଇଲା ରେ ।୧।

ମୋ ହୃଦ ଭିତରେ

ଅନଙ୍ଗ ଅହିରେ

କି ସମୟ ଜାଣି ଖେଳାଇଲା ରେ ।୨।

 

ବୋଲେ କବିସୂର୍ଯ୍ୟ

ଆହା ମୋ ଧଇର୍ଯ୍ୟ

ତୁଳା ପଟଳକୁ ଜଳାଇଲା ରେ ।୩।

 

(୭୬) ଖୁନ୍ଦାଇଲା- ଭର୍ତ୍ତି କଲା, ସୁଖ-ମୃଦୁଳ-ମାଳତୀ ମାଳ- ସୁଖ ରୂପକ କୋମଳ ମାଳତୀ ଫୁଲମାଳ, ଅନଙ୍ଗ ଅହିରେ- କନ୍ଦର୍ପ ରୁପକ ସର୍ପକୁ ।

 

(୭୭)

ରାଗ—କାମୋଦୀ

 

ଧନ ଘନ ରସ ବରଷିଲା ରେ,

ଚଞ୍ଚଳା ଜ୍ୟୋତି ପ୍ରକାଶି,

ତୁରିତେ ଉତ୍କଣ୍ଠ ସରିତ ବଢ଼ିଲା

ଦମ୍ଭ ଦ୍ରୁମ ଗଲା ଭାସି ।ପଦ।

 

ପୁଲକକଦମ୍ୱ ପ୍ରଫୁଲ୍ଲ ହୋଇଲା,

ନାଚିଲା ବେଣୀ ମୟୁରୀ,

ଛିଡ଼ି ମୋତିମାଳ ଦିଶେ କି ଚଞ୍ଚଳ

କି ସେ ବକପନ୍ତି ପରି ।୧।

 

ଖରଶ୍ୱାସ ଝଞ୍ଜା ପବନ ପ୍ରସରି

ଜନ୍ମାଏ ବଚନେ ମଲି,

ଅଙ୍ଗ ଆମୋଦ ମାଳତୀ

ବିକାଶଇ କି ପ୍ରସନ୍ନ ରସବଲ୍ଲୀ ।୨।

 

ନଖକ୍ଷତ ଉକ୍ତ ଇନ୍ଦ୍ରଗୋପ

ବ୍ୟକ୍ତ ଦିଶିଲା ଅତ୍ୟନ୍ତ ତ୍ୱରା,

ସ୍ୱେଦବିନ୍ଦୁ ଛଳେ କରକା ନିପାତ

ବୃଷ୍ଟିଜଳଧାରା ପରା ।୩।

 

କଟିଘଣ୍ଟି ଭେକ ପ୍ରକଟି ରଟିଲେ

ଚଳେ ପୀନପୟୋଧର,

ଭୂଷଣ ରତନକିରଣେ କି

ଜ୍ୟୋତିରିଙ୍ଗଣଗଣ ପ୍ରଚାର ।୪।

 

ହୀରକକରଙ୍କ ତାଟଙ୍କ ଅଟକ

ନ ରହି କର୍ଣ୍ଣରୁ ଗଳି,

ଅବନୀରେ ପଡ଼ି ଶିଳୀନ୍ଧ୍ରକୁସୁମ

ଫୁଟିଲା ପରାଏ ଝଳି ।୫।

 

ନୀଳ ପୀତ ରକ୍ତ ମିଶ୍ରିତ କୁସୁମ

ପ୍ରାୟ ନିଶ୍ଚେଁ ଇନ୍ଦ୍ରଧନୁ,

ବୋଲେ କବିସୂର୍ଯ୍ୟ ଅନଙ୍ଗ

ଅନଳ ଲିଭାଇଲା ହୃଦବନୁ ।୬।

(୭୭) ଟୀକା- ରସ- ଜଳ, ଚଞ୍ଚଳା- ବିଜୁଳି, ପୁଲକକଦମ୍ବ- ରୋମାଞ୍ଚରୂପ କଦମ୍ବଫୁଲ, ନଖକ୍ଷତରକ୍ତ ଇନ୍ଦ୍ରଗୋପ- ନଖକ୍ଷତରୂପ ସାଧବାଣୀ ପୋକ, ଜ୍ୟୋତିରିଙ୍ଗିଣ- ଜୁଳାଜୁଳା ପୋକ, ହୀରକକରଙ୍କ ତାଟକ- ଯେଉଁ କାନଫୁଲ ମୁଣ୍ଡରେ ହୀରା ଲାଗିଥାଏ, ଶିଳୀନ୍ଧ୍ରକୁସୁମ- ଛତୁ ।

 

(୭୮)

 

‘ଧନ’- ମନ ମୋ’ ରସେ ରସିଲା ରେ ! ।୦।

ପଞ୍ଚମ ଭାବ ବରଜି, ଚଟୁଳ ଚାଟୁ ସରଜି

ଫୁଲଚାପକୁ ତରଜି ମୋ’ କୋଳେ ବସିଲା ରେ ।୧।

 

ଭିଡ଼ିଗାଢ଼େ ପୟୋଧର, ‘‘ମଲିଟି ଇଷି’’ ଏ ଗିର

ଭାଷି ରଙ୍ଗେ କି ସୁନ୍ଦର-ଦଶନା ହସିଲା ରେ ।୨।

 

ଟେକି ଉରୁମୂଳ ଚେଳ ରଚିଲି କରଜ-ଖେଳ,

କମ୍ପି ପୁଲକି ମଞ୍ଜୁଳ ‘ଅତନୁ’ ଦିଶିଲା ରେ ! ।୩।

 

ଶିଥିଳାଇ ନୀବିବନ୍ଧ କଲି ସୁରତି ପ୍ରବନ୍ଧ,

ଘନେ ବିଜୁଳିକି ବଳି ମୋ’ ଅଙ୍ଗେ ମିଶିଲା ରେ ! ।୪।

 

ଜଳନ୍ତର ନାଥ ଭଣି ପ୍ରେମ—ହେମକୁ ତରୁଣୀ

ମାନସ-‘କକ୍ଷ’ ପାଷାଣେ ଆଜ କି କଷିଲା ରେ ? ।୫।

 

(୭୮) ପଞ୍ଚମ ଭାବ- ମୈଥୁନ, ଫୁଲଚାପକୁ ତରଜି- କନ୍ଦର୍ପକୁ ଭୟ ଦେଖାଇ, ସୁନ୍ଦର ଦଶନା- ସୁନ୍ଦର ଦାନ୍ତ ଥିବା, ଊରୁମୂଳ ଚେଳ-ଜଙ୍ଘପାଖର ଶାଢ଼ୀ, କରଜ ଖେଳ- ହାତ ନଖର ଚାଳନା, ଅତନୁ- ଜନନେନ୍ଦ୍ରିୟ ଅର୍ଥରେ ପ୍ରଯୁକ୍ତ, ଘନେ- ମେଘରେ, ପ୍ରେମ ହେମକୁ- ପ୍ରେମ ରୂପକ ସୁନାକୁ, ମାନସକଷ-ପାଷାଣ- ମନ ରୂପକ କଷଟିପଥର ।

 

(୭୯)

ରାଗ—ବରାଡ଼ୀ—ଏକତାଳି

 

ଧନ ରେ, ଅବଶ୍ୟଟି ମୁଁ ବନରେ କରିବି ସ୍ଥାନ

ମନରେ କି ଘେନି ପରିଜନରେ କରିଛୁ ମାନ । ଘୋଷା ।

ମୁହଁ ନ ଅନାଇଁ ମୋର

ନୁହ ଲତାଙ୍ଗୀ ବିଶେଷରେ

ଲୁହ ନ ବୁହାଇ ସରୋରୁହ ନୟନରୁ ହସ ରେ ।୧।

 

ବଦନ ପୋତି ଯା ଚାଲୁ

ନଖପଦ-ନଖକୁ ଧରାରେ

ରଦନେ ଚେଳ କାମୁଡ଼ି ମଦନ ମୋ ଉରେ ମରା ରେ ।୨।

 

 

ନ ଧର ରୋଷ ମୋ ଅଙ୍କକୁ

ଧର ତୁ କେଳିଶମ୍ପା ରେ

ବଧର ବିଚାରେ ମୋର ନ ଧର ବିମ୍ବ ନ କମ୍ପାରେ ।୩।

 

ହରଷ-ବିହୀନ କ୍ଷଣ

ବରଷ ହୁଏଟି ଜାଣ ରେ

ନରସ କ୍ରୋଧେ ପୂରାଅ ତରସ ମୋର ତୁ ପ୍ରାଣ ରେ ।୪।

 

ଛବି ରମଣୀମଣ୍ଡନା

ଅବିରତ ରତମନା ରେ

ଅବିରସ ନେତ୍ରେ ଅନା ଜଗଦ୍ଦେବଙ୍କୁ ନବୀନା ରେ ।୫।

 

(୮୦)

ରାଗ—କାମୋଦୀ—ଆଠତାଳି

 

ନ କରିବୁ ଊଣା ପ୍ରୀତି ଚାଲିରେ

ତୋତେ ସିନା ଜଣା ପ୍ରୀତିଚାଲି ରେ ।।ପଦ।।

ହିମବାଲୁକା ଥାଉ ଥାଉ, ଛୁଇଁ ନ ଯାଉ ଲୋଡ଼ୁ

ମୋର କଠାଉ ତଳ ଝଡ଼ା ବାଲି ରେ ।୧।

 

ହୁଡ଼ ରଖି ନିରତେ ଜଣାଇବାକୁ ମୋତେ

ପଟ ବାହୁ ସେ ଚିତ୍ତେ ଚଦରଙ୍ଗ ପାଲିରେ ।୨।

 

ଆରମ୍ଭ ପରିରମ୍ଭ, ସ୍ତନ କନକ କୁମ୍ଭ

ହାରାବଳୀ ନ ରଖି କରିଥାଉ ଖାଲି ରେ ।୩।

ନ ଦେଉ କେଉଁ ତୋଷ, ହୋଇ ସମନ୍ଦ ହାସ

 

ଚାହୁଁ ଯା ଅତଳସ ଯବନିକା ଜାଲି ରେ ।୪।

 

ଶ୍ରୀ ଜଗଦ୍ଦେବ ଭାଷେ ଆଜି ଯାଉ ଏ ରସେ

ଧନ ରେ ମୁଁ ତୋ ବଶେ ଆସିବିଟି କାଲି ରେ ।୫।

 

(୮୧)

 

ନବଛଇଳୀ, ଯାଉଛି ବିଦେଶ ମୁଁ କାଲି । ଘୋଷା ।

ତୋ ପାଶୁଁ ମୁଁ ଅନ୍ତର ହେବି,---

ବୋଲି ଚିତ୍ତରେ ନ ଥିଲା ପ୍ରାଣବାନ୍ଧବୀ ।

ବିଧାତା ବିଧାନ କଥା, କେ କରିପାରେ ଅନ୍ୟଥା

ଥିବି ମାତ୍ର ତୋର ଦିବ୍ୟଚିତ୍ତେ ଅନବରତେ ।୧।

 

ଯେତେ ଦୂରେ ଥିଲେ ମୁଁ ତୋର,

କିଣା ଚାକର ମନେ ତୁ ନ କରିବୁ ପର

କରକରଦନା କର ଧରି ମାଗୁଛି ନିକର

ହସି ତୁ ମୋତେ କହି ଗିର ମେଲାଣି କର ।୨।

 

ଏ ବଡ଼ ଚିନ୍ତା ହୁଏ ଏକା,

ମୋର ବିହୁନେ କିପରି ବଞ୍ଚିବୁ ରସିକା

ଥିବୁ ସର୍ବଶୁଭେ ତୁହି, ଲେଉଟି ଭେଟିବି ମୁହିଁ

ଈଶ୍ୱର କରିବେ କି ସତେ ନାହିଁ ପରତେ ।୩।

 

ନୃପକୁଳଶେଖର ଚନ୍ଦ୍ର, କିଶୋରଚନ୍ଦ୍ର

ଛୋଟରାୟ ବଚନେ ଚନ୍ଦ୍ର—

ବଦନ ବିରସ ଜାଣି ଧରି ପ୍ରିୟା ବେନିପାଣି

ବୋଲି କିରେ ପ୍ରାଣବାନ୍ଧବୀ ନିଶ୍ଚେ ଆସିବି ।୪।

 

(୮୨)

ରାଗ—କାମୋଦୀ—ତ୍ରିପୁଟା

 

ନବୀନା ସେ ଯାହା ନ ବିନାଶେ ।।

ନ କହି ମୋ ହୃଦୟ      କେଉଁ ଅସହୃଦୟ

ଜନ ଜଣାଏଁ ଚିନ୍ତି ମୋ ଲାଘବ,

ରଖି ତା’ ଠାରେ ଦୁଃଖ, ପଲ୍ଲବାଏ ମୋ ସୁଖ ।୧।

 

ଗାଢ଼େ ମୁଁ ଅପରାଧ,       କଲେ ହେଲେ ସକ୍ରୋଧ –

ହୃଦୟା ନୋହେ ସତେ ଦୟାଳୁ

ସେ ଦିନ କରେ ମୋହଠାରେ ଦ୍ୱିଗୁଣ ସ୍ନେହ ।୨।

 

ବ୍ରତ ନିୟମ ସାରା,      ଦିନରେ ଆସି ଧାରା—

ସମ ଆଚାରେ ହରୁଥାଏ କାଳ,

ନ ଦଣ୍ଡେ ମୋତେ ପ୍ରାଣେଶ୍ୱରୀ କୁସୁମ ବାଣେ ।୩।

 

ଅନବସର ଜାଣି,      ସେ ବୀଣାଜିଣାବାଣୀ

ପାଶକୁ ନ ଯାଏଁ ମୁଁ ଯେଉଁ ଦିନ

କେତେ ସରସ ଭାଷା       ଲେଖି ପୂରେ ମୋ ଆଶା ।୪।

 

ଶିଷ୍ଟ ପର୍ବ ଭୂଷାର,      ଶିଷ୍ଟ ମୁଁ ଗୁଣସାର,

ଅଷ୍ଟଦୁର୍ଗ ରସାର ନାଥ ଭାବେ

ମୋହି ମୋହର ମତି, ସେହି ଜାଣେ ସେ ପ୍ରୀତି ।୫।

 

(୮୩)

ରାଗ—କଳହଂସ କେଦାର—ଝୁଲା

 

ନାଗେନ୍ଦ୍ରଗତି ଆହା ଘନଜଘନା

ନାରିକେଳରୁ ଚାରୁ ପୃଥୁଳ ସ୍ତନା । ଘୋଷା ।

 

ନାଟ ମଞ୍ଜୁଳ ଖଞ୍ଜରୀଟ ନୟନା

ନାକ ନାରୀଙ୍କ ରୂପେ ଯାହାଙ୍କ ବାନା ।୧।

 

ନାସେ ମଣ୍ଡିତ ନାସାତିଳ ପ୍ରସୁନା

ନାରୀନିବହ ରୀତି ବିଶୁଦ୍ଧ ସୁନା ।୨।

 

ନାୟିକା ଶିରୋମଣି ବରବରନା

ନାହିଁ ତା ଅଙ୍ଗତୁଲ୍ୟ ମୃଦୁ ସୁମନା ।୩।

 

ନାଥ ନ ଥିଲେ ଯଥା ଦିଗଅଙ୍ଗନା

ନାଗରୀନ୍ଦ୍ର ମୋ ତଥା ହେଲା ବିଶନା ।୪।

 

ନାଲିକ ଦଳେ କରି ତଳ୍ପ କଳ୍ପନା

ନାନା ଉପାୟ ଆଳି କରିବେ ସିନା ।୫।

 

ନାଡ଼ି ଓହରି ହୋଇ ଜୀବନ କ୍ଷୀନ୍ନା

ନାଦ ପିକର ଯହିଁ ଜୀବନଘେନା ।୬।

 

ନାସ୍ତିକ ସ୍ୱର ମୋର ଆଶ୍ଳେଷ ବିନା

ନାଶ ନ ଯିବ ନିକି ସତେ ନବୀନା ।୭।

 

ନାରାଚ ମାରି ହରିବାରୁ ଚେତନା

ନାସାପୁଟକୁ ଚାହିଁଥିବେ ଲଳନା ।୮।

 

ନାହକ ଅନୁଭବ କଲା ନୂତନା

ନାଖରା ଦଶା ହେତୁ ଦୁଃଖ ବେଦନା ।୯।

 

ନାପୁସି ତୁଳେ ହୁଏ ବୋଲି ବଚିନା

ନାଦାର ହୁଏ ଜଗଦ୍ଦେବ ଚେତନା ।୧୦।

 

(୮୪)

 

‘‘ନାହିଁ’’ କରୁ କାହିଁକି ? ରେ ଗଳା-ମଣି ମାଳି ! ।୦।

ନ ଯିବି କେବେ ବିଦେଶ, ତୁ ଦେଉଥିବା ନିଦେଶ

ଶିରେ ବହିଥିବି ପରିପାଳି ।୧।

 

ପରଜନଠାରେ ପରି ପରିଜନରେ କିଶୋରୀ !

ବସିଛୁ ମାନସେ କିସ ଭାଳି ? ।୨।

 

ତୋ ଚରଣ-କଞ୍ଜତଳ ସ୍ଥଳେ ମୋ’ ନିଆଳୀ ଚୂଳ

କରୁଥିବି ନିତି ନିଉଁଛାଳି ।୩।

 

ମୋ’ କୋଳେ ରବି ବିହାର ଅରାତିମାନଙ୍କୁ ମୋ’ର

ମରାଇବାକୁ ମୋ’ କରେ ‘ତାଳି’ ।୪।

 

ଆରେ କାମ କଳାନିଧି ! ହେଲି ଯେବେ ଅପରାଧୀ,

ଦେଉଥିବୁ ପଛେ ପଦେ ‘ଗାଳି’ ।୫।

 

ଆରୋହି ଅଙ୍କ-ତଳପ ପୂରାଅ ମୋ’ ସଙ୍କଳପ

ଦେବାକୁ ‘ମଦନ’-ମୁଖେ ‘କାଳି’ ।୬।

 

ପୀଡ଼ିବି ନାହିଁ ଦନ୍ତରେ, ଲାଲ ଦନ୍ତବାସେ ଥରେ

ରସନାକୁ ସିନା ଦେବି ଚାଳି ।୭।

 

‘ଅଷ୍ଟଦୁର୍ଗ-ଭୂପ’ ଭଣେ ଉଚ୍ଚ ‘କୁଚ-କୁମ୍ଭ’ କ୍ଷଣେ

ଦେବାକୁ ମୋ ଉର ସ୍ଥଳେ ଝାଳି ।୮।

 

(୮୪) ନିଦେଶ- ଆଜ୍ଞା, ପରିଜନ- ଚାକର, ଚରଣକଞ୍ଜ- ପାଦପଦ୍ମ, ନିଆଳୀ ଚୂଳ- ନିଆଳୀ ଫୁଲ ସଜ୍ଜିତ ମସ୍ତକ, ନିଉଛାଳି- ବନ୍ଦାପନା, ଅଙ୍କତଳପ- କୋଳ ରୂପକ ଶେଯ, ସଙ୍କଳପ(ସଙ୍କଳ୍ପ)- ମନୋରଥ, ଦେବାକୁ ମଦନ ମୁଖେ କାଳି- କନ୍ଦର୍ପକୁ ପରାଭବ ଦେବାକୁ, ଦନ୍ତବାସେ- ଓଠରେ, ରସନାକୁ- ଜିହ୍ୱାକୁ, ଉରସ୍ଥଳେ-ଛାତିରେ, ଝାଳି- ଯୋଡ଼ି ।

 

(୮୫)

ରାଗ—ତୋଡ଼ି—ପହପଟ୍ଟ

 

‘ନାହିଁ’ କରୁ କାହିଁକି ମୋ ଗଳାମୋତିମାଳି ରେ । ଘୋଷା।

 

ପୀଡ଼ିବି ନାହି ଦନ୍ତରେ, ଲାଲ ଦନ୍ତବାସ ଧୀରେ

ରସନାକୁ ଦେବି ସିନା ଚାଳି ରେ ।୧।

 

ଆରୋହ ଅଙ୍କ ତଳପ, ପୂରୁ ମୋର ସଙ୍କଳପ

ଦେବାକୁ ମଦନ ମୁଖେ କାଳି ରେ ।୨।

 

ଡରୁ କରଜଲାଞ୍ଛନ, ହେବାରୁ କଠିନ ସ୍ତନ

ହେଲେ ହେବ ଦେବୁ ପଛେ ଗାଳି ରେ ।୩।

 

ଆରେ କାମ-କଳାନିଧି, ହେବି ଯେବେ ଅପରାଧୀ

ନୟନାନ୍ତେ ଧୃତି ଦେବୁ ଟାଳି ରେ ।୪।

 

ଶ୍ରୀ ମୁକୁନ୍ଦଦେବ କହେ, ହେବକୁମ୍ଭ ସ୍ତନ ସ୍ନେହେ

ଉର ସ୍ଥଳେ ଦିଅ ମୋର ଢାଳି ରେ ।୫।

 

(୮୬)

ରାଗ—ପୂରବୀ—ଝୁଲା

 

ନାହିଁ ରୁଷିଲା ଯେ କମ୍ପାଇ ଶ୍ରୀମୁଖ-ଶଶୀ

ନବ ବିଦ୍ରୁମ ବିଡ଼ମ୍ୱିତ ଅଟରେ

ଦରହାସ ଥିଲା ମିଶି । ଘୋଷା ।

 

ଚନ୍ଦ୍ର ଖଣ୍ଡ ଗଣ୍ଡେ ଚୁମ୍ୱ ଦେଇ

ଦିନେ ବୋଇଲି ରାମାମଣିକି

ନବସପତବୟସୀ ମୋ ଶପଥ

ନଚା ତୋ ନାସାମଣିକି ।୧।

 

ବିଜେ ରତିଅନ୍ତେ ବସାଇ

ପୂରତେ ରସାଇ ଚୁମ୍ୱନମିଶା

ଦନ୍ତକ୍ଷତ ଦତ୍ତ କରି ମୁଁ ଅଧରେ

ଦିଅ ବୋଲୁ ମୋତେ ରସା ।୨।

 

ଦିନେ ପୁଷ୍ପଭେଦେ ରତିରସମୋଦେ

ମାଗନ୍ତେ ମୁଁ ନିଧୁବନ

କେଶୁଁ କରବୀର କୁସୁମ

ପକାଇ କ୍ଷତିକି କଲା ଲପନ ।୩।

 

ଦ୍ୱିରଦ-ଦଶନ ପଲଙ୍କ ଉପରେ

କରି ଯେ ଥିଲା ଶୟନ

ଫିଟାନ୍ତେ ନୀବିକି ଚାହିଁ

ସ୍ୱାଭାବିକ ବୁଜି ନଳିନୀନୟନ ।୪।

 

ଅଷ୍ଟଦୁର୍ଗାଧିପ ବାଲୁକେଶ

ନୃପ ଜଗଦ୍ଦେବ ରସେ ଭଣି

ଧନ, ତୁ ମନରେ ମାନ ନ

କରିବୁ ବୋଲି ଧରନ୍ତି ତା’ ପାଣି ।୫।

 

(୮୭)

(ରାଗ—ସାବେରି)

 

ନାହିଁ ତୋହର ସମାନ ‘ମୋହ’ ‘ରସ’ –ସ୍ଥାନ

ବନ୍ଧୁ ମୋହର ସନ୍ତାନ ।୦।

ତୋ କେଶକୁ ଅତି ପରବଳ ‘ପର’ ମଣି,

ଜିଣି ନ ପାରବେ କେବେ ବଳପ ରମଣୀ ।୧।

 

ଚନ୍ଦ୍ରର ତୋ ମୁଖ ଦେଖି ସାର ସରିଗଲା

କଣ୍ଟକରେ ବିଦ୍ଧ ହେଲା ‘ସାରସ’ର ଗଳା ।୨।

 

ଜାଣିଥିବ ଯେ ବା ଅକପଟ ନୟ ନର,

‘‘ତୁଳା ନାହିଁ’’ ବୋଲିବ ନିପଟ ‘ନୟନ’ର ।୩।

 

ଧନ ! କି ଜିଣିଚୁ ଘନ ସାରକୁ ‘ହାସ’ ରେ ?

ଏ ସଂସାରୁ ‘କୁନ୍ଦ’ ପ୍ରଶଂସାର କୁହା ସରେ ।୪।

 

ଘେନୁଚି ମୁଁ ମନେ ଏହା ସୁଗଜଗତି ରେ !

ଝଷଧ୍ୱଜର ‘ଆଶୁଗ’ ତୁ କି ଜଗତୀରେ ? ।୫।

 

ତୋ’ ଗଣ୍ଡକୁ ଅନାଇଁଲେ ‘ଆଦରଶ’ ହିତେ

ଘେନାଯାଏ ନାହିଁ ‘ମଜ୍ଜା’ ଆଦର ସହିତେ ।୬।

 

‘ଜଗଦ୍ଦେବ’ ବୋଲେ ‘‘ଧନ୍ୟ ନବ ସରସା ରେ !

ମଣ୍ଡିଥା ମୋ’ ଅଙ୍କ, ଖସି ନ ବସ ‘ରସା’ ରେ’’ ।୭।

 

(୮୮)

 

ନିମଜ୍ଜା ମନକୁ ରସେ, ପରିଜନ-ମଜ୍ଜା ସମଜା ।୦।

ଫୁଲିଚି ଗୁରୁ ଗରବେ ନିରତେ ‘ମଦନ ରଜା’,

ନିଧୁବନ-ଆହାରରେ ନୂତନ ଛଇଲା ! ଭରଜା ।୧।

 

ଥାଏ ତ ତହିଁ ‘ମରଜି’ ତୋହରି; ଓହରି ନ ଯା;

ହଟି ନ ଯାଇ ବିଳାସ-ଡିଣ୍ଡିମ- ନିକୁରମ୍ବ ବଜା ।୨।

 

କରୁଣା ଜଳଧି, ମଥା ପୋତି ତୁ ‘ଧୃତି’ ନ ହଜା;

ପରମ ତପୋବଳେ ତ ତୋ’ର ବଶ କଲେ ଗିରିଜା ।୩।

 

କହୁଚି ତୋ’ ମନ-କଥା ତନୁରେ ‘ପୁଲକ-ଗଜା’

‘ଜଳନ୍ତର’-ଭୂମି ସୁରାଧୀଶୁଁ ଧନ ! ବରଜ ଲଜା ।୪।

 

(୮୮) ରସେ- ଶୃଙ୍ଗାରରେ, ପରିଜନ ମଜ୍ଜା ସମଜା- ପରିବାରର ଅଭିପ୍ରାୟ ବୁଝାଇ ଦେ, ନିଧୁବନ ଆହବରେ- ରତିକ୍ରୀଡ଼ା ରୂପକ ଯୁଦ୍ଧରେ, ଭରଜା- କର୍ତ୍ତବ୍ୟ ପୂରଣ କର, ନିକୁରମ୍ବ- ସମୂହ,

ଗିରିଜା- ପାର୍ବତୀ, ଭୂମିସୁରାଧୀଶୁଁ- ରାଜାଙ୍କଠାରୁ ।

 

(୮୯)

ରାଗ—ଶ୍ୟାମ—କଲ୍ୟାଣ—ଆଡ଼ତାଳି

 

ନୂଆ ଛଇଳା, ଥରେ ରସେ ରସାଇବି ରେ

କଦନକୁ ମୋ ଧନ ଲସାଇବି ରେ ।୦।

ସକରୁଣ ସ୍ମିତେ ଅଙ୍ଗୀ-

କାର କର ଶିରିଷାଙ୍ଗୀ

ତଳୁ ତୋଳି କୋଳରେ ବସାଇବି ରେ ।୧।

 

ଚୁମ୍ୱି ଚୁମ୍ୱାଇ ଅଧର

କରେ ଦେଇ ପୟୋଧର

ଗଣ୍ଡେ ଗଣ୍ଡସ୍ଥଳକୁ ଘଷାଇବି ରେ ।୨।

 

ମୋ ଛାତି ଚନ୍ଦ୍ରପରାଗୁ

କିଛି ତୋ କୁଚାଗ୍ରେ ଲାଗୁ

ମଦନର ଭଗାରି ହସାଇବି ରେ ।୩।

 

ତୋ ଭୁଜେ ମଣ୍ଡି ମୋ ଗଳ

ଦୁହିଁଙ୍କ ମନଯୁଗଳ

ରସାନନ୍ଦ ପ୍ରବାହେ ଭସାଇବି ରେ ।୪।

 

କହେ ଅଷ୍ଟଦୁର୍ଗନାଥ

ପୂରି ଦୁଇ ମନୋରଥ

ପାପତାପଯାକକୁ ଖସାଇବି ରେ ।୫।

 

(୯୦)

ରାଗ—ପୁରବୀ

 

ନୂଆ ରସିକା ରେ ଗୁଆଁର ମୋ ସମ କାହିଁ ।

ତୁ ଆଚରୁଥାଇ ଗୁମାନ ବୋଲି ଯା

ମୁଁ ଆରମ୍ଭୁଥାଏ ତାହିଁ ।ପଦ।

ନବଲତା ଲୋଳ ଶାଖେ ନିଷେଧିଲେ

ଲଭି ସମୀରଣ ସଙ୍ଗ;

ମକରନ୍ଦ ପାନ ଉତ୍ସବରେ ମନ

ନ କରଇ ନିକି ଭୃଙ୍ଗ ।୧।

 

ରସବତି ଘେନ ତେଜିଲେ

ଜୀବନ ଝଷ ବରତିବ କେହି;

ମଣି କରକଶ ବୋଲି

ବରଜିବା ବଣିକର ଭାଗ୍ୟ କାହିଁ ।୨।

 

ଅଗତିକି ମୁହିଁ ବୋଲି ତ ଜାଣଇ

ଜଗତୀତଳେ ତୋ ବିନା;

ଚରଣକଞ୍ଜେ ତୁ ପେଲି ଦେଲେ

ହେଲେ ଶରଣ ବୋଲିବି ସିନା ।୩।

 

ଯାହା ପାଦେ ଲାକ୍ଷା ଲେଖୁଥିଲେ

ଶଚୀନାହାପଦ ତୁଚ୍ଛ କରି ;

ତାହା ପରା ରମ୍ୟ ପଦାର୍ଥକୁ

ଯାହା ପର ପରିଭବ ସରି ।୪।

 

ଅଷ୍ଟଦୁର୍ଗନାଥ ବୋଲେ ଜାଣୁ

ଜାଣୁ କଷ୍ଟଦ କାମ ଚରିତ;

ଜମ୍ବାଳ ଲାଗିଲା ବୋଲି

ଦରଜିଲି ବିମ୍ୱାଧରା ମରକତ ।୫।

 

(୯୧)

ରାଗ—କାମୋଦୀ—ଆଠତାଳି

 

ପଙ୍କଜ-ଲୋଚନା, ମୁଁ ତୋ ଦାସ ରେ

ଅଙ୍କ ଜଗତୀକି ଥରେ ଆସ ରେ । ଘୋଷା ।

 

ସହି ମଦନାଳସା, ମହୀ-ମହିଳାଭୂଷା

ବହି ମନରେ ରୁଷା ରହି କି ବିରସ ରେ ।୧।

 

ବାରଣ-ଗତି ମୋର, ସାର ବଜ୍ରପଞ୍ଜର ମାର

ଫୁଲ ପ୍ରହାର ଛାରକୁ ଏ ତ୍ରାସ ରେ ।୨।

 

ମାନବେଶ କିଞ୍ଚିତେ, ମାନୁ ନାହିଁଟି ତୋତେ

ଆନଟି ମୋର ଚିତ୍ତେ ମାନ ରସରାସ ରେ ।୩।

 

ପୂରି କାମନା ମୋର, ଚୂରି ଦେବା କର୍ପୂର---

ପରି ସ୍ମିତକଧର ଗୋରୀ ଦନ୍ତବାସ ରେ ।୪।

 

ହରିଚନ୍ଦନ ଭାଷେ, ହରି ଚାଟୁ ବିଳାସେ

ହରିଣନେତ୍ରା ତୋଷେ ବିରଚିଲେ ହାସ ରେ ।୫।

 

(୯୨)

ରାଗ—ତୋଡ଼ି; ତାଳ—ଝମ୍ପା

 

ପର-ପୀରତିରୁ ଲାଭ ଏତିକି ଗୋ

ଛାତି ପାତିବାର ହେତିକି ଗୋ ।

ବନବନ ବୁଲି ସ୍ନେହ ମୋହେ, ଥନଥନ କରି ନେତ୍ରକୁ ହେ

ଛନଛନ ହୋଇ ପାଇବାର ଭୀତିକି ଗୋ । ଘୋଷା ।

 

ଅଳପ ଲୋକରୁ ଲଭି ବଡ଼ ଭୟ,

ତଳପକୁ ନ ଅଣ୍ଟେ ପଲ୍ଲବଚୟ

ଜଳପି ବାତୁଳପରି, କଳପିବାର ପାସୋରି

ଜଳ ପିଆଇ ନୟନୁ କ୍ଷିତିକି ଗୋ ।୧।

 

କାହାର ଗିରରେ ନୁହଇ ବିଶ୍ୱାସ,

ଆହାର ବିହାର ହାର ହୁଏ ବିଷ

ଆହା ରାବ ତୁଲେ ଶ୍ୱାସ, ବାହାର ହୁଏ ବିଶେଷ

ପ୍ରହାରେ ପଞ୍ଚମ ଧ୍ୱନି ଶ୍ରୁତିକି ଗୋ ।୨।

 

ନିଶି ନିଦ ବୋଲି ନ ଜାଣଇ ଆଖି,

ବିସିନୀଦଳ ତଳପ ତହିଁ ସାକ୍ଷୀ

ମିଶି ନିରବଧି ଗିରେ ଇସି ନିରତ ଉଚ୍ଚାରେ

ଶଶୀନିନ୍ଦାରେ ପୁହାଇ ରାତିକି ଗୋ ।୩।

 

ମନ୍ତର କି ନ ଜାଣଇ ସେହି ଜନ,

ଅନ୍ତର ବାହାରେ ଦିଶେ ତା ବଦନ

ଦନ୍ତବାସ ରୁଦ୍ଧ ମନ୍ତ୍ର, ଉଚ୍ଚାରି ଅଙ୍ଗେ ସନ୍ତତ

ରୋମାଞ୍ଚିତ ହର୍ଷ ବେଳ ଗତିକି ଗୋ ।୪।

 

ସଳଖ ମାର୍ଗ ତ୍ୟାଗରୁ ପଡ଼େ ହୁରି,

ବଳଖଣ୍ଡନ ହୁଅଇ ଝୁରି ଝୁରି

ପଳ ଛ’ଚିନା ଗଞ୍ଜଣା, ଫଳରେ ଲଭି ଏ ଜଣା,

ଅଷ୍ଟଦୁର୍ଗବସୁମତୀପତିକି ଗୋ ।୫।

 

(୯୩)

ରାଗ-ଝୁଲା

 

ପର ପ୍ରେମ ପୋଡ଼ୁ ଗୋ, କାହିଁକି ତା ଲୋଡ଼ୁ ଗୋ

ମାଗୁଛି ଏତେ ତା ମୋ ଶ୍ରବଣେ ନ ପଡ଼ୁ ଗୋ ।୦।

 

ପ୍ରଳୟ ବହ୍ନିରୁ ବଳେ ମଳୟଜ ମରୁତ

ନିକର ବଇରୀ ଯୁବ ପିକରବ ବିରୁତ ।୧।

 

ବିଧୁର ହୁଅଇ ତନୁ ବିଧୁର କରତେଜେ

ନିମି ନିଦ ନ ଲାଗଇ ବିସିନୀଦଳ ଶେଯେ ।୨।

 

ଦଶନେ କରାଅ ତୃଣ ଅଶନେ ତ ଅରୁଚି

ରୂପକାନ୍ତି ହରେ ଏହି ଉପକାର କରୁଚି ।୩।

 

ଭ୍ରମର ଖର୍ଜନ ମିଶେ ଯମର ତର୍ଜନରେ

ରଜନୀ ଦୁଃଖି ତ ଥିବ ସଜନୀ ତୋ ମନରେ ।୪।

 

ସରି ଏକା କରିକୁମ୍ଭ ପରି ଧରିଥିବାର

କେ ସହିବ ଏ ସମୟେ ବେଶ ବାସି ହେବାର ।୫।

 

ଆଳି କହେ ହେବ ଏହି ପାଳିକ ତୁ ସହିଲେ

ଅଷ୍ଟଦୁର୍ଗ-ମଣ୍ଡଳାଖଣ୍ଡଳ ରସେ କହିଲେ ।୬।

 

(୯୪)

ରାଗ—ସାରଙ୍ଗ—ଝୁଲା

 

ପରବ ଚନ୍ଦ୍ରମାମୁହୀଁ, ପର-ବତ ମତେ ନ କର ତୁହି ରେ,

ପରବତ ରତେ ସହି, ମୋ ଧନ ରେ ।୧।

 

ନିଧୂବନ ବିଚକ୍ଷଣା, ବିଧୁର କିପାଇଁ ହେଉ ସୁମନା ରେ,

ମଧୁର ବଚନ ଶୁଣା, ମୋ ଧନ ରେ ।୨।

 

ବରସାରସ ଗମନେ, ନ ରସାଇ ରସେ ମନ କି ମନେ ରେ

ଭରସା ତୁ ତ ଭୁବନେ, ମୋ ଧନରେ ।୩।

 

ସନକ ମନମୋହନା, କନକ ତନୁକୁ ମ୍ଳାନ କରନା ରେ,

ଧନ କରୁଛି ଯାତନା, ମୋ ଧନ ରେ ।୪।

 

ମଦନ ଦର୍ପଣମୁଖୀ, ବଦନ ତୋହର ଶୁଖିଲା ଦେଖି ରେ,

କଦନ ଲଭଇ ଆଖି, ମୋ ଧନ ରେ ।୫।

 

ପରମ ଦୟାଳୁ ହୋଇ, ପର ମଣି ମୋତେ ନ ଚାହୁଁ ସହି ରେ,

ମରମକୁ ବାଧେ ଏହି, ମୋ ଧନ ରେ ।୬।

 

ହରଶତ୍ରୁ ବିନ୍ଧେ ଶର, ହରଷେ ଅପାଙ୍ଗେ ଅନାଇଁ ମୋର ରେ,

ହର ସବୁ ଦୁଃଖଭାର, ମୋ ଧନ ରେ ।୭।

 

ଶରମରେ ଲଭିଥିଲି, ନରମଅଙ୍ଗୀ ନ ଚାହିଁଲୁ ବୋଲି ରେ,

କରମକୁ ଆଦରିଲି, ମୋ ଧନ ରେ ।୮।

 

କୁରଙ୍ଗ ଚାରୁ ଲୋଚନା, ସୁରଙ୍ଗ ଅଧରେ ମାଧୁରୀଘେନା ରେ,

ତୁ ରଙ୍ଗରେ ବାରେ ଅନା, ମୋ ଧନ ରେ ।୯।

 

ହୀରକରଦନୀ ଧନ, ଧୀର କରି କର ତୁ ଆଲିଙ୍ଗନ ରେ,

ଗିର କରି ପଦେ ଦାନ, ମୋ ଧନ ରେ ।୧୦।

 

ଛଇଳୀ ଥିବ କି ମନେ, ଧଇଲି କର ନ ଘେନିଲୁ ଦିନେ ରେ,

ରହିଲି ମୁଁ ଅଭିମାନେ ମୋ ଧନ ରେ ।୧୧।

 

ରସିକା ସେଦିନ ନିଶି, ରସି କାମେ ମୋର ମନକୁ ତୋଷି ରେ,

ହସି ଏକା ଗଲୁ ମିଶି, ମୋ ଧନ ରେ ।୧୨।

 

ଗତ ରସକଥା ମାନ, ଗତରସ କିପାଁ କରୁଛୁ ଘେନ ରେ,

ସତରବୟସୀ ଧନ, ମୋ ଧନ ରେ ।୧୩।

 

ହରିଚନ୍ଦନ, ବୋଲନ୍ତି, ହରିଚନ୍ଦନୁ ତ ଶୀତଳ ଅତି ରେ,

କରିଛୁ କଠୋର ମତି, ମୋ ଧନ ରେ ।୧୪।

 

(୯୫)

ରାଗ—ତୋଡ଼ି ପରଜ; ତାଳ—ଏକତାଳି

 

ପରାଣ ଛାର କି ଲୋଡ଼ା ରେ ସଙ୍ଗାତ,

ପରାଣ ଛାର କି ଲୋଡ଼ା ? । ଘୋଷା ।

ପ୍ରିୟଜନ-ପ୍ରୀତି ପୀୟୂଷ-ପ୍ରବାହ ହୁଅଇ

ଯେବେ ଖଦଡ଼ା ରେ ।୦।

 

ପାସୋରେ ହୃଦୟ ଭିତରୁ ସଦୟପଣ ପରମ ମୁହାଁସ.

ପେଟଯାକ ପୂରିଥିବ ଯେବେ କୂଟ

ମୂଖେ ଥିବ ମନ୍ଦହାସ ରେ ।୧।

 

ଛଳପୂର୍ଣ୍ଣ କରି ମୃଦୁ ବାଣୀ ଝରୀ ବିରହୀ ହୃଦେ ଢାଳିବା,

ନିଦାଘେ ତାପିତ ବନଲତା ହିତ

ହାତଟେକା ଜଳ ଦେବା ରେ ।୨।

 

ପଣୟ ପରଖ କରି ଲକ୍ଷ ଲକ୍ଷ ସବୁ ବୁଝି ଅନୁଭବେ,

ପ୍ରୀତିଠାରୁ ବଡ଼ କେହି ନାହିଁ ବୋଲି

ବିବେଚନା ନାହିଁ ଯେବେ ରେ ।୩।

 

କବି-ଦିନକର ରାୟଗୁରୁ ବୋଲେ ଏବେ ସବୁ ଜଣାଗଲା,

ପକାଇ ପବିତ୍ର ସ୍ଥଳେ ସ୍ଥୂଳଗାତ୍ର

ପରମ ପଦକୁ ଚଲା ରେ ।୪।

 

(୯୫) ଟୀକା- ମୁହାଁସ- ଗର୍ବ, କୂଟ- କପଟ, ଝରି- ଜଳପାତ୍ରବିଶେଷ ।

 

(୯୬)

ରାଗ—ମୁଖାବରୀ—ଆଠତାଳି

 

ପାରିବୁ କି, ରସେ ହାରିବୁ ରେ । ଘୋଷା ।

ନବଖଣ୍ଡ ମେଦିନୀ-ମଣ୍ଡନା ଜୀବଧନୀ

ଋଷିମନମୋହିନୀ ଶ୍ରୀମୁଖେ ଚୁମ୍ୱ ଘେନି ।୧।

 

ତୁ ତ ନ ଜାଣୁ ରତି, ମତ୍ତ ବାରଣଗତି

କିପରି ଆଜ ରାତି ପତି ସଙ୍ଗତେ ମାତି ।୨।

 

ଗେଲାଇ ନାହିଁ ନାହିଁ, ଭାଷେ ଚନ୍ଦ୍ରମାମୁହିଁ

କେଳିତଳପେ ରହି କରଜ ଦାଉ ସହି ।୩।

 

ଭଲା ତା’ ନାସାମଣି, ମୋ ମନ ନେଲା କିଣି

ରତି-ସମରେ ଜିଣି, ତାହାକୁ କିଣିଆଣି ।୪।

 

ଚକ୍ର କରି ନୋଥକୁ, ମାରି ମନମଥକୁ

ପୂର୍ଣ୍ଣ ମନୋରଥକୁ ଜଳନ୍ତର ନାଥକୁ ।୫।

 

(୯୭)

 

ପାରିବୁ ରେ, ରସେ ଘାରିବୁ ରେ ! ।୦।

ନବ ଖଣ୍ଡ ମେଦିନୀ ନବ ମଣ୍ଡନା ଧନି,

ମୁନି ମନ ମୋହିନି, ଚିବୁକେ ଚୁମ୍ୱ ଘେନି ।୧।

 

ଗେଲାଇ ‘ନାହିଁ ନାହିଁ’ ଭାଷି ଚନ୍ଦ୍ରମା ମୁହିଁ !

କେଳି ତଳପେ ରହି କରଜ ଦାଢ଼ ସହି ।୨।

 

ଚାଟୁରେ ଭରଜାଇ ଡାକିବାରେ ନ ଯାଇ

ଆଲିଙ୍ଗନେ ମଜ୍ଜାଇ ଚେତନାକୁ ହଜାଇ ।୩।

 

ଇଙ୍ଗିତ ଭଙ୍ଗି-ମଝି ସଂସାର ଭାବ ବୁଝି

ପ୍ରିୟ ବିନୟେ ରିଝି ମଦନ ରଣେ ଯୁଝି ।୪।

 

ପ୍ରବନ୍ଧ ପଟ ଆଣି, ଚାହିଁ ସେ କ୍ଷଣି ଜାଣି

କିଙ୍କିଣୀ କିଣି କିଣି ରବେ ମାନସ କିଣି ।୫।

 

ଚକ୍ର କରି ନଥକୁ, ମାରି ମନମଥକୁ,

ପୂରା ମନୋରଥକୁ ଜଳନ୍ତର ନାଥକୁ ।୬।

 

(୯୭) ରସେ ଘାରିବୁ- ରତିକ୍ରୀଡ଼ରେ ମଜ୍ଜିଯିବୁ, କରଜ ଦାଢ଼- ହାତ ନଖର କ୍ଷତ, ଭରଜାଇ- ସମଜାଇ, ରିଝି- ମଣାଇ, ମଦନ ରଣେ- ରତିକ୍ରୀଡ଼ାରେ, ପ୍ରବନ୍ଧପଟ- ଭଲ ଚିତ୍ରପଟ, ମନମଥକୁ-ମନ୍ମଥକୁ, ମନୋରଥ- କାମନା ।

 

(୯୮)

ରାଗ-କେଦାର-ଆଦିତାଳ

 

ପ୍ରାଣନାଥ ବିଜେ ବେଳ ବଳିଲା ରେ । ଘୋଷା ।

ସଖୀ, ହେଲା କି ପାପ       ଦେଖା ଏ ଚନ୍ଦ୍ରାତପ—

ବନ୍ଧା କୁସୁମ ଥୋପ ଆସି ଲୁଳିଲା ରେ ।୧।

 

ତୁଟିଲାନି ମୋ ହୃଦ-            ପୁଟେ ଥିଲା ପ୍ରମୋଦ

ମଥାପରୁ କୁମୁଦବନ୍ଧୁ ଟଳିଲା ରେ ।୨।

 

ଦେଲା ଆହା କି ଫଳ            ଭଲ ତ ମୋ କପାଳ,

ଲଗାଇଲେ ରସାଳ ନିମ୍ୱ ଫଳିଲା ରେ ।୩।

 

ମଣ୍ଡାଇଲି ନିବାସ,            କିପାଁ ହେଲି ଏ ବେଶ,

ଆନେ ତେବେ ଜୀବେଶ ମନ ବଳିଲା ରେ ।୪।

 

ଛୋଟରାୟ ନୃପତି,            ବିଜେ କଲେ ଏ ରାତି,

ଜାଣ ସବୁ ସମ୍ପତ୍ତି ମୋତେ ମିଳିଲା ରେ ।୫।

 

(୯୯)

ରାଗ—ଆନନ୍ଦ ଭୈରବୀ—ତ୍ରିପଟା

 

ପ୍ରାଣବନ୍ଧୁଆ, ଆଜ ତୋ ଅନାଉଣି ନୂଆ ରେ । ଘୋଷା ।

ସ୍ମିତ କାନ୍ତି ପ୍ରସରୁ,            ସରୁମଧ୍ୟାରେ କରୁ,

ବସୁଧା ସୁଧାରେ ଗାଧୁଆ ରେ ।୧।

 

ହିୟାରେ ଢଳି ମୋର,      ସୁଆଦ ରଦାମ୍ୱର,

ପିଆଇ ଧନ ମୋତେ ଜିଆ ରେ ।୨।

 

ନିଶ ମରଦୁ ଅଛି,            କି ସମଜୁଛୁଛି ଛି,

ବିଷମ ବିଶିଖ-ମଦୁଆରେ ।୩।

 

ଅମଳ ମୃଦୁ ଦେହା,            ଶ୍ୟାମଳ ଉରେ ବୁହା,

ଯାମଳ ପୀୟୂଷ-ମାଠିଆ ରେ ।୪।

 

ଶ୍ରୀ ଜଗଦ୍ଦେବ ଭାଷେ,      ଦେବୀ ସବ୍ରୀଡ଼ ହାସେ,

ଅଣିମାଦି ସୁଖକୁ ଦିଆ ରେ ।୫।

 

(୧୦୦)

ରାଗ—ଝିଂଝୋଟି—ଏକତାଳି

 

ପ୍ରାଣବନ୍ଧୁଆ ରେ ତୋ ଶୋଭାକୁ ଚାହିଁ

ପୁରନ୍ଦର ସମ୍ପଦ ମୋ ନେତ୍ର ଲୋଡ଼ୁ ନାହିଁ । ଘୋଷା ।

 

ଫୁଲ୍ଲ ପଙ୍କଜ ଚନ୍ଦ୍ର ଦର୍ପଣ ସନ୍ଦରାନନୀ ମୋ ଧନୀ

ହେମ ଚମ୍ପକ କେତକୀ ତନୁ ଶମ୍ଭୁ-ଦମ୍ଭ ବିନାଶିନୀ

ତାର ହୀରକ କୁନ୍ଦ ମୌଳିକ କାଶହାସୀ ବିଳାସିନୀ

ଧରା ଧନ୍ୟ ହେଉଛି ତୋ ପାଦ ସଙ୍ଗ ଘେନି ।୧।

 

ନୀଳଉତ୍ପଳ ଖେଳ ଚଞ୍ଚଳ ମୀନ ଖଞ୍ଜନ ଲୋଚନୀ

ବୀର ମନ୍ମଥ ବାଣ ସମ୍ଭବଟି ଦୁଃଖ ବିମୋଚନୀ

ଲୋଳ ଲୋଚନ କଞ୍ଜରଞ୍ଜନ କୁଞ୍ଜରାଧିପ ଗାମିନୀ

ଅନଙ୍ଗ ମଙ୍ଗଳ ରମା ତୁ ମନ ମୋହନୀ ।୨।

 

ମଞ୍ଜୁଳାଞ୍ଜନ-ପୁଞ୍ଜଗଞ୍ଜନ ନୀଳକୁନ୍ତଳପାଶିନୀ

ଭକ୍ଷିତାନିଳ ଯୋଗୀମଣ୍ଡଳ ଯୋଗଖଣ୍ଡନ ବେଶିନୀ

ସାନ୍ଧ୍ର ଚନ୍ଦ୍ର ପରାଗ ସଙ୍ଗତ ଗନ୍ଧସାର ସୁବାସିନୀ

କୁତାର୍ଥ ହୋଇଲା ଯଉବନ ତୋହ ଘେନି ।୩।

 

ବକ୍ର କୋମଳ ବାଣୀ ବର୍ତ୍ତୂଳ ଚନ୍ଦ୍ରଚାରୁ ନିତମ୍ବନୀ

ଶକ୍ର ବାରଣ କୁମ୍ଭ ଭୂଧର ଚକ୍ରବାଜ ଘଟସ୍ତନୀ

ଲାଲ ପଲ୍ଲବ ବିଦ୍ରୁମ ଭ୍ରମ କରମାଧରି ଭାବିନୀ

ରାମଚନ୍ଦ୍ର ଦେବେ କେବେ ନୋହିବୁ ଗୁମାନୀ ।୪।

 

(୧୦୧)

 

ପ୍ରାଣବନ୍ଧୁ, କର ଗରବ କାହିଁକି ରେ;

ପରବ ଚନ୍ଦ୍ରମା ଚିତ୍ତେ, ବଳିଲାନି କି ତୋ ଝଳି

ଲାବଣ୍ୟାଦି ଗୁଣଗଣରୁ କିଞ୍ଚିତେ । ଘୋଷା ।

 

ଜଳଧର ପଙ୍କ, କି ଅବା କଳଙ୍କ

ଖଣ୍ଡେ ଶିରୀକରି ଫୁଲେ,

ନାହିଁ କି ନଜର, ରସାଳସା ତୋର

ନେତ୍ର ଇନ୍ଦୀବର ଫୁଲେ ।୧।

 

ମୋ ସୁଧାତୁଳରେ, ବସୁଧା ତଳରେ

କେ ଅଛି ବୋଲି ଯା ଭାବେ,

କର୍ଣ୍ଣେ ନାହିଁ ଶୁଣି, ତୋ ମୃଦୁଳ ବାଣୀ

ବିଳାସକୁ ପରା ଲବେ ।୨।

 

କରିଛି କି ମନେ, ଏ ତିନି ଭୁବନେ

ମୁଁ ଏକା ରଜନୀକର,

ଫୁଲ ଶେଯରତେ, ତୋ ଚରଣେ କେତେ

ଲାଗଇ ରଜ ନିକର ।୩।

 

ଜଗତୀରେ ଏକା, ମୋହରି ଚନ୍ଦ୍ରିକା

ରୁଚିର ବୋଲି ଯେ ବୋଲେ,

କୁନ୍ଦ ବିକାଶକୁ, ନିନ୍ଦିବା ହାସକୁ

ଖେଳାଇ ହେବୁଟି ଗେଲେ ।୪।

 

ଭାବୁଅଛି ଚିତ୍ତେ, ଭଜିଛନ୍ତି ମୋତେ,

ଅନେକ ନକ୍ଷତ୍ରମାନେ,

ଶ୍ରୀହସ୍ତ ଚରଣ-କଞ୍ଜ ନଖଗଣ

ଶୋଭା ଚାହିଁ ନାହିଁ ଦିନେ ।୫।

 

ଟେକିଦିଅ ମୁଖ, ଏ ସିତ ମୟୂଖ—

ଜିତ ହୋଇ ମରୁ ଚଳି

ନିତି ନିଧୁବନେ, ଅନେକ ବିଧାନେ

କେତେ ଚନ୍ଦ୍ର ଥାଇ ଚଳି ।୬।

ଚକୋର ଏହାର, ବଡ଼ ପରିଚାର

ତୁ ସେବା ଦେଇଛୁ ମୋତେ,

ଅଷ୍ଟଦୁର୍ଗ ଧରାମଣ୍ଡଳୀ ଅମରାବତୀ—

ପତି ବୋଲେ ଗୀତେ ।୭।

 

(୧୦୨)

ରାଗ—ଭୈରବୀ—ଆଠତାଳି

 

ପ୍ରିୟ ସହି, ଏତେବେଳକୁ ଥାଅ ମୋତେ କହି ରେ,

ତହିଁରେ ମୁଁ ନାହିଁ ଅବଗାହି ରେ । ଘୋଷା ।

 

ପ୍ରଥମ ପ୍ରବେଶ କାଳେ,       ଆଚ୍ଛାଦି ଅଙ୍ଗ ଦୁକୂଳେ,

ଉଭା ହେବି ସିନା ତଳେ,      କେଳି ତଳପକୁ ବଳେ

ଘେନିଯିବେ, ସେହି ସ୍ନେହ ବହି ରେ ।୧।

 

ମାର ମନେ ଖେଳୁଥିବ,       ପ୍ରଦୀପ ଯେ ଜଳୁଥିବ,

ବିବେକ ତ ଟଳୁଥିବ,            ଲାଜ ତ ପ୍ରବଳୁଥିବ,

ତାଙ୍କ ମୁଖ, ଅନାଇବି କେହି ରେ ।୨।

 

ମଦନ-ମଦ ଅମଳେ,            ଚେତା ନ ଥିବାରୁ ଭଲେ,

ଲୋଭ ବଶୁଁ ଅବା ଗେଲେ,      ପୁନଃ ପୁନଃ ଚୁମ୍ୱ ଦେଲେ,

ସ୍ଥିର ହୋଇ ରହି କି ନ ରହି ରେ ।୩।

 

ବୋଲୁ ଯେ ଅଛି ବିଧାନ,      ବାଜି କରରୁହ ମୂନ,

ଦେହରେ ନ ରଖି ସ୍ଥାନ,      ପୁଣ ଗାଢ଼େ ଆଲିଙ୍ଗନ,

ଏତେ ଦାଉ, ପାରିବି କି ସହି ରେ ।୪।

 

ବିନତି ହୋଇ କହିଲେ, ଏତେ ଅବା ହେବ ହେଲେ,

କି କରିବି ନୀବୀ ତୁଲେ,      ହଟୁ ପ୍ରିୟ ରଚିଲେ,

ସହିବାର, ପଡ଼ଇ କି ତାହି ରେ ।୫।

 

ଅଷ୍ଟଦୁର୍ଗ ନାଥ ଭଣେ,            ତୋଷ ଗୋ ସଖୀ ଜଣାଣେ,

ମଣ୍ଡି ମଣି ଆଭରଣେ,      ବନ୍ଦିବା ଶିବା ଚରଣେ,

ଆସିଲେ ମୁଁ, ଲୋକହସା ହୋଇ ରେ ।୬।

 

(୧୦୩)

ରାଗ—କାଫି—ଆଡ଼ତାଳ

 

ପୁଚ୍ଛ ତ ସେ ରସଭୋଗୀକି ଗୋ,

କାହୁଁ ହେଲା ଶିଖା ସଖୀକି ଗୋ

ସଂସାରେ ସଂସାର ଗୁରୁ କେଳିକାଳେ

ସଖୀ କି ପାଖରେ ରଖିକି ଗୋ ।

 

ନବନିର୍ଗତ ମଧୁ ମଧୁରସା,

କ୍ଷୀର ସର ସାର କର୍ପୁର ମିଶା

ଖଣ୍ଡକୁ ପରି ଗଣ୍ଡକୁ କରିବାର

ସହଇ ଆଜନ୍ମ ସୁଖୀକି ଗୋ ।୧।

 

ଯହିଁ ସମର୍ପି ପରାଣେ ପରାଣ,

ଯା ନିର୍ବାହକୁ ଲକ୍ଷ ଲକ୍ଷ ରାଣ

ନ ଜାଣି ସେ ବିଧି ବନି ଅପରାଧୀ

ପୁଣି ହୋଇ ଦୁଃଖୀ ଦୁଃଖୀକି ଗୋ ।୨।

 

ଦୃଷ୍ଟି ଦେଇ ଆଜ ବାଳା ବଦନେ,

ଅନୁମାନ କଲି ମୁଁ ମନେମନେ

ଶମ୍ୱରାରିରଣ-ଡମ୍ୱର ସମ୍ଭାର,

ନୁହଇ ସେ ମୁଖାମୁଖୀକି ଗୋ ।୩।

 

ହେଲେ ହେଲେ ପିଉଁ ପୀୟୂଷରସ,

ଘଣ୍ଟାଘଣ୍ଟି କରି ପିଉ ସରସ

ତହିଁରୁ ଓହରି ଅଙ୍ଗୀକାର କରି,

ରୁଖାରୁଖି ସୁଖାସୁଖୀକି ଗୋ ।୪।

 

ଚନ୍ଦନ ମର୍ଦ୍ଦନ ବେଳେ ମୋ ଆଖି,

ସୁନ୍ଦରୀ କକ୍ଷ ଶୋଭା ଦେଲା ଦେଖି

ଚିତ୍ତେ ହେଲା ମୋର ଚନ୍ଦ୍ର ଚାଲିବାର,

ନୋହେ ତ ସେ ନଖାନଖିକି ଗୋ ।୫।

 

ହର୍ଷଚରିତ ସୁଧା ପୂରି ଆସେ,

ହରିଚନ୍ଦନ ଜଗଦ୍ଦେବ ଭାଷେ

ହରିଚନ୍ଦ୍ରାନନା ଆବୁର ଧନ ସେ

କାହିଁ କଲା ରଖାରଖିକି ଗୋ ।୬।

 

(୧୦୪)

ରାଗ—ଭାଟିଆରୀ—ଏକତାଳି

 

ବଦନର ଚାହିଁ ଛବିଛଟା,

ରଦନରେ ଧରୁ ନାହିଁ କୁଟା

ଗରବରେ ତୁଚ୍ଛା ହରବର ହେଲା

ପରବ ରଜନୀ ରସିକୁଟା

ଆଗୋ ପ୍ରିୟସଖୀ !

ପ୍ରାଣପ୍ରିୟଙ୍କୁ ପାରିଲଟି କି ଦେଖି ? ।୧।

 

ବହି ନବ ଯୌବନ ମେରୁ,

ସହି କେ ରହି ପାରିବ ଭୀରୁ

ସେ ମହିଳା ମନ ମହାନଦୀ ମୀନ—

ବାହାଣିଆ ଭଙ୍ଗୀ ଚାହାଁଣିରୁ ।୨।

 

ଠୁଳ ହୋଇ ଆଶା ରହେ ଲାଖି,

ମୂଳରୁ ଟଳିବ ଯେବେ ସଖୀ

ଚୂଳବତୀ ମଣିମଣ୍ଡିତ ମୁକୁଟେ

କୁଳବତୀ ଯେବେ ଦେବ ଆଖି ।୩।

 

ଥାଏ ମୋର ମଦ ମୁଁ ବିବେକୀ,---

ପ୍ରାଣତୁଲେ ହୋଇଗଲି ବିକି

ଜାଲିଟି ନିକଟେ ଅନାଇଁ ଦେଲି

ମୁଁ କାଲି ଟିକିଏ ସେ ଚାଲିଟିକି ।୪।

 

ଜଗତେ ବିଜୟେ ରତିସ୍ମର,

କରିବେ କିସ ମୂରତି ସ୍ମର

ଇଷ୍ଟକଥା ମାନ ପୁଷ୍ଟ କରିବେ

ସେ ଅଷ୍ଟଦୁର୍ଗ ବସୁମତୀ-ସୁର ।୫।

 

(୧୦୫)

ରାଗ—କେଦାର, ତାଳ—ଆଡ଼ତାଳ

 

ବନ୍ଧୁ ଅଛି କି ଲୋଡ଼ା, ନୂଆ

ନିଆଳୀନିର୍ମିତ ଚୂଡ଼ାରେ ।ପଦ।

ପରମାଧିକାରେ ଫରମାସୁ ଥିବୁ

ମୋଠାରୁ ବରଜି ବ୍ରୀଡ଼ା ରେ ।

ମନ ଥାଇ ଲାଜଭରବଶୁଁ ବ୍ୟାଜଚ୍ଛନ୍ନ

କଲେ ବଡ଼ ପୀଡ଼ା ରେ ।୧।

 

ନ ପାଇବା ସୁଖ ମୋ ଆଗେ

ଶ୍ରୀମୁଖ ନୋହିଲେ ସଂକୋଚ ଛଡ଼ାରେ ।

ଚିତ୍ତେ ଥାଉ ମୁଁ ତୋ ସଙ୍ଗୀତ

ଜଗତିବାହୁଡ଼ା ବିଜେ ପାହାଡ଼ା ରେ ।୨।

 

ଇଚ୍ଛା ମାଫିକେ ତୋ ବିଛଣା ବନାଇ

ଦିଆଇବି ହୋଇ ଛିଡ଼ା ରେ ।

ଅଣା ଅଛି କି ବହୁତ

ବାସନ୍ତିକ ବାସ କୁସୁମପାଖୁଡ଼ା ରେ ।୩।

 

ସଇରିନ୍ଧ୍ରିକାକୁ ସହି କହୁ ଥା

ତୁ ଆଜ ହୋଇବ ନିବିଡ଼ା ରେ ।

ଅଂସ ଅବତଂସ ଲହସା ଖୋସାକି

କି ବେଣୀ ଲୋଟଣୀ ଜୁଡ଼ା ରେ ।୪।

 

ଅଳପକେ ଯେ ହେଉଥାଏ

ତରୁଣ ତରୁଣୀଙ୍କ ଘରବୁଡ଼ା ରେ ।

ଧନ ଚିନ୍ତିଲେ ଆମ୍ଭର ବଶଂବଦ

ହେବ ସେ ସ୍ମର ବାପୁଡ଼ା ରେ ।୫।

 

ମାନିବ ଯେବେ ଦଣ୍ଡକେ

ମହତ୍ତ୍ୱ ବନାଇ ଦେବା ଦିକଡ଼ା ରେ ।

ଜଗଦ୍ଦେବ ଗୀତେ ବୋଲେ କର

ମୋତେ ଅଳପ ତଳପଗଡ଼ା ରେ ।୬।

 

(୧୦୫) ଟୀକା ବ୍ୟାଜ- କପଟ, ବ୍ୟାଜଛନ୍ନ କଲେ ମନ- ମନକୁ କପଟ ଦ୍ୱାରା ଆବୃତ କଲେ, ପାହାଡ଼ା- ଗତିପଥରେ ଆଛାଦନ୍ନ, ସୈରେନ୍ଧ୍ରିକା- ବେଳକାରିଣୀ, ଅଂସ- କାନ୍ଧ, ବାପୁଡ଼ା- ନଗଣ୍ୟ, ବଂଶବଦ- ଅଧୀନ।

 

(୧୦୬)

ରାଗ—ସାରଙ୍ଗ—ଏକତାଳ

 

ବନ୍ଧୁଆ, ତୁ ମୋ ମଣିହାର ରେ । ଘୋଷା ।

ନ ରସ ନିରାଶେ ବସୁମତୀ ବାସେ

କର ମୋ ଉରେ ବିହାର ରେ ।୧।

 

ଗିରୀଶ ଅରାତି ଗିରିଷମ ତାତି

ତୁ ନିଶାମୟ ନିହାର ରେ ।୨।

 

ମନମଥ ଦାବେ ମୋର ଶିବ ଭାବେ

ତୋ ପୟୋଧରକୁ ଜୁହା ରେ ।୩।

 

ରହିତ ଗୁମାନେ ରଖ ତୁ

ସମ୍ମାନେ ବିଡ଼ିଆ ତବକ ବୁହାରେ ।୪।

 

ତୋର ସେ ମୃଗାକ୍ଷି ତୋ ରୁଚକି

ସାକ୍ଷୀ ହରୁ ମୋ ହୃଦ ଗୁହାର ରେ ।୫।

 

ଜଗଦ୍ଦେବ ଭାଷେ ରସ ସୁବିଳାସେ

ରସନା ମୋ ପରିହାର ରେ ।୬।

 

(୧୦୭)

ରାଗ-ଆନନ୍ଦଭୈରବ

 

ବନ୍ଧୁଆ ତୁ ମୋ ସବୁ ଭରସା,

ନ କର ଦରପଣନିଭ ରସା ।ପଦ।

ଭୁଷ ପଛେ ମୁନେ କରରୁହର,

ଏ ଗୁମାନ ପରିକରରୁ ହର ।୧।

 

ଶ୍ରୀମୁଖ ପରବ-ତୁହିନକର,

ଅରୁଣଭାବକୁ ତୁହି ନ କର ।୨।

 

ବିଅର୍ଥ ଏ ଚନ୍ଦ୍ର କ୍ଷଣଦା ସରେ,

ଖେଳା ଚଞ୍ଚଳ ଈକ୍ଷଣ ଦାସରେ ।୩।

 

ମୁଁ ସାଧ୍ୟ ନୋହିଲେ ତିଆରଣରେ,

ମାର ମଦନ ହଟିଆ ରଣରେ ।୪।

 

ସରିଲାଟି ଅଷ୍ଟଦୁର୍ଗନାଥରେ,

ଅନା ଅନା ସୁନାବରନା ଥରେ ।୫

 

(୧୦୭) ଟୀକା- ନିଭ- ତୁଲ୍ୟ, କରରୁହ- ନଖ, ପରିକରରୁ- ଚାକରଠାରୁ, କ୍ଷଣଦା- ରାତି, ତିଆରଣ- ଗାଳି ।

 

(୧୦୮)

ରାଗ-କାଫି

 

ବନ୍ଧୁଆ ରେ ବାରେ ଅନା ରେ ।ପଦ।

ରଦନବାସ, ସଦରହାସ, କରିକରମାନକୁ ମନା ରେ ।୧।

ଗଜେନ୍ଦ୍ରଗତି, ଗତି ଜଗତୀତଳେ

ନାହିଁଟି ତୋହ ବିନା ରେ ।୨।

 

ନ ସହି ମୋତେ, କହୁ କେ କେତେ,

ଧନ ମୁଁ ତୋ ଅଧୀନ ସିନା ରେ ।

ମୁଁ ତୋର ବୋଲି, ନ ଜାଣେ ଚାଲି,

ଆହା କି ସୁଖ କରୁଛୁ ଚୁନା ରେ ।୩।

 

ଚାରୁ ଶ୍ରୀମୁଖ ସୁଧାମୟୂଖ,

ଟେକି କରୁଣା କରୁ କି ନା ରେ ।୪।

କବିଦ୍ୟୁମଣି, ଗିରେ ତରୁଣୀ,

ହେଲା ଆଶ୍ଳେଷ ସୁଖ ଘେନା ରେ ।୬।

 

(୧୦୮) ଟୀକା- ରଦନବାସ- ଅଧର, ସଦର ହାସ- ଦରହାସଯୁକ୍ତ ।

 

(୧୦୯)

ରାଗ-କରୁଣଶ୍ରୀ

 

ବନ୍ଧୁ ରୁଷିଲା, ଅନ୍ଧୂଦର ପରି ପୁରୀ ଦିଶିଲା,

ରାମା ରୁଷିଲା, କାମାନଳମୟ ସବୁ ଦିଶିଲା,

ବାଳା ରୁଷିଲା, ହାଳାହଳ ଜ୍ୱାଳାମୟ ଦିଶିଲା । ଘୋଷା ।

 

କି କଲା ଆହା ସୁଶ୍ରୋଣୀ, ମୋ ପରମ ସୁଖଶ୍ରେଣୀ,

ସ୍ୱର୍ଗ ବଡ଼ଭୀ ନିଃଶ୍ରେଣୀ ଖସିଲା ରେ ।୧।

 

ଅନଙ୍ଗ ବାଣ ବରଷା, ସଙ୍ଗେ ତ କୁରଙ୍ଗଦୃଶା,

ସରୋଷ ଅପାଙ୍ଗଭୂଷା ମିଶିଲା ରେ ।୨।

 

ତାର ନିଗ୍ରହୁ ମୁଁ ପରି-ବାରକୁ ଡରି

ଜୁହାରି-ବାର ନୀରସ ଭଗାରି ହସିଲା ରେ ।୩।

 

ଦେଖି ନ ଥାଇ ଏ ଭୂତି, ଶିଖାଇ ଦୁର୍ନୀତି ନିତି,

କେଉଁ ପିଶୁନ ମୋ ଧୃତି କଷିଲା ରେ ।୪।

 

ସନ୍ତାପ-ସିନ୍ଧୁକୁ ନବ, ବିଳାସିନୀ ସିନା ପ୍ଳବ,

ଶ୍ରୀ ବାଲୁକେଶ୍ୱର ଦେବ ଭାଷିଲା ରେ ।୫।

 

(୧୦୯) ଟୀକା- ଅନ୍ଧଦୂର- କୂଅଭିତର, ହାଳାହଳ- ବିଷ, ସୁଶ୍ରୋଣୀ-ନିତମ୍ବବତୀ, ବଡ଼ଭୀ- ଚନ୍ଦ୍ରଶାଳା, ନିଃଶ୍ରେଣୀ-ନିଶୁଣି, ପିଶୁନ- ନିଷ୍ଠୁର, ପ୍ଳବ- ନାହା, ପରିଚାର- ଭୃତ୍ୟ ।

 

(୧୧୦)

ରାଗ—କାମୋଦୀ, ତାଳ—ଆଦି

 

ବନ୍ଧୁ କଲି କି ଦୁର୍ବିଚାରକୁ ରେ,

ବର୍ଜିଲି ଖଣ୍ଡ ଅର୍ଜି ଖାରକୁ ରେ ।

ଅକ୍ଷରେ ନ ଜାଣିବା ମୂରୁଖ ପରି

ନିଜ ବକ୍ଷରେ ଲକ୍ଷ୍ୟ କରି ଶରକୁ ରେ ।ପଦ।

ସମ୍ପାଦି ଗୁଞ୍ଜ ଆଣି, ମୁଁ ଫିଙ୍ଗିଦେଲି

ପାଣି-ବନ୍ତ ବର୍ତ୍ତୁଳ ମୋତି ହାରକୁ ରେ;

ଚଢ଼ାଇ ଦେଲି ଚାରୁତର

ଚନ୍ଦନତରୁମୂଳେ କର୍କଟୀଲଟୀ ଛାରକୁ ରେ ।୧।

 

ଶ୍ୱପଚ ଗ୍ରାମ ମଝି, କୂପରେ ବୁଝି ବୁଝି,

କଲି ସ୍ନାନାଦି ବ୍ୟବହାରକୁ ରେ;

ନ କଲି ମନୋରଥ ପଥରେ

ଭଗୀରଥ ନୃପନନ୍ଦନାନୀରଧାରକୁ ରେ ।୨।

 

ଟେକି ଠୁକୁଳି ଲୋଷ୍ଟ୍ର, ସର୍ବ ସୁପର୍ବ ଶ୍ରେଷ୍ଠ

ଚନ୍ଦ୍ରଚୂଳ ଦେଉଳ ଦ୍ୱାରକୁ ରେ;

ଯବନ-ଜାତି-ଶବ ଭବନ ହେବା

ଗ୍ରାବକୂଟକୁ କଲି ନମସ୍କାରରେ ।୩।

 

ଅତି ଭାଗ୍ୟୁ ଅର୍ଜିତ, ଉର୍ବଶୀ ଊରୀକୃତ,

ଆଶ୍ଳେଷୁ ଛାଡ଼ି ଅଙ୍ଗୀକାରକୁ ରେ;

ବାନରୀ ନେତ୍ରପ୍ରାନ୍ତ ବତାଇବା ସଙ୍କେତ

ସ୍ଥଳକୁ କଲି ଅଭିସାରକୁ ରେ ।୪।

 

ଶିଳାଶୟନୁ ଡର, ନ ଥିବା ଗଉଡ଼ର,

ନିମନ୍ତେ ରଖି ତୁଳି ସାରକୁ ରେ;

ଶିରୀଷସୁକୁମାର, ମହାରାଜକୁମର

କନ୍ଧରେ ବୁହାଇଲି ଭାରକୁ ରେ ।୫।

 

ଚିରଅଭ୍ୟସ୍ତ ଶସ୍ତ, ସଂସ୍କୃତ କରି ଅସ୍ତ,

ବସି ଘୋଷିଲି ଶଶୀଠାରକୁ ରେ;

ନ ଭଜି ଚକ୍ରାୟୁଧ, ତରିବି ବୋଲି ସଧ

କଲି ସଂସାର ଅକୂପାରକୁ ରେ ।୬।

 

କବିମିହିର ବୋଲେ ଏପରି ହେଲେ ହେଲେ,

କ୍ଷମା ଉଚିତ ପରିଚାରକୁ ରେ ;

ଦୋଷ ମୁଁ କରିଅଛି, ଲଙ୍ଘିଲି ଯେବେ କିଛି,

ତୋତେ ପଣ୍ଡିତା ଅଗ୍ରଗାରକୁ ରେ ।୭।

(୧୧୦) ଟୀକା- ଗୁଞ୍ଜ- କାଇଁଚ, ପାଣିବନ୍ତ-ଢଳଢଳ, କର୍କଟୀଲଟା- କାକୁଡ଼ି ଲତା, ଶ୍ୱପଚ- ଚଣ୍ଡାଳ, ସୁପର୍ବା- ଦେବତା, ଚନ୍ଦ୍ରଚୂଳ- ଶିବ, ଗ୍ରାବକୂଟ- ପଥରଗଦା, ଊରୀକୃତ- ଅଙ୍ଗୀକୃତ, ଆଶ୍ଳେଷ- ଆଲିଙ୍ଗନ, ଶିରୀଷ-ସୁକୁମାର- ଶିରୀଷଫୁଲ ପରି କୋମଳ, ଶସ୍ତ-ଉତ୍କୃଷ୍ଟ, ଅକୂପାର- ସମୁଦ୍ର ।

 

(୧୧୧)

ରାଗ—ଇମନ କଲ୍ୟାଣ—ଏକତାଳି

ବାଣି ବୀଣାବାଣୀ ଠାଣି ଜାଣିଲା ରେ । ଘୋଷା ।

ଆଳିଙ୍କର ପ୍ରୀତି ପାଳିବାର ରୀତି

ଟାଳିବାର ଧୃତି ନେତ୍ରକୋଣ ଠାରେ ।୧।

ଗଜଗତି ରୁଚି ସଜରେ କରୁଚି

ନଜର ନ କରେ ଅବିବେକ ଛାରେ ।୨।

ପଲ୍ଲବକୁ ହରି ଝଲକଇ ଶୀରି

ପୁଲକେ ନାଗରୀ ଅଙ୍ଗ ମୋର ନାଁରେ ।୩।

ଏହି ଯଉବନ ବହି କିଛି ଧନ

ସହିଲେ ତା’ ସ୍ତନ ହେବ ଭାରି ଭାରେ ।୪।

ଅଳସ ନ କରି ଚଳ ସହଚରୀ,

କଳଶ ପୀନସ୍ତନାକୁ ଘେନି ଆ ରେ ।୫।

ଅଷ୍ଟଦୁର୍ଗେଶ୍ୱର କଷ୍ଠ ହେଲା ଦୂର

ଇଷ୍ଟଦେବ ତାର ଅନୁକ୍ରୋଶ ସାରେ ।୬।

 

(୧୧୨)

ରାଗ—ଝଁଝୋଟ, ତାଳ—ଆଠତାଳି

 

ବାରିଜାକ୍ଷି ମନରୁ ବାରି ଦେ ରେ,

ଦେଖ କାଳ ହେଲେ କଳା ବାରିଦେ ରେ ।ପଦ।

 

ଦାସ ନାଶରେ ମାନସ, ବଳୁଛି ଯେବେ ନାରୀଶ,

କରଜନାରାଚ ମାରି ଚିରି ଦେ ରେ ।୧।

 

ତୋ ଚରଣ ସେବା ଭଳି, ନୋହିଲି ଯେବେ ରେ ଆଳି,

ଗାଳି ଦିଆଇ ମହତ ସାରି ଦେ ରେ ।୨।

 

ଏବେ ବନ୍ଧୁ ଅନାଥରେ, ଦୟା ଥିଲେ ଅନା ଥରେ,

କରୁଣା କଟାକ୍ଷ ନେତ୍ରେ ଠାରି ଦେ ରେ ।୩।

 

ମହିଳାମଣି ଜଗତେ, ତୋ ବିନା ସାହା କେ ମୋତେ,

ମାର ମୁଖୁଁ ବଞ୍ଚାଇବି ଗାରି ଦେ ରେ ।୪।

 

ଦ୍ୱିଜ କବିରବି ବାଣୀ, ଶୁଣି ସେ ରମଣୀମଣି,

ସ୍ନେହେ ଦ୍ରବି ବହିଗଲା ବାରିଦେରେ ।୫।

 

(୧୧୩)

Unknown

ରାଗ—ଦେଶାକ୍ଷ, ଏକତାଳି

 

ବାମ-ନେତ୍ର କୋଣେ ମାତ୍ର ଥରେ

ମୋତେ ଚାହାଁ ରେ । ଘୋଷା ।

 

କାହିଁକି ରେ ଜୀବଧନ, ମୋ ଠାରେ କରୁ ତୁ ମାନ

ଦିନକୁ ତ ଦିନ ଆନ କଲୁ କାନକୁହା ରେ ।୧।

 

ଦୟା ଅଛି ହୃଦେ ପୁରି, ନବନୀତ ସୁକୁମାରୀ

ହେଲାପରି ସୁନାଗୋରୀ କରମ ତ ଲୁହାରେ ।୨।

 

ସହି ନ ପାରଇ ଆଉ, ଏ ମଦନଶର ଦାଉ

ଅତି ଆଶା ଥାଉ ଥାଉ ଟେକି ରଖ ବାହା ରେ ।୩।

 

ଜଳନ୍ତର ନାଥ ଭଣି, ଯୁବରାଜ ଯୁଗ ଶ୍ରେଣୀ

ଘେନ ତୁ ମୋହର ବାଣୀ କହିବୁଟି ଏହାରେ ।୪।

 

(୧୧୪)

 

ବାଳା ୟେ କି ତୋ ଭଙ୍ଗୀ

ହେଲା ନି ପରା ବୀର ଅନଙ୍ଗ ସଙ୍ଗୀ । (ପଦ)

ଧରା ପରାଗ ଖେଳୁ ଥିଲୁ ତ କାଲି

ଯେବେ ତ ମତ୍ତଜିତ ଗଜେନ୍ଦ୍ର ଚାଲି ।୧।

 

ବିମ୍ୱରୁ ବଳିଲା ନୀରାଜନାମ୍ୱର

ଶମ୍ଭରୁ ନ ବଳୁଟି ହୃଦୟରୁ ତୋର ।୨।

 

ପୂର୍ଣ୍ଣ ମଧୁର ପ୍ରେମେ ପିୟୂଷ ଭରେ

ସୁନା କଳସ ପରି ୟେ କି ତୋ ଉରେ ।୩।

 

କବି ତପନର ସେ ମନବଳାଇ

ରାଜି ତପନୀୟ ହସି ଗଲା ପଲାଇ ।୪।

 

(୧୧୫)

ରାଗ—ବିହାଗ—ଏକତାଳି

 

ବାଳା ରେ, ତୁ ମୋ ଗଳାମାଳା,

ସହିବ କେହି ଦୁଃସହ ବିରହଜ୍ୱାଳା । ଘୋଷା ।

 

ଏକେ ତ ଅତି ସୁକୁମାରୀ, ରାଜକୁମାରୀ

ତହିଁ ପୁଣି ନବ କିଶୋରୀ ଚାଲି,

ଅଭିନବ କଦନ, ଥାଉ ଶଠ ମଦନ, ଦାଉ ସହି ଜୀବନ

ଆଉ କି ରଖିବ ବାଳା ।୧।

 

ଚାହିଁ ଚାହିଁ ମୋ ଆଗମନ, ହେବଣି ବିମନ,

ନିଦ୍ରା ବିହୁନରେ ତା’ର ନୟନ,

ଆହାର ହେବ ଦୂର, ହାର ପରାୟେ

ନୀରଧାର ପଡ଼ିବ ଉର,

ସାରା ପହର ପୁର କାରା ତୁ ମଣିବୁ ବାଳା ।୨।

 

ବେଢ଼ ବସି ସଖୀ ସକଳ, ହେବେ କି ବିକଳ,

କେତେ କରୁଥିବେ ଶୀତଳ

ଆହାର ହେବ ଦୂର, ଆହାର ଲାଗି ଘୋର,

ଆହା ରବରେ ଘରବାହାର ପୂରିବ ବାଳା ।୩।

 

ଅଙ୍କ କୃଶ ତ ଭଜିବ, ଶୋଭା ତେଜିବ,

ବେଶଭୂଷଣ କାହିଁ ଯିବ ।

ହ ବରକଣ୍ଠୀ ମୋର, ଆହାଦର କରିବ, ହା ବର

କରି ପର ପାଦରେ ଲୁଟିବ ବାଳା ।୪।

 

ହରିଚନ୍ଦନ ଜଗଦ୍ଦେବ, କହଇ ଦେବ-ଦେବ

କରୁଣା ଯେବେ ହେବ,

ମଜ୍ଜାଇ ଶରତେ ସେ, ଛାଇପରି ତା’ ପାଶେ,

ଥାଇ ପାଦ ସାରସେ ପାଇବି ମୋକ୍ଷକୁ ବାଳା ।୫।

 

(୧୧୬)

ରାଗ-ସଦର

 

ବିପରୀତ ରତେ ଗୋ, କିପରି ତରୁଣୀଜନେ

ପ୍ରବଳନ୍ତି ସତେ ଗୋ ।ପଦ।

 

ଏକା ପ୍ରଦୀପରୁ ଭୟ ଜନମି ଅମିତେ ଗୋ,

ଠଉରି ଯେ ନୋହେ ପ୍ରାଣ ପ୍ରଣୟିପୂରତେ ଗୋ ।୧।

 

ତଳପକୁ ଧରି ନେବାବେଳେ ଅସମ୍ମତେ ଗୋ,

ହରି ହରିଣୀକି ନେଲା ହୁଅଇ ପରତେ ଗୋ ।୨।

 

ସମ୍ଭାଳି ନୋହିଲେହେଁ ବିକାର କଦାଚିତେ ଗୋ,

ଚୁମ୍ୱାଇ ନୁହଇ ମୁଖ ଚୁମ୍ୱନ୍ତି କେମନ୍ତେ ଗୋ ।୩।

 

ମୁଁ ହେଲେ ରହିଲା ପରି ନୁହଇ ଜୀବିତେ ଗୋ,

ଦୁକୂଳାଡ଼ମ୍ୱର କିଛି ମୁକୁଳା ହୁଅନ୍ତେ ଗୋ ।୪।

 

କଳାପ କିଙ୍କିଣୀ ସୁର ଡିଣ୍ଡିମ ବିରତେ ଗୋ,

ପଳାଏ କେ ଲାଜେ କହେ ଜଗଦ୍ଦେବ ଗୀତେ ଗୋ ।୫।

 

(୧୧୭)

ରାଗ—କାମୋଦୀ—ଆଡ଼ତାଳ

 

ବୀଣାବାଣୀ ଏ କି ରେ, ଜଣାଇଲା କେ କି ରେ

ଘେନି ବସିଛୁ ମୁଖଚନ୍ଦ୍ରକୁ ନ ଟେକି ରେ । ଘୋଷା।

 

ଖଳ ଶୁଖିଲାଟି ଦେଖି ବଳ ଅଛି ଆଉ କି

ଦଳ କଦଳୀର ସହେ କଳମ୍ୱର ଦାଉ କି ।୧।

 

ଲେଶେ ହେଲେ ଦୋଷ ଏକଦେଶେ ନାହିଁ ମୋହର

କେ ସେ କି କହିଲା ଚିତ୍ତରେ ବେଶେ ହେଲା ଓହର ।୨।

 

ପାନ କରି ନାହିଁ ନେତ୍ରେ ଆନ ମୁଖ-ଶୀରିକି

ସାନ ଲୋକ ଜାଣିଶୁଣି ମାନକୁ ଆଚରିକି ।୩।

 

ସ୍ୱ ଚାକରକୁ ମଦନୁ ବଞ୍ଚାଇବୁ ନାହିଁ କି

ନଚାଇ ଭୂରୁକୁ ଆଜି ନ ଚାହିଁଲୁ କାହିଁକି ।୪।

 

ବାସ ପରି ବିଭାବରୀ ବାସରେ ତ ରହିଛି

ରସରସିକାର ତ ମୁଁ ଦାସ ବୋଲି କହିଛି ।୫।

 

ଦଣ୍ଡ ପଛେ ମତେ କରି ଖଣ୍ଡ ଖଣ୍ଡ କରଜେ,

ମଣ୍ଡନା ଭୂମଣ୍ଡନା, ତୁ ଗଣ୍ଡ କର-ନୀରଜେ ।୬।

 

ଅଗନିଭସ୍ତନା ଶୁଣି ମନୁ ମାନ ନାଶିଲେ

ଜଗଦ୍ଦେବ ଶ୍ରୀ ହରିଚନ୍ଦନ ନୃପ ଭାଷିଲେ ।୭।

 

(୧୧୮)

ରାଗ—କାଫି

 

ଭାସିଲିଟି ଆସି ଦରହାସି ଥରେ ରଖ ରେ ।ପଦ।

ନିଧୁବନବିଚକ୍ଷଣା, ଜାଣି ତୋ କରୁଣା ଊଣା,

ମାରି ଗିରୀଶାରି ମୋତେ ସାରିଦେଲା ଦେଖ ରେ ।୧।

 

ଶରଣ ତୁହିଟି ବୋଲି, ଚରଣକଞ୍ଜ ଧଇଲି,

ଚାହିଁଲୁ ନାହିଁ ଧନ କାହିଁକି ଏ ଦୁଃଖରେ ।୨।

 

ନ ଶୁଣି ମୋ ଚାଟୁବାଣୀ, ଗଣ୍ଡଦେଶେ ମଣ୍ଡି ପାଣି,

ଭୀରୁ କି ମତିରୁ ମହୀ ଚିରୁଅଛୁ ନଖରେ ।୩।

 

ଧରୁଛି ପଲ୍ଲବ କର, ଏବେ କୃପା ଲବକର,

ହାସ ସମୁଲ୍ଲାସ ପରକାଶ ବିଧୁମୁଖରେ ।୪।

 

ଆରେ ନବୀନ ବନିତା, ଲଗାଇଣ ପ୍ରୀତିଲତା,

କାଟିପକା ନାଟୀ ସେ ଏକାଠି ସବୁ ସୁଖରେ ।୫।

 

ଅଷ୍ଟଦୁର୍ଗନାଥ ଶିରେ, କଷ୍ଟ ନାଶି ହସି ଦରେ,

ଧରାଶିରହୀରା ଆସି ବିରାଜିଲା ପାଶରେ । ।୬।

 

(୧୧୮) ଟୀକା- ନିଧୁବନବିଚକ୍ଷଣା- ରତିପଣ୍ଡିତା, ଗୀରିଶାରି- କନ୍ଦର୍ପ, ଭୀରୁ- ହେ ଭୟାଳୁ, ହାସ ସମୁଲ୍ଲାସ- ହାସବିଳାସ, ହସି ଦରେ- ଅଳ୍ପ ହସି ।

 

(୧୧୯)

ଫୁଲତୋଳା—ବୃତ୍ତେ

 

ମଦନ ଅମଳେ ବାଇପରି କେ ଯୁବତୀ,

ଆଚରଇ ପ୍ରଳାପରେ ସ୍ୱୟଂ ଦୂତୀ ରୀତି ।୧।

 

କେଉଁ ପଥିକକୁ ପୁଚ୍ଛେ କି ହେ ପାଟଯୋଷୀ,

ବୁଝ କି ଯୋଗ ଆଜ ମୋ ପତି ପରବାସୀ ।୨।

 

କର ରମଣୀ ପାଣିରେ ଯାଇଅଛି ପଡ଼ି,

ମିଳିବ ପରା ବୁଝିବା ଥରେ ଥାପ ଖଡ଼ି ।୩।

 

ଚରମ ଅଚଳେ ପରବେଶ ହେଲେ ରବି,

ଯୁବା କୋଳ ବାହାରେ ମୁଁ ନିକି ବରତିବି ।୪।

 

ଆଗରେ ଟେକିଛି ପୟୋଧର ବରଷିବ,

ଛାଡ଼ିଯିବ ଯେବେ ଏଥେ ରହିବ କି ଜୀବ ।୫।

 

ଅନା ଅନା ନେତ୍ରାଞ୍ଚଳେ ପିଇଦେଲା ପରି,

ଅଧର ମଧୁ ପି’ବାରେ ଧରି ପରନାରୀ ।୬।

 

ଶୁଣିଣ କୁହାର ତୁଲ୍ୟ କଲା ପାନ୍ଥଯୁବା,

କହେ ଅଷ୍ଟଦୁର୍ଗ ସ୍ୱର୍ଗ ନଗରେ ମଘବା ।୭।

 

(୧୨୦)

ରାଗ—ତୋଡ଼ି ପରିଜ—ଆଦିତାଳ

 

ମଦନ ଗୁମାନ କେତେ ଦେଖାଉ ?

ଅମାନବତୀ ତ, ହେଲାଣି ମୋ ମିତ,

ନ ମାନଇଁ ତୋତେ ଆଉ । ଘୋଷା ।

 

ଭୂରୁ ନୀଳସୂନ,---ଚାପରେ ଅଞ୍ଜନ,

ମିଳିନ୍ଦମାଳା ସିଞ୍ଜନୀ

ନେତ୍ରଅନ୍ତ ଅରବିନ୍ଦ ମୁଖ ତାର

ସାଜିଲା ନିଜେ ମୋ ଧନୀ ।୧।

 

ରସା ବିଦୂଷାର, ମୁଖେ ମିଶି ସାର,

ପ୍ରସାଦି ଇନ୍ଦିରା ପାଳି

ପରବ ଶର୍ବରୀ-ବର ଗରବ

ମୂଳରୁ ଦେଲାଣି ଟାଳି ।୨।

 

ଯଉବନ ତୋର ଛଡ଼ାଇନେବାକୁ

ପଡ଼ିବାରୁ ଆଲୋଚନା

ପିକରବ ପରି ପ୍ରିୟ

ସହଚରୀନିକର ବାଚ ରଚନା ।୩।

 

ଗଉରଦେହା ସଉରଭ ସାର

କଳା କୁନ୍ତଳ ତମାଳେ

କୁସୁମ ସମୟ ଗିର ସମୁଦୟ

ପ୍ରବେଶ ହେଲାଣି ବଳେ ।୪।

 

ସଖୀଏ ବିଶେଷ ବିରଚନ୍ତେ ବେଶ

ଗେଲେ ବୋଲିବାର ଉହୁଁ

ମତ୍ତ ଅଷ୍ଟପଦ ନିଚୟ

ନିନାଦ ଶ୍ରବଣେ କି ଶୁଣି ନାହୁଁ ।୫।

 

ବୋଳିଅଛୁ ସିନା ଚନ୍ଦନ ବାସନା

ବହିବା ମନ୍ଦ ସମୀରେ

କବିରବି ଭାଷେ ତୋ ସମର

ଶେଷେ ସହି ହେବ ବଶ ମୋରେ ।୬।

 

(୧୨୧)

ରାଗ—ଭୈରବୀ—ଆଡ଼ତାଳି

 

ମଦନ ମୁକୁରନିଭ ବଦନ ଭଲା ରେ । ଘୋଷା ।

ମୋ ଧନର ହୀରାପରି, ପଦନଖର ମାଧୁରୀ

ରଦନରେ କୁନ୍ଦଶୀରି ସଦନ କଲା ରେ ।୧।

 

ଉଚ୍ଚ କମନୀୟ ଗିରି, ସୂଚକ ପୀବର ଭାରି

କୁଚ କଳଶରୁ ହାରି ରୁଚକ ଗଲା ରେ ।୨।

 

ଖ ଲୋକରେ ଆଉ କାହିଁ, ପଲକ ପଡ଼ିଲା ନାହିଁ

ଭଲ କରି ଦେଲେ ଚାହିଁ ଝଲକ ଝୁଲାରେ ।୩।

 

ହସାର ସାକ୍ଷୀ ପୀୟୂଷ, ଆଶାର ସାରସଦୃଶ

ଭାଷା ରସାରମ୍ଭେ ହସ ନାସିକା ଫୁଲାରେ ।୪।

 

ଅଷ୍ଟଦୁର୍ଗ ନାଥ ଭାଷେ, ଇଷ୍ଟଦେବଙ୍କ ସନ୍ତୋଷେ

ଦୁଷ୍ଟତର ମୋହର ସେ କଷ୍ଟ ସରିଲା ରେ ।୫।

 

(୧୨୨)

ରାଗ—ବଙ୍ଗଳାଶ୍ରୀ

 

ମଧୁର ସମୟ ହେଲା ବନେ

ବନେ ବରଷିଲା ମଧୁରସ

ପରବ ସମ୍ପୂର୍ଣ୍ଣ ସୋମବଦନାଏ

ହେଲେ ସୋମ ପରବଶ ।୧।

 

ଧାତୁକିନୀ ଫୁଲ ଦେଖି ନ

ଗଲା କାହାର ଶୁଖି ଧାତୁକି କି

ନିଆଳୀକି ଚାହିଁ ଭଲେ କାମିନୀଏ

ଦୂତୀ କଲେଣି ଆଳିକି ।୨।

 

ମଦନରଣକୁ କ୍ଷିପ୍ର ସଜହୋଇ

ହୋଇଲେ ପ୍ରମଦ ନର

କରକରଦନା ରତବେଳେ ବୋଲେ

ହେ ‘‘ଜୀବିତ କର କର’’ ।୩।

 

ରସମୟ ସବୁ ସ୍ୱାନ୍ତ କରିଦେଲା

ତ ବସନ୍ତ ରସମୟ

କିଶଳୟଓଷ୍ଠୀ ଭାଷେ ରତିବନ୍ଧୁ

ଥିଲେ ପାଶେ କିଶଳୟ ।୪।

 

ପରଦାରେ କ୍ଷଣେ କ୍ଷଣେ

ରସି ଛପନ୍ତି ତରୁଣେ ପରଦାରେ

ଶରଧାରେ ନେତ୍ର ପ୍ରେମ କଲେ

ମର୍ମ କାଟେ କାମ ଶର ଧାରେ ।୫।

 

ବକୁଳ କୁଞ୍ଜରେ ରସବତୀ

କେ ଅନାଇ ପ୍ରସବ କୁଳକୁ

ମୁକୁଳକୁ ଚାହି ଚିତ୍ତେ ଚୂତେ

ପାଳିକି କେମନ୍ତେ ମୁକୁଳକୁ ।୬।

 

ମରମ ବ୍ୟାଜେ କହେ ଆରେ

ବିରହୀ ନିବହେ ମରମର

ଭର ମରନ୍ଦ ପରବ ବହିଛି

ପ୍ରବାସୀ ଯୁବ ଭରମର ।୭।

 

ମରୁତର ବୋଲାଇ କେ ପଲ୍ଲବ

କମ୍ପନା ଲୋକେ ମରୁତରୁ

କରୁ ତରୁଣୀର ଭୂଷା ଗଳିପଡ଼େ

ତରୁଣୀ-ପିକ ରୁତରୁ ।୮।

 

ଜର ଜର ହୋଇ ରସେ କେ

ବୋଲେ ଆଣିଲା ଚିତ୍ତ ତରତର

ସରସର କଳେବର ହେଲା

ରତି ଖେଦ ସ୍ୱେଦ ସରସର ।୯।

 

ତାତପରି ଜଗଦେବ ଦେବ

ଭବ ପରିଭବ ଜାତ ନୋହୁଁ

ସାନୁଗ୍ରହ ହୁଅ ନିତି ଏ ଭୂପତି

ଜଗଦ୍ଦେବ ସୁଖୀହେଉ ।୧୦।

 

(୧୨୩)

ରାଗ—ଭୂପାଳ—ଏକତାଳି

 

ମନ ମୋହନ ମନ୍ତର ତୋର ଭଙ୍ଗୀ

ଆରେ ପ୍ରାଣସଙ୍ଗୀ । ଘୋଷା ।

କୃପାରେ ମାନସ ରଖାଇଲୁ,

ଭୁଜେ ଭୂଜବନ୍ଧା ଶିଖାଇଲୁ,

ଅଳପ ଅଳପ ବଞ୍ଚାଇଣ

ବିମ୍ୱଅଧରରୁ ମଧୁ ଚଖାଇଲୁ ।୧।

 

ବ୍ରହ୍ମଜ୍ଞାନୀ ଯୋଗୀ ଯୋଗଭୁଲା,

ତିଳସୁମନସ ନାସାଫୁଲା,

ପଦ ପଦକରେ ଯାଚି ଦେଉଥାଏ

ଶକ୍ରପଦ ମଣିନଥ ଝୁଲା ।୨ ।

 

ସନ୍ତାପ-ସରିତ ଶୁଖାଇଲୁ,

କରେ ପୟୋଧର ରଖାଇଲୁ

ହେମ ପଶାସାର ପଲ୍ଲବପାଲିରେ

ପଚାଇବା ରୀତି ଶିଖାଇଲୁ ।୩।

 

ଅଷ୍ଟଦୁର୍ଗପତି ଭାବେ ଭୋଳେ,

ଚକ୍ରବର୍ତ୍ତୀ କଲୁ ଯୁବାକୁଳେ,

ଦାନୀ ହୋଇ ଅଳ୍ପମାନୀ ହେଲୁ

କାନିପଣନ୍ତେ ପବନ ଯେତେବେଳେ ।୪।

 

(୧୨୪)

 

ମନ ମୋହନ ମନ୍ତର ତୋର ଭଙ୍ଗି ରେ, ଜୀବସଙ୍ଗୀ ।

ଅବନୀ ବନିତା ପଦ କରେ,

ପଦକରେ ଯେହୁ ବାଦ କରେ,

ଧରି ସାର୍ଥ କରେ କରକି ମୋକର

ହସ ମିଶା ଭାଷା ପଦକରେ ।୧।

 

ସନ୍ତାପ ସରିତ ଶୁଖାଇଲୁ

ଭୁଜ ବନ୍ଧାବନ୍ଧି ଶିଖାଇଲୁ

ଅଳପ ଅଳପ ବଂଚାଇ ବଂଚାଇ

ବିମ୍ୱାଧରୁ ମଧୁ ଚଖାଇଲୁ ।୨।

 

କୃପାରେ ମାନସ ରଖାଇଲୁ

କରେ ପୟୋଧର ଲଖାଇଲୁ

ହେବ ପଚା ସାର ପଲ୍ଲବ ପାଲିରେ

ପଚାଇବା ରୀତି ଦେଖାଇଲୁ ।୩।

 

ବ୍ରହ୍ମଜ୍ଞାନ ଯୋଗ ଭଙ୍ଗି ଭୁଲା

ତିଳ ଫୁଳକିତ ନାସା ଫୁଲା

ଖର୍ବ ଖର୍ବ କରି ଜାଚି ଦେଉଥିଲା

ପଦ୍ମ ରାଗମଣି ନଥ ଝୁଲା ।୪।

 

ଅଷ୍ଟଦୁର୍ଗ ପତି ଭାଷେ ମନେ

ଚକ୍ରବର୍ତ୍ତି କଲୁ ଯୁବାଜନେ

ମାନିନୀ ରେ ଦାନୀ ସାଜିଲୁ ଯା କାନି

ପଶନ୍ତ ସଂଚାଳ ପବମାନେ ।୫।

 

(୧୨୪) ପଲ୍ଲବ ପାଲିରେ- ନବପତ୍ର ସମୂହରେ, ପଦ୍ମରାଗ ମଣି- ରକ୍ତବର୍ଣ୍ଣ ମଣି, ଦାନୀ- ପ୍ରୀତି ଦେବାରେ ଦାନୀ, ପବମାନେ- ପବନରେ ।

 

(୧୨୫)

ରାଗ—ପୂରବୀ

 

ମନ ମୋହୁଚି ରେ ! ରସବତୀ ନବବାଳା,

ଜନ ନେତ୍ର ମନ-ଖଞ୍ଜନ

ପକ୍ଷୀର ଅଠାକାଠି ଯା’ର ଡୋଳା ।୦।

ବିରାଜି ଆସୁଚି ଶ୍ରୀମୁଖମଣ୍ଡଳ ପୂର୍ଣ୍ଣଚନ୍ଦ୍ରମାକୁ ବଳି;

ଖେଳାଇ ନୟନ ଚାହିଁଦେବା

ମାତ୍ରେ ଦମ୍ଭ-ଗିରି ଦିଏ ଟାଳି ।୧।

 

ଟେକି ଆସୁଅଛି କେଡ଼େ

ଆରମ୍ଭରେ କୁନ୍ଦନ ଫରୁଆ-ସ୍ତନ !!

ହୃଦ-ତଡ଼ାଗରୁ ପଦ୍ମକଢ଼ି ପରି,

କଲି ଏହି ଅନୁମାନ ।୨।

 

ଅଳପ ଅଳପ ହସୁଥିଲା ବେଳେ

କି ଭାବ ମନରେ ଘେନି

ମୁନିଙ୍କ ତପସ୍ୟା ଶୂନ୍ୟ ହୋଇଯିବ

ପଡ଼ିଗଲେ ନେତ୍ର ବେନି ।୩।

 

ଚାଲିଯିବାବେଳେ ଝୁଲି ଧୀରେ

ଧୀରେ ଭୁଲିଯାଉଚି ମାନସ;

କେ ବଶ ନୋହିବ ବେଳେ ଦେଖି ?

ତା’ର ପାଶେ ହୋଇଥିବ ଦାସ ।୪।

 

ରତି ଦେବାକାଳେ ବଳାଇ

ପୀରତି ତୁଚ୍ଛ ବଳାରାତି ପଦ

ଜଳନ୍ତର ନାଥ ଭାଷେ

ମନମଥ-ମଦ ନୋହିବ କି ଛେଦ ? ।୫।

 

(୧୨୫) କୁନ୍ଦନ ଫରୁଆ- ସୁନା ଫରୁଆ, ତଡ଼ାଗ- ବଡ଼ ପୋଖରୀ, ବଳାରାତି ପଦ- ଇନ୍ଦ୍ରପଦ, ଛେଦ- ଖଣ୍ଡ ଖଣ୍ଡ

 

(୧୨୬)

 

ମରୁଆ ଗୋ, ଏ ବୟସେ ସହିବ କେ ?

ସେ ‘ସଧ’ ଲେଶେ ଗୋ ! ।୦।

 

ପ୍ରିୟ ଚୁମ୍ୱନ ମୁଁ ଭରଜି ନାହିଁ ଜନମୁଁ;

ଲାଗିବାକୁ ଲାଜ, ସେ କି ବଣିଜ ? ।୧।

 

ପରିରମ୍ଭ କଥା ଶୁଣିଲେ ମୋ’ ଅଙ୍ଗ ବ୍ୟଥା;

ତେଡ଼େ କଲବଲ ନୋହିଲେ ଭଲ ! ।୨।

 

ଡରୁଚି ମୁଁ ଶୁଣି, କରଜ ଲୋଚାକେ ପୁଣି

ବିଦାରନ୍ତି ଆଗ, ଏ କି ସୁଆଗ ? ।୩।

 

ନୋହିଲେ ନୋହିବ ନବ ସଙ୍ଗ ଅନୁଭବ,

ରହିବି ମୁଁ ଲୁଚି, ଏବେ ଯାଉଚି ।୪।

 

ଭଣେ ଛୋଟରାୟ, ‘ସଖୀ’ ଦେଖି ବାଳା ଭୟ

ବୋଧି ବୁଦ୍ଧି କହେ ‘‘ଉଚିତ ନୁହେଁ’’ ।୫।

 

(୧୨୬) ସଧ- ଦୁଷ୍ଟାମି ବା ଉତ୍ପାତ, ଲେଶେ- ଟିକିଏ ହେଲେ, ଭରଜି ନାହିଁ ଜନମୁ- ଜନ୍ମରୁ ଅଭ୍ୟସ୍ତ ନୁହେଁ, ବଣିଜ- ଆଚାର ବ୍ୟବହାର, ପରିରମ୍ଭ- ଆଲିଙ୍ଗନ, କରଜ ଲୋଚାକେ- ନଖଗୁଡ଼କରେ, ବୋଧି- ପ୍ରବୋଧନା ଦେଇ, ବୁଦ୍ଧି କହେ- ବୁଦ୍ଧି ବା ବାଟ ବଟାଇ ଦିଏ ।

 

(୧୨୭)

ରାଗ—କାମୋଦି

 

ମଲି ମଲି ମୋ ଘର ବୁଡ଼ିଲା ରେ !

ବନ୍ଧୁ-କର୍ଣ୍ଣେ କି କାହୁଁ ପଡ଼ିଲା ରେ ? ।୦।

ଅପୂରବ ଚୁମ୍ୱନ ଦେଲି ମଜ୍ଜାଇ ମନ,

ଇନ୍ଦୁ ବଦନ ‘ଧନ’ ମୋଡ଼ିଲା ରେ ! ।୧।

ମୋ’ ପରେ ତା’ କୁରଙ୍ଗ-ଦୃଷ୍ଟି କୃପା ତରଙ୍ଗ

ଅମିୟ ରସକୁ ନ ଇଡ଼ିଲା ରେ ! ।୨।

କଲେ ମୁଁ ପରିରମ୍ଭ ପୂରୁବ ପରି କୁମ୍ଭ-ଉରୋଜ

ଲଗାଇ ନ ଭିଡ଼ିଲା ରେ ! ।୩।

ଅଷ୍ଟଦୁର୍ଗର ନାହା କହେ ‘‘ଏ ରସେ ଯାହା

ବାନ୍ଧବୀ ମୋ ଭାବ ଲୋଡ଼ିଲା ରେ !’’ ।୪।

(୧୨୭) ଟୀକା- କି କାହୁଁ- କୁଆଡ଼ୁ କିଛି ଭୁଲ୍ କଥା, ଇନ୍ଦୁବଦନ- ଚନ୍ଦ୍ରମୁଖୀ, କୁରଙ୍ଗ ଦୃଷ୍ଟି କୃପା ତରଙ୍ଗ- ମୃଗ ନୟନାର କରୁଣ ରୂପକ ଢେଉ, ଇଡ଼ିଲା- ଢାଳିଲା, ପରିରମ୍ଭ- ଆଲିଙ୍ଗନ, ନାହା- ରାଜା ।

 

(୧୨୮)

ରାଜ—ବେଲାବଳି

 

ମସାର କେଶା, ସୁବେଶା, ମଶାର କେଶା ରେ !

କୁନ୍ଦ ଦଶନୀ ସିନା ଭୂସାର ଭୂଷାରେ;

ତୋ’ ସ୍ନେହ ମୋ’ ଦୁଃଖ ରାଶି ‘ତୁଷାର’ ‘ପୂଷା’ ରେ ।୦।

 

ପଞ୍ଚ ବିଶିଖ ସୁଖ ପୂରିତ ଗାତ୍ରା,

ଚଞ୍ଚଳ ଶଫରୀ ସହୋଦର ନେତ୍ରା,

ବଞ୍ଚନ ପଟୁତର ବଚନ ବିଚିତ୍ରା ! ।୧।

 

ହାଲକୁ ଏ ଭୁବନେ ନ ଥିବ ତ ଗାରେ;

ଲାଇ ଅଧର ରୁଚି ନାହିଁ ଜବାରେ;

ଢାଲ ପରି ମଦନ-ଶରକୁ ନିବାରେ ।୨।

 

ଯା’ ସରସିଜମୁଖୀ ପାଶକୁ ଆସେ,

ଭାଷଇ ମୃଦୁ ମୃଦୁ ସୁନ୍ଦର ହାସେ;

ନାଶଇ ଶଶି-ମଦ ବଦନ ବିଳାସେ ।୩।

 

ସାରସ ସଦୃଶ ମୁଖେ ଯଦି ଚୁମ୍ୱେ

ବାରଣଗତି ପୂରି ଫୁଲ୍ଲ କଦମ୍ୱେ,

ହାର ପରି ମୋ’ର ହା! ହୃଦୟରେ ଲମ୍ୱେ ।୪।

 

ଯନ୍ତ୍ରରେ ରଟି କହେ କିଙ୍କିଣୀ ବାଜା—

‘‘ସନ୍ତତ ରସ ହେ ଜଳନ୍ତର ରାଜା !

ମନ୍ତର ପରି ଚିନ୍ତି କରିଚିଟି ତାଜା’’ ।୫।

 

(୧୨୯)

 

ମହୀଚମ୍ପାଗଭା ଧନ୍ୟ ଧନ୍ୟ ଶୋଭାନିଧି ରେ

ତୁହି କି ମୋ ସଙ୍ଖାଳି,

ଗୋରୀ ପରମାଣୁମଧ୍ୟା ସିନା ଜାଣୁ

ପ୍ରୀତି ପଦାର୍ଥକୁ ପରିପାଳି ।ପଦ।

 

ନାକ ନାଗ ନରଲୋକେ ଅଳଙ୍କାର,

ହୋଇଛନ୍ତି ଯେତେ ଲଳନାପ୍ରବର;

ମଣୁଛି ମୋ ମନ ସେମାନେଟି ଧନ,

ତୋ ଚରଣତଳେ ନିଉଁଛାଳି ।୧।

 

ହଟି ମୋ କୋଳକୁ ଆସିବାବେଳକୁ

ନିନ୍ଦି ଚନ୍ଦ୍ର ମିଶା ଚନ୍ଦନବୋଳକୁ,

ଘସି ଘସି ସ୍ତନ ହସି ହସି ତନୁଲତାକୁ

ମୋ ଅଙ୍କେ ଦେଉ ଢାଳି ।୨।

 

ଅଚେଷ୍ଟ ନିଦକୁ ଶରୀରଭେଦକୁ

ଇତର ଦମ୍ପତି ନିଷ୍ଠୁର ହୃଦକୁ,

ନିମିଷ ଦିବସ ନିଷେଧ ପ୍ରବାସ

ବିଧିକି ଦିଆଉଥାଉ ଗାଳି ।୩।

 

ମୁଁ ତୋ ଚରଣର କହୁ ଭୂଷା

ବରବରନା କହି ତୁ ବୋଲୁ ଏହି ଗିର,

କୁଚେ କର ତାଡ଼ି ରସନା

କାମୋଡ଼ି ଦେଖାଉ କଣ୍ଠ ରତନମାଳି ।୪।

 

ସତ୍ୟ କହେ ଶିରୀ ଜଗଦ୍ଦେବ

ହରିଚନ୍ଦନ ମହେନ୍ଦ୍ର ନବ କିଶୋରୀ ରେ,

ତୋ ପ୍ରଣୟ ହୃଦେ ଘେନି ମହାମୋଦେ

ଦୁଃଖ ମୁଖେ ମୁଁ ଲଗାଇ କାଳି ।୫।

 

(୧୩୦)

ରାଗ—ସୁରଟ, ତାଳ—ଝୁଲା

 

ମହୀମଣ୍ଡନା ତୁ ନ ମାର ମାର ରେ ।ପଦ।

ଘେନ ତୋ ଅବଧାନେ, ରସିଲି ମୁଁ କି ଆନେ,

ତୁ ଥାଉଁ ଥାଉଁ ଏ ସଂସାରସାର ରେ ।୧।

 

ବରଜି ମଣିପୁଞ୍ଜ, ଅରଜିବାକୁ ଗୁଞ୍ଜ,

ଶିରୀଷଅଙ୍ଗୀ, ଅଙ୍ଗୀକାର କାର ରେ ।୨।

 

କିସ ମାନସେ ଭାଳି, କରଜ କଳି ଚାଳି

ଭରତି କଲୁଣି ଅଗାର ଗାର ରେ ।୩।

 

କେଳି ଚଞ୍ଚଳତର ନେତ୍ର ଖଞ୍ଜକୁ ନୀର,

ବହେ କାହିଁକି ଆହା ଧାର ଧାର ରେ ।୪।

 

ଆରେ ରତିପ୍ରତିମା, ଆଚର ଏବେ କ୍ଷମା,

ବହିବି ତୋ ହୁକୁମ ଭାର ଭାର ରେ ।୫।

 

ମୋ ଧନ ହୁଅ ରାଜି, ମଦନବାଣ ବାଜି,

ହେଲାଣି ମୋ ହୃଦୟ ଆରପାର ରେ ।୬।

 

ମୋ ସପତଟି ମଥା ଟେକି ଭାଷ ତୁ କଥା,

କହେ ଶ୍ରୀ ଜଗଦ୍ଦେବ ବାରବାର ରେ ।୭।

 

(୧୩୦)ଟୀକା- ଗୁଞ୍ଜ- କାଇଞ୍ଚ, କାର- କାହାର, କରଜ- ନଖ, ଅଗାର- ଗୃହ, ଆରପାର- ଅସ୍ତବ୍ୟସ୍ତ, ସପତ- ରାଣ, ଶପଥ ।

 

(୧୩୧)

ରାଗ—ରେଗୁପ୍ତ—ଏକତାଳି

 

ମହୀମଣ୍ଡଳେ ମୋ ବନ୍ଧୁ ଜଣେ ରେ । ଘୋଷା ।

ତା ମୃଦୁ ପଦପଲ୍ଲବ            ଶୋଭା ବିଭବରୁ ଲବ

ନାହିଁ ନାହିଁ କାହିଁ ରାମାଗଣେ ରେ ।୧।

 

ହରମଧ୍ୟା ଦ୍ୟୁତିକି            କରୀରାଜ ଗତିକି

ସରି ନିକି ରମ୍ଭାପରି ପଣେ ରେ ।୨।

 

ବିଷ ସୁଧା ଶାୟକ            ଶକ୍ର ସମ୍ପତ୍ତିଯାକ

ସମ୍ପାଦି ରଖିଛି ନେତ୍ରକୋଣେ ରେ ।୩।

 

ପ୍ରଣୟ ସୁରବଲ୍ଲୀ            ପ୍ରାଣୁ ଅଧିକ ବୋଲି

ପ୍ରୀତି ରୀତିକି ସେ ଏକା ଜାଣେ ରେ ।୪।

 

ଯେ’ଟି କୋଟି କଳପ            ଆଚରିଥିବ ତପ

ଲାଗିବ ତା’ ସବାରୀ ଗହଣେ ରେ ।୫।

 

ବେଳେ ତା’ ଓଷ୍ଠବିମ୍ୱ-            ଫଳେ ଯେ ଦେବ ଚୁମ୍ୱ

ଧନ୍ୟ ଧନ୍ୟ ତା’ ଜୀବନ ଜଣେ ରେ ।୬।

 

ବାଳା ସୁଗୁଣ ଛବି            ରସିକାପଣ ଭାବି

ଅଷ୍ଟଦୁର୍ଗ-ପୁରନ୍ଦର ଭଣେ ରେ ।୭।

 

(୧୩୨)

ରାଗ—ତୋଡ଼ି ଜଙ୍ଗଲା—ଏକତାଳି

 

ମାନିନୀବର ମାନ ମନୁଁ ହର ରେ । ଘୋଷା ।

ମୃଗମଦ ଲୀଳା ଭୃଙ୍ଗୀ ନୋହିଛି ଅଧର ସଙ୍ଗୀ

ନାହିଁ ମୀନନେତ୍ରୀ ପୀନ

ପୟୋଧରେ ହାର ରେ ।୧।

 

ଆରେ କାମ ରସସିନ୍ଧୁ            ହେବାକୁ ଭାବିଛି ବନ୍ଧୁ

ତୋ ଅଧର ବନ୍ଧୁଜୀବ ଜୀବ ମଧୁକର ରେ ।୨।

 

ଶରଦ ଚନ୍ଦ୍ରମାମୁଖୀ             ଆଲିଙ୍ଗନେ କର ସୁଖୀ

ଏ ସମୟେ ଅଭିନବ-ରତ ମନୋହର ରେ ।୩।

 

କିପାଁ ରେ ରମଣୀବର,       ତୋ ନୟନ ଇନ୍ଦିବର

ସରଜୁଛି ଏବେ ନିରତରେ ନୀରଧାର ରେ ।୪।

 

ତୋ ବିହୁନେ ଆନେ ମନ      କରିପାରେଁ କିରେ ଧନ !

ଅଷ୍ଟଦୁର୍ଗ ବସୁମତୀ ସ୍ୱର୍ଗ ପୁରନ୍ଦର ରେ ।୫।

 

(୧୩୩)

ରାଗ—ଆନନ୍ଦ ଭୈରବୀ—ଆଡ଼ତାଳି

 

ମାନସରୁ ଗୁମାନ ବରଜ ରେ ବନ୍ଧୁଆ !

ଦାସର ଅଭିଳାଷ ଉର ବିକାଶ ସରଜ ରେ । ଘୋଷା ।

ତୋ ରସ ପରିଚୟ ସୁଭାଗ୍ୟ-

ଭୋଗକୁ ହୋଇବାକୁ ଯୋଗ୍ୟ

ସେବିଛି ହରିଶଙ୍କରମୁଖୀ ମୁଁ ଶଙ୍କରଙ୍କ ପଦ-ପଙ୍କଜ ।୧।

 

କା’ର ଗିରକୁ ସାର କରିଛୁ ରେ ବନ୍ଧୁଆ,

ମାର ମଦ ବିକାରର ଉପକାର କରୁଛ ରେ

ବାସବ-ମଣି ସଦୃଶ, କେଶ-ପାଶିନୀ

ପରିହରି ସୁବେଶ ଦାସ ଜନେ ନିରାଶ କରୁଛୁ,

ଏ କି ରେ କିଶୋରୀ ରତନ ।୨।

 

ଆରତି ବର-ବାରଣ ଗତି ରେ ବନ୍ଧୁଆ,

ତାରଣ ଗୁଣ ବାରଣ କର ରସବତୀ ରେ

ଆନ ଅଛିଟି ରଦନ ଚେଳ,

ପାନ ବିତର ଭରସି ଖେଳ

ଆଚରି ପରିହାର ବିଭବ ମୁଞ୍ଚ ଚଞ୍ଚଳାଞ୍ଚଳ ଦୃଶୀ ।୩।

 

ହାସ ଜନିତ ଭାଷ ସମୁଦାୟ ବନ୍ଧୁଆ,

କେବଳ ଜଗଦ୍ଦେବ ବିନୟ ସେବି ହୃଦୟରେ

ମନ୍ଦ ବିକଚ ରୁଚିର କୁନ୍ଦବୃନ୍ଦ ବରଷିଲା ପସନ୍ଦ

ଚନ୍ଦନଶଶୀବାସିତ ତନୁ ସାର ଦାର ଆର ମୂରତି ।୪।

 

(୧୩୪)

ତାଳ—ଆଠତାଳି

 

ମାନ ସୁମନା, କରି ଦେ ମାନସୁ ମନା ରେ । ଘୋଷା ।

ଗିରିସମ ଜାଇରେ ରାମା, ଗିରିସମ ଜାଇ;

ଦେଇ ମୁଁ ପାଇଛି ତୋତେ ଗିରୀଶ ମଜ୍ଜାଇ ।୧।

 

ନାଗରାଜଗତେ ରେ ରାମା, ନାଗରାଜଗତେ;

ମୁଁ ତୋର ବୋଲି ବାଜୁଛି ନାଗରା ଜଗତେ ।୨।

 

ତୋର ପରିକର ରେ ରାମା, ତୋର ପରିକର;

ଆଜି ସିନା ରତେ ମୋତେ ତୋର ପରି କର ।୩।

 

ଫୁଟିଲେ ନିଆଳି ରେ ରାମା, ଫୁଟିଲେ ନିଆଳି;

ଜଳପି ଜଳପି ତୋତେ ଫୁଟିଲେନି ଆଳି ରେ ।୪।

 

ରମ୍ଭାଊରୁ ବସି ରେ ରାମା ରମ୍ଭା ଉରୁବସି;

ଅଙ୍କେ ଥିଲେ ନ ଗଣେ ମୁଁ ରମ୍ଭା ଉରୁବଶୀ ରେ ।୫।

 

ନବ ସୁରସା ରେ ରାମା, ନବସୁରସା ରେ;

ତୁ ପରା ମୋ ଅଙ୍କ ବିନା ନ ବସୁ ରସା ରେ ।୬।

 

ହରିଚନ୍ଦନକୁ ରେ ରାମା, ହରିଚନ୍ଦନକୁ;

ଘେନ ଯଥା ବସନ୍ତରେ ହରିଚନ୍ଦନକୁ ।୭।

 

(୧୩୪) ହେ ସୁମନା- ମାନସରୁ ଅର୍ଥାତ୍ ମନରୁ ମାନକୁ ମନା କରି ଦେ, ଅର୍ଥାତ୍ ମନରେ ମାନ ରଖନା । ଗିରିସମ ଜାଇ- ପର୍ବତ ସମାନ ଜାଇଫୁଲ, ଗିରୀଶ ମଜ୍ଜାଇ- ମହାଦେବଙ୍କୁ ସନ୍ତୁଷ୍ଟ କରି, ନାଗରାଜଗତେ- ଶ୍ରେଷ୍ଠ ହାତୀ ପରି ଗତି ଯାହାର, ନାଗରା- ବାଦ୍ୟବିଶେଷ, ଜଗତେ- ସଂସାରରେ, ତୋର ପରିକର- ତୋ ଚାକର,ନିଆଳି- ଫୁଲ ବିଶେଷ, ଫୁଟିଲେନି- ବିକଶିତ ହେଲେଣି ଓ ଥକିଗଲେଣି, ଆଳି- ସଖୀ, ଜଳପିଜଳପି- କହି କହି, ରମ୍ବାଊରୁ- ରମ୍ଭୋରୁ, କଦଳୀ ଗଛ ପରି ଊରୁ ଯାହାର, ରମ୍ଭାଉର୍ବଶୀ- ସ୍ୱର୍ଗବେଶ୍ୟା, ନବସୁରସା-ନୂଆରସିକା, ରସା- ପୃଥିବୀ, ହରିଚନ୍ଦନ- ଆଠଗଡ଼ର ରାଜା ଓ ଉତ୍କୃଷ୍ଟ ଚନ୍ଦନ ।

 

(୧୩୫)

ରାଗ—କଳିଙ୍ଗଡ଼ା—ନିଃସାରୀ ତାଳ

ମୋ ଧନ ତ ରୁଷିଲାପରି ଦିଶିଲା ରେ । ଘୋଷା ।

କରମ ଅବଳ ହେବାରୁ କେବଳ ରେ

ପୀୟୂଷ ରସରେ ବିଷ ମିଶିଲା ରେ ।୧।

ଭ୍ରମେ ମୋ ମାନସ ଛୁଇଁଥିଲେ ଦୋଷରେ

ପ୍ରଭୁ ତ ସେ, କାହିଁକି ନ କଷିଲା ରେ ।୨।

ଅନ୍ୟ ପ୍ରୀତି ବିନା ନ ଜାଣେ ନବୀନା ରେ

ତା ମନେ ଗୁମାନକୁ କେ ପେଷିଲା ରେ ।୩।

ରସମୟ ବିନା ମୋ ସହୀଟି ସିନା ରେ

ତାକୁ ରୋଷ ନଜରେ କେ ତୋଷିଲା ରେ ।୪।

ମୁଁ ଯେବେଟି ଦୋଷୀ ମତେ ତ ନ ଭାଷିଲା ରେ

ନଖକୁନ୍ତେ ବସୁଧାକୁ ଭୁଷିଲା ରେ ।୫।

ଅଷ୍ଟଦୁର୍ଗପତି ଚିତ୍ତେ ଚିନ୍ତେ ନିତି ରେ

ହସି ଅନାଇଁବ କେହି ସୁଶୀଳା ରେ ।୬।

 

(୧୩୬)

ରାଗ—ସିନ୍ଧୁ କାମୋଦୀ—ଏକତାଳି

 

ମୋ ବନ୍ଧୁକୁ ନ ଦେଖି କୋଳରେ

ଦେବ ଗିରୀଶାରୀ ସାରି

ବିଷମ କୁସୁମ ସମୁଦୟମୟ

ବାଣଗଣେ ମାରି ମାରି । ଘୋଷା ।

ମୋ ବିଚ୍ଛେଦ ଦିନ ଲେଖାରୁ

ଭବନ ଦିଶିବନି ଖାରି ଖାରି ।୧।

 

ଘଉଡ଼ କୋକିଳ, ଛପାଅ ବକୁଳ

ବୋଲି ନେତ୍ରେ ଠାରି ଠାରି

ପ୍ରିୟସଖୀ ତତି ଜଗିଥିବେ

ନିତି ପ୍ରହରକେ ଚାରି ଚାରି ।୨।

 

ଅତି ଯତନରେ ହେଉ ନ ଥିବ

ତା ନୟନୁ ନିବାରି ବାରି

ବୋଧୁଁ କହିକହି ଆଉ କେହି

ସହୀ ରହିବନି ହାରି ହାରି ।୩।

 

ପାରୁ ନ ଥିବେ କେ କୃଶାଙ୍ଗୀର

ଗିର ନିଜ ପରିବାରୀ ବାରି

ଚାପଳ ନ ଥିବ ତନୁରେ ତା

ନବ-ଉରଜ ଯେ ଭାରିଭାରି ।୪।

 

ଏ ଦୁଃଖ ସିନ୍ଧୁରୁ କେବେ କେବେ

ପ୍ରଭୁ ପାପତାପ ତାରି ତାରି

ଜଗଦ୍ଦେବ ବୋଲେ ରଖିଲେ

ରଖିବେ ଅବା ମଦନାରି ନାରୀ ।୫।

 

(୧୩୭)

ରାଗ—ସିନ୍ଧୁକାମୋଦୀ—ଏକତାଳି

 

ମୋର ବନ୍ଧୁ ଚିର ପ୍ରବାସରୁ ଗୋ କଳେ ଅବଧାନ

ଜାଣି ଦାସୀ ମନ ଆଣିଲେ ମଣ୍ଡନ

ସହିତେ ଅନେକ ଧନ । ଘୋଷା ।

ସୁଷମ ସରୋଜରାଜି ଶେଯସଜ କୁସୁମ ସଜଡ଼ା ଖୋଷା।୧।

 

ଅଳକର ଭଙ୍ଗୀ ତିଳକର ଅଙ୍ଗୀକାର ବାଟିକାରେ ସ୍ନେହ

ଫୁଲମାନଙ୍କର ବାସ ସୁକୁମାରଗୁଣ ବୀରର ବିରହ ।୨।

 

କଳକଣ୍ଠ ସ୍ୱରେ ଭ୍ରମର ଝଙ୍କାରେ ସଙ୍ଗୀତେ ଶ୍ରବଣ ପ୍ରୀତି

ନିବିଡ଼ାଲିଙ୍ଗନ ସରସ ଚୁମ୍ୱନ ଅଭିଳାଷ ପରା ରତି ।୩।

 

ଦର ଦରସ୍ମିତ ସୁଧା ପରିଚିତ ନିରଳସ ଚନ୍ଦ୍ରମୁଖ

ମଦ-ଚନ୍ଦନ ଗନ୍ଧବହ ଲହରୀ ଚନ୍ଦ୍ରିକା ସ୍ଫରଶ ସୁଖ ।୪।

 

ଅଳଙ୍କାର ଧନ ଏଥିରୁ ଯେ ଆନ କଳଙ୍କ ପରି ସେ ସିନା

ଅଷ୍ଟଦୁର୍ଗ ମହୀନାଥ ମୋର ସହି, କଷ୍ଟ କରିଦେଲେ ଚୂନା ।୫।

 

(୧୩୮)

ରାଗ—ମୁଖାବରି

 

ମୋ’ର କି ବୁଦ୍ଧି ଆଜ ?

‘ନୂଆ ସଙ୍ଗମେ’ କେହି ଛାଡ଼ିବି ଲାଜ ? ।୦।

 

ସ୍ୱପନେ କାନ୍ତ-ମୁଖ ଅନାଇଁ ନାହିଁ- (ମୁଁ ତ ଅନାଇଁ ନାହିଁ);

‘କେଳି-ତଳପେ’ ମିଳି ଖେଳିବି କେହି ?।୧।

 

‘ପ୍ରଦୀପ ମାଳା’ ଯେବେ ଦେବି ଲିଭାଇ,

ଭାବିବେ ପରା ‘‘ବାଳା ହୋଇଲା ବାୟୀ’’ ?।୨।

 

ତୁଚ୍ଛାକୁ ପୁରୁଷଙ୍କ ଅଧିକେ ଛଟା;

ବିଧାତା କଲା ଆଣି କି ହଟହଟା !! ।୩।

 

‘ଶ୍ରୀରାମଚନ୍ଦ୍ର ଛୋଟରାୟ’ ଭଣିଲେ-

‘ଆଳୀ’ କହିଲା, ‘‘ହେବ କରି ଜାଣିଲେ’’ ।୪।

 

(୧୩୮) କେହି- କିପରି, କେଳି-ତଳପ- ରତିକ୍ରୀଡ଼ାର ଶଯ୍ୟା, ଛଟା- ଚାତର, ହେବ କରି ଜାଣିଲେ- ସଙ୍ଗମର ସାଧାରଣ ବିଧି ଜାଣିଲେ କାର୍ଯ୍ୟ ସମାହିତ ହେବ ।

 

(୧୩୯)

 

ମୋହନା ! ଥରେ ଚାହିଁ ଯା ...ରେ

ଚଞ୍ଚଳ ମନୋହର ଅଞ୍ଚଳ ନୟନେ ।୦।

 

‘ରସବତୀମଣି’ ପଣେ ଉଡ଼େ ବାନା;

ଦିବା-ଦୀପ ପରି କରନା ।୧।

 

ଦିଶୁଚି କଳାନିଧି ଶ୍ରୀମୁଖ ଶୋଭା,

ଦେଖି ଧନ କୁସୁମ ଗଭା ।୨।

 

ସ୍ନେହ ଜର ଜର ଦରହାସ ଲୀଳାରେ

ଶରମରେ ଧନ ମଜ୍ଜରେ ! ।୩।

 

‘ନବୀନ’ ବିଚାରି ଯେବେ ହୃଦୟ ଶଙ୍କେ,

ନ ବିହର ପଛେ ମୋ’ ଅଙ୍କେ ।୪।

 

‘ଛୋଟରାୟ’ ବୋଲେ ମୁଖ ପୋତି ପଳାନା,

ଘେନ ପରିଜନ ମୁଁ ସିନା ।୫।

 

(୧୩୯) ମହନା- ମନୋମୁଗ୍ଧକାରିଣୀ, ଅଞ୍ଚଳ ନୟନେ- ଆଖି କୋଣରେ, ଦିବାଦୀପ- ଦିବସରେ ଦୀପ କ୍ଷୀଣ ହୁଏ, କଳାନିଧି- ଚନ୍ଦ୍ର, ଶରମରେ- ଲାଜରେ, ନବୀନ- ନୂଆ ପ୍ରେମିକ ବା ପୁରୁଷ ଅର୍ଥରେ, ଶଙ୍କେ-ଶଙ୍କା ଆସେ, ପରିଜନ- ସେବକ ।

 

(୧୪୦)

ରାଗ—ସାରଙ୍ଘ—ଏକତାଳି

 

ମୋହନା, ମୋ ଅଙ୍କକୁ ଆସ ରେ । ଘୋଷା ।

ଦୁଃଖନଦ ଭେଳା, ଶୁଚି ସ୍ମିତ ଖେଳା

ମଧୁରାରୁଣ ରଦବାସରେ ।୧।

 

ନୟନରୁ ବାରି, ପ୍ରସରି ନିବାରି

ଭିଡ଼ିଦେ ଥରେ ଭୁଜ ଫାଶରେ ।୨।

 

ଖଳଜନ ବାଣୀ, ହୃଦୟକୁ ହାଣି

ରୁଷନା ଧନ ନିଜ ଦାସରେ ।୩।

 

ତୋ ମଣି କଠାଉ, ବହି ଦିନ ଯାଉ

ନ ଛାଡ଼ୁ ମୋର ଏ ମୁହାଁସ ରେ ।୪।

 

ଗିର କର ଆହା, ସରିଲିଟି ଚାହାଁ

ମଦନାନନ୍ଦନିଳ ଝାସ ରେ ।୫।

 

ଚୁମ୍ୱନ ବିଧାନେ, ମଧୁରସ ଦାନେ

ହର ମୋ ମରମ ପରାଶ ରେ ।୬।

 

ବସୁଦୁର୍ଗ ରାଜା ସୁଖେ କର ତାଜା

ରସିଯା’ ତଳପ ବିଳାସ ରେ ।୭।

 

(୧୪୧)

ରାଗ—ତୋଡ଼ି—ଏକତାଳି

ମୃଦୁହାସୀ ଦାସୀ ସିନା ହେ । ଘୋଷା ।

ତୁମ୍ଭ ସ୍ନେହ ନିଉନ            ହେବାରୁ ହେଲା ମ୍ଳାନ

ଏବେ ସେ ଯେବେ ସହି ନା ହେ ।୧।

ବିଧି କଲା ବିଧାନ            ଅବଧି କଲେ ଆନ

ସୁନା ସେ ତୁମ୍ଭେ ତ ମିନା ହେ ।୨।

କେ ଦେଲା ଉପବେଶ      ନ ଥାଇ ଦୋଷ ଲେଶ

ଯୁବତୀ ଜୀବନ ଘେନା ହେ ।୩।

ସଢ଼ୁଛି ବିରାଗରେ             ଅବନୀ ପରାଗରେ

ଯେ ତୁମ୍ଭଠାରୁ ଅଭିନ୍ନା ହେ ।୪।

ଏ କେଡ଼େ ଲୋକହସା      ତୁମ୍ଭ ଉତ୍ସଙ୍ଗ ଭୂଷା---

ହେବାର ସ୍ମିତ ବିହୀନା ହେ।୫।

ଅଷ୍ଟଦୁର୍ଗେଶ ବୋଲେ       ତା’ ଭୋଗ ଯୋଗ ଥିଲେ

କର ତା ଗୁମାନ ମନା ହେ ।୬।

 

(୧୪୨)

ରାଗ-ପଞ୍ଜାବୀ

 

ଯା ନ ଘେନିଲା ସେ, ଗାନ-ରସିକା ଆଜ

ପାନ ମୋ କରୁ ଦରହାସେ ।ପଦ।

ତନୁ ମଧ୍ୟମା ମୋ ସହି, ଅନୁକମ୍ପିଲା ନାହିଁ,

ତନୁ କମ୍ପିଲା ଚାହିଁ ତ୍ରାସେ ।୧।

 

ସଡ଼ିଗଲି କେବଳ, ପଡ଼ି ମୁଁ ଚନ୍ଦ୍ରଚୂଳ-

ପର-ଶର ଅନଳ ଝାସେ । ।୨

 

ତୋ କଞ୍ଜ ସୁନ୍ଦର ପଣ ଜିକ୍ଷାଣି ମୋର,

କ୍ଷଣ କଲା ଦୁସ୍ତର ମାସେ ।୩।

 

କେଉଁ ଦୁଃଖେ ଅଧର ଲଭିଲି ବୟସୀର,

ମଉଳିଗଲା ଖର ଶ୍ୱାସେ ।୪।

 

ଅକପଟରେ ମୋର ନ କଲା ତୋଷଭର,

ମଳରେ ଚିତ୍ର ଫରମାସେ ।୫।

 

ବଳ କରିଣ ପ୍ରୀତି, ଫଳ ହେଲା ଏ ଗତି,

ଜଳନ୍ତର ଭୂନାଥ ଭାଷେ ।୬।

 

(୧୪୩)

ରାଗ—ଗଣ୍ଟାରବ—ଝୁଲା

 

ଯା’ର ମନ ଯହିଁକି ରସେ,

ତା’ର ବିନା ତାକୁ ଆନ ନ ଦିଶେ । ଘୋଷା ।

 

ଦୁଷ୍କ ଚକ୍ର ନକ୍ରାଦି ଥିଲେ,

ନିଦାଘ ତପନ ତାପରେ ମଲେ

ଥିଲେ ହେଲେ ଧୀବର ଜାଲେ

ଦେଖୁ ଦେଖୁ ମୀନ ଜଳକୁ ଭୁଲେ ।୧।

 

ପାଶେ ଥିଲେ ସୁର-ସରିତ,

ବଳଇ କି ତହିଁ ଚାତକ ଚିତ୍ତ ?

ହେଲେ ହେଲେ ଅତି ଆରତ

ଘନ ଜଳ ସିନା ତାର ଜୀବିତ ।୨।

 

ଦେଖ ପତଙ୍ଗକୁ କେମନ୍ତ,

ଅନଳ ପାଶକୁ ଧାଏଁ ନିରତ,

ଗଲେ ହେଲେ ତାର-ଜୀବ ତ

ଶୋଚନା ଥାଏ କି ତାର କିଞ୍ଚିତ ।୩।

 

କବିରବି ବୋଲେ ଏ ଭାବ,

ଯେ ଯେତେ କହିଲେ କିସ ହୋଇବ ?

ଯାହାର ଯେମନ୍ତେ ସ୍ୱଭାବ

ପ୍ରାଣ ଗଲେ ହେଲେ ଛାଡ଼େ କି ଭାବ ? ।୪।

 

(୧୪୪)

ରାଗ—ତୋଡ଼ି—ଆଦିକାଳ

ଯୋଷା, କରିଛୁ ଆଜ ଓଷା କି ରେ । ଘୋଷା ।

ଏ ଘେନି ବେଣୀ ନାହିଁ ଛପି ରହିଛି କାହିଁ

ଆଶାବତଂସ ହେବା ଖୋଷା କି ରେ ।୧।

କୁଶବେଣ୍ଟିଆ ଜୂଡ଼ା ଉପରେ ଦୁବ ବିଡ଼ା

ବସନ୍ତରେ ଅକ୍ଷତ ମିଶା କି ରେ ।୨।

କେଶ ଦରଶ ମସି ଚନ୍ଦନ ଟୋପି ଶଶୀ

ସିନ୍ଦୂରରଜ ବିନ୍ଦୁ ପୂଷା କି ରେ ।୩।

କଣ୍ଠ କଳିତ ମାଳ କଲା ଆଜ ବିରଳ

ପଟିର ପଙ୍କଲେଖା ଭୂଷା କି ରେ ।୪।

ଏହି ନିୟମେ ରହି ରହି ମୋ ପ୍ରାଣସହୀ

ପ୍ରବେଶ ହୋଇଯିବ ନିଶା କି ରେ ।୫।

ଶ୍ରୀ ଜଗଦ୍ଦେବ ବୋଲେ ଏବେ ମୁଁ ଅଳି କଲେ

ରମ୍ଭୋରୁ ଆରମ୍ଭୁ ତୁ ରୁଷା କି ରେ ।୬।

 

(୧୪୫)

 

ଯୋଷାକୁ ରୁଷା କେ ଶିଖାଇଲେ ରେ ।ପଦ।

ନିର୍ଦ୍ଦୋଷ ନିର୍ମଳ, ସୁଧାରେ ଗରଳ,

ଗୋଳିଦେଇ ଖଳ କି ଖାଇଲା ରେ ।୧।

 

ମୋ ନୟନସୁଖ, ବର୍ଦ୍ଧନ ଶ୍ରୀମୁଖ,

ପୀୟୂଷ ମୟୁଖ ଶୁଖାଇଲା ରେ ।୨।

 

ଇନ୍ଦୀବରୁ ନବ, କମଳ ସମ୍ଭବ,

କମଳସମ୍ଭବ ଦେଖାଇଲା ରେ ।୩।

 

କି ରହିବି ଜୀବେ, ଚନ୍ଦ୍ରମାକୁ ଯେବେ,

ଅରୁଣ ରାଜୀବେ ରଖାଇଲା ରେ ।୪।

 

ଦୋଷ ଥିଲେ ମୋର, ଦୟାବତୀବର,

କାହିଁକି ଅଧର ଚଖାଇଲା ରେ ।୫।

 

ଏ ଘେନି ସଦ୍ୟଥ, ଅଷ୍ଟଦୁର୍ଗନାଥ,

ସୁଖ ମନୋରଥ ଭୋଖାଇଲା ରେ ।୬।

 

(୧୪୬)

ରାଗ—ଶଙ୍କରାଭରଣ

 

ରଞ୍ଚ ନୟନ-ଅଞ୍ଚଳ ଘନ ନୀଳ ଦେହରେ

ବଞ୍ଚନ ସମୁଦଞ୍ଚନ ଧନ ସଞ୍ଜୟନୀ କି ସଞ୍ଚ ଭାବି

ଚଞ୍ଚଳ ଘନ ମୁଞ୍ଚ ଘଞ୍ଚ ମୋହ ରେ । ଘୋଷା ।

 

ଯାନପୁର ବିତାନରୁ ଅଭିମାନ ଛେଦ ରେ

ଆନ ନ କର ସାନ ବଚନ ମାନ ଆଦରେ,

ଜ୍ଞାନ ପଥରେ ଧ୍ୟାନ କର ତୁ ତାନରେ

ମୁନି ମାନନୀୟ ଯାନ ପଦ ନିଧାନ

କର ସୁଗାନ ବାଦ ରେ ।୧।

 

କାଟ କଳୁଷ ଥାଟ ଭୟ କବାଟ ସାଜ ରେ

ଘାଟଟି ଏହୁ ବାଟ ନତୁ ଉଚ୍ଚାଟ ହେଜ ରେ,

ପାଟ ନ କର ଭାଟ ପଣର ହାଟକ ନଟ ନାଟରେ

ହେବ ହାଟଟି ଏହି ପାଟ-ଶେଯ ରେ ।୨।

 

ବାରକ ମୋ ନିବାରଣ ମଣ ସାର ନୀତିରେ

ତାର ତନୁକୁ କାରଣ ପରଦାର ଭୀତିରେ

ମାର ଭୟରୁ ଭାର ରମଣୀ ଛାର ଉରଜ ଭାରକୁ ତୁ

ହାର କରି ବିହାର ନ କର ଜାର ଭୀତି ରେ ।୩।

 

ଯେ ବର ମଣୁ ସେ ବପୁ କି ତୋ ଦେବ ଶାନ୍ତରେ,

ସେବକୀ ତୁଲେ ନେବ କି କହ ଏ ବନାନ୍ତରେ,

ଭେବଳ ହେଲେ କେବଳ ତୋର

ହେବ ଏ ଘେନି ଦେବ ଦେବ

କେବଳ ଜଗତଦେବ ବଚନେ ସେବ ତା’ ଠାରେ ।୪।

 

(୧୪୭)

ରାଗ—ପୂରବୀ

 

ରସନିଧି ଭଲା ଆଚରିଲା

ମୋହପରି ବିଧି ରେ ।ପଦ।

କିଙ୍କିଣୀ ତାଳକୁ ରଚୁଥିଲା, ଝୁଲି ଝୁଲି ନଥ ନାଚୁଥିଲା,

ନେତ୍ର ପୁଣ୍ୟଫଳ ପାଚୁଥିଲା,

ମୋତେ ବ୍ରହ୍ମପଦ ସୁଖ ଯାଚୁଥିଲା ।୧।

 

ଅଧୋମୁଖେ ରତ୍ନସାନୁ ଥିଲା, ତା ନିକଟେ

ସୁଧାଭାନୁ ଥିଲା ତହିଁ ତିଳଫୁଲ ତଳେ

ଝଳମଲ ବୁଲାକି ଝୁଲାକି ମାନୁଥିଲା ।୨।

 

ଆନେ ତା ଚାକିର ଲବ କାହିଁ,

ବିବେକ ବାକି ରହିଲା ନାହିଁ

ବିନ୍ଦୁ ବିନ୍ଦୁ ଝାଳ ସୁନ୍ଦର

କପୋଳ-ମୁକୁରେ ମକରୀଲୀଳା ଚାହିଁ ।୩।

 

ବନ୍ଧୁ ମୋ କି ଲାଜ ଭଜୁଥିଲା,

ଥରେ ଥରେ ନେତ୍ର ବୁଜୁଥିଲା,

ଥରେ ଥରେ ଚାହିଁଦେଇ ଇନ୍ଦୀବରେ

ମଦନଦେବକୁ ପୁଜୁଥିଲା ।୪।

 

ନୀଳ କୁଞ୍ଚିତ କୁନ୍ତଳତତି, ଭଜୁଥିଲା ଅସ୍ତବ୍ୟସ୍ତ ରୀତି,

ମିଶୁଥିଲା ଗଭା କ୍ରମରେ ଖସିବା କୁସୁମ ଶ୍ରୀ

ଜଗଦ୍ଦେବ ଧୃତି ।୫।

 

(୧୪୭) ଟୀକା- ସାନୁ- ପର୍ବତ ଶିଖର ବା ଶୃଙ୍ଗ, ସୁଧାଭାନୁ- ଚନ୍ଦ୍ର, ଚାକୀ- ଦୀପ୍ତି, କପୋଳମୁକୁର- ଗଣ୍ଡଦେଶରୂପ ଦର୍ପଣ, ବୁଲାକି- ନାସିକାର ଅଳଙ୍କାରବିଶେଷ, ମକରୀ- ଗଣ୍ଡଦେଶରେ ଅଙ୍କିତ ଚିତ୍ର ବିଶେଷ, କୁନ୍ତଳତତି- କେଶସମୂହ, ବୁଲାକି ଝୁଲାକି- ଦଣ୍ଡିର ବୁଲିବା ।

 

(୧୪୮)

ରାଗ—କେଦାର—ଆଠତାଳି

 

ରସାତଳଭୂଷା, ନବରସେ ରସା ରେ । ଘୋଷା ।

ଗାଢ଼େ ଭୁଜେ ଭିଡ଼ି ମୋତେ ବିଦାରି କରଜ-କ୍ଷତେ

ଘଷି ଗଣ୍ଡେ ଗଣ୍ଡକୁ ସୁଧା ବରଷା ରେ ।୧।

 

ନଚାଇ ରୁଚିର ବେଣୀ       ବଜାଇ କଟି କିଙ୍କିଣି

ମଡ଼ାଇ କୁଚ ଇନ୍ଦ୍ର ପଦକୁ ନସା ରେ ।୨।

 

ରଚି ବନ୍ଧନ ନାଗରୀ            ନିଅ ମୋ ମନକୁ ଧରି

ନୀରେ ନୀର ପରି ଅଙ୍ଗେ ଅଙ୍ଗ ମିଶାରେ ।୩।

 

ପ୍ରେମଭରେ ଯାଇ ମଜ୍ଜି       ନିବିଡ଼ ସୁଖକୁ ହେଜି

ଭାଷି ଇଷି ଧନୁ କାମକରୁ ନ ଖସା ରେ ।୪।

 

ଅଷ୍ଟଦୁର୍ଗ ଦଣ୍ଡଧାରୀ            ଭାଷେ କାମ ପୂର୍ଣ୍ଣକରି

ରସିକ ସଂସାରେ ମୋ ସୁକୃତ ବିଶା ରେ ।୫।

 

(୧୪୯)

ରାଗ—ତୋଡ଼ି—ଆଦିତାଳ

 

ରାମା ! ଚାହୁଁ ଯା ନୟନାନ୍ତେ ଅଳପରେ । ଘୋଷା ।

ଟାଳିଦେବି ମୁଁ ଦୁଃଖପାଳି ଫରାଇ ମୁଖ

ଗାଳିରେ ହେଲେ ପଦେ ଜଳପରେ ।୧।

 

ଖଣ୍ଡ ମଧୁର ବାଣୀ ମଣ୍ଡ ସ୍ତନେ ମୋ ପରି

ଦଣ୍ଡ ଦେଲାଟି କୋଟି କଳପରେ ।୨।

 

ରେ ବିମ୍ୱାଧରାବର ସେବି ନିଶାବାସର

ହେବି ମୁଁ ତୋ କିଙ୍କର କଳପ ରେ ।୩।

 

ଗଜଗତିକି ସ୍ନେହେ ଶ୍ରୀ ଜଗଦ୍ଦେବ କହେ

ପଣ୍ଡିତା ମଣ୍ଡ କେଳି ତଳପରେ ।୪।

 

(୧୫୦)

ରାଗ—ତୋଡ଼ି—ଆଠତାଳି

 

ରାମାବର, ଜଳଜନେତ୍ରା ହସି ଦେ’ରେ । ଘୋଷା ।

ଚନ୍ଦ୍ର ଚନ୍ଦ୍ରିକା କ୍ଷୀର କୁନ୍ଦ ସୁଧା ହାଣ୍ଡିର---

ପିଣ୍ଡ ଗରବ ମୁଖେ ମସୀ ଦେ’ ରେ ।୧।

 

ମନମଥ ମୁକୁର-ମଣ୍ଡଳ ସହୋଦର

ଗଣ୍ଡ ମୋ ଗଣ୍ଡେ ଥରେ ଘସି ଦେ’ ରେ ।୨।

 

ମୋ କର କରକଶ କି ତୋ କୁଚ କଳସ

ରସିକା ଶିଖାମଣି କଷି, ଦେ’ ରେ ।୩।

 

ରତେ ବଳାଇ ମତି ମୋତେ ଇନ୍ଦ୍ର ସମ୍ପତ୍ତି

ମର୍ତ୍ତ୍ୟଲୋକର ଉରୁବଶୀ ଦେ’ ରେ ।୪।

 

କହେ ଶ୍ରୀ ଜଗଦ୍ଦେବ ଯେବେ ମୋ ଦୋଷ ଥିବ

ଗଳେ ତୋ ବାହୁଲତା ରସି ଦେ’ରେ ।୫।

 

(୧୫୧)

ରାଗ—କଳିଙ୍ଗଡ଼ା—ରୂପକ ତାଳ

 

ରାମା ରାଜିଲା, ବିଶ୍ୱଶୋଭାପୁଞ୍ଜ ଗର୍ବ ଗଞ୍ଜିଲା

ନାକ ନର ନାଗ ନଗରୀ

ନାଗରୀ ଦରି କି ଭଜିଲା । ଘୋଷା ।

ଧରଣୀ ଦେଶରେ ଧାତା ମାନସରେ

କି ଚାରୁ ଚିତ୍ର ଉପୁଜିଲା,

ଏ ଘେନି କି ବାଳା ସ୍ୱର୍ଣ୍ଣ ଚମ୍ପାମାଳା

ଶମନ ପିତାଙ୍କୁ ପୂଜିଲା।୧।

 

ସବୁ ଯୁବାଶ୍ରେଣୀ ମନ ଜିଣି

ଜିଣି-ମଦନ ମଦକୁ ଭଜିଲା,

ଯତୀନ୍ଦ୍ରଙ୍କସାର ସାରିବ ଏଥର

ଅମୋଘ ଆୟୁଧ ସାଜିଲା।୨।

 

ଝଳି ଚାମୀକର କିରଣ ନିକର

ପଙ୍କଜାନନୀର ବାଜିଲା,

ଜଗତ ମହିଳା କଳେବର

କଳା-କଳଙ୍କ ଛଡ଼ାଇ ମାଜିଲା ।୩।

 

ଇନ୍ଦୁ ଅରବିନ୍ଦ ଇନ୍ଦୀବର

କୁନ୍ଦ ମନ୍ଦାର ମଦ ବରଜିଲା,

ମୁଖ ପାଣି ପାଦ ନେତ୍ର ରଦ

ରଦବାସ ସେବାକୁ ନ ତେଜିଲା ।୪।

 

ଜାଣିଲି ମୋ ସୁଖ-ଦୀପ ଚାରିମୁଖ

ସ୍ନେହ ସଂଯୋଗରେ ତେଜିଲା,

କହେ ଅଷ୍ଟଦୁର୍ଗନାଥ ଶୋଭା

ସ୍ୱର୍ଗ-ଫଳ ଭୋଗେ ମନ ମଜିଲା ।୫।

 

(୧୫୨)

ରାଗ—କାଫୀ

 

ରାମାରାଜ ! ଆଜ ଏ କି ରେ ? ।୦।

ନଚାଇ ଭୂରୁ, ନ ଚାହୁଁ ଦୁରୁ

କିପାଁ ଶ୍ରୀଚନ୍ଦ୍ରମୁଖ ଟେକି ରେ ? ।୧।

 

ସହି ! ମୋ ଶୀରି ସହି ନ ପାରି

ଛଳେ ଜଣାଇଁ ଦେଲା କେ କି ରେ ? ।୨।

 

ଦେଉଚୁ ସାରି ଶିଳା ପ୍ରହାରି

ଆହା ! କି ସୁଖ-ସୁଧା-ଠେକି ରେ !! ।୩।

 

କେଳତି ପତି – ‘କାତି’ ମୋ ଛାତି

କାଟି କଲାଟି ଚେକି ଚେକି ରେ ! ।୪।

 

‘ହରିଚନ୍ଦନ’ ବିନୟ ଘେନ;

ଘେନି ନଚାଅ ଚିଲ୍ଲି-କେକୀ ରେ ! ।୫।

 

(୧୫୨)ରାମାରାଜ-ରମଣୀଶ୍ରେଷ୍ଠା,ଶୀରି-ସମୃଦ୍ଧି,ଶିଳା-ପଥର,ସୁଖ-ସୁଧା,ଠେକି-ସୁଖ ରୂପକ ଅମୃତ କଳସ,କଳତି ପତି କାତି—କନ୍ଦର୍ପର କଟୁରୀ,ଚିଲ୍ଲି-ଭୂରୁ,କେକି-ମୟୁର

 

(୧୫୩)

ରାଗ---ପୂରବୀ---ଏକତାଳି

 

ଋଣୀ ହୋଇଲି ରେ, ଗୁଣି ତୋର ଗୁଣ ଶ୍ରେଣୀ

ଲୁଣି ମଣିଲିଣି ପୁଣି ପୀୟୂଷକୁ

ଶୁଣିଲାଦିନୁ ତୋ ବାଣୀ । ଘୋଷା ।

 

ଦୁଃଖ ଏ ଅକ୍ଷର ଯୁଗଳକୁ

ଦୂର କରିବାକୁ ମୋ କପାଳୁ,

ଶଙ୍ଖ-ଲାବଣ୍ୟନିଧି-କଣ୍ଠୀ ତୁ

ସ୍ନେହେ ସଙ୍ଖୁଳାଇବାର କାଳୁଁ ।୧।

 

ଚିତ୍ତ କିଣିବାର ରସଗର୍ଭ ଗିର

କେତକୀ ଦଳରେ ଲେଖି,

ପେଷିବା ସଙ୍କେତ ଆରେ ମରକତ

କେଶୀ ବାଇ ହେଲି ଦେଖି ।୨।

 

ଲୋଡ଼ି ପ୍ରଣୟ ଯା ସଙ୍ଗୀତେ

ମୋହରି ଯୋଡ଼ିବାରେ ଗୀତ ଗାଉ,

ବୁଡ଼ି ବସିବା ଦଶନ ଚିହ୍ନଥିବା

ବିଡ଼ିଆ ଯାହା ମଗାଉ ।୩।

 

ଗୁରୁଜନ ଚୟ ତରଜନ

ଭୟ ଗୁରୁଜି ଡିଆଇଁ ଦୂରୁ,

ଦୃଷ୍ଟି ପୁରନ୍ଦର ରତନ ପ୍ରକର

ବୃଷ୍ଟି ମୋରେ କରିବାରୁ ।୪।

 

ବାଞ୍ଛି ମୋ ଚୁମ୍ୱନ ଯା ଦନ୍ତ

ବସନ ଦଳ ଦ୍ୱୟ ଦେଉ ଠାରି,

ଜଳନ୍ତର ପତି ବୋଲେ ଧନ

ପ୍ରୀତି ଜନମେ ଶୁଝି ନ ପାରି ।୫।

 

(୧୫୪)

 

ରୁଷାକୁ ସାର ସାରସଦୃଶା

ତ ଶିଖିଲା ରେ । ଘୋଷା ।

ମୁଁ ସାହସୁଁ କେଉଁ ଦୋଷ

 

କରିବା ଦେଖିଲା ରେ,

ତୁଷାର-ମୟୂଖ ମୁଖ

ମଣ୍ଡଳ ଶୁଖିଲା ରେ ।୧।

 

ନିଶାରୁ ମୁଁ ହୋଇଛି ଯେ

ତା ସ୍ନେହ ଭୋଖିଲାରେ,

ବିଶାରଦା କି କାଳେ

ସୁଖ ଉପେକ୍ଷିଲା ରେ ।୨।

 

କୃଶାଙ୍ଗୀ କି ଶୁଣିଲା ତା

ମନରେ ଲାଖିଲା ରେ

କୁଶାଳିରେ କେଉଁ ଖଳ

କୁଶାନୁ ଯୋଖିଲା ରେ ।୩।

 

ସୁସାର ସରସାକ୍ଷର

ଥରେ ନ ଭାଖିଲା ରେ

କି ସାରସାତ୍ମକ ଦୃଷ୍ଟ

ଦଶାରେ ଲେଖିଲା ରେ ।୪।

 

ଭାଷେ ଜଗଦ୍ଦେବ ସ୍ନେହ

ଆଉ କି ରଖିଲା ରେ

ରସାଳସାଧର ମୋ ରସନା

ନ ଚାଖିଲା ରେ ।୫।

 

ଟୀକା---ସାରସ ଦୃଶା-ପଦ୍ମଫୁଲ ପରି ଦେଖାଯାଉଥିବା,ତୁଷାର ମୟୁଖ-ଚନ୍ଦ୍ର,କୁଶାଳିରେ-ଦୂବଘାସରେ,କୃଶାନୁ-ନିଆଁ,ସୁସାର-ଅତି ଉତ୍କୃଷ୍ଟ,ସରସାକ୍ଷର-ସରସ କଥା,ଭାଖିଲା-କହିଲା,ସାରସାତ୍ମଜ-ବ୍ରହ୍ମା,ରସାଳସାଧର-ରସମୁଗ୍ଧା ପ୍ରେମିକାର ଅଧର,

 

(୧୫୫)

 

ରୁଷା ବରଜ ମୃଦୁ କୃଶାଙ୍ଗୀ ଶିଶୁମୃଗଦୃଶାଟି

ବିଚଳିତ ହସାଟି ରେ ।

ଭସାଇ ନ ଦିଅ ସରସ ପ୍ରବର ଅଭରସା

ଜଳେ ମୋ ଶୁଭ ଦଶାଟି ରେ ।ପଦ।

 

ପରାଭବରୁ ମୋତେ ଖରାବ ନ କର ରେ

ତରାବରମୁଖି ମୁଁ ତୋ ଶାଟୀରେ,

ଧରାମାଣିକ୍ୟଝରା ମଦନ କରେ

ମରାଇ ହେବୁ ଲୋକହସାଟି ରେ ।୧।

 

କ୍ଷମାଜଳଧି ଭିଡ଼ି ଜମାଇ ଉରଜ

ଭରମାଚଳରେ ନିଅ ନିଶାଟି ରେ,

ଗୁମାନକୁ ନୁହଇ ସମାନ ମୁଁ ତୋହର

ତମାଳ କିଶଳୟ କେଶାଟି ରେ ।୨।

 

ମନା ନ କର ସୁନୟନା ସଦୟ ରସ

ଅନାଉଣି କି ବରଯୋଷାଟି ରେ,

ଅନାଥ ପରି ଦୀନମନା ହେଉଛି ଧନ

ଅନାଇ ନତମୁଖ ବସାଟି ରେ ।୩।

 

ଅକାରଣେ ସଦ୍ୟୁତି, ଚକା ଲପନ ପୋତି,

ନ କାନ୍ଦ ବସୁମତୀଭୂଷାଟି ରେ,

ଜକାଜକି ଚୁମ୍ୱନ, ସକାମେ ରବି ଧନ,

ପକାଅ ହରି ମୋର ତୃଷାଟି ରେ ।୪।

 

ରସାଅ ରସରେ ତ ରସା ହେଉଛି

ମଧୁରସା ସଦୃଶ ରସକଷାଟି ରେ,

ରସାତିଳକ ହରିଚନ୍ଦନ ଦେବ ଗୋରି

ତୋ ଚରଣ ଶରଣପଶାଟି ରେ ।୫।

 

(୧୫୫)ଟୀକା---ବିଚକିଳ-ମଲ୍ଲୀ

(୧୫୬)

 

ରେ କିଶୋରୀ, ଭରସା କରିଚି ତତେ

ଆନନ ଦେଖିଲେ            ଆନନ୍ଦେ ଭାସଇ

ଆନ ନ ରୁଚଇ ମତେ ।୦।

 

ଜଗତେ ଜାଣନ୍ତି            ଜଗମୋହିନୀ ରେ

ଜଳରୁ ଜାତ ଜଳଜ

ମନ୍ଥର ଗତିରେ             ପଥେ ଜାତ କରୁ

କେତେ ବିକଚ ସରୋଜ ।୧।

 

ନୀଳ ଇନ୍ଦିବର            ସେହି ଦିନୁ ଜାତ

ଧାତା କଲାଦିନୁ ସୃଷ୍ଟି

ଚାହିଁଣ ଛଟକେ             ପ୍ରତି ଦିଗେ ନୀଳ

କୁମୁଦ କରୁ ତୁ ବୃଷ୍ଟି ।୨।

 

ଜମ୍ବୁନଦ ଆଦି            ଯେତେ ପୀତ ଦ୍ରବ୍ୟ

ଯେଝା ଅଙ୍ଗେ ଯେଝା ଶୋଭା

ତୋ ତନୁ ଝଟକ            ଯହିଁ ପଡ଼ିଯାଏ

ଦିଶେ ସେ ଗଉର ପ୍ରଭା ।୩।

 

ମନ୍ଦ ହାସ ଯୂତ            ଭାଷା ପଦେ କହ

ସୁଧା ବସୁଧାରେ ପୂରୁ

ରାମଚନ୍ଦ୍ର ଦେବ            ନୃପ ସ୍ୱର୍ଗ ଭୋଗ

ଇଚ୍ଛା ଆଜ ଠାରୁ ସରୁ ।୪।

 

(୧୫୬)ଆନନ-ମୁଖ,ଜଳଜ-ପଦ୍ମ,ନୀଳ ଇନ୍ଦିବର-ନୀଳ କଇଁ,ଜମ୍ୱୁନଦ-ସୁନା,ଯୁତ-ମିଶିଥିବା ବା ଯୁକ୍ତ ହୋଇଥିବା ।

 

(୧୫୭)

ରାଗ----ତୋଡ଼ିପରଜ---ଏକତାଳି

 

ରେ ଜୀବନ, ନବମାଳି କଳି କଳି

ନିଖିଳ ବଲ୍ଲରୀ ବଦନ ଚୁମ୍ୱନେ

ଆରମ୍ଭିଛି ଅଳି ଅଳି । ଘୋଷା ।

ସୁନ୍ଦର ମାକନ୍ଦ ମୁଖରୁ ମରନ୍ଦ

ପଡ଼ିବାରୁ ଗଳି ଗଳି

ରବ ଦମ୍ଭେ ପିକ କି ପରିହାସିକ

ବୋଲୁଅଛି ଭଳି ଭଳି ।୧।

 

ଚନ୍ଦନ ଚାହାଁ ତୁ ମଦନ

ଭସ୍ୱାନ ଆସୁଅଛି ଢ଼ଳିଢ଼ଳି,

ଦୀନ ମୁଖେ କେଳି ଶେଯୁ ଯୁବାପରି

ଦୁଇଆଖି ଢଳିଢଳି ।୨।

 

କେଉଁ କେଉଁ ଗ୍ରାବ ସମୁଚୟେ

ଦ୍ରାବ ଧନଞ୍ଜୟ ଜଳି ଜଳି,

ବନ ମହୀସ୍ଥଳ କରୁଅଛି ନୀଳ

ଜୀର୍ଣ୍ଣ ପର୍ଣ୍ଣ ଦଳି ଦଳି ।୩।

 

କୁସୁମ ସମୟ ଲକ୍ଷ୍ମୀ ସମୁଦୟ

ପଡ଼ୁଅଛି ବଳି ବଳି

କାମିନୀଙ୍କ ମନ ଦୁହିଙ୍କର ମନ

ଯାଉଅଛି ଟଳି ଟଳି ।୪।

 

ତରୁଣୀ ଶରଣ ଇତର ମରଣ

ହେଉ ବୋଲି ଢଳିଢଳି,

ଯୋଗୀଙ୍କି ପ୍ରହାର କରି କାମକର

ରହିଅଛି ଫଳି ଫଳି ।୫।

 

ତୋ କୃପା ସକାଶୁଁ ସୁଖେ ବଞ୍ଚେ

ବସୁଦୁର୍ଗନାଥ ଛଳି ଛଳି,

ନ ପଚାରେ ପଞ୍ଚ ନାରାଚକୁ ଲାଞ୍ଚ

ଦେଲେ ହେଲେ ଥଳିଥଳି ।୬।

 

(୧୫୮)

ରାଗ---ତୋଡ଼ିପରଜ, ଏକତାଳି

 

ରେ ନୀରଦ ଗରଜି ମରୁଛୁ କେତେ,

ଅରଜି ନାହୁଁ ତ ମୋ ବନ୍ଧୁ ଲଳିତ ଭାବ

ବିଭବୁଁ କିଞ୍ଚିତେ । ଘୋଷା ।

 

ଦେଖୁଛୁ ତ ମୋର ବାଳା ପୟୋଧର

ଉପରେ ମୁକୁତା ହାର

କେଉଁ ବୁଦ୍ଧିବଳେ ଧରାଧରଚୂଳେ

ଲମ୍ୱାଉ ସଲିଳଧାର ।୧।

 

ତ୍ରିଭୁବନେ ସରି ଅଛି କି କିଶୋରୀ

ଭୂରୁ ଖେଳିବା ଦଣ୍ଡକୁ,

ଫୁଲୁଅଛୁ କେତେ ଦେଖାଇ

ନିରତେ ଇନ୍ଦ୍ରକୋଦଣ୍ଡ ଖଣ୍ଡକୁ ।୨।

 

କ୍ଷଣପ୍ରଭା କେଳି ଛାରକୁ

ସଙ୍ଖାଳି କରି ଫୁଲୁଅଛୁ ଯାହା,

ନୀଳଚେଳାଚ୍ଛନ୍ନ ବାଳା ଅପଘନ

ଛବିକି ଅଳପ ଚାହାଁ ।୩।

 

କରିଅଛୁ କେଡ଼େ ଭରସା

ନିବିଡ଼ କରକାବଳି ବରଷା,

ଦେଖୁଛୁ ତ କୁନ୍ଦଦରହାସୀ

ମନ୍ଦ ସୁନ୍ଦର ମଧୁର ହସା ।୪।

 

ଅସିତ ଗୁଣରେ ମିଶିତ ମୋ ତୁଲ୍ୟ

କେହି ନୋହେ କି ବିଚାରୁ,

ମୋ ଧନ କୁନ୍ତଳପାଶ

ଇନ୍ଦ୍ରନୀଳମୟ ଚାମରରୁ ଚାରୁ ।୫।

 

ମୁଁ ବଡ଼ ଶୀତଳ ବୋଲି ଏବେ

ସ୍ଥୂଳ ଗରବ ଆଣିଛୁ କହୁଁ;

ବୋଲେ ବାଲୁକେଶ ଶରଣନରେଶ

ବନ୍ଧୁଗୁଣ ଶୁଣି ନାହୁଁ ।୬।

 

(୧୫୮)ଟୀକା---ନୀରଦଜ-ମେଘ,ପୟୋଧର-କୁଚ,ଧରାଧର-ପର୍ବତ,ଇନ୍ଦ୍ରକୋଦଣ୍ଡ-ଇନ୍ଦ୍ରଧନୁ,କ୍ଷଣପ୍ରଭା-ବିଜୁଳି,ନୀଳଚେଳାଚ୍ଛନ୍ନ-ନେଳିଆ ଲୁଗାଦ୍ୱାରା ଆବୃତ,ଅପଘନ-ଦେହ,କରକାବଳି-କୁଆପଥର,ଅସିତ ଗୁଣ-କୃଷ୍ଣତା,କୁନ୍ତଳପାଶ-କେଶଗୁଚ୍ଛ,ଶରଣନରେଶ-ଆଠଗଡ଼ ରାଜା

 

(୧୫୯)

ରାଗ----ପୁରବୀ----ଆଦିତାଳ

 

ରେ ମଞ୍ଜୁଳା, ଧରୁଛି କର-ସାରସ,

ନ ଧରିବୁ ଥିବାଯାକ ମୋର

ଜବାଅଧରା ତୁ ରୁଷା ବେଶ । ଘୋଷା ।

 

କରୁଥାଏଁ ଅତି ପ୍ରୀତିରେ

ମୁଁ ନିତି ନିତି ହର ଦରଶନ,

ନିରତେ ତୋ ମୁଖ ପୀୟୂଷ

ମୟୁଖ ହୋଇବାକୁ ପରସନ ।୧।

 

ତୋ ବଦନ ଦରହାସ ଏକା

ମୋର କୋଟି କୋଟି ଟଙ୍କା ସୁନା,

ଓଦରେ ନଜରେ ନ ଆଣଇଁ

ଇନ୍ଦ୍ରପଦକୁ ଏ ଘେନି ସିନା ।୨।

 

ମୋର ସୁଖଶିରୀ ରହୁଥାଏ ପୂରି

ମୋ ମନ ଉଲ୍ଲାସେ ମିଶି,

ହେଲେହେଁ ବିମୁଖ ବିଷମ ବିଶିଖ

ନ ପାରେ ଏଣୁ ଭରସି ।୩।

 

ସଜବାଜେ ଚିତ୍ତ ଦେଲେ ତୁ ମୁଁ

ମତ୍ତ ହେଉଥାଏଁ ମଦେ ଫୁଲି,

ସେ କାଳ ମାଧୁରୀ ଅବଲୋକ କରି

କୃତାର୍ଥ ହୋଇବି ବୋଲି ।୪।

 

ତୋ କୋଳୁ ଅନ୍ତର ହୋଇଥିଲେ,

ଦୂର ହୋଇଥାଏ ଭାଗ୍ୟ ମୋର,

ଅଷ୍ଟଦୁର୍ଗ-ସ୍ୱର୍ଗ ମହେନ୍ଦ୍ର କହଇ

ଏଣୁ ମୁଁ ଆୟତ୍ତ ତୋର ।୫।

 

(୧୬୦)

ରାଗ----ପୂରବୀ

 

ରେ ମଦନ, ‘ଗୁମାନ’ କେତେ ଦେଖାଉ ?

ଅମାନବତୀ ତ ହେଲାଣି ମୋ’ ଧନ,

ନ ମାନଇଁ ତତେ ଆଉ ।୦।

 

ଭୂରୁ ନୀଳ ସୂନ ଚାପରେ

ଅଞ୍ଜନ ମିଳିନ୍ଦ ମାଳା ଶିଞ୍ଜିନୀ

ନେତ୍ର-ସାରସର ଅନ୍ତଃସାର

‘ଶର’ ସାଜିଲା ନିଜେ ମୋ’ ଧନୀ ।୧।

 

ଗଉର ଦେହାର ସଉରଭ ସାର

କଳା କୁନ୍ତଳ ତମାଳେ

କୁସୁମ ସମୟ ଶିରୀ ସମୁଦାୟ

ପ୍ରବେଶ କଲାଣି ବଳେ ।୨।

 

ରସା ବିଭୂଷାର ମୁଖେ ମିଶି ସାର

ପ୍ରସାଦ ଇନ୍ଦିରା ପାଳି

ପରବ ଶରବରୀଶର ଗରବ

ମୂଳରୁ ଦେଲାଣି ଟାଳି ।୩।

 

ଲଡ଼ିବା ‘ନା’ ତା’ର ଛଡ଼ାଇ

ନେବାକୁ ପଡ଼ିବାରୁ ଆଲୋଚନା

ପିକ ରବପରି ପ୍ରିୟ ସହଚରୀ

ନିକର ‘ବଚ’ ରଚନା ।୪।

 

ବାକୀ ଅଛି ସିନା ଚନ୍ଦନ-ବାସନ

ବହିବା ମନ୍ଦ ସମୀର;

‘କବିରବି’ ଭାଷେ ‘ତୋ’ ସମର-ଶେଷେ

ସେ ତ ହେବ ବଶ ମୋ’ର ।୫।

(୧୬୦)ଅମାନବତୀ-ଅଭିମାନ ଶୂନ୍ୟା,ସୂନ ଚାପରେ-ପଷ୍ପଧନୁରେ,ମିଳିନ୍ଦମାଳା-ଭ୍ରମର ପଙ୍‍କ୍ତି,ଶିଞ୍ଜିନୀ-ଧନୁର୍ଗୁଣ ଅର୍ଥରେ,ଅନ୍ତଃସାର-ଭାର ଭଲ,କୁସୁମ ସମୟ ଶିରୀ-ବସନ୍ତ ଋତୁର ସୌନ୍ଦର୍ଯ୍ୟ,ରସା ବିଭୂଷା-ପୃଥିବୀର ଭୂଷଣ,ଇନ୍ଦିରା-ଲକ୍ଷ୍ମୀ,ପରବ ଶରବରୀଶ-ପୂର୍ଣ୍ଣିମା ଚନ୍ଦ୍ର,ଲଡ଼ିବା-କଳି କରିବା,ବଚ-ଭାଷା,ବାସନ-ସୁବାସିତ କରଣ ।

 

(୧୬୧)

ରାଗ---ତୋଡ଼ି ପରଜ---ଏକତାଳି

 

ରେ ମିତଣୀ, ମଜ୍ଜାକୁ ଭେଦଇ ବ୍ୟଥା

ମିତ୍ରଜନମନ ମାତ୍ର କଲେ ମ୍ଳାନ

ମାଡ଼ିଯାଏ ପୁଣି କଥା । ଘୋଷା ।

 

ଦୂରୁ କିରେ ଆଳି ବୋଲି ନ

ସଙ୍ଖାଳି ମୁରୁକି ହାସ ବରଜି

ତଳକୁ ମଉଳି କରି ଚ଼ଳିକରି

ନ କଲେ ହେଲେ ତରଜି ।୧।

 

ଚନ୍ଦ୍ରିକା କଳପିକସ୍ୱନ କୁସୁମ ଭୃଙ୍ଗ ନିନାଦ

ଲାଗେ ବିଷପରି ଦିବା ବିଭାବରୀ

ନ ଛୁଅଁଇ ନେତ୍ରେ ନିଦ ।୨।

 

ଉପାୟ ନ କଲେ ଜଣାଯିବ

ବୋଲି ଉପାୟନ କିଛି କରି

ଗେଲ ଗିର ଯେତେ କହିଲେ

ଲାଗଇ ଛେଇ ବାଜିଗଲା ପର ।୩।

 

ଡୋଳା କଞ୍ଜଦଳ ଜଳରୁ ତରଳ

ହୋଇଯାଏ କାହୁଁ କାହୁଁ

ନୟନେ ନୟନ ମିଶୁଥାଉ ବୋଲି

ଯେତେ ଯତ୍ନେ ଚାହୁଁ ଚାହୁଁ ।୪।

 

ଅଧର ଦଳରେ ନଚାଇ

ଛଳରେ ମଧୁର ସରସ ବାଣୀ

ଗଉରବମୟ କଲେ ହେଁ

ହୃଦୟ ଠଉର ପଡ଼େ ସେ କ୍ଷଣି ।୫।

 

ସ୍ନେହ ପରା ସ୍ୱାଦୁ ଚିକ୍‌କଣ

ପଦାର୍ଥ ହୁଅଇ ଯେବେ ଖଦଡ଼

ଅଷ୍ଟଦୁର୍ଗ ନାଥ ବୋଲେ

ଦମ୍ପତ୍ତିକି କଷ୍ଟ ନାହିଁ ତହୁଁ ବଡ଼ ।୬।

 

(୧୬୨)

ରାଗ---କାମୋଦୀ----ଯତିତାଳ

 

ରେ ମୋ ଧନ, ତେଜ ମନୁ ଲାଜ

ହେବୁ କି ମୋ ପରି ଆଜ ରେ । ଘୋଷା ।

 

ବାଞ୍ଛି ବନ୍ଧ କାଞ୍ଚିବନ୍ଧ ଚାଲନ୍ତେ ମୋଦରେ

ସ୍ୱର୍ଣ୍ଣରମ୍ଭା ପର୍ଣ୍ଣ ଚରମରେ

ବେଣାଫଣୀ ଖେଳିବ ବାଦରେ ।୧।

 

ତିଳ ସମୁଜ୍ଜତ ନାସା ନୀଳମଣି ଅଳି

ଫୁଲ୍ଲ ଅରବିନ୍ଦ ହାସେ ମକରନ୍ଦ

ଆଶାରେ କରିବ ଅଳି ରେ ।୨।

 

ରଦେ ରଦବାସ ଭିଡ଼ିକରି ବିଧୂନନ

ଆଶ୍ଳେଷରେ ଅପଘନେ ଜମି ମୋର

ଗଣ୍ଡେ ମଣ୍ଡିବ ଚୁମ୍ୱନ ରେ ।୩।

 

କକ୍ଷମୂଳେ ତୀକ୍ଷ ନଖକ୍ଷତ କଲାବେଳେ

ଜଳଧିରୁ ଝସ ଉଛୁଳିଲା ପରି

ହେଉଥିବ ମୋର କୋଳେ ରେ ।୪।

 

ରାମଚନ୍ଦ୍ର ଛୋଟରାୟ ବୋଲେ ସେ ରମଣୀ

ପ୍ରତି ଅଙ୍ଗ ଶୋଭା ଦେଖିବାଭୟରେ

ମୋ ନେତ୍ର ବୁଜିବ ପାଣିରେ ।୫।

 

(୧୬୩)

ରାଗ---ଭାଟିଆରୀ

 

ରେ ମୋ ଜୀବନ, ମୁଁ କି ମୀନ

ମୀନନେତ୍ରା ତୁ ମୋ ଜୀବନ ରେ,

ମୋର ମାନସ ବିହଗରାଜିବନ । ଘୋଷା ।

ସାକରସାର ମଧୁରଭାଷୀ, କାକରକରକିରଣହାସୀ,

ନାକରମଣୀକି ଟାକର ମାରୁଛି ତୋ

କର ପଇଠ ଧରା ଦାସୀ ରେ ।୧।

 

କୁସୁମୋତ୍ସବ ବିଚ୍ଛେଦ ଯୁଗୁ,

ଲାଗି ଡକାଇତ ଲାଗୁ ଲାଗୁ,

ଲଳନାରତନ କଳନା ନ ପଡ଼ି

କଳାନାଗବଲ୍ଲୀ ଗେଲେ ମାଗୁ ରେ ।୨।

 

ଛାମୁରେ ଛାଇ ନ ପଡ଼ୁ ବୋଲି,

ଛଡା ହୋଇ ମୁଁ ଯେ ଛିଡ଼ା ହେଲି,

ଛୁଇଁଲ ଯେ ବୋଲି ଛଇଳି ହସି ମୋ

ଛାତିକି ଉରୋଜେ ଦେଉ ପେଲି ରେ ।୩।

 

ତୁ କାହା ଦୁଃଖପାସୋରା କି ରେ,

ବୋଲି ମୁଁ ପଚାରେଁ ପ୍ରେମଗିରେ,

ତୁମ୍ଭର ବୋଲିବା ଦମ୍ଭରେ

ଦମ୍ଭୋଳି କଚାଡ଼ୁ ମୋ ଦୁଃଖଗିରି ଶିରେ ।୪।

 

ମେଲାଣି ହେବି କି ଯେତେ ବୋଲେ,

ମୁଁ କି ଜାଣଇ ମା ଭାଷି ଗେଲେ,

ମୋ ପିନ୍ଧାବାସ ଶେଷକୁ ଛନ୍ଦିଥାଉ

ଅଙ୍ଗୁଳି ଅସ୍ଫୁଟ ଚମ୍ପାଫୁଲେ ରେ ।୫।

 

ସ୍ମିତ ସୁଧାବିନ୍ଦୁ ଝଡ଼ୁଥାଇ,

ରତର ପ୍ରସଙ୍ଗ ବଢ଼ୁଥାଇ,

ଚିତ୍ତ ତୋ ଯହିଁ ଦଉଡ଼ୁଥାଇ,

ଚାରୁ ଚାହାଣିରୁ ଚିହ୍ନା ପଡ଼ୁଥାଇ ରେ ।୬

 

ପ୍ରତି ପ୍ରବନ୍ଧେ ମଜ୍ଜାଇ ମଜ୍ଜା,

ନିତି ହେଉଛୁ ବାସକସଜ୍ଜା,

ଗୋଟିକି ଗୋଟିଏ ରାଣ ଲଙ୍ଘି ନଖି

ବୋଲି ଯେ କାହିଁକି ଏଡ଼େ ଲଜ୍ଜାରେ ।୭।

 

କ୍ଷଣକେ ମୋ ଦୋଷ ଦଶକୋଟି,

କ୍ଷମା ନ କଲେ ମୁଁ ସରିଲିଟି,

ଅଖଦଡ଼ ଅବଧାନରୁ ଶ୍ରୀଅଙ୍ଗେ

ନଖଦନ୍ତ କ୍ଷତ କରଇଟି ରେ ।୮।

 

ଏ ସ୍ନେହପୀୟୂଷ ବରଷାରୁ,

ଏହି ଅନୁରାଗ ଭରସାରୁ,

କର ସାରସଲୋଚନା କବିରବି

ବଳାଇଛି ତୋତେ ଘରଷାରୁ ।୯।

 

(୧୬୪)

ରାଗ---ତୋଡ଼ି ପରଜ---ଆଦିତାଳ

 

ରେ ସଙ୍ଗାତ, ନିଧୂବନେ ମୋହ ପରି,

ରସିବା କାଳରେ ଦିଶି ଯାଉଥିଲା

ଧନ ଘନକାଳ ପରି । ଘୋଷା ।

ବାରିଦ ନିଃସ୍ୱନ ପରି ଶୁଭୁଥିଲା

ଅରାଜି ‘ଉହୁଁ’ ବଚନ,

ନାସା ନୀଳମଣି ନିନ୍ଦା କରୁଥିଲା

ନୀଳକଣ୍ଠ ନରତନରେ ।୧।

ମୋର ଉରଘନେ ଖେଳା

କରୁଥିଲା ତା ତନୁବଲ୍ଲୀ ଚପଳା

ପିକକୁଳ ପରି ମୂକ ହେଲା

ପଦପଙ୍କଜ ମଞ୍ଜରୀ ବଳା ରେ ।୨।

ବଦନଚନ୍ଦ୍ରକୁ ଗ୍ରାସି ଆସୁଥିଲା

ଅସିତ ଘନକବରୀ

ମଥା ମୋତି ଛକଜାଲି ଦିଶୁଥିଲା

ଅନ୍ଧାରେ ଖଦ୍ୟୋତ ପରି ରେ ।୩।

ଝିଙ୍କାରୀ ଝଙ୍କାରପରି ଶୁଭୁଥିଲା

ରତନଯୁତ କିଙ୍କଣୀ,

କନକ କଦଳୀଦଳେ ଖେଳୁଥିଲା

କି ରଙ୍ଗେ କାଳୀନାଗୁଣୀ ରେ ।୪।

ଛିଡ଼ିଯାଏ ମୋତି ବିଞ୍ଚି ହୁଏ

କ୍ଷିତି ପତନ କରକାବଳି,

କପୋଳୁଁ କୁସୁମାବଳି ଖସୁଥାଏ

ନୀରଦୁଁ ପରି ବକାଳି ରେ ।୫।

କଳା ରଟଳା ବାସନ୍ତୀ ଜୀବବନ୍ଧୁ

ଗଭା ପୁରନ୍ଦର ଧନୁ,

କଦମ୍ୱ ପ୍ରଫୁଲ୍ଲ ସମ୍ପଦକୁ ଚୋରି

କରୁଥିଲା ତାର ତନୁ ରେ ।୬।

ଶ୍ରମ ସ୍ୱେଦବିନ୍ଦୁ ଛଳେ

ଜୀବବନ୍ଧୁ ବରଷିଲା ଘନରସ

ଚଞ୍ଚୁପୁଟେ ବାରି ଧରି ହେଲା

ହରିଚନ୍ଦନ ଭୂନାଥ ତୋଷ ରେ ।୭।

 

(୧୬୫)

ରାଗ---ତୋଡ଼ି ପରଜ---ଏକତାଳି

 

ରେ ସଙ୍ଗିନୀ, ମନ ଥିଲେ ମଙ୍ଗିଯାଉ

ମତ୍ତଗଜଗତି ମଉନେ ରହିଲେ ମୁଁ

କିସ କରିବି ଆଉ । ଘୋଷା ।

ସୁଝୀନବସନା ବୁଝି ନାହିଁ କି

ସେ ମୀନକେତନର ଦାଉ

ବୁଝିବା ମରଜି ଅଛି ଯେବେ

ବୁଝି ମନକୁ ରିଝାଇ ନେଉ ।୧।

 

କହିବୁ ମନମୋହନାକୁ ମୋ’

ଠାରେ ଅନୁରାଗ ରଖିଥାଉ

ଏଣିକି ଏଣୀନୟନାର ମୁଁ କିଣା

ହେଲିନି ଲାଜ ନ ପାଉ ।୨।

 

ବଧୂ ବଧୂଲୀଅଧରୁ ମଧୁରସ

ଏଥର ଥରେ ଚଖାଉ

କାଚ କଳସରେ ଜଳଥିଲା ପରି

ଭଙ୍ଗୀ ଆଉ ନ ଦେଖାଉ ।୩।

 

ବତିଶାର୍ଦ୍ଧବୟା ମାୟା ଛାଡ଼ି

ଦୟା ବଡ଼ପଣକୁ ଦେଖାଉ

କୁଟୀଳ କେଶୀ ମୋଠାରେ କୁଟୀଳତା

ଭାବ ଆଉ ନ ଦେଖାଉ ।୪।

 

ମାରଦର ଖଣ୍ଡାଘାତକୁ ମୁଁ

ନିଶ୍ଚେ କରିଚି ତାକୁ ବଦାଉ

ନୀଳାଦ୍ରୀ ବିହାରୀ ଶ୍ରୀ ହରିଚଦନ

ବୋଲେ ଆଶ ନ ଭଙ୍ଗାଉ ।୫।

 

(୧୬୬)

ରାଗ---ତୋଡ଼ି---ଏକତାଳି

 

ଲାଜ ବରଜି ଦ୍ୱିଜରାଜ ସୁନ୍ଦରମୁଖୀ

ଆଜ ମୋ ସ୍ନେହ ପରିପାଳିବୁ ରେ । ଘୋଷା ।

ବିନୟ ଘେନି ମୋର, ମୀନନୟନା ମାର

ରଣଦକ୍ଷ କଟାକ୍ଷ ଢାଳିବୁ ରେ । ୧।

 

ବିନା ଲାଜେ ମୋ ଦେହ, ମୀନା ଧରଣୀରୁହ

ସୁନାବଲ୍ଲରୀ ପରି ପାଳିବୁ ରେ ।୨।

 

ଘନ ପରିରମ୍ଭରେ---ଧନ, ମୋହନ ଉରେ

ସ୍ତନ କନକ କୁମ୍ଭ ଟାଳିବୁ ରେ ।୩।

 

ମୁଁ ନର୍ମକାଳେ ନଖ, ମୂନ ଚାଳନ୍ତେ ସୁଖ---

ବଶେ ମୋ ଅଙ୍ଗେ ନଖ ଚାଳିବୁ ରେ ।୪।

 

ମଦନ ଶରକୁଳ କଦନ ତରୁମୂଳ

ମୋ ଧନ ଘନକେଶା ଟାଳିବୁ ରେ ।୫।

 

ଅଷ୍ଟଦୁର୍ଗ ଭୂପର ଦଷ୍ଟ ରଦନାମ୍ୱର

ହେବ ଯେ ତହିଁକି ନ ଭାଳିବୁ ରେ ।୬।

 

(୧୬୭)

ରାଗ---ପୂରବୀ---ତ୍ରିପୁଟା

 

ଲାବଣ୍ୟସିନ୍ଧୁରେ ବନ୍ଧୁ । ଅଛି ଏ ଦେହଟି ତୋ

ସ୍ନେହାନୁବନ୍ଧେ । ଘୋଷା ।

ଯା ନେତ୍ରୁ ଦୃଗନ୍ତ ମୋ ମୁଖେ ବରଷୁ

କାଶ୍ମୀରଗୋରୀ ସୁଖ ସୁଧା ପରଷୁ ।୧।

 

ବିମ୍ୱାଡ଼ମ୍ୱରୀ ଓଷ୍ଠେ ଚୁମ୍ୱ ଯା’ଠାରୁ

ତାଙ୍କୁ ମୁଁ ଜିଣି ପଡ଼େ ସମ୍ୱଜାଠାରୁ ।୨।

 

କି ଭାଗ୍ୟ ନ ଦେଉଟି ରଦନ ଚେଳେ

ସରସୋଦୟସ୍ମିତ ବିଳାସ ବେଳେ ।୩।

 

ତାଜିମ ଦେଇ ଭେଟୁ ଯା ଦରହାସେ

ସାଜି ମଦନ ନାଚେ ମୋ ହୃଦଦେଶେ ।୪।

 

ଭାଷଇ ବସୁଦୁର୍ଗ ବସୁଧା ପାଳ

ଆସ ଇନ୍ଦିବରାକ୍ଷୀ ମୋ କୋଳେ ଖେଳ ।୫।

 

(୧୬୮)

ରାଗ----ପୁରି

 

ଲୀଳାବତୀ ରସେ ରସିଲା; କୋଳେ ବସାଇଲି;

ଗେଲେ ବସିଲା ରେ ! ।୦।

ପୀନ ସ୍ତନ ଆଲିଙ୍ଗନୁଁ ଘନ ପୁଲକିତ ତନୁ

କରି ମୋ’ ଅଙ୍ଗରେ ରଙ୍ଗେ ମିଶିଲା ରେ ! ।୧।

 

ଅଧର ବିମ୍ବ ଚୁମ୍ୱନେ ନ ଧରି ଗୁମାନ ମନେ

ହରଷେ ମୋ’ ଗଣ୍ଡେ ଗଣ୍ଡ ଘଷିଲା ରେ ! ।୨।

 

ନଖ ବସୁଁ ଉରୁ-ମୂଳେ ସୁଖସଦନା ବିକଳେ

‘ରଖ’ ବୋଲି ଗେଲେ ‘‘ଇଷି’’ ଭାଷିଲା ରେ ! ।୩।

 

ରତି ମୁଁ ମାଗନ୍ତେ ରସବତୀ ନ କରି ନିରାଶ

ଲାଜ ଲାଜ ହୋଇ ମନ୍ଦେ ହସିଲା ରେ ! ।୪।

 

ରାମଚନ୍ଦ୍ର ଛୋଟରାୟ କହେ ‘‘ଆହା ! ସେ ସମୟ

ମୋତେ ‘ସ୍ୱର୍ଗ’ ସୁଖମୟ ଦିଶିଲା ରେ !’’ ।୫।

 

(୧୬୮)ରଙ୍ଗେ-କ୍ରୀଡ଼ାରେ,ଊରୁମୂଳେ-ଜଙ୍ଘ ମୂଳରେ,ରଖ-ଥାଉ ବା ସେପରି କର ନାହିଁ,ସ୍ୱର୍ଗ ସୁଖମୟ-ଅଲୌକିକ ସୁଖପୂର୍ଣ୍ଣ

 

(୧୬୯)

ରାଗ---କାମୋଦୀ---ଆଦିତାଳ

 

ଶିରୀଷ କୋମଳା ରେ, ପ୍ରୀତିବତ୍ସଳା ବାଳା । ଘୋଷା।

ନବ ଅବଳା ଲାଜେ            କେଳି ବାହୁଡ଼ା ବିଜେ---

କରନ୍ତେ ଆଳିମାଳା ମିଳି ପାଶେ,

ବେଷ ବିଷମ ରୀତି            ଦେଖି ଭଙ୍ଗୀ ଭାରତୀ—

କହନ୍ତି ପରସ୍ପରେ ପରିହାସେ ।୧।

 

କହ ରେ ଚନ୍ଦ୍ରମୁହୀଁ            ଯାଇ ଯେ ଦେଇ ନାହିଁ

ଆମ୍ଭେ ସଜାଡ଼ି ଦେବା ସଜବାଜ

ଏ କିସ ମା କେଶରୀ--      ଧରା ଶଶାଙ୍କ ପରି

ଶିରୀ ଆଣିଛୁ ଚୋରି କରି ଆଜ ।୨।

 

ଚିତ୍ର ଲାଗୁଛି ଦେଖି            ନାହିଁ ଯା ତୋର ସଖି

କାଲି ଚାଲି ଚପଳ ଲୀଳା ଲବେ,

ଗତି ତୋ ଚକ୍ର ଭଙ୍ଗ            ସକାଶରୁ ଅନଙ୍ଗ

ଜୟ ମଙ୍ଗଳ ରଥ ପରି ଏବେ ।୩।

 

ଦନ୍ତେ ଅଧର ପୀଡ଼ି,            ନୀଳ କାଞ୍ଚଲା ଭିଡ଼ି

ଲୁଚାଉ ଥାଉ କୁଚ ପରା ସହି,

ସଞ୍ଚାଣ ଚଞ୍ଚୁ ଗଳି            ଚକ୍ରବାକ ଯୁଗଳି

ଲୁଳିଲା ପରି ଆଜି ରାଜେ କେହି ।୪।

 

ଆହା ନ ସହୁ ଆମ୍ଭ--            ଶିଥିଳ ପରିରମ୍ଭ

ଲେଶ ବତ ହେଲେ ହେଲେହେଁ ଯେତେ,

ମୀନକେତନ ଭଲା,            ଦିନକେ କି ନ କଲା

ଛଇଳା ଶିରୋମଣି ସତେ ତୋତେ ।୫।

 

ଏପରି ପରିହାସେ            ଲାଜେ ରଦନବାସେ,

ହାସ ମିଶାଇ ବାସ ଦେବା ଭଙ୍ଗୀ,

ନାସା ମଣିମୟୁଖେ            ବିଶି ପୁର ଗବାକ୍ଷେ,

କବିସୂର୍ଯ୍ୟ ଧଇର୍ଯ୍ୟ ଦେଲା ଭାଙ୍ଗି ।୬।

 

(୧୭୦)

ରାଗ—ପୂରବୀ

 

ଶୁଝି ନୋହିବ ଯେ, ସୁଝୀନ ବସନା ‘ପ୍ରୀତି’

ଯୁଝିବା କାଳରେ ରତିପତି ସଙ୍ଗେ

ବୁଝିଚି ଭଲା ତା’ ରୀତି ।୦।

 

ଭୟାକୁ ବିଚାରି ମତେ ସେ ଦୟାଳୁ ମାତିଥାଏ ରତେ;

ଅଭୟ ହେବାକୁ କୁଚ-ଶମ୍ଭୁ ସେବା

ଅବକାଶ ଦିଏ କେତେ ! ।୧।

 

ଝଲକା ଝଲକ ଆଞ୍ଚିବା ଖଡ଼ଗ ମଲ୍ଲକ ମଣିବି ବୋଲି

ଧୃତି ଖଣ୍ଡନା ମୋ’ ଶ୍ରୁତିକି ଫୁଙ୍କିଲା,

ପଲକ ପକାଇ ଦେଲି ।୨।

 

କିଙ୍କିଣୀ ମଧୁର ଧ୍ୱନି ଧନୁର୍ଗୁଣ

ଟଙ୍କାର ଶଙ୍କା ବିଚାରି

ତାହାର ବିହାର ଭଙ୍ଗୀ ଭାଙ୍ଗିଥାଏ

ଗାଢ଼େ ଆଲିଙ୍ଗନ କରି ।୩।

 

ଅୟଚକ୍ର ଲୟ ହେବା ପାଇଁ

ମୋ’ର ସିନା ସେ କେଳି ଲାଳସୀ

ଭାବଭୋଳେ ନୀଳ ନଳିନ ଡୋଳାକୁ

ଭାଲେ ଦେଇଥାଏ ଖୋସି ।୪।

 

‘ନବ ଦୁର୍ଗରାଣ’ ବନ୍ଦନ୍ତି କବରୀ

ସ୍ରଜ ବୃଷ୍ଟି ହେଲେ ଯେତେ

ବାଣଗଣ ମଣି ତ୍ରାସ କଲା

ପ୍ରାଣମଣି ‘ଶେଯ’ କରି ମତେ ।୫।

 

(୧୭୦)ରତେ-ରତିକ୍ରୀଡ଼ାରେ,ଆଞ୍ଚିବା-ବାହାର କରିବା,ମଲ୍ଲକ-ମଲ୍ଲଯୋଦ୍ଧା,ଧୃତିଖଣ୍ଡନା-ଧୈର୍ଯ୍ୟନାଶିନୀ,ଶ୍ରୁତିକି-କାନକୁ,ବିହାରଭଙ୍ଗୀ ଭାଙ୍ଗିଥାଏ-ଶୋଇବା ଭଙ୍ଗୀ ବଦଳେଇଥାଏ,ଅୟଚକ୍ର-ଭାଗ୍ୟଚକ୍ର,ନବଦୁର୍ଗାରାଣ-ନୂଆଗଡ଼ ରାଜା,ସ୍ରଜ-ମାଳାର ଫୁଲ ।

 

(୧୭୧)

ରାଗ---ପୂରବୀ---ଏକତାଳି

 

ସଂଯୋଗୁଁ ପଡ଼େ ପ୍ରମାଦ, ରେ ସଙ୍ଗାତ ।

ରୋଗୀ, ଭୋଗୀ, ଯୋଗୀ, ଚୋର, ଅନୁରାଗୀ

ପାଞ୍ଚକୁ ନ ମାଡ଼େ ନିଦ ରେ । ଘୋଷା ।

ଶୁଭ ଆଗମନେ ବରଷକେ

ଦିନେ ନିମିଷ ପରାୟେ ନିଶା,

ଦଇବ ବିମୁଖ ଯୋଗୁଁ ତନୁ ଦୁଃଖ

କରାଇଲା ଦୁଷ୍ଟ ଦଶା ରେ ।୧।

 

ସୁରତ ଉତ୍ସୁକେ ରତନ ପଲଙ୍କେ

ଭୋଗେ ଯାଉଥାଏ ଦିନ,

ତହିଁକି କିଞ୍ଚିତ ହେଲେ ଉପସ୍ଥିତ

ସଂସାର ବିଷୟମାନ ରେ ।୨।

 

ଯେଉଁ ମାନସରେ ଧିଆନ ବଶରେ

ହେଉଥାଇ ବ୍ରହ୍ମଜ୍ଞାନ,

କରି ସଙ୍କଳପ ଅଡ଼ିଲେ ଅଳପ

ବାନ୍ଧବୀର ଅଭିମାନ ରେ ।୩।

 

ଚଉପାଶେ ଚାହିଁ ଚଞ୍ଚଳତା

ବହି ପଶେ ଇତର ତତ୍ତ୍ୱର,

ନିଶୀଥର କାଳେ ପରନାରୀ କୋଳେ

ଥିବାକାଳେ ତା ପତିର ରେ ।୪।

 

ନିଯୋଗ ଯୋଗାଇ ଗୁପତ ସୁରତ

ବାଞ୍ଛାରୁ ସଙ୍କେତ ସ୍ଥାନ,

ଭଜନ୍ତେ ହରଷେ କବିସୂର୍ଯ୍ୟ ଭାଷେ

ତହିଁରେ ସପତ୍ନୀ ଜନ ରେ ।୫।

 

(୧୭୨)

 

ସଙ୍ଗିନୀ, ବରଜ ଗୁମାନ

ସରଜ କେଳି ବିଧାନରେ ।

ପାଜି ସ୍ମର ସାଜି ଶର ଭଜି ଅଭିମାନ

ଗରଜି ତରଜେ ଅରଜି ନେବାକୁ

ମୋର ଜୀବନ ନିଦାନ ରେ ।୧।

 

କରଜ ଦାଉକୁ ନିକି ଧରଣୀ ଭାଜନ

କେହି ସହିପାରେ ବିବେଚନା ଥରେ

ନ କଲୁ ତ ଅବଧାନରେ ।୨।

 

ମରଜିକି ଥରେ ମୋ ନ କଲୁ ଅନୁମାନ

ପରଜି ପରଶୁ ଅଜରାଜ ଗର

ସରଜିବା ଦାସ ଜନରେ ।୩।

 

ଊଣା ଯେବେ କଲି ଉରରୁହ ମରଦନ

ବର ବରନାରେ କ୍ଷମା ନିକି ଥରେ

ନ କରିବୁ କି ତୋ ଧନରେ ।୪।

 

ଅଷ୍ଟଦୁର୍ଗ ପୁରନ୍ଦର ବିନୟ ବଚନ

ରାଜିକଲା ଟେକି ରାଜୀବ ଲପନ

ଖେଳାଇ ଖଂଜନୟନରେ ।୫।

 

(୧୭୨)ବରଜ-ଛାଡ଼,କରଜ-ନଖ,ପରଜି-ଧାରୁଆ କରି,ପରଶୁ-କୁଠାର,ଅଜରାଜଗର-ବିଷ,ଉରରୁହ-ସ୍ତନ,ପୁରନ୍ଦର-ଇନ୍ଦ୍ର(ଏଠାରେ ରାଜା ଅର୍ଥରେ)

 

(୧୭୩)

ରାଗ---ମୁଖାରୀ---ଏକତାଳି

 

ସରସ ଯେତିକି ରେ ବନ୍ଧୁ

ବିରସ ତେତିକି ରେ । ଘୋଷା ।

ନାଗରୀ ମୁକୁଟ ହୀରା, ଉନ୍ମାଦ ପ୍ରେମ ପସରା

ସୁରତ-ରଙ୍ଗିଣୀ ଠାଣି, ଉହୁଁ ଉହୁଁ ଇଷିବାଣୀ

(ପଡ଼ି) ନାହିଁ ନାହିଁ ମହୀମଣ୍ଡଳେ ସହୀ ପରି

ପରିଣତ-ବିମ୍ୱାଧରୀ ଧରାଶୀରି

କରୀନ୍ଦ୍ରବରଗତି ସଙ୍ଗତ ଜଗତୀରେ

ଗତି ମୋ ରତିପଣ୍ଡିତା ରମଣୀମଣି ।୧।

 

ଆସେ ହୋଇ ରହରହ, ହାସେ ମଣ୍ଡୁଥାଏ ଦେହ

ମୁଖେ ବାସଶେଷ ଦେବା, ପଛକୁ ଘୁଞ୍ଚି ଆସିବା

(ପଡ଼ି) ଭେଟ ହେଲେ ଚାରି ନେତ୍ର, ପୁଲକେ ପୂରଇ ଗାତ୍ର

ଗଣ୍ଡେ ମଣ୍ଡଇ ପାଣିକି, ଡୋଳା ଢଳା ଚାହାଣୀକି ।୨।

 

ବସାଇଲେ କୋଳେ ଭୋଳେ, ଚୁମ୍ୱନ୍ତେ ଅଧର ତଳେ

ପ୍ରକମ୍ପଇ ଗଣ୍ଡପାଳି, ଆହା ସେ ଶ୍ରୀମୁଖ ଝଳି

(ପଡ଼ି) ଜବାଧରେ ମନ୍ଦହାସ, ହୃଦୟ କରି ଉଲ୍ଲାସ

ତୁଳିଲେ ସାରସ ଶଶୀ, ସରସ ଲପନ ଦିଶି ।୩।

 

ସୁଧା ମଧୁର ନିଗଡ଼ା, ପାନେ ଆନ ଧ୍ୟାନ ଛଡ଼ା

ସେ ଯେଉଁ ମଧୁରାଧର, ମୃଦୁ ଭାଷାର ସଞ୍ଚାର

(ପଡ଼ି) ଶ୍ରୀ ମୁକୁନ୍ଦଦେବ ଚିତ୍ତ, ବିଚାରୁଥାଇ ସତତ

ମଣ୍ଡଳ ଉଚ୍ଚାଟ ମନ୍ତ୍ର, ହୋଇଛି କି ପୁଷ୍ପବନ୍ତ ।୪।

 

(୧୭୪)

ରାଗ---ଗୁଣ୍ଡକିରୀ---ଏକତାଳି

 

ସେ କି ପୁରୁଷରରେ ଜମା---ରସରୀତି

ଶ୍ରବଣରେ ଯା’ର ନାହିଁ ପ୍ରେମା ।

ନୁହନ୍ତି ଯାଚକେ ମାଗି ଯା’କୁ ପୂର୍ଣ୍ଣକାମା

ମଣ୍ଡି ନାହିଁ କ୍ଷିତି ଯାର କୀରତି ଚନ୍ଦ୍ରମା ।୧।

 

ଅଙ୍କେ ଧରି ଜାମାପରି କାମାତୁର ରାମା

ରତିରେ ଯେ ହରୁ ନାହିଁ ତୁହିନ ତ୍ରିଯାମା ।୨।

 

ହରି ଗୁଣଗଣ ପ୍ରସରଣେ ଶ୍ରୁତିସୀମା

ରହୁ ନାହିଁ ଅଙ୍ଗ ଯାର ସପୁଲକ ରମା ।୩।

 

ଦାତାପଣ ନାହିଁ ଯାର ଥାଉ ଥାଉ କ୍ଷମା

ବଳବନ୍ତ ହୋଇ ଯାର ନାହିଁ ପୂର୍ଣ୍ଣ କ୍ଷମା ।୪।

 

ଯେ ତେଜି ବିପ୍ରଙ୍କୁ ଦ୍ରାକ୍ଷା କରେ ଖର ଜିମା

କଣ୍ଠିରବ ଜୟ ଇଚ୍ଛି ପୋଷଇ ସରମା ।୫।

 

ଯେ ବରଜି ଯାଏ ଯୁବାକାଳେ ପ୍ରିୟତ୍ତମା

ଛାର ମଧୁକରେ ବନ୍ଧୁ ଅଧର ଉପମା ।୬।

 

ଭିକ ହୋଇ ନାହିଁ ଯାର ବଚନେ ପଟିମା

କହୁଥାଇ ସଦମ୍ଭେ ଯେ ସ୍ୱଗୁଣ ଗରିମା ।୭।

 

ନୟନରେ ପଡ଼ିଗଲେ ଯା ଅଙ୍କ ସୁଷମା

ନୋହେ ଯେବେ ସସମ୍ଭ୍ରମା ସୁତନୁ ମଧ୍ୟମା ।୮।

 

କରି ନାହିଁ ଅନୁଗ୍ରହ ଯାକୁ ସିନ୍ଧୁଜେମା

ଯା’କୁ ଚାହିଁ ଅରିମୁଖ ନ ଭଜେ କାଳିମା ।୯।

ଭାଷେ ଜଗଦ୍ଦେବ ଚଇତନ୍ୟଚନ୍ଦ୍ରନାମା

ବସୁଦୁର୍ଗ ଧରାମରାବତୀର ସୁତ୍ରାମା ।୧୦।

 

(୧୭୫)

ରାଗ---ମୁଖାରୀ

 

ସେ କି ସାରାସାର ଜାଣେ,

ପ୍ରୀତି ରୀତି ନ ପାଳେ ଯେ ଅଣୁ ପରମାଣେ ।ପଦ।

ରାଜମାର୍ଗ ଛାଡ଼ି ଉଠେ ଅବାଟ ଉଠାଣେ,

ଦ୍ୱିଜସଙ୍ଗ ବିବର୍ଜି ଯେ ମିଶଇ ପଠାଣେ ।୧।

 

ଶୁକଶାରୀ ମାରି ପଳ ଯେ ଦିଏ ସଞ୍ଚାଣେ,

ଯେ କୁନ୍ଦନେ ଖଞ୍ଜେ ମଣି ନ ବସାଇ ଶାଣେ ।୨।

 

ଫଳ ବିନା ଅତି ଲୋଭ ରଖି ଛାର ପ୍ରାଣେ,

ଜଳଧିରେ ଯେ ନ ପଡ଼େ ପ୍ରିୟଜନ ରାଣେ ।୩।

 

ତାହାକୁ କି କଳାବତୀ ନଜରକୁ ଆଣେ,

ବିନ୍ଧା ହୋଇ ନାହିଁ ଥରେ ଯେ କୁସୁମବାଣେ ।୪।

 

କନକ ବନିବ ବୋଲି ରୀତି କି ରସାଣେ,

ସତ୍ୟବୁଦ୍ଧି କରୁଥାଏ ଯେ ଶଶ-ବିଷାଣେ ।୫।

 

ଯେ ବାମା ଅଧର ମଧୁ ବସନରେ ଛାଣେ,

ମୃଦୁଳ ମାଳତୀମାଳା ହୀରାମୁନେ ହାଣେ ।୬।

 

ଯେ ଲେଖି ସୁଚିତ୍ରପଟ ସମରପେ କାଣେ,

ମାଗିବା ଲୋକର କରେ ନ ଦିଅଇ ମାଣେ ।୭।

 

କନକ କୁଡ଼ୁଆ ଥାଉ ଯେ ପିଏ ପିହାଣେ,

ଜାଈ ଥାଉଁ ଗିରିମଲ୍ଲୀ ଯେ ଲଗାଏ ଘ୍ରାଣେ ।୮।

 

କର୍ଣ୍ଣ ଯେ ସମର୍ପି ନାହିଁ ଭ୍ରମରେ ପୁରାଣେ,

ହରିଙ୍କି ଯେ କରି ନାହିଁ ମୂଳ ପରିତ୍ରାଣେ ।୯।

 

କହେ ଜଗଦ୍ଦେବ ଶିକ୍ଷା ହେଲେ ହେଲେ ଟାଣେ,

କେ କାହା ସ୍ୱଭାବ ଛାଡ଼େ ପରାଣ ପ୍ରୟାଣେ ।୧୦।

 

(୧୭୫)ଟୀକା---ପଳ-ମାଂସ,କୁନ୍ଦନ-ସ୍ୱର୍ଣ୍ଣ‍,ରୀତି-ପିତ୍ତଳ,କନକ-ସୁନା,କାଣେ-ଅନ୍ଧକୁ,ଶଶବିଶାଣ-ଠେକୁଆ ଶୃଙ୍ଗ(ଅବାସ୍ତବ ବସ୍ତୁ)

 

(୧୭୬)

 

ସେ ଗଜେନ୍ଦ୍ରଗତି ମୋତେ ପ୍ରତି ଦିଶେ ଦିଶିଲା ।ପଦ।

ଏ ଜଗତେ ଭାବ ଯେତେ, ନ ରହିଲା ମୋର ଚିତ୍ତେ,

ଯାହାକୁ ଚାହିଁଲେ ସେ ତ ତାହା ପରି ଦିଶିଲା ।୧।

 

ସହଜେ କାନ୍ତିରେ ତୋରା, ଧଇଲେ ନ ଦିଏ ଧରା,

ମାର ମାରଗଣ ଗାଢ଼େ ମରମରେ କଷିଲା ।୨।

 

ମୁଁ ତାହାର ପ୍ରୀତି କିଣା, ହେବାରୁ ଅଧିକେ ବଣା,

ମୃଗାକ୍ଷୀର ବିନା ଆନେ ମନ ମୋ ନ ରସିଲା ।୩।

 

ଅତି ଯତ୍ନ କରି ବଳେ, ଶୟନ କରିବା କାଳେ,

କ୍ଷଣେ ହେଲେ ନିଦ୍ରା ମୋ ଈଷଣକୁ ନ ଆସିଲା ।୪।

 

ବୋଲେ ଅଷ୍ଟଦୁର୍ଗେଶ୍ୱର, ତା ପାଶୁ ହେବାରୁ ଦୂର,

ଦିନକୁ ଦିନ ମଦନ ଜୀବନକୁ ଶୋଷିଲା ।୫।

 

(୧୭୭)

ରାଗ---ବରାଡ଼ୀ---ଆଦିତାଳ

 

ସ୍ନେହ ଥିବା ଦେହର ନୁହେଁ ପ୍ରାଣ ପ୍ରାଣ

ସେହି ସ୍ନେହୀ ଦେହୀ ତାର ପରିତ୍ରାଣ । ଘୋଷା ।

ପଉଗଣ୍ଡ ଯିବାଯାଏଁ---ଅପ୍ରକଟ ହୋଇଥାଏ

ପ୍ରାଣ ସହବାସ ସ୍ନେହୀ ବୋଲି ଜାଣ ।୧।

 

ହୃଦୟ ନଦେ ସେ ସ୍ନେହ—କଲାକ୍ଷଣେ ଅବଗାହ

କରେ କେଡ଼େ ଉନ୍ନତକୁ କି ନୁଆଁଣ ।୨।

 

ସାନ ବଡ଼ ବିବେଚନା—ଆନ ହୋଇଯାଏ ଚୂନା

ମାନ ଧନ ଜନର ମନରେ ଟାଣ ।୩।

 

ପ୍ରକାରେ ନ ଥିଲେ ରୋଧ—ପ୍ରଣୟ ବଡ଼ ସୁବୋଧ

ଅଳପକେ ତା ପରି ସେ ଅବୁଝାଣ ।୪।

 

ଗୁରୁଜନ ଗରଜନ---ଶୁଣନ୍ତି ନଗରଜନ

ପ୍ରତି ରଜନୀ ଜାଗର ହଇରାଣ ।୫।

 

ଅଷ୍ଟଦୁର୍ଗ ନାଥ ଭାଷେ—ଯେ ହାରଇ ଜିଣଇ ସେ

ପ୍ରବଳ ଯାହା ପକ୍ଷରେ ପଞ୍ଚବାଣ ।୬।

 

(୧୭୮)

 

ସୁନାଗୋରୀ ରେ ନାଗରୀ ଏ କି ଆଜି ।ପଦ।

ଆସିଛି ଆଶାରେ, ଦାସୀ ପରିବାରେ,

କୁସୁମଭୂଷାରେ ଦେବି ବୋଲି ସାଜି ।୧।

 

ଧୀରା ମୋର କୋଳେ ବିରାଜ ଗୋ

ଲୋଳେ ଦିଅଇ ପନିରେ ମୁଖଚନ୍ଦ ମାଜି ।୨।

 

ଦୋଷ ନାହିଁ ଲେଶେ, ରୋଷବୁହା ବେଶେ,

ବସାଇଛି ତୋତେ ବନ୍ଧୁ କେଉଁ ପାଜି ।୩।

 

ଏଡ଼ି ମନୁ ଦମ୍ଭ, ଭିଡ଼ି ପରିରମ୍ଭ,

ଦେଇ ମୋତେ ରଖ ରାଜୀବାକ୍ଷିରାଜି ।୪।

 

କରୀନ୍ଦ୍ରଗମନା, ସରିଲିଟି ଅନା,

ମଦନପଠାଣ ବାଣରାଜି ବାଜି ।୫।

 

ଅଷ୍ଟଦୁର୍ଗେଶ୍ୱର କଷ୍ଟମିଶା ଗିର ଶୁଣି

ଗଲା ମହିଳାର ମାନ ଭାଜି ।୬।

 

(୧୭୯)

ରାଗ—ମୁଖାରୀ—ତ୍ରିପଟା

 

ସୁରସବତୀଟି ରେ, ମୋହ ସପତଟି ରେ । ଘୋଷା ।

(ପଡ଼ି)

ଭାଷ ଭାଷ ମୃଦୁହାସ ମଧୁର କରି—

କରୀଗତି ଚନ୍ଦ୍ରାନନୀ କନକଗୋରୀ

ଗତ ନିଶି ବିପରୀତ ରତିରେ ମୋହପରି

ହେଲୁ ଯା ମନ କି ଲାଗିଲା ସେ ସମୟରେ ।

କଙ୍କଣ ହେବାରୁ ମୂଳ—କିଙ୍କିଣୀ ଦେଲା କି ଡାକ

ଦୀପକୁ କିପାଁ ଚଞ୍ଚଳେ—ବଞ୍ଚିଲୁ ଦୁକୁଳାଞ୍ଚଳେ

(ପଡ଼ି) ।୧।

 

ଆଣନ୍ତେ ମୁଁ ସେ ପ୍ରସଙ୍ଗ—ପୁଲକିଲା କି ଶ୍ରୀଅଙ୍ଗ

ଚମକିଲା କି ମଦନ—ଭୂପତି କେଳି ସଦନ

(ପଡ଼ି) ।୨।

 

ହେଲା କି ମୋର ଯୁଗଳି—ଶିଖେ ଗଙ୍ଗାଧାରା ଦୋଳି

ଭ୍ରମରକୁ ପଙ୍କେରୁହ—ଚୁମ୍ୱିଲା କି ବହି ସ୍ନେହ

(ପଡ଼ି) ।୩।

 

ସେ ଚାରୁ ଚତ୍ର ଭୁଲାକି—ଦରଭରୁ କମ୍ପିଲା କି

ଭାଷେ ଜଳନ୍ତର ନାଥ—ପୂରିଲା କି ମନୋରଥ

(ପଡ଼ି) ।୪।

 

(୧୮୦)

ରାଗ—ପିଲୁ—ଝୁଲା

 

ହସି ଦେଇଛି ଯେ ରସିକା ରଖିଛି ମନେ ।

ରୁଷିଲା ପରି ତା’ ଶଶୀଜିତମୁଖ

ଦିଶିଯାଏ ଦିନେ ଦିନେ । ଘୋଷା ।

ସବିନୟ ପ୍ରେମଗୀତ ମୋହପାଇଁ

କବି ଅଭିମାନେ ଭଣି

ଶାବକ ମୃଗାକ୍ଷୀ ସଖୀଙ୍କି

ଘେନାଇଁ ଭାବ କହିବାର ଗୁଣି ।୧।

 

ମୋଦେ ବାସ ଟେକି ମୁଁ ଦେବା

ନଖର ଲାଞ୍ଛନ ତା ଉରମୂଳେ

ନିରେଖିବା କାଳେ କି ରେଖା କି ଧନ,

ବୋଲି ପଛୁଁ ଧରି କୋଳେ ।୨।

 

ବିବିଧ ଚାଟୁରେ ନୀବି ଧରିବାରୁ

ଚଳି ମୋତେ ଉଠି ବସି

ଛଳେ ଚପଳେ ବିଜେ କରୁଁ

ଦଇବବଳେ ପଡ଼ିବାରୁ ଖସି ।୩ ।

 

ଅଳସ ଲାଗିବାପରି ମୁଁ ରଚିବା

ଛଳେ ଶୟନର କାଳେ

ସଦନେ ପଦ ନ ଶୁଣାଇ ଆସି

ମୋ ବଦନ ଚୁମ୍ୱିବା ବେଳେ ।୪।

 

ଯାମିନୀ ମୁଖେ ମୁଁ କାମିନୀ

ବେଶରେ ଯିବାର ନ ଜାଣି ହସି

ସ୍ନେହରେ ନିଆଳୀ ଆସ ବୋଲି

ମୋର ଦେହରେ ଯିବାର ମିଶି ।୫।

 

ପୁରତେ ଭଲେ ତ ଉଭାହୋଇ

ଲାଜେ କରୁଥାଏ ନାହିଁ ନାହିଁ

ସୁରତେ ସୁନ୍ଦର ଜଘନ ନିରେଖି

ତେଣେ ତା’ ଶ୍ରୀମୁଖ ଚାହିଁ ।୬।

 

ମୋ ନାଥ କାମନା ପୂର ବୋଲି

ଦେବୀ ଛାମୁରେ କର ପଲ୍ଲବ

ଟେକି ଦେଉଁ ଶିରେ ଉରଜ

ମଣ୍ଡଳ ଅନାଇଁ ଶ୍ରୀ ଜଗଦ୍ଦେବ ।୭।

 

(୧୮୧)

ରାଗ—ଇମନ୍‌

 

ହୀରକ ଦଶନା ମୋ’ ପଦକ-ହୀରା ରେ ! ।୦।

ଅଙ୍କାରୋହା ହେବା ଦେଖି ଶଙ୍କା ମୁଁ କରେ ନିରେଖି

‘‘ରାମା ଶିରୋମଣି-ସ୍ନେହ ଗଲା ପରା’’ ରେ ! ।୧।

 

କରୀବର ଗତି ‘ରତି’ –କାଳେ ମୋ’ ଛାତିରେ ମାତି

ଅନ୍ତର କରଇ ତା’ର ହୃଦ-ହାରା ରେ ! ।୨।

 

ଶିରୀଷ କୋମଳା ବାଳା ବାହୁରେ ମଣ୍ଡି ମୋ ଗଳା

ରସୁଥାଏ ରସବତୀ ମୋ’ର ପରା ରେ ।୩।

 

ପଙ୍କଜ ଲୋଚନା ଆସି ଭାଷନ୍ତେ ‘ସ୍ମିତ’ ପ୍ରକାଶି

ଚାହିଁ ବିଚାରେ ‘‘ମୋ’ ସମ ନାହିଁ ଧରାରେ’’ ।୪।

 

‘ଛୋଟରାୟ ନୃପବର’ ଭାଷେ ଅତି ଦୁଃଖେ ଗିର—

ଦେଖିବି କି ସତେ ‘ସୁଖ’ ଶିକ୍ଷା-ଧୀରା ରେ ? ।୫।

 

(୧୮୧)ହୀରକ ଦଶନା-ହୀରା ଭଳି ଦନ୍ତଯୁକ୍ତା,ପଦକହୀରା-ମାନ୍ଦାରେ ଥିବା ପଦକର ହୀରା ସଦୃଶ,ଅଙ୍କାରୋହା-କୋଳାଗତା,ଅନ୍ତର କରଇ-କାଢ଼ି ପକାଏ,ହୃଦହାରା-କଣ୍ଠରେ ଥିବା ମାଳା,ଶିକ୍ଷାଧୀରା-ଶିକ୍ଷାପ୍ରାପ୍ତିରେ ପଣ୍ଡିତା ।

 

(୧୮୨)

ରାଗ—ତୋଡ଼ି ପରଜ

 

ହେ ସରସେ, ମଉଳି ଗଲେହେଁ ଜୀବ ।

ମଉଳି ନ ଯିବା ଜବାଅଧରାକୁ

ଅଭୋଗରେ କେ ତେଜିବ । ଘୋଷା ।

 

ସେହି ନିକି ଯୁବା ତା ଜୀବନ

ଯିବା ଉଚିତ ଜନ ଧିକ୍‌କାରେ,

ଯା ଭୋଗୁଁ ସୁହାସୀ ନୁହଇଟି

ବାସି କୁସୁମମାଳା ପ୍ରକାରେ ।୧।

 

କୁବେରକୁମରଦ୍ୱୟ ସୁରପୁର

ଗଣିକାକୁ ପରି ଧରି,

ରସବଶ ହେଲା ଜନ ସିନା

ଭଲା ଦଶବଦନର ପରି ।୨।

 

ଚନ୍ଦ୍ରଚୁହାଁ ସୁଖ ବଡ଼ କି ତା

ମୁଖ ଦେଖା ବଡ଼ ବିଡ଼ୁ ବିଡ଼ୁ,

ମଧୁର ଅଧର ପିଇ ପୟୋଧର

ଉରେ ଦେଇ ଭିଡ଼ୁ ଭିଡ଼ୁ ।୩।

 

ଅର୍ଭକ ଗର୍ଭକ କେତକୀ ଦଳରେ

ପ୍ରେମଲେଖ ଚଳୁ, ଚଳୁ,

ହେଉ ପଛେ ବାଧ ସେ ଥିବା

ସଉଧ ଗବାକ୍ଷରେ ଗଳୁ ଗଳୁ ।୪।

 

ଅଷ୍ଟ ଦୁର୍ଗନାଥ ବୋଲେ ମନୋରଥ

ତା ବିନା ଆନେ କାହାରେ,

ତାଠାରୁ ନିରାଶ ନ ଲଭି କି

ନାଶ ଯାଇ ମାର ତରୁଆରେ ।୫।

(୧୮୨)ମଉଳି ନ ଯିବା ଜବାଅଧରା-ଅମ୍ଳାନ ଜବାଫୁଲ ପରି ଅଧର ଯାହାର,ଅର୍ଭକ-ଶିଶୁ,ତରୁଆର-ଖଣ୍ଡା

 

(୧୮୩)

 

ହେ ସୁନ୍ଦର, ଏହା ପୁଣି ଦେଖାଗଲା ।

ଶିରୀଷ ଦେହାକୁ            ଆହା ନ ବୋଲିବ

ବୋଲି କାହା ପ୍ରତେ ଥିଲା ।୦।

ଯା ଅଙ୍ଗେ ସରାଗେ            ପରାଗ ପକାଇ

ବ୍ୟାଥା ପାଇଁ ପରା ଡର

ସେ ଅଙ୍ଗେ ରୋମକେ      କାଣ୍ଡେ କାଣ୍ଡେ ଏବେ

ମଣ୍ଡୁ ଅଛି ଫୁଲଶର ।୧।

 

ହଁସୁଲି ତୁଳୀରେ            ଶୁଆଇ ନ ଦିଅ

ହୃଦ ବିନା ପରାଣକୁ

ଧରା ଧୂଳି ଏବେ            ତୂଳି ଶେଯ କଲା

ଆଶା କିବା ବଂଚିବାକୁ ।୨।

 

ଯା ପଦ ଲାକ୍ଷାରେ            କକ୍ଷା କରିଥାଅ

ଭିନ୍ନ ନୋହିବାକୁ ଲବେ

ତା ନେତ୍ର ପଥରେ            ସ୍ୱପନେ ହେଁ ଥରେ

ନ ଆସିବ ତୁମ୍ଭେ କେବେ ।୩।

 

ଯା ନାମ ମନ୍ତର            ପରି ନିରନ୍ତର

ଅନ୍ତରଗତରେ ଜପ

ତା ପ୍ରେମ ପାଶୋରା            ପସରା ବାଢ଼ିଲ

ଏହି ବଡ଼ ମହାପାପ ।୪।

 

ଯା ଦୁଆର ଆଶ            ପାଶେ ଭ୍ରମି ଯାଅ

ଥରେ ହେଲେ ନ ଦେଖିଲେ

ତା ଦଶା ମୁଁ ପୁଣି            କହି ଆସୁଅଛି

ରାମଚନ୍ଦ୍ର ଦେବ ବୋଲେ ।୫।

(୧୮୩)ଲୋମକେ-ପ୍ରତ୍ୟେକ ଲୋମରେ,କକ୍ଷା-ଗୃହ ମଣ୍ଡନ,ଅନ୍ତଗତରେ-ଅନ୍ତର୍ଗତେ ।

 

ଚଉପଦୀ (ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

(୧)

ରାଗ—ଭୈରବୀ, ଆଦିତାଳ

 

ଅଛି ଏତେ ମନୋରଥ କରି ରେ, ସହଚରୀ ।ପଦ।

ତମାଳ ମହେନ୍ଦ୍ରମଣି ଅପଘନ,

ପରିରମ୍ଭକୁ କି ଅଟେ ମୁଁ ଭାଜନ,

କେବଳ ଡାକିବ ଥରେ ସେ ମୋହନ,

ମୁରଲୀ ମୋ ନାମ ଧରି ।୧।

 

ଯାଉ ଯାଉ ବାଟେ ଭେଟିଲକେ ରାଧା,

ତାଙ୍କୁ ଦେଖି କୃଷ୍ଣ ହୋଇଲକେ ଶ୍ରଦ୍ଧା,

ଯମୁନାର ତଟେ, ବୃନ୍ଦାବନ ଘାଟେ,

ଡାକିକରି ମନେ ତୋରି ରେ ।୨।

 

ଶ୍ୟାମ-ସଙ୍ଗ ରଙ୍ଗଭାବ ରସକେଳି,

ଲଭିବାକୁ ମୁଁ କି ଛାର ଏତେ ଭଳି,

ଏତେ ଭଳି ଦେଖିଥିବି ଥରେ ନୀପପୁଞ୍ଜ

କେଳି ବିଜୟ ଶୋଭା ମାଧୁରୀ ।୩।

 

ଜଣାଉଛି ଜଗଦ୍ଦେବଙ୍କ ଛାମୁରେ,

ଚାରୁ ଭୂରୁରଙ୍ଗୀ ବିଳାସ ମଦରେ,—

ଅଳପ ମୋଠାରେ ପକାଇ

ଦେବାରେ କରୁଣାକଟାକ୍ଷ ହରି ।୪।

 

(୨)

 

ଅତସି-ଗୋରା, ଆଉ ନ ଚାହାଁରେ ।

ନିରତେ ଜଗି ଯମୁନା-ରାହା ରେ ।୦।

ମରମକୁ ଜାଣି, ଦେ’ ପଛେ ହାଣି,

ଶ୍ୟାମ ଦାରୁଣ ବଡ଼ ତୋ’ ଚାହାଣି ରେ ! ।୧।

ବ୍ରଜ ବିଟ ରାଜା ତୋ’ ବେଣୁ ବାଜା

ପ୍ରାଣ ଘେନୁଚି, ବେଗେ ଏଥୁ ଯା ଯା ରେ ! ।୨।

 

ହେଲେ ହେଁ ଗୁଆଳୀ, ମୁଁ କୁଳପାଳୀ

ନେଲେ ନେବୁ ପଛେ ଧନ ସଂଖାଳୀ ରେ ! ।୩।

ଦେଉଛି ଯେ ନାରୀ ଆବୁର ସାରି

କାଲିକି ହେବଟି ବ୍ରଜେ ଗୁହାରି ରେ ! ।୪।

ବିରହ ବିଳାସେ କୁଞ୍ଜ ନିବାସେ

ଶ୍ରୀ ଛୋଟରାୟ ଦେବ ରସେ ଭାଷେ ରେ ! ।୫।

 

(୨) ଅତସୀଗୋରା- ପେଶୀ ଗଛର ବର୍ଣ୍ଣଧରୀ, ବିଟ- କାମୁକ, କୁଳପାଳୀ-ପବିତ୍ରତା, ଆବୁର(ଆବ୍ରୁ)- ଇଜ୍ଜତ୍, ସାରି- ଶେଷ କରି ।

 

(୩)

ରାଗ—କାଫି, ଏକତାଳି

 

ଅନା ଅନା ଥରେ ଥରେ ରସି ରସିକାରେ ।ପଦ।

ଇନ୍ଦିରାକୁ ନିନ୍ଦି ଇନ୍ଦୀବର ବନିକାରେ,

ବନ୍ଦଇ ମୁଁ ନୀଳଜଳ ଜନମ ଧିକ୍‌କାରେ ।୧।

 

ମୀନମାନେ ଜାଲେ ମରି ସରନ୍ତୁ ବିକାରେ,

ସଞ୍ଚରୁ ତୋ ନେତ୍ର ଚିତ୍ରକେଳି ଶିବିକାରେ ।୨।

ଭ୍ରମରମଣ୍ଡଳୀ ସରୁ ଝଙ୍କାର ଡକାରେ,

ଷଡ଼ାଶୁଗ ପଦଛତି ସ୍ମରକୁ ଟେକାରେ ।୩।

 

ଆସ ମୁଁ ମଣ୍ଡିବି ଗଣ୍ଡ ସୁମ କରକାରେ,

ସ୍ତନ କନକ କଳଶ ମୂଳ କରକା ରେ ।୪।

ହରିଗିରେ ହରିଣାକ୍ଷୀ ଲାଜେ ଧାତିକାରେ,

ଛପିଗଲେ ଜଗଦ୍ଦେବ ଚିତ୍ତ ଲତିକାରେ ।୫।

 

(୪)

ରାଗ—ମୁଖାରୀ, ତାଳ—ଆଠତାଳ

 

ଅନା ଅନା ରେ ମୋତେ,

ବସୁଧାକୁ ଅନାଅ ନା ରେ ।

କେଉଁ ଖଳ ଜନ କହିଛି କି

ମନମୋହନା କିଛି ମୋହ ନାଁ ରେ ।ପଦ।

ଖଳଭାଷିତକୁ, ସରସ ଚିତ୍ତକୁ,

ଆଣିବୁ ନାହିଁ ନବୀନା ରେ;

ଘେନ ତ କ୍ଷିତିରେ କେ ରସେ

ରୀତିରେ ସୁନ୍ଦର କୁନ୍ଦନ ବିନା ରେ ।୧।

 

ମୋ ଅଙ୍କ ପର୍ଯ୍ୟଙ୍କ ଛାଡ଼ି

ହରିଣାଙ୍କ-ବଦନା ତଳେ ବସ ନା ରେ;

ଇନ୍ଦୁକରକାନ୍ତି ପଟଳୀ ନିନ୍ଦକ

କୁନ୍ଦକଳିକାଦଶନା ରେ ।୨।

 

ଆଳିଏ ଥିବାରେ ଚାଳିଦେଲି ଯାହା

ଯାହା ଦଶନାମ୍ୱରେ ରସନାରେ,

କ୍ଷିତିକି କରଜେ ମୋ ବନ୍ଧୁ ଚିରୁ

ଯେ ଏତିକି ମୋ ଦୋଷ ସିନା ରେ ।୩।

 

ପରଖି ଦେବାର ଦୋଷୀକି ସୁନ୍ଦର

ନ ରଖି ମନେ କୁହନା ରେ,

ଅସ୍ତ କରି ବୃଥା ସଉଭାଗ୍ୟ କଥା

ମସ୍ତକ ପୋତି ରହନା ରେ ।୪।

 

ଆଦର ଚାଦରପରି ପରିଜନେ

ଆଦର ଊଣା କର ନା ରେ;

କମ୍ପ କଉତୁକ ଝଲକାମଣ୍ଡନା

ଚମ୍ପକ ବରବରନା ରେ ।୫।

 

ହରି ଚାଟୁ ଘେନି ହେଲେ

ଅମାନିନୀ ପରିଣତଚନ୍ଦ୍ରାନନା ରେ

ଅଷ୍ଟଦୁର୍ଗଲେଖାଧିପ ହେଲେ

ଲେଖା ତୁଷ୍ଟ ପ୍ରମୁଦିତମନା ରେ ।୬।

 

(୪) ଟୀକା- ବସୁଧାକୁ ଅନାଅ ନା ରେ- ପୃଥିବୀକୁ ଚାହାଁ ନା, ଘେନ ତ କ୍ଷିତି... ବିନାରେ- ସୁନ୍ଦର ସୁବର୍ଣ୍ଣ ଛଡ଼ା ଏ ପୃଥିବୀରେ କିଏ ରିତିରେ ଅର୍ଥାତ୍ ପିତ୍ତଳରେ ରସ୍ପାରେ କି ? ଇନ୍ଦୁକର...ଦଶନାରେ-ଚନ୍ଦ୍ର କିରଣ ଅପେକ୍ଷା ମନୋହର ଓ କୁନ୍ଦଫୁଲର କଢ଼ି ପରି ଦଶନ ଯାହାର,ହରିଣାଙ୍କ ବଦନା-ଚନ୍ଦ୍ରମୁଖୀ,କରଜ –ନଖ,କୁହନା-କୋପ,କମ୍ପକୌତୁକଝଲକମଣ୍ଡନା-ମନୋହର ସଚଳ କର୍ଣ୍ଣଭୂଷଣ ଭୂଷଣ ଯାହାର,ପରିଣତଚନ୍ତ୍ରାନନା-ପୂର୍ଣ୍ଣଚନ୍ଦ୍ରବଦନା ।

 

(୫)

ରାଗ—ଆନନ୍ଦ ଭୈରବ

 

ଅନା ନା ଗୋ ! ଶ୍ୟାମ ଗୋରାକୁ

ରାଧେ ! ସକଳ ବାମା ଜାତିହରାକୁ ।

ଯହିଁ ସେ କାମ ବିଜୟ-ପତାକା ସମୟମୟ

ଗୁରୁ ଗୁରୁଜନ ଭୟ, ତହୁଁ ବିରହ ଉଦୟ ।୦।

 

ତନୁ-ତାତି ହେବ ବିଶାଳ;

କାଳେ ଧରିବୁ ପାଣି-କଞ୍ଜେ କପାଳ;

ନେବୁ ନିଳୟ ତେଜି କୁଞ୍ଜେ ତୁ କାଳ;

ହେବୁ କେବଳଟି କଳକଣ୍ଠ ନିନଦୁଁ ବିକଳ ।୧।

 

‘କଳା’ ପ୍ରୀତି ଜାତି ଦୁରନ୍ତ;

କେବେ ନୁହଇ କୁନ୍ଦଦନ୍ତି ! ସେ ସ୍ୱନ୍ତ;

ଘେନ ଭ୍ରମର ରୀତି ଯାହା ଦୃଷ୍ଟାନ୍ତ,

ତୋହଠାରେ ନୟନାନ୍ତ ଥିଲେ,

ଆନେ ଥିବ ସ୍ୱାନ୍ତ ।୨।

 

ଦେଖିଅଛୁ ଯେ ବାଳକାଳେ,

ଖେଳି ଦନୁଜ-ଦାରା ଦାରୁଣ କୋଳେ,

ଚୁମ୍ୱି ଗରଳ ବୋଳା ‘ଉରଜ’ ହେଳେ

ପ୍ରାଣ ପକାଇଲା ପିଇ,

ତା’ ଠାରେ କି ମନ ଦେଇ ! ।୩।

 

ଯା’ କନିଷ୍ଠ କୋଟିରେ ରହି,

ତେଡ଼େ ଶିଖରୀ ବର ଅଣ୍ଟିଲା ନାହିଁ !

ଯେଡ଼େ ପୃଥୁଳ ହେଲେ ରେ ଚାନ୍ଦମୁହିଁ !

କେହି ସହିବ ତା’ ପଞ୍ଚ ଅଙ୍ଗୁଳି-ଦାଉ ତୋ’ କୁଚ ? ।୪।

 

ଜାନୁ ଯୁଗଳ ଚାଲି ବୟସେ

ଦେଖି ବିଷମ ଧୂର୍ତ୍ତ ରୀତି ବିଶେଷେ,

ଯହିଁ ‘ଯଶୋଦା’ ବାନ୍ଧିଲେ ରୋଷେ,

ସେ ଯାମଳ ତରୁଠାରୁ ଦୃଢ଼ତର କି ତୋ’ ଊରୁ? ।୫।

କୁଳ-ଶୀଳ-ଲାଜ-ବଡ଼ାଇ

ଆଳି ନିବହ-‘ସଙ୍ଗ’ –ଅଙ୍ଗୁ କଢ଼ାଇ

ଦେବ ସହଜ ‘ଦେହ’ –ସ୍ନେହ ଛଡ଼ାଇ;

ତହିଁରେ କି ମନୋରଥ ?

କହେ ‘କଳନ୍ତର’ –ନାଥ ।୬।

 

(୫)ଜାତିହରା-କୁଳଭ୍ରଷ୍ଟକାରୀ,ସମୟମୟ-ସବୁ ସମୟରେ,ତନୁତାତି-ଦେହର ଉତ୍ତେଜନା,ପାଣିକଞ୍ଜେ-ପଦ୍ମହସ୍ତରେ,କଳକଣ୍ଠ ନିନଦୁଁ-କୋକିଳର କୁହୁ-ରବରୁ,କଳାପ୍ରୀତି-କାମକଳାରେ ଆସକ୍ତ,ଦୁରନ୍ତ-ଦୁଷ୍ଟ,ସ୍ୱନ୍ତ-ଆପଣାର,ନୟନାନ୍ତ-ଚୋରା ଚାହାଣି,ସ୍ୱାନ୍ତ-ଆନ୍ତରିକତା,ଦନୁଜଦାରା-ରାକ୍ଷାସୀର ସ୍ତ୍ରୀ ପୁତନା,କନିଷ୍ଠ କୋଟିରେ-କାଣି ଆଙ୍ଗୁଠିରେ,ଶଖରୀବର-ବଡ଼ପର୍ବତ ଗୋବର୍ଦ୍ଧନ,କେହି-କିପରି,ଚାଲି ବୟସେ- ଚାଲି ଶିଖିବା ବୟସରେ,ବଡ଼ାଇ-ବଡ଼ପଣ,ଆଳିନିବହ ସଙ୍ଗ-ସଖୀମାନଙ୍କ ସହ ଏକତ୍ରବାସ,ସହଜ ଦେହ-ଭାଇ ଭଉଣୀଙ୍କ ଦେହ ।

 

(୬)

ରାଗ—ତୋଡ଼ି, ଏକତାଳି

 

ଅନାରତ ସରସମନା ମୋ ଧନ

କିସ ମନାସି ପରିଜନେ ରୁଷିଲା ରେ,

ନିଶାରମଣଜୟ ବିଶାରଦବଦନ ନବାରୁଣ

ସଦୃଶ ଦିଶିଲା ରେ । ଘୋଷା ।

 

ବଳାହକ ଗରବ, -ଦଳାକୁନ୍ତଳେ ନବ,

କଳାପ ସୁମୁଖି ନ ଖୋସିଲା ରେ,

କଳାଗୁଣ ମୋହନ, ଚଳାଚଳ ନୟନ,

-ଦଳାନ୍ତରୁତ ବଳ ଖସିଲା ରେ ।

 

ଘୋଷଯାକ ଭିତରେ, ମୋ ସଙ୍ଗମ ଇତରେ,

ଅଛି କି ନାହିଁ ତ ନ କଷିଲା ରେ,

ଦୋଷ ବିନା ଏପରି ରୋଷ କଲେ କି

ପରିଜନ ବଞ୍ଚିବ ଘେନି ସୁଶୀଳା ରେ ।୨।

 

ଯେଉଁଦିନୁ ମୋତେ ସେ କଉତୁକିନୀ

ରସେ ନେତ୍ରାନ୍ତ ବରଛିରେ ଭୁଷିଲା ରେ,

ପଉରୁଷ ମୋହର ନଉକରି ତାହାର

ଚରଣ ମାଜିବାର ସୁଶୀଳା ରେ । ୩।

 

ଦିବା ସମୟେ ଦିନେ ବିବାସ କଲି

ମନେ କିବା ସତତ ତାହିଁ ଘୋଷିଲା ରେ,

କାହିଁକି ଧରଣୀ, ଚାହିଁ କିଶୋରୀମଣି,

ଗୁମାନକୁ ମାନସେ ପୋଷିଲା ରେ ।୪।

 

କହେ ବସୁ ଦୁର୍ଗେଶ ଅହେତୁକ ତା ରୋଷ,

ଶହେ ଗୁଣରେ ସମୁଲ୍ଲାସିଲା ରେ,

ପ୍ରାଣ ନେବାକୁ ମୋର, ବାଣ ମୀନରଥର

ଶାଣରେ ନିରନ୍ତର କଷିଲା ରେ ।୫।

(୬)ଅନାରତ-ସର୍ବଦା; ପରିଜନ-ଭୃତ୍ୟ; ନିଶାରମଣ ଜୟବିଶାରଦବଦନ-ଚନ୍ଦ୍ରକୁ ଜୟକରିବାରେ ଯଉଁ ମୁଖ ନିପୁଣ,ନବାରୁଣ-ବାଳସୂର୍ଯ୍ୟ; ବଳାହକଗର୍ବଦଳା-ମେଘର ଗର୍ବଧ୍ୱଂସକାରୀ,ଅର୍ଥାତ୍ ଅତିପଳା; କଳାପ-ମୟୁର ପୁଚ୍ଛ; ଘୋଷ-ଗଉଡ଼ ଗାଁ,ବରଛି-ବର୍ଚ୍ଛା;ମୀନରଥ-କନ୍ଦର୍ପ

 

(୭)

ରାଗ—ନାଆଟାକୁରଞ୍ଜ

 

ଅନୁପମ ହାସି, ତୁ ମୋ’ ମନୁଁ ଯିବୁ କେହି ରେ ? ।୦।

ନିଦେଶୁଁ ଭୂପର କାଲି ଗଲି ଦୂରେ ରହି ରେ !

ଚାରି କଳା ତୋ’ ବିଚ୍ଛେଦ ପାରିବି କି ସହି ରେ ? ।୧।

 

ମହୀଚକ୍ର ଯାକରେ ମୁଁ ରହିଲେ ହେଁ ଚାହିଁରେ !

ନିଶି-ଦିବା ଆନ ମତେ ଦିଶିବ ତ ନାହିଁ ରେ ! ୨।

 

ଅପେତ ଭୋଗ ମୁଁ କେଉଁ ତପେ ଥିଲି ଦାହି ରେ ! ।

ମନରେ ତ ଅଛୁ ପ୍ରାଣଧନ,ଅବଗାହି ରେ ! ।୩।

 

ଅନନ୍ତ ମୋଦ ବର୍ଷିବା ‘ଘନ’ ତୁ ମୋ’ ସହି ରେ !

ତୋ’ର ବିନା କି ନାଚିବ ମୋ ସୁଖ ବରହୀ ରେ ? ।୪।

 

କରିଥିବାରୁ ତୁ ଦେହ ପରି ମୋତେ ସ୍ନେହୀ ରେ !

ଚାରୁ ମୁଖ ଚାହିଁ ଦୁଃଖ ପାରୁ ନାହିଁ କହି ରେ ! ।୫।

 

‘ହରି’-ଗିରେ ଶରଦ-ଶର୍କରୀ-ନାଥମୁହିଁ ରେ !

ଜଗଦେବ କହେ ସ୍ନେହେ ଦ୍ରବିଗଲେ ବହି ରେ ! ।୬।

 

(୭)ନିଦେଶୁଁ ଭୂପର-ରାଜାଙ୍କ ଆଦେଶ ହେତୁ,ଚାରିକଳା-ଚାରାପକ୍ଷ ବା ଦୁଇମାସ,ମହୀଚକ୍ର ଯାକରେ-ପୃଥିବୀ ସାରା,ଅପେତ ଭୋଗ-ଛାଡ଼ିଥିବା ବିଳାସିତା,ଘନ-ମେଘ,ସୁଖବରହୀ-ସୁଖରୂପକ ମୟୁର,ଶରଦ ଶର୍ବରୀ ନାଥମୁହୀଁ-ଶରଥଚନ୍ଦ୍ରବଦନା,ଗିରେ-କଥାରେ

 

(୮)

ଅରଜିବି ପଛେ ଜନ ଅପଖ୍ୟାତିକି ଗୋ,

ବରଜିବି କେହି ଘନଶ୍ୟାମ ପ୍ରୀତିକି ଗୋ । ଘୋଷା ।

ତେଜି ଜାଈଦଳ ଶେଯ, ଘନସାର ମଳୟଜ,

କରିବ କେ ରାଜୀବଦଳକୁ ଗତିକି ଗୋ ।୧।

ତା ସୁନ୍ଦର ମନ୍ଦ ହାସ, ରୁଚିର ଭୂରୁବିଳାସ,

ଛାଡ଼ି ଆଡ଼ିବ କେ ଫୁଲବାଣେ ଛାତିକି ଗୋ ।୨।

ପଦକୁ ପୁରନ୍ଦରର, କରିଦେବି କରି ଛାର,

ନିତି ନିତି ତା ସୁରତେ ମାତିକି ଗୋ ।୩।

ତେଜିଣ କୋଣ ଚାହାଣି, ପୀୟୂଷ ମଧୁର ବାଣୀ,

ସହିବ କେ କାମରାଜ ଝଳି କାତିକି ଗୋ ।୪।

କରି ଗାଢ଼େ ପରିରମ୍ଭ, ତା ଅଧର ପକ୍ୱ ବିମ୍ୱ,

ପିଇଥିବି ପାହିଯିବା ଯାଏ ରାତିକି ଗୋ ।୫।

ବୋଲେ ବସୁଦୁର୍ଗପତି, ଧ୍ୟାନ କରି ତା ମୂରତି,

ନାମ ଭଜନରେ ହେବି ଯତି କି ଗୋ ।୬।

 

(୯)

ରାଗ—ପୂରବୀ

 

ଅରଜିଥିବାର ପ୍ରୀତି, ବରଜି ଦିଅନ୍ତି ମନୁଁ କେହି

ରୂପେ ପରୁଷ ପୁରୁଷଜାତି ।ପଦ।

ମନୁ ସରିଯିବା ଯାଏ ଚାଟୁ ବାଣୀ

ଭଣି ଦୂତୀପାଣି ଧରି,

ତନୁ ସରିଯାଏ ଭଜିବା ଆଶାରେ

ଅନୁସରି ଅନୁସରି ।୧।

 

ମୁରଲୀ ବଜାଇ ନିତି ନିତି ଯାଇ

ସଉଧକୁ ଲାଗି ଲାଗି,

ବେଶ ହୋଇ ନଟ ନଦୀତଟବଟ

ବନବାଟ ଜଗି ଜଗି ।୨।

 

ଚାଲିଯିବା ମାର୍ଗ ଚରଣଲାଞ୍ଛନ

ବାଲି ଗଉରବେ ତୋଳି,

ଦେଇ ଶତ ଚୁମ୍ୱ ପୁଲକାବଲମ୍ୱ

ହୋଇ ଶିରେ ବୋଳି ବୋଳି ।୩।

 

ତୋତେ ତ ଗୋଚର ପେଶି

ଶିଶୁଚର ଯେତେରୂପେ ମନଧରା,

କରେ ଦେଇ ମଞ୍ଜୁକୁସୁମପୁଞ୍ଜରେ

ସଜାଡ଼ି ସଜାଡ଼ି ଝରା ।୪।

 

ପରସନ ହେବା ନୋହିବା

ସନ୍ଦେହୁଁ ପରଶନ ଦେଖି ଦେଖି,

ଅମ୍ଳାନ କେତକୀପ୍ରସୂନ ଦଳରେ

ପ୍ରେମଲେଖ ଲେଖି ଲେଖି ।୫।

ଦେବୀବାଣୀ ଶୁଣି କହିଲେ

ମିତଣୀ ଅଷ୍ଟଦୁର୍ଗ ନାଥ ବୋଲେ,

ହେଲେ ହେଲେ ବାମ ଶ୍ରମ ଲଭି ପ୍ରେମ

ଉଚିତ ସେ ଶ୍ୟାମ ତୁଲେ ।୬।

(୯) ପରୁଷ ପୁରୁଷଜାତି-ନିଷ୍ଠୁର ପୁରୁଷଜାତି; ତନୁ ସରିଯାଏ-ଦେହ ଶୁଖିଯାଏ; ସୌଧ-କୋଠାଘର; ଚରଣଲାଞ୍ଛନ ବାଲି-ପାଦଚିହ୍ନ ଲାଗିଥିବା ଧୂଳି; ପୁଲକାବଲମ୍ୱ-ରୋମାଞ୍ଚାବଲମ୍ୱୀ ଅର୍ଥାତ୍ ରୋମାଞ୍ଚିତ; ମଞ୍ଜୁକୁସୁମପୁଞ୍ଜରେ ସଜାଡ଼ି ସଜାଡ଼ି ଝରା-ସୁନ୍ଦର ଫୁଲମାନଙ୍କଦ୍ୱାରା ଫୁଲତୋଡ଼ା ସଜାଡ଼ି; ପରଶନ ଦେଖି ଦେଖି- ପର୍ଶ୍ନ ଦେଖି ଅର୍ଥାତ୍ ଜ୍ୟୋତିଷିକ ଗଣନା କରି କରି; ପ୍ରସୂନ-ଫୁଲ; ବୀମ- ପ୍ରତିକୂଳ ।

 

(୧୦)

ରାଗ—କାମୋଦୀ, ତାଳ—ଝୁଲା,

 

ଅଲଂଘ୍ୟ ହେବାରୁ ମୋ ରାଣ

ପରାଣବନ୍ଧୁ ଯାହା ଦିନେ ଦିନେ ।

ସହଜେ ଦୟାଳୁ ଗୁଣ ପରିପାଳୁ

ମୋହପରି ନିଧୁବନେ ରେ, କିଶୋରି,

ସେ କାଳେ ଯେଉଁ ସମ୍ପତ୍ତି,

ତଳପ ଦୀପ ମୋ ମନ ନେତ୍ର ନିଶା

ଏମାନେ କିଛି ଜାଣନ୍ତି ରେ ।୧।

 

ଶ୍ରୀହସ୍ତ କଞ୍ଜଚରଣ ଆଭରଣନିବହ ହେବାରୁ ମୂକ,

ରତନମେଖଳା କ୍ଷୁଦ୍ର ଘଣ୍ଟିମାଳା, ହୁଏ,

ମହା ବାବଦୂକ ରେ, କିଶୋରୀ,

ପକାଇ ତ୍ରିପଟା ତାଳ, ଅଧୋମୁଖ ସୁନା କଳସ

ଉପରେ ନଚାଇ ନକ୍ଷତ୍ରମାଳ ରେ ।୨।

 

ମଣିମୟ ନଥ ନାଟୁଆ ତାହାକୁ

ବିବାଦେ ଜିଣିମା ପାଞ୍ଚେ,

କମ୍ୱୁଶିରେ ମାର ଦରପଣ ରଖି,

ତହିଁ ତିଳଫୁଲ ନାଚେ ରେ କିଶୋରୀ,

କି ମୋଦେ ଲଜ୍ଜାନାଗରୀ, ଦେଖୁଥାଇ ନାଟ

ତା ପକ୍ଷ୍ମକବାଟ ଆଡ଼ ଆଡ଼ ପେଲା କରି ।୩।

 

ନୀଳମେଘୀ ଶାଢ଼ୀ ଗଲା ପରି

ଭିଡ଼ି ଖସାଇ ଲହସା ଖୋସା,

ରଜତ ମୁଦ୍ରିକା ବିଞ୍ଛିଦେଲା ପରି

ସେ ସମୟ ମନ୍ଦହସାରେ,

କିଶୋରୀ, ରତି ମନମଥ ନୁହେଁ,

ପନୀର ପିଚିକା ଖେଳୁଥିଲା ପ୍ରାୟେ

ସ୍ୱେଦ ବିନ୍ଦୁ ଦିଶେ ଦେହେ ରେ ।୪।

 

ବେଳକୁ ବେଳ ବ୍ୟାକୁଳ କରିବାରେ

ନାରାଚେ ପଞ୍ଚବିଶିଖ, ଅଲେଖ ସୁଖ

ଆସ୍ୱାଦନେ କମ୍ପାଇ ଦେଲା ବେଳେ

ଚନ୍ଦ୍ରମୁଖ ରେ, କିଶୋରୀ,

ମୁକୁତା ଜାଲି ତାଟଙ୍କ, ଦୋହଲିବା ଦେଖି

ଦୂର ହୁଏ ଆଖି ପୂର୍ବର ଦୁରିତପଙ୍କ ରେ ।୫।

 

ଚୁମ୍ୱାଇ ଚୁମ୍ୱି ମୋ ଅଧର ବଦନେପୀଡ଼ି

ନେତ୍ରକଞ୍ଜ ଖୋସି, ଅତୁଲ୍ୟ ଅମୂଲ୍ୟ

ଝଳି ଝଲମଲ ଗଣ୍ଡକୁ ମୋ ଗଣ୍ଡେ ଘଷିରେ, କିଶୋରୀ,

ଯାହା ଭାଷୁ ମଲି ଇଷି, ଅଖଣ୍ଡପ୍ରମୋଦ ପ୍ରବାହେ

ମୋ ହୃଦ ଅନାୟାସେ ଯାଏ ଭାସି ।୬।

 

ଘନସାର ବାସ ପ୍ରଖର ନିଃଶ୍ୱାସ ଶରମଭରୁ ପ୍ରସରେ,

ନିଦାଘେ ଲୁଳିଲା ନବୀନ ମଞ୍ଜରୀ

ପରି ଜମି ମୋର ଉରେ ରେ, କିଶୋରୀ,

ଦେଇଅଛୁ ସୁଖ ଯେତେ, ତୋ ପଦରାଜୀବେ ଅଳତା

ହେଲେ ମୁଁ ସୁଝିବି ଅବା କିଞ୍ଚିତେ ରେ ।୭।

 

ଏପରି ସମ୍ପତ୍ତି ଛାଡ଼ି ଆସି କ୍ଷିତି

ବନଧର ନଦୀ ଦେଶେ,

ମୋ ହୃଦୟ ଫାଟି ନ ଗଲା ଯାହାଟି,

ବନିଛି ନିଶ୍ଚେଁ କୁଳିଶେ ରେ, କିଶୋରି,

ଲୋଡ଼ିଲେ ଆଉ କେ ଦେବ, ବ୍ରଜ ବରଜିଲା ଦିନୁ ସେ

ଗଲାଣି କହେ ଶ୍ରୀମୁକୁନ୍ଦଦେବ ରେ ।୮।

 

(୧୦) ନିଧୂବନ- କାମକ୍ରୀଡ଼ା, ତଳପ- ଶଯ୍ୟା, ବାବଦୂକ- ବହୁଭାଷୀ, ମାତ୍ର ଏଠାରେ ଶବ୍ଦାୟମାନ, କୁମ୍ଭ- ଶଙ୍ଖ, ପନୀର- ସୁବାସିତ ଜଳ, ଅଲେଖ- ଅନିର୍ବଚନୀୟ, ଘନସାର-କର୍ପୁର, ଲୁଳିଲା- ମ୍ଳାନ ହୋଇଯାଇଥିବା; ବନିଛି- ତିଆରି ହୋଇଛି, କୁଳିଶ- ବଜ୍ର, ରଜତମୁଦ୍ରିକା- ରୌପ୍ୟମୁଦ୍ରା, ଟଙ୍କା ପ୍ରଭୃତି ।

 

(୧୧)

ରାଗ—ଚିନ୍ତା କେଦାର

 

ଆଉ ଏ ‘‘ଚାଟୁ ବାଣୀ’’ କାହିଁକି ?

ସବୁ ‘ସ୍ନେହ’ ମୁଁ ଜାଣି ନାହିଁ କି ? ।୦।

ଆହେ ଗୋବିନ୍ଦ, କପଟ ମୂରତି !

‘‘ସୁଧା’’ ରେ ଉଦର ହେଲେ ଭରତି,

ଥିଲେ ଭଲ ବୁଦ୍ଧି, ଆଉ ଛାର

‘ଦଧି-ସର’କୁ କେବେ ଚାହିଁ କି ? ।୧।

 

ଅଛି କି ଅବଧାନେ ? ଯେଉଁ କାଳେ

ଛାପି ରାତି ଜାତି ଲତିକା ମୂଳେ

ଧରୁଁ ମୋ’ର ହାତ ‘‘ରଖ ଉମାନାଥ !’’

ବୋଲି ଯେ ପଡ଼ ଚିହିଁକି ? ।୨।

 

ଅହର୍ନିଶି ନିଦ ନ ଥିବ ପରା ?

ଅଳସୀ ହେଉଥିବ ଜବାଧରା,

ଆସୁଥିବ ହାଇ, ଅବିଳମ୍ୱେ ଯାଇ

‘‘ଫୁଟୁକି’’ ଠୁକ ତହିଁକି ।୩।

 

‘ଶ୍ରୀ ରାମଚନ୍ଦ୍ର ଛୋଟରାୟ’ ଭଣେ

ଲୁଠିବାରୁ ‘ବାଳାମଣି’ –ଚରଣେ

ଲାଗିଚି ଯାବକ ବୋଳ ମଥାଯାକ,

ଏ ‘ଦଣ୍ଡ’ ଦେଲା କେହି କି ? ।୪।

 

(୧୧) ଛାପି ରାତି- ଲୁଚି ରହି, ଜାତି ଲତିକା- ଜାଇଫୁଲ ଲତା, ଫୁଟୁକି- ଆଙ୍ଗୁଳିରେ ଶବ୍ଦ କରିବା, ଲୁଠିବାରୁ- ମାଟିରେ ଗଡ଼ିବାରୁ, ଯାବକ- ଅଳତା ।

 

(୧୨)

ରାଗ—କାମୋଦୀ, ତାଳ—ଆଠତାଳି

 

ଆଉ କି ସହୀ ସହି କରିବ ଗୋ,

କହି ମହତ ସିନା ସରିବ ଗୋ । ଘୋଷା ।

ଶ୍ୟାମଗୁଣ ପରକ୍ଷି, ଚିତ୍ତ ଭିତରେ ସଖି,

ରଖିଲାଣି କିପରି ଭାରିବ ଗୋ,

ମିଶି ଗଲାଣି କ୍ଷୀର,--ଭାଣ୍ଡରେ ଯେବେ ଖାର,

ଛାଣି କେ ସ୍ୱାଦୁ ବାରି ପାରିବ ଗୋ ।୧।

 

ବୁଝିଲାଣି ମରଜି, ଆଉ କି ହୋଇ ରାଜି,

ନିକୁଞ୍ଜେ ତୋ ସଙ୍ଗେ ବିହରିବ ଗୋ,

ସୁଧାରେ ବିଷ ଦେଇ ଯତ୍ନେ ଛାଣିଲେ ନେଇ,

ତହୁଁ କି ମଧୁ ଆଉ ଝରିବ ଗୋ ।୨।

 

ଦେଲାଣି ସ୍ନେହ ଭାଙ୍ଗି ତୋଠାରୁ ସେ ଶୁଭାଙ୍ଗୀ

ଆଉ କି ତୋ ବୋଲ ସେ କରିବ ଗୋ;

ଛେଦି ପାଦପମୂଳ, ସିଞ୍ଚିଲେ ନେଇ ଜଳ,

ସେ କି ନବପଲ୍ଲବ ଧରିବ ଗୋ ।୩।

 

ଅଷ୍ଟଦୁର୍ଗ ଅବନୀପତି ଭାଷେ ସଜନି ଆଉ

କି ତୋ ଦୁଃଖ ସେ ହେରିବ ଗୋ ;

ପରଖଦେବା ଲାଞ୍ଛ, କଲାଣି ଯେବେ ପାଞ୍ଚ,

ପଞ୍ଚବାଣକୁ ସେ କି ଡରିବ ଗୋ ।୪।

 

(୧୩)

ରାଗ—କାଫି—ଝୁଲା

 

ଆଉ ଗମାର ମାରକୁ କେ’ ମାନେ ରେ ।ପଦ।

ସହୁ ସେ ନ ସହୁ କହୁଅଛି ଅଭିମାନେ

ମୋର ହେଲେ ଡର ନାହିଁ ଧ୍ୟାନେ ରେ ।୧।

ତୋରା କର୍ପୂରହାସି ! ତୁ ପରା ଅବଧାନେ

ରଖିଲୁନି ଯେବେ ସନ୍ନିଧାନେ ।୨।

 

କହିଲେ ହେଁ ମୋ ଭାଗ୍ୟ ନ ସହି ଖଳଜନେ

ଧନ ଯେବେ ନ ଶୁଣିଲୁ କାନେ ।୩।

ପହୁଡ଼ ଛୁ ଯାହା ଦେଇ ବଳି ଅବସାନେ

ମସ୍ତକ ମୋ ହସ୍ତ ଉପଧାନେ ।୪।

 

ରସନିଧି ! ଯାହା ମୋ ତରସ ଅନୁମାନେ,

ତୋଷୁ ବିମ୍ୱ ଓଷ୍ଠ ଚୁମ୍ୱଦାନେ ।୫।

କିଶୋର କିଶୋରୀ ଚାରି ପଦକଞ୍ଜ ଧ୍ୟାନେ

କହେ ଜଗଦ୍ଦେବ ସାବଧାନେ ।୬।

 

(୧୪)

 

ରାଗ—ପୂରବୀ, ଆଠତାଳି

ଆଉ ଟିକାକୁ ଗୋ, ଆଉ ଦଣ୍ଡକୁ ଗୋ,

ବୃଥା କଥାକୁ ଗୋ, କାହିଁକି ଦୁଃଖ ରୁଷଣା ?

ଶ୍ୟାମ ମୋର ଜୀବବନ୍ଧୁ ବୋଲି, ଯିବ

ଏହି ଶ୍ରୀମୁଖରୁ ଶୁଣା ।୦।

ସରଦାର ମଧୁ ଫରମାସିଲାନି

ନିକୁଞ୍ଜମନ୍ଦିର ମଣ୍ଡା,

ଅନଙ୍ଗ-ରଙ୍ଗ ରଙ୍ଗସ୍ଥଳେ ଉଡ଼ିବ

ଶୃଙ୍ଗାର ମଙ୍ଗଳ ଧଣ୍ଡା ।୧।

 

ସରମ ସମୟ ସମ ରସମୟ

ସବୁ ରୂପେ ହୋଇବାକୁ,

ନିଜ ଜୟ ହେତୁ ଧ୍ୱଜ କରିବୁ

ତୁ କୋମଳ ରୋମଲତାକୁ ।୨।

 

ନବୀନ ଘନ ଶ୍ୟାମଳ କୃଷ୍ଣ

ପକ୍ଷେ ଚନ୍ଦ୍ରାଭିଖ୍ୟା ନ ଦିଶିବ,

ସ୍ମର ସହଚର ସାବୟବ

ଲଂଘି ବନମାଳିକା ବାସିବ ।୩।

 

ତଦନନ୍ତର ତୁ ମୋଠାରେ

କରୁଣାରସ ସିଞ୍ଚ ବା ନ ସିଞ୍ଚ,

ମିଳିବ ତୋ ପଦ-କଞ୍ଜକୁ ଶିଖଣ୍ଡମୟ

ଚୂଳାଞ୍ଚଳ ଲାଞ୍ଚ ।୪।

 

ମିଳିବାକ୍ଷଣେ ତୋ ପୀୟୂଷ

ମୟୁର ମୁଖସୁବାସ ରାଜୀବ,

ମୁରଲୀ ଚୁମ୍ୱନ ମୁରଲୀ-ମୋହନ

ମନରୁ ପାଶୋରା ଯିବ ।୫।

 

ଗଉର ବରନା ଗଉରବ ମନା

କରି ମନ କଲୁ ତା’ରେ,

ବଣିକହରାରି ମଳାଇବ ହରି

ମଣି କନକଲତାରେ ।୬।

 

ରସି ସଖିଗିରେ ହସି ରାଧା ଧୀରେ

ଭାଷିଲେ ସ୍ନେହେ ଯା’ମ ଯା’,

ରଚିଲେ ନିଃସର୍ଗ ଧୀର ଅଷ୍ଟଦୁର୍ଗ

ବସୁଧା-ବଳୟ ରାଜା ।୭।

 

(୧୫)

ରାଗ—ପୂରବୀ

 

ଆଉ ଟିକାକୁ ଗୋ, କାହିଁକି ଦୁଃଖ – ରୁଷଣା ?

‘‘ଶ୍ୟାମ ମୋ’ର ଜୀବ ବନ୍ଧୁ’’ ବୋଲି

ଯିବ ଏହି ଶ୍ରୀମୁଖରୁ ଜଣା ।୦।

 

ସରଦାର ‘ମଧୁ’ ଫରମାଶିଲାଣି

ନିକୁଞ୍ଜ-ମନ୍ଦିର ମଣ୍ଡା,

ଅନଙ୍ଗ-ରଣ-ରଙ୍ଗ ସ୍ଥଳେ

ପଡ଼ିବ ଶୃଙ୍ଗାର ମଙ୍ଗଳ ଧଣ୍ଡା ।୧।

 

ସମ ରସମୟ ସମର

ସମୟ ସବୁରୂପେ ହୋଇବାକୁ

ନିଜ ଜୟ-ହେତୁ କେତୁ କରିବୁ

ତୁ କୋମଳ ଲୋମ-ଲତାକୁ ।୨।

 

ନବୀନ ଘନଶ୍ୟାମ କୃଷ୍ଣ

ପକ୍ଷେ ଚନ୍ଦ୍ରାଭିଖ୍ୟା ନ ଦିଶିବ,

‘ସ୍ମର’ ସହଚର ସମୟ ଲଙ୍ଘି

ବନ ମଲ୍ଲିକା ବାସିବ ।୩।

 

ତଦନ୍ତରେ ତୁ ମୋ’ ଠାରେ କରୁଣାର

ରସ ସିଞ୍ଚ ବା ନ ସିଞ୍ଚ,

ଯାଚିବ ତୋ’ ପଦ-କଞ୍ଜକୁ

ଶିଖଣ୍ଡମୟ ଚୂଳାଞ୍ଚଳ ଲାଞ୍ଚ ।୪।

 

ମିଳିବା କ୍ଷଣି ତୋ’ ପୀୟୂଷ-ଅଧର-

-ମୁଖ-ସୁବାସ-ରାଜୀବ

ମୋହିତ ମୋହନ ମୁରଲୀ ଖୁ ରଲି

ମନରୁ ପାସୋରି ଯିବ ।୫।

 

ତା’ ଉର-ବିହାର-ଗଉରବ

ବିନା ହୋଇ ମନ କଲେ ତୁ ରେ !

ବଣିକ-ହରାରି ମିଳାଇବ ‘ହରି’-‘ମଣି’

‘କନକ ଲତା’ ରେ ।୬।

 

ହସି ସଖୀଗିରେ ରାଧା ଧୀରେ

ଭାଷିଲେ ‘‘ତୁହି ଯା ମ, ଯା’’

ରଚିଲେ ନିସର୍ଗ ଧୀର ଅଷ୍ଟଦୁର୍ଗ

ବସୁଧା ବଳୟ – ରଜା ।୭।

 

(୧୫) ସରଦାର ମଧୁ- ଋତୁରାଜ ବସନ୍ତ, ଧଣ୍ଡା-ମାଳା, ସମର ମସୟ- ରତିକ୍ରୀଡ଼ାର ବେଳ, କେତୁ- ପତାନା, ଲୋମଲତା- ନାହି ଉପରେ ଓ ତଳେ ଥିବା ଲୋମାବଳୀ, ଚନ୍ଦ୍ରାଭିଖ୍ୟା- ଚନ୍ଦ୍ରର ଶୋଭା, ସ୍ମରସହଚର ସମୟ- ରାତ୍ରିକାଳର କେଳି ସମୟ, ଖରୁଲି- ବଂଶୀ ବଜାଇବା ଭଙ୍ଗୀ, ବଣିକ ହରାରି- ବେପାରୀ କନ୍ଦର୍ପ, ହରିମଣି- ଶ୍ରୀକୃଷ୍ଣ ରୂପକ ମଣି, ନିସର୍ଗ ଧୀର- ସ୍ୱଭାବତଃ ନମ୍ର ।

 

(୧୬)

ରାଗ—ମୁଖାବରି

 

ଆଗୋ ସଖି ! ଭଜିବି ମୁଁ ସେ ନୂଆ ନଟକୁ ।୦।

ହେଲେ ହେଁ ଲୋକହସା, ନିତି କରିବି ବସା

କଳିନ୍ଦ ଗିରି ସୁତା – ତଟକୁ ।୧।

 

ବୁଲିବି ବନେ ବନେ ତା’ ତୁଲେ ପ୍ରତିଦିନେ;

ଯେ ଯେତେ ପାରେ ତେତେ ଅଟକୁ ।୨।

 

ମତେ ଅବା ନ ସହି ଡକାଇ ନେଉ କେହି

ଭଟକୁ ଆଣି କଂସ – କଟକୁଁ ।୩।

 

କେ ଦେଲେ ଦେଉ ଗାଳି ; କରିବି ତା’ ସଙ୍ଖାଳି

ହଟକୁ ଶିଖଣ୍ଡ ମୁକୁଟକୁ ।୪।

 

ପଡ଼ି ଶ୍ରୀପଦ-ତଳେ ଟାଣି ଆଣିବି ବଳେ

ନିକୁଞ୍ଜ – ମଧ୍ୟ ଫୁଲ ଖଟକୁ ।୫।

 

ବୋଲେ ଶ୍ରୀ ଛୋଟରାୟ ନିରତେ ମୋ ହୃଦୟ

ସ୍ଥଳେ ସେ ‘ନୀଳମଣି’ ଝଟକୁ ।୬।

 

(୧୬)କଳିନ୍ଦଗିରିସୁତା- ଯମୁନା ନଦୀ, ତେତେ ଅଟକୁ (ପାଠାନ୍ତର- ମୋତେ ଅଟକୁ)- ଆକଟ କରୁ ବା ଅଟକାଉ, ଭଟକୁ- ଭାଟକୁ, ହଟକୁ- ଦୁଷ୍ଟାମିକୁ ।

 

(୧୭)

 

ଆଗୋ ପ୍ରିୟ ସଖି ! ପ୍ରାଣପ୍ରିୟଙ୍କୁ ପାରିଲୁ

ଟିକି ଦେଖି । ଘୋଷା ।

ରସେ ଉଲୁସାଇ ଚିତ୍ତୁଟିକି

ଘେନିବା ସମୟେ ଗୀତୁଟିକି ।

କି ତୁଔ ପାରିବ ଚନ୍ଦ୍ରିକା ତାହାର

ମିତୁଟିକି କୁନ୍ଦ ସ୍ମିତୁଟିକି ।୧।

 

ଥାଏ ମୋର ମନ୍ଦ ମୁଁ ବିବେକୀ

ପ୍ରାଣ ତୁଲେ ହୋଇଗଲି ବିକି ।

ଜାଲିଟି ନିକଟେ ଅନାଇ ଦେଲିଟି

କାଲି ଟିକିଏ ସେ ଚାଲିଟିକି ।୨।

 

ଶ୍ରୁତିରେ ତାର ଚରିତୁ ଟିକି

ଶୁଣୁଥିଲେ ହେଲେ ମୁଁ ନିତିକି ।

କି ବୃତ୍ତିରେ ସତୀ ମତିହରା ମୋର

ଧୃତି କରିଦେଲେ ଟିକିଟିକି ।୩।

 

ବୋଲେ କବିରବି ତୁହିଟିକି

ଗେଲେ ତାଙ୍କୁ ରାଧେ ଚିନ୍ତୁଟିକି ?

ପାଲେ ଯା ପକାଇ ନିଏ ସେ ଡକାଇ

ଚୋରି କରି ମନ ବିଭୁଟିକି ।୪।

 

(୧୮)

ରାଗ ମୁଲତାନି—ଆଡ଼ତାଳି

 

ଆଜ ଏ ରୁଷାରେ, ପାଳିଲି ନାହିଁ କି

ତୋର ହୁକୁମ ସୁସାରେ ।ପଦ।

ହେଲୁ ଯେ ଗଣ୍ଡମଣ୍ଡିତ-କର ସାରସାରେ,

ତୋ ବିନା ଅଛି କେ ମୋର ଭରସା ରସାରେ ।୧।

ଚିନ୍ତାମଣି ପରା ତୁ ମୋ ଚିତ୍ତ ଘରଷା ରେ,

 

ତିନ୍ତାଅ ନା କୁଚକୁମ୍ଭ ଅଶ୍ରୁ ବରଷାରେ ।୨।

ସହି ସରିଲିଟି ହର-ଅହିତ ତୃଷାରେ,

ବନ୍ଦ ପଡ଼ୁସ୍ମିତ ମକରନ୍ଦ ପରଷାରେ ।୩।

ଗୁଣାମ୍ଭୁଧି ଥରେ ସ୍ମର ସମରେ ରସା ରେ,

ଭଣାଯାଉ ତୋର ଗଣା ନ ଯା ନିରାଶା ରେ ।୪।

 

ଜଗଦ୍ଦେବ ବୋଲେ ଶ୍ୟାମ ବିନୟ ତୁଷାରେ,

ଶଙ୍କିଲା ଦେବୀଙ୍କ ମୀନ ପଙ୍କଜ ଦଶା ରେ ।୫।

 

(୧୮) (ଶେଷ ପଦ)- କୃଷ୍ଣଙ୍କ ବିନୟରୂପ ହୁମସ୍କର୍ଶରେ ଦେବୀଙ୍କ ମାନ ପଦ୍ମ ଅବସ୍ଥାକୁ ପ୍ରାପ୍ତ ହେଲା ଅର୍ଥାତ୍ ମାନ ସଙ୍କୁଚିତ ହେଲା ।

 

(୧୯)

ରାଗ—ମରୁଆ

 

ଆଜ ଏ କି ଗୁମାନ ରେ (ଚନ୍ଦ୍ରାନନା)

ଦେଖିନାହିଁ ସ୍ୱପନରେ ।ପଦ।

ସୁନ୍ଦର ରଦବାସ, ମନ୍ଦାରଦଳେ

ହାସ,-କୁନ୍ଦକୁ ପରକାଶ,

କୁନ୍ଦାନାଙ୍ଗି ମୋ ଧନି, (ପଡ଼ି) ତୁ ସିନା ମୋର ପ୍ରାଣ,

ରମଣୀଗଣ ରାଣ, ରାଣ ଅଛଟି ମାଣ,-ବକ ମୃଗାକ୍ଷୀ

ଜାଣ ଦାରୁଣ ସ୍ମରରାଣ, ଶାଣଦିଆ ତୀକ୍ଷଣ,

 

ବାଣଗଣରେ ନିଶ୍ଚେଁ ନେବଟି ଏ ପରାଣ ।୧।

ଚାରୁ ଚମ୍ପକଦେହା ରେ, ଚନ୍ଦ୍ରାନନା,

କାହୁଁ ଶିଖିଲୁ ଏହା ରେ, ଅଶ୍ରୁ ପ୍ରସରିବାର,

ମହୀକି ଚିରିବାର, ଆଜନ୍ମ ପରିବାର,

ସଂସାର ସାରିବାର ।୨।

 

ମର୍ମ ଗଲାଟି ଫାଟି ରେ, ଚନ୍ଦ୍ରାନନା,

ମାରମାର୍ଗଣଧାଟୀରେ, ବନ୍ଧୁଆ ସରିଲିଟି,

ତୋ କୀର୍ତ୍ତି ପରିପାଟୀ, ରୋପିବାର ଲତାଟି,

ମୂଳୁ ନ ପକା କାଟି ।୩।

 

ଦୋଷ ଦେଖି ତୁ ଦଣ୍ଡ ରେ, ଚନ୍ଦ୍ରାନନା,

ମଣ୍ଡନା କର ଗଣ୍ଡରେ, ବାହୁପାଶେ ନିତାନ୍ତେ,

ବାନ୍ଧିବା ବସନାନ୍ତେ, ଓଷ୍ଠ ବିଦାରି ଦନ୍ତେ,

ଭୂଜ କରଜ-କୁନ୍ତେ ।୪।

 

ଆରମ୍ଭିଲେ ତୁ ରୁଷା ରେ, ଚନ୍ଦ୍ରାନନା,

ଭରସା କେ ମୋ ରସାରେ, ତେଜିଲେ

ତୁ ମୋ କୋଳ, କେତେ ମୋ ଧୃତି ବଳ,

ସହେ କି କରବାଳ, କେଳି-କମଳ ଦଳ ।୫।

 

ଶ୍ୟାମ ବିନୟଭାଷାରେ, ଚନ୍ଦ୍ରାନନା,

ମନ୍ଦ ମଧୁରହସା ରେ, ଭାଷିଲେ ପ୍ରିୟବାଣୀ,

ରସେ ସେ ସୁଲକ୍ଷଣୀ, ରସିଲେ ମନ ଜାଣି,

ଶ୍ରୀ ଛୋଟରାୟ ଭଣି ।୬।

(୧୯) ରମଣୀଗଣରାଣ- ନାରୀମାନଙ୍କ ମଧ୍ୟରେ ଶ୍ରେଷ୍ଟ, ରଦବାସ-ମନ୍ଦାରଦଳେ- ଓଷ୍ଠରୂପ ମନ୍ଦାରଫୁଲରେ, ହାସକୁନ୍ଦକୁ- ହାସ-ରୂପ କୁନ୍ଦଫୁଲକୁ, କୁନ୍ଦନାଙ୍ଗି- ସ୍ୱର୍ଣ୍ଣାଙ୍ଗୀ, ମାଣବକ- ଶିଶୁ, ରାଣ- ରାଜା, ପରିଚାର- ଚାକର, ମାରମାର୍ଗଣାଧାଟୀ- କନ୍ଦର୍ପଶରସମୂହ, ରସା- ପୃଥାବୀ, କେଳି-କମଳ-ଦଳ- ପ୍ରୀତିପଦ୍ମପାଖୁଡ଼ା, କରବାଳ- ଖଣ୍ଡା ।

 

(୨୦)

ରାଗ—ବେହଗଡ଼ା—ଆଦି

 

ଆଜ ରସବତୀଙ୍କର ରାଜା। କୋଳୁ ନ ଯା ରେ ।୦।

ସରିଯିବି ସିନା ସୁନାଗୋରି । ଦୁଃଖ ବେଜାରେ,

ଥରେ ଆଉ ତୋ ରସପାତରେ ମୋତେ ଭିଜା ରେ ।୧।

ଦୁହିଁଙ୍କ ନାମେ ଡିଣ୍ଡିମ ବାଜୁ ବ୍ରଜ ବଜାରେ,

ଅସରସ ଲୋକ କି କରିବ ନିନ୍ଦି ହଜାରେ ।୨।

 

ଊଣାଯାଉ ଗଣା ଯା ଅଦୃଷ୍ଟ ଦୁଷ୍ଟ ରଜାରେ,

କରନ୍ତୁ ଦୁରନ୍ତେ ଲେଖା ମୋ ରସେ ଗରଜାରେ ।୩।

ଦେହମହୀ ପୂରିଛି ପୁଲକ ବ୍ୟାଜ ଗଜାରେ,

ଏ ସମୟେ ସ୍ମରାନଳ ଝାସରେ ନ ଭଜା ରେ ।୪।

 

ଶ୍ରୀମତୀ ଏପରି ହରି ଭାରତୀ-ଭାନୁଜା ରେ,

ବୁଡ଼ିଗଲା ପରି ଅଙ୍କେ ବିରାଜିଲେ ଲଜ୍ଜାରେ ।୫।

କୃପାକରି ବସୁଦୁର୍ଗ ବସୁନ୍ଧରା ରଜାରେ,

ସ୍ମିତକୁଳେ ରସିଲେ ମଦନ ମହାପୂଜାରେ ।୬।

 

(୨୧)

ରାଗ—ଖମ୍ୱାଜ, ଆଦିତାଳ

 

ଆଜି ମଦନ ସାଜିକି ନାଗର

କର ରାଜି ରେ । ଘୋଷା ।

ଲଘିଂଲ ଯା ଶଙ୍କା ଗୁରୁଭୟ ବନ-ରାଜିରେ ।

ରସସିନ୍ଧୁ ତଟରେ ସଞ୍ଚରୁ ମନ ବାଜି ରେ ।୧।

 

ରସବତୀ ଚକ୍ରବର୍ତ୍ତୀ ଯଶକୁ ନିହାଜି ରେ,

ଭୁଲାଇ ମୂଲାଇ ଯାନ ଦେବି ସିନା ସାଜି ରେ ।୨।

 

ପରିକର ନାଶ ମଣି ତାର କରେ ମାଜି ରେ,

ଧରଣୀ ମଣ୍ଡନା ବେଶ ଦେବ ସୈନ୍ୟ ସାଜି ହେ ।୩।

 

ଭାଷେ ଜଗଦ୍ଦେବ ଶ୍ୟାମ ବାଣୀ ଡକା ବାଜି ରେ,

ହଜିଗଲା ରାଜୀବାର ଶଙ୍କା ଭାନିତାଜି ରେ ।୪।

 

(୨୨)

 

ଆରେ ସଖି, କହିଲୁ କି ଶ୍ୟାମ ଆଗେ

ବୁଡ଼ି ସୁଆଗେ ।୦।

ରାଧା ଆମ୍ଭ ତୁଲେ କାଲି

ନିକୁଞ୍ଜ ପୁଞ୍ଜରେ ବୁଲି

ପୁଲକି ତମାଳ ବଲ୍ଲୀ

ଶାଖାକୁ ଭିଡ଼ିଲା ବୋଲି ।୧।

 

ବାଳ କାଳୁ ତୁ ମୋ ଜଥା

ବୋଲି ସିନା ମନ ବ୍ୟଥା

କହିଲି ଛୁଆଇଁ ମଥା

ମନେ ନ ରଖି ସେ କଥା ।୨।

 

ମନକୁ ନ ଭର ଯାଇ

ତୋତେ କି ନ ସମଂଜାଇ

କରଜ ଦେଲି ବଜାଇ

ଛାର ଏ କଥାକୁ ଯାଇ ।୩।

 

ପଟେ ଚନ୍ଦ୍ରମୁଖ ତାର

ଚନ୍ଦ୍ରରେ କରି ତିଆର

ଚାହିଁଣ ଶିରୀ ସମ୍ଭାର

ଗେଲେ ଥରେ ଚୁମ୍ୱିବାର ।୪।

 

ସେ ଦିନ ଦିବସ ଯାକ

କାନେ ଶୁଣି ବଂଶୀଡାକ

ତା ପ୍ରଣୟେ ରଖି ଟାକ

କରିବା ପ୍ରସଙ୍ଗଯାକ ।୫।

 

ନ ଜାଣନ୍ତି ଆନ ଆଳୀ

ତତେ ସିନା କଲି ଅଳି

ତା କଠଉ ତଳ ଧୂଳି

ଆଣିଲେ ହୋଇବି ବୋଳି ।୬।

କହେ ଛୋଟରାୟ ଭାବ

ପ୍ରକାଶିତ ନାହିଁ ଲବ

ଆନ ଆଗେ ମନୋଭାବ

ପାଇଲେ ସେ କାହୁଁ ଠାବ ।୭।

(୨୨) ଜଣେ ସଖୀପ୍ରତି ଆଉ ଜଣେ ସଖୀର ଉକ୍ତି, ବଲ୍ଲୀ- ଲତା, ଜଥା- ସାଥି, କରଜ- ହାତର ନଖ, ପଟେ- ଗଛ ବକଳରେ, ଚନ୍ଦ୍ରରେ- କସ୍ତୁରୀରେ, ଲବ- ତିଳେ ମାତ୍ର ।

 

(୨୩)

ରାଗ—ପୂରବୀ, ଏକତାଳି

 

ଆରେ ହେମଦେହା,

ତୁ ତ କୁହାଉ ରସିକା, କହୁ ଏହା ରେ ।।ପଦ।।

ମୋହନ ପୁଣି ସେ ହସୁଥିବ,

—ବାହାର ଭିତରେ ଦିଶୁଥିବ,

ନର ନାଗ ନାକେ ବରବରନା କେ,

ପର ଉପଦେଶେ ରୁଷୁଥିବ ।୧।

 

ଭାଙ୍ଗି ଧୃତି ଚନ୍ଦ୍ର ଚାହୁଁଥିବ,

—ନାଟୁଆ ନେତ୍ରାନ୍ତେ ଚାହୁଁଥିବ,

ସେ ଖେଳା ଭ୍ରୂବଲ୍ଲୀ, ଚାହିଁଦେବି ବୋଲି,

ବିବେକ ସେକାଳେ କହୁଥିବ ।୨।

 

ତା ଶିଖଣ୍ଡ ଚୂଡ଼ା ଝଲକରେ

—ପଡ଼ିଲେ ଦୃଷ୍ଟି ଅପଲକରେ,

ମହୀଲୋକେ ରାମା, କେ ହୀନକରମା,

କେହି ନ ପୂରିବ ପଲକରେ ।୩।

 

ସଞ୍ଜବେଳ କଞ୍ଜ ପରି ରହି

—କରରୁହ ମୁନେ ଚିରି ମହୀ,

ମନମଥ ମନ, ମଥକୁ ପଥକୁ,

ନୟନର ନ ଆଣିବି କେହି ।୪।

 

ସକପଟ ମନେ ପୋତି ମଥା

—ନ କହିବ ଯେଉଁ କ୍ଷଣ କଥା,

ସକଳ ସୁକୃତ ଫଳ ମୂରତିକି,

ସେ କ୍ଷଣୁଟି ନୋହିବ କି ବୃଥା ।୫।

 

କହନ୍ତେ ଏପରି ସୁଦଶନା

—ସହଚରୀ ହୋଇ ସହି ସିନା,

ଅଷ୍ଟଦୁର୍ଗା ନାଥ କହନ୍ତି କହିଲେ,

ତୋ ମରଜି କଷୁଥିଲି ସିନା ।୬।

 

(୨୪)

ରାଗ—ଭୈରବୀ, ଆଠତାଳି

 

ଆହା କି ଭାଲେ ଲିହି—ଥିଲା ଦାରୁଣ ବିହି

ହେବାକୁ କାମେ ଦହି ଗୋ ।ପଦ।

କ୍ଷଣେ ହେଲେ ଅନ୍ତର—ନୋହି ପାଶେ ଚାକର

—ପରି ସେବିଥିବାର ଗୋ

କୁଳିଶୁଁ ବଳି ଚିତ୍ତ, ମୋଠାରେ ପ୍ରାଣନାଥ,

କରିବାର ଉଚିତ ହେଲା କି ଗୋ ସଙ୍ଗାତ ।୧।

 

ନିତି ନିଶା ବାସରେ, ଶୟନ ଆବାସରେ,

ଥିଲା ପରି ପାଶରେ ଗୋ

ଉରେ ଜମାଇବାକୁ, କୋଳକୁ ଆଣିବାକୁ

ଚାଟୁ କଲା ବେଳକୁ, ଆଉ ନ ଦେଖିବାକୁ ।୨।

 

ଏ ବିରହ ବେଦନା, ସହିବାକୁ ନବୀନା

ଅଛି କେ ମୋହ ବିନା ଗୋ

ସନ୍ତାପ ଅକୂପାର, ଗଣ୍ଡେ ନ ମଜ୍ଜିବାର

ଜନେ ହେବାକୁ ପାର ଥିଲେ କହ ବିଚାର ।୩।

 

ମୋହନ ଅନା ଥରେ,—କୃପା ହୃଦ ପଥରେ

ନଇଲେ କିପାଁ ଥରେ ଗୋ

ଦୁଃଖେ କବିସବିତା, ଭାବେ ଶୁଣ ଲଳିତା !

ଏ କାଳେ ଏତେ ଚିନ୍ତା ବିହିଲା ଗୋ ବିଧାତା ।୪।

 

(୨୫)

 

ଆହା କି ଶୋଭା ତୋ ଠାଣିରେ

ପରଭୂତ ରୁତ ବାଣୀରେ,

ସହି ତୋତେ ମହୀ            ପୁଣ୍ୟବଳୁ ପହି

ଅବତରାଇଛି ଆଣିରେ ।୦।

ଜଗତୀ ପାବନ ହେବ

ବୋଲି ଅବା କେଉଁ ଦେବ

ବୋଲାଉଚି ଧନ୍ୟ            କି ତତେ ଲାବଣ୍ୟ

ପୀୟୂଷ ପୁରରୁ ଛାଣି ରେ ।୧।

 

ନାଗରେ, ନାକେ, ଭୂତଳେ

ନାହିଁ ଯା ତୁଳା ଭୂତଳେ

କି ପଦାର୍ଥ ତୁଟି             ଦ୍ୱୀପ ରିପୁ କଟି

ଅନୁମାନେ ନୁହେ ଜାଣି ରେ ।୨।

 

ମୁଁ ମାତ୍ର ମାଗୁଛି ଏତେ

ପରକ୍ଷି ନ ଦେଇ ମତେ

ନମଣ୍ଡିବୁ ଗଣ୍ଡ            ସ୍ଥଳକୁ ଅଖଣ୍ଡ

ସୁଷମ ପଲ୍ଲବ ପାଣିରେ ।୩।

 

କାହିଁକିଟି ସେ ସୁରେଶେ

ଖାତର କରିବ ଲେଶେ

ଖେଳଯିବ ଯାହା            ସୁଖେ ଚମ୍ପା ଦେହା

ତୋ ଭୂରୁ ନଚା ଚାହାଣିରେ ।୪।

 

ଅଷ୍ଟଦୁର୍ଗ ନାଥ ବୋଲେ

ଘନଶ୍ୟାମ ଗିରେ ବୋଲେ

ସମନ୍ଦାକ୍ଷ ହସା            ସ୍ନେହ ରସେ ମିଶା—

ମିଶିହେଲେ ଠାକୁରାଣୀରେ ।୫।

 

(୨୫) ପରଭୂତ ରୁତ- କୋଇଲିର କୁହୁ ଧ୍ୱନି, ଜଗତୀ- ପୃଥିବୀ, ନାଗରେ- ପାତାଳରେ, ନାକେ- ସ୍ୱର୍ଗରେ, ସୁରେଶେ- ଇନ୍ଦ୍ରକୁ, ସମନ୍ଦାକ୍ଷ- ସଲଜ୍ଜ ।

 

(୨୬)

 

ଆହା ବଂଚିବ କେହି

ଶରଦରବିନ୍ଦ ନେତ୍ରା ଚାନ୍ଦମୁହିଁ ।୦।

ଉରେ ନ ପହୁଡ଼ିଲେ ନ ଯାଏ ନିଦ

ଦୂରେ ଏବେ ପ୍ରାଣସହି ପଞ୍ଚବାଣ ଟାଣ ସହି

ରହିଲା ବିହିଲା ବିହି ଏ ବିପଦ।୧।

 

ହେବନି ଧୂସର ଗାତ୍ରୀ ଧାତ୍ରୀରଜେ

ନବନୀତ ସୁକୁମାରୀ      ଅବନୀ ତଳପେ ସରି

ଯିବନି ତ ପୂର୍ବଶିରୀ ନ ଥିବ ଯେ ।୨।

 

ମୁଖ ନିକଟ ଭ୍ରମିରେ      ସ୍ୱପକ୍ଷ ଜାତ ସମୀରେ

ଉଡ଼ାଇ ନେବ କି କୃପାଙ୍ଗୀକି ଅବା ।୩।

 

କି ବସିବା ବଳ ଥିବ ଆଉ ତାର

ଶିବ ଶିବ ନାମ ମୁଖେ      ସଖୀ ରଟୁଥିବେ ଦୁଖେ

ଘେରି ଗୋରୀ ଚାରି ପାଖେ ନିରନ୍ତର ।୪

 

ମୋହ ଅବସାନେ ମୋର ପ୍ରୀତି ଚିନ୍ତି

ତରୁଣାଧୀଶ୍ୱର ମୋତେ      କରୁଣାରୁ କହେ କେତେ

ଦୂର ବୋଲୁଥିବ ଏତେ କୁନ୍ଦଦନ୍ତୀ ।୫।

 

ଅନୁକୂଳ ହେବ ଯେବେ ହଂସରଥ

ଧନକୁ ମୋ ବନ ମାଳା      ସହଚରୀ ପରି ଗଳା

ଭରଣ କରି ପୂରିବ ମନୋରଥ ।୬।

 

ପରବାସ ନ ରଖିବି ଅଭିଳାଷେ

ଚନ୍ଦ୍ରକଚୂଡ଼ାବତଂସ            ଚିନ୍ତିଲେ ଏପରି କଂସ

ନଗରେ ବସଦୁର୍ଗେଶ ଗୀତେ ଭାଷେ ।୭।

 

(୨୬) କେହି- କିପରି, ଶରଦରବିନ୍ଦ- ଶରତ୍‍କାଳୀନ କଇଁ ଫୁଲ, ଧାତ୍ରୀ- ପୃଥିବୀ, ହଂସରଥ- ବ୍ରହ୍ମା, ଚନ୍ଦ୍ରକଚୂଡ଼ାବତଂସ- ମୟୂର ପୁଚ୍ଛ ଥିବା ମଥାର ମୁକୁଟ ।

 

(୨୭)

ରାଗ—ଇମନ କଲ୍ୟାଣୀ—ଆଠତାଳି

 

ଆହା ! ମୃଦୁଦେହା ବରସ୍ନେହକୁ ତୁ ହୁଡ଼ିଲୁ ।୦।

ହଜାରବାର ଯମୁନା—

ନ ଯା’ ବୋଲି କରେଁ ମନା

ଯାହା, ସୁଖ ରାହା ତେଜି ତା ହାବୁଡ଼େ ପଡ଼ିଲୁ ।୧।

 

ମୁଁ ଜାଣେ ତା ସଙ୍ଗ-ରସେ,

ନ ଥାଏ ତୋ ମନ ଲେଶେ,

କାହିଁ ଦୋଷ ନାହିଁ ଥରେ ଚାହିଁ ଦେଇ ସଢ଼ିଲୁ ।୨।

 

ତତେ ତ ଥିବ ଗୋଚର

ସେ ତ କିତବଙ୍କ ବର

ଲାଭ ବିନା ଯା ଭରସି, ତା ଭରମେ ବୁଡ଼ିଲୁ ।୩।

 

ଅବସାନେ ଏହି ଫଳ,

ଅଛି ବୋଲି ଜଳଜଳ-

ଦିଶୁଥିଲା, ଶିଶୁପରି କି ସୁଖକୁ ତଡ଼ିଲୁ ।୪।

 

କହେ ଅଷ୍ଟଦୁର୍ଗ ନାହା

ଅହେତୁରେ ଏବେ ଯାହା

ଧରାଦେବୀ-ଝରା ! ତାହା ସରାଗରେ ଗଡ଼ିଲୁ ।୫।

 

(୨୮)

ରାଗ—କଲ୍ୟାଣୀ, ଏକତାଳି

 

ଆହେ ବଂଶୀଧର ! ତନୁ-ଅଙ୍ଗୀର

ହେଲାଣି ଅଙ୍ଗୀକାର ହେ ।ପଦ।

ଏତିକି ଆୟତ୍ତ ପଦ୍ମିନୀର

—ବାହାର ହୁଅଇ ଭେଦି ନୀର ।

ହୁଅଇ କି ହାସ, ବଦନେ ବିକାଶ,

ନ ଲାଗିଲେ ପ୍ରଭାକର-କର ।୧।

 

ଲୋଡ଼ା କରେ ଭୃଙ୍ଗ ମଧୁପାନ

—ନ ଥାଏ କି ପୁଷ୍ପ ସମାଧାନ

ସ୍ୱଇଚ୍ଛାରେ ନେଇ, ତା ପାଶେ ରଖାଇ,

ବୋଲଇ କି ମଧୁ ପାନ କର ।୨।

 

ହେବାଠାରେ ପୂର୍ଣ୍ଣ ଚନ୍ଦ୍ରୋଦୟ

—ନୁହଇ କି କୁମୁଦିନୀ ପ୍ରିୟ

ଚନ୍ଦ୍ର ସିନା ନିଶା, ଅନ୍ତର ନିରାଶା

କରଇ ଦଇବ ରସଭର ।୩।

 

ଛାଡ଼ି, କୂପ, ନଦୀ ସରୋବର

—ରହିବା ଆୟତ୍ତ ଚାତକର

କିପରି ସେ ପାନ, କରିବଟି ବନ,

ନ ବରଷୁ ଜଳଧର ନୀର ।୪।

 

ଜଣାଉଛି ଜଗଦ୍ଦେବ ଗିର

—ଥାଏ ହୋଇ ମୂକ ପିକବର

କରେ ଆଗମନ, ଋତୁଙ୍କ ରାଜନ,

ନ କରେ କି ଗାନ ମନୋହର ।୫।

 

(୨୯)

ରାଗ—ସାବେରୀ, ଆଠତାଳି

 

ଏ କି ରୁଷା ରେ ଖଞ୍ଜନଦୃଶା, ସୁନ୍ଦର କୁନ୍ଦ

—ପସନ୍ଦ ସ୍ମିତ ବିନା ରେ ।ପଦ।

ବାରବାନି ଚାମିକର ଦେହା,

ବାରଣେନ୍ଦ୍ର ଗମନା ସୁସ୍ନେହା—

ସାର ସରିଲାଟି ଚାହିଁ ଏହା—

ମାରଦର ନାଶକୁ ତୁ ସିନା ଭରସା ରେ ।୧।

 

ଦୋଷ କରିବାର ନାହିଁ ଜାଣି

—ଏ ସକାଶୁଁ ଗଣ୍ଡେ ଆଜ ପାଣି

ମୋ ସପତଟିରେ ବୀଣାପାଣି—

ରୋଷକରଣ କହି ଦରିଆରେ ଭସା ରେ ।୨।

 

ଧନାଧିକ ତୁ ମୋର ଜଗତେ

—ଘନାନୀଳ କୁନ୍ତଳା ସୁଚିତ୍ତେ

ଅନା ସଦୟ ନେତ୍ରପ୍ରାନ୍ତେ ମୋତେ—

ମନା ନ କର, କର କରୁଣା ବରଷାରେ ।୩।

 

ଭାରି ଉରଜା ମୋ ସୁଖ ରାହା,

ମାରି ପକାଅ ସେ ଯିବ ସୁହା

ବାରିଝର ନୟନୁ ନ ବୁହା—

ଚାରି ଧରମ ହେବଟି, ତୋ ରସେ ରସା ରେ ।୪।

 

ସ୍ମିତ ବିଳସୁଥିଲେ ତୋ ମୁଖେ—

ଶରମୁଖେ ଖାତର ନ ରଖେଁ

ଇତରଙ୍କୁ ସୁଖରେ ନ ଲେଖେଁ—

ନିତମ୍ୱିନୀ ବର ରସକେଳିଲାଳସା ରେ ।୫।

 

ହରି ମୁଖୁଁ ଏ ଭାରତୀ ଝରି—

କରି ଶ୍ରବ ଅବତଂସ ପରି

ଭରି ମନକୁ ମୋଦେ କିଶୋରୀ—

ହରିଚନ୍ଦନ ଭଣେ ସୁଖେ ନେଲେ ନିଶାରେ ।୬।

 

(୩୦)

ରାଗ—ଖମ୍ୱାଜ, ଏକତାଳି

 

ଏ ରଜନୀ ବ୍ରଜବନ୍ଧୁଙ୍କୁ, ଗୋପିନାଥଙ୍କୁ,

ରଖିଲେ କେଉଁ ସଜନୀ ।ପଦ।

ତାମ୍ୱୁଳ ପୁଣି ଅଳାଇଚରେ—

ଭାଙ୍ଗି ରଖିଥିଲି ଯତ୍ନ କରେ

ଚୁଆ ଚନ୍ଦନରେ କର୍ପୂର ମିଶାଇ,

ବୋଳିବାକୁ କୃଷ୍ଣ ଶ୍ରୀଅଙ୍ଗରେ ।୧।

 

ଜାଲିଣ ସୁରତ୍ନ ଦୀପାବଳି—

ଉଜାଗରେ ନିଶି ପୁହାଇଲି

ନାନା ସୁବେଶରେ ବେଶ ମୁଁ ସାଜିଲି—

କା’ ପୁରେ ରହିଲେ ବେଣୁପାଣି ।୨।

 

ମୁଁ ଦୁଃଖୀ ହୋଇଲି ଅଭାଗିନୀ—

କୃଷ୍ଣ ମୋ ପୁରେ ନଇଲେ ପୁଣି

ନାନା ଜାତି ପୁଷ୍ପେ ଶେଯ ଶେଯାଇଲି—

ମାଧବ ରଖିଲେ କେ ତରୁଣୀ ।୩।

 

କହେ ଶ୍ରୀଚନ୍ଦନ ଏହି ଗିର—

ଶ୍ରୀମତୀ ଶ୍ରୀକୃଷ୍ଣ ବିରହର

ଟାଳିବାରୁ ଶଠ ନଟବର କଣ୍ଟ—

କିଶୋରୀ ହୋଇଅଛନ୍ତି ମାନୀ ।୪।

 

(୩୧)

ରାଗ—ଝଂକୋଟି, ଏକତାଳି

 

ଏ ବସନ୍ତ ଦିନେ ଯେ ବସନ୍ତି ମାନେ,

ସେ ବଧୂ ନୁହନ୍ତି ଶୀଳା ।ପଦ।

କଳ କୋଳିଳ ରୁତ—ଗାନେ ମନ୍ଦ ମରୁତ

ଆଚରୁଛି ହୋଇ ଖେଳା ଗୋ ।୧।

 

ସବକୁଳ ବାସନ୍ତୀ—ସର୍ବମାଳା ଦଂଶନ୍ତି

ଅନାଇ ରୋଲମ୍ୱ ଲୀଳା ଗୋ ।୨।

 

ଏଡ଼େ ସୁଖ ସମୟ—ନ ଘେନେ ପ୍ରାଣପ୍ରିୟ

ସଙ୍ଗେ କେ ରଚିବ ହେଳା ଗୋ ।୩।

 

ଏକାଳେ ରତିବନ୍ଧୁ—ଶୀଳା ମନ୍ମଥ ବନ୍ଧୁ

ଭିତରୁ ତରିବା ଭେଳା ଗୋ ।୪।

 

ସ୍ନେହୀରେ ଯେ ଟି ମାନ—କରେ ତାହାର ସ୍ତନ

ନିରସ ମାଟିର ଟେଳା ଗୋ ।୫।

 

ନୋହି ପ୍ରଣୟ ଦଶ—ରୁଷିବାର ସାହସ

କେବଳ ଦେଉଳ ଶିଳା ଗୋ ।୬।

 

ଶ୍ରୀ ଜଗଦ୍ଦେବ ଭଣେ—କୃଷ୍ଣକଥା ନ ଶୁଣେ

ସେ ଶ୍ରୁତି ନୁହେ, ସେ ବିଳା ଗୋ ।୭।

 

(୩୨)

ରାଗ—ସିନ୍ଧୁକାମୋଦୀ, ତ୍ରିପୁଟା

 

ଏହି ଦୋଷ ସହି, ମୁଁ ତହିଁରେ ଗୋ,

ବାଛିଚି ସୁଖଦ ରତି

କରିବା ବେଳରେ ଯୁବତୀ ଜୀଇବା

ମରିବାର ନ ଜାଣନ୍ତି ।ପଦ।

 

କେ କାହାକୁ କେଡ଼େ ନିବିଡ଼େ ନ

ଭିଡ଼େ ପୂରିଥିବାଠାରେ ସ୍ନେହ

କରି କି ଏପରି ଯହିଁ ନୋହେ

ପରିଚୟ କେ କାହାର ଦେହ ।୧।

 

ମୁଁ ସହଜ ଭୀରୁ ନ ସହଇ ଉରୁ

ଭିଡ଼ା ମୋତେ ବାଧେ ବଡ଼

ମୋହ ନିମନ୍ତେ ସେ ଦେହକୁ

କରନ୍ତି ଲୋହ ନିର୍ମିତ ନିଗଡ଼ ।୨।

 

ଚିବୁକ ଅଧର ଗଣ୍ଡ ଚୁମ୍ୱିବାରୁ

ସଂସାରେ ଥିବା କଥାଏ

କେ ଜାଣେ ଏମନ୍ତ ପ୍ରପଦୁ ସୀମନ୍ତ

ଯାଏ ପୁଣି ସୁଧା ଥାଏ ।୩।

 

ଶୁଭେ ଅର୍ଦ୍ଧକ୍ଷଣ ଚରଣାଭରଣ

ରଣ-ଡିଣ୍ଡିମ ବାଜଣା

ପୁଣି ମୋର ଚେତା କାହିଁ ରହେଟି

ତା ସେହି ନାଗରକୁ ଜଣା ।୪।

 

ତହୁଁ ଯେତେବେଳେ ଠଉରାଇ

କୋଳେ ଭିଡ଼ିଥାନ୍ତି ନନ୍ଦସୂତ

ତେବେହେଁ ପଳାଇ ଯିବାକୁ ବଳାଇ

ପାରଇ ନାହିଁ ମୋ ଚିତ୍ତ ।୫।

 

ସଖୀ ଠାକୁରାଣୀ ଶ୍ରୀମୁଖୁ ଏ ବାଣୀ

ସ୍ନେହେ ଚୁମ୍ୱ ଦେଲେ

ଅଷ୍ଟଦୁର୍ଗ ଧରାମଣ୍ଡଳୀ ଅମରା-ବତୀ

ନାଥ ରସେ ବୋଲେ ।୬।

 

(୩୩)

ରାଗ—ବେଗଡ଼ା, ଏକତାଳି

ଏହି ସେହି କି ମୋ ସହି, ସତ କହଟି ।ପଦ।

କହିବାକୁ ଜିହ୍ୱାଞ୍ଚଳ କରୁ କରୁ ତୁ ଚଞ୍ଚଳ

ସ୍ମରସର୍ପ କଲାନି ରସନା ଲହଲହଟି ।୧।

ଅନନୁତୁଲ ଏ ଦ୍ୟୁତି ଅନାଇ ସେ କେଉଁ ସତୀ

ଠଉରିବ ନଉକରି କରିବାରେ ନ ହଟି ।୨।

ଏହା କରି କି ଗୋ ଯଶ-କୁସୁମମାନଙ୍କ ବାସ

ବାସବ-ନିବାସଯାଏ ଯାଉଥାଏ ଚହଟି ।୩।

ଏପରି ନିଶ୍ଚେ ସଞ୍ଚିତ ହୋଇଛି ରେ ପ୍ରାଣମିତ

ଅଲୀକଲୀନ ସେ ଅବିଗ୍ରହ ରବିଗ୍ରହଟି ।୪।

କବିରବି ରାୟଗୁରୁ କରିଥାନ୍ତି ରେ ରମ୍ଭୋରୁ

ଏହାଙ୍କ ଭଜନୁ ଆନ ନାହିଁ ସୁଖାବହଟି ।୫।

 

(୩୪)

ରାଗ—ମରୁଆ, ଏକତାଳି

କଙ୍କେଳିମୂଳ ସଙ୍କେତ ଅତି ପ୍ରତିକୂଳ ।ପଦ।

ସଶିଖଣ୍ଡଚୂଳ, ତୁଲେ ପଛେ ଖେଳ,

ସାହସ ମାତ୍ର ପ୍ରବଳ ରେ ।୧।

ନିଧୂବନ ଲୋଳ—ତୋ ପଦକମଳ

ବାଜିଲେ ହେବ ସେହି ଖେଳ ରେ ।୨।

ଅକାଳେ ତା ଡାଳ, ମାନଙ୍କର ଜାଳ

ହେବଟି ସମୁକୁଳ କୁଳରେ ।୩।

ସେ କ୍ଷଣେ ଗୋକୁଳ—ମଧ୍ୟେ ହେବ ଠୁଳ

ତୋହରି ନାମେ କଳକଳ ରେ ।୪।

ସହି ମହୀତଳ ଯାକେ ତୋ ପାତଳ

ଲାବଣ୍ୟ ଲବେ କାହିଁ ତୁଳ ରେ ।୫।

ଅଷ୍ଟଦୁର୍ଗ ପାଳ ଭଣେ ଶୁଣି ନୀଳ—

ବାସିନୀ ହେଲେ ରାଗକୁଳ ରେ ।୬।

 

(୩୫)

ରାଗ—ଖମ୍ୱାଜ, ଏକତାଳି

 

କଦମ୍ୱ କାନନରେ କିସ ଦିଶିଲା ରେ

ଦିଶିଲାକ୍ଷଣି ବିବେକ ଖସିଲା ରେ

ମନ କଲି ବେଗେ ଧାଇଁ, ଘନଘନ ଶ୍ୟାମ ଧ୍ୟାୟୀ,

ବନବନ ବୁଲୁଥିବି ବୋଲି ସୁଶୀଳା ରେ ।ପଦ।

 

ଶୃଙ୍ଗାର ମଙ୍ଗଳ ବିମୋହନ ବେଶ—

ମସାର ସାର ନୀଳିମା ସୁଧାରସ

ଶରଦ ରଜନୀ କର—ନିକର ଭାନୁ ପ୍ରକାର

ଏ ସବୁ କି ସେ ଧାତେ ମିଶିଲା ରେ ।୧।

 

ଭେରୀ, ତୂରୀ, ବୀଣା ଶୁଣା ଅଛି କାନେ—

ଶୁକ ପିକରୂତ ଗୋପ ଉପବନେ

ଜଗତୀ ହେଲା ବିଧୂର—କି ଧ୍ୱନୀ ସେ କି ମଧୁର

ହୃଦୟ ନବବଧୂର ଦଂଶିଲା ରେ ।୨।

 

ନିନ୍ଦେ ବରନଟ ଖଞ୍ଜରୀଟ ଖେଳ—

ଇନ୍ଦିବର କି ସେ ନୀଳ ମହୋତ୍ପଳ

ତହୁଁ ଜନମି ଅନନ୍ତ—ଦିଶେ ବିଷାଇବାକୁ ତ

ଧୃତିକି ରଙ୍ଗେ ନିରତ ଭୂଷିଲା ରେ ।୩।

 

କିଶୋର ସମୟ ପରି ହେଲା ଜଣା—

କି ସୋରିଷ ମାତ୍ର ଅବା ହେବ ଊଣା

ମଦନ କୋଟି ସମ୍ଭାର-ସଦନ କରି ତାହାର

ପଦ ନଖ ଅଞ୍ଚଳରେ ବସିଲା ରେ ।୪।

 

କଲା ମୋତେ ବାଇ ଯହୁଁ ଦେଲି ଚାହିଁ—

ଗଲା ମହତ ମୋହର କାହିଁ ନାହିଁ

ଭଲା ମନୋହର ଦିଶେ—ଲଲାମ ଉପରେ କି ସେ

ଅଖଣ୍ଡ ଶିଖଣ୍ଡଝରା ଖୋସିଲା ରେ ।୫।

 

ଅଷ୍ଟଦୁର୍ଗ ପୁର ପୁରନ୍ଦର କହେ—

ଯିବା କି ସଙ୍ଗାତ ଦେଖି ମିଶି ଦୁହେଁ

ନିନ୍ଦିଲେ ନିନ୍ଦିବେ ଜନେ—ତାର ସେବନେ ସେ ବନେ

ରହିବି ତହିଁ ମୋ ମନ ରସିଲା ରେ ।୬।

 

(୩୬)

ରାଗ—ସାବେରୀ, ଆଠତାଳି

 

କର କ୍ଷମା ରେ, ରତି-ପ୍ରତିମା ତୁ, କର କ୍ଷମା ରେ

ଜଣା ନ ଥିଲା ମାଜଣା, ହେବେ

ବୋଲି ଜେମା । ଘୋଷା ।

କେଉଁ ପ୍ରତିହାରିଣୀ କି ଦାସୀ,

କହିଥାନ୍ତା ଯେବେ ଧାଇଁ ଆସି,

ତା ନ ମାନି ପଶିଥିଲେ ଝାସି,

ମାନ ଉଚିତ ମୋଠାରେ ତନୁମଧ୍ୟମା ରେ ।୧।

 

ବାରି ପାରି ନାହିଁ ରେ ସୁକେଶୀ,

ବାରି ମଧ୍ୟେ ତୁ ଥିଲୁ ବିଳସି,

ଚାରି ପାଶେ ଘେରିଥିଲେ ଦାସୀ,

ଭାରି ନିତମ୍ବ ସ୍ତନ- ଜଘନ-ସୁଷମା ରେ ।୨।

 

ଭିଡ଼ି ରଦନେ ବସନାଞ୍ଚଳ,

ତଡ଼ିଲ୍ଲତାରୁ ହୋଇ ଚଞ୍ଚଳ,

ବଳାଶିଞ୍ଜିତ କରି ପ୍ରବଳ,

ପଳାଇ ଯା ମଣ୍ଡିଦେଲୁ ମଣ୍ଡପ ସୀମାରେ, ।୩।

 

ଦାଉ ପାଇ ମୁଁ ହେଜିଲି ଏବେ,

ଆଉ ଏପରି କରିବି ଯେବେ,

ସାରିଦେବୁ ମୋତେ ପରାଭବେ,

ବାରିଜାକ୍ଷୀ ପୀନସ୍ତନେ ଆଜକ ଜମା ରେ ।୪।

 

ଶୁଣି ଶ୍ରୀକୃଷ୍ଣ ବିନୟ ବାଣୀ,

ହରଷରେ ସେ ରମଣମଣୀ,

ନିଧୁବନ ରଚିଲେ ସେକ୍ଷଣି,

ବୋଲେ ବସୁଦୁର୍ଗ ବସୁନ୍ଧରା-ସୁତ୍ରାମା ରେ ।୫।

 

(୩୭)

ରାଗ—କେଦାର, ତ୍ରିପୁଟା

 

କରିବ କି ରାଜି, ଚନ୍ଦ୍ରାନାନୀ ଆଜି,

ମୋ ଅଙ୍କେ ବିରାଜି ଖେଳିବାକୁ,

ସମରେ ନ ଭାଜିବାର ମାର ପାଜି,

ମଜ୍ଜା ବଳ ରାଜି କଳିବାକୁ । ଘୋଷା ।

 

ମୋର ଅନଳପ ପୂରବର ତପକଳାପ-

କଳପବଲ୍ଲରୀ ସେ ଗୋରୀ,

ହେଲା କି ଏଥର ମୋ ମନୋରଥର

ସମୁଚିତ ଫଳ ଫଳିବାକୁ ।୧।

 

ନବୀନ ବିଳାସବତୀ ସେ ତ ତ୍ରାସ—

ଲତା ଦୁଇପାଶ ମଧ୍ୟେ ତା ନିବାସ,

ମୋହପରି ପାଞ୍ଚିଅଛି ମୁଁ ଯେ କାଞ୍ଚି

କିଙ୍କିଣୀ ନିଚୟ ଚାଳିବାକୁ ।୨।

 

ଅଭିନବ କ୍ରୀଡ଼ା କଳେ ଗାଢ଼ ଭିଡ଼ା

ଅନୁଭବରୁ ତ ଲଭୁଥିବ ବ୍ରୀଡ଼ା,

ହେବ ଅନୁକୂଳ କି ଉରୁ ଦୁକୂଳ—

ତଳସ୍ଥଳେ ପାଣି ଚାଳିବାକୁ ।୩।

 

ଶିଶୁ-କଳାକାର-ଚୂଡ଼ାମଣିପର

ଅମଳରୁ ଜ୍ଞାନ ନ ଥିବ ମୋହର,

ପାରିବି କି ବାରି ନିକି ସୁକୁମାରୀ

ଶ୍ରୀଅଙ୍ଗ ଲତାଟି ଲୁଳିବାକୁ ।୪।

 

ରଦନ-ବସନ ବିମ୍ୱକୁ ଦଶନ—

ଅଞ୍ଚଳେ ପୀଡ଼ିତେ ହେବି ସୁଧାସମ,

କୁନ୍ଦବିକଶନ ତା ମନ୍ଦହସନ

ଦୁଇ ଶୋଭା ନେତ୍ରେ ତୋଳିବାକୁ ।୫।

 

କହେ ବଳଦେବ କବିରବି ନବ—

ନଟବର ଚିନ୍ତି ପ୍ରିୟାସଙ୍ଗୋତ୍ସବ,

ମିଳି ସଖା ବ୍ରଜେ ମୋଦେ କଲେ ବିଜେ,

କୁଞ୍ଜରୁ କୁସୁମ ତୋଳିବାକୁ ।୬।

 

(୩୮)

ରାଗ—ଝଝୋଁଟି—ବେହଡ଼ା ଏକତାଳ

 

କରିବା କି ବୁଦ୍ଧି ଶ୍ୟାମ ଜାଣିଲାଣି ପୁଣି ଲୋ ।୦।

ସୁନା ସରୋରୁହ ଲତା ହୋଇବାର କୁସୁମିତା

ସଞ୍ଚାରିବାର ଚଞ୍ଚଳେ ଚଞ୍ଚରିକ ଶ୍ରେଣୀ ଲୋ ।୧।

 

ଖଣ୍ଡରସ ସରସରେ ନ ରସେ ସତ ରସରେ

ଅରୁଚି କରୁଚି ପୀୟୂଷକୁ ମଣି ଲୁଣି ଲୋ ।୨।

 

କିଶୋରୀର ରଦାମ୍ୱର ଧ୍ୟାନେ ପୁଣି ପୀତାମ୍ୱର

ଉପରେ ପକ୍ୱ ବିମ୍ୱର ଚୁମ୍ୱେ ଗଣି ଗଣି ଲୋ ।୩।

 

କୁଚକୁ ଚିତ୍ତାରେ ଧ୍ୟାୟି ଚୁଚକ ଉରେ ଲଗାଇ

ଲୋଚନ ବୁଜୁଛି ପରିରମ୍ଭ ସୁଖ ମଣି ଲୋ ।୪।

 

ନବଲତାକୁ ନିବିଡ଼େ ପ୍ରବଳ ଉନ୍ମାଦେ ଭିଡ଼େ

ପ୍ରାଣେଶ୍ୱରୀ ହା କିଶୋରୀ ! ବୋଲି ହୁଏ ଗୁଣି ଲୋ ।୫।

 

ଆମ୍ଭ ଆଳିର ତ ବେଶ ଉଚିତ ହେଲା ବୟସ

ଧରି ହୃଦେ ମଣ୍ଡିବ କି ହରି ନୀଳମଣି ଲୋ ।୬।

 

ଅଷ୍ଟଦୁର୍ଗ ପୁରନ୍ଦର କହେ ଦୂରୁଁ ଯୋଡ଼ି କର

ଭୀରୁ ମଦ-ଗଜକୁ ତା ଭୂରୁଭଙ୍ଗୀ ଶାଣି ଲୋ ।୭।

 

(୩୯)

ରାଗ—ନଟ—ଝୁଲା

 

କଳାକୁଶଳା ରେ ସତେ କହିଲା କି ସଖି ?

ତୋ ବିନା ମୋ ସ୍ନେହ ଆନେ ଥିଲା ପରି ଦେଖି ।ପଦ।

ନୂତନାମ୍ୱୁଦମଣ୍ଡଳିକି କି ଚାତକାଣ୍ଡଜ ତେଜଇ,

ଭୂତଳେ ସରସୀଜଳେ ନିକି ତା ତୃଷା ଭାଜଇ ।

ସ୍ୱର୍ଣ୍ଣଦୀକୃତଲୀଳ ହଂସ କି କୂପକେଳିକି ସାଜଇ,

ଏକର କି ଆନ ନାରୀ ଚିବୁକେ ବାଜଇ ।୧।

 

ତୋ କୃପାତରୁ ମୋ ମଦୋନ୍ନତି ଶାଖି-ମୌଳି ନ ମାଇଲା,

କୌତୁକେ ରଚିବାର ପାଟବ ମୋ ପରା ଜନ ମାଇଲା ।

ମାନସେ ଅନୁମାନ ସେ ପରିହାସିନୀ ଜନ ମାଇଲା,

ପଙ୍କଜ ବାନ୍ଧବେ ତ କଳଙ୍କ ଜନମାଇଁଲା ।୨।

 

ତଥ୍ୟ ମାନି ଅତଥ୍ୟ ଭାଷି ତ ପୋତନା ମୁଖ୍ୟ ମାନରେ,

ବାହାକୁ ପ୍ରବଳାଇ ଦେ ପରିରମ୍ଭବୈଭବ ଦାନରେ ।

ତୋଷ ମୋ ରସନାକୁ ତୋ ମଧୁରାଧ ମୃତ ପାନରେ,

ରସ ଧନ, ମଦନମର୍ଦ୍ଦନ ବିଧାନ ରେ ।୩।

 

ରସରଙ୍ଗିନୀ ଆସ ସୁନ୍ଦରୀ ହାସକୁନ୍ଦ ବିକାଶରେ,

ବାସବାଶ୍ରୟ ବାସ ଭାଗ୍ୟ ବିଳାସ ଦେ ନ ବିନାଶରେ ।

ଭାସମାନ ଜବାଧରା କି ନିରାଶରେ ନିଜ ଦାସରେ,

ଅନ୍ତରାୟ ନ ରଚ ମୋ ସୁଖାଭିଳାଷରେ ।୪।

 

ଆଧିକାତର ନନ୍ଦନନ୍ଦନ ଚାରୁପାଟବ ବାଣୀରେ,

ରାଧିକା ସୁଗୁଣାଧିକା ସ୍ୱକପୋଳକୁ ନିଜ ପାଣିରେ ।

ଛାଡ଼ିଲେ ରଖିବାର ମାନସମୋହନ ସ୍ମିତ ଠାଣିରେ,

ବନ୍ଦେ ଅଷ୍ଟଦୁର୍ଗନାଥ ଲୁଠି ଧରଣୀରେ ।୫।

 

(୪୦)

ରାଗ—ବିଲାହୋରି—ଝୁଲା

 

କଲା ଭଲା ଅଭିସାର; ଲାଘବ ଏକା ସାର ରେ ।୦।

ସକପଟ ପଟୁ ଚାଟୁରେ କରଇ ସଦୃଶ ଉର ଭୂଷାରେ

ବଞ୍ଚାଇ ନାରୀକି ସାରି ଯା ଦିଅଇ

ଏ ଗୁଣ ବଡ଼ ଅସାର ରେ ।୧।

 

ଦଣ୍ଡକ ରାତିରୁ ଜଗି ଜଗି ହେଲା, ମଣ୍ଡନ ମଣି ତୁଷାର

ପରମ ଡରେ କି କିଶୋରି ପଳାଏ

ଚରମବେଳେ ନିଶାରେ ।୨।

 

ବାସି ହୋଇ କୁନ୍ଦହାସୀ ବେଶ

ଯେବେ ଉଦୟ ହେଲା ପୁଷାର

କି ଚିତ୍ର ବିଚିତ୍ର ବିଳାସନିଧିର

ପ୍ରବଳିବାର ରୁଷାର ରେ ।୩।

 

ଚାଲିବ ଦାଣ୍ଡରେ କାଲି ବରଯୋଷା

କେହି ହୋଇଲାଟି ସାର

ସହିମାରୁ ଡରୁ ନ ଥାଏ ସେ ଟଭାସ୍ତନାର

ଭେଟ ହେଲା ଅସୁସାର

ଏହି ଏକା ପରା ଫଳ ଶ୍ୟାମପଦ

ତଳ ଶରଣପଶାର ରେ ।୫।

 

ସଖୀଙ୍କି କେ ଚନ୍ଦ୍ରମୁଖୀ କହିବାର

ହରି ପ୍ରସଙ୍ଗ ପ୍ରସାର

କରିଛି ହରିଚନ୍ଦନ ଜଗଦ୍ଦେବ

ମୁକୁଟ ତଟମସାର ରେ ।୬।

 

(୪୧)

ରାଗ—କେଦାର, ତାଳ ରୂପକ

 

କହ ରେ ଜୀବସଙ୍ଗିନୀ ! ତୋ ମନ

ଘନଶ୍ୟାମରସେ ବଳିଲା କି ।

ପଦେ ପଦେ ସୁଖଦେବା ପ୍ରେମ

ଲେଖ ମିଳିଲା କି ବାଞ୍ଛା ଫଳିଲା କି ।ପଦ।

ତରଣିଜାକୂଳ, ନୀପମୂଳସ୍ଥଳ, କୁତୂହଳରୋଳ,

ଏ ତୋ ନେତ୍ରାଞ୍ଚଳ, ମୋହନ ବିଗ୍ରହେ,

ଅକପଟ ସ୍ନେହେ, ଢଳିଲା କି ଚିତ୍ତ ଚଳିଲା କି ।୧।

 

ପୁରଦଳନାରି ଅମଳେ ତୁ ଘାରି

ହେଉଥିଲୁ ନାରୀମଣି ମନୋହାରୀ,

ଧଇର୍ଯ୍ୟ ସରୋଜ ବନନୀଳ ଗଜ

ଦଳିଲା କି ତହୁଁ ଲୁଳିଲା କି ।୨।

 

ଅବସର ଦଣ୍ଡକରେ ସେ ଶିଖଣ୍ଡ-ମଣ୍ଡନ

ଅଖଣ୍ଡ ନୟନାନ୍ତ ଦଣ୍ଡ,

ତୋ ମରଜି ବକ୍ର ବସୁନ୍ଧରା

ଚକ୍ର ନଳିଲା କି ସବୁ କଳିଲା କି ।୩।

 

ଏ କି ଚମତ୍କାର, ସେ ତ ସୁକୁମାର,

ଶୃଙ୍ଗାର ମଙ୍ଗଳମୂରତି କିଶୋର,

ତାହା ମନ ମୁନ ତୋ କଠିନ

ସ୍ତନ ଗଳିଲା କି ଏଥୁଁ ବଳିଲା କି ।୪।

 

ରଜତେ ରଜତ ଶାତକୁମ୍ଭେ ଶାତକୁମ୍ଭ

ସିନା ଝଳେ ଜଗତେ ବିଦିତ,

ଜମ୍ୱୁନଦସାର ତଳରେ ମସାର

ଝଳିଲା କି ତାପ ଟଳିଲା କି ।୫।

 

ଜଗଦ୍ଦେବ ବାଲୁକେଶ ବସୁନ୍ଧରା-ବଳୟ

ଅମରପତି ବୋଲେ ତ୍ୱରା,

ଖେଦ-ତମିରକୁ ମୁଦ କଉମୁଦୀ

ଗିଳିଲା କି କାଳ ମିଳିଲା କି ।୬।

 

(୪୧) ପୁରଦଳନାରି ଅମଳେ- କନ୍ଦର୍ପଭୋଳରେ, ନଳିତା- ନଳଦ୍ୱାରା ମାପିଲା; ମସାର- ଇନ୍ଦ୍ରନୀଳମଣି; ଜମ୍ବୁନଦସାର- ସୁବର୍ଣ୍ଣ; ଶାତକୁମ୍ଭ-ସୁବର୍ଣ୍ଣ ।

 

(୪୨)

ରାଗ—ଶ୍ୟାମ କଲ୍ୟାଣ, ଆଡ଼ତାଳ

 

କହ କି ହେଲା, ସହି କି ହେଲା, କପଟ ରୁଷାରେ ।ପଦ।

ନ ଚାହିଁ ପୁଣି ତାଙ୍କ, ଶ୍ରୀମୁଖହରିଣାଙ୍କ,

ସଖୀ ଆଖି ରଖିଲୁ ରସାରେ ।୧।

 

ଛାମୁ ନଜର ମଣି, -ମୟ ମଣ୍ଡନଶ୍ରେଣୀ,

ବୁଣି ଦେଲୁ ପୁଣି ମୃଗଦୃଶା ରେ ।

ଚରଣେ ପୁଣି ଦଳି ପକାଇ ଦେଲୁ

ଚଳି ତୁ ସୁନ୍ଦର କୁସୁମ ଭୂଷାରେ ।୩।

 

ଦେଖି ତୋ ରୁଷା ରୀତି

ଗିରିଧରଙ୍କ ଧୃତି ଥିଲା କି

ହୋଇଲା ଅତି କୃଶାରେ ।

ମୃଦୁ ଶ୍ୟାମଳ ଗୋରା ଝାଉଁଳିଗଲେ

ପରା ହର-ପର-ଶର-ଜ୍ୱର ତୃଷାରେ ।

କରୁ ଏହି କଟାଳ ମଣ୍ଡିଦେଲା କି କାଳ

ପୂର୍ବଦିଗ ପର୍ବତକୁ ପୁଷାରେ ।୬।

 

ଶ୍ରୀ ଜଗଦ୍ଦେବ ବୋଲେ ତେବେ କଲୁ କି ହେଲେ

ବେଳେ ଧରି କୋଳେ ତାଙ୍କୁ ସୁସାରେ ।୭।

 

(୪୨) ଶ୍ରାମୁଖହରିଣାଙ୍କ- ଶ୍ରୀମୁଖଚନ୍ଦ୍ର; ରସା- ପୃଥିବୀ; ଗିରଧର- ଶ୍ରୀକୃଷ୍ଣ; ହରପରଶର- କନ୍ଦର୍ପଶର; ପୂଷା- ସୂର୍ଯ୍ୟ

 

(୪୩)

 

କହ ନାହିଁ କି ପହିଲୁ ତତେ ରେ ।୦।

ନାହିଁ କରେ ଯହିଁକି            ଚାହିଁ କରି ତହିଁକି

ବର ଯୋଷା ନ ରସିଲୁ ହିତେ ରେ ।୧।

 

ବଂଚାଇ ନୀପତରୁ            ନଚାଇବାରୁ ଭୂରୁ

ସଖୀ ତା ନ ରଖିଲୁ ଚିତ୍ତେ ରେ ।୨।

 

ନଗର ଯାକ ହଟା            ନାଗର ପୀତ ଚେପଟା

ତୋ ଲାଗିରେ ଥିଲାକି ବିଭାତେରେ ।୩।

 

କୀର ଖିଆ ବିମ୍ବର            କି ରଖି ଆଡ଼ମ୍ୱର

ଦଶନ ବସନରେ ନିରତେ ରେ ।୪।

 

ତାହା ସଙ୍ଗମେ ଅତି            ସାହସ ନୁହେଁ ନୀତି

ହତ ସତୀ ବ୍ରଜ ଯାହା ସ୍ମିତେ ରେ ।୫।

 

ନିତ୍ୟ ହେବ କି ସ୍ନେହ      ସତ୍ୟ ମୋ ଧନ କହ

ନ ପାରିବୁ ଛପାଇଲେ ମତେ ରେ ।୬।

 

ରାଧା ଏ ଗିରା ଶ୍ଳେଷ      ଘେନି କଲେ ଆଶ୍ଳେଷ

ଅଷ୍ଟ ଦୁର୍ଗନାଥ କହେ ଗୀତେ ରେ ।୭।

 

(୪୩) ବରଯୋଷା- ଶ୍ରେଷ୍ଠ ଯୁବତୀ, ପେଟା- ଲୁଗା, ବିଭାତେରେ- ପ୍ରଭାତରେ, କୀର- ଶୁଆ, ବ୍ରଜ- ବ୍ରଜପୁର ନାରୀ ।

 

(୪୪)

Unknown

ରାଗ—ଜୌନପୁର ତୋଡ଼ି ତାଳ ଆଠତାଳି

 

କହି ନାହିଁ କି ରେ ପହିଲୁ ତୋତେ ମୋ ଚାଲି,

ମହୀମହିଳା ପରି ମୋ ଦୋଷ

ପ୍ରାଣସହୀ ସହିନେବୁ ବୋଲି ।ପଦ।

ନବ ଛଇଳା ରେ ନାହିଁ କି ତୋ

ଦିବ୍ୟ ଅବଧାନେ ତହୁଁ ଲବ,

ପରିରମ୍ଭକାଳେ ଜଣାଇଥିଲି

ଯା ଧରି ତୋ ପାଣିପଲ୍ଲବ । ୧।

 

ଛୁଆଇଁ ନ ଦେଇ ଯେ ଚାରୁ

ଚିବୁକ ନୁଆଇଁ ବସିଛୁ ମଥା,

କି ବନଜନେତ୍ରା ନ ଜାଣୁ ଏ ତ

ମୋ ଜୀବନ ଘେନିବା କଥା ।୨।

 

ଚୁମ୍ୱାଇ ମୋତେ ତୋ ଶ୍ରୀମୁଖ

ମୋ ମୁଖ ଚୁମ୍ୱୁ ପରା ଅନୁରାଗେ,

ଅନା ଥରେ ଏବେ ସଡ଼ିଗଲିନିଟି

ଅନାଥ ପରି ତୋ ଆଗେ ।୩।

 

ବିଧୁବଦନାରେ ଏତିକି ମୋ

ଦୋଷ ନିଧୁବନେ ବାରମ୍ୱାର,

ବସନ ନ ରଖି ପ୍ରତି ଅଙ୍ଗ

ଚୁମ୍ୱି ଦଶନଅଙ୍କ ଦେବାର ।୪।

 

ମୋଷ ହୋଇଯାଏ ଚେତନାର ବନ୍ଧୁ

ତୋ ସଙ୍ଗମେ ମାର ମୋଦେ,

ସାରସରସାରେ ଘେନ ତ ମୁଁ

ଜଗି ପାରଇ କି ପ୍ରତି ପଦେ ।୫।

 

ସାଧାରଣେତର ଶ୍ୟାମଚନ୍ଦ୍ର ଗିର

ରାଧା ପିଅନ୍ତେ ଶ୍ରବଣେ,

ଅଷ୍ଟଭୂତି ପରି ଆଲିଙ୍ଗନ

କଲେ ଅଷ୍ଟଦୁର୍ଗନାଥ ଭଣେ ।୬।

 

(୪୫)

ରାଗ—କାମୋଦୀ

 

କହିବାକୁ ସଙ୍ଗିନୀ ତୋ ଆଗେ

ଲୋ ଲାଜେ ତୋଳି ନୁହ ମଥା ।

ସାଧିବାକୁ ମନ ଥିଲେହେଁ ପ୍ରାଣକୁ

ବାଧିବା ଯାଏ କି କଥା । ଘୋଷା ।

 

ଦେଖୁଛୁ ତ ମିତ ଚୁମ୍ୱିବାର ମର୍ତ୍ତ

ମିଳିନ୍ଦ ସୂନସମାଜ,

ପିଏ କି ବଲ୍ଲରୀ ଗୋଟିଯାକ

ଧରି ଘେନ ତ କି ଲୋକଲାଜ ।୧।

 

ଜଳି ଯାଇଥିବା ଦେବତାଟା ଅବା

ଅଳି କରୁଥାଏ କେତେ,

ବଳି ଦେବାକୁ କି ତାକୁ ଏତେ

ସରି ଦଳି ଦେଉଥାନ୍ତି ମୋତେ ।୨।

 

କଞ୍ଜମଞ୍ଜରୀରେ କୁଞ୍ଜରର ହେଲେ

କିଛି ଅନୁରାଗ ଥିବ,

ଅଞ୍ଜନନିଭର କୁଞ୍ଜ କଲଭର

ଚିତ୍ତେ ନାହିଁ କୃପା ଲବ ।୩।

 

ରଖ ରଖ ବୋଲୁ ବୋଲୁ କି ଖର

ସେ ନଖର ଶିଖର କେଳି,

ନୁହଇ ମୋ ଦେହ ଅଳପ ତଳପ

ତଳକୁ ଛୁଇଁବା ଭଳି ।୪।

 

ଯେ ଚରଣ ଧରି ଜଣାଉ ଏପରି

ଆଚରଣ ପରିପାକ,

ପୁଣି କି ଭଙ୍ଗୀରେ ନବନୀତାଙ୍ଗୀ ରେ

ବୋଲି ପଡ଼ୁଥାଏ ଡାକ ।୫।

 

କହି ଏ ରୂପରେ ପ୍ରଣୟ

କୋପରେ ପୂରାଇ ସୁଖ ସୁକେଶୀ,

ଛପି ଶୁଣୁଥିଲେ ତାପିଞ୍ଚ-ଶ୍ୟାମଳଚ୍ଛବି-

ଦେଲେ ଉଚ୍ଚେ ହସି ।୬।

 

ସେ ସରସ ପଳାଉଣୀ ବେଳ

ବଳାକଳାପକିଙ୍କିଣୀ ରବ,

ଧ୍ୟାନେ ଜ୍ଞାନେ ସେବି କି ସୁଖାନୁଭବୀ

ହେବେ ନୃପ ଜଗଦ୍ଦେବ ।୭।

 

(୪୫) ମିଳିନ୍ଦ- ଭ୍ରମର, ସୂନସମାଜ- ପୁଷ୍ପସମୂହ; ବଲ୍ଲରୀ- ଲତା; କଞ୍ଜମମଞ୍ଜରୀ- ପଦ୍ମକଢ଼ି; କୁଞ୍ଜର- ହାତୀ; ନଖର- ନଖ; ତାପିଞ୍ଛ ଶ୍ୟାମଳ- ତମାଳ ପରି ଶ୍ୟାମବର୍ଣ୍ଣ ଶ୍ରୀକୃଷ୍ଣ ।

 

(୪୬)

କହି ମହତ୍ତ୍ୱ ସିନା ସରିବ ଗୋ

ଆଉ କି ସହୀ ସହି କରିବ ଗୋ ।୦।

ଶ୍ୟାମ ଗୁଣ ପରଖି

ଚିତ୍ତ ଭିତରେ ସଖୀ

ରଖିଲାନି କିପରି ଭରିବ ଗୋ

ମିଶି ଗଲାନି କ୍ଷୀର

ଭାଣ୍ଡରେ ଯେବେ କ୍ଷୀର

ଛାଣି କେ ସ୍ୱାଦୁ କରି ପାରିବ ଗୋ ।୧।

ଦେଲାଣି ସ୍ନେହ ଭାଙ୍ଗି

ଶ୍ୟାମଠାରୁ ଶୋଭାଙ୍ଗୀ

ତା ବୋଲ ଆଉ ସେ କି କରିବ ଗୋ

ଛେଦି ପାଦକ ମୂଳ

ଛିଞ୍ଚିଲେ ତହିଁ ଜଳ

ନବ ପଲ୍ଲବ ସେ କି ଧରିବ ଗୋ ।୨।

ବିଶାଖା ସହଚରୀ

ଗଲାନି ତ ଓହରି

ଆଉ କେ ସାହସକୁ କରିବ ଗୋ

ଗଲାଣି ଯେବେ ଦିବା-

କାଳ ରଥାଙ୍ଗ ଯୁବା

କାମ ତାପ କେ ହରି ପାରିବ ଗୋ ।୩।

ଗଲା ତ ସରି ଅନୁ-

ରାଗ ନାଗରୀ ମନୁ

ଶ୍ୟାମ କଟାକ୍ଷ କିସ କରିବ ଗୋ

ସରିଗଲା ତ୍ରିଯାମା

ଏବେଟି ସେ ଚନ୍ଦ୍ରମା

ଆଉ କି ତତ୍ତ୍ୱ କରିପାରିବ ଗୋ ।୪।

ଅଷ୍ଟଦୁର୍ଗ ଅବନୀ-

ପତି ବୋଲେ ସଜନୀ

ଆଉ କେ ଶ୍ୟାମ ଦୁଃଖ ହରିବ ଗୋ

ପ୍ରାଣ ଦେବାକୁ ଲାଞ୍ଚ

କଲାଣି ଦେବ ପାଞ୍ଚ

ପଞ୍ଚବାଣକୁ ସେ କି ଡରିବ ଗୋ ।୫।

(୪୬) ସହି କରିବ- ସ୍ୱୀକାର କରିବ, ରଥାଙ୍ଗ-ଚକ୍ରବାକ, ତ୍ରିଯାମା-ରାତି, ପଞ୍ଚବାଣକୁ-କନ୍ଦର୍ପ

 

(୪୭)

 

କା ମନେ ଥିଲା ଏ କଥା ଗୋ,

ଶ୍ୟାମ ଅଙ୍ଗସଙ୍ଗ ହେବ ଅନ୍ୟଥା ଗୋ ।ପଦ।

ସ୍ୱପ୍ନ ହୋଇବ ଶିଖଣ୍ଡମଣ୍ଡନ,

ନୋହିବ ନେତ୍ର ବିପଦଖଣ୍ଡନ ଗୋ ।୧।

 

ସସ୍ମିତ କୋମଳ ସରସ ଭାଷା,

ଶୁଣିବେ ମଥୁରା ନଗର ଯୋଷା ଗୋ ।୨।

 

ପଙ୍କଜବାସିନୀ ପ୍ରିୟା ଯାର ସେ,

ମଜ୍ଜିଯିବ ବୋଲି କୁଜୀଟା ପାଶେ ଗୋ ।୩।

 

ଭାଜି ହେଉଥିବ କାମ ଦହନେ,

ରାଜୀବ ପଦ ନ ଲଦିବା ସ୍ତନେ ଗୋ ।୪।

 

କସ୍ତୂରୀମିଶା ନୀଳୋତ୍ପଳ ବାସ,

ବ୍ରଜମଣ୍ଡଳେ ହେବ ଇତିହାସ ଗୋ ।୫।

 

ସ୍ମରଜ୍ୱର ଶୋଷେ ଜୀବନ ଯିବ,

ମଧୁରାଧର କୋକେ ନ ମିଳିବ ଗୋ।୬।

 

କେ ଜାଣିଥିଲା ଏ ଦଣ୍ଡ ପହିଲେ,

ଅଷ୍ଟଦୁର୍ଗ ନରନାଥ କହିଲେ ଗୋ ।୭।

 

(୪୮)

ରାଗ—ତୋଡ଼ି ଜଙ୍ଗଲା, ଆଦିତାଳ

 

କା ମନେ ଥିଲା ବନ୍ଧୁ ଏ କଥା ଗୋ

କଳା ଅଙ୍ଗ ସଙ୍ଗ ହେବ ଅନ୍ୟଥା ଗୋ ।ପଦ।

ସଜ୍ଜିତ ମୃଦୁଳ ସରସ ଭାଷା

ଶୁଣିବେ ମଧୁରାନଗରୀ ଯୋଷା ଗୋ ।୧।

 

ସ୍ୱପ୍ନ ହୋଇବ ଶିଖଣ୍ଡ ମଣ୍ଡନ

ନୋହିବ ନେତ୍ର କିପରି ଖଣ୍ଡନ ଗୋ ।୨।

 

କସ୍ତୂରୀ ନୀଳୋତ୍ପଳ ମିଶା ବାସ

ବ୍ରଜମଣ୍ଡଳେ ହେବ ଇତିହାସ ଗୋ ।୩।

 

ପଙ୍କଜବାସିନୀ ଦାସୀ ଯା ରସେ

ମଜ୍ଜିଯିବେ ବୋଲି କୁବ୍‌ଜୀଟା ରସେ ଗୋ ।୪।

 

ସ୍ମର ଜ୍ୱରେଶେଷେ ଜୀବନ ଯିବ

ମଧୁରାଧର ଢୋକେ ନ ମିଳିବ ଗୋ ।୫।

 

ଭାଜି ହେଉଥିବା କାମ ଦହନେ

ରାଜୀବ ପଦ ନ ଲଦିବା ସ୍ତନେ ଗୋ ।୬।

 

କେ ଜାଣିଥିଲା ଏ ଦଣ୍ଡ ପହିଲେ

ଅଷ୍ଟଦୁର୍ଗ ଧରାଧୀଶ କହିଲେ ଗୋ ।୭।

 

(୪୯)

ରାଗ—ଇମନ କଲ୍ୟାଣ, ଆଠତାଳି

କାଳିନ୍ଦୀକୂଳକୁ ମୋର ସଙ୍ଖାଳି ନ ଯା ରେ ।ପଦ।

ଯା ଶିରେ ଚନ୍ଦ୍ରିକାଚୂଳ, ରଙ୍ଗସ୍ଥଳ ନୀପମୂଳ,

ତା ନୟନ ଅଞ୍ଚଳଟି ଜ୍ଞାନହଜା ରେ ।୧।

ନବ ଯୁବତୀଙ୍କ ଜାତି, ନେବ ବୋଲି କେତେ ଜାତି,

ସୁଆଗ ଜାଣଇ ସେ ନାଟୁଆ ରଜା ରେ ।୨।

ଜାମ୍ୱୁନଦଘଟେ ବାରି, ଆଣନ୍ତୁ ତୋ ପରିବାରୀ,

କୂପ ଉପକଣ୍ଠେ ଶ୍ରୀଅଙ୍ଗକୁ ମଜ୍ଜା ରେ ।୩।

ଏହି ପୁରେ ତୋ କାମନା, ଭରତି ହୋଇବ ସିନା,

ଶ୍ୟାମ ଅଙ୍ଗସଙ୍ଗ ଡର ଥିଲେ ମଜ୍ଜାରେ ।୪।

ତା ବେଣୁନିସ୍ୱନ ଦୂରୁ, ଜନମାଉଛି ଦେହରୁ,

ନୀପଫୁଲ ପରିରେ ପୁଲକଗଜା ରେ ।୫।

ନ ଛପାଅ ମନ ଥିଲେ, ବନ୍ଦି କବିରବି ବୋଲେ,

ସୁଖେ ବ୍ରଜମଣ୍ଡଳେ ଡିଣ୍ଡିମ ବଜା ରେ ।୬।

 

(୫୦)

ରାଗ—ଶାବେରୀ, ଆଠତାଳି

 

କାହା ପ୍ରୀତିରେ, ମଜ୍ଜି ରହିଲେ ସଜନି !

ଆଜ ରଜନୀରେ ।ପଦ।

ବାସ କୁସୁମ ମଣ୍ଡାଇ ବାସେ

—ବାସ ତାମ୍ୱୁଳ ଭାଙ୍ଗି ହରଷେ

ରତ୍ନଦୀପ ଜାଳି ଚଉପାଶେ

ଶେଯ ସଜାଇଲି ପାଖୁଡ଼ା ସେବତୀରେ ।୧।

 

ମୁଁ ହୋଇଥିଲି ଦିବ୍ୟବେଶ

—ଚାହୁଁ ଚାହୁଁ ନିଶୀ ହେଲା ଶେଷ,

ସେ କି ମୋ ଠାରୁ ଅଟେ ସୁରସ

କେଡ଼େ ମହାପାତକୀ ମୁଁ ଏହି ଧରିତ୍ରୀରେ ।୨।

 

ମୁଁ ଯେ କରିଥିଲି କେଡ଼େ ଆଶା,

ପାଇଁ କେଉଁ ରମଣୀ ଭରସା

ବୃଥା ହୋଇଗଲା ମୋର ଆଶା

ଭୃଙ୍ଗ ପରାୟେ ପର-ପୁରୁଷଙ୍କ ମତି ରେ ।୩।

 

ରାମଚନ୍ଦ୍ର ଛୋଟରାୟ କହେ,

ଯାହା ହୋଇଗଲା ସେ ସମୟେ

ଶେଷମୁଖେ ଆଉ କହି ନୁହେ

ଆଣିଦେବି ବ୍ରଜରାଜ କିଶୋର ରାତ୍ରିରେ ।୪।

 

(୫୧)

ରାଗ—ମୁଖାରୀ—ଆଠତାଳି

 

କାହିଁକି ଆଜ ସୁନ୍ଦର କାନ୍ଦ

ମଲି ମୁଁ ଆହା ମୋ ଶ୍ୟାମଳ ଚାନ୍ଦ ।୦।

 

ସଜଳ ଦିଶୁଛି ନେତ୍ରାରବିନ୍ଦ,

ଅରୁଚି ଦନ୍ତବାସ କୁରୁବିନ୍ଦ ।୧।

 

କେ କଲା ତୁମ୍ଭ ତୁଲେ କଳି ଦ୍ୱନ୍ଦ

କହ କରିଦେବା ସେବା ବାସନ୍ଦ ।୨।

 

ଆହା ମୋର ମନ ନୟନାନନ୍ଦ,

ଚଳି ହେଲେ କି ତୁମ୍ଭ ତାତ ନନ୍ଦ ।୩।

 

ଅଳିରେ କରୁ ଗୃହକୃତ୍ୟ ବନ୍ଦ

ଧନ ବିନା ମୁଁ ନ ବୋଲେ ଗୋବିନ୍ଦ, ।୪।

 

ଆ’ ମୋ ଚାନ୍ଦ ହସ ମନ୍ଦ ମନ୍ଦ

ଦେବି ନବନୀତ ମିଶାଇ କନ୍ଦ ।୫।

 

ପାଇ ତୋହ କୃପା ସୁଧା-ନିସ୍ୟନ୍ଦ,

ହେଉ ବାଲୁକେଶ ଦେଉ ପସନ୍ଦ ।୬।

 

(୫୨)

ରାଗ—କଲ୍ୟାଣ—ଆଦିତାଳ

 

କାହିଁକି ନଇଲେ ଶ୍ୟାମ ଏ ଯାମିନୀ ସଖି ରେ ।୦।

ମଣ୍ଡନ କେଳିବାସରେ ଥିଲି ତୋଷରେ

ଖଣ୍ଡନ କଲେ ମୋ ସୁଖ ନ ଆସି ମାତି କା ପୁରେ ।୧।

 

ଉଲ୍ଲାସେ ମୁଁ ବସିଥିଲି ଦିବ୍ୟ ବେଶରେ, ସଖି ରେ,

ଭଲା ସେ ନାଗରବର ବିହିଲେ ସନ୍ତାପ ମୋରେ ।୨।

 

ରଜନୀକର ମିଶାଇ ଗନ୍ଧସାରରେ, ସଖି ରେ,

ସଜାଇ ମୁଁ ରଖିଥିଲି ଆସିବେ ବୋଲି ମୋ ପୁରେ ।୩।

 

ଶେଯାଇ ଫୁଲ ଶେଯରେ ଥିଲି ତୋଷରେ, ସଖି ରେ,

ମଜ୍ଜାଇ ତୁ ନ ଆଣିଲେ ଜୀବ ଯିବ ମାର ଶରେ ।୪।

 

ଆଣ ଯା ବେନୁପାଣୀଙ୍କି ଶ୍ରୀମତିଙ୍କ ରେ, ସଖିରେ,

ଭଣେ ରାମଚନ୍ଦ୍ର ଦେବ କୃଷ୍ଣଙ୍କୁ ଗୁଣି ମନରେ ।୫।

 

(୫୩)

ରାଗ—ପୁରକଲ୍ୟାଣ, ଏକତାଳି

 

କାହିଁକି ମା କାହିଁକି ଗୋ,

କାହିଁକି ସେ ଚାହିଁ ରହିଲେ ମୋତେ ଆଜ ।୦।

 

ନ ଥିଲି ମୁଁ ଏକା ଜଣେ, ଥିଲା ତ ମୋର ଗହଣେ

ରସ ରୂପବତୀଙ୍କ ସମାଜ ।୧।

 

ମୋ ପ୍ରିୟ ସଖୀ ବୋଲାଇ, ପ୍ରିୟ ବଚନେ ଭୁଲାଇ

ଆଚରିଛି କି ଗୋ କିଛି ବ୍ୟାଜ ।୨।

 

ମୁଁ ପରାଧୀନା ଯୁବତୀ, କୁଳ—ଶୀଳ—ଲାଜବତୀ

ମୁଁ କେ, କେ ସେ ବ୍ରଜ ଯୁବରାଜ ।୩।

 

ଜନ ବଦନେ କେ ହାତ, ଦେବ ହେବ ଏଥୁଁ ଖ୍ୟାତ

ପ୍ରୀତି ହେଲା ପରା ଏ ନିଆଜ ।୪।

 

ଜଗଦ୍ଦେବ ବୋଲେ ଗୀତେ, ତେତିକି ବେଳରୁ ମୋତେ

ବୁଡ଼ାଇ ଦେଉଛି ବଡ଼ ଲାଜ ।୫।

 

(୫୪)

ରାଗ—ବେଗଡ଼ା—ଏକତାଳି

 

କାହିଁକି ଲପନ ଇନ୍ଦୁ ଶୁଖାଇଛୁ ରସସିନ୍ଧୁ,

କହ ମୋ ପରାଣବନ୍ଧୁ ରେ ।୦।

 

ତୁ ପରା ମୋ ଗଳାମାଳା ପୀରତି-ପଦ ଶୃଙ୍ଖଳା

ନଳୀନାକ୍ଷି ପ୍ରେମଶାଳା ଅପରାଧ ବିନା ବାଳା ।୧।

 

ବାଳିକାମଣି ମଉନ ବରଜି ରଙ୍କ ରତନ

ଅରଜି ଗୁମାନ ଧନ ସରଜି ଏକା ମଉନ ।୨।

 

ନବୀନ ତମାଳ କେଶୀ ସବିନୟ ମୃଦୁଭାଷୀ

କି ମନାସୀ ଦରହାସୀ ବିମନା ରତି ଲାଳସୀ ।୩।

 

ତରୁଣାଙ୍ଗୀ ପ୍ରିୟ ସହି, ଅରୁଣାଧରୀ ସୁସ୍ନେହୀ

କରୁଣା ଅପାଙ୍ଗ ଫେଇ ଶରଣାଗତେ ନ ଚାହିଁ

ଦ୍ୱିଜ କବିରବି ଭାଷେ ଗଜପତି ବାହୁପାଶେ

ବାନ୍ଧିବା ଉଚିତ ଦାସେ ବ୍ରଜରମଣୀ ନିର୍ଦ୍ଧୋଷେ ।୫।

 

(୫୫)

ରାଗ—ଖମ୍ୱାଜ—ଏକତାଳି

 

କାହିଁରେ ମନ ନାହିଁଟି ହେ ମୋହନ,

ଚାହିବାବେଳକୁ ଏ ପାଣି ।୦।

 

ଆଣିଲ କିପରି ତା ମନ-ସଫରି

ନେତ୍ରାନ୍ତ ବଡ଼ୀଶେ ଟାଣି ।୧।

 

ସେହି କାଳଟାକି ସ୍ମର ପୀଡ଼ିଲା

କି ରଖିଥିବା ଶର ଶାଣି ।୨।

 

ଆଜଯାଏ ରାଧା ନେତ୍ରପ୍ରତି ବାଧା

ପାରି ନ ଥିଲାଟି ଜାଣି ।୩।

 

ମୁଁ କାହା ଆୟତ୍ତ ନୁହଇ ରେ ମିତ

ବୋଲି ଯେ ହୁଏ ବଖାଣି ।୪।

 

ସ୍ୱମନୋରଥର ପୂରଣ ଏଥର

କରିଦିଅ ରସ ଛାଣି ।୫।

 

ପ୍ରବଳିଲା ନନ୍ଦ ସୁତଙ୍କ ଆନନ୍ଦ

ଶୁଣି ଲଳିତାଙ୍କ ବାଣୀ ।୬।

 

ଅଷ୍ଟଦୁର୍ଗ-ପତି ଦେଲେ

ହରିସ୍ତୁତି-ଖଡ଼ଗେ ଦୁରିତ ହାଣି ।୭।

 

(୫୬)

ରାଗ—କାମୋଦୀ, ତାଳ—ଏକତାଳି

 

କାହିଁରେ ମନ ସହି, ପ୍ରସନ୍ନ ହେଉ ନାହିଁ,

ଏଥିରେ କହ ମୋର ଗତିକି ରେ;

କି କରି ଅରଜିବି, କି କରି ବରଜିବି,

ସେ ନବ ଘନଶ୍ୟାମ ପ୍ରୀତିକି ରେ ।ପଦ।

 

ଯୁଗଠାରୁ ଅଧିକ ହୋଇଲାନି ପଲକ,

କେମନ୍ତେ ସମ୍ଭାଳିବି ଧୃତିକି ରେ ।

ତ୍ରିଭୁବନମୋହନ ବିଷମ ବଂଶୀସ୍ୱନ

କାହୁଁ ଚୁମ୍ୱିଲା ମୋର ଶ୍ରୁତିକି ରେ ।୧।

 

ଇନ୍ଦ୍ରନୀଳକପାଟପୁଟରୁଚି ସେ

ନଟବର ମୁକୁଟମଣି ଛାତିକି ରେ

ମାସସେ ଭାବି ଭାବି କ୍ରମେ କି ଛାଡ଼ି

ଦେବି କୁଳବରତ ଜାତିନୀତିକି ଗୋ ।୨।

 

ଗରଳ ଗିଳି ଅବା ରବିବନ୍ଦନା

ସେବା-ବିଧିରେ ବଳାଇବି ମତିକି ଗୋ ।

ଅବା ଶ୍ୟାମ ସଙ୍ଗତି ଲଭି ସୁଭାଗ୍ୟବତୀ

ମଣ୍ଡଳେ ଟେକାଇବି ଛତିକି ଗୋ ।୩।

 

ନିକୁଞ୍ଜେ ସତେ ବେଳେ ଘେନି ବସିବି

କୋଳେ ସେ ନବକିଶୋର ମୂରତିକି ଗୋ ।

ପରତେ ନାହିଁ ମୋର କରତେ ମଦନର

ବସି ପାରିବି କି ବରତିକି ଗୋ ।୪।

 

କହେ ଶ୍ରୀ ଛୋଟରାୟ ନୃପତି

କୁବଳୟନେତ୍ରେ ଲପନ-ନିଶାପତିକି ଗୋ ।

ଦେଖାଇ ଦେଇ ଥରେ ଏବେ ଭାଗ୍ୟପଥରେ

ପକାଇ ନେବେ ଅକୀରତିକି ଗୋ ।୫।

 

(୫୬) ଇନ୍ଦ୍ରନୀଳକପାଟ ପୁଟରୁଚି-ଇନ୍ଦ୍ରନୀଳ ମଣିରେ ତିଆରି ହୋଇଥିବା କବାଟ,ରବିବନ୍ଦନା-ଯମୁନା,ଗରଳ-ବିଷ,

କରତେ-କରତ ନାମକ ଅସ୍ତ୍ରରେ,କୁବଳୟ-ନୀଳପଦ୍ମ,ଲପନ-ମୁଖ, ଲପନନିଶାପତିକି-ଚନ୍ଦ୍ରମୁଖକୁ ।

 

(୫୭)

 

କି ଘେନି ମନେ ରୁଷୁଥାଇ ମତେ ଦିନେ ଦିନେ (ପଦ)

ମୋ ସମ୍ପତ୍ତି ପରା ତୁହି      ରୋଷ କାହିଁକି ରେ ସହୀ

ଦୋଷ ତ ମୁଁ କରି ନାହିଁ ଧ୍ୟାନେ ।୧।

 

କା ଲାଗି ନିଜ ବେଦନା      ମୋ ଲାଘବ ଧନ ବିନା

ଥିଲା ପରି ଅନାଉଣି ଆନେ ।୨।

 

ଆରେ ମୋ ଜୀବର ଧନ      ବାରେ ତୋଷ ମୋର ମନ

କାଲି ପରି ଆଲିଙ୍ଗନ ଦାନେ ।୩।

 

ରେ ପ୍ରଣୟବତୀ ଝରା      ତୁ ପ୍ରମୋଦେ ଫୁଲୁ ପରା

ମୋ ପ୍ରଶଂସା ପଡ଼ିଗଲେ କାନେ ।୪।

 

ଦଣ୍ଡ ହେଲାଟି କଳପ      ମଣ୍ଡ ମୋ ଅଙ୍ଗ ତଳପ

ଖଣ୍ଡ ତୁଲ୍ୟାଧରୁ ଦେଇ ପାନେ ।୫।

 

ଅଷ୍ଟଦୁର୍ଗ ନାଥ ଭାଷେ      କପଟେ ଶ୍ରୀମତୀ ରସେ

କୃପା କଲେ ବିହର ତୁ ଯାନେ ।୬।

 

(୫୮)

ରାଗ—କରୁଣା ଶ୍ରୀ

 

କାହୁଁ କି ହେଲା ? କେ କି କହିଲା ରେ ?

ମହିଳା ମୋ’ ଠାରେ ‘ହେଳା’ ଥୋଇଲା ରେ ! ।୦।

 

ଥିଲେ ମୁଁ ଯାହାର ପାଖେ, ରସେ ନିଜେ ସ୍ୱର୍ଗ ସୁଖେ,

‘ସେ’ ମୁଠା ଲୁଆଇଁ ଦୁଃଖେ ରହିଲା ରେ ! ।୧।

 

ମୋ’ର କି ‘ଭାଗ୍ୟ-ବିଭବ-କୁସୁମ ବଲ୍ଲୀ ପଲ୍ଲବ’

କିଶୋରୀ ‘ଗୁମାନ-ଦାବ’ ଦହିଲା ରେ !! ।୨।

 

ପରାଣୁଁ ଅଧିକ ସ୍ନେହ ପରମ୍ପରା ଅନୁଗ୍ରହ

ପାସୋରି ଦେଲା; ଏ ଦେହ ସହିଲା ରେ ! ।୩।

 

କି କି ମୋ’ ନାମରେ କହି, କେ କଲା ଭାଗ୍ୟ ବିରହୀ,

ତା’କୁ ଏ ବସୁଧା କେହି ବହିଲା ରେ ? ।୪।

 

ଏପରି ଶ୍ରୀ ରାଧା ମାନେ ‘ହରି’ ଘେନିବାର ଧ୍ୟାନେ

‘ଅଷ୍ଟଦୁର୍ଗ ନାଥ’ ମନେ ଗାଇଲା ରେ ! ।୫।

 

(୫୮) ‘ହେଳା’ ଥୋଇଲା-ଅଶ୍ରଦ୍ଧା ଦେଖାଇଲା, ‘ଗୁମାନଦାବ’-ଅଭିମାନ ରୂପକ ଅଗ୍ନି, କେହି-କିପରି,ମାନେ- ଅଭିମାନକୁ ।

 

(୫୯)

ରାଗ—ପୂରବୀ—ଆଠତାଳି

 

କିଣା ପରା ନିକୁଞ୍ଜ-ବିଳାସୀ, ରେ ବୀଣାଭାଷୀ ।୦।

ବାମନୟନା ରେ, କଲୁ କି ନିରାଶ

ଶ୍ୟାମ ଶ୍ରୀମୁଖେ ତ ନାହିଁ ଆଉ ହାସ

ଝାମ ନ ଯାଉ ସେ ଏବେ ରଦବାସ,

ଚଖାଇ କର ଉଲ୍ଲାସୀ ରେ ।୧।

 

କଳନା କର ତ କି ଅପରାଧରେ,

ଲଳନାମଣି ବଳନା ଏ ବିଧିରେ

ଜଳଜାକ୍ଷ ଚାଲ ଚାଲ ତୁ ସଧୀରେ,

ଦରହାସ ପରକାଶି ରେ ।୨।

 

କାହିଁ ଛପିଅଛି ମୂରଲୀ ବାଜଣା,

ନାହିଁଟି ଆଜ ତ ଶ୍ରୀଅଙ୍ଗ ମାଜଣା

ଚାହାଁ ସହିଅଛି ସହି ! ତୋ କରୁଣା,

ବୀଣାଜଣା ମୃଦୁଭାଷୀ ରେ ।୩।

 

ଭଣେ କବିରବି ଶୁଣ ଏ କପଟ,

କ୍ଷଣେ ବରାକ୍ଷୀ କର କୃପା ପ୍ରକଟ

ଜଣେ ତ ଅଟେ ସେ ନାଟୁଆମୁକୁଟ,

ତା’ ଚରଣତଳେ ଦାସୀରେ ।୪।

 

(୬୦)

 

କି ନ କରେ ପ୍ରେମରୀତି ରେ, ସଜନି ।

ସେ ଶ୍ୟାମ ଅନୁସରଣେ ସଖି ମୋର

ହେଉଛି ଯେତେ ଅନୀତି ରେ । ଘୋଷା ।

 

ଶିରୀଷ କୁସୁମ ତାଡ଼ନରେ ସହୀ

ମେଳେ ଯେ ମୋହକୁ ଯାଇ,

ସେ କରକାମିଶା ପ୍ରଖର ବରଷା

ସହି ତୋରା ତୋରା ଯାଇ ।୧।

 

ଉଠେ ଯେ ସଜନୀ କରେ କର

ଦେଇ ଦେହଳି ଲଙ୍ଘିବା ପାଇଁ,

ସେ କଣ୍ଟା ଅବାଟ ନିଗଡ଼ ନିପଟ

ନ ମାନି ସଙ୍କେତେ ଯାଇ ।୨।

 

ଦିବସେ ଯେ ଡରେ ସହଚରୀ

ମେଳେ ତମଧାମେ ନ ପଶଇ,

ସେ ବିଜୁଳୀ ଦେଖା ହୋଇଣ

ଅଶାଖା ନିତି ବୃନ୍ଦାବନେ ଧାଇଁ ।୩।

 

ଭିତ୍ତିରେ ଚିତ୍ରରେ ଲେଖା ଉରଗରେ

ଭୟେ ଯେ ନ ଦିଏ ପାଣି,

ସେ ଶାଢ଼ୀ ଶେଷରେ ତନୁ ଛପାଉଛି

ଫଣିମଣି ତେଜ ଜାଣି ରେ ।୪।

 

କବିରବି ବୋଲେ ସେ ମୋହନଛବି

ଯେ ଦେଖେ ନୟନ ଭୁଲେ,

କହିଲେ କି ବାଳୀ ମାନିବ ଏ କଥା

ବୃଥା ହେବ କଥା ତୁଲେ ।୫।

 

(୬୦)କରକା-କୁଆପଥର,ଦେହଳି-ଏରୁଣ୍ଡିବନ୍ଧ,ଦ୍ୱାରବନ୍ଧ

 

(୬୧)

ରାଗ—ବାହାର—ଝୁଲା

 

କି ଭଙ୍ଗୀରେ ଆଇଲା ରେ ନୂଆ ଛଇଳା ।୦।

ମୋ ଧନ ରଙ୍ଗେ ମଦନସଙ୍ଗେ

ଲଢ଼ିବା ଛଡ଼ିଯାକ ଧଇଲା ।୧।

 

ତାହା ମାଧୁରୀ ସୁଧା ନିର୍ଝରୀ

ନେତ୍ରେ ପାତକ ଫଳ ଧୋଇଲା ।୨।

 

ମୋ ମନ ଚୋରି କରି କିଶୋରୀ

ସ୍ତନ କନକ ଘଟେ ଥୋଇଲା ।୩।

 

ବନ୍ଧୁଆ ମୋର କେଡ଼େ ସୁନ୍ଦର

ଶ୍ରୁତି ମଣ୍ଡନ ଦୋହଲାଇଲା ।୪।

 

ସରସ ସ୍ମିତ ସୁଷମାରୁ ତ

ଚନ୍ଦ୍ରମା ଛବିକି ଛପାଇଲା ।୫।

 

ସେ କୃଶକଟୀ କଟୀରେ ରଟି

କିଙ୍କିଣିକି କିଣି ପକାଇଲା ।୬।

 

ଅଷ୍ଟଦୁର୍ଗେଶ ରଚିବା ରସ

କୃଷ୍ଣଚରଣକୁ ତକାଇଲା ।୭।

 

(୬୨)

ରାଗ—ଶଙ୍କରାଭରଣ-ଆଦିତାଳ

 

କି ରେ ବିପଞ୍ଚିବାଣୀ,

ବଞ୍ଚାଇଲୁ ମୋର ଦୋଷ ଜାଣି ରେ ।୦।

ସଞ୍ଚରିଲି କି ବିନା ନିର୍ଦ୍ଦେଶରେ ।୦।

 

ମଞ୍ଚରେ କାହାକୁ ଦେଖି      ଚଞ୍ଚଳ କଲିକି ଆଖି

ଅଞ୍ଚଳକୁ ରସିଲି କି ବିଦେଶରେ ।୧।

 

ଚଞ୍ଚରୀକ ପରି କି ମୁଁ ହେଲି ଲୋଳ,

ପଞ୍ଚମ ପଞ୍ଚମାର୍ଗଣାକ୍ଷୀରେ,       ଦୁର୍ଗୁଣ ନ ଦେଖି

ହୋଇଲୁ କି ଅବା ସୁଖେ ପ୍ରତିକୂଳ ।୨।

 

ମନମଥ ମଦଲାଗି ହୃଷ୍ଟ ମୋର,

କେତେବେଳେ ରଖେ ଜ୍ଞାନ      ଜ୍ଞାନ ନ ଥିବା ଦଶନ

ବସନେ କଲେ କି ରଦବ୍ରଣ ତୋର ।୩।

 

କୁଚ ଯୁଗଳ ତ କଲୁ ଗିରିଗରୁ,

ଏକା ନୁହେଁ ଆଲିଙ୍ଗନ      ଧରିବାରୁ ତ ବିଧାନ

ଲାଗିଥିବ ନଖ ମୂନ ଧରୁ ଧରୁ ।୪।

 

ନ ଜାଣେ ନଜିକେ ଥିଲା ସଖୀ ତୋର

ଖସାଇ ନିତମ୍ୱବିମ୍ୱ            ଅମ୍ବର ରଚିଲି ଚୁମ୍ୱ

ଏହିକି ରେ ଦୋଷ ବିମ୍ୱଓଷ୍ଠୀ ମୋର ।୫।

 

ବ୍ରଜବନ୍ଧୁ ଚାଟୁବାଣୀ ବିଳସିଲେ,

ହସି ହାରତୁଲେ ଅଙ୍ଗି-      କାର କଲେ ଗଉରାଙ୍ଗୀ

ଅଷ୍ଟଦୁର୍ଗ ପୁରନ୍ଦର ବୋଲେ ।୬।

 

(୬୩)

ରାଗ—ପଞ୍ଚମ ବିରାଡ଼ି—ଆଠତାଳି

 

କିଶୋରୀମଣିଙ୍କି ମନ—ମାନରୁ ହେବାରୁ ମ୍ଳାନ

ମୋହନ ମୂରଲୀପାଣି ଜାଣି ।

ମୁଞ୍ଚି ଅବିଳମ୍ୱେ ରୁଷା—ହେବାପରି ଅଙ୍କଭୂଷା

କହନ୍ତି ସାକୁତ ଚାଟୁବାଣୀ

ରେ ମୃଦୁଳାଙ୍ଗୀ;

ନଉକରି କରିବାର ଦାସ—ନିତି ନିତି କରୁଥାଏ ଦୋଷ

ପ୍ରଭୁ ଯେବେ କରେ କ୍ଷମା—ପ୍ରସରଇ ନିରୁପମା-

ମୃତ-କର-ବରାବର ଯଶ ।୧।

 

ଦିବାରତ ଆଚରଣେ—କିବା ବ୍ରତ ନିଷ୍ଠା ରାଣେ

ନିବାରିବାରୁ କି ଘେନି କାହୁଁ

ଅନାଇଲା ପରି ବିଶ୍ୱମ୍ଭରାକୁ ଦୁର୍ଗୁଣ ନିଃସ୍ୱ

ବିଶ୍ୱାସୀ ଜନକୁ ଚାହୁଁ ଚାହୁଁ

ରେ ରସାଳସା,

ଦଣ୍ଡିବୁ ତୁ ଅବଶ୍ୟ ମୁଁ ଜାଣେ—ନ ଦଣ୍ଡ ମାତ୍ରକ ଫୁଲବାଣେ

ତୋ କରେ ଯେଉଁ ଦଣ୍ଡନ—ସେ ମୋ ବିଗ୍ରହ ମଣ୍ଡନ—

ମଣି ବୋଲି ମନକୁ ମୁଁ ଆଣେ ।୨।

 

ସତେ ମୁଁ ଦୋଷର ସୀମା—ରତିପ୍ରତିମା ତୁ କ୍ଷମା—

କରିଛୁ କି ଆଣ ମାନସକୁ

କହିଲେ କୁନ୍ଦ-ଦଶନା-ଲଜ୍ଜିତ ହୋଇବୁ ସିନା

ଦଣ୍ଡ ବଳିପଡ଼ିଛି ଦୋଷକୁ

ରେ ଶୋଭାନିଧି,

କୁଚଗିରି ମଧ୍ୟେ ରଖି ରୁନ୍ଧି—ନିଜ ଭୁଜପାଶେ ଦୃଢ଼େ ବାନ୍ଧି-

ପକାଇ ଦେବାରେ ନିଶା—ଗୋଟିଯାକ ଯେଉଁ ଦଶା

ବସନ ସରିକି ନାହିଁ ପିନ୍ଧି ।୩।

 

ଚିବୁକ, ଅଧର, ଗଣ୍ଡ ଦଶନରେ ଖଣ୍ଡ ଖଣ୍ଡ

କରିଛି କି ନାହିଁ ସତ କହ

କରରୂହ ଶିତକୁନ୍ତ—ମୂନରେ ଜୀବିତ ମିତ,

ଚିରି ପକାଇଛୁ ମୋର ଦେହ

ରେ ବାଳାମଣି,

ଉତ୍ତାନେ ପକାଇ ତଳେ ମୋତେ

—ଉତ୍ତୁଙ୍ଗ ଉରଜ ପରବତେ

ଅକରୁଣ ହୋଇ ଉର—ଛେଚି ପକାଉ ଯେ ମୋର

ନାହିଁ କି ଅଳପ ହେଲେ ଚିତ୍ତେ ।୪।

 

ମୋତେ ଅଚେତନ ଦେଖି ଶରଦଚନ୍ଦ୍ରମାମୁଖୀ

ରଦାମ୍ୱରୁ କିସଟି ପିଆଉ

ସଚେତ ହୋଇଲେ ପୁଣି—ପ୍ରହାରିବି ବୋଲି ମଣି

କର୍ଣ୍ଣ ଫୁଙ୍କି ପରା ତୁ ଜୀଆଉ

ରେ କଳାବତୀ,

ସହିଥାଏ ଯେ ଏତେ ଫଜିତ—ସେ କି ହୁଏ ଦଣ୍ଡକୁ ଲଜ୍ଜିତ

କଲେ ହେଲେ ତୁ ଅନ୍ତର—କ୍ଷମା ସରସୀରେ ତୋର

ଅନାରତେ ରହିବି ମଜ୍ଜି ତ ।୫।

 

ଅଷ୍ଟଦୁର୍ଗ ଧରାପତି—ଶ୍ୟାମଚନ୍ଦ୍ର ପଦେ ନିତି

ବନ୍ଦି ମହା ଆନନ୍ଦରେ ଭାଷେ, --

ଏପରି ସରସତର ଚାତୁର୍ଯ୍ୟ ଗର୍ଭକ ଗିର

ଚୁମ୍ୱିଦେଲେ ଯହୁଁ ଶ୍ରୁତିପାଶେ

ସେ ବିମ୍ୱାଧରା

ସମ୍ଭାଳି ନ ପାରି ଅଟ୍ଟହାସେ-ଘନସାର ପରାଗ ବରଷେ

ଘନେ ଶମ୍ପାପରି ସ୍ନେହେ—ମିଶି ଘନଶ୍ୟାମ ଦେହେ

ମଣ୍ଡିଲେ ଯମୁନା ତଟ ରସେ ।୬।

 

(୬୪)

ରାଗ—ତୋଡ଼ିପରଜ

 

କିଶୋରୀ, ଲାଜେ କିମ୍ପା ପୋତୁ ମଥା

ନୁଚାଉ ଯେ ରସ-ବିଚକ୍ଷଣ ମୁଖ

ନାହିଁ କି ସେ ମନ କଥାରେ (ପଦ)

ବୟସ ସିନା ପନ୍ଦର ପୁରି ନାହିଁ

ଗୁମାନେ ତ ନୋହୁ ଊଣା

କହୁଥାୟେ ସବୁ ଚାଲିବା ଗରବୁ

ତୋ ମଣି ବଳା ବାଜଣା ରେ ।୧।

 

ପ୍ରତି ପଦନ୍ୟାସେ ଇଶି ଇଶି ଭାଷେ

ବିଳାସ କେତେ ଦେଖାଇ

ବିଷମ ବାଣକୁ ନିଦ୍ୟାସୀ ଖାଇବା

ଅଭିମାନ ଥାଉଁ ଥାଉଁ ରେ ।୨।

 

ମୁକୁତା ଦଶନା ତନୁମାତ୍ର ସିନା

ଶିରିଷ କୁସୁମ ସମ

କଟାକ୍ଷ ତ ଗିରିବରକୁ ବିଦାରି

ମାରିବା ପରି ବିଷମ ରେ ।୩।

 

ପଦେ ପରିହାସେ ମୁଖ ମଣ୍ଡି ହାସେ

ପଳାଇ କେତେ ଆଗରୁ

ମୋର ବି ପୁରତ ସୁରତ ସାଧନେ

ପାଇଲି ମନ୍ତ୍ର ଆଗରୁ ରେ ।୪।

 

ମୂରୁଖ ସଖୀକି ନାନା ପ୍ରବନ୍ଧରେ

ନଚାଇବା ଗୁରୁ ତୁହି

ଅଷ୍ଟଦୁର୍ଗନାଥ କହେ ଯେବେ ନୋହେ

କହ ତ ମୋ ମୁଖ ଚାହିଁ ରେ ।୫।

 

(୬୫)

ରାଗ—କେଦାର, ଆଠତାଳି

 

କି ସମୟେ ଜରତୀ ଆସି କି

ସୁଖେ ଦେଲା କରତି ରେ ।୧।

ମନୋରଥ ପଥ ସଞ୍ଚାରି

ପଦାର୍ଥ ମିଳନ୍ତେ କରଲାଗକୁ ରେ

 

ଦୂରେ ଥାଉ ଜନ୍ମ ଯଉବନ

ଦୁଇ ସଫଳ ହୋଇବା ଭୋଗରେ

ଉରେ ଜମାଇ ସମ୍ପାଦି ନ ପାରିଲି

ତା ଶ୍ରୀଅଙ୍ଗ ଅଙ୍ଗରାଗରେ ।୨।

 

ଛନ ଛନ ହେଉଥିଲା କୋଳେ

ନୀଳ ଘନକେଶା ବରବଧୂ ରେ

ମନପୂରା ପରି ପିଇ ନ ଥିଲି ତା

ବଧୂଲୀ ଅଧର ମଧୁ ରେ ।୩।

 

ରହିଲାବେଳେ ମୋ ଭୁଜାନ୍ତେ ସେ

ମହୀମହିଳା ଚମ୍ପାଚଉଁରୀରେ

ଖର ନଖର ଖେଳାଇ ତା କୁଚେ

ମୋ କର ନ ଥିଲା ଠଉରି ରେ ।୪।

 

ନବାରମ୍ଭ କାମ କେଳି ଭଙ୍ଗୁ ଶ୍ୟାମସୁନ୍ଦର

ବିବଶ ହେଲେ ରେ

ଜବାରୁଣ ତାଙ୍କ ଶ୍ରୀଚରଣ-କଞ୍ଜ

ଭାବି ଜଗଦ୍ଦେବ ବୋଲେ ରେ ।୫।

 

(୬୬)

ରାଗ—କଳହଂସକେଦାର—ଝୁଲା

 

କେଡ଼େ ସୁନ୍ଦର ତୋ ଠାଣି ରେ

ପରଭୃତ ରତ ବାଣୀ ରେ

ସହୀ ତୋତେ ମହୀ ପୁଣ୍ୟବଳକୁ ବିହି

ଅବତରାଇଛି ଆଣି ରେ ।୦।

 

ଲୋଚନ ହୃଦୟ ଥିବ ବଚନେ ଝରେ କରିବ

କେଉଁ ନିରକ୍ଷର ତୋ ଗଣନା ବର—

ସୀମନ୍ତିନୀ ସାମନ୍ତାଣୀ ରେ ।୧।

 

ଜଗତୀ ପାବନ ହେବ ବୋଲି ଅବା କେଉଁ ଦେବ

ବୋଲାଉଛି ଧନ୍ୟ କି ତୋତେ ଲାବଣ୍ୟ—

ପୀୟୂଷ ପୁରରୁ ଛାଣି ରେ ।୨।

 

କାହିଁକିଟି ସେ ସୁରସେ, ଖାତର କରିବ ଲେଶେ

ଖେଳିଯିବ ଯାହା ଦେହେ ଚମ୍ପାଦେହା

ତୋ ଭୂରୁନଚା ଚାହାଣି ରେ ।୩।

 

ନାଗରେ, ନାକେ, ଭୂତଳେ ନାହିଁ ଜଣେ ତୁଳା ତିଳେ

କି ପଦାର୍ଥ ତୁ ଟି କି ପରିପାକଟି

ଅନୁମାନେ ନୋହେ ଜାଣି ରେ ।୪।

 

ମୁଁ ମାତ୍ର ମାଗୁଛି ଏତେ, ପରଖି ନ ଦେଇ ମୋତେ

ନ ମଣ୍ଡିବୁ ଗଣ୍ଡସ୍ଥଳକୁ ଅଖଣ୍ଡ—

ସୁଷମ ପଲ୍ଲବ-ପାଣି ରେ ।୫।

 

ଅଷ୍ଟଦୁର୍ଗନାଥ ବୋଲେ ଘନଶ୍ୟାମ ଗିରେ ଗେଲେ

ସମନ୍ଦାକ୍ଷହସା ସ୍ନେହରସ ମିଶା—

ମିଶି ହେଲେ ଠାକୁରାଣି ରେ ।୬।

 

(୬୭)

ରାଗ—କେଦାର, ଆଠତାଳି

 

କେଡ଼େ କଉତୁକୀ କଳାଚାନ୍ଦ ଲୋ ।ପଦ।

କେଉଁ ଯୁବତୀକି ନେଉ ନାହିଁ ଝିଙ୍କି

ତା ନୟନ ଫାନ୍ଦ ଲୋ ।୧।

 

କୁଚେ ଥାଏ କର ବଦନେ ମଧୁର

ହସିତ ଶୁଖିଲା କାନ୍ଦ ଲୋ ।୨।

 

କର୍ଣ୍ଣକୁବଳୟ ଉଞ୍ଚାଇ ପ୍ରଣୟ-କୋପୁଟି

କେଡ଼େ ପସନ୍ଦ ଲୋ ।୩।

 

କା ମନ ନ ମୋହେ ସେ କିଶୋର

ନୁହେ ଶୃଙ୍ଗାରଭୂରୁହ କନ୍ଦ ଲୋ ।୪।

 

କମନୀୟ କେକୀ-ଝାଲରିଆ

ସେ କି ଜଗତୀ ନୟନାନନ୍ଦ ଲୋ ।୫।

 

ଅଷ୍ଟଦୁର୍ଗନାଥ ତାଙ୍କ ପାଦପାଥରୁହ

ମରନ୍ଦ ମିଳିନ୍ଦ ଲୋ ।୬।

(୭୬)ପାଥରୁହ-ପଦ୍ମ,ମରନ୍ଦ-ମକରନ୍ଦ,ମିଳିନ୍ଦ-ଭ୍ରମର

 

(୬୮)

ବେହାଗ—ଏକତାଳି

 

କେତେ କହିବି ଜଞ୍ଜାଳି ରେ

ମୁଁ ଅଳି ତୁ ତ କଞ୍ଜାଳି ରେ ।

ନ ବୋଲି ନିରସ, ଜନ୍ମା ମୋ ହରଷ,

ମକରନ୍ଦ ରସ ଢାଳି ରେ ।ପଦ।

ନଚାଅ ଭୂରୁ ଯୁଗଳ—ପଚାଅ ମୋ ପୂଣ୍ୟ ଫଳ

ସଞ୍ଚାଅ ଅମନ୍ଦ-ସୁଖ ବ୍ରହ୍ମାନନ୍ଦ

ସରସ ନେତ୍ରାନ୍ତ ଚାଳି ରେ ।୧।

 

ଧାରା ଜବାଦନ୍ତ ବାସୀ—

ବିରାଜ ମୋ କୋଳେ ଆସି

ଉରଜ ଶଙ୍କରେ, କସ୍ତୂରୀ ପଙ୍କରେ,

ସମର୍ପିବି ପରା ଢାଳି ରେ ।୨।

 

ପାଞ୍ଚି ଚିତ୍ତେ ରତିଠାଣି—କାଞ୍ଚି ଚଞ୍ଚଳ କିଙ୍କିଣି

ବାଜି ବାଜି ଧିରେ, ରାଜୀବାକ୍ଷି ଧୀ ରେ,

ଆଜି ମାନସ ଦେ’ ଝାଳି ରେ ।୩।

 

ରଚ ରେ ମତ୍ତ ସିନ୍ଧୁର—ଗତି ପ୍ରବନ୍ଧ ବନ୍ଧୁର

ହେବାର ସୁରତି, କରିବା ଭରତି,

ମଦନ ବଦନ କାଳି ରେ ।୪।

 

ଶୁଣି ଏ ଶ୍ୟାମ ଭାରତୀ—ହସି ରସିଲେ ଶ୍ରୀମତୀ

ଭଣେ ଜଗଦ୍ଦେବ, ମନୋଭବ ଗର୍ବ,

ଉଡ଼ାଇଲେ କରତାଳି ରେ ।୫।

 

(୬୯)

ରାଗ—ମୁଖାବରୀ—ଆଡ଼ତାଳି

 

କେ ସରିକି ପ୍ରଭୁପଣେ ନୀଳାଦ୍ରୀ-କେଶରୀକି !

ଯାହାଠାରେ ଦୀନ ଦୟା ପୂରିଅଛି

ନଖଠାରୁ ଶିଖା ସରିକି ।ପଦ।

ଯା’ ପଦକଞ୍ଜ ଅଙ୍ଗୁଷ୍ଠ-ନଖ

ଫିଙ୍ଗି ଦୁନ୍ଦୁଭି ଅସ୍ଥି ଶିଖରୀକି

ବାଳୀ ବଳମୁଖେ କାଳି ଦେଇ

ରାଜପଦ ଦେଲେ ମିତ୍ର ହରିକି ।୧।

 

ଚାପଳପ୍ରବଣ ନବ ଶ୍ରୀଚରଣ

ପଦ୍ମ ଜିଣି ଯାର ତରୀକି

ରାକ୍ଷସ ଭବସମୁଦ୍ରରୁ ତାରିଲେ

ଶକଟ ସ୍ୱରୂପଧାରୀକି ।୨।

 

ଯାହାଙ୍କ ଉଦାର ବନ୍ଧନରୁ ଦର

ଫିଙ୍ଗିଦେଇ ଦୟା ବାରିକି

ଯାମଳ ତରୁକୁ ଯାନରେ ବସାଇ

ପେଷିଲେ ଦିବ୍ୟ ନଗରୀକି ।୩।

 

ଯାହାଙ୍କର ଛାତି ଛନ୍ନକରି

କ୍ଷିତିସୁର ଅପରାଧ ଗିରିକି

ତାଙ୍କ ପଦଜାତ ଲାଞ୍ଛନକୁ ନେଲେ

କଉସ୍ତୁଭମଣି ସରିକି ।୪।

 

କରି ପରିରମ୍ଭ ଯାହା ବାହାସ୍ତମ୍ଭ

ସୁଦାମା ଦାରିଦ୍ର୍ୟ ଭାରୀକି

ନାଶି କନକେ ମଣ୍ଡିଦେଲେ ତାହାଙ୍କ

ପରି ପଦ-ପରିଚାରୀକି ।୫।

 

ଜାଣିବାରୁ ଯାହା ଶ୍ରବଣ ଦ୍ରୁପଦ

ଜେମା ବିପତ୍ତି ଲହରୀକି

ପୁଆଇଲେ ଦୁଃଶାସନ ବସନ

ବିଦୂରୀକରଣେ ତାହାରିକି ।୬।

 

କେବଳ ସହାୟ ହୋଇ ନାହାନ୍ତି

ସେ ପଣ୍ଡୁରାଜକୁଳ ନାରୀକି

ଜଗତ ଭରିଲେ ଯଶେ ଉଦ୍ଧରିଲେ

ଅରି ଧରି ବରକରୀକି ।୭।

 

ନେତ୍ର ଯାହାଙ୍କର ଚଞ୍ଚଳ କପଟେ

ପ୍ରସାରି କରୁଣା ଫରିକି

ଦବାଇଲେ ଉରୁ ଖଡ଼୍‌ଗେ ବ୍ରଜଭୀରୁଙ୍କର

ଶମ୍ୱରା ବଇରୀକି ।୮।

 

ବାରନାରୀ ବାଳତୁଲେ ଫୁଲମାଳ

ଦେଲାକାଳେ ଧଣ୍ଡଧାରୀକି

ଶିଖା ଯାହାଙ୍କର ଶୁଣିଲେ କିଙ୍କର

ମହାବିପତ୍ତି ଗୁହାରିକି ।୯।

 

ଭୋଗ କରୁ କରୁ ଅଷ୍ଟଦୁର୍ଗ ପରା

ସ୍ୱର୍ଗ ତୁଲ୍ୟ ଧରାଶିରିକି

ଚିତ୍ତେ ଶ୍ରୀ ବାଲୁକେଶ୍ୱର ଦେବଲୋକେ

ସୁଖଦ ବୋଲି ଯା ଧରିକି ।୧୦।

 

(୭୦)

 

କେହି ସରି କି ପ୍ରଭୁ ପଣେ ନୀଳାଦ୍ରୀ-କେଶରୀକି,

ଯା ଠାରେ ପୁରିଛି ଦୁଃଖୀଜନଦୟା

ନଖଠାରୁ ଶିଖା ସରିକି ।ପଦ।

କି କହିବା ଆଉ ତାଙ୍କ ଶ୍ରୀଚରଣ

ଅନୁସରଣ ଚାତୁରୀକି,

ବଜାଉଛନ୍ତି ବିଭୀଷଣ ଆଗରେ

ଜଗତ ବିଜୟତୁରୀକି ।୧।

 

ସାନକୁ ବଡ଼ କରିବାରେ ଉଡ଼ାଉଅଛନ୍ତି

ଧ୍ୱଜ ମଞ୍ଜରୀକି,

ଦେଖ ନାଗ ନର ଗନ୍ଧର୍ବ

କିନ୍ନର ଉପରେ ଧ୍ରୁବ ନଗରୀକି ।୨।

 

କି କହିବି ତାଙ୍କ ପୀରତି କରିବା

କୀରତିଚନ୍ଦ୍ର ମାଧୁରୀକି,

ରଙ୍କ ବିପ୍ରପାଦ ଧୁଆଇ ଯା

ଦେଲେ ରମାକରେ ରତ୍ନଝରିକି ।୩।

 

କ୍ଷମାସାଗର ଯେ ତାହାଙ୍କୁ ଭଜିଲେ

କାଳ କିଙ୍କରଙ୍କୁ ଡରିକି,

ବୋଲେ କବିସୂର୍ଯ୍ୟ ଆନ ଉପାୟକୁ

ପେଲିଦିଅ ଗିରିଦରୀକି ।୪।

 

(୭୧)

ରାଗ—ମୋହନା, ଆଦିତାଳ

 

କୁଞ୍ଜନିଳୟଭୂଷା, ଅଞ୍ଜନ ପୁଞ୍ଜ ମସାର ଘନକେଶା,

କଞ୍ଜଚନ୍ଦ୍ରମଦଗଞ୍ଜନାସ୍ୟରୁଚି,

କୁଞ୍ଜର-ଗତି ମନୋରଞ୍ଜନବେଶା ।ପଦ।

ଆସ ମୋ କୋଳରେ ବିରାଜ,

ଦାସର ସରିକି କରି କି ଲାଜ

ବାସକୁ ପରିକର ଆଜ,

ନାଶ ଦୁଃଖ ସମାଜ, ଧନ

ମୋତେ ବାସବାଦି ପରିହାସ ଚତୁର କର,

ବରବରନାବର ନାଗରୀରାଜ ।୧।

 

କୁନ୍ଦ ସୁନ୍ଦର ଦଶନାଳି

ସୁନ୍ଦରୀମଣି ତୁ ମୋର ସଙ୍ଖାଳି,

ଚନ୍ଦନ ସଉରଭପାଳୀ, କୁନ୍ଦନମୟମାଳି,

ବୃଶରବି-ନନ୍ଦନୀନ୍ଦ୍ରମଣି ମଞ୍ଜମୁଜଗଭୂରୁ,

ଚଳ ନୟନାଞ୍ଚଳ ଦେ ଥରେ ଢାଳି ।୨।

 

ମାର ରଖିଛି ଶର ଶାଣି,

ତାର ତ ଚରିତ ଅଛୁ ପରା ଜାଣି,

ସାରକୁ ଘେନିଯିବ ଛାଣି, କାର ସେ ରଖେ ଠାଣି,

ମୋର ହୃଦୟ ତାର ହାର ହୁଅ ଆରେ ସୁଗୁଣବତୀ

ରତିଚତୁରା ନବ ପଲ୍ଲବପାଣି ।୩।

 

କାଞ୍ଚନଗଉରୀ ବିଚାର, ବଞ୍ଚନବିଧିକି ବିରଚିବାର,

ମୁଞ୍ଚ ଧନ ମୁଁ ପରିଚାର, ମଞ୍ଚରେ ତ ତୁ ସାର,

ଅବିରତ ପଞ୍ଚବାଣ ରଣକୌଶଳ ପରିଚୟ

କର ସୁରସାବର ସାର୍ଥରେ ମୋର ।୪।

 

ଏପରି ନବଘନଶ୍ୟାମ, ଚାଟୁ ବିରଚି ଲଭୁ ବିରାମ,

ସସ୍ମିତତରୁଣୀ ଲଲାମ, ପୂରିଲେ ହରିକାମ,

ନୃପ ଜଗଦ୍ଦେବ ସେ ସମୟ ବେଶ ଲଳିତ

ପଦଯୁଗ ଯୁଗଳୀଜଳଜାବଳୀଦାମ ।୫।

(୭୧) ମସାର-ଇନ୍ଦ୍ରମଣି,କଞ୍ଜ-ପଦ୍ମ, କୁଞ୍ଜର-ହାତୀ,ବୃକ୍ଷରବିନ୍ଦିନୀ-ବୃଷଭାନୁକନ୍ୟା

 

(୭୨)

ରାଗ—କେଦାର କାମୋଦୀ, ଆଡ଼ତାଳି

 

କୁନ୍ଦକଳିଦଶନା, ନନ୍ଦନନ୍ଦନ

ଶୋଭାକୁ ଅନା ଗୋ ।୦।

ଇନ୍ଦ୍ରନୀଳସାର ଶରୀର ଏହାର

କଟିତଟପଟ ସୁନା ଗୋ

ତ୍ରିଭଙ୍ଗୀରେ ଉଭାହେବା ଛବିକି

ମୁଁ ଲୁଚି ହୋଇଯାଏଁ କି ନା ।୧।

 

ଶରଦଚନ୍ଦ୍ର ବିମ୍ୱରେ ଏ ଦ୍ୟୁତିରୁ

ନାହିଁ ବୋଲି ଅଧଚିନା ଗୋ

କମ୍ପୁଛି ଅଖଣ୍ଡ ଶିଖଣ୍ଡ ମଣ୍ଡନ

ମୁକୁଟ କପଟବାନା ଗୋ ।୨।

 

ମଧୁର ଅଧର ବଧୂଲୀକି ତହିଁ

ମୂରଲୀ ମୋହନ ସୁନା ଗୋ

କହି କହି କୁଳବ୍ରତ ଲତାମୂଳ

ଏହି ଟାଳୁଅଛି ସିନା ଗୋ ।୩।

 

ଶ୍ରୀଅଙ୍ଗ ଛୁଇଁ ଆସିବା ମରୁତର

କରୁଅଛି ଆଶ୍ୱାସନା ଗୋ

ମୃଗମଦସାର ଦଳ ଇନ୍ଦିବର

ମିଶାମିଶି ସୁବାସନା ଗୋ ।୪।

 

କୁଙ୍କୁମ ଚନ୍ଦନ ମୃଗମଦ ଘନସାର

ଶିର ଗୋରୋଚନା ଗୋ

ଏହାଙ୍କୁ ସେବି କୃତକୃତ୍ୟ ହେବାକୁ

କରିଛି ଧାତା ରଚନା ଗୋ ।୫।

 

ଜଗତୀ ଧୃତି ବିଧ୍ୱଂସ ନୁହଇ ଏ

ନେତ୍ରାଞ୍ଚଳ ଖେଳ ବିନା ଗୋ

ବୋଲେ ଜଗଦ୍ଦେବ ଏଥୁଁ ମନୋଭାବ

ମାର୍ଗଣ ଗଣ କି ଶୁଣା ଗୋ ।୬।

 

(୭୩)

 

କୃପାନିଧି ! କଟାକ୍ଷ କର ମୋ’ ଠାରେ ।୦।

କମଳା-ରମଣ, ଆହେ ନାରାୟଣ,

ଶରଣ ପଶୁଚି ପା’ ରେ ।୧।

 

ତୁମେ ପ୍ରଭୁ ଥାଉ ‘ନାଥ’ ମହାବାହୁ,

ଆଉ ଭଜିବି କାହାରେ ? ।୨।

 

ତୁମେ ପରା ହରି ଉଦ୍ଧରିଲ ‘କରୀ’

‘ନକ୍ର’ ହାଣି ଚକ୍ର ଘା’ ରେ ?

କାହାର ବିପଦ ତୁମ ପଦ୍ମ-ପଦ

ହରିନାହିଁ ଟି ରସାରେ ? ।୪।

 

ନୃପ ଛୋଟରାୟ ହେଉ ଗତଭୟ

କୃପା-ସୁଧା ବରଷାରେ ।୫।

 

(୭୩) କଟାକ୍ଷ କର-ଟିକିଏ ଦୃଷ୍ଟି ପକାଅ, ପା’ ରେ- ପାଦରେ, ମହାବାହୁ-ବଳୀୟାରଭୁଜ ବା ଶକ୍ତିମାନ୍, ‘କରୀ’-ହସ୍ତୀ,

ନକ୍ର-କୁମ୍ଭୀର, ଚକ୍ର ଘା’ ରେ- ଚକ୍ର ଆଘାତ ରେ, ରସାରେ-ସଂସାରରେ

 

(୭୪)

ରାଗ—କାମୋଦୀ—ଝୁଲା

 

କୃଷ୍ଣଚନ୍ଦ୍ର, ବନକୁ ନ ଯିବୁ ରେ

ଧନକୁ ମାଗୁଛି ଏତେ

ଦେଖିଲି ପାପ ସପନ ଆଜ

ଅଜଗର ଗିଳୁଥିଲା ତୋତେ ।ପଦ।

ବରତନ କରି ଜଗାଅ ବାଛୁରୀ

ଘରଧନ ସବୁ ଦେଇ

କର ଧରିକରି ମାଗୁଛି ମୁଁ ତୋତେ

ଏ ପୁରୁ ନ ଯିବୁ କାହିଁ ।୧।

 

ବତା କେଉଁକଥା ଦେଇ ନାହିଁ

ଧାତା କି ନାହିଁ ନନ୍ଦ ସଦନେ

ଦୁଃଖୀର ସଙ୍ଖାଳି ଦୁଃଖୀ ପରା ହୋଇ

ବୁଲିବୁ ଘୋର କାନନେ ।୨।

 

କାଢ଼ିବ ପୁରୁଣା ଧନ ତା’

ସରିଲେ ବାଢ଼ିବ ଦଧି ପସରା

ତେଜିବି ନାହିଁ ମୋ ଆଖି ପାଖୁ ତୋତେ

ତୁ ମୋର ଦୁଃଖ-ପାସୋରା ।୩।

 

ଲଜ୍ଜା ଘରାନ୍ତରେ ଥିବାର

ଲୋକର ମଜ୍ଜାରେ ଅଳପ ଭୀତି

ହଜାରେ ଲୋକ ଥିଲେ ହେଲେ

ଆମ୍ଭର ବଜାରେ ବିକିବା ଜାତି ।୪।

 

ପୋଡ଼ିଯାଉ ପଛେ ଏ ଘର ସମ୍ପତ୍ତି

ପୋଡ଼ୁ ଏ ପାପ ସଦନ

ଭଣେ ରାମଚନ୍ଦ୍ରଦେବ ଛୋଟରାୟ

ତୁ ସିନା ମୋ ସର୍ବଧନ ।୫।

 

(୭୫)

ରାଗ—ଏମନ କଲ୍ୟାଣ,

ତାଳ—ଆଡ଼ତାଳ

 

ଗଜଗତେ ଏ ଜଗତେ ତୁ କାହାର

ଚମ୍ପାଝରା ରେ ।ପଦ।

ନୟନ ମୋର ଏ ଭୂଲୋକରେ,

ମନ ନାଗ ନାକ ଦ୍ୱିଲୋକରେ,

ବୁଲୁଛି ଯେ, ଭୁଲୁଛି ଯେ,

ନାହିଁ ନାହିଁ ତୋର ପରା ରେ ।୧।

 

କ ତପ କରିଛି କେତେ ଯୁଗ,

ଜିତପଙ୍କଜ ତୋ ପଦଯୁଗ,

ସୁହାସି ରେ, ଯାହା ଶିରେ

ଧରୁଅଛି ବସୁନ୍ଧରା ରେ ।୨।

 

ମୁଖ ସିତପଞ୍ଚଦଶୀପତି,

ଲାବଣ୍ୟ ନିକୁରମ୍ଭର ଶ୍ରୁତି,

ଶେଷ କହି, ଶେଷ ନୋହି,

ହୋଇଅଛି ତ ଅଧୁରା ରେ ।୩।

 

ସୁରଶିଖରିଗରବଚୋର,

ଉରସିଜକୁମ୍ଭ ବାଳା ତୋର,

ନବତନୁ, ନବତନୁ ଲତା

ଭାଜି ଯିବ ପରା ରେ ।୪।

 

ବନ୍ଧୁଜୀବ-ବନ୍ଧୁ ଦନ୍ତବାସ,

ବନ୍ଧୁ ହେବାବେଳେ ମନ୍ଦହାସ

ପୀୟୂଷର, ସରସାର,

ସ୍ୱାଦୁ ପାଇ ଯାଏ ଧରାରେ ।୫।

 

ଏ ଶୋଭା ଦେଖିଛି ଯେଉଁ ଆଖି,

ସେହି ସେହି ସିନା ତହିଁ ସାକ୍ଷୀ,

ଗିରେ କିସ କହି ଶେଷ ହେବ

ମୋ ଦୁଃଖପାସୋରା ରେ ।୬।

 

ଅଷ୍ଟଦୁର୍ଗେନ୍ଦ୍ର ସେକାଳେ ଭଜେ,

ଶ୍ୟାମ ଗିରେ ସପ୍ରଣୟ ଲାଜେ,

ବସି ମଥା ପୋତି କଥା ନ

କହିଲେ ବିମ୍ୱାଧରା ରେ ।୭।

 

(୭୫) ଗଜଗତେ- ଗଜଗମନେ,ନାଗଲୋକ-ପାତାଳ,ନାକ-ସ୍ୱର୍ଗ, ସିତପଞ୍ଚଦଶୀପତି-ପୂର୍ଣ୍ଣଚନ୍ଦ୍ର, ନିକୁରମ୍ଭ-,ଅଧୁରା-ଅକ୍ଷମ, ସୁରଶିଖରୀ-ସ୍ୱର୍ଣ୍ଣାଦୀ, ନବତନୁ-ହେ ନୂତନାଙ୍ଗି, ଦନ୍ତବାସ-ଅଧର, ବନ୍ଧୁଜୀବବନ୍ଧୁ-ବଧୁଲି ଫୁଲ ସଦୃଶ

 

(୭୬)

ରାଗ—ଭୈରବୀ, ଆଦିତାଳ

 

ଗଲା ତ ଅନୁରାଗ ଜଣା ଯା ମୋହନ ଯା ।ପଦ।

ଯା ପଦ ଅଲକତ ଶିଖଣ୍ଡ ମଣ୍ଡି ସୁରତିସୁଖ ଅଖଣ୍ଡ

ଦେଇଛି ସେ ବରତୁଳ ଉରଜାକୁ ତାକୁ ଭଜ ଯା ।୧।

 

ଯା ସଙ୍ଗେ ମାତି ରଜନୀଯାକ, ସେହି ରସକଶଳାକୁ

ଡାକ, ମୋ ନାମରେ ବୋଲି

ନିଳୟ ମୁରଲୀ ବାଜା ନ ବଜା ।୨।

 

ଆଳି ନ ବିହ ବିଟକିଶୋର,

ଗାଳି ନ ଶୁଣ ବଦନୁ ମୋର

ଚରଣ ନ ଧର ତୁ ମଧୁନଗର ରାଜା ଭଣଜା ।୩।

 

ଭାଷଇ ଜଳନ୍ତର ମହୀନ୍ଦ୍ର, ନନ୍ଦନିଳୟ ଗଗନଚନ୍ଦ,

ବରଜି ସୁନୟ କରୁ ଯେ ବିନୟ, ନାହିଁ କି ଲଜ୍ଜା ।୪।

 

(୭୭)

ରାଗ—ଖଣ୍ଡକାମୋଦୀ

 

ଗଲା ସବୁ ସରି ରେ, ନବକିଶୋରି ।ପଦ।

ଯାହା ଶ୍ୟାମ ଅଙ୍ଗ ଚୁମ୍ୱି ଆସିବା ସମୀର,

ଛୁଇଁଲେ କେବଳ ହୋଇ ରସ ଜରଜର,

ପୁଲକେ ଭରତି କରୁ ମୃଦୁ କଳେବର,

ସେ ଯେବେ ହୋଇଲେ ପର ।୧।

 

ଯାହା ବେଣୁ ଶୁଣି ଏକା ଧାଇଁ ନିଶୀଥରେ,

ବୋଲି ନାହୁଁ ଦିନେ ଆସ ଯିବା ମିଶି ଥରେ,

ହୃଦ ମଦନ ବିଭବ ସମୁଲ୍ଲସି ଥରେ,

ବିଗ୍ରହ ତାହା ସାଥରେ ।୨।

 

ଦୂତୀ କର ଧରି କହି ଘେନାଇ ଘେନାଇ,

ନୀପ ନିକୁଞ୍ଜ ପୁଞ୍ଜକୁ ଅନାଇ ଅନାଇ,

ଦିନ ହରୁ ସୁମଝରା ବନାଇ ବନାଇ,

ମୀନନେତ୍ରା ଯାହା ପାଇଁ ।୩।

 

ସ୍ତନେ ଲଦି ଚୁମ୍ୱିବାର ଯା ପାଦକମଳେ,

ମନେ ବାଞ୍ଛିବା କୁବେରବାମାଙ୍କୁ ନ ମିଳେ,

ଚୁମ୍ୱିଲେ ସେ ତୋ ପଦ ଚନ୍ଦ୍ରକଚୂଳାଞ୍ଚଳେ,

ଚାହିଁ ଦେଲୁ ନାହିଁ ହେଳେ ।୪।

 

ରସବତୀ ଭଳି ନୋହୁ ଏ ଅପସନ୍ଦର,

ଆସ ଏବେ ଯିବା କେଳିମଞ୍ଜରୀ ମନ୍ଦିର,

ବନ୍ଦନ କରଇ ମୃଦୁ ପଦାରବିନ୍ଦର,

ତୋଷ ଶ୍ୟାମଳ ସୁନ୍ଦର ।୫।

 

ଅଷ୍ଟଦୁର୍ଗନାଥ କହେ ହୋଇ ଅଭିଳାଷୀ,

ମିତଣୀ କଥିତ ବଚନରେ ଶ୍ରୁତିପାଶୀ,

ଲମ୍ପଟ ହେବାରୁ ହୋଇ ଦରସ୍ଫୁଟହାସୀ,

ବିଜେ କଲେ ବୀଣାଭାଷୀ ।୬।

(୭୭)ପୁଲକ-ରୋମାଞ୍ଚ,ଥରେ-କମ୍ପେ,ବିଗ୍ରହ-ବିବାଦ,ସୁମ-କୁସୁମ,ଫୁଲ

 

(୭୮)

ରାଗ—ତୋଡ଼ି—ଏକତାଳି

 

ଗାନ-ପଣ୍ଡିତା ମୋ ସୁଖରାଶି ରେ,

ମାନ ମାନସରୁ ଯାଉ ଖସି ରେ ।

ପାନ ପିକଦାନୀ ଧରାରେ ଗୁମାନୀ,

ହୋଇ କି ମହୀକି ଚାହିଁ ବସି ରେ ।ପଦ।

 

ମନ୍ଦାରଅଧରା କୁନ୍ଦହାସୀ ରେ,

ମନ୍ଦାକିନୀ ଧୂନି ଗର୍ଭେ ଝାସି ରେ ।

ଫନ୍ଦା କରି ତୋତେ, ହୋଇଛି ନିରତେ

ଜଣେ ତୋ ଚରଣକଞ୍ଜ ଦାସୀ ରେ ।୧।

 

ଅଗାଧ ହୃଦୟ ଘନକେଶୀ ରେ,

ଲଗାଇ ମୋ’ଠାରେ ଅଙ୍କମସୀ ରେ,

ଭଗାରି କେ ମୋର, ଶ୍ରୀଛାମୁରେ ତୋର

ଜଣାଇଛି ଯେବେ ଦିଅ କସି ରେ ।୨।

 

ମୋ ସଙ୍ଖାଳି ବୀଣାଜିଣାଭାଷୀ ରେ,

ଦୋଷ ଥିଲେ ଦଣ୍ଡ ଫରମାସୀ ରେ,

କି ସକାଶୁଁ ରୁଷା ଆଚରି ସୁଦୃଶା,

ମୋ ସମ୍ପଦ ପଦ ଦେଉ ନାଶି ରେ ।୩।

 

ଚୁମ୍ୱିଅଛି କି ତୋ କର୍ଣ୍ଣପାଶୀ ରେ,

ହେବି ବୋଲି ଆଉ ପରବାସୀ ରେ,

ତୋ କଠାଉ ରାଣ ଅଛି ରେ ପରାଣ

ଧନ, ସେବିଥିବି ବାରମାସୀ ରେ ।୪।

 

ଘନନୀଳକେଶା ଚାରୁକେଶୀ ରେ,

ଅନାଇଁ ନେତ୍ରାନ୍ତେ ଥରେ ଆସି ରେ,

ବନାଇଁଦେ, ମୋର କୁଭାଗ୍ୟକୁ ଉର—

ସ୍ଥଳେ ପୀନସ୍ତନ ଘଟ ଠେସି ରେ ।୫।

 

ଏ ବିନୟୁଁ ମୋଦ ସୁଧାରାଶି ରେ,

ଦେବୀ ରୁଷି ନୋହି, ଗଲେ ଭାସି ରେ,

ସେବି ସେ ଯୁଗଳ ଚରଣ କମଳ,

ସେ ହରିଚନ୍ଦନ ହେଲେ ତୋଷି ରେ ।୬।

 

(୭୯)

ରାଗ—ମୂଲତାନୀ, ଆଠତାଳି

 

ଗୁମାନ ବହନା ରେ, ମୋହନା ରେ !

ମୁଁ ଦେହଧରି ବିହରୁଛି ତୋହ ନାଁ ରେ ।ପଦ।

ଡରିଲି କି ନାହିଁ ତୋର କରିବା ମନା ରେ

ମହିଳା ମଣିକି କେ ମିଛ କହିଲା ମୋ ନାଁ’ରେ ।୧।

 

ତୁଟିଗଲେ ତୋ କରୁଣା ଗୋଟିଏ ଚିନାରେ

କରୀନ୍ଦ୍ରଗତି ମୁଁ ଦୁଃଖେ ସରିବି ସିନା ରେ ।୨।

 

ବର ତୁ ସବୁ ରସିକାବରବରନା ରେ

କର କୃପାମନେ ମାଳ ଉର ଭରନା ରେ ।୩।

 

ଜାଣୁ ତ ଘେନେ ମୁଁ ତୋତେ ପ୍ରାଣୁ ଅଭିନ୍ନା ରେ

ସରୁ ମଧ୍ୟା ଲେଖା ନୁହ କରୁଣା-ହୀନା ରେ ।୪।

 

ଭାଷେ ଜଗଦ୍ଦେବ ଶୁଣି କିଶୋରୀ ବିନା ରେ

ରମା ରସିକଙ୍କୁ କଲେ ସମାନ ମିନା ରେ ।୫।

 

(୮୦)

ରାଗ—ଇମନ କଲ୍ୟାଣ—ଆଦିତାଳ

 

ଗୁମାନ ମାନସୁ ତେଜ ନିଜ ଦାସରେ

ଜମାଅ ମାଳତୀ ମୃଦୁଦେହ ହାସରେ ।ପଦ।

 

ରସନିଧି ଦୟାଳୁ ତା ଯଶ ପରକାଶରେ,

କର ମୋର ଉତ୍ସଙ୍ଗେ ନିବାସ ରେ ।୧।

 

ଧନ, ମହା ସୁଖଳତା ଲଭିଲାଟି ନାଶରେ,

ମନମଥ ଧନଞ୍ଜୟ ଝାସରେ ।୨।

 

ଦୁଃଖ ତପତ ମୋ ବକ୍ଷସ୍ଥଳକୁ ଆଶ୍ୱାସରେ,

ସ୍ତନ ସୁଧା କଳଶ ବିନ୍ୟାସରେ ।୩।

 

ଚମ୍ପାଗଉରବେହା ମୋର ବିନା ଦୋଷରେ,

କମ୍ପକୁ ନ ପାଳ ରଦବାସରେ ।୪।

 

ରଚି ଶୁଚି ସ୍ମିତ ନବମଲ୍ଲୀ ସମୁଲ୍ଲ ସରେ,

ଶୁଭାଙ୍ଗୀ ଭାରତୀ ପଦେ ଭାଷ ରେ ।୫।

 

ମଣ୍ଡିଲେ ଶ୍ରୀମତୀ ହରିଗିର ଶୃତିପାଶରେ,

ତୋଷେ ବସୁଦୁର୍ଗ ଧରାଧୀଶ ରେ ।୬।

 

(୮୧)

ରାଗ—ମୁଖାବରୀ—ଆଡ଼ତାଳି

 

ଗୋ, ତା’ ତୁଲେ ହେବ କେ’ ସମ

ଯେ ସୁଧାସ୍ୱାଦୁ ବିଷରୁ ବିଷମ ।ପଦ।

ରାଜୀବ ଅଜୀବ ଯା ପଦଭ୍ରାନ୍ତି

ନିନ୍ଦିବ ଇନ୍ଦିବରକୁ ଯା’ କାନ୍ତି ।୧।

 

ମୁଖଜିତ ହୋଇ ଯାର ଶିଖଣ୍ଡ

ସେବିଛି ହୋଇ ଶଶୀ ଖଣ୍ଡ ଖଣ୍ଡ ।୨।

 

ମଦନ ମଦନ ହୋଇବ ଲବ

ଆନ ସମାନ ସଂସାରେ କେ ହେବ ।୩।

 

ସ୍ମର ସମର ସମୟ ପାଟବେ

ତରୁଣୀ ତ ଋଣୀ ତା’ଠାରୁ ହେବେ ।୪।

 

କେବଳ ସେ ବଳ ନୁହେଁ ଆମ୍ଭର

ଜଗତୀର ଗତିଟି ପୀତାମ୍ୱର ।୫।

 

ଅଷ୍ଟଦୁର୍ଗସ୍ୱର୍ଗମଘବା ଭଣେ

କଷ୍ଟ ଦୂର ହୁଏ ଯାହା ବିଷୟେ ।୬।

 

(୮୨)

ରାଗ—ପୂରବୀ

 

ଗୋ ରସନାଟି, କୃଷ୍ଣନାମ ଛାଡ଼ି

ଆନେ ରସ ନା ଟି । ଘୋଷା ।

 

ଅଟକ ନ ରହି ଅଳସରେ,

ରଟ ଚଟ ଚଳ ବିଳାସରେ ।

କୃଷ୍ଣ କେଶବ କେଶି-କଂସ-ଦଳନ

ବଲ୍ଲବୀଜନବଲ୍ଲଭ ହରେ ।୧।

 

ଉପଳ ଶାକର ରସଫେଣା,

ମଧୁ ମଧୁରସା ସରପଣା,

ସୁଧା ତାମରସ-ନେତ୍ରା ରଦବାସ,

ଏ ସବୁ ଶ୍ୟାମ ନାମରୁ ଊଣା ।୨।

 

ମକରନ୍ଦ ପକ୍ୱ ଚୂତ ରସ,

ପ୍ରବାହେ ନ ରଖ ତୁ ତରସ,

ବିଲକ୍ଷଣ ହରିନାମଙ୍କ ମାଧୁରୀ,

ଇତର ସକଳ ଗତରସ ।୩।

 

ବୃନ୍ଦାବନବ୍ୟୋମ କଳାକର,

ବିରାଜଧ୍ୱଜ ହେ ବିଶ୍ୱମ୍ଭର,

ଅଜ ବାସୁଦେବ ମୁକୁନ୍ଦ ମାଧବ,

ଗୋବିନ୍ଦ ବୋଲି କୀର୍ତ୍ତନ କର ।୪।

 

ଖଣ୍ଡ ମରିଚ କର୍ପୂର ଚୂରି,

ଦେଲେହେଁ ସୁରଭି-କ୍ଷୀରେ ଭରି,

ଶ୍ୟାମ ରମଣୀୟ ମୋହନବିଗ୍ରହ,

ନାମର କଳାକୁ ନୋହେ ସରି ।୫।

 

ବୋଲ ବୋଲ କଂସନିସୂଦନ,

ଜୟ ଜୟ ଦେବ ଜନାର୍ଦ୍ଦନ,

ଅଷ୍ଟଦୁର୍ଗପତି କହିବା ଭାରତୀ

ଇଷ୍ଟ ସୁଧାରସ ପରି ଘେନ ।୬।

 

(୮୨) ରସନା-ଜିଭ,ବଲ୍ଲବୀ-ଗୋପୀ,ଉପଳ-ଏକପ୍ରକାରର ପଣା, ତାମରସନେତ୍ରାରସବାସ-ପଦ୍ମଲୋଚନା ସ୍ତ୍ରୀର ଅଧର, ତରସ-ପୂର୍ଣ୍ଣଇଚ୍ଛା ବା ଅଭିଳାଷ,କଳାକର-ଚନ୍ଦ୍ର, ବିରାଜଧ୍ୱଜ-ବିଷ୍ଣୁ, ସୁରଭିକ୍ଷୀର-କାମଧେନୁର ଦୁଧ

 

(୮୩)

ରାଗ—ପୁରବୀ—ଆଡ଼ତାଳି

 

ଗୋ, ସେ କି ଧରି ଦୂତୀ ପାଣି,

ସହିବ ସେ ଲାଘବ କହିବ ଚାଟୁବାଣୀ ।ପଦ।

ଯା’କର ପଙ୍କଜେ ଭ୍ରମେ ଲଭିଲେ ସ୍ପରଣ

ଚାକର ହେବାକୁ ହେବ ଶକ୍ରର ତରସ ।୧।

 

ହେଲେ ହେଲେ ଭୁବନ ମୋହନ ବିଶାରଦ

ଶୁଣି ଯାହା ବାଣୀ ବୀଣା ଛାଡ଼ିବେ ନାରଦ ।୨।

 

ଯେ ରାଜି କରଇ କୋଟି ସଂଖ୍ୟକ ସବତେ

ବ୍ରଣ ଲେଶ ନ ଦିଶଇ ନଖଦନ୍ତ କ୍ଷତେ ।୩।

 

ନ ଚାହୁଁ ଯେ ଚାହୁଁଥାଏ ସ୍ନେହେ ନେତ୍ରାଞ୍ଚଳେ

ଚାହିଁ ନ ଚାହିଁବା ଭଙ୍ଗୀ ପ୍ରକାଶଇ ଛଳେ ।୪।

 

ଶ୍ରୀମତୀ ସଖୀଙ୍କି କେଉଁ ସହଚରୀ ଭାଷେ

ଶ୍ରୀହରିଚନ୍ଦନ ଜଗଦ୍ଦେବ କହେ ତୋଷେ ।୫।

 

(୮୪)

ରାଗ—ଧନାଶ୍ରୀ

 

ଘେନ ଘେନ ମନ ଘନସମ ଶ୍ୟାମଳିଆକୁ,

ପିଲାଟି ଦିନୁ ପୂତନା ପ୍ରାଣକବଳିଆକୁ ।ପଦ।

ବରଙ୍କୁ ଗୋପୀଙ୍କର ମକରକୁଣ୍ଡଳିଆକୁ,

ଅଖଣ୍ଡଚନ୍ଦ୍ର, ସୁନ୍ଦର ମୁଖମଣ୍ଡଳିଆକୁ ।୧।

 

ମଦଗଜଗମନକୁ କଦମ୍ୱମୂଳିଆକୁ,

ମଖଶାଳାଭିଖାରୀକୁ ଶିଖଣ୍ଡଚୂଳିଆକୁ ।୨।

 

ସମୁଦ୍ରକୁ କରୁଣାର ଯମୁନାକୂଳିଆକୁ,

ଗୀତ ନଟ ଲମ୍ଫଟକୁ ପୀତଦୁକୂଳିଆକୁ ।୩।

 

ବଲ୍ଲବେନ୍ଦ୍ରନନ୍ଦନକୁ ପଲ୍ଲବମାଳିଆକୁ,

ଭଜେ କବିରବି ତାହାଙ୍କର ପା’ତଳିଆକୁ ।୪।

 

(୮୫)

ରାଗ—ତୋଡ଼ି—ରୂପକ

ଚନ୍ଦନ-ଗନ୍ଧବହ ବହିଲା ରେ ।ପଦ।

କିଂଶୁକ ସୂନଚୟ ଜ୍ୱଳିତ ଧନଞ୍ଜୟ

ବିପ୍ରଯୋଗୀ ହୃଦୟ ଦହିଲା ରେ । ୧।

ଚୂତ ମୁକୁଳିତର-ଜନିରେ ତର୍ଜି ସ୍ମର

କାହାର ଭୟଙ୍କର ନୋହିଲା ରେ ।୨।

ବିରହୀକୁଳ କଳ କଳ କରି କବଳ

କରିବ କି କୋକିଳ କହିଲା ରେ ।୩।

ନବମାଳିମଞ୍ଜରୀ ନବ ପ୍ରସୂନ ଶିରି

ମିତ, ତୋ ସ୍ମିତପରି ମୋହିଲା ରେ ।୪।

ହୁଙ୍କାର ମାତ୍ରେ ଦାବ ଦେଇ ମଦରେ ଲମ୍ୱ

ତୋ ସ୍ନେହୁ ମୋ ଗରବ ସରିଲା ରେ ।୫।

ଅଷ୍ଟଦୁର୍ଗେଶ ଭାଷେ ଶ୍ୟାମବାଣୀ ବିଳାସେ

ହସି ରସିଲେ ବ୍ରଜମହିଳା ରେ ।୬।

 

(୮୬)

ରାଗ—ସାରଙ୍ଗ

 

ଚନ୍ଦ୍ରବଦନା ସ୍ନେହେ କହ ରେ

କାହାର ହାରମଣି ତୁ ।ପଦ।

ତୋର ଚରଣ ନଖର ଗଣ,

ଶରଦୁଦିତ ତାରା କିରଣ

ପରମ୍ପରା ସୁସମରୁ କଣ,

 

ବରବାମା ବୃନ୍ଦେ ନାହିଁ ଏ ବ୍ରଜ ସହରେ ।୧।

ବଳାହକରୁ କବରୀ କଳା

କଳାକର – ବିମ୍ୱ ମୁଖ ତୁଳା,

କଳା ମାତ୍ର ନାହିଁ ରେ ଅବଳା,

 

ବଳା ବଳୟ କି ଋତୁ ଭୂଷାନିବହ ରେ ।୨।

ତନୁବର୍ଣ୍ଣ ବଳିଛି କୁନ୍ଦନୁ,

ତନୁ- କଟିଟି କି ଯିବ ମନୁ

ଅନୁମିତ ହୁଏ ମଣିସାନୁ,

 

ସ୍ତନୁ ଊଣା ହୋଇବ, ଏ ତହୁଁ ଦୁର୍ବହ ରେ ।୩।

ଯଉବନମଦ ଚାଲି ଲବ,

କେଉଁ ବନ ମଦରାଜେ ଥିବ,

କଉୁତକର ତୁ ତ ଅର୍ଣ୍ଣବ,

 

ବତ – ବନ୍ଧୁ କି ତୁ ସ୍ପର ସିନ୍ଧୁ ପ୍ରବାହ ରେ ।୪।

ପଟାଟୋପେ ଲୋକେ ବିରତ୍ତମ,

ଛଟା କଟାକ୍ଷରୁ କି ବିଷମ

କଟିଟିନୁଚ୍ୟ କି ହେବ ସମ,

 

ସଟାବଟା ନ କର ରୋଷେ ମୋ ଆଗ୍ରହରେ ।୫।

ଧନ ହୁଅ ଯାହାର ତାହାର,

ମୁଁ ତୋ ଚାକରୁଁ ନୁହେଁ ବାହାର,

ମୁଖ ପଙ୍କଜ ମଉଳା ହାର,

 

ଦେବୁଟି କି ମୋତେ, ମଜ୍ଜାଅ ଦେହରେ ।୬।

ବସୁଦୁର୍ଗ ପୁରନ୍ଦର ଭାଷେ,

ଶ୍ୟାମସୁନ୍ଦର ବାଣୀ ବିଳାସେ,

ଲାଜେ ମଜ୍ଜିବାର ମହୀ ବାସେ,

 

ହସି ପଳାଇଲେ ମହା – ମଦନ ମୋହରେ ।୭।

 

(୮୭)

ରାଗ—ସାରଙ୍ଗ, ଆଦିତାଳ

 

ଚନ୍ଦନବାସି କୁନ୍ଦବରହାସି ରେ ।ପଦ।

କରୁଣାମୟ ବରୁଣାଳୟ ହୃଦୟା ଘନକେଶି ରେ,

ପରାପତ ତୁ ମତେ,

ହେଲୁ ପରା ନିରତେ ହରାଙ୍ଘ୍ରିଭଜନରୁ କାଶୀରେ ।୧।

 

ଶରଣାଙ୍କିତ ଅରୁଣାମ୍ୱୁଜଚରଣା ମୃଦୁଭାଷି ରେ,

ଧରା ତରୁଣୀ ଶିର, ଝରା ରତନ

ମତେ କରା ଆଜ ତୋ ନିଜ ଦାସୀ ରେ ।୨।

 

ମଦନେଷୁଜକଦନେ ଗଲି ଭାସି ରେ,

ତରୀ ପରି ଅଙ୍କରେ,

କରି ନିବିଡ଼ତରେ ପରିରମ୍ଭରେ ରଖ ଆସି ରେ ।୩।

 

ଲଳନାବର ତୁଳନା ପରିକଳନା ଗୁଣରାଶି ରେ,

ଅନା ଅନା ଚପଳା,

ନୟନାନ୍ତରେ ତୁ ମଦନାହବକୁ ଫରମାସି ରେ ।୪।

 

କରି ବନ୍ଦନ ହରିଚନ୍ଦନ କହେ କୁଞ୍ଜବିଳାସି ରେ,

ରୁଷା ବରଜି ମୃଗଦୃଶା

ପଡ଼ିଲେ ମୃଦୁ ମସାରନିଭ ଭୂଜପାଶୀ ରେ ।୫।

 

(୮୮)

ରାଗ—କାମୋଦୀ, ତାଳ—ଏକତାଳି

 

ଚରଣାୟୁଧବୃନ୍ଦ ରଟିଲା ରେ

ଅରବିନ୍ଦ ହିଁ ବନ୍ଧୁ ଫୁଟିଲା ରେ,

କର କରୁଣା ବୋଲି            ଯେତେ ଚାଟୁ ରଚିଲି

ଗୁମାନ ଗଣ୍ଠିଟି ନ ଫିଟିଲା ରେ । ଘୋଷା ।

ଖଚବଚ ମୁଦ୍‌ଗର, ପ୍ରହାରି କୋଟି ମୋର,

ମୋଦପୀୟୂଷ ଘଟି ପିଟିଲା ରେ,

ପିଶାଚ ସ୍ମର ଆସି, ଦେବାରୁ ମୋତେ ଗ୍ରାସି,

ନିଶା ଚରମଦଶା ଘଟିଲା ରେ ।୧।

 

ରାତିତିମିରତତି ଗଲେ ଯେ ପ୍ରୀତିପ୍ରତିବନ୍ଧକ

ଅନ୍ଧକାର ଘଟିଲା ରେ ;

ନ ବୁଝିଲୁ ଗୁହାରି, ତୋ ରୁଷା ଯେ ମୋହରି

ପରାଣ ଲୁଟିବାକୁ ହଟିଲା ରେ ।୨।

 

ଲୋଚନରେ ଲୋଚନ, ସଙ୍ଗମେ ଯେଉଁ ଦିନ

ରଚଇ ଅନ୍ତରାୟ ଜଟିଳା ରେ;

ତ୍ରୁଟି ହେଲେ ବରଷୁଁ, ଏବେ ମୋର କି ଦୋଷୁଁ

କୁଟିଳାକ୍ଷି ତୋ ସ୍ନେହ ତୁଟିଲା ରେ ।୩।

 

ଭରମରମ୍ୟଦେହା, ଚରମ କଲୁ ଯାହା,

ଜାଣିଲି ମୋ କରମ ଫାଟିଲା ରେ;

ସକାମ କରି ମାରି, ପକାନ୍ତୁ ସୁକୁମାରୀ,

ନ କାଟନ୍ତା ଏ ଯେଡ଼େ କାଟିଲା ରେ ।୪।

 

କିଶୋରୀଙ୍କର ମନମୀନକୁ ଏ ବଚନ-ମିଷ

ବଡ଼ିଶଲାଠି ଛାଟିଲା ରେ;

ଅଷ୍ଟଦୁର୍ଗ ଭୂପତି, ମିଳିନ୍ଦ ସେ ଦମ୍ପତି,

ପଦାବ୍‌ଜ ମକରନ୍ଦ ଚାଟିଲା ରେ ।୫।

(୮୮) ଚରଣାୟୁଧ-କୁକୁଡ଼ା,ଅରବିନ୍ଦ-ପଦ୍ମ,ମୋଦପୀୟୂଷଘଟି-ଆନନ୍ଦରୂପ ଅମୃତର କଳସ, ତତି-ସମୂହ,ତ୍ରୁଟି ହେଲେ ବରଷୁଁ-କ୍ଷଣକାଳ ବର୍ଷକ ପରି ହୁଏ,ଭର୍ମ-ସୁବର୍ଣ୍ଣ, ମନମୀନକୁ-ମନରୂପ ମାଛକୁ, ବଚନ ମିଷ ବଡ଼ିଶ ଲାଠି-କଥାରୂପ ବନଶୀଖଡ଼ା, ମିଳିନ୍ଦ-ଭ୍ରମର

 

(୮୯)

ରାଗ—ତୋଡ଼ିପରଜ—ଆଡ଼ତାଳି

 

ଚଳି ହେଲା କି ବଳି ଶୋଭିନୀ ରେ ।ପଦ।

ପାଳିଥିଲା ମୋ ମିତ      ଦିନେ ମୋ ପାଇଁ ବ୍ରତ

ଧରି ଯେ ଚୁମ୍ୱଲି ଥର ତିନି ଗୋ ।୧।

 

ତୋହ ଆଗେ ବସାଇ      ଗେଲେ ନୀବୀ ଖସାଇ

ଦେଲି ଯା ଅଛି କି ମନେ ଘେନି ଗୋ ।୨।

 

ଅନୁପ୍ରବାସ କଥା,            ଛାଡ଼, ଛୁଅଁ ମୋ ମଥା

ବୋଇଲା ସେ ମୁଁ ହେଲି ଯା ତୁନି ଗୋ ।୩।

 

ଋତୁ ସମୟ ବୋଲି            ଜାଣି ଜାଣି ଧଇଲି

ମନା କରୁଥିଲା ଗଲା ବନି ଗୋ ।୪।

 

ସବାରେ ଗଲି ଦିନେ,      ଧନ ମନ ଗହନେ

ଯା ଲାଗିଲା ସ୍ମର ଯୋଗିଧ୍ୱନି ଗୋ ।୫।

 

ସଭୟ ନିରନ୍ତର            ହୁଏ ମୋ ହୃଦୟର

ସେ ଯେ ମୋର ସୁଖର ଖଣି ଗୋ ।୬।

 

ଏପରି ଶ୍ୟାମଗିରେ            ହସି ସଖୀ ଜୁହାରେ

କହେ ଅଷ୍ଟଦୁର୍ଗ ମହୀଯାନି ଗୋ ।୭।

 

(୯୦)

ରାଗ—ଶାବରୀ, ଏକତାଳି

 

ଚାହାଁ ନିକୁଞ୍ଜ ବିଳାସୀକି ରେ

ନିରତ ଲୀଳାଭିଳାଷୀକି

ବ୍ରଜ ପଙ୍କରୁହଯୁଗ ଖେଳକୁ—

ଅଖଣ୍ଡ ଶିଖଣ୍ଡ ଶିଖୀଚୂଳକୁ

ଧୃତି କରତନ ଦ୍ୟୁତି ନରତନ

ବିଲୋକ ମାଳା ତୁଳସୀକି ରେ ।୧।

 

ଅତି ଦୂରେ ଥାଉ ଏହାଙ୍କ ସେବା—

ତେତେ ସୁକୁତ କେ କରିଛି ଅବା

ଦେବେନ୍ଦ୍ର ଯୁବତୀ ହେବେ ଭାଗ୍ୟବତୀ

ଭଜିଲେ ଏହାଙ୍କ ଦାସୀକି ରେ ।୨।

 

ଚୁମ୍ୱି ଏ ଶ୍ୟାମ ସୁନ୍ଦର ଅଧରେ—

ଲଦି ଏ ମୃଦୁ ପୀନ ପୟୋଧରେ

ଦିନ ହରିବାର ହେବ ଶତବାର

ଗଙ୍ଗାରେ ନ ଥିଲେ ଝାସିକି ରେ ।୩।

 

ମିତରେ ଚିର ସ୍ଥିର କରି ଦେଖ—

ଜିତ ଶତ ଶୀତ ମୟୁଖ ମୁଖ

ହେଲେ ସ୍ମିତ ସିତସୂନସମ ଚିତ୍ତ

ନ ଯିବ ବିବେକ ଭାସିକି ରେ ।୪।

 

ଅମୋଘାସ୍ତ୍ର କରି ଏହାଙ୍କୁ ପାଇ—

ମକର-ଚରମ ଚଢ଼ା ସିପାହୀ

ବିଶ୍ୱ ବଶ୍ୟ ଭଲେ କରି ନ ପାରିଲେ

ସେ ହୋଇଯିବ ସନ୍ୟାସୀ କି ରେ ।୫।

 

ରଚେ ବସୁଦୁର୍ଗ ବସୁଧାପତି—

ଆଳିଙ୍କି କେଉଁ ଗୁଆଳି କହନ୍ତି

ସତେ ଅଛି ପୁଣ୍ୟ କୋଳେ ଏ ଲାବଣ୍ୟନିଧି

ବିଳସିବେ ଆସିକି ରେ ।୬।

 

(୯୧)

ରାଗ—ମୋହନା, ଆଡ଼ତାଳ

 

ଚାହିଁ କି ନାହିଁ କେହି ମୋହନ ହାସ ଗୋ,

କେହି ତା ମନ୍ଦହାସ,

କାହିଁକି ଏକା ମୋତେ ଏ ପରିହାସ ।ପଦ।

କେଉଁ ସତୀ ସେ ପୁଟ ଭେଦନେ ଅଛି ନଟବର

ସ୍ନେହୁଁ ନିପଟ ହୋଇ ନିରାଶ ।୧।

 

ଡାକ ତ ସେ ଯୋଷାକୁ, କହୁ କାହା ନାସାକୁ,

ବାଜି ନାହିଁ ସେ ବନମାଳିକା ବାସ ।୨।

 

ଲୋଡ଼ି ଶ୍ୟାମ ପ୍ରୀତିକି, ଘଟକ-ଯୁବତୀକି,

କେ କହୁ ନାହିଁ ଧରି ଦଶନେ ଘାସ ।୩।

 

ତୋ ସ୍ନେହୁଁ ନିଶୀଥରେ, ବନଦୁର୍ଗପଥରେ,

ଗତାଗତରୁ ଥିବ ପଦେ ପରାସ ।୪।

 

ଡାକୁଁ ଯାହା ମୁରଲୀ, ସ୍ୱାମୀକି ପେଲି ଠେଲି,

ଧାବନବଶେ ଖସେ ନିତମ୍ୱ ବାସ ।୫।

 

ଶ୍ରୀ ଜଗଦ୍ଦେବ ଭଣେ, ରାଧାବାଣୀ ଶ୍ରବଣେ,

ଆଳିଏ ହସି ଦେଲେ ଅଙ୍କ ନିବାସ ।୬।

 

(୯୧)ପୁଟଭେଦନ—ନଗର, ନିଶୀଥରେ—ଅର୍ଦ୍ଧରାତ୍ରରେ,ନିତମ୍ବ—କଟିର ପଶ୍ଚାଦ୍‍ଭାଗ

 

(୯୨)

ରାଗ—ତୋଡ଼ି, ଆଠତାଳି

ଚାହିଁଛି ମାତ୍ର ଶିଖଣ୍ଡ ଲୋ, ସଖି ମୁଁ ତୁଛା ଅପବାଦେ

ଚମକି ପଡ଼ୁଛି ଏ ବ୍ରଜ ବଜାର ଦାଣ୍ଡ ଲୋ ।

ଚିକ୍କଣ-ଶ୍ୟାମଳଚନ୍ଦ୍ର ନିକଟକୁ ଚାଲି

ନାହିଁଟି ପହଣ୍ଡ ଲୋ, ସଖି ମୁଁ ।ପଦ।

ଚପରାସିଚୟ ପେଷି କଂସରାୟ ନିର୍ଦ୍ଧୋଷେ

ନେବ କି ତଣ୍ଡ ଲୋ ।୧।

ଚଳୁଆ ଯେ ବଡ଼ ମୋହର ଗଉଡ଼

ଶୁଣିଲେ ହେବ ପ୍ରଚଣ୍ଡ ଲୋ ।୨।

ସଖୀ ଥିଲେ ମୋର ପରଶନ୍ତେ

ନୀର ତାଙ୍କ ଯୋଗୁଁ ଲଣ୍ଡଭଣ୍ଡ ଲୋ ।୩।

ଚୋରି ଯେବେ କରିଥିଲି ମୁଁ ତାଙ୍କରି

ଚୁମ୍ୱିଛି କି ଚାରୁ ଗଣ୍ଡ ଲୋ ।୪।

ଅଷ୍ଟଦୁର୍ଗ ଭଣି ଶୁଣ ଠାକୁରାଣୀ

ଶ୍ୟାମ ପଦକଞ୍ଜେ ମଣ୍ଡ ଲୋ ।୫।

 

(୯୩)

ରାଗ—ପୂରବୀ—ଝୁଲା

 

ଚାହିଁ ଜାଣଇଁ ଗୋ, ନାହିଁ ନାହିଁ ଶ୍ୟାମ ସରି

ସହି, ତା ନୟନ-ଅୟନ-ଅମିୟ

ରସ ଢାଳିଦେଲା ପରି ।ପଦ।

ପ୍ରଫୁଲ୍ଲ ପଙ୍କଜ ଅଙ୍କରୁ

ପାଟଳୀ କୁସୁମ ପାଶେ ବିହରି

ବିକାଶ ନବ ଇନ୍ଦିବର ଯୁଗଳେ

ଅଳି ଚଳୁଥିଲା ପରି ।୧।

 

ଗଜରାଜଗତି ଜଗତ

ଯୁବତୀରାଜ ବିନୟ ବିଚାରି

ଭୂରୁ ଚାପେ ଶୂନ୍ୟ ନାରାଚ

ମଦନରାଜ ସାଜିଥିଲା ପରି ।୨।

 

କମନୀୟ କଳାବତୀଙ୍କ

ଉରଜ କୁମ୍ଭଯୁଗ ଲକ୍ଷ୍ୟ କରି

ହୀରକ ଝକମକରୁ ମରକତ

ଗୁଳି ବାହାରିବା ପରି ।୩।

 

ସୁନ୍ଦର ବନ୍ଧୁକ ଅଧରେ

ମଧୁର କୁନ୍ଦମନ୍ଦହାସ ଧରି

ରସବତୀ ଗଣେ ଗରଳ ପୀୟୂଷ

ରସ ବୋଳିଦେଲା ପରି ।୪।

 

ହଜାଇଣ ଜାତି କୁଳ ସତୀରୀତି

ବିବେକ, ମତି, ଚାତୁରୀ

ପରିଣତ ବିମ୍ୱ-ଅଧରାଙ୍କ ଦମ୍ଭ

ତରୁ ଛେଦିଦେଲା ପରି ।୫।

 

ଶ୍ରୀହରିଚନ୍ଦନ କହଇ ନବୀନ

ରସାଳସା ନେତ୍ରେ ହରି

ଅଳପ ଯତନେ ପୀରତି ରଚନେ

କିଣି ପକାଇଲା ପରି ।୬।

 

(୯୪)

ରାଗ—କାମୋଦୀ—ଆଠତାଳୀ

 

ଚାହିଁଲା ରେ, ମନ ମୋହିଲା ରେ ।ପଦ।

ଜଳଖେଳା-ଶଫରୀ—

ନୟନା ସୁନାଗୋରୀ

ସତେ ମହେନ୍ଦ୍ର ଶୀରି—

ମୋତେ ଯାଚିଲା ପରି ।୧।

 

ଆଜ କି ତପବଳେ-ଜଳବାହୁଡ଼ା ବେଳେ

ପ୍ରିୟ ସଖାଙ୍କ ମେଳେ—

ବିରାଜି କି ଚପଳେ ।୨।

 

ପରବ ସମୁଦିତ—ଶତ ମୟୁଖଜିତ—

ମୁଖେ କି ମନ୍ଦସ୍ମିତ—

ମଣ୍ଡି ମୋ ପ୍ରାଣମିତ ।୩।

 

ମଦନ ମୁଖେ କାଳି—

ଦେବାକୁ ନିକି ଭାଳି

ମୋ ଗଳା ମଣିମାଳି—

କୃପା ଅପାଙ୍ଗ ଢାଳି ।୪।

 

ବିରଞ୍ଚିଲେ ଶ୍ରୀହରିଚନ୍ଦନ ଶ୍ରୀକିଶୋରୀ

ବ୍ରଜନବରେ ହରି—

ହୟଙ୍କୁ ଫେରି ଫେରି ।୫।

 

(୯୫)

ରାଗ—କାମୋଦୀ

 

ଚାହିଁବୁ ଯେବେ ଶ୍ୟାମ ଦ୍ୟୁତିକି ରେ,

କାହିଁ ହଜାଇ ଦେବୁ ମତିକି ରେ ।

ନାହିଁ ବୋଲିବା କଥା, ଜାଣିବୁ କି ସର୍ବଥା,

ଆଉ କି ସମ୍ଭାଳିବୁ ଧୃତିକି ରେ । ଘୋଷା ।

ଏ ନଗରେ ଏଣିକି, ଭ୍ରମେ ଚୁମ୍ୱିବ ନିକି,

‘ସତୀ’ ଏ ଦୁଇ ବର୍ଣ୍ଣ ଶ୍ରୁତିକି ରେ,

ସତେ ପ୍ରାଣମିତରେ ତା ସେବାରୁ

ଇତରେ ଯୁବତୀଜନମକୁ ଗତିକି ରେ ।୧।

 

ଯେବେ ସେ ହେବ କୋଳେ, କଳାବତୀ ମଣ୍ଡଳେ,

ନ ଟେକିବୁ କି ଶ୍ୱେତ ଛତିକି ରେ,

ଚୁମ୍ୱିଲେ ତା ବଦନ-କଞ୍ଜଟି ଗୁରୁଜନ

ଗଞ୍ଜନ ଲଭିଲେହେଁ କ୍ଷତି କି ରେ ।୨।

 

ଭବନ ମଣି ବିଷ, ସେ ନବ ଯୁବା ପାଶ,

ରବିନନ୍ଦନାତୀର କ୍ଷିତିକି ରେ,

କି ସୁଖ ଇନ୍ଦ୍ର ଅଙ୍କେ, ନନ୍ଦନରେ ନିଃଶଙ୍କେ

ଆରୋହିଲେ ଅଭ୍ରମୁପତିକି ରେ ।୩।

 

ଅବା ତା ପଥେ ଯିବା, ଜାଣି କଳପି ଥିବା,

ତା ପଛେ ଯେତେ ପରାଭୂତିକି ରେ,

ମୋହନସ୍ମିତ ଅବଲୋକେ ପାସୋର ଯିବ

ନ ଆଚରିବ କି ବିନତିକି ରେ ।୪।

 

ଶୁଣି ଶ୍ରୀଠାକୁରାଣୀ, ଚିତ୍ର ମଣିଲେ ଜାଣି,

ନ ଥିଲାପରି ହରିପ୍ରୀତିକି ରେ,

ସେ କାଳେ ଦୁଇ ସଖୀ, କୃପା କଲେ ସୁମୁଖୀ,

ମୁକୁନ୍ଦଦେବ ଗଜପତିକି ରେ ।୫।

 

(୯୫) ରବିନନ୍ଦନା—ଯମୁନା, ଅଭ୍ରମୁପତି—ଐରାବତ ହାତୀ

 

(୯୬)

ଶଙ୍କରା ଭରଣ—ଆଠତାଳି

 

ଚିତ୍ତକୁ ଯେବେ ପାଇଲା କର,

ହିତକୁ ସିନା କହୁଛି ଚାକର ।୦।

 

ତନୁ ଚୀନ ଚେଳ ଯାହା ସମାନ,

ଅନୁଚିତ ତାହାଠାରେ ଗୁମାନ ।୧।

 

ଖଳ କୁଗିର ଗଉରବେ ରସି,

ତଳକୁ ହୋଇବାର ମୁଖଶଶୀ ।୨।

 

କାହିଁ କି ଶୁଣି କିସ ଆଭାଷିଲା,

କାହିଁକିଟି ଏତେ କଥା ଆସିଲା ।୩।

 

ଖଞ୍ଜନ ମଞ୍ଜୁଳ ନେତ୍ରୁ ନିବାର,

ଅଞ୍ଜନ ମିଶା ଅଶ୍ରୁ ବହିବାର ।୪।

 

ନ ଧର ରେ ରସ କଳପଲତା,

ଅଧର ପାନ ଦାନ କୃପଣତା ।୫।

 

ଶ୍ରୀ ହରି ବିନୟେ କିଶୋରୀ ତୋଷେ,

ବିହରିଲେ ହରିଚନ୍ଦନ ଭାଷେ ।୬।

 

(୯୭)

ରାଗ—ଖମ୍ୱାଜ—ଝୁଲା

 

ଜଗତ କରତା ନାଥ ମିଛେ ହରି ବୋଲାଇଛ

ଅନ୍ତରେ କପଟ ରଖି କ୍ଷିତିରେ ଦାତା ହୋଇଛ ।ପଦ।

ଦେଲ ଯାହା ନେଲ ତାହା—ନ ଜାଣ କି ଚଉବାହା !

ଏଥକୁ ଭାର୍ଗବୀନାହା, ପତାକା ଯା ଉଡ଼ାଇଛ ।୧।

 

ବଳୀରାଜା ଦାନକାଳେ—ତାକୁ ଚାପିଲ ପାତାଳେ

ଗୋପେ ସୁଦାମାକୁ ବଳେ ଅଇଶ୍ଚର୍ଯ୍ୟ ଦିଆଇଛ ।୨।

 

ଗୋପୀଙ୍କ ବସ୍ତ୍ର ଗୋକୁଳେ—ଚୋରିକଲ ଆବହେଳେ

ଦୌପଦୀ ଆତଙ୍କ କାଳେ, କୋଟି ବସ୍ତ୍ର ଦିଆଇଛ ।୩।

 

ଶୁକ୍ର ମନ୍ତ୍ରୀ ନେତ୍ରେ କୁଶ—ମାରି ଲଭିବାର ଯଶ

ଧୂଳିଖେଳେ ପୀତବାସ, ଅନ୍ଧେ ଲୋଚନ ଦେଇଛ ।୪।

 

କଂସର ଯେ କୁବଳୟା—ତା’ଠାରେ କରିଣ ମାୟା

ଗଜକୁ କରିଣ ଦୟା, ଚକ୍ରେ କୁମ୍ଭୀର ହାଣିଛ ।୫।

 

ହୃଦୟ ବଡ଼ କଠିନ—କମଠ ପୃଷ୍ଠରୁ ଟାଣ

ବଳଦେବକୁ କଷଣ, ଭୂଜତଳେ ରୁହାଇଛ ।୬।

 

(୯୮)

ପୂରବୀ ଏକତାଳି

 

ଜଣାଗଲା ତୋ ମରଜି ବୀଣାଜିଣା-ବାଣୀ ରେ । ଘୋଷା ।

ସଙ୍ଗିନୀଙ୍କ ସଙ୍ଗେ ସ୍ନେହ ଫିଙ୍ଗିଦେଇ ପାଣିରେ

ତନାବି ନଜିକେ ଆଚରିଲୁ ଯା ପଛାଣି ରେ ।୧।

 

କେତେ କଳ୍ପେ ଧାତା ତୋତେ ଅଛିଟି ନିର୍ମାଣି ରେ

ଲେଖା ତୁ ସୁରେଖା ଏକା ରସିକା ସିହାଣୀରେ ।୨।

 

ପାଉଁଜି-ମଞ୍ଜିର ପଦାଙ୍ଗଜ ରବ ଠାଣିରେ

ବଜାଇଲୁ ଯା ବିଜୟଡ଼ିଣ୍ଡିମ ନିଶାଣି ରେ ।୩।

 

ମହିଳା ମହେନ୍ଦ୍ରଭୂତି ଦେଲୁ ମୋର ହାଣି ରେ

ସରସ ସ୍ମର-ସମର ସମର୍ଥ ଚାହାଣି ରେ ।୪।

 

ବୋଲେ ହରିଚନ୍ଦନ ଭୂ-ପୂରନ୍ଦରମଣି ରେ

ଯଦୁମଣି ବାଣୀ ବଶ ହେଲେ ଠାକୁରାଣି ରେ ।୫।

 

(୯୯)

Unknown

ରାଗ—ରେଗୁପ୍ତ, ତାଳ ଆଠତାଳି

 

ଜଣାଥିଲା କି ମୋତେ ଏ ରୀତି ଗୋ,

ଛଣାସୁଧା ସରପଣାରୁ ମଧୁର ଲାଗୁଥିଲା

ଶ୍ୟାମପ୍ରୀତି ଗୋ । ଘୋଷା ।

ଲୁଣି ମଣିଲିଣି ମଧୁଝରକୁ,

ଶୁଣି ତା ବିଷମ ବଂଶୀସ୍ୱରକୁ,

କି ବାଇ ହୋଇଲି ନିଭାଇବି

ବୋଲି ସ୍ମର-ଧନଞ୍ଜୟ-ହେତି ଗୋ ।୧।

 

ମହୀତଳେ ଯେତେ ଧୂର୍ତ୍ତ ପୁରୁଷେ,

ସହି ସବୁରି ପରମଗୁରୁ ସେ;

ଦୂରୁ ସେ ସ୍ନେହକୁ ଜୁହାରି ମୁ ହାରି

ରହିଅଛି ଲଭି ଭୀତି ଗୋ ।୨।

 

ତାରତମ୍ୟ ସେ ନ ଜାଣେ ନିପଟ,

ତାର ତନୁ ଗୋଟିଯାକ କପଟ,

କଳାବତୀକୁଳ ମାରଣେ

କେବଳ କରିଅଛି ପରିଚିତି ଗୋ ।୩।

 

ଆସିବି ମୁଁ ବୋଲି ଦେଇ ଭାଷାକୁ,

ବାସି କଲା ଯେ ମୋ ଫୁଲଭୂଷାକୁ,

ତୁ ହେଲେ ପହିଲୁ ଥରେ ନ କହିଲୁ

ସେ କିତବର ଅନୀତି ଗୋ ।୪।

 

ନିଚୋଳରେ ହେଲାନି ମୋ ଅରୁଚି,

ପୀତପଟ ସେ କାହିଁକି ଧରୁଛି,

ତାହାରି ସଦୃଶ ପିନ୍ଧୁଥାଉ ବାସ

ଯା ତୁଲେ ମାତୁଛି ନିତି ଗୋ ।୫।

 

ଶୁଣି ଏପରି ସନ୍ତୋଷ ଗିରକୁ,

ନିଜ ନୟନେ ଥକାଇ ନୀରକୁ,

ଆଳି ପ୍ରବୋଧିଲେ କିଶୋରୀକି ବୋଲେ

ଅଷ୍ଟଦୁର୍ଗ ଧରାପତି ଗୋ ।୬।

(୯୯) ସ୍ମରଧନଞ୍ଜୟହେତି—କନ୍ଦର୍ପ ରୂପ ଅଗ୍ନିର ଶିଖା, ପରିଚିତି—ପରିଚୟ,କିତବ—କପଟୀ, ନିଚୋଳ—ପ୍ରଚ୍ଛଦପଟ, ଘୋଡ଼ିହେବା ଲୁଗା; ଆଳି—ସଖୀ

 

(୧୦୦)

ରାଗ—ଭାଟିଆରି

 

ଜବାଧରା, ରାଜ ଭଟ-ହାତେ ପଛେ ଯିବା ଧରା ରେ ।

ରସି ରସେ ଯଶ ରଖିଯିବା ଧରାରେ ।୦।

 

କର ନାନା କେଳି ମିଳି ରାସେ

ଡରନା ଗୁରୁଜନକୁ ଲେଶେ

ବରନାଗରି, ଯା, କରନା ମନା

ସୁଲଭ ତୋ ବିଭ୍ରମ ପରକାଶେ ।୧।

 

ବଜାର ମଧ୍ୟରେ ଜନ ଗାଉ

ରଜାର ସମାଜେ ପଡ଼ିଯାଉ

ହଜାର ଆକଟ ହେଲେ ବି ପ୍ରକଟ

କରିବା, ଡରିବା ନାହିଁ ଆଉ ।୨।

 

ଅଦକ୍ଷ ତ ନୋହି ଯାଉ ଦେଖା

ରଦକ୍ଷତ ନଖଶିଖରେଖା

ଭୁଲାଇ ବଚନେ ତୁଲାଇ ଦେବାର

ଲେଖିଅଛି ଦୁଇ ଭାଲେ ଲେଖା ।୩।

 

ତଳପ ସଙ୍ଗମ ବେଳେ ତୋର

କଳ ପଦାମୃତ ଜରଜର

ଜଳପ ଅଳପ ଶୁଣିଲେ ମଣନ୍ତି

ବଳପର ସମ୍ପତ୍ତିକି ଛାର ।୪।

 

ରାଜାଧିପୟକୁ ଖୁଣିବାକୁ

ବାଜାବୃନ୍ଦ ନିନ୍ଦା ଭଣିବାକୁ

ଖଞ୍ଜ ରଖିଅଛି ଶ୍ରୁତିକି ତୋ ପଦ

ମଞ୍ଜୀର ଶିଞ୍ଜିତ ଶୁଣିବାକୁ ।୫।

 

ଏପରି ନିଶି ପ୍ରସରି ବଂଶୀନିନାଦ-

ଭୁଜଙ୍ଗୀ ଦେଲା ବଂଶୀ

ଅଷ୍ଟଦୁର୍ଗ ନେତା ବୋଲେ ହତଚେତା

ହେଲେ ଗତିଜିତ କଳହଂସୀ ।୬।

 

(୧୦୦) ରାଜଭଟ—ରାଜଉଆସର ଦ୍ୱାରପାଳ,ସମାଜେ—ସଭାରେ¸ରଦକ୍ଷତ—ଦାନ୍ତଚିହ୍ନ, ନଖଶିଖରେଖା—ନଖାଗ୍ରର ଚିହ୍ନ, ତଳପ—ଶେଯ,ଜଳପ—କଥା, ବଳପ—ଇନ୍ଦ୍ର,,ରାଜାଧିପୟ—ଗଙ୍ଗା ¸ଖୁଣିବା—ନିନ୍ଦିବା, ଶ୍ରୁତିକି—କାନକୁ,ଶିଞ୍ଜିତ—ଧ୍ୱନୀଲ, ବଂଶୀନିନାଦ; ଭୁଜଙ୍ଗି—ବଂଶୀଧ୍ୱନି ରୂପକ ସର୍ପିଣୀ,

 

(୧୦୧)

 

ଜବାଧରୀ, ଯିବା ଆସ ତାଙ୍କୁ ଅନୁସରି । ଘୋଷା ।

ଜପୁଥିବା କେତେ ଶିବନାମ ବସି

ଜୀବ ଯିବାଭଳି ହେଲୁଣି ତ ଦିଶି

ଜଳପିବା ବଳ ନାହିଁ କଳଭାଷୀ

ଯାଉ ପଛେ ମାନ ସରି ରେ ।୧।

 

ଜାଣି ଜାଣି ଶ୍ୟାମପ୍ରେମ-ଜଳଧିରେ

ଯେତେ ଉପଚାର କଲେ ହେଁ ସଧୀରେ

ଜାଣୁ ଜାଣୁ ଅବଗାହନ ବିଧିରେ

ଯିବ ବେଦନା କିପରି ରେ ।୨।

 

ଜଳ ସିଞ୍ଚି ତଳେ ପଲ୍ଲବ ତଳପେ

ଜାଈଦଳେ ବିଞ୍ଚି ପହୁଡ଼ିଲେ ଆପେ

ଜାଣୁଚୁ ତା ଜୀବ ଯିବାର କି ରୂପେ

ଜମ୍ୱୁନଦସାର ଗୋରୀ ରେ ।୩।

 

ଜାତ କରେ ସ୍ପଷ୍ଟ କର୍ପୂର ଚନ୍ଦନ

ଜଳଜ-ଜଳକୁ ପକାଇବା ଆଣ

ଜନମିବ ତହୁଁ ରସ ବିଲକ୍ଷଣ

ବଳିବ ଦେଖ କିପରି ରେ ।୪।

 

ଜୀବ ଥିଲେ ସିନା କରିବି ଗୁମାନ

ଯାଉଛୁ ତ ସରି ହୋଇ ହୀନମାନ

ଯାହା ଦିଶିଲାଣି ଚନ୍ଦ୍ରମାବଦନ

ଜାଣେ ଦରପଣ ଧରି ରେ ।୫।

 

ଜଳଜ-ବାନ୍ଧବ-ନନ୍ଦନା ତଟରେ

ଜମ୍ଭାଳି ନୀଳ ନିଉଛାଳି ଖଟରେ

ଜମିଆସେ ଯେହୁ ରାତି ପ୍ରକଟରେ

ଜଗଦ୍ଦେବ ବୋଲ କରି ରେ ।୬।

 

(୧୦୨)

କୋଳାହଳ—ଆଠତାଳି

 

ଜାଣି ନାହିଁ କି ମୁଁ ଶ୍ୟାମ-ସ୍ନେହ ଗୋ ।। ଘୋଷା ।।

ଆଉ କି ଜଣାଥିଲେ            କହ ଶୁଣିବି ଭଲେ

ତା’ ଚରିତ ମୋ ଆଗେ ନ କହ ଗୋ ।୧।

 

ଏଥର ମିଶି ସହି !            ନ’ଥର ସହି ସହି

ପଥର କରିଛି ମୁଁ ଏ ଦେହ ଗୋ ।୨।

 

ମୃଦୁ ଗିରେ ମଣାଇଁ            ବଳିଆଇ ଜଣାଇଁ

କ୍ରୋଧାନଳେ ମୋ ହୃଦ ନ ଦହ ଗୋ ।୩।

 

ରଚୁଥିଲେ ତା’ ପ୍ରୀତି            ସେ ସୁଖ, ସେ ବିପତ୍ତି

ତୁହି ଭୋଗ କର, ତୁହି ସହ ଗୋ ।୪।

 

କେତେ ଯତନ କରି            କଦନ-ନଦୀ ତରି

ଅଛି ମୁଁ ବରଜି ମହାମୋହ ଗୋ ।୫।

 

ଅଛି କି ତାହା ଦତ୍ତ            ନଖକ୍ଷତ ରହିତ

ଏ ନଗରେ ନାଗରୀ ନିବହ ଗୋ ।୬।

 

କଳା କିଶୋର ପ୍ରେମ            ହିମାନିଠାରୁ ହିମ

ପ୍ରଳୟାନଳରୁ ଡହ ଡହ ଗୋ ।୭।

 

ଅଷ୍ଟଦୁର୍ଗେଶ ଭାଷେ            ଶୁଣି ଲଳିତା ହସେ

କହିଲେ ମୋ ସଖୀ ଦୁଃଖୀ ନୁହ ଗୋ ।୮।

 

(୧୦୩)

ଖମାଚ—ଏକତାଳି

 

ଜାଣିଲି ଠିକ ପିକବାଣୀ ରେ ! ତୋ ବିବେକଠାଣି

ଏ ଚାହାଣୀରୁ ଆଜ ରେ । ଘୋଷା ।

ଦେଖି ଭଲେ ମୋ ନେତ୍ର ହୋଇଯାଉ ପବିତ୍ର

ଅବା ନବୀନା ବିନା ଲାଜରେ ।୧।

 

ଧନରେ ! ଧନ୍ୟ ଧନ୍ୟ ତୋ ଶ୍ରୀମୁଖ-ଲାବଣ୍ୟ

ନାହିଁ ଶାରଦ ଦ୍ୱିଜରାଜରେ ।୨।

 

ମୋତେ ଅବଲୋକନ ଦେବାକୁ ଏ ବିଧାନ

ନିକୁଞ୍ଜ ଆଗମନ ବ୍ୟାଜରେ ।୩।

 

ଭେଟ ତ ମୁଁ ହେଲିଣି ଆଉ ଦୂତୀଙ୍କି ଘେନି

କି ଫଳ ଆପେ ତୁ ନିଆଜ ରେ ।୪।

 

ମୁଁ କରିବା ସେବାରେ ସମ୍ମତି କରିବାରେ

ମାର ବାରଣ ତେଜ ସାଜ ରେ ।୫।

 

ଏ ଅଷ୍ଟଦୁର୍ଗନାଥ ସୁବିତ୍ତ ମନୋରଥ

ଭରି ଦୁଷ୍ଟ ଦଶାକୁ ମାଜ ରେ ।୬।

 

(୧୦୪)

ପୁରବୀ—ଆଠତାଳି

 

ଜୀବସଙ୍ଗିନୀ ରେ ଯହିଁ ରିପୁ ଫୁଲଚାପ—

ନାହାର ବାହାର ବାହାରେ କାହାର

ଯତନ ଏ ତନୁତାପ ।ପଦ।

ଚୁମ୍ୱାଇ ବଦନେ ପ୍ରତିଚୁମ୍ୱଦାନେ

ନ ଚୁମ୍ୱି ପ୍ରିୟ ଶ୍ରୀମୁଖ

ଗଲାନି ଭଲା ନିତମ୍ୱନୀ ମଣିରେ

କହ ତ କାହାର ଦୁଃଖ ।୧।

 

ଜାଣୁ ତ ବଣାମୃଗାକ୍ଷୀ ଏ ବୟସେ

ସାକ୍ଷୀ ଏ ମନକୁ ମନ

ରତିବନ୍ଧୁ ବିନା ବଞ୍ଚିବ ନବୀନା

କି ରୂପେ ଯାମିନୀ ଦିନ ।୨।

 

ଚନ୍ଦ୍ରିକା ଚନ୍ଦନ ଚନ୍ଦ୍ରପରାଗରୁ

ଜାଣି ଯାହାର ଅଭେଦ

ସେ ରମଣ ଛାତି ଶୀଳ ସୁପାତିର

ବିନା କି ଲାଗଇ ନିଦ ।୩।

 

ଯାହା ଚାଟୁରୁଚି ଘେନୁଥିଲେ

ଲୁଚି ଯାଉଥାଏ ଶଶୀ ଶିରି

ତହିଁମାନେ ହଟି କାହିଁକି ଗଲାଟି

ବସୁଧା ଚରମ ଚିରି ।୪।

 

ଗଣ୍ଡ ଲଦି ସ୍ତନ ତକିଆରେ

ଘନଶ୍ୟାମ ପହୁଡ଼ିବେ ନାହିଁ

ବରଜିଣ ତାଙ୍କୁ ଆମ୍ଭ ଜୀଇବାକୁ

ଉପାୟ ଅଛି କି ନାହିଁ ।୫।

 

ଚାଲୁଁ କେଳି ନିକୁଞ୍ଜକୁ ଶ୍ରୀମତୀଙ୍କି

ସଖୀ କହିବାର ସ୍ନେହେ

ବାଲୁକେଶ ରଣରଣ ଅଷ୍ଟଦୁର୍ଗ

ଭୂନାଥ ପ୍ରିୟକୁ କହେ ।୬।

 

(୧୦୫)

ବିଳାହାରି—ଆଠତାଳି

 

ଠକଙ୍କ ରୀତିଙ୍କି ଛାଡ଼ ହେ ଶଠ,

ଠଉରାଇଲୁଁ ତୁମ୍ଭ ପଢ଼ା ପାଠ ।୧।

 

ଠରାରେ ଦେଖାଇ ଯମୂନା ତୁଠ

ଠକି ତ ରଖିଲନି ଥର ଆଠ ।୨।

 

ଠ-ବରତୁଳ ଚନ୍ଦ୍ରାନନ ଓଠ

ଠଣ ତ ଲାଗିଲାନି ବଡ଼ ମିଠ ।୩।

 

ଠ-ନେତ୍ର ହୋଇଥିବାରୁ ଗରିଷ୍ଠ

ଠକାଇଲେ ଜଗଦ୍ଦେବ ସପଠ ।୪।

 

(୧୦୬)

ରାଗ—କାମୋଦି, ତାଳ—ଆଦି

 

ତଣ୍ଟାରେ ଜାଣି ଜାଣି ପଡ଼ିଲି ରେ !

ଘଣ୍ଟା ପଥକୁ ଯା’ ଛାଡ଼ିଲି ରେ !

କଣ୍ଟା ନିରୁଦ୍ଧ ଘାଟୀ ସଞ୍ଚାରୀ କ୍ଳେଶ ଧାଟୀ

ବଣ୍ଟା ନେବି ମୁଁ ବୋଲି ଅଡ଼ିଲି ରେ ! ।୦।

 

ମରିଚ, ଘନସାର, ଉତ୍ପଳ, କ୍ଷୀର-ସର ବିନା ତ

ପିଚୁମର୍ଦ ଲୋଡ଼ିଲି ରେ !

ଅଟ୍ଟ କୁଟ୍ଟିମ ମୂର୍ଦ୍ଧ ସ୍ଥଳ ଖେଳ ସଂଶ୍ରଦ୍ଧ ନୋହି

ଦୁର୍ଗନ୍ଧ ଗାଡ଼େ ବୁଡ଼ିଲି ରେ ।୧।

 

ଜମ୍ଭାରାତି ପ୍ରେରିତ ଦମ୍ଭୋଳି ଦୃଢ଼ାଘାତ ବଞ୍ଚାଇବାକୁ

ଛାତି ଆଡ଼ିଲି ରେ !

ସମ୍ଭାଳିବାକୁ ଦଳ ନ ଥିବାରୁ କେବଳ କର ତଳେ

କପାଳ ତାଡ଼ିଲି ରେ ! ୨।

 

ଦେବ ପ୍ରାସାଦ ମତି ଜନମିବାରୁ ନିତି ବଲ୍ମୀକ ଦେଖି

କର ଯୋଡ଼ିଲି ରେ !

କର୍ମ୍ମଠ ଧର୍ମଦକ୍ଷ ସାକ୍ଷାତେ ରାଜଶିଖ ନିତ୍ୟ ନିବାସ

ବେଶ୍ମୁଁ କାଢ଼ିଲି ରେ ! ୩।

 

ହଂସୁଲି ତୁଳ ତଳ୍ପ ପାସୋରି ଦେଇ

ଅଳ୍ପ ଲୋକଙ୍କ ପରି ତଳେ ଗଡ଼ିଲି ରେ !

ରାଧା ରମଣ ଘନଶ୍ୟାମ ବୋଲିବା

ଜନ ଦେଖି ସକ୍ରୋଧେ ଦନ୍ତ

ଭିଡ଼ିଲି ରେ ।୪।

 

ସମ୍ଭାଷଣ ନ କଲି ‘ରମ୍ଭା’ ସଦୃଶ ବଲ୍ଲୀ ଦେହାକୁ ଦୂରୁଁ

କ୍ରୋଧେ ଛାଡ଼ିଲି ରେ !

ଚାଟୁ ଗିରେ ଆଶ୍ୱାସି ଜରତୀ ବହିର୍ଦାସୀମାନଙ୍କ

ଅଙ୍କ ସ୍ଥଳେ ଜଡ଼ିଲି ରେ ।୫।

 

ବନ୍ଧୁ କ୍ଷମାସରସୀ ହେବ ଅନ୍ୟାଭିଳାସୀ ମୁଁ ଅରଣ୍ୟରେ

ପଶି ରଡ଼ିଲି ରେ !

କହେ କବି ଅର୍ଯ୍ୟମା ‘‘ମୁଁ ଦୋଷ କଲେ କ୍ଷମା ଦେବ

କି ନାହିଁ ? ବୋଲି ବିଡ଼ିଲି ରେ ।୬।

 

(୧୦୬) ତଣ୍ଟାରେ—ସଂକଟରେ, ଘଣ୍ଟା ପଥ—ଭଲ ରାସ୍ତା, କ୍ଳେଶ ଧାଟୀ—କଷ୍ଟକର ଧାଡ଼ି, ଘନସାର—କର୍ପୁର, ପିଚୁମର୍ଦ୍ଦ—ନିମ୍ବ, ଅଟ୍ଟ କୁଟ୍ଟିମ ମୂର୍ଦ୍ଧ ସ୍ଥଳ—ମଣି ଖଚିତ ଉଚ୍ଚ ଅଟ୍ଟାଳିକା ଥିବା ସ୍ଥାନ, ଗାଡ଼େ—ଖାତରେ, ଜମ୍ଭାରତି—ଇନ୍ଦ୍ର, ଦମ୍ଭୋଳି—ବଜ୍ର, ଆଡ଼ିଲି—ପତାଇ ଦେଲି, ବଲ୍ଲୀକ—ଉଇ ହୁଙ୍କା, ରାଜଶିଖ—ସମ୍ରାଟ ¸ ବେଶ୍ମୁଁ—ଗୃହରୁ, ହଂସୁଲି ତୁଳି ତଳ୍ପ—କଅଁଳ ତୁଳା ଶେଯ,ଦନ୍ତ ଭିଡ଼ିଲି—ଦାନ୍ତ କଡ଼ମଡ଼ କଲି, ଜରତୀ—ବୁଢ଼ୀ, କ୍ଷମାସରସୀ—କ୍ଷମା କରିବାରେ ପୁଷ୍କରଣୀ ଭଲି ଉଦାର, କବି-ଅର୍ଯ୍ୟମା—କବିସୂର୍ଯ୍ୟ,ବଡ଼ିଲି—ପରିକ୍ଷା କଲି ।

 

(୧୦୭)

କେଦାର—ଏକତାଳି

ତମାଳନୀଳକେଶା ଗୁମାନେ ରହନା ରେ । ଘୋଷା।

ପରଦସୁଧା-କଳାକରବଦନ ବାଳା,

ନବ-ପଲ୍ଲବ କରେ ବହନା ରେ ।୧।

ତୁ ମୋତେ ଦେବା ଶିରୀ ଦେଖି ସହି ନ ପାରି

କେ କିସ କହିଲାଟି ମୋହ ନାଁ ରେ ।୨।

ଯେତେ ଚାତୁରୀ-ହୀନ ହୋଇଥିଲା ହେଲେ ଜନ

ଜୀବନେ କରଇ କି କହନା ରେ ।୩।

ଦଳେ ଅଧରବିମ୍ବ-ଫଳେ ଯା ଦେଲି ଚୁମ୍ୱ

ଏହି ଦୋଷକୁ ରୋଷ ବହନା ରେ ।୪।

ଅହିତ ମାର ଦାଉ ସହି ନ ପାରେ ଆଉ

ଗଲା କଥା ତ ଗଲା ତୁ ଅନାଁ ରେ ।୫।

ଭଣିଲେ ଜଗଦ୍ଦେବ କହନ୍ତି ଶ୍ରୀକେଶବ

ନୋହିବା ପରି ଗୋରୀ କହନା ରେ ।୬।

 

(୧୦୮)

କାମୋଦୀ—ଆଠତାଳି

 

ତାକୁ ହୁଏ କି ଋଷି, ତମସ୍ଥମାଳ ସ୍ତୋମ

ସୁକେଶୀ ରେ । ଘୋଷା ।

ତିଳକ ତୁଳେ ତୁଳନା ଥାଇ

ନାହିଁ ମୂରତି ଯାହା ସଦୃଶି ରେ

ତନୁ ଗୋଟିକଯାକ ଜନ୍ମାଏ ପୁଲକ

କୁଳ ନାଶନ ଯା’ ବଂଶୀରେ ।୧।

 

ତପନ ଶିଶୁମଣ୍ଡଳୀ ପରି ଯାଉଁ

ଯା ଶିଖଣ୍ଡ ଚୂଡ଼ା ଦିଶି ରେ

ତରୁଣୀଙ୍କ ଶାଟୀ ପରିପାଟୀ

ଭିଡ଼ୁ ଭିଡ଼ୁ ପଡ଼େ ଖସି ରେ ।୨।

 

ତଟେ ଭାନୁଜାର ଶୋଭାମୃତ

ଯା’ର ବରଷନ୍ତେ ଲିସି ଲିସି ରେ

ତହିଁରେ ତରୁଣୀ ଶ୍ରେଣୀ ମନ ପୁଣି

ନ ଯାଇ ରହେ କି ମିଶି ରେ ।୩।

 

ତରଳ ମଞ୍ଜୁଳ ଚିତ୍ର ନେତ୍ରାଞ୍ଚଳ

ଅଳପ ଗଲେ ବିଳସି ରେ

ତକ୍ଷଣରେ ବିକି ନୋହିବ ବିବେକୀ

ହୋଇ କି ତେଡ଼େ ସାହସୀ ରେ ।୪।

 

ତର୍କିବ ତାହାରି ଧୃତିପଣୁ ହାରି

ହେଲେ ତା ଭଙ୍ଗୀ ସାରସୀରେ

ତାଳୁଯାଏ ମଜ୍ଜିଯାଇ ନ ସମଝି

କେ ମାନୀ ହେବ ଭରସି ରେ ।୫।

 

କଥା କହୁଥିବ ଶ୍ୟାମ, ପୁଣି ଥିବ

ମଥାପୋତି ଯୋଷା ବସି ରେ

ଚାହୁଁ ଚାହୁଁ ତାହା କ୍ରମ କହୁଥାଉ

କାହୁଁ କି ଗୁଡ଼ାଏ ଆସି ରେ ।୬।

 

ତରଣୀଜା ତୀରେ ତରୁଣୀ ଜାତିରେ

ନୋହିବ କେ ତାହା ଦାସୀ ରେ

ବସୁଦୁର୍ଗ ମହୀନାଥ କହେ ସହି

ହୋଇ ଏ ବ୍ରଜନିବାସୀ ରେ ।୭।

 

(୧୦୯)

କାଫି—ଏକତାଳି

 

ତା ମରଜି ଭରଜି ତୁ ତ ହେଉ ବଣା ରେ

ସେ କି କରିବ ଦୂତୀକି ଜଣାମଣା ରେ । ଘୋଷା ।

ତହୁଁ ଦିପତରୁହାରେ ପଞ୍ଚରୋପ ତରୁ ହାରେ

ଗଲେ ପଛେ ଯିବ ଉତ୍ତମାଙ୍ଗ ହଣା ରେ ।୧।

 

ଯିବ ବୋଲି ସେ ପଥରେ ଶତ ଶପଥରେ ଥରେ

ପିଇଲୁ ନି କି ତା ଗିର-ସରପଣା ରେ ।୨।

 

ଥିଲେ ହେଁ ପୂରିତ ରସ ମୋ ସଖୀ ପୀୟୂଷରସ

ଛୁଇଁବ କି ଛ’ଥର ନୋହିଲେ ଛଣା ରେ ।୩।

 

ତୁମ୍ଭେମାନେ ସିନା ନିଶୀ ଅଭିସାର-ରସେ ରସି

କରେ ରୁନ୍ଧିପାରେ ବିଷଧର ଫଣାରେ ।୪।

 

ବାଳା ଅଭିମାନ-ମନା ନୁହେ କାହାର ଅଧୀନା

ଲାଘବ ମୁଣ୍ଡରେ ଫରମାସେ ଠଣା ରେ ।୫।

 

ଛାଡ଼ି ସବୁ କପଟକୁ ବିଟ ମଣି ମୁକୁଟକୁ

ବାଳା ପଦଜଳଜ ତଳକୁ ଅଣା ରେ ।୬।

 

ବସୁ ଦୁର୍ଗନାଥ ବୋଲେ ଘନଶ୍ୟାମ ମନ ଥିଲେ

ଆସିଣ ଲାବଣ୍ୟଧନେ ହେଉ କିଣା ରେ ।୭।

 

(୧୧୦)

ରାଗ—କଳହଂସ କେଦାର

 

ତାର ଗିରେ କି ବିଶ୍ୱାସ, ତାର ସ୍ନେହେ କି ବିଶ୍ୱାସ,

ତାର ପରେ କି ବିଶ୍ୱାସ, ଯାର ଜାରବିଳାସ ଗୋ ।ପଦ।

ବୋଲେ ଶତ ଥର ଶପଥରେ

ମୋର ଆନେ ନାହିଁ ଅଭିଳାଷ,

ହୋଇଥାଏ ବୋଲି ଚନ୍ଦ୍ରାବଳୀ

କେଳିନିକୁଞ୍ଜ କୁସୁମବାସ ଗୋ ।୧।

 

ଦନ୍ତବାସେ ସତୀ ଯୁବତୀଙ୍କ ଜାତି

ନେବା ଭଙ୍ଗୀମିଶା ହାସ,

କଥାକୁ ଶାଶୁଙ୍କ ମଥାକୁ ଛୁଅଇଁ

ଏପରି ଯାହା ସାହସ ଗୋ ।୨।

 

ପ୍ରତି ରାତି ନାରୀମଣିତ ରମଣେତରେ ବଳାଏ ମୁହାଁସ

ପାଚେରୀ ଡେଇଁବା ଆପଦୁ ଯା

ପଦଜଳଜତଳ ପରାଗ ଗୋ ।୩।

 

ହୁଏ କେଡ଼େ ପ୍ରିୟ ଗିରେ ସବିନୟ

ପ୍ରକାଶି ମୋହନ ରସ,

ମୁରଲୀ ବଜାଇ ଡାକେ ଯହୁଁ

ଯାଇ-ଆଚରେ ବଡ଼ ନିରାଶ ଗୋ ।୪।

 

ମୁଁ ନଗର ଯୁବରାଜ ବୋଲି

ଅବଲେପରେ ବହେ ଉଲ୍ଲାସ,

ଯେ ପୁଣି କପଟେ ଲୁଚି ନଦୀତଟେ

ଲୁଟଇ ପାଲଟା ବାସ ଗୋ ।୫।

 

ତେବେ ହେଲେ ଏ କି ଚିତ୍ର ଧିକ

ତାର ଧନ ଜୀବନ ନିବାସ,

ଅଷ୍ଟଦୁର୍ଗପୁରନ୍ଦର ବୋଲେ

ଯାର ଗତି ନୁହେ ପୀତବାସ ।୬।

ଜାରବିଳାସ—ଉପପତି ରୂପେ ବିହାର, ଶପଥରେ—ରାଣରେ,ଦନ୍ତବାସ—ଅଧର, ମୁହାଁସ—ଅଭିମାନ, ରମଣେତରେ—ଅନ୍ୟ ପତିଠାରେ, ପାଦଜଳଜ—ପାଦପଦ୍ମ, ଅବଲେପ—ଗର୍ବ ।

 

(୧୧୧)

 

ତାର ସୁଆଗ ଗୋ, ନୂଆ ଗରଳରୁ ବଳେ

ଛୁଆ ଗଜପର            ସେ କୁଳ ଦ୍ୱୀପର

ତୁ ଆଗ କସି ଯା ବେଳେ

ଜମ୍ଭା ହିତ କର            ଦମ୍ଭୋଳି ପ୍ରକର

ସମ୍ଭାଳି ହୋଇବ କିଛି

ଜୃମ୍ଭାହୀନ ଶ୍ୟାମ            ନେତ୍ରାନ୍ତ ବିକ୍ରମ

ସ୍ମରଣ ପ୍ରାଣ ହରୁଛି ।୧।

 

ଭୂରୁ ଭଙ୍ଗି ତାର            ଦୂରୁ ବନିତାର

ଜୁରୁଛି ଧୃତି ପସରା

ଦ୍ୱିଖଣ୍ଡ କରୁଛି            ବିବେକକୁ ଯାହା

ଅଖଣ୍ଡ ଶିଖଣ୍ଡ ଝରା !।୨।

 

କରୀରଜା ଚୁମ୍ୱୁ            ଗାନ ରସେ ସର୍ବ

ଶରୀର ଭରେ ପୁଲକେ

ପିଇବ ଯେ ବଧୂ            ତା ଓଷ୍ଠ ବିଚ୍ଛେଦେ

ଜୀଇଁବଟି କିଏ ଲୋକେ ।୩।

 

ସ୍ମିତକୁ ଚାହିଁ ତା            ମୋହନ ମୂରଲୀ

ଗୀତକୁ ଶୁଣିଲେ କାନେ

ଉରୁ ଜଡ଼ିମାକୁ            ଚୁମ୍ୱିବ କଂପନ

ଗୁରୁଜନେ ଥିବା ସ୍ଥାନେ ।୪।

 

ଯେ ବାର ବାମା ସେ            ପାରିବ ତା ତୁଲେ

ହେବାର ଟାପରା ଟାହି

ରଖି ମନେ ତାକୁ            ଘାଣ୍ଟି ହୋଇବାରେ

ସଖୀ ମତେ ଲୋଡ଼ା ନାହିଁ ।୫।

 

ନିଶ୍ୱାସ ମାତ୍ରକ             ରହିଲା ଉତ୍ତାରୁ

ବିଶ୍ୱାସ ଜାଣି ନାହିଁ କି ?

ଯା ଶିବ କରିବେ            ହେବ ଜାଣୁ ଜାଣୁ

ଭାଷିବ ପ୍ରାଣୀ କାହିଁକି ।୬।

 

ପଲ୍ଲବ ତଳ୍ପେ            ପହୁଡ଼ି ଦୁଃଖେ ଏହା

ବଲ୍ଲବ ବାମା କହିଲେ

କଷ୍ଟ ଜାଣି ଦୁଃଖୀ            ହେଲେ ପ୍ରାଣ ସଖୀ

ଅଷ୍ଟଦୁର୍ଗ ନାଥ ବୋଲେ ।୭।

 

(୧୧୧) ଛୁଆ ଗଜପର—ସାନ ସିଂହ, ଦ୍ୱୀପର—ହାତୀର, ଦମ୍ଭୋଳି ପ୍ରକର—ବଜ୍ର ସମୂହ, ଜୃମ୍ଭା—ଆଳଖ, ଜୁରୁଛି—ଲୁଟି କରୁଛି, ଧୃତି—ଧୈର୍ଯ୍ୟ, କରୀରଜା—ବଂଶୀ, ଉରୁ—ଜଂଘ, ବଲ୍ଲବ ବାମା—ଗୋପାଳ ସ୍ତ୍ରୀ ।

 

(୧୧୨)

ରାଗ—କାମୋଦୀ

 

ତେଣ୍ଟାରେ ଜାଣି ଜାଣି ପଡ଼ିଲି ରେ,

ଘଣ୍ଟାରବ ପଥ ମୁଁ ଛାଡ଼ିଲି ରେ ।

କଣ୍ଟା ନିରୁଦ୍ଧ ଘାଟୀ, ସଞ୍ଚାର କ୍ଳେଶ-ଧାଟୀ,

ବଣ୍ଟା ନେବି ମୁଁ ବୋଲି ଅଡ଼ିଲି ରେ ।ପଦ।

 

ମରୀଚ ଘନସାର, ଉପଳ କ୍ଷୀର ସର,

ବିନା ତ ପିଚୁମର୍ଦ୍ଦ ଲୋଡ଼ିଲି ରେ,

ହଟ୍ଟକୁଟ୍ଟିମମୂର୍ଦ୍ଧ ସ୍ଥଳ-ଖେଳ-ସଂଶ୍ରଦ୍ଧ,

ନୋହି ଦୁର୍ଗନ୍ଧ ଗର୍ତ୍ତେ ବୁଡ଼ିଲି ରେ ।୧।

 

ଦେବପ୍ରାସାଦମତି ଜନମିବାରୁ ନିତି,

ବଲ୍ମୀକ ଦେଖି କର ଯୋଡ଼ିଲି ରେ

କର୍ମଠ ଧର୍ମଦକ୍ଷ ସାକ୍ଷର ବିପ୍ରମୁଖ୍ୟ

ନିତ୍ୟନିବାସ ବେଶ ପୋଡ଼ିଲି ରେ ।୨।

 

ଜମ୍ଭାହିତପ୍ରେରିତ ଦମ୍ଭୋଳି ଦୃଢ଼ାଘାତ

ବଞ୍ଚାଇବାକୁ ଛାତି ଆଡ଼ିଲି ରେ,

ସମ୍ଭାଳିବାକୁ ବଳ ନୋହିବାରୁ କେବଳ

କରତଳେ କପାଳ ତାଡ଼ିଲି ରେ ।୩।

 

ହଂସୁଲି ତୂଳିତଳ୍ପ ପାସୋରି ଦେଇ ଅଳ୍ପ

ଲୋକଙ୍କ ପରି ତଳେ ଗଡ଼ିଲି ରେ,

ରାଧାରମଣ ଘନଶ୍ୟାମ ବୋଲିବା ଜନ

ଦେଖି ସକ୍ରୋଧେ ଦନ୍ତ ଭିଡ଼ିଲି ରେ ।୪।

 

ସମ୍ଭାଷଣ ନ କଲି ରମ୍ଭସଦୃଶବଲ୍ଲୀଦେହାକୁ

ଦୂରୁଁ ଦେଖି ତଡ଼ିଲି ରେ,

ଚାବୁଗିରେ ଆଶ୍ୱାସି ଜରତି

ବହିର୍ଦାସୀମାନଙ୍କ ଅଙ୍କସ୍ଥଳେ ଜଡ଼ିଲି ରେ।୫।

 

ବନ୍ଧୁ କ୍ଷମାସରସୀ ହୋଇ ଅନ୍ୟାଭୀଳାଷୀ

ଅରଣ୍ୟରେ ପଶି ମୁଁ ରଡ଼ିଲି ରେ,

କହେ କବିଅର୍ଯ୍ୟମା ମୁଁ ଦୋଷ କଲେ କ୍ଷମା

ହେବ ନାହିଁ କି ବୋଲି ବିଡ଼ିଲି ରେ ।୭।

 

(୧୧୩)

ମୋହନା—ଆଡ଼ତାଳି

 

ତୁଚ୍ଛା କଥାକୁ ଆନ କାହିଁକି

ଏତେ ରେ ବନ୍ଧୁ ! କାହିଁକି ଏତେ ?

ମୋ ଛାର ସ୍ନେହୁ ସୁଖ ମୋର ହୋଇ କେତେ । ଘୋଷା।

ଧନ ହେ, ତୁମ୍ଭ ସ୍ନେହ—      ଧନେ କିଣା ଏ ଦେହ

ମୋ ଅଧିକୃତି ଏଥି ନାହିଁ କିଞ୍ଚିତେ ।୧।

 

ବ୍ରତବାସରେ ହେଲେ      ଆପଣ ଅଳି କଲେ

ସେବା ହାଜର ହେଉଥାଏ ନିରତେ ।୨।

 

X X X X ଅଙ୍ଗରାଗ, ଚନ୍ଦନ

ଏସବୁ ଜାଣ ପ୍ରାଣ ତୁମ୍ଭ ନିମିତ୍ତେ ।୩।

 

ଏତିକି ଏକା ହୁଡ଼            ଲାଜ ଲାଗଇ ବଡ଼

ହୋଇ ନ ପାରେ ତୁମ୍ଭ ପରି ଚରିତେ ।୪।

 

ଶୁଣି ଏ ରାଧାଗିର            ଚୁମ୍ୱିଲେ ଶ୍ରୀକିଶୋର

ଅଷ୍ଟଦୁର୍ଗ ଭୂବର ରଚିଲେ ଗୀତେ ।୫।

 

(୧୧୪)

ବେହାଗ—ଏକତାଳି

 

ତୁମ୍ଭେ ସିନା ପାର ଗୋ ରଜନୀ-ବିହାର

ମୋର ସେ ନଟକୂଟକୁ ଜୁହାର ଗୋ ।ପଦ।

ପରିଚୟ କରିଛ ଯଶୋଦାସୁତ ସଙ୍ଗରେ

ହରିଛ ଯମୁନାକୂଳେ କାଳ ନାନା ରଙ୍ଗରେ ।୧।

 

ଘର-ଜନ ଗରଜନ ପରିଭବ ସହିବ

ବରଜ ନଗରଜନ ବଦନ ନ ଚାହିଁବ ।୨।

 

ନୀରଜରୁ ନିରଜରୁ ଜରୁ ପ୍ରତି ପ୍ରତୀକେ

ସ୍ମରଜରୁ ସରିଯାଉଥିବ ନିତି ନିତି କେ ।୩।

 

ଆସିବେ ସେ ବୋଲି ଭୁଲି ଭାସି ଆଶା-ସାଗରେ

ବାସି ବେଶ ହେବାଯାଏ ବସିବାର ଜାଗରେ ।୪।

 

ବନ୍ଦେ ତରଳତା ଛାଡ଼ି ମନ୍ଦେତର ଆଦରେ

ବସୁଦୁର୍ଗ ବସୁନ୍ଧରାଧୀଶ ରାଧାପଦରେ ।୫।

 

(୧୧୫)

ପୁରିକଲ୍ୟାଣ—ଆଦିତାଳ

 

ଥରେ ଅନାଁ ରେ ମୋହନା ତେଜି ମାନ ।୦।

ଧନ ମୁଁ ସ୍ନେହରେ            ଜନମୁଁ ଦେହରେ

ଭଜି ନାହିଁଟି ତୋହରିଠାରୁ ଆନ ।୧।

 

ସୁଧାଗତ ରସ,            ମୁଁ ଧାତା ତରସ-

ମଣି ଲୋଡ଼େ ମୁଁ ତୋ ଦନ୍ତବାସ ପାନ ।୨।

 

ସରୁ ମଧ୍ୟା ମତେ,            ନ ରୁଚେ କିଞ୍ଚିତେ

ତୋ ବଚନ ବିନା ବେଣୁ ବୀଣା ଗାନ ।୩।

 

ଚାହିଁଲେ ତୋ ଗତି,            କାହିଁ ବୋଲେ ପ୍ରୀତି

ନ ଚାହେଁ ମୁଁ ଲୀଳାଳସ-ହଂସଯାନ ।୪।

 

ପିକଭାଷୀ ହସ,            ନ କର ନିରାଶ

ମୋହର ଅଛିଟି କୋଟି କୋଟି ଆନ ।୫।

 

ଶ୍ୟାମ ଚାଟୁଗିରେ,            କାମବଶେ ଧୀରେ

ହସି ରସେ ରାଧା ହେଲେ ସାବଧାନ ।୬।

 

ଅଷ୍ଟଦୁର୍ଗେଶ୍ୱର,            କଷ୍ଟ ପରିହର

କଲେ ଶ୍ରୀ କିଶୋର ବନି ସେ ବିତାନ ।୭।

 

(୧୧୬)

 

ଦିଅ ପଛେ ଗାଳି ରେ, ଦୁଃଖୀସଙ୍ଖାଳି ।୦।

ଅନେକ ଦିନରୁ ଆଶା ଅଛି ସମୁଲ୍ଲାସ

କନକଗଉରୀ ତୋର ସ୍ୱାଦୁ ରଦବାସ

ପୀୟୂଷ-ପାନରୁ କରିବାକୁ ତୃଷା ନାଶ

ପୂରି ଚିର ଅଭିଳାଷ ରେ ।୧।

 

ମନମଥ ଅମଳରେ ଘୁମାଇ ଘୁମାଇ

ସ୍ତନଘଟ ଯୁଗଳ ମୋ ଛାତିରେ ଜମାଇ

ଘନକୁନ୍ତଳା ତୋ କୃପାଧରକୁ କିମ୍ପାଇ

ମହାସୁଖ ଜନମାଇ ରେ ।୨।

 

ସହି ସହିପାରୁ ନାହିଁ ମୁଁ ମାର ବଡ଼ାଇ

ପ୍ରସରୁଛି ଯା ପ୍ରତାପ ପତାକା ଉଡ଼ାଇ

ରଣ ଧରଣୀରେ ତାକୁ ତା’କରୁ ଛଡ଼ାଇ

ଆଜ ଦେବା ଘଉଡ଼ାଇ ରେ ।୩।

 

ମୋ ସପତଟି ରେ ମନମୋହନ ମୂରତି

ରସବତୀ ଅଙ୍ଗେ କର ମୋ ଅଙ୍କ ଭରତି

ଥିଲେ ଏବେ ସମ୍ଭାଳିବା ପୀଡ଼ାରୁ ବରତି

କରି ସିନା ପୁଣି ରତି ରେ ।୪।

 

ମଦନମୋହନ ବାଣୀ ଶୁଣି ସବିଳାସେ

ବଦନ ନୁଆଁଇ ଲାଜ-ମିଶାମିଶି ହାସେ

ରଚିଲେ କିଶୋରୀ ସେ ସମୟ ତାପ ନାଶେ

ଅଷ୍ଟଦୁର୍ଗନାଥ ଭାଷେ ରେ ।୫।

 

(୧୧୭)

ରାଗ—ଦେଶାକ୍ଷ—ତ୍ରିପୁଟା

 

ଦିନେ ଦିନେ କାହିଁକି ରୁଷେ,

ଧନ ! ମନ ତେଡ଼େ ନାହିଁକି ରସେ । ଘୋଷା ।

 

ଅଭିନବ ଏ ଯଉବନ

ଦେହଛବି କୁସୁମ-ବନ

ଗୁଣଗଣମୟ କଦନ ଏଥିରେ

ତ ରୁଷା କ୍ଷଣେ ବରଷେ ।୧।

 

ଘେନିଛି ମୁଁ ମାନସେ ଏହା

ନୁହେଁ ନାରୀ ସେ ମୃଦୁଦେହା

ସେ ପରଶମଣି ମୁଁ ଲୁହା ମୁଁ ସୁନା

ବନିଛି ତା’ ରମ୍ୟରସେ ।୨।

 

କାମପ୍ରଦ ପ୍ରବାହେ ପଡ଼ି

ଦନ୍ତେ ଦନ୍ତ ଦୂକୁଳେ ଭିଡ଼ି

ଦେଇଥିବି ରଦନ ପୀଡ଼ି ବସିଲା

ଦିଶିଲା କି ଆଦରଶେ ।୩।

 

ପ୍ରିୟସଖୀ ଆଗେ ଏ ଗିର

କହେ ଅଷ୍ଟଦୁର୍ଗ ଭୂବର

ରମାରୀତି ବିଚାରି ମୋର

ମେରୁତୁଲ୍ୟ ଧୃତି ହୁଏ କି ରସେ ।୪।

 

(୧୧୮)

ରାଗ—କେଦାର—ଆଠତାଳି

 

ଦେଖ ଦେଖ ସଙ୍ଗାତ,

ନନ୍ଦନନ୍ଦନ ଚନ୍ଦନଯାତ ଲୋ ।ପଦ।

 

କି ମାନୁଛି ଦିବ୍ୟମୋତି ଝାଲରିଆ

ବିମାନମାନଙ୍କେ ରହି ଲୋ

ପଞ୍ଚ ମହାଜନେ ମଞ୍ଚମଣ୍ଡଳରେ

ପାପ ଦେଉଛନ୍ତି ଦହି ଲୋ ।୧।

 

ଚାହିଁ ଏ ମଦନମୋହନ ବଦନ

ଚନ୍ଦ୍ରଶୋଭାସୁଧା ଚାଖି ଲୋ

କୁଣ୍ଡଳୀମଣ୍ଡଳ ପ୍ରଭୁ ଆଖଣ୍ଡଳ

ଲୋଡ଼ୁଛନ୍ତି ଲକ୍ଷ ଆଖି ଲୋ ।୨।

 

ଅହିନାଥଙ୍କ ସହିତେ ଆସିଛନ୍ତି

ବହୁ ବିଷଧରଚୟ ଲୋ

କେ ସେ ଫଣାମଣି କେ ମଶାଲଶ୍ରେଣୀ

ହେଉନାହିଁ ପରିଚୟ ଲୋ ।୩।

 

ଗଉଦ ନ ବାଧି ବୋଲି ଶ୍ରୀଅଙ୍ଗକୁ

ଚଉଦ ଲୋକ ସହିତେ ଲୋ

ଅମରଙ୍କ ଶ୍ରେଣୀ ଚାମର ଆଢ଼େଣୀ

ଆଲଟ ଖଟନ୍ତି କେତେ ଲୋ ।୪।

 

ମାପ ଅଛି କି ଏ ସୁଷମା ରମାର

ଯା’ପରି ନୁହଇ ତିଳେ ଲୋ

ଯା’ ପାଦକଞ୍ଜ କଞ୍ଜସୁତ ବନ୍ଦେ

ସେ ଚାପରେ ଖେଳୁଛି ଜଳେ ଲୋ ।୫।

 

ନେବେ ମନ୍ଦିରକୁ ଏବେ ସୁନ୍ଦରକୁ

ସହି ସଙ୍ଗତେ ବୁଲାଇ ଲୋ

ଅଳ୍ପ ଯେବେ ହସିଦେବେ କେ ସୁକେଶୀ

ରହିବ ସତୀ ବୋଲାଇ ଲୋ ।୬।

 

ବାଜାରାଜି ତୁଲେ ବାଦ କରି ଗେଲେ

ଗରଜେ ସିନ୍ଧୁ ଅମନ୍ଦେ ଲୋ

ଅଷ୍ଟଦୁର୍ଗପତି କର ଯୋଡ଼ିଛନ୍ତି

ତଳେ କି ସୁନ୍ଦର ବନ୍ଦେ ଲୋ ।୭।

 

(୧୧୯)

ରାଗ—କାମୋଦୀ

 

ଦେବି ମୁଁ ପରାଣକୁ ବରଜି ଗୋ ।

ବୁଝ ତୁ ଥରେ ଶ୍ୟାମ ମରଜି ଗୋ ।

ପିଇ ଜୀଇବି ବୋଲି, କେତେ କଷ୍ଟରେ ଥିଲି,

ପୀୟୂଷ ରସପାନ ସରଜି ଗୋ;

ସହି ମୋତେ ନ ସହି, ପାରିଟି ତହିଁ ନେଇ,

କେ ଦେଲା କାଳକୂଟ ପରଜି ଗୋ ।୧।

 

ଧନଜୀବନଚୟ, ପ୍ରିୟ ବାନ୍ଧବ ଭୟ,

ଜାତି ମହତ୍ତ୍ୱ ଆଶା ବରଜି ଗୋ;

ସଜନି କୋଟିକାମ, ବିଗ୍ରହଜିଣା ଶ୍ୟାମ,

ସଙ୍ଗତେ ଥିଲି ପ୍ରେମ ଅରଜି ଗୋ ।୨।

 

ମୋ ତହୁଁ ରୂପବତୀ, କେଉଁ ବ୍ରଜଯୁବତୀ,

ଧନ୍ୟ ତା ପ୍ରୀତିରେ ସେ ଭରଜି ଗୋ;

ଫିଟାଇ ନେଲା ମନ, ମୋହଠାରୁ ମୋହନ,

ସୀଇଁବାଠାରେ ସ୍ମର ଦରଜି ଗୋ ।୩।

 

ଚଞ୍ଚଳ ବିଦ୍ୟୁଲ୍ଲେଖା, ସହିତେ ଦେଇ ଦେଖା,

ବିରହୀ ସମୁଦାୟ ତରଜି ଗୋ;

ଶ୍ରୀ ଜଗଦ୍ଦେବ ଦୁଃଖ, କହେ ସଜନି ଦେଖ,

ଘୋଟି ଆସୁଛି ଘନ ଗରଜି ଗୋ ।୪।

 

(୧୨୦)

ରାଗ—କେଦାର—ଆଦିତାଳ

 

ଦୁର୍ବାଦଳ ଶ୍ୟାମ ହେ,

ଦୁର୍ବାଦ ଲଭିବାକୁ କି ଏସବୁ ଉଦ୍ୟମ ହେ ।୦।

ଜଗାଇ ରଖିଲ ନିଶୀଥିନୀ ତିନି ଯାମ ହେ

ଭଗାରି ହସାଇ ଦେଇ ତୁମ୍ଭେ କି ଉଦ୍ଦାମ ହେ ।୧।

 

ଭେଶହାସୀ ବେଶବାସୀ କରାଇବା କ୍ରମ ହେ

ଯା ହେତୁରୁ ପ୍ରବଳଇ ଯୁବା କି ସେ ଯମ ହେ ।୨।

 

ନୋହିଥାନ୍ତି ଏକା ଯେବେ ଜଗଦଭିରାମ ହେ

ମହୀରେ ମହିଳା କେ ସ୍ମରନ୍ତା ତୁମ୍ଭ ନାମ ହେ ।୩।

 

ମାରି ମାରି କରି ବିଭାବରୀ ଅବିରାମ ହେ

ଭାରୀ-ଯଉବନାକୁ ଯେ ସାରିଦେଲା କାମ ହେ ।୪।

 

ନିଃଶ୍ୱାସ ସତ୍ରାସ ହେଲେ ନ କଲ ମରମ ହେ

ବିଶ୍ୱାସଘାତୀ ଗୁଣରେ ତୁମ୍ଭେ ନିରୁପମ ହେ ।୫।

 

ଫୁଲେଁ ମଦେ ଘେନି ହୃଦେ ତୁମ୍ଭ ଦମ୍ଭ ପ୍ରେମ ହେ

ଏବେ କହିବ ମୋ ସହୀ କାହା ଆଗେ ଢମ ହେ ।୬।

 

ଶୁଣି ହସିଦେଲେ ରସିକଙ୍କ ସାର୍ବଭୌମ ହେ

ବାଲୁକେଶ ଦେବ ବୋଲେ ମହୀନାଥୋତ୍ତମ ହେ ।୭।

 

(୧୨୧)

 

ଧନ ଜାଣନ୍ତି ଗୋ ମନର ଭିତର ଚାଲି,

ଅନଳସ ଚନ୍ଦ୍ରାନନ କେଡ଼େ ସୁଖ

ଜନମାଇ ଦେଲେ କାଲି ।ଘୋଷା।

ଜଣାଗଲା ଏକା ବଣାମୃଗାକ୍ଷୀଙ୍କି ବ୍ରଜବନ୍ଧୁ ପରିତ୍ରାଣ

ରଖିଥିବା ପ୍ରିୟସଖୀ ତାଙ୍କୁ ସୁଖ ଦେବାପାଇଁ ଏକା ପ୍ରାଣ ।୧।

 

ହରୁଥିବା ଦିନ ନିଶା କରି ଘନଶ୍ୟାମ ସେବାକୁ ଆଜୀବ

ଚୁମ୍ୱୁଥିବା ମହାପ୍ରମୋଦରେ ତାହାଙ୍କର ଚରଣ ରାଜୀବ।୨।

ଗୁରୁଜନ ତରଜନରୁ ନଡ଼ର ସୁରୂପବର୍ତ୍ତିଏ ଆଉ

କୁଳରୁ ଅନ୍ତର କରିଦେଲେ ଡର ମୂଳରୁ ଉପୁଡ଼ି ଯାଉ ।୩।

କେ କର କା’ତୁଣ୍ଡେ ଦେଉଥାଏ ଦାଣ୍ଡେ ରାଣ୍ଡେ କରୁଥାନ୍ତୁ ନିନ୍ଦା

 

ବାରିଜନେତ୍ରର ପରିବାଦ ବରନାରୀଜନମର ଫନ୍ଦା ।୪।

କେ କି ବୋଲୁ ଘୋଷେ ପାଶୋରି ନୁହେଁ ସେ କେକୀଝାଲରିଆ ଚୂଳ

କିଛି ନୁହେଁ ଚିତ୍ତ ବାନ୍ଧବୀ ଜୀବିତ ଶ୍ୟାମପ୍ରେମ ଏକା ମୂଳ ।୫।

ଅପବାଦ ଭୟ କିଶୋର ପ୍ରଣୟ ଦୁହେଁ ଭୁଜଙ୍ଗ ନକୁଳ

ଅଷ୍ଟଦୁର୍ଗ ହରିହୟଙ୍କର ହରି ଚରଣାମ୍ଭୁଜ ସକଳ ।୬।

 

(୧୨୨)

ରାଗ—ତୋଡ଼ି ଜଙ୍ଗଲା—ଏକତାଳି

 

ଧନ ହେ, ଘନଶ୍ୟାମ ଗୋରା

ନୂଆ ନାଟୁଟିଏ ଦେଖିବା ପରା ହେ । ଘୋଷା ।

 

ତାଳି ବଜାଇବେ ବଲ୍ଲବ ବାମା

ବିଜେ କରିଛନ୍ତି ଦେଖିବେ ମାମା ହେ ।୧।

 

ଆମ୍ଭ କଦନ ରମ୍ଭା ପରଶୁଟି

କାହିଁ ଲାଜଲାଜ-ନୁଆଁ ହସୁଟି ହେ ।୨।

 

ମୋ କର ଧରାଧର ଧରଧର

ଦେବିଟି ଖଣ୍ଡ ସର ସରସର ହେ ।୩।

 

ଜଳଜ ପାଖେ କଳ ହଂସରୁତ

ହେଉ ମଞ୍ଜୁଳ ମଞ୍ଜୀର ସିଞ୍ଚିତ ହେ ।୪।

 

କି ରମ୍ୟ ଭଙ୍ଗୀ ନାଚିଯାଉ କି ନା

ତା ତା ଥେଇ ତା ଧିନା ଧିନା ହେ ।୫।

 

ଶ୍ରୀକୃଷ୍ଣଚନ୍ଦ୍ର ଏପରି ନାଚିଲେ

ଅଷ୍ଟଦୁର୍ଗ-ପୁରନ୍ଦର ରଚିଲେ ହେ ।୬।

 

(୧୨୩)

ରାଗ—କାମୋଦୀ—ଝୁଲା

 

ଧରାଶିର ଚମ୍ପାଝରା ରେ,

ଧନ ମୁଁ ତୋ କିଣାଜନ ପରା ରେ । ଘୋଷା ।

ତୁ ରୁଷିଲେ କାହିଁ ମୋ ସୁଖ,

ବନ୍ଧୁ ତୋର ଏକା ଶ୍ରୀମୁଖ

ଅଗତିର ସୁଧା ମୟୂଖ;

ସୁରନାରୀଙ୍କ ମୁଁ ମଣେ ତୋରା ରେ ।୧।

 

ରଚି ସ୍ମିତ ସୁଧା ବରଷ,

ଖଚ ବଚନରେ ନରସ

ଅଚଳ ମୋ କୁହାରେ ରସ,

ଶୁଖିଲାଟି ତୋ ଗୁମାନ ଖରା ରେ ।୨।

 

ମହୀ ଚାହିଁ ହୋଇ ବିରସ,

ମାନିଲା କି ପିକଦାନୀ-ଧରା ରେ ।୩।

 

ମହୀ ଉତପତି କ୍ଷିତିକି, ଜଣାଉଛି ନିତିନିତିକି

ତୋର ମୋର ପ୍ରୀତିରୀତିକି ସାକ୍ଷୀ

ସିନା ଏକା ଆଖିଠରା ରେ ।୪।

 

ଅଷ୍ଟଦୁର୍ଗ ଭୂପତି ଭଣି, ବିନତିଶ୍ରୀ ଶ୍ରୀମତୀ ଶୁଣି

ଧରି ଶ୍ୟାମ ମହେନ୍ଦ୍ର ପାଣି ମିଶାଇଲା

ଉରେ ଭୂଷାହାରାରେ।୫।

 

(୧୨୪)

ରାଗ—ପଞ୍ଚମବରାଡ଼ି, ତାଳ—ତ୍ରିପୁଟା

 

ଧନ୍ୟ ହେ ନବକିଶୋର, ସତୀ-ଧୃତିଧନଚୋର,

ନିଖିଳ ନାଗର ଶିରୋମଣି;

ତୁମ୍ଭ ସଦୟ ମାନସ, କୁଳିଶରୁ କରକଶ,

ବୋଲି ନ ଥିବାରୁ ଆମ୍ଭେ ଜାଣି ହେ, ଶ୍ୟାମବନ୍ଧୁ

ଆମ୍ଭ ସଖି ଲଭିଲା କି ଦଶା, ଦମ୍ଭେ ଉଭା ହେବା ନାହିଁ ଆଶା,

ଦେଲେ ତରୁଣ କେଶରୀ କୋଳେ କୁରଙ୍ଗୀ କିଶୋରୀ,

ଦିଶଇ କି ବଞ୍ଚିବା ଭରସା ହେ ।୧।

 

ତୂଳି ତଳପ ଶେଯାଇ, ଦେବାର କୋମଳ ଜାଇ ଦଳ

ଯାହା ଅଙ୍ଗେ ବସେ ବୁଡ଼ି;

ମରକତ ଅରଗଳ ବଳିଷ୍ଠ ବାହୁ ଯୁଗଳ,

ଲଗାଇ କେଡ଼େ ନିବିଡ଼େ ଭିଡ଼ି ହେ, ଶ୍ୟାମବନ୍ଧୁ,

କି ଚଞ୍ଚଳ ଭାବ ଥିଲା କାଲି,

ବାଜି ତୁମ୍ଭ ଅଙ୍ଗ ସଙ୍ଗଭାଲି,

ଭଗ୍ନଚକ୍ର ମନମଥ ଲେଖାଇ ନ ଦିଏ ଲବେ,

ମୃଗମଦପଙ୍କେ ଲୀଳାଭୃଙ୍ଗୀ;

ତୁମ୍ଭ ମହିମାରୁ ଅଙ୍ଗୀକାର କରିଛି ଶୁଭାଙ୍ଗୀ,

ତହିଁ ଶୁଆଖିଆ ବିମ୍ୱ ଭଙ୍ଗୀ ହେ, ଶ୍ୟାମବନ୍ଧୁ,

କିଶୋରୀକି କରି କଲବଲ, ତୁମ୍ଭ ସୁଖ ତୁମ୍ଭେ ଲୋଡ଼ା କଲ,

ହେମ ନବନୀତ ବଲ୍ଲୀ କେହି ସହିବଟି ବୋଲି,

ହୃଦୟରେ ଦୟା ନ ବହିଲ ହେ ।୩।

 

ମହାମହୀଧର ଧରି, କଲା ଆତପତ୍ର ପରି,

ଯେଉଁ କର ସେ ମୃଦୁ ବୟସେ;

ସେ କରରେ ଯେବେ ଘନ-କେଶା ସମର୍ପିଲା ସ୍ତନ,

କି ବିଚିତ୍ର ଦଳାଦଳି ରସେ ହେ, ଶ୍ୟାମବନ୍ଧୁ,

ଫିଟି ତୁଟି ଯାଇଛି କାଞ୍ଚଲି, ସଞ୍ଚାରଣ ଚଞ୍ଚୁ ପୁଟ ଗଳି,

ଲୁଳିଯିବା ଚକ୍ରବାକ-ମିଥୁନମାଧୁରୀଯାକ,

ବାଳା ପୟୋଧରେ କରେ କେଳି ହେ ।୪।

 

ଅନ୍ୟାୟ ତିମିର ହଂସ, ଭୋଜବଂଶ ଅବତଂସ

କଂସ ଶାସୁଅଛି ବସୁମତୀ;

ତୁମ୍ଭେ ଧନବନ୍ତ ଘର କୁମର ହୋଇ ତୁମ୍ଭର ମାନସେ

ନୋହିଲା ଲବେ ଭୀତି ହେ, ଶ୍ୟାମବନ୍ଧୁ,

କିଶୋରୀକି କରି ବଟାବଟୀ,

ଅସମ୍ଭବ ଭାବେ ହଟାହଟି, ଫିଟାଇ ନିତମ୍ୱପେଟୀ

ନିବିଡ଼ ନୀବିକବାଟି, ମଦନମନ୍ଦିର କଲ ଲୁଟି ହେ ।୫।

 

ଥରକେ ତ ଜଣାଗଲା, ଏଣିକି କି ରୂପେ ଭଲା,

ପାଇବ ମୋ ପ୍ରିୟସଖୀ ପାଶ;

ବୁଝିବା ତୁମ୍ଭର ବଂଶୀ, କିପରି ବିବେକଧ୍ୱଂସୀ,

କେମନ୍ତ ମୋହନ ମନ୍ଦହାସ ହେ, ଶ୍ୟାମବନ୍ଧୁ,

କେଡ଼େ ତୁମ୍ଭ ବିଚକ୍ଷଣ ଭାବ,

ସବୁ ତ ଏଥର ଜଣାଯିବ,

ବୋଲେ ମହୀପତିଶ୍ରେଣୀ-ମୁକୁଟ ମସ୍ତକମଣି

ଗଜପତି ଶ୍ରୀମୁକୁନ୍ଦଦେବ ହେ ।୬।

 

(୧୨୪) ତରୁଣକେଶରୀକୋଳରେ—ଯୁବକ ସିଂହ କୋଳରେ, ମରକତଅରଗଳ—ମରକତମଣିରେ ତିଆରି ହୋଇଥିବା କୀଳଣି, ଭାଲି—ଅସ୍ତ୍ରବିଶେଷ (ଭଲ୍ଲାସ୍ତ୍ର), ମୃଗମଦ—କସ୍ତୁରୀ, ଆତପତ୍ର—ଛତା ।

 

(୧୨୫)

ରାଗ—କାନଡ଼ା ଝୁଲା

 

ନଚାଇଲା ଯାହା ସେ,

ଭୂରୁଚାପ ଚପଳ ଚମରୀଦୃଶା ।ପଦ।

ମୋ ଧଇର୍ଯ୍ୟ ମୃଗକୁ ପାଞ୍ଚି,

ନୟନାନ୍ତ ବରିଛି ଆଞ୍ଚି,

ବନ୍ଧୁଆ ବନ୍ଧୁକ ବନ୍ଧୁ ଅଧରରେ

ବନ୍ଦି କରି କୁନ୍ଦ ପସନ୍ଦହସା ।୧।

 

ମୁନିଜନମାନସଭୁଲା, ଭଲା ମୋତି ଝଲକଝୁଲା,

ବାସବରତନ ନଥ ନରତନ

ରସିକା ନାସିକା-ପୁଟ ଉଲ୍ଲସା ।୨।

 

ଧନ୍ୟ କାମ ଅମୋଘ ଶର,

ମନ-କାରାଭଙ୍ଗୀ ତାହାର,

କନକାଚଳ ତ ଛନକା ହୋଇବ

ସ୍ତନକାନ୍ତି ଦେଖି କାହା ଭରସା ।୩।

 

ଅଳଂକୃତ ନିତମ୍ୱ ଫରି ଶୋଭା

ଲୋଭେ ଅଳପ ଫେରି,

ଅନାଇଲା ବେଳେ ବିବେକ ଦଳିଲା

କି ବେକତଳିଆ ଲହସା ଖୋସା ।୪।

 

ଛଣା ସୁଧା ବାଣୀ ବିଭ୍ରମ,

ଜଣା କଲା ସେ ସବୁ କ୍ରମ,

ଏଣିକି ଚରମେ ବେଣୀକି ଫଣୀକି

ପରି ଖେଳାଇବ ବରସାରସା ।୫।

 

ଅଷ୍ଟଦୁର୍ଗ ମହେନ୍ଦ୍ର ଭଣେ, କିଶୋରୀଙ୍କ

ଶୋଭା ବୀକ୍ଷଣେ, ଅଖଣ୍ଡ ଶିଖଣ୍ଡମଣ୍ଡନ

ମଦନପଦନଦେ ଭାସି କଲେ ପ୍ରଶଂସା ।୬।

 

(୧୨୫) ବନ୍ଧୁକବନ୍ଧୁ ଅଧର—ରକ୍ତବର୍ଣ୍ଣ ବନ୍ଧୁକ ପୁଷ୍ପ ସଦୃଶ ଓଷ୍ଠ ।

 

(୧୨୬)

ରାଗ—କାମୋଦୀ—ଏକତାଳି

 

ନବନୀରଦ ନୀଳଦେହ ମୁଖେ

ଚୁମ୍ୱନ ଦିଅ ମାଧୋଇ । ଘୋଷା ।

ତୋର ସୁଧାଧର ପାନ ନ କରିଣ

ନ ରୁଚଇ ମୋତେ ଏ ଚନ୍ଦ୍ରବନ୍ଦନ

ନିରୁପମାନ ସୁଧାକରାନନ ମନ୍ଦମନ୍ଦ ହାସ ଶୋଭନ

ଧରଣୀଧର ଧର ମୁରଲୀ ମୋହନ

ପ୍ରାଣଧନ ତୁ ତୋଷ ମନ ।୧।

 

ଦେଖ ଏ ବସନ୍ତକାଳ, ମନ୍ଦମନ୍ଦ ଏ ମଳୟାନିଳ

ଏ ପଞ୍ଚବାଣ ଚଳ ଚଣ୍ଡକାଣ୍ଡ,

ଖଣ୍ଡ ଖଣ୍ଡ କରି କାଟୁଛି ପିଣ୍ଡ

ଗୋପିକା ଜନ ଦୁଃଖ ହାରଣ,

ମନ୍ଦଗତି ଜିତ ମତ୍ତବାରଣ

ମନ୍ଦତନୁଜସ୍ୱ ଉଭୟ ଧାରଣ ନାଥ

ମୋହର ବିରହ କାରଣ ।୨।

 

ପ୍ରାଣନାଥ ଏ ତୋ ରୀତି,

ମୁଁ ଯେ ନା ଜାଣି କଲି ପୀରତି

ଏ ଚନ୍ଦ୍ରକିରଣ ଅନଳ ସମାନ,

ଛାଡ଼ ପ୍ରାଣନାଥ ଏ ତୋ ମାନ

ଶୁଣ ନାଗରବର ଏ ମୋର ଉତ୍ତର

ତୋ ବିରସ ଅଭିମାନ ଦୂର କର

ନିତ୍ୟକରୁଣା କର ହେ ମନସାଗର

ମୋ ବିନୟ ଘେନ ଘେନ ରସିକବର

ଶୁଣି ସନ୍ତୋଷ ମୁରଲୀପାଣି

ରାଧେ କହନ୍ତି ମଧୁର ବାଣୀ

ଅଷ୍ଟଦୁର୍ଗ ନୃପ ଜଗଦ୍ଦେବ ଭଣି

ରକ୍ଷାକର ମୋତେ ପ୍ରଭୁ ଚକ୍ରପାଣି ।୩।

 

(୧୨୭)

ରାଗ—ସାରଙ୍ଗ

 

ନବୀନା, ତୁ ମୋ’ର ପରିତ୍ରାଣ ରେ ! ।୦।

ଠିକ ପିକବାଣି ! ମୁଁ ‘ମୀନ’, ତୁ ‘ପାଣି’

ମୁଁ ‘ଚକୋର’, ‘ବିଧୁ’ ଟି ତୁ ଜାଣ ରେ !।୧।

 

ତୁ ‘କିରଣମାଳୀ’, ‘ସରସିଜ’ ପାଳି

ଧନ ! ମୋ’ ମନଟିକ ଛାଣ ରେ ! ।୨।

 

ମୋ’ ସୁଖ ଯେ ନାଶେ, ତୋ’ର ଦୋରେହା ସେ;

ବନ୍ଧୁ, ତୋ’ ଏପରି ନିଶାଣ ରେ ! ।୩।

 

ତୁ ରୁଷିଲେ ସାରିଦେବ ଗିରୀଶାରି;

କମ୍ପୁଚି ନିଶିତ କୃପାଣ ରେ ! ।୪।

 

ପରୁଷ ବିଳାସା, ଖଳ ଜନ ଭାଷା

ରତୀଶର ଶର-ବିଷାଣ ରେ ! ।୫।

 

‘ହରି’ ଗିରୁଁ ‘ବାଳା’ ହେଲେ ଲୀଳା-ଲୋଳା,

ଭଣିଲେ ବସୁଦୁର୍ଗ-ରାଣ ରେ ! ।୬।

 

(୧୨୭) ପିକବାଣି—ରେ କୋମଳ ସ୍ୱର ଭାଷିଣୀ, କିରଣମାଳୀ—ସୂର୍ଯ୍ୟ,ସରସିଜ ପାଳି—ପଦ୍ମକୁ ସମ୍ଭାଳି, ଦୋରେହା—ଦ୍ରୋହୀ ବା ଶତୃ, ଗିରୀଶାରି—ଶିବ ଶତୃ କନ୍ଦର୍ପ, ନିଶିତ—ଶାଣିତ,ପରୁଷ ବିଳାସା—କର୍କଶ ଆମୋଦରେ ଆସକ୍ତା, ରତୀଶ— କନ୍ଦର୍ପ, ରତୀଶର ଶର-ବିଷାଣ—ଶିଙ୍ଘ ତିଆରି ଶର,ଲୀଳା ଲୋଳା—ରତିକ୍ରୀଡ଼ା ପାଇଁ ଆଗ୍ରହୀ,ବସୁଦୁର୍ଗ-ରାଣ ରେ—ଆଠଗଡ଼ ରାଜା

 

(୧୨୮)

ଝଂଝୋଟୀ—ଆଦିତାଳ

 

ନାରୀବରମଣି ନିବାର ସୁନୟନ

ବାରିରୁହରୁ ତ ବାରି ରେ ।୦।

 

ରସନିଧି ନବୀନା, ତୋ ଦନ୍ତବାସ ବିନା

ସୁଧାକୁ ଗଣଇଁ ଖାରି ରେ ।୧।

 

କି ଦୋଷୁଁ ମୁଖ ପୋତି ମଣ୍ଡୁଛୁ ରେ ସୁଦନ୍ତି

ଧରାକୁ ନଖଶିଖ ଗାରି ରେ ।୨।

 

କି ମୋ ଭାରକୁ ବହି ନ ପାରୁ ପ୍ରାଣସହି

କୁଚାଚଳରୁ କି ସେ ଭାରି ରେ ।୩।

 

ହୁଅ ଶ୍ରୀମୁଖଶଶୀ ଟେକ ଅଳପ ହସି

ମୋ ଅଙ୍କ-ଜଗତୀ-ବିହାରୀ ରେ ।୪।

 

ଉଗ୍ର ନିସର୍ଗ ମାର ନିଗ୍ରହ ଜାଣି ତୋର

ଦେଲାଟି ଶରସାରେ ସାରି ରେ ।୫।

 

କଳାବତୀ-ଲଲାମ କରୁଣାରେ ମୋ ନାମ

ଲେଖାଇ ଦିଅ ପରିଚାରୀ ରେ ।୬।

 

ଛ-ଦୁଇ ଦୁର୍ଗପତି କହେ ଶ୍ୟାମ ମିନତି

ଘେନ ରସିକା ମନୋହାରୀ ରେ ।୭।

 

(୧୨୯)

ରାଗ—ବରାଡ଼ି—ଆଦିତାଳ

 

ନାହିଁ କରି ନାହିଁ ତ ମୁଁ କାହିଁକି ଗୋ ରାଣ । ଘୋଷା ।

ତାଙ୍କ ସୁଖ ପାଇଁ ସିନା      ଶଙ୍କରଙ୍କ ଉପାସନା

ଏ ଦେହ, ଏ ଭୋଗ, ଏ ପରାଣ ।୧।

 

ଶ୍ୟାମ ମୋର ଉନ୍ମାଦକ      ଶ୍ୟାମ ମୋ ଗଳାପଦକ

ଶ୍ୟାମ ତ ମୋ ହୃଦ-ପଞ୍ଚବାଣ ।୨।

 

ବ୍ରଜବନ୍ଧୁ ମୋ ରତନ      ମୋ ସେବାର ବରତନ

ସେହି ତ ମୋ ବରତ ବସାଣ ।୩।

 

ମନ ଜାଣି ଅଛି ଭଜି      ଜାଣି ଜାଣି ମୋ ମରଜି

ଧନ ମୋର କେଡ଼େ ଅବୁଝାଣ ।୪।

 

ଦୁଃଖ ଥିବ ପରା ମନେ      ତାଙ୍କ ପଦକଞ୍ଜ ସ୍ତନେ—

ଲଗାଇ ଚୁମ୍ୱାଇ ଦିଅ ପ୍ରାଣ ।୫।

 

ନୃପ ଜଗଦ୍ଦେବ ଭାଷେ

ମୋ ବେଶ ସେ, ମୋ ଶୋଭା ସେ

ତାହା ବାହାରେ କେ ପରିତ୍ରାଣ ।୬।

 

(୧୩୦)

 

ନାହିଁ ସୁଷମା ପରି ତୋ ଶୋଭାର ରେ ।୦।

ମଜାରୁ ମୋ ସଙ୍ଗମରେ ଲଜ୍ଜାକୁ ନିବାର

ସୁନାଗୋରୀ ମୁଁ ତୋ ପରିଚାର ରେ ।୧।

 

ନିଶି ଦିବା ମିଶିଥିବା ନୋହିବୁ ବାହାର ରେ

ତୁ ରମଣୀ ମୋର ମଣିହାର ରେ ।୨।

 

ସଜନୀ ନିରେଖି ତୋ ମୁଖ ରଜନୀ ନାହାର ରେ

ସହି ଧୃତି ରହିବ କାହାର ରେ ।୩।

 

ସିତରଶ୍ମିକଳା ମୃଦୁ ଭିତର ବାହାର ରେ

ଜିତ ହୁଏ ସ୍ମିତରୁ ନିହାର ରେ ।୪।

 

ବାଣୀ ବୀଣାପାଣି ଟେକି କରିବେ ଜୁହାର ରେ

ରଚନୁ ତୋ ବଚନକୁ ହାତରେ ।୫।

 

ଶ୍ୟାମ ଭଣି ପ୍ରେମବାଣୀ ସେ ବରରୋହାତରେ

ଅଙ୍କ କଲେ ସଙ୍ଗତ ବାହାର ରେ ।୬।

 

ଏ ସମୟେ ବସୁଦୁର୍ଗ ସରବ-ସଂହାର ରେ

ନାଥ ହୃଦେ ବିହିଲେ ବିହାର ରେ ।୭।

 

(୧୩୧)

 

ନିକୁଞ୍ଜବିଳାସି ହେ, ନିରୂପମ ହାସୀ

ନିଶ୍ଚେ ଗଲା ଭାସି ହେ ।୦।

 

ପୂରୁବରେ କାଶୀ-ସରିତରେ ଝାସି

ହୋଇଥିଲା ପରା ତୁମ ହେବ ନିବାସୀ ହେ ? ।୧।

କେତେ ସୁଖରାଶି !! କି ବିଚାରି ନାଶି

 

ଛଳେ ନିରପରାଧୀର ଗଳେ ଦେଇ ଫାଶୀ ହେ ।୨।

ନିଧୁବନବାସୀ ହେବା ଅଭିଳାଷୀ

ଯେଟି ହୋଇଥିଲା, ତାହା

‘ବେଶ’ କଲ ବାସି ହେ !।୩।

 

ପ୍ରଣୟ ପିପାସୀ ପ୍ରଖର ନିଶ୍ୱାସୀ

ହେଲା ଯେ, ମୋହନ ! ତୁମେ

କେଡ଼େ ଅବିଶ୍ୱାସୀ ହେ ! ।୪।

 

କୃପା ସୁଧାରାଶି କେ ଦେଲା କି ଗ୍ରାସି ?

ଛାଡ଼ି ଚାପ-ଶର ‘ସ୍ମର’ ହେଲା

କି ସନ୍ନ୍ୟାସୀ ହେ ? ।୫।

 

ଏବେ ହେ, ଆଶ୍ୱାସି ରଖ ବାରମାସି

ଅଷ୍ଟଦୁର୍ଗନାଥକୁ ସେବାରେ ଫରମାଶି ହେ ! ।୬।

 

(୧୩୧) ନିରୂପମ ହାସୀ—ଅପୂର୍ବ ହାସ୍ର ପ୍ରକାଶିକା, କାଶୀ ସରିତରେ—ଗଙ୍ଗା ନଦୀରେ,ନିବାସୀ—ସହବାସୀ, ନିଧୁବନବାସୀ—ରତିକ୍ରୀଡ଼ାରତା,ସ୍ମର— କନ୍ଦର୍ପ, ଫରମାଶି—ଆଜ୍ଞା ଦେଇ

 

(୧୩୨)

 

ନିଖିଳ ବିମୋହର

ନିଦାନ ତୁ ମୋହର

ମାନସ ବନ୍ଦୀ ହେବା କାରା ।୦।

 

ତ୍ରିଲୋକ ତାମରସ—

ନେତ୍ରା, କୁଚ କଲଶ

କନକ ବିନିର୍ମିତ ହାରା ।୧।

 

ପ୍ରସନ୍ନମୁଖୀ ସ୍ମର

ରସନିଧି ମୁଁ ତୋର

ବଶ୍ୟ ନୋହିବାକୁ କି ଚାରା ।୨।

 

ଘନେ ଚପଳା ପରି

ଖେଳ ମୋ କୋଳେ ଗୋରୀ

ମ୍ଳାନିବେ ନଭେ ଚନ୍ଦ୍ର ତାରା ।୩।

 

ରାଜି କର ନ କର

ଆଜି ଅଧରୁ ତୋର

ପିଇବି ଢୋକେ ସୁଧା ଧାରା ।୪।

 

ଅଷ୍ଟଦୁର୍ଗ ଭୂପତି

କହେ ଶୁଣି ଶ୍ରୀମତୀ

ରଚିଲେ ଅପାଙ୍ଗ ଇସାରା ।୫।

 

(୧୩୨)ତାମରସ—ପଦ୍ମ,ଅପାଙ୍ଗ ଇସାରା—ଆଖିଠାର ବା ନେତ୍ରକୋଣର ଇଙ୍ଗିତ ।

 

(୧୩୩)

ରାଗ—ଆରାବୀ

 

ନିନ୍ଦା ନ ଲଭ ସଖୀ ରେ,

ମନ୍ଦାରଅଧରା ଧୀରା ଆଜନ୍ମସୁଖୀ ରେ ।

କୁନ୍ଦସୂନ ଶରବିନ୍ଦୁ କିରଣଗଣ

ସୁନ୍ଦରହସରୁଚିବୃନ୍ଦଲଳିତମୁଖି ରେ ।।

ଚିରକାଳରୁ ମୁଁ ତୋର, କୁଞ୍ଜ ମନ୍ଦିର,

ମଣ୍ଡନପ୍ରିୟ କିଙ୍କର, ରୋଷାବେଶେ ନିର୍ଭର,

ଘୋଷା ମନେ ନ ଧର, ଯୋଷାମଣି ମସାର,

କେଶାସାର ନ ସାର, ଭାଷ ଅତନୁ ବିଳାସ,

ନିଧି ପରକାଶ, ରୁଚିର ବିକାଶ,

ମଦହରହାସ, ନବ ନବ କାଶ-ଯୁତ

ରଦବାସବତୀ ନିଜ ଦାସ ସଦୃଶ ଜନେ ।୧।

 

ମଥା ନୁଆଇଁ ନ ବସ, ଦୁଃଖେ ନ ମଜ୍ଜି

ନ ଯାଉ ନିଶା ଦିବସ,

ଆଲିଙ୍ଗନରେ ରସ, ନାଳିକନିଭବାସ

ଅଙ୍ଗିନୀ ନ ପ୍ରକାଶ,

ଦାଶନାଶ ଅଯଶ, ବାରିରୁହ ପରିହାରୀ

ନୟନରୁ ଚାରି ପ୍ରହରେ ଯେ ବାରି

ଜନମୁଛି ନାରୀମଣିକି ବିଚାରି ସବୁ

ସୁଖ ସାରି ଥାରି ହେବି ମୁଁ କେହି ।୨।

 

ତେଡ଼େ ପୀରତି ପାସୋରି, କିଶୋରୀବର,

ବିହିଲୁ ଯା ଏତେ ସରି, ଘେନିଲୁ ପର କରି

ପାରୀନ୍ଦ୍ରମଧ୍ୟା ଗୋରୀ, ନାରୀନ୍ଦ୍ର ଧରାଶିରୀ,

ଶିରୀଷ ସୁକୁମାରୀ, ଢାଳ ପୃଥୁଳ ବିଶାଳ

ରୁଚି ହରିତାଳ ସୁଘଟିତ ତାଳସ୍ତନି ରେ କଟାଳ

ନ କରଟି କାଳପୁରୁଷ କରାଳ ସ୍ମରକବାଳ

ବଦନେ ଦେଇ ।୩।

 

ଶୁଣି ଶ୍ରୀମତୀ ହସିଲେ, ଜଗଦ୍ଦେବ

ଧରଣୀନାଥ ଭାଷିଲେ,

ଦେହେ ଦୁହେଁ ମିଶିଲେ, ଆନନ୍ଦ ବରଷିଲେ,

ମାରକୁ ଭରସିଲେ, ତାର ଶରେ ରସିଲେ,

ଶମ୍ୱଧରମଣି ଜାମ୍ବୁନଦ ବିଧୁ ବିମ୍ୱ ଯୁଗ ଘନ

ଚୁମ୍ୱ ବିଭବରୁ ଶମ୍ୱରପରକଳମ୍ୱ ସମୁଦାୟ

ଡମ୍ୱର ଦଳିଲେ ଲମ୍ୱ ଚିକୁରବତୀ ।୪।

 

(୧୩୩) କୁନ୍ଦସୂନ—କୁନ୍ଦଫୁଲ,ଘୋଷା—କ୍ରୋଧ, ମସାରକେଶା—ଇନ୍ଦ୍ରନୀଳ ପରି କେଶ ଯାହାର,ନାଳିକ—ପଦ୍ଣ, ବାରିରୂହପରିହାରୀ—ପଦ୍ମକୁ ପରାସ୍ତ କରିଥିବା,ଥାରି—ସ୍ଥିର,ପାରୀନ୍ଦ୍ର—ସିଂହ,କରବାଳ—ଖଡ଼୍‍ଗ,ଶମ୍ୱଧରମଣି—ଇନ୍ଦ୍ରମଣି,ଜାମ୍ବୁନଦ—ସୁବର୍ଣ୍ଣ,ଶମ୍ୱରପର—କନ୍ଦର୍ପ,କଳମ୍ୱ—ଶର,ଡମ୍ୱର—ଆଡ଼ମ୍ୱର

 

(୧୩୪)

 

ନିରତ ମୁଁ ମନେ ମଣୁଛି ରେ

ପ୍ରମୋଦ ଗଜେନ୍ଦ୍ରଗତି ।୧।

ଦେହ ବହି ମଞ୍ଚ            ପୁରେ ସଂଚରୁଛୁ

ତୁ କାବ୍ୟ ସରସ ରୀତି ।

ବିଜେ କଲା ବେଳେ            ମଣ୍ଡନ ସିଂଚିତ

ଲମ୍ୱ ଆଡ଼ମ୍ୱରେ ତୁହି

ଘଉଡ଼ି ଦେଇ ଯା            ମନ କର୍ଣ୍ଣ ଦୁଃଖ

‘ଗଉଡ଼’ ଏ ଘେନି ତୁହି ।୨।

 

ଚରଣାଦି ଅବ-            ୟବର ବିନ୍ୟାସ

ଲଳିତ ବିଳାସୁ ଜାଣି

‘ବଇଦର୍ତ୍ତ’ ନବ,            କେତକୀ ଗର୍ଭକ

ଗର୍ଭ ଚଉରୀ ସୁବେଶୀ ।୩।

 

ମୋ ଅଙ୍କ ବିଳାସେ            ‘କିଳକିଂଚିତ’ର

ତିଳକ କୃତ ତୋ ଭଙ୍ଗି

ଆଉ କେ ‘ପାଞ୍ଚାଳୀ’            ବୋଲାଇବ ଭାଳି

କହ ତ ମୋ ପ୍ରାଣ ସଙ୍ଗୀ ।୪।

 

ବେଣୁ ବୀଣା ଜିଣା            ମୃଦୁ ମୃଦୁ ବାଣୀ

ମୋ ବନ୍ଧୁ ଭାଷ ଯାହାଟି

ନିକଷାଟି କଟି-            ମଣ୍ଡନା ରେ ମଣେ

ଅତୁଲ ଟିକି ତୁ ‘ଲାଟୀ’ ।୫।

 

ରସ ତୋ ଜୀବନ            ଆଧାୟକ ବନ—

ରୁହାକ୍ଷୀ ମତେ ଗୋଚର

ପ୍ରବନ୍ଧ ରଚନା            କଲେ ହେବି ସିନା

ମୁଁ ଆଳଙ୍କାରିକ ତୋର ।୬।

 

ଶୋଭାଙ୍ଗୀ ଏ ଭଙ୍ଗୀ      ଗିର ହରି ମୁଖୁ

ଶୁଣି ହସି ସଂକୋଚିଲେ

ଅଷ୍ଟଦୁର୍ଗ ତ୍ରିପି—            ଷ୍ଟପ ପୁରୁନ୍ଦର

ପୁଲକେ ଗୀତି ରଚିଲେ ।୭।

 

(୧୩୪) କାବ୍ୟ ସରସ ରୀତି—ସାହିତ୍ୟବିଦ୍ୟାର ରୀତି, ଗଉଡ଼—ଗୌଡ଼ା ରୀତି,ବଇଦର୍ତ୍ତ—ବୈଦର୍ଭୀ,’କିଳକିଞ୍ଚିତ—ଏକଶୃଙ୍ଗାରୀ ଭାବ,ପାଞ୍ଚାଳୀ—ପାଞ୍ଚାଳୀ ରୀତି,ଲାଟୀ—ଲାଟୀ ରାତି,ନିକଷା—କଷଟିପଥର,ବନରୁହାକ୍ଷୀପଦ୍ମନେତ୍ରା,ତ୍ରିପିଷ୍ଟପ—ସ୍ୱର୍ଗ

 

(୧୩୫)

ରାଗ—ସିନ୍ଧୁ କାମୋଦୀ—ରୂପକ

 

ନିରନ୍ତର ମୁଁ ମନେ ମଣୁଛି ରେ ପ୍ରମୋଦ ଗଜଗତି,

ଦେହ ବହି ମଞ୍ଚପୁରେ ସଞ୍ଚରୁଛୁ

ତୁ ସରସ କାବ୍ୟରୀତି । ଘୋଷା ।

ବିଜେ କଲାବେଳେ ମଣ୍ଡନ

ସଞ୍ଚିତ ଲମ୍ବ ଆଡ଼ମ୍ୱର ବହି

 

ଘଉଡ଼ି ଦେଉ ଯା କର୍ଣ୍ଣ ମନ

ଦୁଃଖ ଲଉଡ଼ିଏ ଘେନି ତୁହି ।୧।

 

ଚରଣ ଆଦି ଅବୟବ ବିନ୍ୟାସ

ଲଳିତ ବିଳାସୁଁ ଜାଣି

ବଇଦର୍ତ୍ତୀ ନବ କେତକୀ ଗର୍ତ୍ତକ

ଗର୍ଭ ଗଉରୀ ସୁବେଣୀ ।୨।

 

ମୋ ଅଙ୍କବିଳାସେ କିଳକିଞ୍ଚିତରୁ

ତିଳକୀକୃତ ତୋ ଭଙ୍ଗୀ

ଆଉ କେ ପାଞ୍ଚାଳୀ ବୋଲାଇବ ଭାଳି

କହ ତ ମୋ ପ୍ରାଣସଙ୍ଗୀ ।୩।

 

ବୀଣା-ବେଣୁଜିଣା ମୃଦୁମୃଦୁ ବାଣୀ

ମୋ ବନ୍ଧୁ ଭାଷୁ ଯାହାଟି

ନୀଳ ଶାଟୀକାଟି ମଣ୍ଡନାରେ ମଣେ

ଅତୁଳାଟି କି ତୁ ଲାଟି ।୪।

 

ରସ ତୋ ଜୀବନ ଅଧାୟକ

ବନରୁହାକ୍ଷୀ ମୋତେ ଗୋଚର

ପ୍ରବନ୍ଧ ରଚନା କଲେ ହେବି ସିନା

ମୁଁ ଆଳଙ୍କାରିକ ତୋର ।୫।

 

ଶୁଭାଙ୍ଗୀ ଏ ଭଙ୍ଗୀ ଗିର ହରିମୁଖୁଁ

ଶୁଣି ହସି ସଙ୍କୁଚିଲେ

ଅଷ୍ଟଦୁର୍ଗ ତ୍ରିପିଷ୍ଟପପୁର ପୁରନ୍ଦର

ଏ ଗୀତ ରଚିଲେ ।୬।

 

(୧୩୬)

ରାଗ—କାମୋଦୀ, ତାଳ—ଏକତାଳି

 

ନିରତେ ମୁଁ ଅଟକୁ ଅଟକୁ ଗୋ,

ଗିର ନ ଦେଇ ଶ୍ରୁତିତଟକୁ ଗୋ,

କି ରସ ଲୋଭେ ଇନ୍ଦିବରନେତ୍ରା କାଳିନ୍ଦୀ

ତଟକୁ ଧାଇଁଥାଏ ହଟକୁ ଗୋ । ଘୋଷା ।

 

ଛଇଳାକୁ ପୁଚ୍ଛ ତ, ଆପଣେ ପରା

ଶତପୁଟହାଟକୁ ବଳି ଝଟକୁ ଗୋ,

କି ଦିଶିଲାଣି ତନୁ ନ ମାନି ଗଲା ଦିନୁ

ବଂଶୀବଟ ନିକଟ ଭେଟକୁ ଗୋ ।୧।

 

କେ କହୁଅଛି ଧାଇଁ ବୁଝି ଆସୁ ତ ଯାଇ

ଗୋପ ମଧୁରା ବେନି ହାଟକୁ ଗୋ ।

କେଉଁ କିଶୋରୀ ଭଲ ହେଲାନି ଚାହିଁ

ଝଲମଲ ଚନ୍ଦ୍ରକଚାରୁ ନାଟକୁ ଗୋ ।୨।

 

କପଟେ କଳି କରୁଥାଏ ଏ କରଭୋରୁ

ଶ୍ୟାମଗୁଣ କହିବା ଭାଟକୁ ଗୋ,

ଭଜୁଥାଏ ତା ଦେହସଙ୍ଗୀ ସମୀର

ସ୍ନେହବଶରୁ ବାତାୟନ ତଟକୁ ଗୋ ।୩।

 

ଇଚ୍ଛା ନ କଲା ରାଜହଂସୁଲିତୂଳି

ଶେଯ ବିଛଣାପଡ଼ା ଦନ୍ତଖଟକୁ ଗୋ

ଗୁପତେ ଫରମାସୀ ଅଣାଉଛି ସୁକେଶୀ;

କମଳକିଶଳୟ କୂଟକୁ ଗୋ ।୪।

 

ଏବେ ହେଲେ ଏ ଭୀରୁ ନ ନିବର୍ତ୍ତିଲେ

ଊରୁ-ସ୍ତମ୍ଭେ ବନ୍ଧାଇ ପୀତପଟକୁ ଗୋ,

ହେଉ ଆବୁର ଧ୍ୱଂସ ଦେଖାଇ ଦେବା

କଂସକଟକୁ ଆସିବାର ଭାଟକୁ ଗୋ ।୫।

 

ଏହା ଚରଣକଞ୍ଜ ଚୁମ୍ୱି ଜାଣିଛି କୁଞ୍ଜ

ମନ୍ଦିରେ ସେ ବିଟମୁକୁଟକୁ ଗୋ,

ଲଗାଇ ଦେଇଥିବି ଏଣିକି ତ ମୁଁ

କବିତପନ ମନ-ମଧୁଲିଟକୁ ଗୋ ।୬।

(୧୩୬)ଅଟକୁ ଅଟକୁ—ଅଟକାଉଁ ଅଟକାଉଁ, କାଳିନ୍ଦୀ

 

ତଟକୁ—ଯମୁନାକୂଳକୁ,ଶତପୁଟହାଟ—ଅତି ଉଜ୍ଜ୍ୱଳ ସୁବର୍ଣ୍ଣ, ରାଜହଂସୁଲିତୂଳି ଶେଯ—ରାଜଭୋଗଯୋଗ୍ୟ ସୁକୋମଳ ତୁଳାଗଦି,ବାତାୟନ—ଝରକା, ଦନ୍ତଖଟ—ହାତୀଦାନ୍ତରେ ତିଆରି ଖଟ, କମଳକିଶଳୟକୂଟ—ନୂଆ ପଦ୍ମପତ୍ର ସମୂହ ଆବୁର—ମହତ୍ତ୍ୱ

 

(୧୩୭)

ରାଗ—ପୁରିକଲ୍ୟାଣ—ଆଠତାଳି

 

ନିଶୀଥରେ ମିଶି ଥରେ ଧନ,

ଖେଳିବାଟି ଆଜ ରେ । ଘୋଷା ।

ଆରୋହି ଦୁହିଙ୍କ ମନୋରଥ,

ମାତୁଛି ଯେ ମଦେ ମନମଥ

କେ ପାରିବ କେ ହାରିବ,

ହେବ ସେ ନ୍ୟାୟ ନିଆଜ ରେ ।୧।

 

ତୋ କୁଚ ତ ଅତି କରକଶ,

ତହିଁ ଖେଳାଇ ମୋ କର କଷ

ଯା’କୁ ଜିଣିବାକୁ ମଣିସାନୂ

ନ ବଳାଏ ଓଜ ରେ ।୨।

 

ସମଝାଇ ରସ ପରିପାକ,

ଚୁମ୍ବିବି ଯେ ଶ୍ରୀଅମ୍ୱୁଷ୍ଠିଯାକ

କଦାଚିତେ ଦିବ୍ୟଚିତ୍ତେ ଧନ,

ନ ସଞ୍ଚିବୁ ଲାଜ ରେ ।୩।

 

ମୁକୁରେ ମୋ ଦନ୍ତବ୍ରଣ ଚାହିଁ,

ରସିକାରାଜ ରୁଷିବୁ ନାହିଁ

ପ୍ରେମରସେ ଅମରଷେ ମନେ

ରଖିବୁ ବ୍ୟାଜ ରେ ।୪।

 

ଜଗଦ୍ଦେବ କହେ ଶ୍ୟାମବାଣୀ

ରସିକା ଶ୍ରୀମନ୍ତମଣି ଗୁଣି

ଦରହାସ ପରକାଶ କଲେ

ମୁଖ ଦ୍ୱିଜରାଜରେ ।୫।

 

(୧୩୮)

ରାଗ—କାଫି—ଆଡ଼ତାଳି

ନିହାରହାସୀ ତୁ ଟି ମୋର ସଙ୍ଖାଳି ରେ । ଘୋଷା ।

ମୁଁ ପୂରୁବେ କେତେ ବ୍ରତ ଥିଲି ପରିପାଳି

ଗୁନ୍ଥିଛି ଯା ତୋତେ ଗଳାମାଳି ରେ ।୧।

ଚଉଦ ଭୁବନେ ବିଳସିବା ଦ୍ୟୁତି ପାଳି

ତୋ ଚରଣତଳ ନିଉଛାଳି ରେ ।୨।

ନ ଥିଲେ ତୁ ମୋଠାରେ କଟାକ୍ଷସୁଧା ଢାଳି,

ତାପାନଳ ଦିଅନ୍ତାନି ଜାଳି ରେ ।୩।

ତୋ ଭରସାରୁ ମୁଁ କରତାଳି ଧରି ଚାଳି,

ଦେଉଛି ମଦନ ମୁଖେ କାଳି ରେ ।୪।

କି ସ୍ନେହେ ତନୁରେ ତନୁ ଦେଉ ଧନୀ ଝାଳି

ମୋ ଶିରମଣ୍ଡନ ତୋର ଗାଳି ରେ ।୫।

ଶ୍ୟାମଗିରି ଶୁଣି ସଙ୍କୁଚିଲେ ବ୍ରଜବାଳୀ

ବସୁଦୁର୍ଗନାଥ ଭଣେ ଭାଳି ରେ ।୬।

 

(୧୩୯)

ରାଗ—ସୁରଟ—ଏକତାଳି

 

ନିତି ନିତି ନୂତନା ସେ ନାଗରୀମଣି

ତାକୁ ନିକି ମହୀ-ମହିଳାରେ ଗଣି ।ଘୋଷା।

କେବେ ବି ଭଙ୍ଗୀରେ ଉଭା,

କେବେ ଝରା କେବେ ଗଭା

କି ଜୂଡ଼ା ସେ, କି ଖୋସା ସେ,

ସେ କି ବେଣୀରେ ।୧।

 

ଜିତ ଶୀତ ମୟୂଖରୁ ସୁନ୍ଦର ତା’ ଶ୍ରୀମୁଖରୁ

କେତେବେଳେ କି ରସରେ ଗିର ଶୁଣି ରେ ।୨।

 

ମୋ ସଙ୍ଗେ ମିଳି ଶରଧା ଲାଗେ ମୋତେ ସେ ବସୁଧା-

ମଣ୍ଡନା ଅଧରୁ ସୁଧା-ସାର ଲୁଣି ରେ ।୩।

 

ନ ସରେ ବାସର ଗଣ ଅସର ରସ ନିପୁଣ

ଚାତୁର୍ଯ୍ୟନିଧିର ଗୁଣ ଗୁଣଗୁଣି ରେ ।୪।

 

ସରଜେ ମୋ ଜୀବସଙ୍ଗୀ ନବନୀତ ମୃଦୁଜାଙ୍ଗୀ

କେତେବେଳେ କେଉଁ ଭଙ୍ଗୀ ଅନାଉଣି ରେ ।୫।

 

ହରିଚନ୍ଦନ ରଚିଲେ, ହରି ବିଦେଶ ପାଞ୍ଚିଲେ

ପାଇବି କି ହେବ ଶିବକୃପା ପୁଣି ରେ ।୬।

 

(୧୪୦)

 

ପଚାର କେ ଆଣିଛି ଗଜଗତିକି

ସେ ମୋ ଏ ଜଗତୀକି । ଘୋଷା ।

 

କି ସୁନ୍ଦର ଦରହସିତ, ଶୀତକରକର ଲଳିତ,

ଦଶନବସନ ନବ ଜବାସୂନ ଉପରେ

କେ ରଖି ଦେଲା ମୋତିକି ।୧।

 

ଆହା ତାହା ଚାହାଣି ଠାଣି, ବଣାମୃଗ ନ ପାରେ ଆଣି

ମଳିନ ନୋହିବା ନଳିନ ଯୁଗଳେ

ଅଳି କରୁଥିଲା ଚଳି ରତିକି ।୨।

 

ସ୍ଫୁଟ ତିଳକୁସୁମ ନାସା, ପୁଟ ଫୁଲା ସରସ ଭାଷା,

ଆଳୀକି ଆଳାପି ଚାଳି ଦେଉଥିଲା

ପ୍ରତିପଦରେ କେଳତିପତିକି ।୩।

 

ହେମରମ୍ଭା ତରୁ ଊରୁକୁ, ପ୍ରେମରଙ୍କ ନଟ ଭୂରୁକୁ,

ରୁଚକ ରୁଚିର କୁଚକଲଶକୁ ଚାହିଁ

ହଜାଇବେ ଯତି ମତିକି ।୪।

 

ଇଷ୍ଟତମା ସଖିଙ୍କି ରସେ, ଅଷ୍ଟଦୁର୍ଗ ମହେନ୍ଦ୍ର ଭାଷେ,

ମୋଦେ କୋଳେ ବସି ପଦେ କହୁ ହସି

ମୋ ସବତଟି ସେ ରସବତୀକି ।୫।

 

(୧୪୦)ଜଗତୀ—ପୃଥିବୀ,ଶୀତକରଲଳିତ—ଚନ୍ଦ୍ରକିରଣ ପରି ମନୋହର,ଦଶନବସନ—ଅଧର,ନବଜବାସୂନ—ନୂଆ ମନ୍ଦାର ଫୁଲ,କେଳତିପତି—କନ୍ଦର୍ପ,ରୁଚକ—କଣ୍ଠାଭରଣ,ହାର;ସବତ—ରାଣ

 

(୧୪୧)

ରାଗ—ଇମନ କଲ୍ୟାଣ, ଆଡ଼ତାଳ

 

ପର ମଣି ତ ରମଣୀ ଦେଲୁ କରମଣି ଛାଡ଼ି ରେ । ଘୋଷା।

ମୋ ଜୀବନ କାହିଁ ହଜାଇଲି,

ଖୋଜି ଆଣି ଦିଅ ଆଳି ବୋଲି,

ଜଳପୁଛୁ, ବିଳପୁଛୁ, ଏବେ ଉରେ କର ତାଡ଼ି ରେ ।୧।

 

ଜାଣି ତୋହର ମାନସ ବ୍ୟଥା,

ଆଣିଥିଲୁ ଭାଳି କେତେ କଥା,

ଘନପ୍ରଥା ସୂନଗଭା,

ଅତି ଯତନେ ସଜାଡ଼ି ରେ ।୨।

 

ବିମ୍ୱ ରଦନାମ୍ୱରା ରେ ଧନ,

ନିମ୍ୱଦଳ ଦ୍ରବେ ଦେଇ ମନ,

ସୁଧାଧାରା, ମୁଧା ଧରା-ତଳେ

ଦେଲୁ ତ ଅଜାଡ଼ି ରେ ।୩।

 

ଗୋପ ଯୁବରାଜ ଶିରୋମଣି,

ତୋ ପଦକଞ୍ଜ ଚୁମ୍ୱିଲା ପୁଣି,

ଭୁଜେ ଧରି, ତୁ ଯେ ହରିଣାକ୍ଷୀ

ନ ରଖିଲୁ ଭିଡ଼ି ରେ ।୪।

 

ଯାହା ପାଇଁ ଶିବ ପୂଜୁଥାଉ,

ତାହାଙ୍କ ପ୍ରିୟାଙ୍କୁ ଭଜୁଥାଉ,

ତାଙ୍କ ଦୁଃଖ କରି ସୁଖ,

ମୂଳ ଦେଲୁ ତ ଉପାଡ଼ି ରେ ।୫।

 

ବୋଧି କହେ ଅଷ୍ଟଦୁର୍ଗନାହା,

ବୁଦ୍ଧିହୁଡ଼ରୁ ତ ହେଲା ଏହା,

ଏବେ ଚାଲ, ନନ୍ଦଲାଲ ମନୁ

ମାନ ଦେବା ଝାଡ଼ି ଗୋ ।୬।

(୧୪୧)କରମଣି—ହସ୍ତସ୍ଥିତ ମଣି,ଜଳପୁଛୁ—ବୃଥା ଅନେକ କଥା କହୁଅଛୁ,ବିଳପୁଛୁ—କାନ୍ଦୁଛୁ,ଉରେ—ବକ୍ଷରେ,ସୂନ—ଫୁଲ,ମୁଧା—ବୃଥା,ତାହାଙ୍କ ପ୍ରିୟା—ଶିବଙ୍କ ପ୍ରିୟା ପାର୍ବତି

 

(୧୪୨)

ରାଗ—ଖମ୍ୱାଜ—ଝୁଲା

 

ପୀରତି ଲଗାଇ ଶ୍ୟାମ,

ଦୂରଦେଶ ତୁ ନ ଯା’ରେ । ଘୋଷା ।

ମୁହିଁ କରି ନାହିଁ ଦୋଷ, ଅକାରଣେ ତୁ ନ ରୁଷ

ପୀୟୂଷ ବଚନ ଭାଷ, ତୋଷ କର ମତିକି ରେ ।୧।

 

ଏ ମୋ ନବ ଯଉବନ, ମାନହୀନ କଲେ ଧନ

ଏ ଯୁବା ବୟସେ କାନ୍ତ ନ ଚିରା କ୍ଷିତିକି ରେ ।୨।

 

ବାଲି ଯେ ତବତି ପାଇ, ଲୋଡ଼ିଲେ ବୃକ୍ଷର ଛାଇ

ଆହା ବୋଲିବାକୁ ସାହା ନ ଥିବଟି କେହି କି ରେ ।୩।

 

ଆପେ ରୋପିବା ବୃକ୍ଷର, ଶ୍ରୀହସ୍ତେ କାଟିଲେ ଚେର

ଦାଣ୍ଡେ ହେବ ଅସୁନ୍ଦର ତୋ ମନକୁ ତୁ ବୁଝା ରେ ।୪।

 

ସୂର୍ଯ୍ୟର କିରଣ ଲାଗି, ହେଉଥିବି ଦୁଃଖଭୋଗୀ

ଦାସୀଗଣମାନେ ଜଗି, ବୋଳୁଥିବେ ଚନ୍ଦନରେ ।୫।

 

କହେ କବିସୂର୍ଯ୍ୟ ଦାସ, ବାଲ୍ୟକାଳୁ ତୋତେ ଆଶ

ପୀରତି ପାଶୋରା ମନ୍ତ୍ର ମୋତେ ତୁ ତ ଦେଇଯା’ରେ ।୬।

 

(୧୪୩)

ରାଗ—ମରୁଆ—ଝୁଲା

 

ପୋଡ଼ୁ ପର ଅନୁରାଗ-

ତହୁଁ ଭଲ ତନୁତ୍ୟାଗ ଗୋ ।ଘୋଷା।

ଜଗାଇ ମାରଇ ରାତିଯାକ

କେଳି-ଅଗାରେ ଲଗାଇ ବାଗ ଗୋ

ଦଗା ଦେଇ ମୋତେ ଭଗାରି ହସାଇ

ଲଗାଇ କଳଙ୍କ ଦାଗ ଗୋ ।୧।

 

ସରୁ ବାସ ମେରୁ ଗରୁ ହୋଇଯାଏ

ନ ରୁଚେ ଆହାର ଆଗ ଗୋ

ରସି ଚାହୁଁ ଚାହୁଁ ନୀପ ଉପରକୁ

ଖସି ପଡ଼େ ଫୁଲ ପାଗ ଗୋ ।୨।

 

ଓଟାରିଲେ ହେଲେ ଗୁରୁଜନଙ୍କର

ତରଜନମୟ ତାଗ ଗୋ

ମନମଥ-ଶର ଘନଶ୍ୟାମଳର

ହୋଇଯାଏ ଲାଗଲାଗ ଗୋ ।୩।

 

ଜଳନ୍ତର ପତି ବୋଲେ ଆଗୋ ଦୂତୀ

ଶ୍ୟାମରେ ନୁହ ବିରାଗ ଗୋ

ତାଙ୍କୁ ଭଜିବାରୁ ମରମରେ ମାରୁ

ପଛେ ମନମଥ ନାଗ ଗୋ ।୪।

 

(୧୪୪)

ରାଗ—ତୋଡ଼ି, ତାଳ—ରୂପକ

 

ପ୍ରମଦକୁଞ୍ଜର-ରାଜଗତି ରେ,

ତୁ ମୋ ଓଜଗଣ ଏ ଜଗତୀରେ

ମୋଠାରେ କରୁଣା ଆଚରିଲେ ଊଣା

ବୋଲାଇବୁ ନାହିଁଟି ଏ କ୍ଷିତିରେ ।।

ରତିପଣ୍ଡିତା, ମୁଁ ଚଣ୍ଡୀପତିରେ—

ଚଢ଼ାଇ ଚମ୍ପକ ଶୁଦ୍ଧମତିରେ

ତୋ ଚରଣ ଦାସ ବୋଲାଇବା ଯଶ-

କୁସୁମେ କରିଛି ପରିପନ୍ଥୀ ରେ ।୧।

 

ଆଭୀର ନଗରୀ ଶୋଭା ଭୂତିରେ,

ଗଭୀର ହୃଦୟା ଦୟାବତୀ ରେ ।

ବ୍ରଜେ ଥିବା ଆଉ ମିଳିବ ଯେ କାହୁଁ

ତୋହ ପରା ପ୍ରଭୁ ବସୁମତୀରେ ।୨।

 

ବଣାମୃଗନେତ୍ରା ଆଗେ ଭୀତିରେ –

ଜଣାଇଁ ନ ଜାଣେ ସବିନତିରେ

କରିଛି ମୁଁ ଅନୁମାନରେ ସୁତନୁ

ପରସନ ନୋହୁ ଅତି ସ୍ତୁତିରେ ।୩।

 

ନିପଟ କପଟଶୂନ୍ୟ ପ୍ରୀତିରେ—

କରିବାରୁ ତୁମ୍ଭ ଅଙ୍ଗୀକୃତିରେ

ଟେକାଇଛି ସୁଖ-ଦାୟିନୀରେ ଦେଖ

ସରସେନ୍ଦ୍ର ପଦ ଶ୍ୱେତଛତୀରେ ।୪।

 

ଶ୍ୟାମବାଣୀ ବିଳସନ୍ତେ ଶ୍ରୁତିରେ,

କିଶୋରୀ ଜମିଲେ ଲାଜେ ଛାତିରେ

କିଶୋର କିଶୋରୀ କର କୃପାଭର

ଅଷ୍ଟଦୁର୍ଗ ବସୁମତୀ-ପତିରେ ।୫।

 

(୧୪୫)

ରାଗ—କଲ୍ୟାଣ—ଏକତାଳି

 

ପ୍ରାଣସଜନୀ, ଘେନି ରାଣକୁ ଗୋ

ଶାଣ ଦେଇ ମଦନ, ବାଣଗଣରେ ପୁଣ,

ଜାଣ ନେବଟି ଆଜ ପ୍ରାଣକୁ ଗୋ ।

ଅକଳଙ୍କ ଶରଦ, ପରବ-ବିଧୁ ମଦ-

ଦଳନ ମୁଖ-ଦରପଣକୁ ଗୋ

ଦେଖାଇ ଥରେ ମୋତେ, ଅଧରୁ ମଧୁ ଯେତେ,

ଚଖାଇ କରା ପରିତ୍ରାଣକୁ ଗୋ ।୧।

 

ତାହାରି ଦୟାବଳ, ମଣିମୟ ମଞ୍ଜୁଳ-

ସ୍ତମ୍ଭ ଭୁଜ ପରିରମ୍ଭଣକୁ ଗୋ

ଟାକି ରହିଛି ମନ, ଢାଳିଣ ଅପଘନ,

କରିବି ଚୁମ୍ୱ ବରଷଣକୁ ଗୋ ।୨।

 

ଦ୍ରାକ୍ଷା ମଧୁ ମଧୁର, ସାକ୍ଷାତେ ଚାଟୁଗିର,

ବିଖ୍ୟାତ କରି ମୋ ଶ୍ରବଣକୁ ଗୋ

ଭିକ୍ଷା କରେ ସୁରତ, ଲକ୍ଷ ବିଧି ସବତ,

କକ୍ଷା କି ହେବ ସତୀ ପଣକୁ ଗୋ ।୩।

 

ମଦନ ଅମଳରେ, ରଦନକ କ୍ଷତରେ

କଦନ ଯେତେ ଦେଇ ଟାଣକୁ ଗୋ

ଭାଙ୍ଗିବା ଯାଏ ସହି, ଇଙ୍ଗିତେ ଦେବି ନାହିଁ,

‘ନାହିଁ’ ଭଙ୍ଗୀର ଆଚରଣକୁ ଗୋ ।୪।

 

ଅଭିନବ ମୁଦିର, ଶୋଭାକୁ ତ ନଜର,

ଗଭୀର ସେ ହଂସର ସ୍ନାନକୁ ଗୋ

କରିବା କାଳେ ଲଜ୍ଜା, ବରଜି ଦେଇ ମଜା,

ହେଲାଣି ତ ମଜ୍ଜିବା ଜଣକୁ ଗୋ ।୫।

 

ଚାରୁ ଚନ୍ଦ୍ରକ ଚୂଳ, ଶୋଭା ନେତ୍ର ଯୁଗଳ

ଚାହିଁ କଲି ଚଣ୍ଡୀବରଣକୁ ଗୋ

ଅନୁକମ୍ପା କି ହେବ, ନାହିଁ କି ଜଗଦ୍ଦେବ,

ପିତଳର ଗୁଣାର ଶୁଣାକୁ ଗୋ ।୬।

 

(୧୪୬)

ରାଗ—କୁମ୍ଭକାମୋଦୀ, ତାଳ-ଆଦି

 

ପ୍ରିୟସଖି କରିବି କି ବୁଦ୍ଧି ଗୋ,

ଗଲିନି ମୁଁ ଲାଜେ ସଢ଼ି ।

କେଉଁ ଗୁଣେ ରସି ନିକୁଞ୍ଜବିଳାସୀ

ମୋ ସ୍ନେହେ ଅଛନ୍ତି ବୁଡ଼ି । ଘୋଷା ।

ମୁଁ ତ ଯଉବନ ଗୁମାନେ ମଦନ

ମନ୍ଥର ଚାଲି ନ ଜାଣେ;

ମୋତେ ଜଳକେଳିଅଳସୀ

ମରାଳୀଗମନା ବୋଲନ୍ତି କେଣେ ।୧।

 

ବ୍ରଜେ କେତେ ବାମା ନାହାନ୍ତି

ସୁଷମା ସମ୍ଭାରେ ରମ୍ଭାରୁ ବଳି;

ସେ ଶିଖଣ୍ଡଚୂଳ ନୟନଅଞ୍ଚଳ

ଆନେ ତ ନ କଲା କେଳି ।୨।

 

ମୁଁ ଚାହିଁ ନ ଜାଣେ, ଲବେ ନେତ୍ରକୋଣେ

ନଚାଇ ଭୂରୁକୁ ଗେଲେ;

ତେବେ ପୀତପଟ ନଟଖଞ୍ଜରୀଟ-ନୟନା

ମୋ ନାମ ଦେଲେ ।୩।

 

ମନ ଜାଣିବାକୁ ଯେଉଁ ଦିନ

ଭଲେ ନ ମଜାଇ କଣ୍ଠଭୂଷା;

ବିଗୁଣ ନ ଘେନି ଦ୍ୱିଗୁଣ ସେ ଦିନ

କରନ୍ତି ଶୋଭା ପ୍ରଶଂସା ।୪।

 

ଏଥୁଁ ଅବା ଖେଦ ହେଉଛି କି ମୋଦ

ନ ଜାଣନ୍ତି ଆନ ସଖୀ;

କ୍ଷିତିପତିବୃନ୍ଦ-ମୁକୁଟ ମୁକୁନ୍ଦଦେବ

କେବଳ ମୋ ସାକ୍ଷୀ ।୫।

 

(୧୪୬) ନିକୁଞ୍ଜବିଳାସୀ—ଶ୍ରୀକୃଷ୍ଣ; ମନ୍ଥର—ଧୀର; ମରାଳୀ—ହଂସୀ; ସୁଷମା—ଶୋଭା; ରମ୍ଭା—ସ୍ୱର୍ଗବେଶ୍ୟା; ଶିଖଣ୍ଡଚୂଳ—ମୟୂରପୁଚ୍ଛଧାରୀ; ଖଞ୍ଜରୀଟନୟନା—ଖଞ୍ଜରୀଟ ପକ୍ଷୀପରି ଚଞ୍ଚଳ ନୟନ ଯାହାର ।

 

(୧୪୭)

ରାଗ—କରୁଣାଶ୍ରୀ

 

ପ୍ରିୟ ସଜନି ରେ ! ମରା ଯିବା ପରା

ଶ୍ୟାମ-ଗୋରା ପ୍ରୀତି ଘେନି ! ।୦।

ଟାଣି ଘେନି ଯାଉଛି କେ ଅଖିଳ ଇନ୍ଦ୍ରିୟ ?

ଜାଣି ହେଉ ନାଇଁ କି ହେଉଚି ଟି ହୃଦୟ !! ।୧।

 

‘ମାନସ’ ଅଶନ-ଭୂଷା-ବେଶେ ନ ମିଶିଲା;

ପ୍ରତିଦିଗେ ନୀଳମଣି ମୟୁଖ ଦିଶିଲା ।୨।

 

ଲଗାଇବ କି ବଲ୍ଲବ ଜାତିରେ ଦୂଷଣ

ସେ କେଳି କଦମ୍ୱକୁଞ୍ଜ-ମଣ୍ଡପ-ଭୂଷଣ ? ।୩।

 

ତନୁରୁ ‘ପତନ’, ନେତ୍ର ଯୁଗଳରୁ ‘ନିଦ’

ଦୂର କରାଇଲାଣି ସେ ନାଟୁଆ-ନୀରଦ ।୪।

 

ତେଣେ ‘କୁଳ ଧର୍ମ’ ବୋଲି ଅଛି ଏକ ‘ଦଣ୍ଡ’

ଏଣେ ନାଚୁଅଛି ହୃଦେ ଆନତ ଶିଖଣ୍ଡ ।୫।

 

ଚୂରୁଅଛି ଅଭିଳାଷ ମହୀଧର ଚୂଳ

ଗୁରୁଜନ – ଗରଜନ – କୁଳିଶ କନ୍ଦଳ ।୬।

 

ମଜ୍ଜ ତରୀ ମୋଦ – ସରିତରେ ଅଛି ଚାଲି;

‘ଲଜ୍ଜା’ ପ୍ରତିକୂଳ ବାତ ଆଣୁଅଛି ପେଲି ।୭।

 

ଜାଳି ଦେଉଅଛି ‘ବଳ’ – ବନ – ସ୍ମର – ଦାବ;

ଭାଳି ଭାଷେ ଅଷ୍ଟଦୁର୍ଗନାଥ ‘ଜଗଦ୍ଦେବ’ ।୮।

 

(୧୪୭)ଅଖିଳ—ସମସ୍ତ,ଅଶନ-ଭୂଷା-ବେଶେ—ଭୋଜନ-ଅଳଙ୍କାର ସାଜସଜ୍ଜାରେ,ନୀଳମଣୀ ମୟୂଖ—ଶ୍ରୀକୃଷ୍ଣଙ୍କ ଶ୍ୟାମଳ ଆଭା,ବଲ୍ଲବ ଜାତି—ଗୋପାଳ ଜାତି,ପତନ—ଉଦଯୋଗ ବା ପ୍ରଚେଷ୍ଟା,ନାଟୁଆ ନୀରଦ—ନୀଳ ମେଘବର୍ଣ୍ଣର ନାଟୁଆ ଶ୍ରୀକୃଷ୍ଣ, ଆନତ ଶିଖଣ୍ଡ—ଅବନତ ମୟୂରଚୂଳିଆ ଶ୍ରୀକୃଷ୍ଣ, ଗରଜନ କୁଳିଶ—ବଜ୍ରକନ ଗର୍ଜନ,ମଜ୍ଜତରୀ—ମଜ୍ଜିତ ପ୍ରେମର ଜାହାଜ,ସ୍ମରଦାବ—କାମାଗ୍ନି ।

 

(୧୪୮)

ରାଗ—କାମୋଦୀ, ଏକତାଳି

 

ଫୁଲ ମଲ୍ଳୀହାସୀ ରେ, ସତେ ତୁ କି ସାହସୀ ।ପଦ।

ଶୁଣିଥିବୁ ନୂତନା ଗରସ୍ତନା ପୂତନା,

ଲଭିଲା ଅରିଷ୍ଟରେ ସୁଖ ଯେଡ଼େ;

ତାକୁ ସୁଧା ମଧୁର ଗୁଣବନ୍ତ ଅଧର,

ପିଆଇବାକୁ କିପାଁ ବାଞ୍ଛା ଏଡ଼େ ।୧।

 

ସାତ ବରଷୁଁ ଯାର, ଅଣ୍ଟିଲା ନାହିଁ କର,

କମଳ କନିଷ୍ଠକୁ ଗୋବର୍ଦ୍ଧନ;

ପଡ଼ିଛୁ ତା ହାବୁଡ଼େ, ପୁଣି କାହିଁକି ଏଡ଼େ

ଉନ୍ନତ କୁଚାର୍ପଣେ ଅଭିମାନ ।୨।

 

ଚିରବଚାରୁ ପେଟ, ହେବାକାଳେ ଶକଟ

ହେଲାଟି ଯାହା ସେ ବିଲୋଳ ମୃଦୁ;

ନ ଥିଲା କିଛି, ଜଣା, ଏବେ ଯାଉଛି ଶୁଣା

ତୁ ପୁଣି ଚୁମ୍ୱି ତହିଁ ସ୍ତନେ ଲଦୁ ।୩।

 

ଚମରୁନେତ୍ରା ଶତ, ଚେଳ ଚୋରି ପଣ୍ଡିତ

ବୋଲି ପ୍ରସୁରିଅଛି ଯାହା ନାମ;

ଏକାକିନୀ ଅବଳା, ଚେଳହରଣ ଲୀଳା,

କି ଚିତ୍ର ଚିନ୍ତିଲେ ସେ ଘନଶ୍ୟାମ ।୪।

 

ହରିକ୍ଷାଣିରେ ନାନା ହରି ଗନ୍ଧକୁ ଯା ନା,

ବୋଲି ଯେ କହୁଥାଉଁ ବାରବାର;

ତନୁମଧ୍ୟ କିଶୋରୀ, ମନୁ ଦେଇ ପାସୋରି,

ସେ ସ୍ନେହ ସମ୍ପାଦୁଛୁ ଭାର ଭାର ।୫।

 

କହିଲେ ବସୁଦୁର୍ଗ, ବସୁଧାଚନ୍ଦ୍ର ସ୍ୱର୍ଗ

ମହେନ୍ଦ୍ର ସଖୀ ମୁଖୁଁ ଶୁଣି ଏହା;

ରଚି ସବ୍ରୀଡ଼ ହାସ, ଶ୍ରବଣ ଅବତଂସ,

ଡରାଇ ଉଞ୍ଚାଇଲେ ଚମ୍ପାଦେହା ।୬।

 

(୧୪୮)ଗରସ୍ତନା—ବିଷପୂର୍ଣ୍ଣ ସ୍ତନ ଯାହାର,

ଚମରୁନେତ୍ରା—ମୃଗନୟନା ।

 

(୧୪୯)

ରାଗ—ଗୁଜ୍ଜରୀ

 

ବନ୍ଧୁ ଅଦୋଷେ, ରସନା ରୋଷେ,

ଧରୁଛି ପଙ୍କଜପାଣି ।ଘୋଷା।

ଜନମରୁ ବୀଣାବଚନୀ ମୁଁ ଊଣା

ଜନ କି ନ ଜାଣୁ ତାହା ରେ,

ସ୍ମର-ଶର ଧାରେ, ସରିଲିଟି ବାରେ,

ଧନ ତୁ ନ ବୋଲୁ ଆହା ରେ ।୧।

 

କରିଥିଲୁ ପରା, ମୋତେ ଜବାଧରା,

ଜଣେ ତୋ ଚରଣ ଦାସୀ ରେ,

ଟିକିଏ ବିକଳା ହେଉ ନାହୁଁ

କଳାକୁନ୍ତଳା ନୂଆବୟସୀ ରେ ।୨।

 

ଅରଜିଛି ତୋତେ, ବନ୍ଧୁ କେତେ କେତେ

ଜନ୍ମେ ତପ କରି କାଶୀରେ,

ତୁ ଚିତ୍ତ ପଥରେ କଲେ ତ ଏଥର,

ଭଗାରିଏ ଦେବେ ହସି ରେ ।୩।

 

ସଖୀବନ୍ଧା ବେଣୀ ଫେଡ଼ି କୋଳେ ଆଣି,

ନ ଦେଲେ ମୁଁ ଖୋସା ଖୋସି ରେ,

କୃପା ଥାଉଁ ଚିତ୍ତେ, ତୁହି ପରା ମୋତେ,

ଗେଲେ ବସୁଥାଉ ରୁଷି ରେ ।୪।

 

ତେଡ଼େ ବଡ଼ ସ୍ନେହ, କି ଦୋଷରୁ କହ,

ତୋ ମନୁ ଯାଉଛି ଖସି ରେ,

ଜଗଦ୍ଦେବ ବୋଲେ, ଶ୍ୟାମ ଜଣାଇଲେ

ପଡ଼ି ଦୁଃଖ ଜଳରାଶିରେ ।୫।

 

(୧୫୦)

ରାଗ—ବେଗଡ଼ା—ଏକତାଳି

ବନ୍ଧୁଜୀବାଧରା ଭୂଶିର ଝରା ଆରେ । ଘୋଷା।

ସୁନ୍ଦର ସରସସ୍ମିତ—            ଅଧରେ କରି ସଞ୍ଚିତ

ପ୍ରସରାଇ ଦେ’ ସୁଧାକୁ ବସୁଧାରେ ।୧।

ଲାଗି ତୋ ଗହଣେ ସହି,      ମାଗିବାର ସିନା ଏହି

ଅନାଇଁ ମୁଁ ନାହିଁ ବିନା କରୁଣାରେ ।୨।

ଘେନି ମୋ ବିନୟ ଆଜି      ରାଜିବାକ୍ଷୀ କର ରାଜି

ରଣରଣ ଧରଣୀ ଖେଳକୁ ବାରେ ।୩।

ଅବଲମ୍ୱ ତୋତେ କରି      ଭବାରି ପୁରୁ ନ ଡରି

ମୋହନାରେ ଠଉରିଛି ତୋହ ନାଁ ରେ ।୪।

ନିଖିଳ ସୁଖ ସମାଜ            ନାଶନରୁ ମାନ ଲାଜ

କରି ଚାମରକେଶା କି ପରିଚାରେ ।୫।

ହରି ଗିରେ ଶ୍ରୀବଲ୍ଲଭୀ      ହରଷେ ଗଲେ ପଲ୍ଲବି

ନୃପ ଜଗଦ୍ଦେବ ଭଣେ ଶରଧାରେ ।୬।

 

(୧୫୧)

ରାଗ—ଏମନ କଲ୍ୟାଣ—ଆଦିତାଳ

 

ବନ୍ଧୁ ମୋ ଲାବଣ୍ୟସିନ୍ଧୁ କେବଳ ଧନ୍ୟ

ସିନ୍ଧୁର ଗତି ଗଣନାରେ । ଘୋଷା ।

ଜମ୍ଭ ଦଳନ-ଗଜ କୁମ୍ଭରୁ ତା ଉରଜ

ଊଣା କି ଗୋଟିଏ ଚିନାରେ ।୧।

 

ମନ୍ଦ ମଧୁର ହାସେ ଚନ୍ଦ୍ରିକାକୁ ଯାହା ସେ

ରୁନ୍ଧଇ କୁନ୍ଦଦଶନା ରେ ।୨।

ଇନ୍ଦୁକୁ ନିଜାନନେ ନିନ୍ଦୁଛି ପ୍ରତିଦିନେ

ସିନ୍ଦୂରାଧରା ନବୀନା ରେ ।୩।

 

ପଞ୍ଚ ନାରାଚ କୁନ୍ତ ଚଞ୍ଚଳ ତା ନେତ୍ରାନ୍ତ—

ମୂନରୁ ହୋଇବ ଖୂନା ରେ ।୪।

କୁନ୍ଦନିବିଡ଼ା ଚାରୁ କୁନ୍ଦନ ପ୍ରତିମାରୁ

ସୁନ୍ଦର ମୋ ଧନ ସିନା ରେ ।୫।

 

ବର କିଶୋରୀ ମୋତେ ତରକି ମୃଦୁଚିତ୍ତେ

ସୁନାରେ କରଇ ମିନା ରେ ।୬।

ଅଷ୍ଟଦୁର୍ଗେଶ ଭାଷେ ଶ୍ୟାମ ଏହା ମାନସେ

ଚିନ୍ତିଲେ ଯମୂନା କିନାରେ ।୭।

 

(୧୫୨)

ରାଗ—କାଫି, ଏକତାଳି

 

ବନ୍ଧୁ, ବାରିଲେକ ମୋତେ ଗୋ । ଘୋଷା ।

ଦୁଃଖସମାଜ ହଜିଲା ଆଜ ଦିନ

କି ସୁପ୍ରଭାତ ସତେ ଗୋ ।୧।

 

ମୁଁ ଜାଣି ନାହିଁ ଦେଲେ କି ଚାହିଁ

ଖେଳ ଅଞ୍ଚଳ ନୟନାନ୍ତେ ଗୋ ।୨।

 

ମୂରଲୀଧର ରମ୍ୟଅଧର ମନ୍ଦେ କି

ମଣ୍ଡିଥିଲେ ସ୍ମିତେ ଗୋ ।୩।

 

ମୁଁ ଅସଂଯତ ଥିଲି ଯେ ମିତ କିସ

ବିଚାରିଥିବେ ଚିତ୍ତେ ଗୋ ।୪।

 

ମୁଁ କି କରନ୍ତି ରେ କୁନ୍ଦଦନ୍ତୀ ଯେବେ

ସେ ଦେଖନ୍ତେ ଏକାନ୍ତେ ଗୋ ।୫।

 

ଥରେ ମଧୁର ତାଙ୍କ ଅଧରପାନ

ଦିଆଇବୁ କି ମୋତେ ଗୋ ।୬।

 

ପୂତ ନିଃସର୍ଗକୁ ଦୁଇ ଦୁର୍ଗ ମହୀ-ମହେନ୍ଦ୍ର

ବୋଲେ ଗୀତେ ଗୋ ।୭।

 

(୧୫୩)

 

ରାଗ—ଘଣ୍ଟାରବ

ବନ୍ଧୁ ! ମୋ’ ମନେ ସ୍ନେହ ନାହିଁ କି ରେ ? ।୦।

 

ଚରମେ ଯେ ଅପସର,

ଛାମୁରେ ଯେ ତୋ’ ମୁକୁର ରେ!

ତାହାକୁ ନ ଚାହୁଁ ଆଜି କାହିଁକି ରେ ? ।୧।

 

ଏ ବ୍ରଜେ ପ୍ରମାଦେ ହେଲେ

ଇତର ତରୁଣୀ ତୁଲେ ରେ !

ଲାଗିଲି ବୋଲି ଟାପରା ଟାହି କି ରେ ? ।୨।

 

କଦାପି କାମ ଅମଳେ ଓଷ୍ଠେ ଦନ୍ତ ବ୍ରଣ ହେଲେ

ଅପରାଧ ଘେନୁ ଥାଇ ତା’ହି କି ରେ ? ।୩।

 

ଦୋଷ ହେଲେ କ୍ଷମା କର କେଳତି ପ୍ରତିମା ମୋ’ର

ଦାସ ନାଶ-ରସେ ଅବଗାହି କି ରେ ? ।୪।

 

ଅଷ୍ଟଦୁର୍ଗନାଥ ଭାଷେ ‘ଶ୍ୟାମ’ କହିଲେ ସହାସେ ରେ!

‘‘ଏବେ ହେଁ ନ ଦେବୁ ଥରେ କାହିଁକି ରେ ?’’ ।୫।

 

(୧୫୩)ଚରମେ—ମସ୍ତକରେ,ଅପସର—ତକିଆ,ମୁକୁର—ଦର୍ପଣ,ପ୍ରମାଦେ ଭ୍ରମରେ,କଦାପିକେତେବେଳେ,କାମଅମଳେ—କାମୁକତାରେ,କେଳତି ପ୍ରତିମା—ମୋ ପାଖରେ ରତିଦେବୀ ସଦୃଶା,ନାଶରସେ ଅବଗ୍ରାହୀ—ବିନାଶ ରୂପକ ଜଳରେ ବୁଡ଼ି ।

 

(୧୫୪)

 

ବନଜାନନୀ ମନ ଜାଣି ତ ଲୀଳା ବହିଲା ରେ,

ଧନ ଯା’ ନିଧୂବନଯାକର ପୀଡ଼ା ସହିଲା ରେ ! ।୦।

କରକଶ କୁଚ ଅଚଳ ମୂଳ

ଖର କରୋରୁହ-ଶିଖର ଖେଳ

କୁସୁମବିଶିଖ ରଣ-ରସ-

ସୁଖ-ଧାରା ବହିଲା ରେ ! ।୧।

 

ମିଶି ମିଶି ଜିତ ତରୁଣ କୀର

‘‘ଇଷି-ଇଷି ରଖ ମଲିଟି’’ ଗିର

ହସି ହସି ରସି ରସି ନିଶିତ

ନେତ୍ରାନ୍ତେ କହିଲା ରେ ! ।୨।

 

ସ୍ମର ସମର ସଦୃଶ ବିଳାସ

ପରସନ୍ନ ମୁଖ ସରସ ହାସ

ଦରଶନର ହରଷ ମନ

ନିଶାନ୍ତେ ରହିଲା ରେ ! ।୩।

 

ରଜନୀ ଚରମ ସମୟ ଜାଣି

ଗଜନିଉଗତି ସରସ ବାଣୀ

ଅଜନିତ ରତି ରଣ ରଙ୍ଗେ ମୋ’

ଅଙ୍ଗେ ଶୋହିଲା ରେ ! ।୪।

 

‘‘କରୀଗତି, କର ପୀରତି’’ ଚିନ୍ତି ‘ହରି’

ମନରେ ଏପରି ଧରନ୍ତି;

କରି ଅନୁମତି ବସୁଦୁର୍ଗ

କ୍ଷିତି-ପତି କହିଲା ରେ ! ।୫।

 

(୧୫୪)ବନଜାନନୀ—ପଦ୍ମମୁଖି,ନିଧୁବନ ଯାକର—ସମୁଦାୟ ରତିକ୍ରୀଡ଼ାର,ଅଚଳ—ପାହାଡ଼,କରୋରୁହ-ଶିଖର ଖେଳ—ରତିକାଳୀନ ନଖ କ୍ଷତ,କୁସୁମବିଶିଖ—କନ୍ଦର୍ପ,ରଣରସ ସୁଖଧାରା—ରତିକ୍ରୀଡ଼ାର ସୁଖ ବା ଆନନ୍ଦଧାରା,କୀର—ଶୁଆ,ଗିର—ଭାଷା,ନିଶ୍ଚିତ ନେତ୍ରାନ୍ତେ—ତୀକ୍ଷ୍ଣ କଟାକ୍ଷରେ,ସ୍ମର ସମର—ରତିକ୍ରୀଡ଼ା,ନିଶାନ୍ତେ—ରାତି ଶେଷରେ,ଚ଼ରମ ସମୟ—ଶେଷ ବେଳ,ଗଜନିଶେଷ ବେଳ,ଗଜନିଭ ଗତି—ହାତୀ ପରି ଧୀର ଗତି,ଅଜନିତ—ଉତ୍ପାଦିତ ନ ହୋଇଥିବା

 

(୧୫୫)

ରାଜ—କନକଗୌଡ଼—ଆଠ ତାଳି

ବରନାଗରୀ, ଆଜ ଥରେ ହେବୁ ମୋ ପରି ରେ ।୦।

ଦୀପ ଥିଲେ କି ପରୁଆ ରେ ପ୍ରାଣବନ୍ଧୁଆ !

ଘେନ ତୁ ମୁଁ ତୋର କି ପରୁଆ ରେ ? ।୧।

ବିବସନ ବେଶୁଁ କି ଲାଜ, ରେ ରସିକାରାଜ !

ଦିବସ କାଳ ତ ନୁହେଁ ଆଜ ରେ ।୨।

ରଟୁ କଳାପ କିଙ୍କିଣି, ରେ ତରୁଣୀମଣି !

କେ ଆସିପାରେ କି ତାହା ଶୁଣି ରେ ।୩।

ବୁଜିଥିବି ମୁଁ ମୋ ଆଖି, ରେ ବଣା ମୃଗାକ୍ଷୀ !

ଚାହିଁଲେ ମୋ ଅଙ୍ଗେ ଯିବୁ ଲାଖି ରେ ।୪।

ଦେଖାଇବି ଦରପଣ ରେ ତୁ ରଣରଣ-

ରଣେ କର ବାହାଦୁର ପଣ ରେ ।୫।

ଶ୍ୟାମ ଗିରେ ବାଳା ରସେ, ବ୍ରୀଡ଼ା ବିଳାସେ

ବସୁଦୁର୍ଗ ପୁରନ୍ଦର ଭାଷେରେ ।୬।

 

(୧୫୬)

ରାଗ—ହୁସେନ୍, ଆଦିତାଳ

 

ବରନାରି ! ଗୁମାନ ମନେ ଧର ନା ରେ ।ପଦ।

ଅମ୍ୱୁଜ ନେତ୍ର ସାଞ୍ଜନ, ଆମ୍ବୁ ନ ବରଷ ଧନ,

କମ୍ୱୁକଣ୍ଠି ଜାମ୍ୱୁନଦ ବରନା ରେ ।୧।

 

ନ ଖେଳ ମୋ କୋଳ ରସେ,

ସଖେଦେ ମାନସରୋଷେ,

ନଖେ ଧରା ଚିରିବାର କର ନା ରେ ।୨।

 

କର ବଦନେ ପ୍ରକାଶ, ପରବ ଚନ୍ଦ୍ରିକା ହାସ,

ଗରବ ଗିରିକି ମୋର ଚୂର ନା ରେ ।୩।

 

କୀରାଧିପଭାଷୀ ଆସ, ବିରାଜୁ କୁଞ୍ଜନିବାସ,

ଧୀରା ମୋରେ ନିରାଶ ଆଚର ନା ରେ ।୪।

 

ଅନ୍ତର ରଖି ଭିଡ଼ିବି, ଯନ୍ତର ହୋଇ ଜଡ଼ିବି,

ଦନ୍ତର ବ୍ରଣ ନୋହିବ ଡର ନା ରେ ।୫।

 

ଗାଳି ପଛେ ଦିଅ ପଦେ, ମାଳି ହୁଅ ତୁ ମୋ ହୃଦେ,

କାଳିନ୍ଦୀରେ ପଡ଼ିବାର କର ନା ରେ ।୬।

 

ରାଧାକୃଷ୍ଣ ପଦ ଭାବି, ବିରଚିଲେ କବିରବି,

ନରନାଥ ଜଗଦ୍ଦେବଙ୍କର ନାଁ ରେ ।୭।

 

(୧୫୭)

Unknown

ରାଗ—କାମ୍ୱୋଜୀ—ଏକତାଳି

ବରଜି ନ ପାରେଁ ଘନଶ୍ୟାମ ପ୍ରୀତି ଗୋ । ଘୋଷା ।

ସରସିଜମୁଖୀ ଚାହୁଁ, ବରସିଜ ମୁଖେ କହୁ,

ମରଜି ହୁଅଇ, ଯାଉ ପଛେ ଜାତି ଗୋ ।୧।

ଗେଲେ ଚାଟୁ କହିବାର, ମଲେ ନ ଯିବ ପାଶୋର

ହେଲେ ହେଉ ଏ ବଜାରେ ଅପଖ୍ୟାତି ଗୋ ।୨।

ଗୁରୁଜନ ତରଜନା, କରୁଥିବେ କି ଶୋଚନା

ସରୁ ଦିନ କେବଳ ତା ରସେ ମାତି ଗୋ ।୩।

ନିନ୍ଦିଲେ ନିନ୍ଦିବେ ଜନେ, ଇନ୍ଦିବର ନେତ୍ରମୁନେ

ବିନ୍ଧିଦେଲେ ସମ୍ଭାଳି ପାରେ କି ଛାତି ଗୋ ।୪।

ପରଜନ ବୋଲେ ପଡ଼ି, ମରମରୁ ଦେଲେ ଛାଡ଼ି

ଦରଜିଆ କରିଦେବ ରତିପତି ଗୋ ।୫।

ପତି ଅଷ୍ଟଦୁର୍ଗ ଭଜେ, ନିତି ତାର ପଦରଜେ

ପତି ସିନା ଉଗ୍ରସେନା ନୃପତି ନାତି ଗୋ ।୬।

 

(୧୫୮)

ରାଗ—ରଣବିଜେ

 

ବଳା ନା ସ୍ନେହ କଳାନାଗରେ,

ସରିଯିବୁଟି ରଜନୀ ଜାଗରେ । ଘୋଷା ।

ଦେଖୁଛୁ ତ ଗର୍ବକୁଟିଳ ଚାଲି,

ଭୁଜଙ୍ଗପୁଙ୍ଗବ ମୁଁ ସିନା ବୋଲି ।୧।

 

ତାହାର ଅତି ପ୍ରୀତି କଳାପୀରେ,

ତହୁଁ ବହଇ ତା କଳାପ ଶିରେ ।୨।

 

ମୁରଲୀଧ୍ୱନି ଦମ୍ଭ ଗରଜନ,

କେ ସହିବ ନୋହି ମୋହିତ ମନ ।୩।

 

କଲେ ତା ଭୋଗେ ଅଭିଳାଷ ଲବ,

ଅଣ୍ଟିବ ନାହିଁଟି ବନପଲ୍ଲବ।୪।

 

ଘାରି ହୋଇ ସରିଯିବୁ ସଦନେ,

ବଂଶୀ ଦେବ ଯେବେ ବଂଶୀବଦନେ ।୫।

 

କବିମାର୍ତ୍ତଣ୍ଡ ରାୟଗୁରୁ କହେ,

ଗଜ ଚରମେ କାହା ସ୍ନେହ ନୋହେ ।୬।

 

(୧୫୮)ଭୁଜଙ୍ଗପୁଙ୍ଗବ—ସର୍ପଶ୍ରେଷ୍ଟ ଓ ବିଟଶ୍ରେଷ୍ଟ,କଳାପୀ—ମୟୂର ଓ ବିରହିଣୀ,ଗଜଚରମ—ହାତିପିଠି ।

 

(୧୫୯)

ରାଗ—ପୂରବୀ

 

ବଂଶୀଧାରୀ, ସରି ଯିବନି

ଜୀବନେ କିଶୋରୀ ହେ । ଘୋଷା ।

ବିରହରେ ସଖୀ ହୋଇଛି କାତର,

ସରୁ ସରିଲାଣି ସରୋଜ ପତର,

ଦେଖିଲି ସଖୀର କଣ୍ଠରେ ମାତର,

ଜୀବନକୁ ଅଛି ଧରି ହେ ।୧।

 

ଲାଗୁ ନ ଥିଲା ମୋ କରକୁ ନାଟିକା,

ସଜନୀମାନେ ଦେଖି ହେଲେ ତାଟକା,

ଧାଇଁ ଅଇଲି ନ ସହି ତାଙ୍କ ଡକା,

ଥିବ କି ଯିବନି ସରି ହେ ।୨।

 

ନାସାଗ୍ରତେ ତୂଳା ଦେଲେ ତତପର,

ନ ଚଳିଲା ପରି ଦିଶିଲା ନାଗର,

ସଜନୀମାନେ ବସିଣ ସେହି ପୁର,

ହା ରାବରେ ଥିଲେ ପୂରି ହେ ।୩।

 

ତୁମ୍ଭ ଭଳି ଯେବେ ନୋହିଲା ପାତର,

ପଚାରୁଛି ଶ୍ୟାମ ନ ଦିଅ ଉତ୍ତର,

ଅନ୍ତର୍ଗତେ ଯେବେ ଥିଲାଟି ଅନ୍ତର,

ଚିତ୍ତ କିପାଁ କଲ ଚୋରି ହେ ।୪।

 

ଲାଗିଥିଲେ ଜବାଧରୀର ସେବାରେ,

ଆସ ହେ ରାଜୀବନେତ୍ର ଯିବା ବାରେ,

ହଟି ବସିଅଛି ପରାଣ ନେବାରେ,

ପାପୀ କାମ ଯମ ସରି ହେ ।୫।

 

ଦିନବନ୍ଧୁ ଥାଉଁ ବିରହ-ତୁଷାର,

ନାଶ କଲେ ପଦ୍ମିନୀକି ଏ ଅସାର,

ବୋଲେ କବିରବି ସାର କି ଅସାର,

ହସିବେ ସିନା ଭଗାରି ହେ ।୬।

 

(୧୬୦)

ରାଗ—ତୋଡ଼ି—ଆଠତାଳି

 

ବାଜିବା-ଭୂଷା ପଦରାଜୀବ ଯୁଗଳରେ

ଆଜି ବରବରନା ଭରନା ରେ । ଘୋଷା ।

ଛଣା ମଧୁବଚନା ଜଣାଣ ବୋଲି ସିନା

ଜଣାଇ ଦେବେ ସେ ତୋହର ନାଁ ରେ

ଦଳା କସ୍ତୁରୀ ଘନେ ବୋଳାଅ ଅପଘନେ

ଧଳା-କଳାପ ମନେ ଧରନା ରେ ।୧।

 

ନିକୁଞ୍ଜକୁ ସଜନୀ ଆଜ ଯିବା ରଜନୀ

ମୁଁ ଆଗେ ଅଛି ପଛେ ଡରନା ରେ ।୨।

 

କହେ ଶ୍ରୀ ଜଗଦ୍ଦେବ ନିନ୍ଦା ସଫଳ ହେବ

ବ୍ରଜେ ତୋ ନାମେ ବଂଶୀଧର ନାଁ ରେ ।୩।

 

(୧୬୧)

ରାଗ—ସାବେରୀ—ଏକତାଳି

 

ବାରବାର ତୁ ପରିଚାର-ଜନକୁ ଗୋରୀ

ନ ମାର ସ୍ମର-ଶର ଧାରରେ ।।

ଭରମ ବଶେ ହେଲେ—ମୋର ଦୋଷ ଦିଶିଲେ

କରନ୍ତୁ ସିନା ପ୍ରତିକାର ରେ ।୧।

 

ଅମ୍ୱୋଜନେତ୍ରା ଜାଣ—ଦମ୍ଭୋଳିର କଷଣ,

ଯୋଗ୍ୟ କି କିଶଳୟ ଛାର ରେ ।୨।

 

ଅଗାଧ ନୋହୁ ମାନ—ଲଗା ମୋ ଉରେ ସ୍ତନ

ଅଗାର ନ ପୂରାଅ ଗାର ରେ ।୩।

 

ଘେନ ଧନ ମାନସେ—ଯେ ନଳିନୀକୁ ହସେ

ସେ ନୟନୁ କି ଅଶ୍ରୁଧାର ରେ ।୪।

 

ସଲିଳ ଗତି ଭଙ୍ଗୀ—ବଲ୍ଲୀ କମନୀୟାଙ୍ଗୀ

ମଲିଟି ମଦନ ବେଜାରରେ ।୫।

 

ଶ୍ରୀ ଜଗଦ୍ଦେବ ଭାଷେ—ଶ୍ୟାମ ବିନୟ ତୋଷେ

କିଶୋରୀ କଲେ ଅଙ୍ଗୀକାର ରେ ।୬।

 

(୧୬୨)

(ରାଗ-ମୁଖାବରୀ)

 

ବାଳାବର ରେ, ଶଙ୍ଖକଣ୍ଠି ତୁ ସଙ୍ଖାଳି ମୋର ରେ ।

ନ ଥାଇ ତୁ କୋଳେ କି ସମ୍ପତ୍ତିବଳେ ଇନ୍ଦ୍ର ହେଲେ

ସୁରେଶ୍ୱର ରେ । ଘୋଷା ।

ଚନ୍ଦ୍ରମା ଚନ୍ଦନ କଳକଣ୍ଠ ସ୍ୱନ

ମିଳିନ୍ଦବୃନ୍ଦ ଝଙ୍କାର ରେ ।

ଏବେ ମୁଁ କଟାକ୍ଷ ଫିଙ୍ଗୁ ନାହିଁ

ପକ୍ଷ ହେବାରୁ ତୁ ଅହଙ୍କାର ରେ ।୧।

 

ସୁରଭି ଋତୁ ତା ମରୁତ ମରୁ ତ ଜୀଉ

ତ ସେ ମୋ କିଙ୍କର ରେ ।

ତରୁଣୀ ତୋତେ ମୋ ଧନ କଲେ

ଯହୁଁ କରୁଣାନିଧି ଶଙ୍କର ରେ ।୨।

 

ଅସୁର ସୁରଙ୍କ ରମ୍ୟ ଦ୍ରବ୍ୟ ରଙ୍କ

ପଣ ଶୁଣି ସିନ୍ଧୁ ଜୂର ରେ ।

ମୋ ପାଇଁ ତୁ ଲୁକି ଯତନେ ଥିଲୁ

କି ଲାବଣ୍ୟ ପୀୟୂଷପୂର ରେ ।୩।

 

ସୁଲକ୍ଷଣ ବଧୂମାନଙ୍କର ମଧୁ

ଥାଏ ଜାଣି ରଦାମ୍ୱର ରେ ।

ପୂରିଅଛି ତୋର ପ୍ରପଦୁଁ ଚିକୁରପାଶ

ଯାଏ ସୁଧାଝର ରେ ।୪।

 

ଫୁଲା ମନମଥ ଗୁଲାମରୁ ମୋର

ଏଣିକି ଆଉ କି ଡର ରେ ।

ଝୁଲା ମଞ୍ଜୁଳ ତୋ ଲଲାମ ଛବି

କି ସଲାମ ସହସ୍ରେ ଥର ରେ ।୫।

 

ଏପରି ପ୍ରଶଂସାମୃତ ସ୍ଫୁରୁ

କଂସାହିତ ମୁଖଶଶଧର ରେ ।

ଅଷ୍ଟଦୁର୍ଗପତି ରଚିଲେ ଶ୍ରୀମତୀ

ସଙ୍କୁଚିଲେ ଲଜ୍ଜାଭର ରେ ।୬।

 

 

(୧୬୨)କଳକଦଣ୍ଠସ୍ୱନ—କୋକିଳଶବ୍ଦ,ମିଳିନ୍ଦବୃନ୍ଦ—ଭ୍ରମର ସମୂହ,ସୁରଭି ଋତୁ—ବସନ୍ତ କାଳ,କିଙ୍କର—ଚାକର,ପୀୟୂଷପୁର—ଅମୃତ ପ୍ରବାହ,ରଦାମ୍ୱର—ଅଧର,କଂସାହିତ—ଶ୍ରୀକୃଷ୍ଣ,ଶଶଧର—ଚନ୍ଦ୍ର

 

(୧୬୩)

ରାଗ—କାନନଗୌଡ଼ା, ତାଳ—ତ୍ରିପୁଟା

 

ବିଧାତା କି ନ କରଇ ଗୋ,

ଏକେ ନବୀନ ପ୍ରୀତି, ତହିଁ ବିଦେଶେ ପତି

ଏ ତ ଘୋର ବିପତ୍ତି ଏଥି ମୋର କି ଗତି ।ପଦ।

 

ମନେ ଥିଲା ଯାହା ତାହା ନୋହିଲା ଗୋ,

ଯାହା ନ ଥିଲା ତା ମନେ ହେଲା ଗୋ;

ଏବେ ପିକବଚନ, ମନ୍ଦ ମଧୁ ପବନ,

ମଧୁର ଭୃଙ୍ଗସ୍ୱନ ଦହୁଛନ୍ତି ଜୀବନ ।୧।

 

ଆଲିଙ୍ଗନେ ମୋର ଅନ୍ତର ଡରେ ଗୋ,

ପ୍ରିୟ ନ ରଖନ୍ତି ତରେ ହାର ଗୋ;

ଏବେ ମଧୁରେ ପୂରି ରହିଲା ବନଗିରି,

ଆହା ମୋତେ ପାସୋରି ରହିଲେ ମଧୁପୁରୀ ।୨।

 

ପ୍ରିୟ ଥିଲେ ଏ ମଧୁ ରଜନୀ ଗୋ,

କେଉଁ ସୁଖ ନ ଦିଏ ସଜନି ଗୋ,

କହି ମୋତେ ବଚନ କରନ୍ତେ ସେ ଗମନ ତାଙ୍କ

ପଛେ ଦହନ, ନ ଗଲା ଏ ଜୀବନ ।୩।

 

ଯେବେ ହେଲେ ଏ ଜୀବନ ଯାଉ ରେ,

ପ୍ରୀତିଭଙ୍ଗ କଳଙ୍କ ନ ଥାଉ ରେ,

ଚିନ୍ତି ଏବେ ସେ ରୀତି, ଫାଟି ଯାଉଛି ଛାତି,

ନ ସରେ ଦିବାରାତି ପ୍ରୀତି ହେଲା ବିପତ୍ତି ।୪।

 

ଏହା କରମରେ ମୋର ଥିଲା ଗୋ,

ପ୍ରୀତି ଏତେ ସରିକି ତ ଗଲା ଗୋ,

ଏସନେ ସଖୀ ଶୁଣି, ଦୁଃଖେ କହନ୍ତି ବାଣୀ,

ଆସିବେ ବେନୁପାଣି, ହରିଚନ୍ଦନ ଭଣି ।୫।

 

(୧୬୪)

ରାଗ—ସାବେରୀ, ଏକତାଳି

 

ବିଧାତା ରେ, କି କାଳେ କି ଦଣ୍ଡ ଦେଲୁ ଆଣି,

ମୁଁ ଯିବି ବୋଲି ବିଦେଶ ବନ୍ଧୁ ଛାମୁରୁ

ନିଦେଶ ନେବାକୁ କହିବି କେହି ବାଣୀ । ଘୋଷା ।

ଯେବେ ମୁଁ ପ୍ରବଳ ଦୁଃଖ-ଭରରୁ ଶୁଖାଇ ମୁଖ,

ମାନସ ଯୋଡ଼ିକି ଜାଣି ପାଣି,

ପଲକେ ଜୀବନ ଧରି ପାରିବ କି ସେ

କିଶୋରୀ-ସୀମନ୍ତମଣିଙ୍କ ସାମନ୍ତଣୀ ।୧।

 

ପ୍ରଳୟ ସମୟ ଭୟ କମ୍ପାଇ ଦେବ ହୃଦୟ,

କି ବଞ୍ଚିବ ତେଡ଼େ ମୃଦୁ ପ୍ରାଣୀ,

ସେହିକ୍ଷଣି ଯିବ ଭାଜି, ରୋହିଣୀରମଣରାଜି,

ରାଜୀବାକ୍ଷୀଜିଣା ମୁଖ ଠାଣି ।୨।

 

ଥରାଇ ଓଷ୍ଠପଲ୍ଲବ, ଚରଣ ନଖେ

ଚିରିବ ଧରଣୀ ବରଷି ନେତ୍ରୁଁ ପାଣି,

ମାନସ ସରରୁ ତାର, ସନ୍ତାପଧୀବର ବର,

ଧଇର୍ଯ୍ୟ ଝଷକୁ ନେବ ଛାଣି ।୩।

 

ଆଚରୁ ଏହା ଯା ମନ୍ଦ, ଏଥିରୁ ବଡ଼ ପସନ୍ଦ,

କରେ କରି କୃପାଣକୁ ଶାଣି,

ନ ଥାଉ ଥାଉ ବା ଦୋଷ, ଲଭ ବା ଯଶ ଅଯଶ,

ଦେବାର ଶିରକୁ ମୋର ହାଣି ।୪।

 

ପରାର୍ଦ୍ଧଧିକ ମୋହର ଠାରୁ ତ ବଳେ ମୋହର,

ପ୍ରାଣପ୍ରିୟା ବୋଲି ଜାଣି ଜାଣି,

ଦେହେ ପ୍ରାଣ ବହି ରହି, ତା ଛାମୁ ଛାଡ଼ିବି କେହି,

କହେ ଜଗଦ୍ଦେବ ଭୂପମଣି ।୫।

 

(୧୬୪)ଝଷ—ମାଛ,କୃପାଣ—ଖଡ଼୍‍ଗ,ମୋହର —ସ୍ୱର୍ଣ୍ଣମୁଦ୍ରା

 

(୧୬୫)

ରାଗ—ମୁଖାବରୀ, ତାଳ—ଆଠତାଳ

 

ବିମ୍ୱାଧରା ରେ, ବିଶ୍ୱମ୍ଭରା ଦେବୀ ଚମ୍ପାଝରା ରେ ।

ବନ୍ଧୁ ତୁ ମୋ ଛାତି ବିଭୂଷଣ ମୋତିସୋରି

କି ଦୁଃଖପାସୋରା ରେ ।ପଦ।

 

ବଳାରାତି ବଇଜୟନ୍ତ ପ୍ରାସାଦ

ବିଳାସିନୀ ତାରା ରେ,

ବେଶସୁରସିକା ତୁ ଶରଦରାକା-

ରଜନୀ ଚନ୍ଦ୍ରମା ପରା ରେ ।୧।

 

ବିଲୋକି ଯା ମୋତେ ଉଠି ଲାଜସ୍ମିତେ

ହେଉ ରମ୍ୟରଦାମ୍ୱରା ରେ,

ବିଶେଷରେ ପୂତ କରୁ କି ରେ ମିତ

ମୋ ମାର୍ଗକୁ ସୁଧାଛରା ରେ ।୨।

 

ବିଧିରେ ଗିରିଜାରମଣଙ୍କ ପୂଜା କରି

ଚମ୍ପାପରମ୍ପରାରେ, ବୋଲାଏ

ମୁଁ ବରବରନାପ୍ରବର ତୋ

କରପଇଠ ଧରା ରେ ।୩।

 

ବୀଣା-ବାଦନ-ପ୍ରବୀଣା ପଣରେ

ତୋ ଗଣନା ପ୍ରଥମ ଗିରା ରେ,

ବିଶ୍ୱବିମୋହନ ଗୁଣେ ତୁ ମୋ ଧନ

ଧୀରାଙ୍କ ଲଲାମ ହୀରା ରେ ।୪।

 

ବୋଲେ ଜଗଦ୍ଦେବ ସଙ୍କୋଚନ୍ତେ ବାଳା

କିଶୋରଙ୍କର ପଚରାରେ,

ବିଜେ ହେଉ ବଲ୍ଲୀମନ୍ଦିରକୁ ବୋଲି

ଆଳୀ କହେ ଆଖିଠରା ରେ ।୫।

(୧୬୫)ବିଶ୍ୱମ୍ଭରା—ପୃଥ଼ିବୀ, ଚମ୍ପାଝରା—ଚମ୍ପାଫୁଲର ଗଚ୍ଛ, ମୋତିସୋରି—ମୋତହାର, ବଳାରାତି—ଇନ୍ଦ୍ର,ବର—ଶ୍ରେଷ୍ଠ, ବଇଜୟନ୍ତ—ବୈଜୟନ୍ତି ବା ଇନ୍ଦ୍ରପୁରୀ,ରାକା—ପୂର୍ଣ୍ଣିମା, ରମ୍ୟରଦାମ୍ୱରା—ସୁନ୍ଦର ଅଧର ବିଶିଷ୍ଟା, ସୁଧାଛରା—ଅମୃତ ସେଚନ, ଚମ୍ପାପରମ୍ପରାରେ—ଚମ୍ପାଫୁଲି ସମୂହ ଦ୍ୱାରା, କରପଇଠ—ହାତ ଭାର ।

 

(୧୬୬)

ରାଗ—ତୋଡ଼ି ପୁନ୍ନାଗ—ଝୁଲା

 

ବିଳାସିନୀ ଶିରଗଭା,

ବେଶ ବିନା ହେଲେ ବସୁଧାମଣ୍ଡଳେ

ବିଞ୍ଚି ଦେଉଥାଉ ଶୋଭା । ଘୋଷା ।

ବୋଲନ୍ତି ଯେ ଇନ୍ଦୁ ଇନ୍ଦୁ,

ବଦନ ସୁଷମା ସମ ସେ କି ହେବ

ସ୍ମିତେ ତା ବୃନ୍ଦକୁ ନିନ୍ଦୁ ।୧।

 

ଦେଶାଦ କି ନୀଳୋତ୍ପଳ

ବିଶ୍ୱକେତୁ ବାଣାବଳିରୁ ବଳେ

ତୋ ବଜ୍ରେ ନୟନାନ୍ତ ଖେଳ ।୨।

 

ବାସବ-ମଣି କିରଣ,

ବାସହୀନ କେଶତୁଲ୍ୟକୁ କି ଛାର

ପାମର ଚାମରଗଣ ।୩।

 

ବକ୍ଷୋଜ କୁମ୍ଭ ଯୁଗଳି,

ବଡ଼ ବଡ଼ ଗିରି ବଡ଼ାଇକି ଜୁରି

ପକାଉଅଛି ପ୍ରବଳି ।୪।

 

ବନ୍ଧୁକ-ବନ୍ଧୁ ଅଧରା

ବର୍ଣ୍ଣନ୍ତି ଉଦର ଟିକିଏ ହେଲେ

ସେ ତୋହଠାରେ ନାହିଁ ପରା ।୫।

 

ବିସ୍ତରତର ନିତମ୍ୱ

ବନିବ ଅବନୀ ଚାମୀକର ଯେବେ

ହେବ ବାଣ ଅନୁବିମ୍ବ ।୬।

 

ବଡ଼ ମୃଦୁ ପାଣି, ପାଦ,

ବିଭାତର ସଜ ଲାଲ କି ଲାଲଜ

ବ୍ରଜତୁଲେ କରେ ବାଦ ।୭।

 

ବଲ୍ଲୀଗୃହ ସାମନ୍ତାଣୀ

ବାଣୀବକ୍ରଠାଣି ନ ପାରନ୍ତି ଜାଣି

ତୋର ବାଣୀ ଠାକୁରାଣୀ ।୮।

 

ବସିଥିଲେ ମାତ୍ର କୋଳେ

ବ୍ରହ୍ମବଳପର ଦୁଇପଦ ମୋର

ପଡ଼ିଥାଏ ପଦତଳେ ।୯।

 

ବ୍ରଜେନ୍ଦ୍ର ନନ୍ଦନ ଗେଲେ

ବ୍ରୀଡ଼ାରସେ ପଡ଼ି ରାଧା ଗଲେ

ବୁଡି ନୃପ ଜଗଦ୍ଦେବ ବୋଲେ ।୧୦।

 

(୧୬୭)

ରାଗ—ସାବେରୀ

 

ବୁଡ଼ି ପ୍ରୀତିରେ, ହୁଡ଼ି ପଡ଼ିଗଲି ପରମାଦେ ଅତି ।ପଦ।

ମନ ଛନ ଛନ ନିରନ୍ତରେ, ନ ରହିଲା ଆନ ବିଷୟରେ,

ପୂର୍ଣ୍ଣ ବେନି ନେତ୍ର ନୀରଭରେ,

କ୍ଷୀଣ ହୋଇଗଲା ଅତି ତନୁ ନିତି ନିତି ।୧।

 

ନ ପାଇଲି ମୁଁ ସୁଖକୁ ଲେଶେ,

ଅନୁଭବ ଦୁଃଖ ତ ବିଶେଷେ,

ନିମିଷକ ତ ହେଲା ବରଷେ ଶୁଣି

ରହିଲିଣି ଲାଜେ ପୁଣି ଅପଖ୍ୟାତି ।୨।

 

ଦଗ୍‌ଧ ହେଲା କାମାନଳେ ଦେହ,

ସହି ନୁହେ କି କରିବି କହ,

ଦଣ୍ଡ ଦଣ୍ଡକେ ହେଉଛି ମୋହ, ରହୁ ନାହିଁ

କେତେ ରୂପେ ବୋଧ କଲେ ଧୃତି ।୩।

 

ହେଲି ଜୀବନରେ ମୁଁ ନିରାଶ,

ଦେଲି ଭଗାରିଙ୍କ ମୁଖେ ହାସ,

ନେଲି ଅକାରଣେ ଏ ବୟସ, ହାସ

ବିଳାସ ବେଶରେ ରହୁ ନାହିଁ ମତି ।୪।

 

ବସୁଦୁର୍ଗ ଭୂପ ରସେ ଭଣି,

ଏହା ବିଚାରେ ଗୋପ ରମଣୀ,

ଆହା ବିହି କି ବିହିଲା ଆଣି,

ଜାଣି ନ ପାରିଲି ବେନୁପାଣି କୂଟ ରୀତି ।୫।

 

(୧୬୮)

ରାଗ—ଧନାଶ୍ରୀ

 

ଭଜ ଭଜ ମନ, ‘ବ୍ରଜ’-ମହିଳା ମୋହନକୁ,

ଶକୁନ୍ତ-ସନ୍ତତି ମହୀ-ମହେନ୍ଦ୍ର ବାହନକୁ ।୦।

 

ବ୍ରଜପୁର ପୁରନ୍ଦର ମନ୍ଦିର ମଣ୍ଡନକୁ,

ଦଣ୍ଡଯୋଗ୍ୟ ସୁରଶତ୍ରୁ ମଣ୍ଡଳ ଖଣ୍ଡନକୁ ।୧।

 

ଯଦୁ ବଂଶ ଅବତଂସ ଅମୂଲ୍ୟ ରତନକୁ,

ଭୂମି-ଆଦି ଚତୁର୍ଦ୍ଦଶ ଲୋକ ନିକେତନକୁ ।୨।

 

‘ହର’ କରି ନ ପାରନ୍ତି ଯା’ର ଦରଶନକୁ,

ମହାପାପ ଧନଞ୍ଜୟ ପୁଞ୍ଜ ନବଘନକୁ ।୩।

 

ତାପଭୟ-ତୃଣଚୟ ପ୍ରଳୟ ଦହନକୁ,

ମୁନି-ଜନ ମନ ମୃଗ ତମାଳ ଗହନକୁ ।୪।

 

ସେହି ପ୍ରଭୁ କୃପାରୁଟି ଧରି ସ୍ୱର୍ଗେ ସ୍ଥାନକୁ

ରାମଚନ୍ଦ୍ର ଦେବ ବୋଲେ ‘‘ନ ଭଜ ରେ ! ଆନକୁ’’ ।୫।

 

(୧୬୮) ଶକୁନ୍ତ-ସନ୍ତତି ମହୀ-ମହେନ୍ଦ୍ର—ପକ୍ଷି ସନ୍ତାନ ଗରୁଡ଼ାସନ, ପୁରନ୍ଦର ମନ୍ଦିର—ଇନ୍ଦ୍ର ଭୁବନ,ସୁରଶତୃ—ଅସୁର,ମଣ୍ଡଳ—ସମୂହ,ଚତୁର୍ଦ୍ଦଶ ଲୋକ—ଚଉଦ ଭୁବନ,ମହାପାପ-ଧନଞ୍ଜୟ—ମହାପାପ ରୂପକ ଅଗ୍ନି,ଗହନ—ବଣ ।

 

(୧୬୯)

 

ମଜ୍ଜ ମନ! ‘ମଧୁ’ହାରୀରେ

ମଞ୍ଜୁଳ କୁଞ୍ଜ-ବିହାରୀରେ,

ମଦନ-ମଦସାଳସା ଗୋପ-

ଯୋଷା-ମୋହନ, ମୁରଲୀଧାରୀରେ ।୦।

 

ମୁନି-ମାନସ ସଞ୍ଚାରୀରେ, ମକର କୁଣ୍ଡଳ-ହାରୀରେ,

ମୟୂର ଚନ୍ଦ୍ରକ ଚାରୁ ଚୂଳେ,

ଲୋକ ନିବହ-ଶୋକ ନିବାରୀରେ ।୧।

 

ମଲ୍ଲ, ଦିତି-ସୁତମାରୀରେ, ମହୀଭାର ଦୂରକାରୀରେ,

ମହେନ୍ଦ୍ର ରତନ ଶ୍ୟାମଳ ଶ୍ରୀଅଙ୍ଗେ,

ମଖଶାଳାର ଭିକାରୀରେ ।୨।

 

ମିଥ୍ୟା ପ୍ରପଞ୍ଚ ଭଗାରିରେ, ମନୁଭବ ଅବତାରୀରେ,

ମହାପାପ ଯାକ ପ୍ରବଳ ଅନୀକ

ଛଟାଛେଦ ତରବାରୀରେ ।୩।

 

ମନୀଷୀ ମତାନୁସାରୀରେ

ମହିମ-ବାରଣ-ବାରିରେ,

ମହୀରାୟ ‘ଛୋଟରାୟ’ର ମାନସ-ମୀନ

ସମୁଦୟ-ବାରିରେ ।୪।

 

(୧୬୯) ମଧୁହାରୀ—ମଧୁରାକ୍ଷସ ବିନାଶକାରୀ, ମଦନମଦସାଳସା—କାମନିଶାରେ ନିବିଷ୍ଟା,ମକର କୁଣ୍ଡଳହାରୀ—ମକରକୁଣ୍ଡଳ ଓ ହାର ପିନ୍ଧିଥିବା,ମୟୂରଚନ୍ଦ୍ରକ—ମୟୂରପୁଚ୍ଛ,ଲୋକନିବହ—ଲୋକସକଳ, ଦିତିସୁତମାରୀ—ଦୈତ୍ୟକୁଳ ବିନାଶକାରୀ, ମଖଶାଳା—ଯଜ୍ଞମଣ୍ଡପ,ମନୁଭବ—ବ୍ରହ୍ମାଙ୍କ ପୁତ୍ର, ପ୍ରବଳ ଅନୀକ—ବଳିଷ୍ଠ ଯୋଦ୍ଧାକୁଳ, ଛଟାଛେଦ—ବଡ଼ିମାକୁ କାଟିବା,ମହିମ-ବାରଣ-ବାରିରେ—ମହତ୍ତ୍ୱ ରୂପକ ହସ୍ତୀ ପକ୍ଷରେ ଜଳ,ମହୀରାୟ—ରାଜା,

 

(୧୭୦)

ରାଗ—ପୂରବୀ—ଆଠତାଳି

ମନ୍ଦ ବାରଣଗତି କିଶୋରୀବର,

ପଦବାରିଜେ ମଣ୍ଡ ଲତା-ମନ୍ଦିର, ଧନ ରେ ।୦।

ନୀଳ ତନୁରେ ଘନେ ଚପଳା ରଙ୍ଗେ

ମିଳି ତରୁଣୀମଣି ଶ୍ୟାମ ଶ୍ରୀଅଙ୍ଗେ ।୧।

ପଚା ରତନେ ମିଶା ପରିରମ୍ଭରେ

ନଚା ରସିକା, ପୃଥୁ କୁଚକୁମ୍ଭରେ ।୨।

ଅରୁଣାଧରୁ ସୁଧା ପିଆଇ ଦିଅ

କରୁଣାନିଧି କିଛି ଦିଆଇ ଦିଅ ।୩।

ଯଉବନ ସମ୍ପତ୍ତି ତୁଲେ ଲାବଣ୍ୟ

ହେଉ ବସୁଧା ଲୋକେ ତୋହର ଧନ୍ୟ ।୪।

ଆକାର-ହୀନ ମାର ଜୟ ପତାକା

ରାକା-ରମଣମୁଖୀ ଛଡ଼ାଇ ପକା ।୫।

ଚାଲୁଁ କେଶରୀମଧ୍ୟା ଧୀରେ ଏ ଗିରେ

ବାଲୁକେଶ୍ୱର ନୃପ ବର୍ଣ୍ଣନା କରେ, ଧନ ରେ ।୬।

 

(୧୭୧)

 

ମନ୍ଦରାଦ୍ରି ଉରଜା କୁନ୍ଦକଳି କରଜା,

ସୁନ୍ଦରୀ ରାଜା ଅନା ଫେରି ଅନା ରେ । ଘୋଷା ।

 

ସମ୍ପଦ ତୁହି ମୋର ଚମ୍ପକ ମଦଭର,

ସମ୍ପାକ ଅଙ୍ଗ ସଙ୍ଗ ଦେଉ କି ନା ରେ ।୧।

 

ଶଙ୍କର ପରତୀକ୍ଷ କଙ୍କ ପତ୍ରକୁ ଲକ୍ଷ୍ୟ

ପଙ୍କଜାକ୍ଷି ମୋ ବକ୍ଷ ହେବ କି ନା ରେ ।୨।

 

ବିମ୍ୱବିଜୟୀ ରଦନାମ୍ୱରେ ସେ ମୋଦ

ଚୁମ୍ୱକୁ ମୋ ଭରସା ଦେଉ କି ନା ରେ ।୩।

 

ମୋତେ ଅନ୍ତର କରୁ ଆରେ ହେବ ରମ୍ଭୋରୁ,

ଅନ୍ତରଙ୍ଗ କେ ଅଛି ତୋହ ବିନା ରେ ।୪।

 

ଭାଷଇ ଜଳନ୍ତର-ବାସବ କୃଷ୍ଣଗିର

ରାସମଣ୍ଡନା ଶୁଣି ତୋଷମନା ରେ ।୫।

 

(୧୭୨)

ରାଗ—ଆହାର, ଆଠତାଳ

 

ମନ୍ଦ ମଳୟାନିଳ ବହିଲା,

ଚନ୍ଦ୍ରବଦନା ଦୂରେ ରହିଲା ।ପଦ।

ଖଇ ନୂଆ ଚୂତ ବକୁଳକୁଳ,

କଳକଣ୍ଠ କରେ ଯା କଳକଳ,

କରି କଳକଳ ପ୍ରବାସୀ ବିକଳ

କରିବ ବୋଲି ବୋଇଲା ।୧।

 

ଅଙ୍କଜଗତିରେ ପଙ୍କଜମୁଖୀ,

ପହୁଡ଼ିଲେ ମୋର ହୁଏ ଯେ ସୁଖୀ,

ମୃଦୁ ସରସିଜ କିଶଳୟ ଶେଯ

ଧନକୁ ଯୋଗ୍ୟ ହୋଇଲା ।୨।

 

ଆହା ତାହା ସାହା ବାରେ ମୋତେ,

ବନରୁ ଚମ୍ପକମାଳା କିଞ୍ଚିତେ,

ମନମଥବଶେ ଏବେ ସେ ଅବଶେ

ଦୁଃସହ ଦୁଃଖ ସହିଲା ।୩।

 

ପଲ୍ଲବକୁ ଦଣ୍ଡଧର ରସନା,

ବଲ୍ଲୀରୁ କିଶୋରୀ ମଣିବ ସିନା,

କିଂଶୁକସ୍ତବକ ଅନଳ ଯାବକ

ତୁଲ୍ୟ ତ ଦେହ ଦହିଲା ।୪।

 

ଭଣିଲେ ଅଷ୍ଟଦୁର୍ଗ ପୁରୁହୂତ,

ଦୁଃଖ ତେଜିଲେ ବ୍ରଜରାଜସୁତ,

ମୃଦୁଳ କନ୍ଦଳୀ ବ୍ରଜେ ଦେଲେ

ଦଳି ହେବାର ବିହି ବିହିଲା ।୫।

(୧୭୨)କନ୍ଦଳୀ—ଭୂଇଁ କଦଳୀ,ପୁରୁହୂତ—ଇନ୍ଦ୍ର,ଦଣ୍ଡଧର—ଯମ,ଯାବକ—ଅଳତା

 

(୧୭୩)

ରାଗ—ଭୈରବୀ—ଆଡ଼ତାଳି

 

ମନ୍ଦହାସେ ସନ୍ଦେହକୁ ରଖା ଏ ମାନସେ ରେ । ଘୋଷା ।

ମୁଁ କୁଳବଧୂ ମୋ ପାଶକୁ ନ ଆସ,

ବୋଇଲେ ସେ ଯାହା ମୁଖେ ଦେଇ ବାସ

ଶରଦଚନ୍ଦ୍ରରୁ ନବ ସୁଧାରସ

ଛାଣିଲା ପରି ଆଭାସେ ରେ ।୧।

 

ଉଛୁର ହେଲାଣି ବେଳ ହେ ମୋହନ,

ନିରୋଧ ନକର ମୋହର ଗମନ

ବୋଲି ଲୀଳାବତୀ ଖେଳାଇ ନୟନ

ଫେରି ଅନାଇବା ବେଶେ ରେ ।୨।

 

ଯାଅ ଚନ୍ଦ୍ରାବଳୀ ପାଶେ ଘନଶ୍ୟାମ,

ବିନ୍ଧୁଛି ତୁମ୍ଭଙ୍କୁ ଯେବେ ଏବେ କାମ

ବୋଲି ସେ ଯେ ନବ ବନ୍ଧୁକ ବିଦ୍ରୁମ

କୋକନଦ ରଦବାସେ ରେ ।୩।

 

ଯାଉଛି ହେ ହରି ତୁମ୍ଭର ପାଶରୁ,

ନିବରତ ମୋର ସୁରତ ଆଶରୁ

ବୋଲିଣ ବାଣୀ ସଙ୍ଗୀତ ଚାରୁତରୁ

ଭଙ୍ଗେ ଅଙ୍ଗୀକାର ବଶେ ରେ ।୪।

 

କହେ ଜଗଦ୍ଦେବ ଶ୍ୟାମକୁ ରାଜୀବ-ନୟନା

ଦେଖାଇ ବିଚକ୍ଷଣ ଭାବ

କପଟ ପଟକୁ ଆଚ୍ଛାଦିବା ଭାବ

ନିର୍ମଳ ସୁଧା ପରଶେ ରେ ।୫।

 

(୧୭୪)

ରାଗ—ସୁରଟ

 

ମନ ଜମି ଯା, ସିନ୍ଧୁଜେମା ପ୍ରାଣଧନେ,

ସିତପଙ୍କଜନୟନେ ।ପଦ।

ରମ୍ୟଯାନପଦକରେ, ମୁନି ହୃଦ ପଦକରେ ।୧।

ଶରଣାଗତ ବନ୍ଧୁରେ, କରୁଣା ସୁଧାସିନ୍ଧୁରେ ।୨।

ଦୀନଜନ ବିଭବରେ, ନୀଳାଦ୍ରି କଣ୍ଠୀରବରେ ।୩।

ଦଳିତ କଳୁଷପୁଞ୍ଜେ, ଇନ୍ଦ୍ରବନ୍ଦ୍ୟ ପଦକଞ୍ଜେ ।୪।

ନିଗମ କୁଞ୍ଜ କୁଞ୍ଜରେ, ଭବ ଭୟାଳୁ ପୁଞ୍ଜରେ ।୫।

ଛୋଟରାୟ ଦେବ କହେ, ଦୁଃଖତମର ବିଗ୍ରହେ ।୬।

 

(୧୭୪)ଜମି ଯା—ଏକୀଭୂତ ହୋଇ ଯା,ସିତ—ଶୁକ୍ଳ,ରମ୍ୟଯାନପଦକର—ଚକ୍ରଧାରଣକାରୀ

 

(୧୭୫)

ମନ ବିନା, ତ ନବୀନା,

ଆନ ସ୍ଥଳେ ନ ଖେଳିଲା ରେ ।ପଦ।

ମଞ୍ଜୀର ମଞ୍ଜୁ ଶିଞ୍ଜିତ କାଳେ ଥରୁଥିଲା ଝରା କି ଚଞ୍ଚଳେ

ମନମଥ, ରଣରଥ, ପରି ସିନା ସେ ଚଳିଲା ରେ ।୧।

ଶ୍ରୁତିମୋତି ଝୁମ୍ପ କମ୍ପୁଥିଲା, ତାକୁ ନେତ୍ରାଞ୍ଚଳ ଝାମ୍ପୁଥିଲା

ଧରାଚକ୍ର, ମୋତେ ଶକ୍ର—ରାଜଧାନୀରୁ ବଳିଲା ରେ ।୨।

ମାନସରେ କି ସଙ୍କଳପିଲା, ହସି ଆଳିକି କି ଆଳପିଲା

ମୋ ଆଡକୁ, ଚିଆଡ଼କୁ ପରି କଟାକ୍ଷ ଚାଲିଲା ରେ ।୩।

ଜଗତି ଯୁବତୀ ଚମ୍ପାଗଭା, ଜନନୟନମଣ୍ଡନ ଶୋଭା,

କିଶୋରୀ ସେ, କି ସୋରିଷେ, ହେଲେ ସ୍ମରଣ ଟଳିଲା ମା ।୪।

ଆଦରଶ ସେ ସୁନ୍ଦରୀଙ୍କର, ତା ଦରଶନ ଲାଭରୁ ମୋର

ମରମରେ, ମାର ମାରେ, ତହୁଁ ହୃଦୟ ଜଳିଲା ରେ ।୫।

ଜଗଦ୍ଦେବ ବୋଲେ ଶ୍ୟାମଚିତ୍ତ, ଜାଣି ଜଣାଇଲେ କେହି ମିତ

ତୁମ୍ଭ କାମ, ସ୍ମରଦ୍ରୁମ, କୃଷ୍ଣ ଅବଶ୍ୟ ଫଳିଲା ରେ ।୬।

(୧୭୫)ଚିଆଡ଼—ଶର,ବାଣ ।

 

(୧୭୬)

 

‘ମନ’ ବିନା ତ ନବୀନା ନ ଖେଳିଲା ଆନେ ।୦।

ଶିଶୁ ଶଫରୀ ଚଞ୍ଚଳ ସୁନୀଳ ଲୋଚନାଞ୍ଚଳ

ନଚାଇ କି ଅନାଏଁ ଗୁମାନେ ? ।୧।

 

କି ସୁନ୍ଦର ବର କମ୍ପା ତାଟକ ମୁକୁତା ଝୁମ୍ପା

ଅବଦଂସ ‘ଇନ୍ଦୀବର’ ମାନେ ।୨।

 

ମୋ ଚାଟୁ ପାଟବେ ରସି କେଉଁ ଦିନୁଁ ସ୍ନେହେ ହସି

ତୋଷିଲା ଅଧର-‘ମଧୁ’ ପାନେ ।୩।

 

କରି ମୋ’ ତୁଲେ ବିବାଦ କି ମାନବ କଣ୍ଠ-ନାଦ

ମିଶାଏ ମୁରଲୀ ମୃଦୁ ଗାନେ ? ।୪।

 

ଜରତୀର ‘ନେତ୍ର’ ତୁଲେ ‘ବାସର’ ବିଧ୍ୱଂସ ହେଲେ

ମିଳନ୍ତା ମୋ ଅଙ୍କେ ସବୁ ସ୍ଥାନେ ।୫।

 

ଅଷ୍ଟଦୁର୍ଗନାଥ ବୋଲେ ଏତେ ଚିନ୍ତି ଆରୋହିଲେ

‘ହରି’ ‘ରାଧା’ –ସଉଧ-ସୋପାନେ ।୬।

 

(୧୭୬)ମନ ବିନା... ଆନେ—ଅନ୍ୟ ପ୍ରକାରେ ନୁହେଁ,କେବଳ ମନ ମଧ୍ୟରେ ଖେଳିଲା;ଶିଶୁ ଶଫରୀ—

ସାନ କେରାଣ୍ଡିମାଛ,ଅବତଂସ—କର୍ଣ୍ଣଭୂଷଣ,ଇନ୍ଦୀବର— ନୀଳକଇଁ,ମାନେ—ଶୋଭା ପାଏ,ଜରତୀ—ବୃଦ୍ଧା ଶାଶୁ ଅର୍ଥରେ,ବାସର ବିଧ୍ୱଂସ ହେଲେ—ଦିନ ଶେଷ ହୋଇ ରାତ୍ରି ଆସିଲେ ।

(୧୭୭)

ମନ ମଜ୍ଜି ଯା ରେ, ବ୍ରଜ ମହିଳାନାଥରେ ।

ପରଚଣ୍ଡ ଯମଦଣ୍ଡ ହେବ ମନା ଥରେ ।୦।

ପୀତ ପେଶଳ ବାସ ସୁସ୍ୱର ଗୀତ କେଳି କଳାପରେ

ଧୃତ ବଲ୍ଲବ ମଣ୍ଡଳୀ ପୁରୁ-ହୂତ ଲୋଚନ ପାପରେ

ନୂତନାର୍ଭକ କୌତୁକାହତ ପୁତନା ଭବ ତାପରେ

ହୃତ ଜଗତ୍ତ୍ରୟ ଭୟକୃତ ବିଳାପରେ ।୧।

 

ଅଙ୍ଗଣାନ୍ତର ରିଙ୍ଗଣେ ସ୍ମିତ ଲଙ୍ଗଳାୟୁଧ ସଙ୍ଗରେ

ସଙ୍ଗତୈବ୍ରଜ ବାଳକୈର୍ଭୁଜ ସଙ୍ଗତେ କୃତ ଭଙ୍ଗରେ

ଭଙ୍ଗି ଖେଳଦ ପାଙ୍ଗ ବର୍ଦ୍ଧିତ ରଙ୍ଗ ଯୋଷିଦନଙ୍ଗରେ

ମୁନି-ମନ-ସରସୀ-ବିଳାସ-ଚକ୍ରାଙ୍ଗରେ ।୨।

 

ହଂସଜାତଟ କେଳି ଲମ୍ଫଟ ବଂଶଜାତ ନିନାଦରେ

ପଙ୍କଜ ପ୍ରତିମାନନେ କଳି ପଙ୍କଲୋପ କୃତାଦରେ

ଜମ୍ଭବୈରି ଶିରୋମଣି ପରି-ରମ୍ଭ ଶୋଚିତ ପାଦରେ

କଳିତ ସେବକ ଲୋକବର ପ୍ରସାଦରେ ।୩।

 

ମଞ୍ଜୁ ବଞ୍ଜୁଳ ବଲ୍ଲୀ ନଭୃତ କୁଞ୍ଜ ମନ୍ଦିର ପୁଞ୍ଜରେ

ଅଞ୍ଜନାଶିତ ଭାଷି ବିଦ୍ରୁମ ମଞ୍ଜରୀକୃତ ପୁଞ୍ଜରେ

କଞ୍ଜସମ୍ଭବ ଦେବ ମାନସ ଖଞ୍ଜରୀଟକ ପଞ୍ଜରେ

ରମାସ୍ତନ ଯୁଗ ସୁକୃତ ପୁଞ୍ଜରେ ।୪।

 

କୁନ୍ଦ ସୂନସ-ମାନ ମାଦକ      ମନ୍ଦହାସ ଯୁତାଧରେ

ଦ୍ୱନ୍ଦ କଳ୍ପିତ ମନ୍ଦପାଦପ      କନ୍ଦ କୌଣପ ବାଧରେ

ଚନ୍ଦନାଗୁରୁ ସାର ସୌରଭ      ବୃନ୍ଦ ସଂପଦଗାଧରେ

ବଂଶବଟ ନିକଟ ନାଟୁଆ ବେଶ ଧରେ ।୫।

 

ଚଣ୍ଡ ଦୀଧିତି ମଣ୍ଡଳ ଦ୍ୟୁତି      କୁଣ୍ଡଳାଂଚିତ ଗଣ୍ଡରେ

ମଣ୍ଡଳୀଭବ ଦଣ୍ଡ ପୁଷ୍ପକ       ରୁଣ୍ଡ ତୁଲ୍ୟ ପିଚଣ୍ଡରେ

ହଣ୍ଡ ମାନସ ମୁଲ୍ଲସ ଭୁଜ      ଦଣ୍ଡ ନିର୍ଜିତ ଶୁଣ୍ଢରେ

ଭୁବନ ମଣ୍ଡଳ ନୀଳରତନ ଖଣ୍ଡରେ ।୬।

 

ଅନ୍ତରଂଗତ ଭାବ ମଜ୍ଜଳ       ସନ୍ତତାର୍ଦ୍ର ହୃଦନ୍ତରେ

ଅନ୍ତକୋଭବ ଭୀତି ବାରଣ      ମନ୍ତନାମ୍ନି ସୁଶାନ୍ତରେ

କ୍ଷାନ୍ତ ପାତକୀ ଯତ୍ର ସନ୍ତତି      ମନ୍ତ୍ର କାନ୍ତ ଦୃଗନ୍ତରେ

ନୃପ ରାମଚନ୍ଦ୍ର ବୋଲେ ନିରନ୍ତରେ ।୭।

 

(୧୭୭) ପେଶଳ—ମନୋହର, କଳାପ—ସମୂହ, ବଲ୍ଲବ—ଗୋପାଳ,ଗୁରୁଦୂତ—ଇନ୍ଦ୍ର, ନୂତନାର୍ଭକ—ନୂଆ ଶିଶୁପୁତ୍ର, ଅଙ୍ଗଣାନ୍ତର—ଘରବାହାରେରିଙ୍ଗଣେ—ଚଲାବୁଲାରେ,ଲଙ୍ଗଳାୟୁଧ—ବଳରାମ,ପାଙ୍ଗ ମନ୍ତ୍ରଶକ୍ତି,ଯୋଷିତ୍+ଅଙ୍ଗନରେ=ଯୋଷିଦନଙ୍ଗରେ—ରମଣୀ ପ୍ରେମରେ,ହଂସଜାତଟ—ଯମୁନାତଟ, ଜମ୍ଭବୈରି—ଇନ୍ଦ୍ର, ବଞ୍ଜୁଳ ବଲ୍ଲୀ—ବେତସ ଲତା,ସୂନ—ଫୁଲ, କୌଣପ—ଅସୁର,ଗାଧରେ—ଲୋଭରେ,ଦୀଧିତି—କିରଣରେ,ପିଚଣ୍ଡରେ—ପେଟରେ,ଦୃଗନ୍ତରେ—ଦୃଷ୍ଟିରେ

 

(୧୭୮)

ରାଗ—ବେଗଡ଼ା—ତ୍ରିପଟା

 

ମନୋହାରୀ ହାରି ନ ଯିବା ପରି ଆଚର

ନ ଯିବାରୁ ବାରିଜାକ୍ଷ ହେ କରେଁ ଗୋଚର । ଘୋଷା ।

ମଧୁଗନ୍ଧ ଲୋଭୀ ଭ୍ରମରେ      କୁସୁମ ଚୁମ୍ଭିବା କ୍ରମରେ

ଚୁମ୍ୱବଟି ବିନା ଶ୍ରମରେ, କାମ ସମରେ ।୧।

 

ସୁକୁମାରୀ ସେ ନ ଡରିବ      ଆଶ୍ୱାସୀ ଅଙ୍କରେ ଧରିବ

ସୁରତନୁ ଯେବେ ବରିବ, ଚେଳ ହରିବ ।୨।

 

ପଡ଼ି ଅସଙ୍ଗତି କଦନେ      ଘାରି ଯେ ହେଉଛି ମଦନେ

ବ୍ରଣ ନୋହିବଟି ବଦନେ, ରଦଛଦନେ।୩।

 

ଭୁଜାନ୍ତେ ସେ ଯେବେ ପଡ଼ିବ      ମୃଦୁଳ ସ୍ୱରସେ ଜଡ଼ିବ

କୁସୁମହାର ନ ଛିଡ଼ିବ, ଯେବେ ଭିଡ଼ିବ ।୪।

 

ଜଗଦ୍ଦେବ ବୋଲେ ଗୀତରେ      ଏପରି ଆଳି ଇଙ୍ଗିତରେ

ଶ୍ୟାମ ସଙ୍କୋଚିଲେ ଚିତ୍ତରେ, ଦରସ୍ମିତରେ ।୫।

 

(୧୭୯)

 

ମନୋହାରୀ ରେ

ନିୟମରେ ତ ମୁଁ ନାହିଁ ହାରି ରେ ।

ପରଖିବାରେ ତ ଜାଣିଛୁ, କାହିଁକି

ନ ରଖିବୁ ନଉକରିରେ ।୦।

 

କସିତ ଅଛି ମୁଁ      ମତେ ତୋ ରୋମାଳୀ

ଅସିତ ଭୂଜଙ୍ଗୀ ଧରିରେ

ସମ୍ଭାଳିଛି ଦେହ ତୋ କୁଚ ସ୍ୱୟମ୍ଭୁ

ଶମ୍ଭୁ ଯୁଗ ଛୁଇଁ କରିରେ ।୧।

 

ଅଲଗା କରି ଚୁମ୍ୱଇ            ପାନ ବୋଳ

ନ ଲଗାଇ ଗୁଣ୍ଡ ଭରିରେ

ଏଟି ଏକ ଦିବ୍ୟ            ବିଧି ଜାଣ ନବ୍ୟ

ପୁଟ ପୁରଟ ଗଉରୀରେ ।୨।

 

ମୋହ ପାଇଁ ଓଷା            ନିୟମକୁ ଯୋଷା

ରତନ ଥିଲୁ ଆଚରି ରେ

ଅଧର ମଧୁ ମୁଁ            ପିଇଦେଲି ସିନା

ଅଧରମକୁ ନ ଡରି ରେ ।୩।

 

ସପରାଗ ତଳେ            ନ ପହୁଡ଼ ମୋର

ଅପରାଧ ଥିଲା ପରିରେ

ହରଇ ପଛକେ            ରଖ ସାଢ଼ିଲାଗି

କରାଇବାର ଚାକରିରେ ।୪।

 

ବସୁଦୁର୍ଗ ପତି            ଭାଷେ ଏ ଭାରତୀ

ହସ ବଲ୍ଲବ କିଶୋରୀରେ

କହି ଭଲା ମନ            ମୋହି ପାରେ ଧନ

ବୋଲେ ଗେଲେ ସ୍ନେହେ ପୂରିରେ ।୫।

 

(୧୭୯)ଅସିତ ଭୁଜଙ୍ଗୀ—କଳା ସର୍ପିଣୀ,ସ୍ୱୟମ୍ଭୂ—ଶିବ,ପୁରଟ—ସୁନା,ବସୁଦୁର୍ଗପତି—ଆଠଗଡ଼ ରାଜା,ବଲ୍ଲବ-କିଶୋରୀ—ଗୋପାଳୁଣୀ

 

(୧୮୦)

ରାଗ—କାମୋଦୀ, ତାଳ—ଏକତାଳୀ

 

ମନା ମୁଁ କରୁଥିଲି ଏହାକୁ ଗୋ,

ଅନା ନା ବୋଲି ବନରାହାକୁ ଗୋ,

ଅନାଦର ମୋ ଗିରେ, କଲା ଯେ ଏବେ ସ୍ମରେ,

ଲଭିଲା ଦୁଃଖ ହେଲା କାହାକୁ ଗୋ । ଘୋଷା ।

କୁଞ୍ଜ ସଞ୍ଚାରୀ ଶ୍ୟାମ, ଦେବତା ପରାକ୍ରମ,

ଜାଣେ ବଳଇ ରତିନାହାକୁ ଗୋ;

ସାହସୁଁ ସିନା ସୁଖୀ, କି ଯୋଗେ ଦେଲା ଯୋଖୀ,

ନବନୀତେ ତପତ ଲୁହାକୁ ଗୋ ।୧।

ଯେବେ ଏ ଚାନ୍ଦମୁହୀଁ, ଶ୍ରବଣ ଦେଇ ନାହିଁ,

ନାଟୁଆ ଚାଟୁ ବଂଶୀକୁହାକୁ ଗୋ;

ତେଜି ହଁସୁଲିତୂଳି, କରନ୍ତା କି ସଙ୍ଖାଳି,

ସଲିଳସିଞ୍ଚା ସର୍ବଂସହାକୁ ଗୋ ।୨।

ଗହବ ଚମ୍ପା ଧଣ୍ଡା, ନିର୍ମିତ ଗଜଶୁଣ୍ଡା-ଦଣ୍ଡକୁ

ନିନ୍ଦି ଚାହିଁ ଯାହାକୁ ଗୋ;

ବିଶେଷେ ବିସନାଳ ଦିଶିଲାଣି ପୃଥୁଳ,

ଆଉ କାହିଁଛି ସେହି ବାହାକୁ ଗୋ ।୩।

ଗହବ ଚମ୍ପା ଧଣ୍ଡା ନିର୍ମିତ ଗଜଶୁଣ୍ଡା

ଦଣ୍ଡକୁ ନିନ୍ଦି ଚାହିଁ ଯାହାକୁ ଗୋ;

ବିଶେଷେ ବିସନାଳ ଦିଶିଲାଣି ପୃଥୁଳ,

ଆଉ କାହିଁକି ସେହି ବାହାକୁ ଗୋ ।୩।

କଳାକେଶରୀ ବାଳୀ, ଧୃତି-ଦନ୍ତୀକୁ ଦଳି,

ଦେଲାଣି ଆସି ମନୋଗୁହାକୁ ଗୋ;

ଥରକେ ଯେବେ ଲୋକ,ନୋହିଲା ଜାଗରୂକ,

କହିବା କେତେ ତୁହା ତୁହାକୁ ଗୋ ।୪।

କବିମିହିର ରାୟ, ଗୁରୁ କହଇ ଭୟ,

ଲାଗୁଛି ଦେଖି ଚିତ୍ତେ ଏହାକୁ ଗୋ;

ଜାଣି ପାରିଲେ କଂସ, ପେଷି କରିବ ଧ୍ୱଂସ,

ଜଟିଳାସୁତଘରବୁହାକୁ ଗୋ ।୫।

 

(୧୮୦)ରାହା—ପଥ,ହଂସୁଲି ତୂଳି—କୋମଳ ଶଯ୍ୟା,ସର୍ବଂସହା—ପୃଥିବୀ,ଗହବ—ଗହଳିଆ,ଗଜଶୁଣ୍ଡାଦଣ୍ଡ—ଚମ୍ପାଫୁଲରେ ନିର୍ମିତ ଗଜଶୁଣ୍ଡାକୃତି ପୁଷ୍ପରଚନା ବିଶେଷ,ବିସନାଳ—ମୃଣାଳ

 

(୧୮୧)

ରାଗ—ବିଳାହୁରି—ଆଦିତାଳ

 

ମସାରକେଶା ସୁଦୃଶା ଗଲି,

କଳାକୁଶଳା କୋମଳା ଅଳ୍ପ ଚାହାଁ ରେ

ବଳା ଅବଳା ଭୂଷା ମୋ ସୁଖ ରାହା ରେ । ଘୋଷା ।

ମାଖନତନୁ ଶ୍ରୁତି ପାଖରେ ଭାଷି—

ଆଖରେ କପଟ କଲା ଖଳ ଆସି

ତା ଖଚକୁ କଲୁ ହୃଦୟ ବିଳାସୀ କହିବି କାହାରେ ? ।୧।

 

ଖଞ୍ଜନ ମଦଉର-ଭଞ୍ଜନ ନେତ୍ରୀ—

କଞ୍ଜ ସମୁଦୟ ସୁବାସିତ ଗାତ୍ରୀ

ଅଞ୍ଜନ ନିଭଚିକୁରା ରସଗାତ୍ରୀ ଗଲାଟି ଲାହା ରେ ।୨।

 

ସାସସିତ ମଦନବାଣ କଟାକ୍ଷା—

ଜାସ ନୁହଟି ଅବୁଝାଣ ସୁଦକ୍ଷା

ଆଶ କରିବି ପରମାଣ ପରୀକ୍ଷା ହିରଣ୍ୟଦେହା ରେ ।୩।

ଅମ୍ୱର କଟି ସରୁ ଚୁମ୍ୱନ ଦାନେ—

ବିମ୍ୱ ସଦୃଶ ଦଶନାମ୍ୱର ପାନେ,

 

ଶାମ୍ୱର ଦଳନ କଳମ୍ୱକୁ ଧାନେ ନ ମିଳୁ ସାହାରେ ।୪।

ନନ୍ଦ ତନୟ ପଟୁ ଚାଟ-ବିଳାସେ

କୁନ୍ଦକୁ ରସନିଧି କଳିଲେ ସେ

ବନ୍ଦନ କରି ହରି ଚନ୍ଦନ ଭାଷେ ଏ ରସେ ଏହା ରେ ।୫।

 

(୧୮୨)

ରାଗ—ବଙ୍ଗଳାଶ୍ରୀ

 

ମାନ ଅବା ଲାଜ, ନ ଜାଣିଲି ଆଜ, ମୁଖଚନ୍ଦ୍ର ନୁଆଇଲୁ ।

ଆନ ପକାଇଲି ଅନେକ ମୋ ଗିର

କାନପାଖକୁ ନ ନେଲୁ ରେ ।୧।

 

ଦୋଷ ଦେଖି ଯେବେ ନେତ୍ରେ ତେବେ

ସିନା ରୋଷ ଅଙ୍ଗୀକାର କରି,

କି ସକାଶରୁଟି ମୋ ସକଳ ଭାଗ୍ୟ

ମୋଷ ରଖିଲୁ ଚତୁରୀ ରେ ।୨।

 

ଫିଆଇ ନ ଦେଲୁ ଅଧର,

ଉରଜେ ଦିଆଇ ନ ଦେଲୁ ପାଣି,

ଫିଆଇ ବାସ ମଦନମୁଖୁଁ ମୋତେ

ଜୀଆଇବୁ କେହି ପୁଣି ରେ ।୩।

 

ଛକାଇ ସନ୍ଧିକି ସନ୍ଧିରେ ନିବିଡ଼େ

ଜକାଇ ନ ଦେଲୁ ଦେହ,

ଧକାଇଲୁ ନାହିଁ କେଳିରୁ ପଛକୁ

ପକାଇ ଦେଲୁ ମୋ ସ୍ନେହ ରେ ।୪।

 

ଗିରୀଶ-ପର-ଦଣ୍ଡରୁ ରେ

କେତକୀଗୋରି ସରିଲି ମୁଁ ସିନା,

ଶିରୀଷସରି ଶରୀର ଭଡ଼ାଇଲୁ

ପୁରୁଷଘାତିନୀବାନା ରେ ।୫।

 

ମଦନମୋହନ ବଚନେ ଶ୍ରୀମତୀ

ସଦୟ ହାସ ରଚିଲେ,

ସେ ସମୟ ଛବି ଭାବି ଭାବି

କବିରବି ରାୟଗୁରୁ ବୋଲେ ରେ ।୬।

 

(୧୮୩)

 

ମାନସ ତୁ ଭଜ ରେ,      ଆନ ସବୁ ତେଜ ରେ,

କୋଶଳେଶ ଲୋଚନ ଘନ ସାରକୁ,

ରେଷହତ ଲଙ୍କେଶ ମୁଖରକୁ,

ତମାଳ ସଦୃଶ୍ୟକୁ,            ଚନ୍ଦ୍ରନିଭାସ୍ୟକୁ,

ବାସର କର କୁଳ ଜଳଧି ସୁଧାଶଂକୁ,

ନବ ଚାମିକର କବଚାଭରଣକୁ

ବାରିଧି ଶୟନକୁ, ବାରିଜ ନୟନକୁ ।୦।

 

ଚଣ୍ଡ କୋଦଣ୍ଡ ଧରଙ୍କୁ,      କ୍ରତୁ ରକ୍ଷା ଚତୁରଙ୍କୁ ।୧।

ତ୍ରିଜଗତୀ ମଣ୍ଡନଙ୍କୁ,            ଅଜଗବ ଖଣ୍ଡନଙ୍କୁ ।୨।

ତ୍ରିଶିରା ପ୍ରାଣନାଶୀଙ୍କୁ,      ଋଷି ରାଶୀ ଉଲ୍ଲାସୀଙ୍କୁ ।୩।

ସାତକୁମ୍ଭମୟ ରଙ୍କୁ,            ଘାତ କୁଶଳ ଶରକୁ ।୪।

ମରଣାହତ କାଳକୁ,            ଶରଣାଗତ ପାଳଙ୍କୁ ।୫।

ଅମୁଦ୍ର କୃପା କେତୁକୁ,      ସମୁଦ୍ର ସେତୁ ହେତୁକୁ ।୬।

ଅନୁଜ ସ୍ନେହଶୀଳକୁ,      ଦନୁଜ ମର୍ମ କିଳଙ୍କୁ ।୭।

 

କବିରବି ରାୟଗୁରୁକୁ, ଅବିରତେ କୃତୋଦ୍ଧାରକୁ ।୮।

(୧୮୩)ଚନ୍ଦ୍ରନିଭାସ୍ୟକୁ—ଚନ୍ଦ୍ର ପରି ମୁଖକୁ,ଚାମିକର—ସୁନା,କ୍ରତୁ—ଯଜ୍ଞ,ଅଜଗବ—ଶିବଧନୁ,ସାତକୁମ୍ଭମୟରକୁ—ସୁନାମୃଗକୁ,ଅମୁଦ୍ର—ପ୍ରକାଶ୍ୟ ।

 

(୧୮୪)

ରାଗ—ତୋଡ଼ି ପରଜ—ଏକତାଳି

 

ମାନସ ପ୍ରପଞ୍ଚରୁ ବଞ୍ଚି ପଳା,

ଜାଣୁ ତ ଏ ଜୀବ-ଗତି ଅତି ରଙ୍ଗ

ତରଙ୍ଗପରି ଚଞ୍ଚଳା ରେ । ଘୋଷା ।

କଳିନ୍ଦଜାକୂଳେ ଜଙ୍ଗମ ତମାଳେ

ମୋ ନେତ୍ର ଖଞ୍ଜନ ଖେଳା

ସ୍ମର ସ୍ମର ବ୍ରଜବାମା ଜନମନ-

ମୋହନ କନକ ଚେଳା ରେ ।୧।

 

ଲବ୍‌ଧ ମୋହ ଘୋର ଅକୂପାର

ପାର ପରମ ସୁନ୍ଦର ବେଳା

ଦେଖ ତ ଶରଣ କଂସାରି ଚରଣ

ସଂସାର ତାରଣ ଭେଳା ରେ ।୨।

 

ଲାଲ ପାଲିଙ୍କି ମଶାଲ ଶାଲ

ହର ସଗୋତ୍ର ପୁତ୍ର ଅବଳା

ବିଷୟ ବାସନା ବିଷମ ଏହି ତ ତହିଁ

ତୁ ମତି ନ ବଳା ରେ ।୩।

 

କରି ହରିନାମ ସ୍ତୋମ ମତି ଦାମ

ମନୋହର ମୋର ଗଳା

ପରିହରି କୂଟ ଧରି ଧୀରେ କାଟ

ଏ ମୋହ ଲୌହ ଶୃଙ୍ଖଳାରେ ।୪।

 

ଆନନ୍ଦେ ଗୋବିନ୍ଦପଦ-ଅରବିନ୍ଦ

ଭୃତ୍ୟଜନେ କର ମେଳା

କହେ ରାମଚନ୍ଦ୍ର ଛୋଟରାୟ ଦେବ

ନ କରଟି କେବେ ହେଲା ରେ ।୫।

 

(୧୮୫)

ରାଗ—କେଦାର, ତାଳ—ସରିମାନ୍‌

 

ମିତ ଆମ୍ଭ ଶ୍ୟାମବନ୍ଧୁ ଚାଲି କି ରସେ ଗୋ । ଘୋଷା ।

ଅଖଣ୍ଡ ଶୋଭାମଞ୍ଜୁଳ, ଶିଖଣ୍ଡମଣ୍ଡନ ଚୂଳ,

ଖଞ୍ଜେ କି ଜନନେତ୍ରକୁ ପରଶେ ଗୋ ।୧।

 

ରସପୀୟୂଷଲହରୀ, ପରି ତା ବାଣୀ ନିର୍ଝରୀ

ଜଗତୀ ମନୋମଞ୍ଜରୀ କୀର ସେ ଗୋ ।୨।

 

ନୋହେ କୁସୁମ କମାଣ, ତା ନେତ୍ର ବାରିଜ କୋଣ,

ମାର ମାରଗଣଗଣ ବରଷେ ଗୋ ।୩।

 

ତା ମୋହନ ସ୍ମିତ ଶିରୀ, ତୁଲେ ସୁର ଚଳ ପରି,

କୁଳର ସୁନ୍ଦରପଣ କରଷେ ଗୋ ।୪।

 

ଶରଦ ରଜନୀ ଈଶ ମୋହେ ତା ମୁଖ ନିବାସ,

ସେ ତ ଲଭୁଅଛି ନାଶ ଦରଶେ ଗୋ ।୫।

 

କୃପାମୟ ଅବତାର, ରମା ଇଷ୍ଟ ଦେବତାର,

ହେଲେ ଦିନ ନେବ ତାର ସ୍ପରଶେ ଗୋ ।୬।

 

ଲାଭ ହେଉ ନୋହୁ ଅବା, ଅବସର ପୁହାଇବା,

ତା ପଦତଳ ଚୁମ୍ୱିବା ତରସେ ଗୋ ।୭।

 

କହଇ କବିତପନ, ଧ୍ୟାଉଥିଲେ ତା ଲପନ

ସ୍ୱର୍ଗସୁଖେ ତ ମୋ ମନ ନ ରସେ ଗୋ ।୮।

 

(୧୮୫)କମାଣ—ଧନୁ,ମାରଗଣ—ମାର୍ଗଣ ବା ଶର,ତରସ—ଉଦ୍‍ବେଗ ।

 

(୧୮୬)

ରାଗ—ତୋଡ଼ିପରଜ—ଏକତାଳି

 

ମିତ, ଏ କିଏ ସେ ଲୋ ମୋ ମନ ରହିଲା ଲାଖି

ଭାଲୁଣୀ ପରାୟେ କାଳିଆ ମୁହଁକୁ ଚାଲୁଣୀ

ପରାୟେ ଆଖି । ଘୋଷା ।

 

ପଣ୍ଡା-ରନ୍ଧା ଭାତ ତିଉଣକୁ

ଯେବେ ଆଖିରେ ଦିଅଇ ଦେଖି

ଭଣ୍ଡାରି ବହନ୍ତି ବ୍ରହ୍ମଣେ

ନେଇଣ ତାହାକୁ ଦିଅନ୍ତି ଚାଖି ।୧।

 

ନିରତେ ପୁରତେ ବସିଛି

ଯାହାର ଦ୍ୱିଗୁଣ ଶାଗୁଣପକ୍ଷୀ

ଲୋକମାନେ ତାର ପାଦେ

ଖଟିଥାନ୍ତି କେଉଁ ଗୁଣ ସତେ ଦେଖି ।୨।

 

ଭେଣ୍ଡା ଭେଣ୍ଡା ଦୁଇ ଭାଇଙ୍କି

ବସାଇ ସିଂହାସନ ଦୁଇପାଖି

ଜଗତଯାକର ମନ ମୋହୁଅଛି

ବନହଳଦିଆ ମୁଖୀ ।୩।

 

କବିରବି ବୋଲେ ଇହ ପରଲୋକ

କରିପାରନ୍ତି ସେ ସୁଖୀ

ନାମ ଜପୁଥିଲେ ପାପ ପୁଣି

ଯଶ କରଣ ନ ପାରେ ଲେଖି ।୪।

 

(୧୮୭)

ରାଗ—କୁମ୍ଭକାମୋଦୀ—ଏକତାଳି

 

ମିତ, ଚିତ୍ତ ଭିତରେ ମୋହର ଗୋ

ଭୀତିରେ ହୋଇଛି ପୂରା ।

ଫିଟାଇ ସାଜି ମୋ କବରୀକି ହରି

ଚିଟା ହେଉଥିବେ ପରା । ଘୋଷା।

 

ବାସନ୍ତୀକ ବେଶ ରଚିବା ଆଗ୍ରହେ

ଆସନ୍ତି ଶ୍ୟାମଳ ଯୁବା,

ନାରୀ ତ ମୁଁ ଭାରୀ ନୋହେ ନ ନିବାରି

ଶ୍ରୀହସ୍ତ ଘେନେ ଯା ସେବା ।୧।

 

ବଳୟ ପହଞ୍ଚି ଗଳଭୂଷା କାଞ୍ଚି

ହେଲେହେଁ ନୋହିଲା ବୋଲେ

ଅଳିକରି ଯାହା ଜଳିପଡ଼େ ଉର—

ସ୍ଥଳୀ ଅପସରେ ଗେଲେ ।୨।

 

ଅଙ୍ଗଦ ମଧ୍ୟରେ ବସି ନାହିଁ ବୋଲି

ରଙ୍ଗ ଦଳ ଶୋଣମଣି,

ବାସ ହାସ ତା ନ ଦେଇଛି ଛିଣ୍ଡାଇ

ଯାହା ସଜଡ଼ାଏ ପୁଣି ।୩।

 

ଗର୍ଭକେ ଦେଖି ମୋ ଅର୍ଭକେ ହସିବେ

ବୋଲି ରଚୁ ମିଛ କାନ୍ଦ

ତହିଁ ଅଖାତର ନ କରି ଖାତର

ହୁଅନ୍ତି ଯା ନୀଳଚାନ୍ଦ ।୪।

 

ଅଷ୍ଟଦୁର୍ଗେଶ୍ୱର ଜାଣି ମୋ ଦୋଷର

ନାହିଁ ଗଣନା ପ୍ରମାଣ

କ୍ଷମା ନ କରିବେ ତମାଳ ଶ୍ୟାମ କି

ବୋଲି ଘାଣ୍ଟିହୁଏ ପ୍ରାଣ ।୫।

 

(୧୮୮)

ରାଗ—ତୋଡ଼ିପରଜ—ଝୁଲା

 

ମିତ, ତୁନି ହୋ ଲୋ ତୁ ତ ଅନୁଭବୀ ନୋହୁ,

ସ୍ନେହଜାତ ସୁଖ, ତା ବିଚ୍ଛେଦ ଦୁଃଖ

ଯେ ଜାଣେ ସେ ଆସି କହୁ । ଘୋଷା ।

ଅନୁବରତେ ତ ପରଶ ହେଲାଣି ବନଜ ପଲ୍ଳବାବଳି

ଘନଶ୍ୟାମ ନାମ ବିନା ଦୁଃଖାନଳେ

ମନ ଯାଉଅଛି ଜଳି ।୧।

 

ଲାକ୍ଷା ତ ସାକ୍ଷାତ ଲାଗିଛି ଭାଲରେ

ତା ଖ୍ୟାତ କରିବ କେତେ

ବିଷ ମକରନ୍ଦ ହେଲାଣି ବୋଲି

ଯା କିସ ସମଝାଉ ମୋତେ ।୨।

 

ଟୋକୀଟାମାନଙ୍କ ଆଗ ସରିକି

ମୁଁ ଟେକି ପାରୁ ନାହିଁ ମଥା

ଟେକି ଦେଲେ ଭୁଲି ଫୁଲିଯିବି

ବୋଲି ଏ କି ସଟାବଟା କଥା ।୩।

 

ଝଳି ଝାଳି କେତେ ମରମରେ

ମୋର ବଳିଆଇ କହୁଥାଉ

ଖୁଆ-ଦଣ୍ଡଖିଆ ଖରାପ କ୍ଷୀରରେ

ସୁଆଦ ଥାଏ କି ଆଉ ।୪।

 

ଝଡ଼ିପଡ଼ି ସଢ଼ି ଯାଉଛନ୍ତି

କେତେ କୁସୁମ ଚୟନେ ନାହିଁ

ଫୁଲ ପାନରଙ୍କ ମନଟା ମୁଁ ତାଙ୍କ

ଆଡ଼କୁ ଅନାଉଁ ନାହିଁ ।୫।

 

ନୀଳାଚଳ ଚୂଳ ପ୍ରସାଦରୁ ହେଲେ

ଟେକିଥିଲେ ତିନିଥାଳି

କବିରବି ରାୟଗୁରୁଙ୍କ ପରି

କେ ପ୍ରୀତି ନ ଜାଣନ୍ତି ପାଳି ।୬।

 

(୧୮୯)

ରାଗ—କୁମ୍ଭକାମୋଦୀ

 

ମିତ, ହିତ ଯେତେ ତୁ କହିଲୁ ଗୋ,

ଚିତ୍ତ ତା ନ ମଣେ ସୁଖ,

ପରମ ପଦବୀ ଲଭିଲେହେଁ ଯେବେ

କରମରେ ଅଛି ଦୁଃଖ । ଘୋଷା ।

ମୋହନ ମନ୍ତର ଜାଣୁ ତୁ ଆହୁରି

ମୋ ମନ କରିବୁ ବଶ,

ସରି ତ ଗଲା ହରିଣାକ୍ଷୀବୃନ୍ଦରୁ

ଶ୍ୟାମ ସଉଭାଗୀ ଯଶ ।୧।

 

ବିଷରେ ପୀୟୂଷ ବୁଦ୍ଧି କରିବାର

ଫଳ ହେଲା ଏତେ ସରି,

ପିଶାଚ-ସ୍ମର ବଦନେ ପଡ଼ି

ହେଲି ନିଶା-ଚକ୍ରବାକୀ ପରି ।୨।

 

ଝଳି ମୋର ମରଜିରେ ପୁଣି

କେତେ ବଳିଆଇ କହୁଥାଉ,

ଖୁଆଦଣ୍ଡଛୁଆଁ ଖରାପ କ୍ଷୀରରେ

ସୁଆଦ ଥାଏ କି ଆଉ ।୩।

 

ଅପ୍ରିୟ ହେଲେ ତାହାରି ବୋଲାଇବା

ଆଶା ସିନା ପରିତ୍ରାଣ

କହିବାରୁ ଏହା ସହି ରହିଥାଏ

ନିକି ସେହି ଦ୍ରୋହୀ ପ୍ରାଣ ।୪।

 

କହେ ଅଷ୍ଟଦୁର୍ଗ ମହୀଦମ୍ଭ

ସ୍ୱର୍ଗ ମହେନ୍ଦ୍ର ଶ୍ରୀଜଗଦ୍ଦେବ

ଯିବା ଶମନପୁରକୁ ଯେବେ

ନାକନିବାସରୁ କିସ ହେବ ।୫।

 

(୧୯୦)

ତୋଡ଼ି ଜଙ୍ଗଲା—ଆଡ଼ତାଳି

 

ମିଶିଲୁ ଯେ ଆଜ ନିଶିରେ ଶଶୀମୁଖି !

କି ଶିଖିଲୁ ଶ୍ୟାମଠାରୁ ।। ଘୋଷା ।।

ହୋଇ ମଦମୟ ଛାଡ଼ିଲୁ

କି ଭୟ ଗୁରୁଜନ ଗ-ରହାରୁ,

ଗାଢ଼ ଆଲିଙ୍ଗନ ଜାଣିଲୁ କି ଧନ

ରାଜି ତେଜି ବରହାରୁ ।୧।

 

ମୁରଲୀ ନିରତେ ଡାକିଲା କି

ତୋତେ ଦ୍ରବାଏ ଯେ ଗିଳାଦାରୁ

ତେତେ ବିମର୍ଦନ ହେଲା କି କୁଦିନ

ପ୍ରବଳତର ବିକାରୁ ।୨।

 

ଦଳିବାକୁ ମାର ବୀର ଅହଙ୍କାରେ

ସେ ପାରନ୍ତି କି ତୁ ପାରୁ,

ଲୁଚା ଅନାଦର ଛଦ ଦନ୍ତକ୍ଷତ

ଦିଶୁଅଛି ସିନା ଗାରୁ ।୩।

 

ଦେବୀ ଦମ୍ଭ ରୋଷେ ଚାହିଁଲେ

ସହାସେ ଆଳୀ ଏପରି ପଚାରୁଁ

ଏକାଳେ ଛ ଦୁଇ ଦୁର୍ଗନାଥ ଯାଇ

ତାଙ୍କ ଚରଣେ ଜୁହାରୁ ।୪।

 

(୧୯୧)

ରାଗ—ତୋଡ଼ି—ଆଠତାଳି

ମୁନିମୋହନା, ତୁନି ହୁଅ ନା । ଘୋଷା ।

ଆରେ ବିଧୁବଦନେ ବୃଥା ନିରସ ମନେ

ବାସେ ବନ୍ଦି-ବିଧାନେ ରହନା ରେ ।୧।

ଗୁରୁଜନ-ଜରତି ଜ-ରେ-ଜନରୀତି

ଚାରୁତୂଲ୍ୟ ଭାରତୀ ସହନା ରେ ।୨।

ମରକତ ମାଧୁରୀ ତନୁ କନକ ଗୋରୀ

ମିଳାଇବା ସୁନାରୀ ମୋହନା ରେ ।୩।

ଅତସୀ ଅଭିରାମ ନବନୀରଦ ଶ୍ୟାମ

ବନ୍ଧୁଆରେ ତୁ ବାମ ବିହନା ରେ ।୪।

ବରଜି ତା’ କୁଞ୍ଜକୁ ଅରଜିଣ ମୁଞ୍ଜକୁ

ଚିନ୍ତାରସ ପୁଞ୍ଜକୁ ଦହନା ରେ ।୫।

ପ୍ରୀତିବଲ୍ଲରୀ କନ୍ଦା ଟାଳିବା କରି ଫନ୍ଦା

ନିରସବତୀ ନିନ୍ଦା କହନା ରେ ।୬।

କହେ ଶ୍ରୀ ଜଗଦ୍ଦେବ କଞ୍ଜନୟନେ ଲବ

କରୁଣାର ଅଭାବ ବହନା ରେ ।୭।

 

(୧୯୨)

ରାଗ—ମୁଖାରୀ, ତାଳ—ଆଠତାଳି

ମୁଁ ହାରିଲି ହେଉ ଏତିକି ଗୋ,

ଜୁହାରିଲି ଶ୍ୟାମ ପ୍ରୀତିକି ଗୋ;

ଗୁହାରି କରିବି କାହା ଆଗେ କେତେ

ଲୁହାରେ ବନାଇ ଛାତିକି ଗୋ । ଘୋଷା ।

ଦେହକୁ ସମରପି ପ୍ରାଣ ତୁଲେ,

ସ୍ନେହକୁ ସମ୍ପାଦିବା ସିନା ଭଲେ,

ଏ ହଟହଟାରେ କେ ମରିବ କରି

ସଙ୍ଖାଳି ବିଶ୍ୱାସଘାତୀକି ଗୋ ।୧।

ନିୟମ କରି ନ ପାଳଇ ଯାହା,

କି ଅମଳଖିଆ କରଇ ତାହା,

ଦିଅ ମୋତେ ଗାଳି ପଛେ ମୁଁ

ନ ପାରେ ପୁରୁଷ ପୁରୁଷ ଜାତିକି ଗୋ ।୨।

ଦୁଆଗଲା ଶାଳୀବନେ କି ରଙ୍ଗ,

ସୁଆଗ ନ ଥିବା ଜନେ କି ସଙ୍ଗ,

ମୁଁ ଆଗ ବିବେକ ହୁଡ଼ି ହୃଦୟକୁ

ସମର୍ପିଲି କାମ-କାତିକି ଗୋ ।୩।

ହଟିଲା ରାଧାର ଏ କଞ୍ଜନେତ୍ର,

ଘଟିଲା ମୋ କର୍ମେ ଏ ଦଶା ମାତ୍ର,

ଜଟିଳା ଜାଣିଲେ ସଂସାରୁ ସରିବି

ପାଇ ଘୋର ଅପଖ୍ୟାତିକି ଗୋ ।୪।

ଶତ ପଦରେ ପଦେ ନାହିଁ ସତ,

ସତ ପରି ହୋଇବାରୁ ପ୍ରତୀତ,

ଅତପଃଶୀଳା ମୁଁ ଅନୁଭବ କଲି

ଏ ତପତି ଉତପତ୍ତିକି ଗୋ ।୫।

ଶିଖଣ୍ଡଚୂଳିଆର ଗୁଣ ତୁଲେ,

ଏ ଖଣ୍ଡ ଅଛି ବୋଲି ଜାଣିଥିଲେ,

ଅଖଣ୍ଡ ବିଶ୍ୱାସ କରନ୍ତି କି ଭଲେ

ଜଗଦ୍ଦେବ ଏ ଭାରତୀକି ଗୋ ।୬।

(୧୯୨)ପୁରୁଷ—ନିଷ୍ଟୁର,ଦୁଆଗଲା—କଟା ହୋଇଥିବା,ସୁଆଗ—ସ୍ନେହ,ଅମଳ—ନିଶା,କାମକାତି—କନ୍ଦର୍ପର ଅସ୍ତ୍ର,ଅତପଃଶୀଳା—ଯେ ତପସ୍ୟା କରିନାହିଁ, ଅପୁଣ୍ୟବତୀ—ତପତି – ଉତ୍ତାପ ।

 

(୧୯୩)

ରାଗ—କୋଳାହଳ—ଆଦିତାଳ

 

ମୋତେ ଯା ମହିଳା ମୋହିଲା

ସତେ କି ମୋ ଭାଗ୍ୟ ନୋହିଲା । ଘୋଷା ।

ତା ସରସ ଅନାଉଣି

ସାରସ ହେବ କି ଲାଭଣି ।୧।

 

ଦେଖି ନ ଥିଲି, ଥିଲା ଶୁଣା

ଲକୁଚ ତ କୁଚର ଊଣା ।୨।

ଆଳିକି ଭାଳି ଯା ଭାଷିଲା

ମୋ କଥା ପରି ଆଭାସିଲା ।୩।

 

ସତେ କି ସେ ଅଧର ବିମ୍ୱ

ଭରତି କରିବ ମୋ ଚୁମ୍ୱ ।୪।

ମଧୁରାଧରା ସେ ପ୍ରବୀଣା

ଅଧୁରା ନ କରୁ ମୋ କିଣା ।୫।

 

ଏହି ଭାବନା ବନମାଳୀ

ହୃଦୟସ୍ଥଳେ କଲେ ମାଳି ।୬।

ନୟନେ ରହିଲା ଶୋଭା ସେ

ବସୁଦୁର୍ଗର ନୃପ ଭାଷେ ।୭।

 

(୧୯୪)

ରାଗ—ତୋଡ଼ିପରଜ—ଝୁଲା

 

ମୋ ଧନଟି, ଭସାଇ ଦିଅଇ ସୁଖେ

ରସାଇ ଜାଣିଲେ ଭୁଜେ ଭିଡ଼ି ଅଙ୍କେ

ବସାଇ ଚୁମ୍ୱି ଶ୍ରୀମୁଖେ । ଘୋଷା ।

ସଞ୍ଜବେଳ ନୀଳ-କଞ୍ଜ ପରି କରି

ମନ୍ଦାକ୍ଷ ମଞ୍ଜୁଳ ଆଖି

କୁଧର ଉରଜେ ଜମାଇ ଭିଡ଼ି

ମୋ ଅଧର ଅଳପ ଚାଖି ।୧।

 

ନଖ-ରେଖରେ ଖେଳାନ୍ତେ ମୁଁ

ପୁଲକ ମାଂସଳ ମୃଦୁଳ ଅଙ୍ଗେ

ରଖ ରଖ ଇଷି ସରିଲିଟି ଭାଷି

ଚମକୁ ଥାଇ କି ରଙ୍ଗେ ।୨।

 

ଭାଷା ଭଙ୍ଗୀ ରଙ୍ଗେ ଇତର ପ୍ରସଙ୍ଗେ

ପ୍ରକାଶଇ କେତେ ଠାଣି

ଆଶ ବାସ ବେଶ ଦରଶନରେ

ମୋ ଆଶ ପ୍ରବଳିବା ଜାଣି ।୩।

 

ମୋ ପରି ହେବୁ କି ବୋଲି ମୁଁ

ତ୍ରିଲୋକୀ ଗର୍ଭେ ଯାହା ତୁଳା ନାହିଁ

ମୋତେ ଛାନିଗୋରୀ କେହି ତୁମ୍ଭପରି

ହେବି ବୋଲି ରସି ଚାହିଁ ।୪।

 

ପଦ-ଭୂଷା ମୂକ ହୋଇ,

ବାବଦୂକ କଳାପ ହୋଇବା ବେଳେ

ଚୂଡ଼ାଯାଏ ମୋର ବୁଡ଼ାଯାଏ

ପରଂ-ବ୍ରହ୍ମାନନ୍ଦ ସୁଖ-ଜଳେ।୫।

 

ଶିଖଣ୍ଡ ଶେଖର ଭାବି ବୃଷକରମାଳି

ଜେମାଙ୍କ ଚାତୁରୀ

ହୋଇବାର ହୃଷ୍ଟ ବିରଚିଲେ

ଅଷ୍ଟଦୁର୍ଗନାଥ ଚିତ୍ତେ ଧରି ।୬।

 

(୧୯୫)

ରାଗ—ତୋଡ଼ି ପରଜ

 

ମୋ ବନ୍ଧୁଟି ବାଇ ହୋଇଯାଏ ସିନା,

ପାଇଯାଏ ଯେବେ ମୋର ଆଚରଣ

ପ୍ରଶଂସା ଫୁଲବାସନା । ଘୋଷା ।

ନ ରୁଚିଲା ପରି ବ୍ୟାଜେ

କରେ ମୁଖ ସୁରଚିର ଶରବିନ୍ଦୁ,

ଚୁମ୍ୱିଲେ ଶ୍ରବଣସୀମାକୁ ମୋ

ଗୁଣ ପୀୟୂଷରୁ ଏକ ବିନ୍ଦୁ ।୧।

 

ବଳୟାବଳି ଅଙ୍ଗଦ ମଣିଚୁଡ଼ି ଚିହ୍ନ

ବୁଡ଼ି ରହେ ଦେହେ,

ଏପରି ସେ ପରିଣତ ବିମ୍ୱାଧରା

ସଖୀକି ଭିଡ଼ଇ ସ୍ନେହେ ।୨।

 

ଜାଣି ବାର ବାର ବାରଣେନ୍ଦ୍ରକର

ଗରବ ଦଳିବା ଊରୁ,

ମୃଦୁ ଇଷି ଇଷି ଉଚ୍ଚାରେ ପ୍ରେୟସୀ

ତରୁଣ ସୁଗୁଣଗୁରୁ ।୩।

 

ମୋହର ପ୍ରବେଶ ପ୍ରତୀତିରୁ

ବେଶ-ରସିକା ପଡ଼େ ଚମକି,

ସେ ସମୟେ ରାକା ପ୍ରଦୋଷେ

ଜଳଧି ହେବ ତା ହୃଦସମ କି ।୪।

 

ଚିବୁକେ ଚନ୍ଦନ ଶ୍ରବଣେ ଅଞ୍ଜନ

କଣ୍ଠେ କରେ ଲାକ୍ଷା ବୋଳ,

ବ୍ୟସ୍ତ କରି କ୍ରମ ଭାସଇ

ବିଭ୍ରମ-ସିନ୍ଧୁ କଲ୍ଲୋଳେ କେବଳ ।୫।

 

ବୋଲେ ଅଷ୍ଟଦୁର୍ଗଧରା ଦମ୍ଭ

ସ୍ୱର୍ଗପୁର ପୁରନ୍ଦର ଗୀତେ,

କିଶୋରୀଙ୍କ ପ୍ରେମ ଘେନି ଘନଶ୍ୟାମ

ପ୍ରମୁଦିତ ହେଲେ ଚିତ୍ତେ ।୬।

 

(୧୯୫)ଆଚରଣପ୍ରଶଂସାଫୁଲବାସନା—ବ୍ୟବହାର ଓ ପ୍ରଶଂସା ରୂପ ଫୁଲ ବାସନା,ବ୍ୟାଜେ—ଛଳରେ, ମୁଖ ସୁରଚିର ଶରବିନ୍ଦୁ— ମୁଖ ରୂପ ସୁନ୍ଦର ଶରଚ୍ଚନ୍ଦ୍ର,ପରିଣତ ବିମ୍ୱାଧରା—ପାଚିଲା କଇଁଶିକାକୁଡ଼ି ପରି ଅଧର ଯାହାର,ବାରବାର—ଥରକୁ ଥର, ବାରଣେନ୍ଦ୍ରକରଗରବଦଳିବାଊରୁ—ହାତି ଶୁଣ୍ଡଠାରୁ ମନୋହର ଜଙ୍ଘ, ରାକାପ୍ରଦୋଷେ ଜଳଧି—ପୂର୍ଣ୍ଣିମା ସନ୍ଧ୍ୟାର ସମୁଦ୍ର ।

 

(୧୯୬)

 

ମୋ ଭାଲେ ଥିଲା କି ଲିହି,

କଲି ମଲ୍ଲୀ ରୋପଣ,            ତହୁଁ ଜନ୍ମିଲା ତୃଣ,

ଚିନ୍ତା ରତନଗଣ ହେଲା ପାଷାଣ କଣ । ଘୋଷା।

ଚୂତ ଫଳିଲା ନାଗରଙ୍ଗ,

କଟିମେଖଳା ହେଲା ଭୁଜଙ୍ଗ,

ତଟିନୀ ତଟେ ବାସ,

କରି ନ ଗଲା ଶୋଷ,

ପିଇବାର ପୀୟୂଷ-ପାନରେ ହେଲା ବିଷ ।୧।

 

ମଧୁଶାକର ହେଲା ନିମ୍ୱ,

ରବି ପରି ହେଲା ଚନ୍ଦ୍ରବିମ୍ୱ,

ଧାତାର କି ବିବେକ,

ଚଞ୍ଚୁଜିତ କିଂଶୁକ,

ପଢ଼ା ପଣ୍ଡିତ ଶୁକ, ହେଲା ମୋ ଦ୍ରୋଣ କାକ ।୨।

 

ମନ୍ଦାକିନୀରେ ନିମଜ୍ଜିଲି,

ନିନ୍ଦା କାହିଁକି ଅରଜିଲି,

ଚଢ଼ିଲି ମେରୁଚୂଳ,

ଭୋଗ ହେଲା ଅତଳ

ବ୍ରହ୍ମଜାତି ପାତଳ, ହୀରା ହେଲା ପିତ୍ତଳ ।୩।

 

ଆଉ ନ ରଖିବି ନବୀନା,

ଜୀବନ ଯିବ ତାଙ୍କ ବିନା,

ଏ ଚିନ୍ତାର ମନ୍ଦିର,

ହେଲେ ଶ୍ୟାମସୁନ୍ଦର

ବନ୍ଦଇ ଜଳନ୍ତର ଅବନୀ ପୂରନ୍ଦର ।୪।

 

(୧୯୬)ଲିହିବା—ଲେଖିବା,ନାଗରଙ୍ଗ—ନାରଙ୍ଗ ନାମକ ଅମ୍ଳଫଳ ବିଶେଷ,ମେଖଳା—ଅଣ୍ଟାସୂତା,ଭୂଜଙ୍ଗ—ସାପ, ପୀୟୂଷ—ଅମୃତ,ଚଞ୍ଚୁଜିତ କିଂଶୁକ—(ଶକର ବିଶେଷଣ) ଯାହାର ଥଣ୍ଟ ପଲାଶ ଫୁଲଠାରୁ ଅଧିକ ଲାଲ,ଦ୍ରୋଣକାକ—ଡାମରାକୁଆ,ମନ୍ଦାକିନୀ—ସ୍ୱର୍ଗ ଗଙ୍ଗା ।

 

(୧୯୭)

 

ମୋହିଲା ରେ ବରମହିଳା ରେ ।ପଦ।

ନୂଆ ମୃଦୁ ଜଳପ,-ବତୀରସକଳପ,-ବଲ୍ଲୀ

କି ସଂକଳପ, କରି ଚାହିଁ ଅଳପ ।୧।

କରି ଭୂରୁ ନର୍ତ୍ତନ, ନ ଚାହୁଁ ସଖୀଜନ, ସ୍ନେହମୟ

ମୋହନ ହାସେ ଧନ ମୋ ଧନ ।୨।

 

ପୂରୁବେ ମହାବ୍ରତେ, ଶିବା ଶିବଙ୍କୁ କେତେ,

ସେବିଥିଲି କି ସତେ, ସ୍ନେହେ ବାଳା ମତେ ।୩।

କେବଳ ମୋ ବିବେକ, ହରି ନାହିଁ ସେ ପିକ-ବାଣୀର

କଉତୁକ ଜଗତୀ ଗୋଟିଯାକ ।୪।

 

ସତେ, କି ବନ୍ଧୁ ସଞ୍ଜ-ବେଳେ ମଣ୍ଡିବ କୁଞ୍ଜ, ବନୀ

ଅବନୀ କଞ୍ଜ-ନେତ୍ରାର ଛବିପୁଞ୍ଜ ।୫।

ଅଷ୍ଟଦୁର୍ଗେଶ ଭାଷେ, କିଶୋରୀଙ୍କ ଶୋଭା ସେ,

କିଶୋରୀ ଦେଖି ତୋଷେ ଭାବିଲେ ସଙ୍ଗ ଆଶେ ।୬।

 

(୧୯୮)

ରାଗ—ନାଟକୁରଙ୍ଗ

 

ଯାଉଛି ମା, ଆଉ ନ ପାରେ ତାକୁ ଟାକି ।ପଦ।

ସଂବେଶ ବେଶ ଭୋଜନେ, ଲୋଡ଼ି ମୋତେ ଗୁରୁଜନେ

ଚଳି ହେଉଥିବେ ପରା ଡାକି ।୧।

ନିତି ଧରି ଦୂତୀ କର, ଯତନେ ଅରଜିବାର,

ଚୋରି ପୀରତିରେ ଏ କି ଚାକି ।୨।

 

ହଜାର ହଜାର ଯାର, ପ୍ରଣୟବତୀ ବଜାର,

ତହୁଁ କେହି ରଖିଥିବ ଜାକି ।୩।

ବ୍ରଜୁ ହୁଅନ୍ତେ ବାହାର, ତା ପଦପଙ୍କଜ କା’ର,

କୁଚାଚଳେ ରହିଥିବ ଠାକି ।୪।

 

ତୁଚ୍ଛାକୁ ତ ଶ୍ୟାମ ପ୍ରୀତି-ଲମ୍ପଟା ବୋଲି ମୋ ଖ୍ୟାତି,

ନ ରହିବ ପୁଣି ସିନା ବାକି ।୫।

ଅବଶ୍ୟ ତ ଜୀବ ଯିବ, ନେଲେ ନେବ ମନୋଭବ,

ରଖିଲେ ରଖିବେ ଶ୍ରୀ ପିନାକୀ ।୬।

 

ଜଗଦ୍ଦେବ ଭାଷା ଶୁଣି, ଆଳି କହିଲେ ମୁଁ ଆଣି,

ଏବେ ଭେଟାଇଲେ କି ହେଲା କି ।୭।

 

(୧୯୮)ସଂବେଶ—ନିଦ୍ରା,ଚାକି—ଚତୁରତା,

ଶ୍ରୀପିନାକୀ—ମହାଦେବ

 

(୧୯୯)

ରାଗ—ତୋଡ଼ିବଙ୍ଗଳା, ଆଡତାଳି

 

ଯା ଯା ମୋ ପାଶରୁ

ସେ ଶ୍ୟାମନାଗର ନଟ ନାମ ନ

ଧର ମୋ ଆଗେ ଲୋ । ଘୋଷା ।

ଘେନି ତୋ ଉପଦେଶ ହେବାରୁ ବୁଦ୍ଧିନାଶ

ପଡ଼ିଥିଲି ଥରେ ତା ଭାଗେ ଲୋ ।୧।

 

ତ୍ରିଜଗତୀରେ ଗତି ନ ଥିବାର ଯୁବତୀ

ବୁଡ଼ିବ ତାର ଅନୁରାଗେ ଲୋ ।୨।

 

ସଞ୍ଜବେଳକୁ କଞ୍ଜ ଫୁଟିବାଯାଏ କୁଞ୍ଜଗୃହେ

ତୋ ତୁଲେ ପରା ଲାଗେ ଲୋ ।୩।

 

ସେ ଧୂର୍ତ୍ତ ପୀତପଟ ପେଟେ ଯେତେ କପଟ

ବିଷ ନ ଥିବ ତେତେ ନାଗେ ଲୋ ।୪।

 

ମୋ ପରି ଲାଜହୀନ ନୋହିବା ନାରୀଜନ

ଗର ଗିଳନ୍ତା ସେହି ଲାଗେ ଲୋ ।୫।

 

ଅଷ୍ଟଦୁର୍ଗଭୂପତି ବୋଲେ ହେବ ଭରତି

କେ ବୃଥା ଅକୀରତି ଦାଗେ ଲୋ ।୬।

 

(୧୯୯)ତ୍ରିଜଗତି—ସ୍ୱର୍ଗ,ମର୍ତ୍ତ୍ୟ,ପାତାଳ;କଞ୍ଜ ଫୁଟିବାଯାଏ—ସକାଳଯାଏ,ନାଗେ—ଗୋଖର ସର୍ପରେ

 

(୨୦୦)

ରାଗ—କେଦାର, ତାଳ-ଏକତାଳ

 

ଯେବେ ନବଘନ ଶ୍ୟାମ ବଂଶୀସ୍ୱନ

ନିଶୀଥରେ ଥରେ ଶୁଣାଯିବ ।

ସଖି ସୁଖେ ବନେ ମୋଦମୟ ମନେ

ବିହରିବୁ ତୋର ଊଣା ଯିବ । ଘୋଷା ।

ପ୍ରସରିବ ମତ୍ତ ମିଳିନ୍ଦ ସଙ୍ଗୀତ

କଳପିକରୁତ ମଳୟମରୁତ;

ଚରାଚର ଲୋକ ଧରାରେ ପୁଲକ

ପରାନନ୍ଦ ବୀଜ ଶୁଣାଯିବ ।୧।

 

କଳିନ୍ଦଜାକୂଳ ବିପିନ ବକୁଳ ମଞ୍ଜୁଳ-

ମଞ୍ଜରୀ ନିଳୟ ବଳୟେ ଗୋ,

ସୁରଭି ସୁଷମ ବିବିଧ କୁସୁମ-

ମୟ ଚନ୍ଦ୍ରାତପ ଟଣାଯିବ ।୨।

 

ଆମ୍ଭେମାନେ ଘେରିଥିବୁଁ ପରିଚାରୀ

ଜନ ପରି ଚାରିଦିଗରେ ତୋହରି,

ଲକୁଚକୁଚାରେ ନୃପ ଉପଚାରେ

ଏ ପଦ ପହଣ୍ଡ ମଣାଯିବ ।୩।

 

ହେବ ସ୍ମରବଳଜନ୍ୟ ମହୋଜ୍ଜ୍ୱଳ,

ଶୃଙ୍ଗାର ମଙ୍ଗଳମୟ ବନସ୍ଥଳ,

କଳାବତୀ କୁଳବ୍ରତତରୁମୂଳ

ଜଟାତଟୀଠାରୁ ହଣାଯିବ ।୪।

 

କିଶୋର ଅରୁଣ ପଙ୍କଜ ଚରଣ

ସ୍ତନେ ଲଗାଇବା ତା ତୁଲେ ଗାଇବା,

ବ୍ରଜବରାରୋହୀ ସମୁଦୟ ମହାଧନ୍ୟ

ମୂର୍ଦ୍ଧନ୍ୟରେ ଗଣାଯିବା ।୫।

 

ଅଷ୍ଟଦୁର୍ଗପତି କହେ ଗୋ ସୁଦତି

ଦୁଇ ହୃଦସ୍ନେହ ପୀୟୂଷପ୍ରବାହ,

ବଇଶାଖ ରାକାରଜନୀରେ ଏକ ଛଣା

ଗଲା ପରି ଜଣାଯିବ ।୬।

 

(୨୦୦)ଊଣା—ଅଳ୍ପତା,ହୀନତା;ମିଳିନ୍ଦଭ୍ରମର

କଳପିକରୁତ—କୋଇଲିର ମଧୁର ଗୀତ,

କଳିନ୍ଦଜାକୁଳ...ନିଳୟବଳୟେ—ଯମୁନା କୂଳବର୍ତ୍ତୀ ବକୁଳବୃକ୍ଷମାନଙ୍କର ମନୋହର ଲତାସମୂହରେ,ସୁରଭି ସୁଷମା—ସୌରଭପୂର୍ଣ୍ଣ,ତନ୍ଦ୍ରାତପ—ଚାନ୍ଦୁଆ,ପରିଚାରୀ ଜନପରି—ଭୃତ୍ୟପରି, ଲକୁଚ—ଜେଉଟ,ଜଟା—ବୃକ୍ଷର ଅବରୋହ,ତଟୀ—ତୀର,ମୂଳ; ବ୍ରଜବରାରୋହା... ଗଣାଯିବ—ବ୍ରଜନାରୀମଣ୍ଡଳୀ ମଧ୍ୟରେ ଅତି ଧନ୍ୟ ବୋଲି ପ୍ରଥମେ ପରିଗଣିତ ହେବା,ସୁଦତି—(ସଂବୋଧନ)—ସୁନ୍ଦର ଦନ୍ତପଂକ୍ତି ଯାହାର, ରାକା —ପୂର୍ଣିମା

 

(୨୦୧)

ରାଗ—ସୁରଠ—ଏକତାଳି

 

ରତାନ୍ତରେ ନତାନ୍ତରେ ହେଲେ

କେଡ଼େ ଅଳି ଲୋଳ ଗୋ । ଘୋଷା ।

ଶିଥିଳ କବରୀ ବାନ୍ଧୁ ବାନ୍ଧୁ,

ତରତରେ ଶାଢ଼ୀ ପିନ୍ଧୁ ପିନ୍ଧୁ

କୋଟି ରାଣ ବୋଲି ପ୍ରାଣବନ୍ଧୁ

ଭିଡ଼ି କଲେ କୋଳ ଗୋ ।୧।

 

‘ଇସି ମଲି, ରଖ’ ବୋଲୁ ବୋଲୁ,

କର ସରସିଜେ ପେଲୁ ପେଲୁ

ନଖ-ଶିଖ-ଖେଳ ସୁଖ

କରାଇଲେ ପରବଳ ଗୋ ।୨।

 

ବିବିଧ ବିନୟ କରୁ କରୁ,

ଚରଣ ପଲ୍ଲବ ଧରୁ ଧରୁ

ଦନ୍ତକ୍ଷତ ପରିଚିତ କରିଦେଲେ ଗଣ୍ଡସ୍ଥଳ ଗୋ ।୩।

 

ନ ପାରଇ ବୋଲି କହୁ କହୁ,

ମୋ ଦେହ ବଞ୍ଚାଇ ରହୁ ରହୁ

କାମ ଅମଳରେ ଶ୍ୟାମ ହେଲେ

ଅତି ଅମମ୍ଭାଳ ଗୋ ।୪।

 

କହେ ଅଷ୍ଟଦୁର୍ଗ ଧରା ନାହା,

ଶୁଣି ସଖି ଜଣାଇଲେ ଏହା

ପ୍ରିୟସହି, ତୋର ସେହି

ମନୋରଥ ଲତା ଫଳ ଗୋ ।୫।

 

(୨୦୨)

ରାଗ—ରେଗୁପ୍ତ—ରୂପକ

 

ରତି ମୂରତି ଶ୍ୟାମ ପ୍ରୀତିରେ ନ ଜାଣୁ

ପରା ପରମାଣୁମଧ୍ୟା ରେ । ଘୋଷା ।

ଖଣ୍ଡେ ଦୂରକୁ ଦିଶେ ମଞ୍ଜୁଳ,

ଗଣ୍ଡେ କାହାର ତାମ୍ୱୁଳ ବୋଳ

ମଣ୍ଡେ କି ଚିହ୍ନ ଦନ୍ତ ଦୂକୁଳ, ଦଣ୍ଡେ ବସି

ଦେଲୁ କି ରସ ପରିଚିତି ରେ ।୧।

 

ନୀବି ନିବିଡ଼ତା ନାହିଁ କିଛି,

ଲିଭି ଅଛି ମୃଗମଦ ମାଛି

ଜୀବିତେଶ ତୋହର ଶ୍ରୀ-ବତ୍ସି କି ବିହିଲେ

ବଦ ମଦ-ଦ୍ୱିରଦ ଗତିରେ ।୨।

 

ମୁଁ ଟିକିଏ ହେଲେ ଶୁଣିଥାଏଁ,

ଲୁଚିଗଲା କି ଲାଜ ଥୋକାଏ

ଲୁଟିବାରେ ମାର ପୁରଯାଏ ଫୁଟି

ଝଡ଼ିଗଲା କି ସେଫାଳିକା ତତିରେ ।୩।

 

ସୁଖ ଲୋଭରୁ ବନ୍ଧୁକାଧରା,

ରଖ ବୋଲି ନାହୁଁ ଥରେ ପରା

ନଖ କ୍ଷତେ ହେଜା ତନୁପୂରା ଅଖଣ୍ଡିତ

କଲ କି କାମିତ ସନ୍ତତି ରେ ।୪।

 

କି ସାହସ କଲୁ ସତେ ଆଳି,

ନିଶାଯାକ ଜାଗରେ ପ୍ରବଳି

କଷା ଦିଶୁଛି ନେତ୍ର ଯୁଗଳ ହସା ଲାଗୁଛି

ଆଜ ଅନାଇଁ ତୋ ଦ୍ୟୁତି ରେ ।୫।

 

ତୁଳି ତଳପ ବରଜି ଫୁଲ ଧୂଳି

ସମାଜ କି ଶେଯ କଲ

ଗୁଳି ବାଜିଲା ପରି ତ ଗଲ ଲୁଳି

ଯାଇଛି ଅଳକମୋତି ସୀମନ୍ଥିରେ ।୬।

 

ଆସେଚନକ ଆଜ ଏ ଶୀରି,

ବାସେ ଉତ୍ପଳ ମିଶା କସ୍ତୁରୀ

ନାଶେ ମାନସ ବ୍ୟଥା ବଲ୍ଲରୀ ଭାଷେ

ବସୁଦୁର୍ଗ ଧରାବଳୟ ପତି ରେ ।୭।

 

(୨୦୩)

ରାଗ—ପୂରବୀ—ଆଡ଼ତାଳି

 

ରସଦାର ସଦା ନଉକରିକି

ମୁଁ କରିଅଛି ମୂଳ ଫନ୍ଦା ।

ରୁଷଣାରୁ ଶୁଣାଯିବ ସିନା

ଏବେ ଧରଣୀ ମଣ୍ଡଳେ ନିନ୍ଦା ।୧।

 

ରସି ବରଷିବ କରୁଣା ପୀୟୂଷ

ବେଳକୁ ବେଳ ସେ ବୋଲି

ଭରସାଭର ସାର କରି ମୁଁ

ମୋଦ ଅମଳରେ ଝୁଲୁଥିଲି ।୨।

 

ମାନସେ ମାନ ଶେଷ ରଖି

ନିରତେ ତେଡ଼େ ପଣ୍ଡିତା ଛଇଳା

ଦିନ ବଦନ ବରୋବର ହୋଇଲା

ବୃଥା କାଳ ବଞ୍ଚାଇଲା ।୩।

 

ତରଳତର ଲକ୍ଷଣ ଯୋଗ

ଚଳଚିଲ୍ଲୀ ନର୍ତ୍ତନ ପଣ୍ଡିତା

ବନିତା ବନିତାର ହେବ ମଞ୍ଜରୀକି

ଜାଣି ହେଲା ଖଣ୍ଡିତା ।୪।

 

କରକ କରକଶ ପୀନ ଉତ୍ତୁଙ୍ଗ

ରୁଚିର ସ୍ତନା ମୋ ଧନ

କିରତୀ କି ରତିଶର ପ୍ରକାଶିବା

ବିଚାରି କରିଛି ମନ ।୫।

 

ମଦନ ମଦ ନ ଥିଲେ ଜାଗି ମନେ

ନ ଥାଏ ମୋ ମନେ ଧୃତି

କିଶୋରୀ କି ଶୋରିଷକେ ହେଲେ

ମତେ ଦେଖାଇଲା ପୂର୍ବ ଦ୍ୟୁତି ।୬।

 

ପ୍ରଭାତେ ପ୍ରଭା ତେଜିବା ଶରଦରୁ

ଭିନ୍ନ ଋତୁ ଶୀତକର

ପରାୟେ ପରା ଏବେ ମୁଖ୍ୟ କରିଛି

ପାଞ୍ଚି ମୋ ନାଶ ବିଚାର ।୭।

 

ସାରସ ସାର ସମୂହ ଶୋଭା

ଜୟ ଧୂରନ୍ଧର ଲୋଚନରୁ

ବାରି ନିବାରି ନିପଟ ହସିବାର

ପାଶୋରି ଦେଲା ରମ୍ଭୋରୁ ।୮।

 

ତଳପ ତଡ଼ପକା ହଂସତୂଳୀରେ

କଠିନତା ଅବା କେଡ଼େ

ସହୀ ନ ସହି ନରମ କାଳେ ଲୁଳେ

ସେ ତନୁ ଧରାରେ ସଡ଼େ ।୯।

 

ରୁଷିଲାରୁ ଶିଳା ଭାବକୁ

ଶ୍ରୀଅଙ୍ଗେ ବହିଲା ନୂଆ ଛଇଳା

ମହିଳା ମହୀଲାୟକ ହୋଇବାରୁ

ଏ ଅନୁମାନ ହୋଇଲା ।୧୦।

 

କରି ଚାକରି ଚାରି ଯାମ

ଜାକରେ ଅନାରତେ ସାବଧାନେ

ଚାଲିଲେ ଚାଲି ଲେଶେ ହେଲେ ଖସଇ

ପ୍ରଭୂକି ତା ମନେ ଘେନେ ।୧୧।

 

ଏବେ ତ ଏବେ ତ ହେଲା ମୋ

ଚରମେ ଏଣିକି କ୍ଷମା ସୁନ୍ଦର

ରସଭାର ସଭା ପଦେ କହୁ

କହେ ଅଷ୍ଟଦୁର୍ଗ ପୁରନ୍ଦର ।୧୨।

 

(୨୦୪)

ରାଗ—ସୋମ

 

ରସନିଧି ହେ ! ଭଲ ପ୍ରୀତି କଲ ଭୁଲାଇ;

ଅଶକତ ନ କଲେ କି

‘‘ବଶ କଲା’’ ବୋଲାଇ ? ।୦।

 

କଲ କି କରମ !! ସାରିଥିଲ ଅମକଳ କି ?

ସଂସାରେ ଥିବା ରୀତିରୁ

ଝଲକିଲେ ଭଲ କି ? ।୧।

 

ତା’ ତନୁ-ଶିରୀଷେ ଦଳିଦେଇ କଟୁ କୁଳି ଗୋ !!

ପଡ଼େ ପରା ପହୁଡ଼ିଲେ ତୁଳି

ଶେଯେ ଲୁଳିଶେ ସେ ? ।୨।

 

ଖଣ୍ଡ ଖଣ୍ଡ କରଜେ ସେପରି ଏକା ଦଣ୍ଡ କି ?

ଧରିତ୍ରୀମଣ୍ଡନାର ସେ ଗଣ୍ଡ ନୁହେ ଖଣ୍ଡ କି ? ।୩।

 

‘ସେ’ ପରେ ହୁଏ କି ସ୍ମର-ସମରଜ ଶ୍ରମରେ ?

ଚୁମ୍ୱିଥା’ନ୍ତ ପଙ୍କଜକୁ ଭ୍ରମରଙ୍କ କ୍ରମରେ ।୪।

 

ତା’ ଶ୍ରୀ ଅଙ୍ଗ ରାଗ ବାସ ଯାଉଚି ତ ଚହଟି;

କେଉଁ ପ୍ରକାରକୁ ଆଉ ନ ହଟିଲ ? କହ ଟି ।୫।

 

ଶ୍ୟାମ ଶୁଣି ଲଜ୍ଜା ମଦ ବହିବାର ଚିତ୍ତରେ

ଜଗଦ୍ଦେବ ଧ୍ୟାୟେ ଚିନ୍ତି ମନରେ ଏ ଗୀତରେ ।୬।

 

(୨୦୪)ଅମଳକ—ମାଦକ ଦ୍ରବ୍ୟ,ଝଲକିଲେ—ଟଳିଗଲେ,ଲୁଳି—ଝାଉଁଳି,କରଜେ—ହାତନଖରେ,ସ୍ମର-ସମରଜ ଶ୍ରମ—ରତିକ୍ରୀଡ଼ାରୁ ଜାତ କ୍ଳାନ୍ତି,ଭ୍ରମରଙ୍କ କ୍ରମରେ—ଭ୍ରମରଙ୍କ ସଦୃଶ,ଅଙ୍ଗରାଗ ବାସ—ଦେହର ଚନ୍ଦନ କୁଙ୍କୁମାଦିର ସୁରଭି,ଲଜ୍ଜାମଦ—ଅତିଶୟ ଲଜ୍ଜାଭାବ ।

 

(୨୦୫)

 

ରସିକାମଣ୍ଡଳୀ ମଥାଝରା ରେ,

ବସିଛୁ ତ ରୁଷି ବସୁନ୍ଧରାରେ,

ଖସି ପଡ଼ିଲାଟି ଦେଲା ପରି କାଟି

ଧୃତଲତିକାଟି ମନୁ ତ୍ୱରାରେ ।ପଦ।

କହିଛି ଛାମୁରେ କେ କି ଧୀରାରେ,

ମହୀରେ କରିଛୁ ନଖଗିରାରେ,

ଅହିତ ମୁଁ ନୁହେ, ଅଦୋଷେ ନିଗ୍ରହେ

ନ ଦଣ୍ଡ ତୁ କୃପାନିଧି ପରା ରେ ।୧।

 

ଦୁଃଖକୁ ମୋହର ତୁ ପାସୋରା ରେ,

ମୁଖଚନ୍ଦ୍ର ଟେକି ବିମ୍ୱାଧରା ରେ,

ସୁଖ-କୁସୁମାଳି, ନ ଯାଉ ମଉଳି, ବନ୍ଧୁ

ତୋ ଗୁମାନ-ତୀବ୍ର ଖରାରେ ।୨।

 

ବଣା ମୃଗନେତ୍ରା ନାରୀହୀରା ରେ,

ଗଣାଗଲିଣି ମୁଁ ତୃଷାତୁରା ରେ,

ଛଣା ରସଝରି, ଥାଉ ଥାଉ ପୂରି,

ତୋ ଉରଜ ବ୍ୟାଜ ସୁନାଗରା ରେ ।୩।

 

ମଦନମଦୁଆ ଇଟ ଛୁରାରେ,

ମୋ ଧନ ମୁଁ ଯିବି ସିନା ମରା ରେ,

କଦନ ବିଧ୍ୱଂସ ନ କଲେ ତୁ

ହଂସବିଜୟିଗମନା ଶୋଭାକାରା ରେ ।୪।

 

ହରି ବିନତିର ମନୋହରା ରେ,

ପୁରୀରେ ରୋଷକୁ ହସି ଜରାରେ,

ହାରିଲେ କଷ୍ଟ ସିନ୍ଧୁ ତରିବା ଅଷ୍ଟଦୁର୍ଗ

ସ୍ୱର୍ଗରାଜା ମନ ପୂରା ରେ ।୫।

 

(୨୦୬)

ରାଗ—କାଫୀ

 

ରସିଲା, ମୋ’ କୋଳେ ଧନ ବସିଲା ରେ ! ।୦।

ଉରେ ଜମାଇଁ ତା’ ଉଚ୍ଚ ଉରୋଜ ହେମ-ଲକୁଚ

ନିବିଡ଼େ ଭିଡ଼ିଲି, ‘ଇସି’ ଭାଷିଲା ରେ ।୧।

 

ସଂଖାଳି ତା’କୁ ବିଚାରି, ରଙ୍କାଳି ଛଡ଼ା ଆଚରି

ଚୁମ୍ୱିଲି ଶ୍ରୀମୁଖେ ଆଖି ଖୋସିଲା ରେ ! ।୨।

 

ରହସ୍ୟ ଅଙ୍ଗମାନଙ୍କ ଜାଣି ଦେଲି କରଜାଙ୍କ

ଚମକି ଅଳପ ଲାଜେ ହସିଲା ରେ ! ।୩।

 

ଇଭ ଗତି ନିଭ ଗତି କି ଭଗତିରେ ମୋ’ ପ୍ରୀତି

ପାଳିବା ବିଳାସାଦାନେ ତୋଷିଲା ରେ ।୪।

 

ସେ ନବ ରସିକାରାଜ ସବୁ ଅଙ୍ଗୁ ନେଇ ଲାଜ

ନିବିଡ଼ ନୀବିରେ ଏକା ପୋଷିଲା ରେ ! ।୫।

 

ପ୍ରିୟା ନବ ସଙ୍ଗୋତ୍ସବ ଘେନିବାର ଶ୍ରୀ କେଶବ

ବସୁ ଦୁର୍ଗେଶକୁ ଧ୍ୟାନେ ଦିଶିଲା ରେ ! ।୬।

 

(୨୦୬)ଉଚ୍ଚ ଉରୋଜ—ଉନ୍ନତ ସ୍ତନ,ହେମ ଲକୁଚ—ସୁନାର ଜେଉଟ(ସ୍ତନ ସହିତ ତୁଳନା),ରଙ୍କାଳୀ—ଲୋଭୀ, କରଜାଙ୍କ—ହାତନଖର ଚିହ୍ନ,ଇଭ—ହସ୍ତୀ,ନିଭ—ଭଳି ବା ସଦୃଶ,ବିଳାସାଦାନେ—ରତିକ୍ରୀଡ଼ାରେ,ନବ ସଙ୍ଗୋତ୍ସବ—ଆଦ୍ୟ ମିଳନ ଉତ୍ସବ ।

 

(୨୦୭)

ରାଗ—ବଙ୍ଗଳାଶ୍ରୀ—ଝୁଲା

 

ରହି ବିଦେଶରେ ଦଇବବଶରେ

ବଲ୍ଳଭ ନୃଭ କୁମର

ରତିପତି ଭୀତି ବଳରୁ ବୋଲନ୍ତି

ଆହା ବିଳାସିନୀ ବର ।୦।

 

ରଣରଣ ଶର ଦମ୍ଭୋଳି ପ୍ରକର

ବରଷାରୁ ନିରନ୍ତର

ରକ୍ଷା କେ କରିବ ମୋର ରେ

ପଲ୍ଲବ-ଅଧରା ବିନା ତୋହର ।୧।

 

ରଙ୍କ ମୁଁ ସୁଭାଗ୍ୟବଶୁଁ ଅରଜିବା

ଚିନ୍ତାମଣି କରି ଦୂର

ରସବତୀ ରାଜା ତୁ ସଖି ପରଜା

ଏକାଳ ହେଲି ଅନ୍ତର ।୨।

 

ରଥପରି ମନମଥର ଆସନ୍ତେ

ହୋଇ ମନ୍ଥର ମନ୍ଥର

ରଟିବ କିଙ୍କିଣୀ କାହାରଟି ଶୁଣି

ଲଭିବି ମୁଁ ମୋଦଭର ।୩।

 

ରଜ ନିକରେ କୁସୁମ ମାନଙ୍କର

କରି ଦେହକୁ ଧୂସର

ରଜନୀକର ମୟୁଖେ ବିହରିବି

କୁଞ୍ଜେ ଧରି କାହା କର ।୪।

 

ରସି କାହା ପରିରମ୍ଭ ଚୁମ୍ୱେ

ହରିବିଟି ଯାମିନୀ ବାସର

ରତେ ରସି କାହା ତୁଲେ ହେବି

ମହାସୁଖାମୃତ-ଜରଜର ।୫।

 

ରଙ୍କ ତାମରସ ପଦ ଲାକ୍ଷାରସ

ଚିତ୍ରେ ସାଜନ୍ତେ ତାହାର

ରସିକ ଚକ୍ର ଚୂଡ଼ାମଣି ହୋଇବ

ମୋ ପଦତଳେ ନଜର ।୬।

 

ରଚି ନିଧୁବନ ଅବସାନେ ଧନ,

ଧରି କୁସୁମ ଚାମର

ରଖି ମୋତେ ଉରେ ବିଞ୍ଚୁ ପରା ଧୀରେ

ଏବେ ସାରିଦେଲା ସ୍ମର ।୭।

 

ରଦନ ଅମ୍ୱର ସୁପକ୍ୱ ବିମ୍ୱର

ସ୍ୱାଦୁ ନ ପାଇ ଏଥର

ରଦ ହେବା ପରି ଲାଗିବାରୁ ଡରି

ହୋଇଲାଣି ଥରଥର ।୮।

 

ରତ୍ନ ପରିଚିତ ସୁକୃତ ସଞ୍ଚିତ

ହେବା କଣ୍ଠ ଅଳଙ୍କାର

ରସାମଧ୍ୟ ଶୀରି ତୁ ଯେ ମୋର

କରି ନ ପାରିଲି ଅଙ୍ଗୀକାର ।୯।

 

ରମଣୀୟତର ପୟୋଧରେ

ତୋର ନ ଖେଳାଇଲି ନଖର

ରମଣୀ ଅତର ସୁବାସିନୀ ମୋର

ଜନମ ବଡ଼ ଅସାର ।୧୦।

 

ରହରେ ଏପରି ଚିନ୍ତିଲେ

ଶ୍ରୀହରି ପ୍ରିୟାଙ୍କ ଗୁଣ ପ୍ରକର

ରଚିଲେ ହରଷରେ ହରିଚନ୍ଦନ

ଜଗଦ୍ଦେବ ନୃପବର ।୧୧।

 

(୨୦୮)

 

ରାଜି ନ କଲା ଆଜି ପ୍ରବୀଣା ହେ ।୦।

ପ୍ରୀତି ପାଶୋରା ପଣ

ତାହାଠାରେ ଆପଣ

କି କରିଛ ତା ତୁମ୍ଭଙ୍କୁ ଜଣା ହେ ।୧।

 

ବିନୟେ ଧରି ପଦ

କରାଅ ବଶମ୍ୱଦ

ପୁଣି ସୁଖମୁଣ୍ଡେ ଠୁକ ଠଣା ହେ ।୨।

 

ସ୍ୱର୍ଗ ପୀଠେ ବସାଇ

ପୁଣି ଜାଣ ଖସାଇ

ଏ ଗୁଣେ ଆପଣ ନୁହ ଊଣା ହେ ।୩।

 

ଦେବାର ଇନ୍ଦ୍ରପଦ

ହରି, ଦିଅ ବିପଦ

ନିତ୍ୟ ନୋହିବାରୁ ଏ କରୁଣା ହେ ।୪।

 

ରାତି ରାତିକା କ୍ଳେଶ

କହି ବହିଲା ରୋଷ

ଯହୁଁ ତୁମ୍ଭ ଗୁଣ ନୁହେଁ ଗଣା ହେ ।୫।

 

ଆପଣ ଯା ଅସାର

କଥାକୁ ଘେନ ସାର

ନ ସମଂଜ କେ ପାଣି କେ ପଣା ହେ ।୬।

 

ଦୁଃଖେ ସେ ଦିନ ହରେ

ଆପଣଙ୍କ ସ୍ନେହରେ

ଖଦା ଥାଇ ନ ଥିବାରୁ ଛଣା ହେ ।୭।

 

ଭଣିଲେ ଜଗଦ୍ଦେବ

ଜାଣିଏ ବାଣୀ ଭାବ

ହେଲା ଶ୍ୟାମବନ୍ଧୁ ବୁଦ୍ଧି ବଣା ହେ ।୮।

 

(୨୦୮)ଠୁକ—ଆଘାତ କର,ଠଣା—ଢୁସା ବା ହାତ ଆଙ୍ଗୁଳି ଗଣ୍ଠିଦ୍ୱାରା ମାଡ଼,ରାତିଜା—ରାତିରେ ଜନ୍ମୁଥିବା,ଖଦା—ମଇଳା ।

 

(୨୦୯)

 

ରାଣ ଅଛିଟି ରେ କିଶୋରୀ ପ୍ରମଦାବର

ତଳପେ ଅଳପ ରହରେ କଳପ-

ଲତା ମୋ ହୃଦୟ ହାର (ପଦ)

ଯାମିନୀ ଚରଣ କାଳେ ୟେ ରକମ

କି ବୋଲି ବାଣୀ ନ ଶୁଣା

କଳାକରଚୂଡ଼ାହତ ଶର ପୀଡାକୁ କର ଊଣା ।୧।

 

ହର ସିନା ଘନକେଶୀ ନିଧୂବନ ବିହିତ ନଖକ୍ଷତକୁ

ସହିବାକୁ ସହୀ ହେଲା ମୋର ସହୀ

ତୋର ଦୋ ଦୃଢ଼ ଘାତକୁ ।୨।

 

ଚଞ୍ଚଳ ନୟନା ରଦାଞ୍ଚଳ ସିନା

ପ୍ରଦାନ କରିବୁ ଥରେ

ଟେକି ଉରବର ଜାକତ ମୋହର

ହାର ପରଶ ମରେ ରେ ।୩।

 

ନାହିଁ କି ଧରମ କରିଛନ୍ତି କାମ

କୁଚଚକ୍ର ନୀଳ ଛାଇ

ସ୍ୱରୂପ ପରି ରେ ନିବିଡ଼ ଶ୍ଳେଷରେ

ଆଉ ମୁଁ ପଡ଼ିବି ନାହିଁ ।୪।

 

ଘଟ ପତି ଉଟ ଥନକୁ ନିପଟ

ଦଳି ଦେବି ନାହିଁ ଆଉ

ହାଟକ ଝଟକ କରନା କଟକ

ଶୋଭା ରେ ଦେବୁ ଦାଉ ।୫।

 

ଗିରିବରଧାରୀ ଶୁଣି ଶିରୀମତୀ

ହେଲେ ଅତି ରତି ମତି

ଅଷ୍ଟଦୁର୍ଗ ପତି ବୋଲେ ସେ ଦମ୍ପତି

ପାଦେ ନ କର ପୀରତି ।୬।

 

(୨୧୦)

 

ରାତି ପାହିଗଲା ହେ ହାତୀ,

ହୁଅ ଅପହୁଡ଼ ତେଜ ସୁପାତି ।ପଦ।

ହେମ ହେଲା ଉରମୁକୁତା, ପାନକଳ ଲାଗିଲା ପିତା,

କରଟ କୁମ୍ଭାଟ ଚମକି ରଟନ୍ତି

ବାଜିଲା ଅରୁଣ କିରଣ କାନ୍ତି ।୧।

 

ଛୁଇଁ ଗଙ୍ଗଶିଉଳି ବନ, ବହିଲାଣି ମୃଦୁ ପବନ,

ରଥାଙ୍ଗ ଦମ୍ପତି, ହୃଦୟରୁ କିଛି

ଦୂର ହୋଇଲାଣି ବିରହ ତାତି ।୨।

 

ବିଳସିଲେ କୁମୁଦ ନିଦ, ଅଳିକୁଳ ହେଲେ ପ୍ରମୋଦ,

ଲାଗିଲାଣି ଭୟ, ସଙ୍ଗିନୀ ନିଶ୍ଚୟ,ଇଙ୍ଗିତରେ

ଘେନି ଯିବେ ମୋ ଜାତି ।୩।

 

ମନ ମୋର ଧୃତି ନ ଟଳୁ, ଧନ ମୋତେ ମେଲାଣି ମିଳୁ,

ରାଧା ନନ୍ଦସୁତ ମାତିଲେ ବୋଲି ତ ତୁଚ୍ଛାକୁ

ଏ ବ୍ରଜମଣ୍ଡଳେ ଖ୍ୟାତି ।୪।

 

ଜଳନ୍ତର ଭୂପତି କହେ, ଅଙ୍ଗରାଗ ଅଛି ମୋ ଦେହେ,

ଅତି ସେ ନଜରୁ ହେମ ଉରୋଜରୁ

ଶିଥିଳାଇ ଦିଅ ଅଳପ ଛାତି ।୫।

 

(୨୧୦)କରଟ—କୁଆ,ସୁପାତି—ଶେଯ

 

(୨୧୧)

ରାଗ—ଗୁଜୁରୀ—ତିପଟା

 

ରାଧେ, ଅନଙ୍ଗ ରଙ୍ଗ ରଣକୁ ଆଜ ସାଜ ରେ,

ରାଜ ବଦନ ମାଜ ସଖି ସମାଜରେ,

ମନୁ ଲାଜ ତେଜ ହାଜର ଜରିତାଳ

ଧରି ବିରାଜ ଆଜ ରେ ।୦।

 

ମଞ୍ଜଳତର କୁଞ୍ଜ ନିଳୟ ମଣ୍ଡ ଆଦରେ,

କଞ୍ଜ କୁସୁମ ଗଞ୍ଜନ କମନୀୟ ପାଦରେ,

ଅଞ୍ଜନ ରୁଚି ପୁଞ୍ଜ ବିହଗ ପଞ୍ଜରନିଭ

କୁଞ୍ଜରେନ୍ଦ୍ରରଞ୍ଜନ ଶୁଣ ଗର୍ବିତ ମତ ନିର୍ବିବାଦରେ ।୧।

 

କୁଞ୍ଜ ସଦୃଶ ସୁନ୍ଦରତର ମନ୍ଦହାସୀ ରେ,

ଚନ୍ଦନ ଘନସାର ସକଳ ବୃନ୍ଦବାସୀ ରେ,

ନନ୍ଦ ନିଳୟ ଚନ୍ଦ୍ରମୁଖ ପସନ୍ଦ ସୁଅରବିନ୍ଦ-

ସୂନ ନିର୍ଗତ ମକରନ୍ଦର ହୁଅ ଯା ପିପାସୀ ରେ ।୨।

 

ମୁଞ୍ଚ ସୁଦନ୍ତୀ ରଞ୍ଜନ ନିସୀ ରଚ ଖେଳରେ,

କୁ଼ଞ୍ଚିତ ଭୂରୁ ଭଙ୍ଗୀ ଜିତ ବିରଚ କୁଳରେ,

ଚଞ୍ଚଳ ନୟନାଞ୍ଚଳ ମିଶି ସଞ୍ଚିତ ମଦଚଞ୍ଚ-

ରୀକ ସଞ୍ଚରୁ ନବ କାଞ୍ଚନ ନିଭ ଚାରୁଚେଳରେ ।୩।

 

ଶାନ୍ତରସ ପିଚିଣ୍ଡିଳମତି ମନ୍ତ୍ର ପାଳି ରେ,

ସୀମନ୍ତ ମଣି ସୁକୁନ୍ତଳ ମତି ତୁ ଆଳି ରେ

ଦନ୍ତକ ତୃଣବନ୍ତ କରୁ ନିରନ୍ତର ସେ ଦୁରନ୍ତ

କାମକୁନ୍ତ ସଦୃଶ ପାଣିରୁହ ନିତାନ୍ତ କେଳି ରେ ।୪।

 

ବାରଣଗତି ହାର ରେ କୁଚଭାର ମଣ୍ଡ ରେ,

ନିବାର ମୁଦିର ବାର ତନୁରୁ ମାରଦଣ୍ଡରେ,

ଆରକତ ସୁସାରସ ବାରବାର ବିଜୟୀ ସାର—

ପଦଦ୍ୱନ୍ଦକୁ ଭାବି ବନ୍ଦଇ କବିମାରତଣ୍ଡ ରେ ।୫।

 

(୨୧୨)

ରାଗ—ଶଙ୍କରାଭରଣ

 

ରାଧେ ରସିକରାଜ, ତୋ ପ୍ରବୀଣାପଣ ଜଣାଯିବ ଆଜ,

ନନ୍ଦର ତନୟ ପୁରନ୍ଦର ମଣି ମକରନ୍ଦ

ଲିଟ ତୁ ଅରବିନ୍ଦଟି ସୁନ୍ଦରି ।ପଦ।

ହେବା ଦିନୁ ସ୍ତନ ପୀନ କରକଶ,

ମଦଗତେ ବସୁନ୍ଧରା ମଣ୍ଡଳିକି ମଣ୍ଡୁ ପରା,

ଏବେ ଧରାଧରଧରା କରେ କସ ।୧।

 

ଭିନ୍ନ ସଖୀ ଦେହେ ସ୍ନେହେ ଜଡ଼ିବାର,

ଭିନ୍ନ ସେ ଶିଖଣ୍ଡଚୂଳ ମରକତ ଅରଗଳ,

ବଳିଷ୍ଠ ବାହୁ ଯୁଗଳ ଭିଡ଼ିବାର ।୨।

 

ଆମ୍ଭେ ସିନା ପ୍ରଭୁ ବୋଲି କରୁ ଭୀତି,

ତୁ ଯାହା କଲେ ତା ସହୁ, କ୍ଷମା କରିବେ ସେ

କାହୁଁ ବାମାଗର୍ବ-ଚନ୍ଦ୍ର ରାହୁ କଳାହାତୀ ।୩।

 

କି ହେବ ମନ୍ଦିରେ ଭୂରୁ ନଚାଇଲେ,

ଯଶ ହେବ ସେହି କାଳେ ନଟ-ମୁକୁଟକୁ କୋଳେ,

ନଚାଇ ସେ ରସେ ବଳେ ରୁଚାଇଲେ ।୪।

 

ମୃଦୁ ତନୁ ବୋଲି କେ ଛାଡ଼ିବ ଆଉ,

ଅଙ୍କୁ ଯିବାଯାଏ ଶାନ୍ତ ହୋଇବ ନାହିଁ ଯେ ଦାନ୍ତ,

କରରୁହ-ପ୍ରାନ୍ତକୁନ୍ତ ଖେଳା ଦାଉ ।୫।

 

ବୋଲେ ଅଷ୍ଟଦୁର୍ଗନାଥ ଜଗଦ୍ଦେବ,

ସଖୀ ପରିହାସ ଶୁଣି ଲାଜେ ହସି ଠାକୁରାଣୀ,

ମନେ କଲେ ହେଲେ ପୁଣି ବୁଝାଯିବ ।୬।

 

(୨୧୩)

 

ରାଜାରାଜ ରେ, ସତେ ରୁଷି ନାହୁଁ ତୁ ଯେ ଆଜ ରେ

ଆଡ଼ରୁଷାରୁ ତ             ଜାଡ଼ରୁ ସାରସ

ପରି ହୁଅଇ ମୋ ଓଜରେ ।୦।

 

ଅନ୍ତଃସ୍ମିତ ରୁଚି            ଅଳପ ସ୍ଫୁରୁଚି

ରମ୍ୟ ମୁଖ ଦ୍ୱିଜରାଜରେ

ଟେକୁ ଯେଉଁ ମଥା            ପଦେ ହେଲେ କଥା

କହୁ ନାହୁଁ ଏ କି ବ୍ୟାଜରେ ।୧।

 

କି କଳ ବୀଣା ତୁ             ନୂତନା ହେବାରୁ

ବିକଳ ହେଉଛୁ ଲାଜରେ

ଆନ ଅଛିଟି ଏ             ବିନୟ ବଚନ

ମାନ ମୋ କୋଳେ ବିରାଜ ରେ ।୨।

 

ଲୋକୁଟାରେ ବ୍ରୀଡ଼ା            ନ ଧରି ଅଧରୁ

ଢ଼ୋକୁଟାଏ ଦେଇ ସାଜରେ

ତୋର ଶତ ମାନ,            ଶଙ୍କା, କଳଙ୍କକୁ

ଛଡ଼ାଇ ମୋ ମନ ମାଜ ରେ ।୩।

 

ଦୋଷ ସିନା ତୁଚ୍ଛା            ରୋଷ କଲେ କୁଚ୍ଛା

ନେବୁ ଛଇଲା ସମାଜରେ

ମନ୍ଦେ ହସ ମୋର             ସନ୍ଦେହ ସନ୍ଦୋହ

ନାଶି ମୋଦକୁ ନିଆଜ ରେ ।୪।

 

ଅଷ୍ଟଦୁର୍ଗନାଥ            ବିରଚିଲେ ଏହା

ବୋଲୁ ବ୍ରଜ ଯୁବରାଜରେ

ମଜ୍ଜିଗଲା ଲଜ୍ଜା            ସ୍ନେହ ଜଳଧିରେ

ଦେବୀଙ୍କ ମନ ଜାହାଜରେ ।୫।

 

(୨୧୩)ସାରସ—ପଦ୍ମ,ଓଜ—ତେଜ,ଦ୍ୱିଜରାଜ—ଚନ୍ଦ୍ର,ବ୍ୟାଜରେ—କପଟରେ,ଆନ—ରାଣ,ଲୋକୁଟାରେ —ଦୀନହୀନ ବ୍ୟକ୍ତିଠାରେ,କୁଚ୍ଛା—ଅପନିନ୍ଦା,ସନ୍ଦୋହ—ସମୂହ,ନିଆଜ—ମନେକରିବା ।

 

(୨୧୪)

ରାମା—କେଦାର—ରୂପକ ତାଳ

 

ରାମା ରଥାଙ୍ଗ ଦମ୍ପତ୍ତି ରତେ ରସିଲା ରେ । ଘୋଷା ।

ସଞ୍ଜରୁ ବନ୍ଦିଲି ତୋତେ କଞ୍ଜ ବିକାଶ ପର୍ଯ୍ୟନ୍ତେ

ଅଞ୍ଜନାଶ୍ରୁ କେବଳ ବରଷିଲା ରେ ।୧।

 

ନୋହେ ସେ କଞ୍ଜବିକାଶ ଅହେତୁରେ ବନ୍ଧୁ ରୋଷ

ଜାଣିବେ କି ସେ ସାରସ ହସିଲା ରେ ।୨।

 

ତୁଷାର ହେଲା ମଣ୍ଡନ ସୁସାର ପଦେ ବଚନ

ତୋ ସାରସ ବଦନୁ ନ ଖସିଲା ରେ ।୩।

 

ସେବା ନ ଘେନି ଆନନ୍ଦ ହେବାର ଏ ପରିବନ୍ଧ

ଜବାଧରା କି ପସନ୍ଦ ଦିଶିଲା ରେ ।୪।

 

ଯା’ ତୁଲେ ରତି ଶରଣ କରୁ ତୋ ମୃଦୁ ଚରଣ

ନ ରଖିଲା ସେ ଶରଣ ପଶିଲା ରେ ।୫।

 

ଊଣା କରବାରୁ ପ୍ରେମ ହଣାଇ ଦେଲା ଉତ୍ତମ—

ପରି ମୋର ମତିକି ଆଭାସିଲା ରେ ।୬।

 

କହେ ଅଷ୍ଟଦୁର୍ଗ ପତି ଶୁଣି କିଶୋର ଭାରତୀ

ହୋଇଲେ ଅମନାବତୀ ସୁଶୀଳା ରେ ।୭।

 

(୨୧୫)

ରାଗ—ତୋଡ଼ି ପରଜ

 

ରେ କିଶୋରି, ତୁ ଲୋଡ଼ୁଅଛୁ ମାଡ଼କୁ,

ନାହିଁ କରୁ କରୁ ଚାହିଁଲୁ କାହିଁକି ଶ୍ୟାମଳ

ଚାନ୍ଦ ଆଡ଼କୁ ରେ ।ପଦ।

ମୋରେ ତ ନଜର ନ ଦେଉ ନଜର

ନ ଦେଉ ଯେ ବିଶାଖାରେ,

ବୃଥା ନିତି ରସେ କି ଥାଏ ତୋର

ସେ ତମାଳ ତରୁ ଶାଖାରେ ।୧।

 

ଆନ ମହାଧନ ବିବିଧ ବସନ

ଛାମୁରୁ ନେଉଛି ମାଗି,

ତୋର ତ ଜୀବିକା ହୋଇଅଛି ଏକା

କଳାମେଘି ଶାଢ଼ୀ ଲାଗିରେ ।୨।

 

ତଳପ ପରି ଅନଳପ ସୁରଭି ଫୁଲ

ଝଡ଼ି ପଡ଼େ ତଳେ,

ମତ୍ତ ସୀମନ୍ତିନି ! ମଣି ମିଶାଇଛୁ

ଅତସୀ-କୁସୁମ ଦଳେ ।୩।

 

ଗଣି ନୋହିବାର ମଣିଭୂଷା ଅଛି

ତହିଁକି ନ ଚାହୁଁ ଢାଳେ,

ଗଳାଇ ଦେଇ ଗୁନ୍ଥିଛୁ ମନୁଟିକି

କଳା ଇନ୍ଦୀବର ମାଳେ ।୪।

 

ଜଳାବାଟେ ହେଲେ ବଳାହକେ

ଚାହିଁ ପୁଲକେ ହେଉ ଭରତି,

କଳା ବୋଲି ସ୍ନେହେ ଦଳା ମଳୟଜ

ବୋଳାଭ ଯା ଅଙ୍ଗେ ନିତି ।୫।

 

ମାରି ଜାଣିଅଛୁ ବାରିଜାକ୍ଷୀ ହସି

ସର୍ବ ଅବତଂସ ଫୁଲେ,

କଷ୍ଟ ପାଇବୁ ତୁ କାହାର କି ଯିବ

ଅଷ୍ଟଦୁର୍ଗନାଥ ବୋଲେ ।୬।

 

(୨୧୬)

ରାଗ—ତୋଡ଼ିପରଜ—ଏକତାଳି

 

ରେ କିଶୋରି, ନ ସହିବୁ କେ ସହିବ ?

ନ ସହିଲେ ଶ୍ୟାମ ମୂରତି ପୀରତିବଲ୍ଲୀ

ଫଳ କିସ ହେବ ? । ଘୋଷା ।

ଦେଖୁଛୁ ତ ଯେଉଁ ରୂପେ କୁସୁମକୁ

ଦେଉଅଛି ଅଳି ଦଳି,

ବାମ ଅଙ୍ଗେ ଦକ୍ଷ ଅଙ୍ଗ ବାରିଜାକ୍ଷ

କରେ ସିନା ଅଳି ଦଳି ।୧।

 

ବ୍ରଜରାଜ ସୁତ ମୃଦୁପୁରୁହୂତ

ମଣି ବିରଚିତ ଚୂତ,

ପୁରଭିଦରୀଦର୍ପଣ-ଗଣ୍ଡସ୍ଥଳା

ସୁରଭି ଇନ୍ଦିରା ତୁ ତ ।୨।

 

ହଜାରେ ନିଷେଧି ଜଣାଇଲେ

ହେଲେ ନ ଜାଣି ଆପଣା ବାଧ,

ଯାହା କଳାବତୀ, ଘେନି ବସିଥାଉ

ତାହା କଲା ଅପରାଧ ।୩।

 

ହର-ପରିପନ୍ଥୀ ଦେବାବେଳେ ଗୁନ୍ଥି

ମନରେ ମନ ଗଳାଇ,

କହିଲୁ କି ପ୍ରିୟସଖି, ମୁଦେ ପଦେ

ପହିଲୁ ଦେଲୁ ବଳାଇ ।୪।

 

ଆନ ସହାୟ କେ ଅଛି କି ଭୂଲୋକେ

ମାନସରେ ବିଚାରିଲେ,

ତା ଚରଣ ସିନା ଶରଣ ସେ ନାନା

ଆଚରଣ କଲେ ହେଲେ ।୫।

 

ଶୁଣି ଆଳି ବାଣୀ ହସି ଠାକୁରାଣୀ

ନିମଜ୍ଜି ରହିଲେ ସ୍ନେହେ,

ତୁଷ୍ଟ ହେଲେ ସହୀ ଶ୍ୟାମଚନ୍ଦ୍ରମୁହୀଁ

ଅଷ୍ଟଦୁର୍ଗ ନାଥ କହେ ।୬।

 

(୨୧୭)

ରାଗ—ତୋଡ଼ି ପରଜ, ଆଦିତାଳ

 

ରେ କିଶୋରି, ପଛେ ଛୁଇଁବୁ ମୋ ତନୁ,

ପାସୋରି ପକାଅ ନୀପଅନାଉଣି

ସୁଆଗ ତୋ ଆଗ ମନୁ । ଘୋଷା ।

ମାତିଲା ନିକୁଞ୍ଜେ ଜଣାଯାଇ କୁଞ୍ଜେ

ବୋଲି ହେଉଛି ଖବର,

ନୋହି ମନ୍ଦାବର ଏ ଅପବାଦର

ଅପାୟ ଉପାୟ କର ରେ ।୧।

 

ହିତକୁ ଛାଡ଼ି ମୁଁ ନ କହେ ମୋ

ପ୍ରାଣମିତକୁ କଦାପି ଆନ,

ଚିତ୍ତକୁ ନ ଆସୁ ଆସୁ ତା ମୁରଲୀ

ଗୀତକୁ ନ ଦିଅ କାନ ରେ ।୨।

 

ନ ଜାଣିଲା ପରି ଇନ୍ଦୀବରଧରୀ

ଚୁମ୍ୱୁ ଯେ ଅନବରତ,

ହର ତୋତେ କୃପା କରନ୍ତୁ

ମଦନକରତ ମୁଖୁଁ ବରତ ରେ ।୩।

 

ଧନ ମାନରେ ତୋ ଅଙ୍ଗେ ଯେ

ପୁରିଛି ବନମାଳିକା ବାସନା,

ଛାଡ଼ିବି ମୁଁ ଆଜ ଏକଥା ନିଆଜ

ପହିଲେ କହିଲେ ସିନା ରେ ।୪।

 

କାହିଁକି ହେଲାଟି ଏପରି ପଲ୍ଲବ

ତଳପରେ ସଢ଼ି ଦେହ,

ଜନେ ଯେ ପୁଚ୍ଛିବେ ତହିଁକି ଜବାବ

ଜଳପ ଅଳପ ରହ ରେ ।୫।

 

ସହଚରୀ ପରିହାସୁ ହସି ଗୋରୀ

ତାଡ଼ି ଅବତଂସଫୁଲେ,

ସେ ସମୟ ଛବି ଚିନ୍ତି ଚିତ୍ତେ କବିରବି

ରାୟଗୁରୁ ବୋଲେ ରେ ।୬।

 

(୨୧୭)ନିଆଜ—ଅନୁମାନ କରିବା,ତାଡ଼ି—ଫିଙ୍ଗିଦେଇ,ଫୋପାଡ଼ି

 

Unknown

(୨୧୮)

ରାଗ—ତୋଡ଼ି ପରଜ

 

ରେ କିଶୋରି, ରୁଷିବାର ସିନା ଜାଣୁ,

ରସ-ଜଳଧିରେ ଅବଗାହି ଧୀରେ,

ତହୁଁ ତ ସାର ନ ଛାଣୁ ରେ । ଘୋଷା ।

ରମଣୀୟ ଜାଣି, ରସି ଯହିଁ ପୁଣି,

ନ ଡରି ପରିବାଦକୁ;

ରୋଷ ଅଙ୍ଗୀକାର କରି କି ତାହାର

ଅଳପ କଥା ପଦକୁ ।୧।

 

ରତ୍ନ ତ ମୃଦୁଳ, ନୋହେ ତାକୁ

ଅଳଙ୍କାରକୁ ନିକି ନ ଆଣି;

ରସିକାଙ୍କ ଶିଖାମଣି ଘେନୁ ଶିଖା

ଶିଖି ତୁହି କାହୁଁ ଶୁଣି ରେ ।୨।

 

ରକତ ବ୍ୟକତ, ହେଲେ ଯଦି କ୍ଷତ,

ହୁଅଇ ଆସେଚନକ;

ରଦାଗ୍ର ସ୍ପରଶ ଅବା କେଡ଼େ ଦୋଷ

ନ କରି ଚିତ୍ତେ ବିବେକ ।୩।

 

ରତିଈଶରଣ ଯାହାର ଶରଣ

ଦେଖିଥିଲେ ତାକୁ ନେତ୍ରେ;

ରହନ୍ତୁ କି ଲାଜ କ୍ରୋଧେ ଜମି ଆଜ

ଭୁଜେ ଭିଡ଼ି ଦେବା ମାତ୍ରେ ।୪।

 

ରଙ୍କରତନ ଲାଭକୁ ପରି ଏବେ

ରଚି ଯତନକୁ ଭଲେ;

ରମ୍ୟ ଶ୍ୟାମଚ୍ଛବି କିଶୋରରେ

କବିରବି ରାୟଗୁରୁ ବୋଲେ ।୫।

 

(୨୧୮)ଆସେଚନକ—ତୃପ୍ତିକାରକ,ରଦାଗ୍ର—ଦାନ୍ତ ଅଗ ।

 

(୨୧୯)

ରାଗ—ତୋଡ଼ି ପରଜ—ଏକତାଳି

 

ରେ କିଶୋରି, ଲାଜେ ପୋତୁ କେତେ ମଥା ।।

ଲୁଚାଉ ଯେ ରସ ବିଚକ୍ଷଣା ଜଣା

ନାହିଁକି ତୋ ମନ କଥା ରେ । ଘୋଷା ।

 

ବୟସ ସିନା ପନ୍ଦର ପୂରି ନାହିଁ,

ଗୁମାନେ ତ ନୋହୁ ଊଣା,

କହୁଥାଏ ସବୁ ଚାଲିବା ଗରବୁଁ,

ତୋ ମଣି-ବଳା ବାଜଣା ରେ ।୧।

 

ପ୍ରତି ପଦ ଚାଲି ଇସି ଇସି ଭାଷି

ବିଳାସ କେତେ ଦେଖାଉ,

ବିଷମ ବାଣକୁ ବିଦ୍ୟା ଶିଖାଇବା

ଅଭିମାନ ଥାଉ ଥାଉ ରେ ।୨।

 

ମୁକୁତା-ଦଶନା ତନୁ ମାତ୍ର ସିନା

ଶିରୀଷ କୁସୁମ ସମ,

କଟାକ୍ଷ ତ ଗିରିବରକୁ ବିଦାରି

ପାରିବା ପରି ବିଷମ ରେ ।୩।

 

ପଦେ ପରିହାସେ ମୁଖ ମଣ୍ଡି ବାସେ

ପଳାଉ କେତେ ଆଗରୁ,

ମୋର ଏ ବିଚାର ସୁରତ ସାଧନେ

ପାଇଲି ମୁଁ ନୂଆ ଗୁରୁ ରେ ।୪।

 

ମୂରୁଖ ସଖୀଙ୍କି ନାନା ପ୍ରବନ୍ଧରେ

ନଚାଇବା ଗୁରୁ ତୁହି,

ଅଷ୍ଟଦୁର୍ଗ ନାଥ କହେ ଯେବେ ନୋହେ

କହ ମୋ ମୁଖକୁ ଚାହିଁ ରେ ।୫।

 

(୨୨୦)

ରାଗ—ପୂରବୀ—ଝୁଲା

 

ରେ ବନ୍ଧୁଆ, ଅଛି ପରା ଅବଧାନେ

ନୋହୁ ନବସଙ୍ଗ ଦୁହେଁ ଯେ ଅନଙ୍ଗ

ବଶ ହୋଇଲାଇଁ ଦିନେ । ଘୋଷା ।

ବେଣୀ ବାମସ୍ତନ କନକ

କୁମ୍ଭକୁ ଆଣି ଫିଟାଇ ଫିଟାଇ,

ଗେଲାଇ ବିଜେ କରିବା ବେଳେ ଧାତା

ଦେଲା ଯେ ଭେଟ ଘଟାଇ ।୧।

 

ଚାରୁଚନ୍ଦ୍ର ଜିଣା ବଦନକୁ

ଟେକୁଁ ଚାରି ଚକ୍ଷୁ ମିଶିଗଲା,

ସ୍ନେହ ଆନନ୍ଦ ମନ୍ଦାକ୍ଷ ସୁଖମୟ

ସେକ୍ଷଣେ ଯେ ଦିଶିଗଲା ।୨।

ମନୋରଥ ପଥ ସଞ୍ଚାରି ପଦାର୍ଥ

ହୋଇଗଲା ନୀର ସରି,

ମନ୍ଦହାସ ଯେ ଜନ୍ମିଲା ଦୁହିଙ୍କର

କୁନ୍ଦ ଉପହାର ପରି ।୩।

 

ପୁଲକ କମ୍ପ ସମ୍ପଦ ଲମ୍ପଟ

ହୋ/ଇବାରୁ ଚାରି ବାହା,

ନ ସମ୍ଭାଳି ପରିରମଣ ଆରମ୍ଭେ

ବଳିଲାଇଁ ଆମ୍ଭେ ଯାହା ।୪।

 

ଜରତି ପାଶରୁ ଜଣେ ଆସି ହେଲା

ଭରତି ନୋହୁଁ ସେ ରସ,

ସକଳ ସୁଖ ସମ୍ପତ୍ତି ହଜି ଯେଡ଼େ

ବିକଳ ହେଲା ମାନସ ।୫।

 

ପଳାଇଲୁ ବଳା ଝୁମୁଝୁମୁ କରି

ଲାଜରେ ନୁଆଁଇ ମଥା,

କହେ ଅଷ୍ଟଦୁର୍ଗ ନାଥ ସେ ସମୟେ

ମୋହର ଯେଉଁ ଅବସ୍ଥା ।୬।

 

(୨୨୧)

ରାଗ—ପୂରବୀ—ଏକତାଳି

 

ରେ ବନ୍ଧୁ, ଊଣା ତ ନାହିଁ ଚାକିରୀ,

ଗୁଣାମ୍ୱୁନିଧିରେ ଶୁଣାଗଲା ଆଜି ମତେ

ତୁ ରୁଷିଲା ପରି । ଘୋଷା ।

ହେଜ ମାନସେ ତୋ ପହୁଡ଼ ସମୟେ

ଶେଜ ମୋ ହୃଦୟ ପରା

ଜାମ୍ବୁନଦସାର ଗୋରୀ ରେ ମୁଁ ତୋର

ତାମ୍ୱୁଳ-ତାବକ ଧରା ।୧।

 

ଗଇରିକ ଚିତ୍ର ଉରଜେ କରିବା

ସଇରିନ୍ଧ୍ରୀ ତ ମୁଁ ତୋର,

ସଙ୍ଗୀତ ସମୟେ ମୁଁ ବୀଣାବାଦକ

ସଂଗାତା, ନୁହଇ ପର ।୨।

 

ବେହରଣ ବେଳେ ତୁ ମୋତେ

କରିବା ମେହରବାନି ବିଶେଷ

ସ୍ନେହର କ୍ରମକୁ ଘେନିଲେ ମୁଁ ତୋର

ଦେହର ଏକ ପ୍ରବେଶ ।୩।

 

ଶାଢ଼ୀ ଲାଗି ବେଳେ ସ୍ନେହ ମୋହଠାରୁ

ଛାଡ଼ିଲାକି ବିନା ଦୋଷୁଁ,

ଖାଲି ସରିକରି ମୋ ହୃଦପଟକୁ

କାଲି ସରିକି ତ ରସୁ ।୪।

 

ତଳପ କେଳିରେ ନିଉନ ଜାଣିଲେ

ଅଳପମାତ୍ର ତୋ ସ୍ନେହ,

ରହିବି କି ଦେହ ବହିବି ସେ ଦଣ୍ଡ

ସହିବି କାହିଁକି କହ ।୫।

 

ନ ସମଝେ ଯାହା ଭଲମନ୍ଦ

ମହା-ବିଷମ ଫୁଲ-ଧନବା

ହୁଡ଼ି ଯାଇଥିବି ଅଧରେ ମୋ

ଦନ୍ତ ବୁଡ଼ିଯାଇଥିବ ଅବା ।୬।

 

ଶ୍ୟାମ ନର୍ମ ଗିର ଭାବ ଘେନି

ବର ବାମନୟନା ହସିଲେ

ହରିଚନ୍ଦନ ଶ୍ରୀଜଗଦ୍ଦେବ କହେ

ପରିରମ୍ଭରେ ତୋଷିଲେ ।୭।

 

(୨୨୨)

ରାଗ—ତୋଡ଼ିପରଜ

 

ରେ ମୋ ବନ୍ଧୁ, ଶିଶୁବଣାମୃଗଦୃଶା

ଦିଶୁଥାଉ କୃପାମୟ, ପୁଣି ଯାହା ରୁଷୁ

ସେ କେମନ୍ତ ରୁଷା । ଘୋଷା ।

ରସୁଥାଉ ଥାଉ କୋଳୁ ମୋର

ପୁଣି ଖସି ମଣ୍ଡୁ ବସୁମତୀ;

ବସୁ ମୁଖଚନ୍ଦ୍ର ନୁଆଇଁ ଯାହାଟି

କଷୁଥାଉ କି ମୋ ଧୃତି ।୧।

 

ହସୁଥାଉ କୋଳେ ଖେଳି ଯେତେବେଳେ

ବସୁ କୋଟି ଦେଉ ଗଣି;

ନ ଶୁଣୁ ଚାଟୁ ଶତକୁ କାହିଁକି

ମୋ ଅସୁ ଘେନିବାକୁ ପୁଣି ।୨।

 

ଠେସୁଥାଉ ଉରେ ଉରୋଜକୁ

ସମୁଲ୍ଲାସୁଥାଉ ସ୍ମିତେ ଗଣ୍ଡ;

କି ଶୁଣି କାଟି ଦେଉ ସେ ସୁଖସ୍ୱର୍ଗ

ନିଶୁଣୀଟି ଏ କି ଦଣ୍ଡ ।୩।

 

ମିଶୁଥାଉ ସ୍ନେହେ ନିମଜ୍ଜି ମୋ ଦେହେ

କି ସୁଖେ ପୁଣି କି କୋପୁଁ;

ତ୍ରିଶୂଳମଣ୍ଡିତକରପରିପନ୍ଥୀ-ଇଷୁ

ମୁଖେ ସମରପୁ ।୪।

 

ପଶୁପ-ମହେନ୍ଦ୍ର ନନ୍ଦନ ଭାରତୀ

ରସୁଁ ରାଧା ସଙ୍କୋଚିଲେ;

ବସୁଦୁର୍ଗ ସ୍ୱର୍ଗପୁରନ୍ଦର

ଭାବବଶୁଁ ଏ ଗୀତ ରଚିଲେ ।୫।

 

(୨୨୨)ବସୁକୋଟି—ଅସଂଖ୍ୟ ରତ୍ନ; ତ୍ରିଶୂଳମଣ୍ଡିତକରପରିପନ୍ଥୀ—ମହାଦେବଙ୍କ ଶତୃ ଅର୍ଥାତ୍ କନ୍ଦର୍ପ,ଇଷୁ—ବାଣ,ପଶୁପ-ମହେନ୍ଦ୍ର—ଗଉଡ଼ଙ୍କ ରାଜା ଅର୍ଥାତ୍ ନନ୍ଦ ।

 

(୨୨୩)

ରାଗ—ତୋଡ଼ି ପରଜ

 

ରେ ରମଣୀ ଗୁରୁଜନେ ଯେବେ ଭୀତି,

ପୂରୁବରୁ ନୀଳ ପରବଚନ୍ଦ୍ରରେ

ବହିଲୁ କାହିଁକି ପ୍ରୀତି ।ପଦ।

 

ସିନ୍ଧୁ ତ ଗଭୀର ଅଛନ୍ତି କୁମ୍ଭୀର

ଅହି ମହାମୀନଶ୍ରେଣୀ,

ତହୁଁ ତ ରତନ ଲଭନ୍ତି ଯତନ

କରି କେହି କେହି ପୁଣି ରେ ।୧।

 

ଜାଣି, କାହିଁକି ପଣ୍ଡିତେ ବସୁଥାନ୍ତି ସତେ

ମଳୟରେ ଅହିବଳୟ ତ ରହିବାର ସକଳ

ଜାଣି,ଗନ୍ଧସାରସାରେ ପୁଣି ରେ ।୨।

 

କଣ୍ଟକନିଚୟ ସକାଶରୁ ଭୟ

ଲଭେ ଯେବେ ଶିଳୀମୁଖ,

ହେଉଥାଏ ସେ କି ବଚାରେ କେତକୀ

ଲତିକାର ପାଖ ପାଖରେ ।୩।

 

ହରିଚକ୍ରଧାରା ପରାକ୍ରମୁଁ ପରା

ହେଲେ ହେଲେ ଖଣ୍ଡ ଖଣ୍ଡ,

ଛାଡ଼ିଲା କି କହ ସୁଧାରୁ ଆଗ୍ରହ

ବିଧୁନ୍ତୁଦ ଗ୍ରହ ତୁଣ୍ଡ ରେ ।୪।

 

ମୋହନ ବିଷମ ପଦାର୍ଥରେ ପ୍ରେମ

ନ ଛୁଆଁଇବାର ଭଲ,

ବଧୂ ବଶୁ କରି ଇତରରୁ ଡରିବାର

ବଡ଼ କଲବଲ ରେ ।୫।

 

ବୁଡ଼ିଗଲେ ହେବ ଏକା ଶେଷଦେବ

ଭୁବନକୁ ଅହିମୁଖ,

କହେ ଜଳନ୍ତର-ମହୀ ପୁରନ୍ଦର,

ଓହରିଲେ କାହିଁ ସୁଖରେ ।୬।

(୨୨୩)ଶିଳୀମୁଖ—ଭ୍ରମର,ବିଧୁନ୍ତୁଦ—ରାହୁ

 

(୨୨୪)

 

ରେ ସଙ୍ଗୀତ ! କାହା ମନେ ଥିଲା ୟେହା

ଯାହା ଲେଖି ଥାୟେ ବିହି ଭାଲ ପଟେ

କି ନ ଯାୟେ ଦେହସୁହା (ପଦ)

ସୁମନସ ବୃନ୍ଦ ମକରନ୍ଦ ସ୍ୱାଦୁ

ବିଶାରଦ ଯହିଂ ଅଳି

ତାହା ସର୍ପି ଆଶା ଲଭିବାକୁ ଦିଶା

ନୋହିଲା ଚମ୍ପକବଲ୍ଲୀ ରେ ।୧।

 

ରାଜୀବ ଗଗନ ତଟେ ନବଘନ

ଧରି ସେ ବଳାକା ମାଳି

କରିବ ଆରେ ବୋଲି ହୃଦାନ୍ତର

ମଧ୍ୟରେ ଚପଳା ଖେଳାରେ ।୨।

 

କୁମୁଦିନୀ ବାଳା ପ୍ରକାଶି ସ୍ୱଲୀଳା

ବଶ କରି କଳାକର

ନିଜାଙ୍ଗ ଭିନ୍ନ ଚନ୍ଦ୍ରିକା ବଦନ

କରାଇବ ବୋଲି ଦୂର ।୩।

 

ନିମଜ୍ଜିବା ଜନ କଲୁ ଅପହାରି

ଯଉଁ ସୁର ନଦୀବାରି

ଗତି କର ଆଶା ସମ୍ଭବ ଦୃଦଶା

ଲେଶ ନ ପାରୁ ସଂହାରି ।୪।

 

ଅଟନ୍ତି ଯେ ବୀକ୍ଷେ ତା ଶିଖରମଣି

ଶିଖିବେ ସେ ଶିକ୍ଷାବୁଦ୍ଧି

ବୋଲେ ଜଗଦ୍ଦେବ ଶ୍ୟାମରେ ନିରାଶ

ହେବ ବୋଲି ରସନିଧିରେ ।୫।

 

(୨୨୫)

ରାଗ—ତୋଡ଼ି ପରଜ

 

ରେ ସଙ୍ଗାତ, ଏତିକି ମୋ ସଙ୍କଳପ

କିଶୋର କିଶୋରୀ ଅନାଇଁବେ

ଧରି ଅଧରେ ହାସ ଅଳପ ।ପଦ।

ମୁଁ କୋଟି କଳପ କରି ନାହିଁ ତପ,

ଏ ଭରଷା ହେବ କାହୁଁ,

ଭିଡ଼ିବ ସୁନ୍ଦରତର ମଣିମାଳା ରମ୍ୟ ବାହୁ ।୧।

 

ଦେଇ ନାହିଁ ସର ସାଚି ପାଚିବାର

ତା ମଧୁରସା ହବନେ,

ଚୁମ୍ୱବି ତାହାଙ୍କ ମୁଖ ହରିଣାଙ୍କ

ନିକି ନିକୁଞ୍ଜଭୁବନେ ।୨।

 

ଶଙ୍କର ଗିରିଜା ପଙ୍କଜାଙ୍ଘ୍ରି ପୂଜା

କରି ନାହିଁ ଗଙ୍ଗାକୂଳେ,

ମରକତ ମାର ମୂରତି ସୁନ୍ଦର ଖେଳିବ

କେହି ମା କୋଳେ ।୩।

 

ଖଞ୍ଜି ନାହିଁ ମଣି ମାଳିକାଧରଣୀ ସୁର

ସୁନ୍ଦରୀଙ୍କ ଗଳେ,

କିପାଁ କଞ୍ଜନେତ୍ର ମୃଗମଦଚିତ୍ର ହେବ

ମୋ କୁଚ ଯୁଗଳେ ।୪।

 

ନ ଥିବାରୁ ଭାଗ୍ୟ ନୁହଇ ତ ଯୋଗ୍ୟ

ଲୋଡ଼ିବ କି ଆନ କଥା,

ମୋହନ ପଙ୍କଜ ପଦଚିହ୍ନ ରଜ

ଚୁମ୍ୱୁଥାଉ ମାତ୍ର ମଥା ।୫।

 

ବଡ଼ଭୀ ତନାବୀ, ପାଶେ କରିଥିବି

ରଜନୀ ବାସର ସ୍ଥାନ,

ଚରଣମଣ୍ଡଳ ମୁରଳିକା ସ୍ୱନସୁଧା

ପିଉଥିବ କାନ ।୬।

 

କେଉଁ ରୂପେ ହେଲେ, ସେ କୃପା ନୋହିଲେ

ତମାଳେ ଦେବି ଦଉଡ଼ି,

ଜଳାନ୍ତର କ୍ଷିତିଚକ୍ରବଳାରାତି

କହଇ ସନ୍ଦେହ ଛାଡ଼ି ରେ ।୭।

 

(୨୨୫)ମଧୁରସା—ମିଷ୍ଟ ଖାଦ୍ୟବିଶେଷ,ହବନ—ଯଜ୍ଞ, ବଡ଼ଭୀ ତନାବୀ—କୋଠାଘର ଝରକା,ବଳାରାତି—ଇନ୍ଦ୍ର

 

(୨୨୬)

ରାଗ—ପୂରବୀ—ତ୍ରିପୁଟା

 

ରେ ସଙ୍ଗାତ, କେ ଜାଣିଥିଲା ଏ କଥା ?

ହଜାଇବି ମତି ମୋର ଏଡ଼େ

ସତୀବରତ ହେବ ଅନ୍ୟଥା । ଘୋଷା ।

ଶୁଣି ତରଣୀଜାତଟେ ବଂଶୀ ବାଜା

ହେବାରୁ ମୁଁ ଅନୁମାନ

କେହି ଆଗୁଁ ଜାଣି ବଳିବେ ସରଣୀ

ପକାଇ ଅଂସଖ୍ୟ ଆନ ।୧।

 

ଥରେ କୃପା କର ବୋଲି ବାରମ୍ୱାର

ଲୁଟିବେ ଚରଣ ତଳେ

ମନେ କରି ମୋତେ କୋଳ ଆଚରିବେ

ଉଠ ବୋଲି ଦେବାକାଳେ ।୨।

 

ଗୋଟିଏ ଚୁମ୍ୱବି ବୋଲି ଭାଷି,

ଦେବେ କୋଟିଏ ଚିବୁକେ ଚୁମ୍ୱ

ପୁଣି ଦଶନାନ୍ତେ ନିବିଡ଼େ ଫାଡ଼ିବେ

ମୋ ରଦନାମ୍ୱର ବିମ୍ୱ ।୩।

 

ଛଇଁଦେବି ସିନା ବକ୍ଷକୁ ବୋଲନ୍ତେ

ଥରେ ଅଙ୍ଗୀକାର କଲି

ମୋ କୁଚଶମ୍ଭୁର ସେ ନଖାଙ୍କଚନ୍ଦ୍ର

ଖଣ୍ଡ ଭୂଷା ହେବ ବୋଲି ।୪।

 

ସେ ରୂପ ପ୍ରକାଶ ନିରୂପମ

ହାସ-ବିଳାସ ଭୂରୁ କମାଣ

ଦେଖୁଁ ଦେଖୁଁ ନେତ୍ରେ ମୋ ସକଳ

ଗାତ୍ରେ ବିନ୍ଧିବ ମଦନବାଣ ।୫।

 

ବଳିବ ମୋ ତାପ ଝୁମିଯିବି ପାପ

ଅନଙ୍ଗ ଅମଳ ବଶେ

କରତି ମୋ ଦମ୍ଭ ମନୋରଥ କୁମ୍ଭ

ଭରତି କରିବେ ରସେ ।୬।

 

ମୋ ପରାଣ ଅଟୁ ବୋଲି ଅକପଟୁ

କହିଲିଟି ସହି ତୋତେ

ଚିତ୍ତେ ଥିବ ତୋର ଜଳନ୍ତର ନରନାଥ

ବିରଚିଲେ ଗୀତେ ।୭।

 

(୨୨୭)

ରାଗ—ତୋଡ଼ିପରଜ, ତାଳ—ରୂପକ

 

ରେ ସଙ୍ଗାତ, ତୋ ବୋଲେ ବସନ୍ତି ମାନେ,

ଶିଖଣ୍ଡଶେଖର ସ୍ନେହୁଁ ଆଶା ମୋର

ତୁଟାଇ ପାରନ୍ତୁ ଧାନେ ।ପଦ।

ଖଳଜନବାଣୀ ସତ୍ୟ ପରି ମଣି

ନ ଚାହିଁଲେ ହେଲେ ମୋତେ,

ଘେନ ଚାରୁତର ମୁଖ-କଳାକାର ମୁଁ

ନ ଚାହିଁବି କେମନ୍ତେ ।୧।

 

ଜାଣିଅଛି ଧ୍ରୁବ ମୋଠାରେ ପୂରୁବ

ପରି ନାହିଁ ହରି ସ୍ନେହ,

ହେଲେ ହେଲେ ଯେବେ ମୁରଲୀବିରାବେ

ପୁଲକନ୍ତା ନାହିଁ ଦେହ ।୨।

 

ଚନ୍ଦ୍ରକ ଲଲାମେ ଦେଖଇ ମୁଁ

ପଛେ ଅନ୍ୟ ପଦ ଲାକ୍ଷା ରାଗ,

ଇନ୍ଦ୍ର-ନୀଳମଣିମୟ ନ ଦିଶନ୍ତା

ଯେବେ ମୋତେ ପ୍ରତିଦିଗ ।୩।

 

ଆହାର ବିହାର ନିଦ୍ରା ବେଶ ବିଷ

ହେଉ ତାକୁ ମୁଁ ନ ଗଣେ,

ତା ଦରଶନେ ଅନାଦର ବିହିଲେ

ଅରୁଚି ନୁହନ୍ତା ପ୍ରାଣେ ।୪।

 

କାମୋଦୟ ଘନେ ଆମୋଦ ବର୍ଦ୍ଧନେ

ତା ମୋହନ ମୃଦୁ ଦାସ,

ବଶ ନ କରାଇ ଯେବେ ଠଉରାଇ

ଦିଅନ୍ତା ଧଇର୍ଯ୍ୟ ଲେଶ ।୫।

 

କେ କହୁଛି ତୋତେ ହୋଇଛି

ନିକୁଞ୍ଜନିଳୟ ଦୁଆର ମନା,

କେ କହେ ତୁ ବେଣୁପାଣି ପ୍ରାଣ ଏଣୁ

ନିଶ୍ଚୟ ଜାଣିଲେ ସିନା ।୬।

 

ଅଷ୍ଟଦୁର୍ଗଧରାନାଥ କହନ୍ତି ସେ

ଚତୁରମାନଙ୍କ ରଜା,

ସରଣୀ ତାର କଳିଲେ ସିନା ହେବ

ଧରଣୀନ୍ୟସ୍ତ କରଜା ।୭।

 

(୨୨୭)ଧାନେ—ଅଳ୍ପ ପରିମାଣରେ,ମୁଖ କଳାକାର—ମୁଖଚନ୍ଦ୍ର,ଧ୍ରୁବ—ନିଶ୍ଚିତ,ମୁରଲୀବିରାବେ—ବଂଶୀଧ୍ୱନିରେ,ଚନ୍ଦ୍ରକଲଲାମେ—ମୟୂରପୁଚ୍ଛ ଭୂଷଣରେ

 

(୨୨୮)

ରାଗ—ତୋଡ଼ିପଜ—ଆଦିତାଳ

 

ରେ ସଙ୍ଗାତ, ତୁ ତ ଅନୁଭବୀ ନୋହୁ,

ସ୍ନେହଜାତ ସୁଖ ତା’ ବିଚ୍ଛେଦ ଦୁଃଖ ଯେ

ଜାଣେ ସେ ଆସି କହୁ । ଘୋଷା ।

ଅନୁବରତେ ଶରଣ ହୋଇଲା

କି ବନଜ ପଲ୍ଲବାବଳି,

ଘନଶ୍ୟାମ ନାମ ବିନା ଦୁଃଖାନଳେ

ମନ ଯାଉଅଛି ଜଳି ।୧।

 

ଟୋକୀଟାମାନଙ୍କ ଆଗସରିକି

ମୁଁ ଟେକି ପାରୁ ନାହିଁ ମଥା,

ଟେକି ଦେଲେ ଭୁଲି ଫୁଲିଯିବ ବୋଲି

ଏ କି ସଟାବଟା କଥା ।୨।

 

ସାକ୍ଷାତରେ ଲାକ୍ଷା ଦେଖିଛି କପାଳେ

ତା ଖ୍ୟାତ କରିବି କେତେ,

ବିଷ-ମକରନ୍ଦୁ ବଳି ପଡ଼ିଲାଣି

କି ସମୁଝାଉଛୁ ମୋତେ ।୩।

 

ଟଳାଟଳି ହୋଇ ମରମରେ

ମୋର ବଳିଆଇ କହୁଥାଉ,

ଖୁଆଦଣ୍ଡଖିଆ ଖରାପ କ୍ଷୀରରେ

ସୁଆଦ ଥାଏ କି ଆଉ ।୪।

 

ନୀଳଚଳଚୂଳ ପ୍ରସାଦରୁ ହେଲେ

ଟେକିଥିବ ତିନି ଥାଳି,

କବିରବି ରାୟଗୁରୁ ବୋଲେ ପ୍ରୀତି

ଦଗାଦିଆ ବନମାଳୀ ।୫।

 

(୨୨୯)

ରାଗ—ତୋଡ଼ି ପରଜ, ତାଳ—ରୂପକ

 

ରେ ସଙ୍ଗାତ, ଦରିଦ୍ରନିଧିଙ୍କ ଦ୍ୟୁତି,

ଦେଖୁଥିଲେ ଦେଖିଥିବାକୁ ମୋ

ମନ ଧାଉଁଥାଏ ନିତି ନିତି । ଘୋଷା ।

ଦଶନ ବସନ ପଲ୍ଲବରେ ମଲ୍ଲୀ

ରଖି ଦରସ୍ମିତ ଛଳେ;

ଦଣ୍ଡକୁ ଦ୍ୟୁମଣି ଅସ୍ତ ହେବା ଜାଣି

ବନୁ ବାହୁଡ଼ିବା ବେଳେ ।୧।

 

ଦକ୍ଷ କରେ ଧରି ମୋହନ ଚାତୁରୀ

ବିଶାରଦ ବେଣୁଦଣ୍ଡ,

ଦକ୍ଷେତର ପଦପଙ୍କେରୁହ ଯୁଗେ

ମଣ୍ଡିଦେଲା କାଳେ ଦାଣ୍ଡ ।୨।

 

ଦେଇ ସାନ୍ଦୀପନି ମୁନୀନ୍ଦ୍ର ନନ୍ଦନେ

ତା ଦକ୍ଷ କର ସାହସ;

କୁତୁକେ ଶ୍ରୀଦାମ ପରିହାସକ୍ରମ

କରିବା ବେଳେ ପ୍ରକାଶ ।୩।

 

ଦଳିତ ଲଳିତ ହରିତାଳଦେହ

ସଉଧ ତନାବୀ ଚାହିଁ;

ଦୁର୍ମଦ ବିଳାସେ ନାଚିବା ଲୀଳା ସେ

ଲୋକତ୍ରୟେ ନାହିଁ ନାହିଁ ।୪।

 

ଦିଶିବ ଦୁଇଟା ନୟନକୁ କେତେ

ମାଧୁରୀ ମୁଖଚାନ୍ଦର;

ଦମ୍ୟଖୁରଭଡ଼ା ଭୂପରାଗବୁଡ଼ା

ଶ୍ରୀଅଙ୍ଗଟି କି ସୁନ୍ଦର ।୫।

 

ଦଶପୁର ଘେରି ଚାଲନ୍ତି ବାଛୁରୀ

ବଲ୍ଲବବାଳକ ଜନ;

ଦେଖିବାକୁ ସେ ସମୟ ବାଲୁକେଶ

ଜଗଦ୍ଦେବ କରେ ମନ ।୬।

 

(୨୨୯)ଦ୍ୟୁମଣି—ସୂର୍ଯ୍ୟ,ଦକ୍ଷ କରେ—ଡାହାଣ ହାତରେ,ପଙ୍କେରୁହ—ପଦ୍ମ,ତନାବୀ—ଝରକା,ଦମ୍ୟ—ବାଛୁରି,ବଲ୍ଲବ—ଗଉଡ଼,ଭୂପରାଗ—ପୃଥିବୀର ଧୂଳି ।

 

(୨୩୦)

ରାଗ—ତୋଡ଼ି ପରଜ—ଏକତାଳି

 

ରେ ସଙ୍ଗାତ, ନିନ୍ଦିଲେ ନିନ୍ଦିବେ ଲୋକେ,

ନୂଆ ବାରିବାହ ନୀଳ ଦେହ ସ୍ନେହ

ବରଜିବି କି ପଲକେ । ଘୋଷା ।

କହି ଦିବାରାତି ବତାଇ ସୁନୀତି

ଯେ ମୋତେ ନିବାରୁ,

ମନକୁ କେ ମନା କରିବ ଯମୂନା

ତଟକୁ ନିତି ଯିବାରୁ ।୧।

 

ମୋର ଏହି ମନ ହରୁଥିବି

ଦିନ ହରିଗୁଣ ଗୁଣି ଗୁଣି,

କିଶୋର ରତନ କର ନିକେତନ-

ବଂଶୀ ଗୀତ ଶୁଣି ଶୁଣି ।୨।

 

ବଢ଼ି ଅକୀରତି କୁଳବତୀ ରୀତି

ଭାଜିଲେ ପଛେ ଭାଜିବ

ବାଜିବାରୁ ନନ୍ଦସୁନ୍ଦର

ସମନ୍ଦହାସିତ ମୁଖ ରାଜୀବ ।୩।

 

ମୋତେ ପଛେ ଗୁରୁଜନେ ରୋଷେ

ଘରୁ ଘଉଡ଼ି ଦିଅନ୍ତୁ ପେଲି,

ଯାଇ ନିକୁଞ୍ଜକୁ ଖାଇ କି ଅମଳ

ବାଇ ହୋଇଗଲା ବୋଲି ।୪।

 

ଆସୁଥିବି ଛଳ କରି ନିତି

ଜଳ ନେବାକୁ ରବିସୂତାରୁ,

ନଟ ବେଶଧର ଅଧରୁ ମଧୁର

ମଧୁ ପିଇଲା ଉତ୍ତାରୁ ।୫।

 

ଜଗଦ୍ଦେବ ଭାଷେ ଆନ ତ ନ ଦିଶେ

ମୋର ଏ ତାପ ଭଙ୍ଗକୁ,

କରିଛି ଶରଣ ଏଣୁ ସେ

ତରୁଣମଣି ଶ୍ରୀଅଙ୍ଗ ସଙ୍ଗକୁ ।୬।

 

(୨୩୧)

 

ରେ ସଙ୍ଗାତ, ପ୍ରୀତିରୁ ନାହିଁ ମାଦକ

ଛାଡ଼ିବି ବୋଇଲେ            ଛାଡ଼ି ତ ନୁହଇ

ହରଇ ଧୈର୍ଯ୍ୟ ବିବେକ ।୦।

 

କୁଳବତୀ ଅତି            ହେଲେ ହେ ଯୁବତୀ

ହଜାଇ ହେମନ୍ତ ଯାକ

ଗୁରୁଜନ ଭୟ            ଛାଡ଼ି କରେ ଭୟ

କେବଳ ହୃଦ ପଦକ ।୧।

 

ଘେରିଥିଲେ ଜନ            ଡେରିଥାଇ କର୍ଣ୍ଣ

ଶୁଣିବାକୁ ପ୍ରୀତିଡ଼ାକ

କହିବା ଲୋକକୁ            ପ୍ରଶ୍ନ କରୁଥାଏ

ନୋହିବାରେ ପରିପାକ ।୨।

 

ଭସା ଏ ପ୍ରଳାପ            ହସାଏ ଭଗାରୀ

ଲସାଇ ପକାଏ ଟେକ

ମଜ୍ଜାଇଲେ ମନ            ଦେଖାଏ ସ୍ୱପନ

କରାଇ ଆକୁଳ ଶୋକ ।୩।

 

କ୍ଷଣେ ହେଲେ ଭିନ୍ନ            ନ ରୁଚଇ ଅନ୍ନ

ପିତା ହୁଏ ସିତା ଶାକ

ପାଇଲେ ହେଁ ନିନ୍ଦା            କରେ ତାକୁ ଫନ୍ଦା

ହେଉଥାଏ ଦକ ଦକ ।୪।

 

ସଂସାରୀ ହେଲେ ତ      କଂସାରି ପଦରେ

ନ ରଖେ କେହୁ ଆଟକ

ବୋଲେ ଜଳନ୍ତର            ପତି ହେ ଶ୍ରୀମତୀ

ତା ଜନ୍ମ ପୋଡ଼ୁ ପାବକ ।୫।

 

(୧୩୧)ହେମନ୍ତ—ହିମ୍ମତ,ଲସାଇ ପକାଏ—ନଷ୍ଟ କରିଦିଏ,ସିତା—ସାକର,କଂସାରି—ଶ୍ରୀକୃଷ୍ଣ,ପାବକ—ଅଗ୍ନି ।

 

(୨୩୨)

ରାଗ—ପୂରବୀ—ଆଡ଼ତାଳି

 

ରେ ସଙ୍ଗାତ, ମକରଧ୍ୱଜ ବଦନେ

ଜନମେ ହରଷ ଦିନେ ଦିନେ ବେଶ ହେଲେ

ସିନା ଭିନ୍ନେ ଭିନ୍ନେ । ଘୋଷା ।

ଭଙ୍ଗୀ ଲାବଣ୍ୟ ତଟିନୀ ନାଥ

ବଡ଼ ରଙ୍ଗିଲା ସେ ନନ୍ଦପୁଅ

ରଙ୍ଗ ଶାଲୁ ଯୋଡ଼ି ଅଙ୍ଗକୁ

ଉହାଡ଼ି ବଙ୍ଗଦେଶ ବେଶ ହୁଅ ।୧।

 

ଅକ୍ଷିଣ ମଣ୍ଡନ ଦକ୍ଷିଣ ଦେଶର

ବେଶରେ ଶରଧା ବଳୁ

ବ୍ୟାପାରି ନିରାନ୍ଧ୍ର ନୀବିବନ୍ଧେ

ବ୍ରଜ ବାନ୍ଧବ ଅଙ୍ଗୁଳି ଚାଳୁ ।୨।

 

ଜରି ବୁଟାଦାର ଖିନିଖାପ ସାର

କୁଞ୍ଚ ମହୀଯାଏ ଲମ୍ୱୁ

ମଡ଼ିଆଳ ଦେଶ ଛଡ଼ିଆ-ଡମ୍ୱରୁ

ଶ୍ୟାମ ତୋ ଚରଣ ଚୁମ୍ୱୁ ।୩।

 

ପାଇଜାମା ଜାମା ବନ୍ଦ ବକ୍ଷ ଲିମା

ହସ୍ତିନୀ ମସ୍ତକ ତାଲି

ଘନଶାଳ ମାଳା କୁସୁମ୍ଭା ପଗଡ଼ି

ଖସି ଖସି ଆଲବେଲି ।୪।

 

ଜଗଦ୍ଦେବ ବୋଲେ କିଶୋରୀ ଭାଷିଲେ

ହସି କି ଫଳ ବଶରୁ

ଦେଶ ବିନା ଜୀବିତେଶଙ୍କର

ଅନୁରାଗ ଏବେ ସରୁ ।୫।

 

(୨୩୩)

ରାଗ—ତୋଡ଼ିପରଜ

 

ରେ ସଙ୍ଗାତ, ରୁଷି ମୁଁ ବସିଲି ଗେଲେ,

ମନ ମନସିଜ ଚକ୍ଷୁ ମୁଖ ଭୁଜ ଏମାନେ

ମୋ ଶତ୍ରୁ ହେଲେ ରେ । ଘୋଷା ।

ଦେଲି ଯେ ଗୁମାନ ଲାଞ୍ଚ ତୁ ଚଞ୍ଚଳ

ନୁହ ମନ ବୋଲି କହି,

କେବେ ନ ଛୁଇଁଲା ସେ ବ୍ରଜ ଛଇଳା

ଶୋଭା ସମ୍ପତ୍ତିରେ ରହି ରେ ।୧।

 

ରଖ ଧୃତି ମୋର ବୋଇଲି ଯେ ଛାର

ମାରକୁ ପାଣି ପ୍ରସାରି,

ବିନ୍ଧି କୋଟି କୋଟି ବାଣ ନେଲା ହଟି

ଦେଲା ମୋ ଆବୁର ସାରି ରେ ।୨।

 

ତଳ କଲି ମଥା ଜାଣି ଚପଳତା-ସମ୍ପନ୍ନ

ବୋଲି ମୋ ଡୋଳା,

ନ ପଡ଼ି ଧରାରେ ମୁରଲୀଧରାରେ

ରସି ରସି କଲା ଖେଳା ରେ ।୩।

 

ଏ ପାପ ଲପନ ଦିଶୁ ଥାଏ ଆନ

ବେଳେ ସାଭିମାନ ପରି,

ଜାଣି ସେହି କାଳ ରହିଲା କେବଳ

ହାସ ଉଲ୍ଲାସରେ ପୂରି ରେ ।୪।

 

ଭିଡ଼ି ଯେ ରଖିଲି ତେବେ ଭୁଜବଲ୍ଲୀ

ତାହାରି ଆଶ୍ଳେଷେ ଟାକି,

ଟେକି ଯେ ହୋଇଲା କାଳେ ନ ରହିଲା

ସ୍ତନମୂଳଚେଳ ବାକି ରେ ।୫।

 

ବୋଲେ ଶ୍ରୀମୁକୁନ୍ଦଦେବ ଅତି

ଯତ୍ନେ ବୁଜିଲି ନୟନ ପୁଣି,

ଜାଣେ କି ମନ୍ତର ହେଲା ମୋ

ଅନ୍ତରଗତ ସେହି ନୀଳମଣି ।୬।

 

(୧୩୩)ମନସିଜ—କନ୍ଦର୍ପ,ମୁଁ ରୁଷି ବସିବାବେଳେ ମୋ ମନ,କନ୍ଦର୍ପ,ମୋ ଚକ୍ଷୁ,ମୁଖ ଓ ଭୁଜ−ଏହି ପାଞ୍ଚୋଟି ମୋର ଶତ୍ରୁ ହେଲେ ଅର୍ଥାତ୍ ମୋ ରୁଷି ବସିବା କାର୍ଯ୍ୟ ଏମାନେ ବ୍ୟର୍ଥ କରିଦେଲେ(ତଳ ପାଞ୍ଚପଦରେ କ୍ରମାନ୍ୱୟରେ ଏମାନଙ୍କ କାର୍ଯ୍ୟ ବର୍ଣ୍ଣନା କରାଯାଇଛି),ଆବୁର—ମହତ୍ତ୍ୱ,ମୁରଲୀଧରା—ଶ୍ରୀକୃଷ୍ଣ,ଲପନ—ମୁଖ,ସାଭିମାନ—ଅଭିମାନଯୁକ୍ତ,ଭୁଜବଲ୍ଲୀ—ବାହୁଲତା,ଆଶ୍ଳେଷ—ଆଲିଙ୍ଗନ,ଚେଳ—ବସ୍ତ୍ର ।

 

(୨୩୪)

ରାଗ—ପୁରବୀ

 

ରେ ସଙ୍ଗାତ, ସମ୍ଭାଳି ନ ପାରେ ଆଉ,

ଅମ୍ଭୋରୁହାକ୍ଷର ଖେଳା କଟାକ୍ଷର

ଦମ୍ଭୋଳିରୁ ବଡ଼ ଦାଉ । ଘୋଷା ।

 

ଦୂରରୁ ପଡ଼ି ବୁଡ଼ିଯାଏ ହୃଦରେ

ଲୋଡ଼ିଲେ ନ ଦିଶେ ଆଉ,

ମରମରେ ପଶି ଦରମରା କରେ

ସରସ ସ୍ପରଶ ନୋହୁ ।୧।

 

ଶବଦ ନ ଥାଇ ସ୍ତବ୍‌ଧ କରାଇ

ସେ କି ରତି-ଋଣ-ସାହୁ,

ମିଆଦ ଟାଳିଲା ପିଆଦା ପରାଏ

ମାର ଝିଙ୍କେ ଆସୁ ଯାଉ ।୨।

 

ନବଘନ ଅଙ୍ଗ ବିଶେଷ ତରଙ୍ଗ

ରଙ୍ଗ ଦିଶେ ଦାଉ ଦାଉ,

ସୁଦିନ କୁଦିନ କରାଏ ଦୁର୍ଦ୍ଦିନ

ଥରେ ଅନାଉଁ ଅନାଉଁ ।୩।

 

ଗଲେ ହେଲେ ଜାତି ମହତ୍ତ୍ୱ

ସମ୍ପତ୍ତି ଫିଟି ତୁଟି ଲୁଟିଯାଉ,

ଗଜପତି ଭାଷି ହୁଅ ତାଙ୍କ

ଦାସୀ ପିଣ୍ଡେ ପ୍ରାଣ ଥାଉ ଥାଉ ।୪।

 

(୨୩୪)ଅମ୍ଭୋରୁହାକ୍ଷ—ପଦ୍ମନେତ୍ର,ଦମ୍ଭୋଳି—ବଜ୍ର, ଅଙ୍ଗ ବିଶେଷ ତରଙ୍ଗ— ଅଙ୍ଗର ବିଶେଷ ଲାବଣ୍ୟ ମାଧୁରୀ ।

 

(୨୩୫)

ରାଗ—ତୋଡ଼ି ପରଜ

 

ରେ ସଙ୍ଗାତ, ସରିଗଲି ଲାଜେ ଆଜ,

କରି ବିଲୋକନ କାଲି କେହି

ଘନଶ୍ୟାମ ମୁଖ-ଦ୍ୱିଜରାଜ । ଘୋଷା ।

ସେ ଶୋଭା ଉଦିତ ସମ୍ଭୋଗରେ

ଚିତ୍ତ ପୂରା ନ ଥିବାରୁ ମୋର;

ରଜନୀ ରଥାଙ୍ଗୀ ଭଙ୍ଗୀ ସିନା

ଅଙ୍ଗୀକାର କରେ ନିରନ୍ତର ରେ ।୧।

 

ନୀଳ ସୁଧାସିନ୍ଧୁ ପରି ତ ମୋ

ବନ୍ଧୁ ଦିଶୁଥାନ୍ତି ଗୋଟିଯାକ;

କେବଳ ଅଧର ଚୁମ୍ୱିବାରୁ ମୋର

ନ ରହଇ ତ ବିବେକ ରେ ।୨।

 

ମୁଁ ରତିଭବନ ଭିତରେ ମୋହନ

ମୂରତିକି ଯତ୍ନେ ଲେଖି;

ଚୁମ୍ୱିଥିଲି ରଙ୍କ ପରି ହରିଣାଙ୍କ

ତୁଲ୍ୟେ ମୁଖେ ବୁଜି ଆଖି ରେ ।୩।

 

ମୋହିତ ହେବାରୁ ସେ ସୁଖ

ଅମଳେ ନୋହିଥିଲି ସାବଧାନ;

କେହି ଆସି ଶ୍ୟାମ ଚୁମ୍ୱିଲେ

ଚରମଦେଶେ ରହି ମୋ ବଦନ ରେ ।୪।

 

ଲେଖାରେ ହେଲେ ତ ଲେଖାମାନଙ୍କର

ଲେଖାରେ ନୋହି ସେ ଠାଣି;

ଝଟ କରି ଅବା ଲିଭାଇ ଦିଅନ୍ତି

ଅଟକି ରହିଲା ପାଣି ରେ ।୫।

 

ଯାହା ହେଲା ମୋର ବାହାର

ଭିତର ମନ୍ଦାକ୍ଷ ଭୟରେ ପୂରି;

ଅଷ୍ଟଦୁର୍ଗ ହରିହୟ ବୋଲେ ଚୋରି

ଧରା ପଡ଼ିଗଲା ପରି ରେ ।୬।

(୨୩୫)ଦ୍ୱିଜରାଜ—ଚନ୍ଦ୍ର,ରଜନୀରଥାଙ୍ଗୀଭଙ୍ଗୀ—ରାତିରେ ଚକ୍ରବାକୀ ପରି ବ୍ୟାକୁଳ,ହରିଣାଙ୍କ—ଚନ୍ଦ୍ର,ଚରମଦେଶ—ପୃଷ୍ଠଭାଗ,ଲେଖାମାନଙ୍କରେ—ଦେବତାଙ୍କ ମଧ୍ୟରେ,ମନ୍ଦାକ୍ଷ—ଲଜ୍ଜା,ହରିହୟ—ଇନ୍ଦ୍ର(ଏଠାରେ ରାଜା)

 

(୨୩୬)

ରାଗ—ତୋଡ଼ି ପରଜ

 

ରେ ସଙ୍ଗାତ, ସେ ସିନା ବସିବ ରୁଷି

ସେ ଶିଖଣ୍ଡଚୂଳ ନୟନ-କୁନ୍ତରେ

ଦିନେ ନୋହିଥିବ ଭୁଷି ।ପଦ।

ତରଣିଜା ତଟ, ସରଣିରେ ଭେଟ,

ଯେ ରମଣୀ ହୋଇ ନାହିଁ;

ନୀଳ ବାରି-ବାହ-ଦଳନ ବିଗ୍ରହ

ଅଳପ ନ ଥିବ ଚାହିଁ ରେ ।୧।

 

ରସିକା-ବୃନ୍ଦରେ, ବସି ଆନନ୍ଦରେ,

ରସି ଶ୍ୟାମ ପ୍ରେମ ଗୁଣ;

ଯେ ଶୁଣି ନ ଥିବ, ବସୁଧାରେ ଥିବ,

ପଶୁରୁ ହୋଇ ଅଜାଣ ରେ ।୨।

 

ବସାଇଣ ପାଶେ, ରସାଇ ହରଷେ,

ହସାଇ ଉତ୍ସୁକ ମନେ;

ପୀଡ଼ାଇ ଓଷ୍ଠକୁ, ଭିଡ଼ାଇ ଅଙ୍ଗକୁ,

ଜଡ଼ାଇ ନ ଥିବ ଦିନେ ରେ ।୩।

 

ବସନ ଲୁଟିଆ, ରସ ବିନୋଦିଆ,

ରସରେ ନ ଥିଲେ ରସି;

ଦୂରରୁ ଦୁର୍ଲ୍ଲଭ, ମୁରଲୀର ରବ,

ଶ୍ରବଣେ ନ ଥିଲେ ପଶି ରେ ।୪।

 

ଜଳନ୍ତର ଇନ୍ଦ୍ର ନୃପ ରାମଚନ୍ଦ୍ର,

ଛୋଟରାୟ ରସେ ଭଣି;

ସ୍ମର-ତରୁଆର ଧାରରେ ଶରୀର

ଥରେ ନୋହିଥିଲେ ହାଣି ରେ ।୫।

 

(୨୩୭)

ରାଗ—ତୋଡ଼ିପରଜ—ଆଦିତାଳ

 

ରେ ସଙ୍ଗିନୀ, କାହାର ନୁହଁଇ କେହି

ଜାଣିଥିବୁ ଯେହି ଯାହାର ତଳପେ

ଯାହାର ହୁଅଇ କେହି । ଘୋଷା ।

ପ୍ରୀତି ପ୍ରତିବନ୍ଧୁ ଯାହା ମଣି

ବନ୍ଧୁ ଓହରି ପଡ଼ଇ ନାଡ଼ି

ଭାସିଯାଏ ଶୋକ ସିନ୍ଧୁରେ ବିବେକ

ତାହାକୁ ମାତ୍ର କି ଛାଡ଼ି ।୧।

 

ସ୍ୱାଦୁମୟ ଗୋଟି ଜାକୁ ଜାକୁ

ଯେ ଟି ନ ଘେନଇ ଆଗପଛ

ସ୍ନେହ ଅବାହାର ଜୀବିତ ଯାହାର

ତାହା ବିନା ସବୁ ମିଛ ।୨।

 

ଏ ମୋହର ଲକ୍ଷ ମୋହର ଏ ପକ୍ଷ

ଏହା ଘେନି ଏତେ ଶ୍ରମ

ଏହା ଜଳ୍ପିବାର ସୁଖ କଳ୍ପିବାର

କ୍ରମରେ ଏ ସବୁ ଭ୍ରମ ।୩।

 

ପ୍ରୀତିଭଙ୍ଗ କ୍ଷଣ ସ୍ୱପ୍ରାଣ ପ୍ରମାଣ

ତୁଲ୍ୟ ନ ଘେନନ୍ତି ଜନେ

ଏଣୁ ନିଜେ ତୋର ଯାକ ଜାଣ

ପର କେବଳ ଘେନିଲେ ମନେ ।୪।

 

ଏପରି ଶ୍ରୀମତୀ ଶ୍ରୀମୁଖ ଭାରତୀ

ଶୁଣି ହେଲେ ସଖୀ ସୁଖୀ

ବନ୍ଦିଲେ ଶ୍ରୀ ହରିଚନ୍ଦନ କିଶୋରୀଙ୍କର

ପଦେ ଚିତ୍ତ ରଖି ।୫।

 

(୨୩୮)

ରାଗ—ତୋଡ଼ି ପରଜ, ଏକତାଳି

 

ରେ ସଜନୀ ଆଜ ତୋର ଏ କି ରୀତି

ଗଭାଫୁଲ ପାଦେ ମରଦିଲେ ମଦେ ଲଭି

ସିନା ଅକୀରତି ରେ ।ପଦ।

ଯାହା ପାଇଁ ତପ, କ୍ଳେଶରେ ପ୍ରତିପ,

ଚନ୍ଦ୍ରପରି ମ୍ଳାନ ହେଉ,

ଏବେ ସେ ଶରଣ, ପଶିଲେ ଚରଣ-କମଳେ

ତ ପେଲି ଦେଉ ରେ ।୧।

 

ଥରେ ଯା କଟାକ୍ଷ ଲକ୍ଷ୍ୟ ହେଲେ ଲକ୍ଷ୍ୟ

ଇନ୍ଦ୍ରପଦ ମଣୁ ଊଣା,

ତାହାକୁ ନିଷେଧୁ କେଉଁ ଅପରାଧୁ

ନ ବହି ଲବେ କରୁଣା ।୨।

 

ଲୋଡ଼ି ଯାହା ପ୍ରୀତି ଧରୁଥାଉ ଦୂତି

କର ବଡ଼ପଣ ଛାଡ଼ି,

ବିନୟେ ସେ ପୁଣି ଧରୁଛନ୍ତି ପାଣି

ରୋଷେ ଦେଉଛୁ ଛିଞ୍ଚାଡ଼ି ।୩।

 

ଯାହା ଦେଖା ଆଶେ, ନ ଛାଡ଼ୁ ନିମିଷେ

ସଉଧ ପଞ୍ଜର ପାଖ,

ତା ଚାଟୁ ଚାତୁରୀ ନ ରୁଚିଲା ପରି,

କାହିଁକି ମୋଡ଼ୁ ଶ୍ରୀମୁଖ ।୪।

 

ଯାହା ରସେ ରସି ନିକୁଞ୍ଜକୁ ନିଶି

ନିବିଡ଼ ଅନ୍ଧାରେ ଯାଉ,

ସେ କିଶୋର କୋଳେ ଧରୁଛନ୍ତି ତିଳେ

ଭିଡ଼ି ହୃଦେ ନ ଜଡ଼ାଉ ।୫।

 

ଚିନ୍ତାମଣି କରଗତ ହେଲା ପରି

ହୋଇଲେ ହେଲେ କିତବ,

ମୁରୁଛିବ ଧନ କି ନନ୍ଦନନ୍ଦନ

କହେ ଶ୍ରୀମୁକୁନ୍ଦଦେବ ।୬।

 

(୨୩୯)

ରାଗ—ପୂରବୀ

 

ରେ ସୁମୁଖି ! ପଚାରୁଚୁ କେଉଁ ଭଲ ?

ଏଣିକି ଜୀବନ ଥିଲେ ହେବ

ମନ ଏହିପରି କଲବଲ ।୦।

ଗିରି-ଶିରେ ପରି ଶିରୀଷରେ

ହୋ କୁଳିଶ ବିଳାସ ଦାଉ;

କ୍ଷୀର ସରେ ତିକ୍ତ କଟୁ ହେଲା ଯୁକ୍ତ,

କି ରସ ତହିଁରେ ଆଉ ? ।୧।

 

ରଞ୍ଜି ଲଳିତ ଚରଣ ଦଣ୍ଡେ ଲାକ୍ଷା

ଖଞ୍ଜି ଲଲାମକୁ ମୁଣ୍ଡେ

ସଂଖାଳି ମୁଁ କରିଥିଲି ଯାହାକୁ,

ସେ ସଂଖୁଳିଲା ନାହିଁ ତୁଣ୍ଡେ ।୨।

 

ଗୁରୁଜନ ମନା କଲେ ହେଲେ ଛପି

ପୁରୁଁ ଯେବେ ବିଜେ କରି

ସରୋବର ତୀରେ ଦେଖାହେବା ସୁଖ

ବରାବର ଗଲା ସରି ।୩।

 

ନାହିଁ ଯେ ଆଉ ସେ ଚାହିଁବାର

ସ୍ନେହ କୁଞ୍ଜର ପଞ୍ଜର ପାଶେ,

ଚାହିଁଲେ ମୁଁ ମୁଖ ବଞ୍ଚାଇ ନେବାର

ସପ୍ରଣୟ ଲଜ୍ଜା-ହାସେ ।୪।

 

କଳାରୁ ଇତର ବର୍ଣ୍ଣେ ଯା’ ଚିତ୍ତର

ବୋଧ ନୋହୁଥାଏ ଲବେ,

ଅରୁଚି କରୁଚି କସ୍ତୁରୀ କଜ୍ୱଳ

ଇନ୍ଦୀବର ଯେବେ ଏବେ ।୫।

 

ହେଳି-କନ୍ୟା କୂଳ-କେଳି କଲା ଫଳ

ତା’ ଚିବୁକ ଚୁମ୍ୱ ସିନା,

ଠଉରିବି କି ସେ କନକ-କେତକୀ

ଗଉରୀ କରୁଣା ବିନା ? ।୬।

 

ଘନଶ୍ୟାମ ଦୁଃଖୀ ହେବା ଦେଖି ସଖୀ

ଜଣାଇଁଲା ‘‘କ୍ଷମା ହେଉ’’,

ଏଣିକି ଅଭୀଷ୍ଟ ସିଦ୍ଧି ହେବ ଅଷ୍ଟଦୁର୍ଗ-

ପ୍ରଭୁ ସାକ୍ଷୀ ଥାଉ ।୭।

 

(୨୩୯)କୁଳିଶ ବିଳାଶ ଦାଉ—ବଜ୍ରପାତର ଦାଉ,ଲାକ୍ଷା—ଅଳତା,ଲଲାମ—ମଥାପାଇଁ ଏକପ୍ରକାର ଅଳଙ୍କାର,ଇନ୍ଦୀବର—ନୀଳ କଇଁ,ହେଳି କନ୍ୟା-କୂଳ—ସୂର୍ଯ୍ୟ କନ୍ୟା ଯମୁନା ନଦୀ ତଟ,ଗଉରୀ—ରାଧାଙ୍କ ଅର୍ଥରେ ।

 

(୨୪୦)

ରାଗ—ବଙ୍ଗଳାଶ୍ରୀ—ଏକତାଳି

 

ଲାଗିବାର ବାର ମୁଁ ଗହଣେ ଚନ୍ଦ୍ରମୁଖ ହେ,

ମାଗିବାର ଏତେ ମାତ୍ର

ଦିବ୍ୟଚିରେ ରଖ ହେ । ଘୋଷା ।

ମୁଁ ତିନି ଥର ଜଣାଉଅଛି କାଳଗତି ହେ

ଦୂତୀ ଖୁସାମତୀ ନ ଜାଣେ ସେ ମାନବତୀ ହେ,

କାମର ଜୀବିକାଟି ସେ ପ୍ରବୀଣା

ତା ମରଜି ଏକା ତୁମ୍ଭଙ୍କୁ ଜଣା

ଆପଣ ତା’ ପଣ ସିନା କଳିବ

ତା’ ମନ ପୁଆଇ ପରିପାଳିବ ।୧।

 

ପେଟରେ ପୂରିଅଛି ଏ ପୂଟ ଭେଦନ ହେ

ବାରିଜାକ୍ଷ କେହି ଉପକାରୀ ନାହିଁ ଜନ ହେ,

ଖୁଣ ଖୋଜୁଥିବେ ରଜନୀ ଦିବା,

ଗୁଣ ଗ୍ରହଣ କେ କରୁଛି ଅବା ?

କଳାଭଗତୀକି କଣ୍ଠ ଭାଗରେ

ଭଲ ଭଲ ବୋଲୁଥିବେ ଆଗରେ ।୨।

 

କିଶୋରୀ ସବୁରି ତୁଲେ ପ୍ରେମକୁ ମନାସେ ହେ

ଖଳ ଖେଳେ ତା’ଠାରୁ ତୁମ୍ଭର ପ୍ରେମ ନାଶେ ହେ

ବନ୍ଧୁ ହେ ତା’ ଉଦୟ କେ ସହିବ

ଛାମୁରେ ତା’ ଆଗେ କେ କିସ ହେବ

କସ୍ତୁରୀ ଆଗେ କି ମୁସ୍ତକ ବାସେ

ଦୀପ କି ଦିଶଇ ମଶାଲ ପାଶେ ।୩।

 

ଊଣା ହେଲେ ତାହାଠାରୁ ନାଥ ଗଉରବ ହେ

ଖଞ୍ଜନାକ୍ଷୀ ଯେବେ ନିକୁଞ୍ଜରୁ ଫେରି ଯିବ ହେ,

କୋଟିନିଧି ଗୋଟି ହୋଇଲା ପରି,

ନିରସ ମନରେ ହରଷ ଭରି,

ବାଳୀକି ମୂରୁଖ ଆଳି ଗୁଆଳୀ

ଟାକୀ ନ ଦିଅନ୍ତୁ ବଜାଇ ତାଳି ।୪।

 

ଯାହା ବାହା ଅମର ଭୂରୁହ ଅନାତପେ ହେ

ଅଛନ୍ତି ଅସଂଖ୍ୟ ଧେନୁ ବତ୍ସା ଗୋପୀ ଗୋପେ ହେ

ସେ ବାହୁତଳେ ଗୋଟିଏ କିଶୋରୀ

ସେବା ନ ପାଇ ଗଲା ଅପସରି

ଏପରି ପରିବାଦ ନ ପ୍ରସରୁ

ସରୁମଧ୍ୟାର ମନୁ ଚିନ୍ତା ସରୁ ।୫।

 

ଅହିନକୁ ନ ଯା ଲଜ୍ଜାନିଧି ଏ ସର୍ବଥା ହେ

କହି ଜଣାଇଲି ପ୍ରଭୁ ଆଗେ ନିଜ ବ୍ୟଥା ହେ

ଅହି ନକୁଳ ରୀତିରୁ ଡରଇ

ମହୀ ନଖରେ ନ ଚିରି ପାରଇ

ଇଷ୍ଟଙ୍କ ଅନୁମତି ଏକା ଜାଣେ

ଅଷ୍ଟଦୁର୍ଗ ମହୀମହେନ୍ଦ୍ର ଭଣେ ।୬।

 

(୨୪୧)

ରାଗ—କାମୋଦୀ

 

ଶିଖଣ୍ଡମଣ୍ଡନ କି ବିହିଲେ ଗୋ,

ଅଖଣ୍ଡ ଦଣ୍ଡକୁ ଯେ ସହିଲେ ଗୋ !

ଏ ଖଣ୍ଡ ଏଥେ ପୂରି ରହିଛି ବୋଲି କରି

ଜଣା ନ ଥିଲା ପରା ପହିଲେ ଗୋ । ଘୋଷା ।

 

ଛାମୁକୁ ନିତି ଯାଇ ତେତେ ଯେ ସମଜାଇ

ଶୁଣି ସଂପଦ ଲବେ ନୋହିଲେ ଗୋ,

ଜାଈଦଳକୁ ସହି ନ କରି ଏବେ କେହି

ମହୀଧ୍ରବର ଭର ବହିଲେ ଗୋ ।୧।

 

ନବୀନ ସୁକୁମାର ସୁଖବଲ୍ଲୀ କି ଛାର

ଖଳଖେଳନାନଳେ ଦହିଲେ ଗୋ,

ଏତେ ସରି ବିପଦେ ପୁଣି ଘେନାଇ ପଦେ

କହିବା ଯାଏ ନିକି ରହିଲେ ଗୋ ।୨।

 

ବରଜି ଆଖଣ୍ଡଳଧେନୁକୁ ଛାଗଗଳ ଚମକୁ

ଚିର ବୋଲି ଦୁହିଁଲେ ଗୋ,

ରଖିଛି-ବୀଣାବାଣୀ ମୋହନବିଦ୍ୟା ଜାଣି କାହାକୁ

ସେ କିଶୋର ମୋହିଲେ ଗୋ ।୩।

 

ଶଙ୍କରଙ୍କର ଜାଇମାଳା ଧୂନୀରୁ ଯାଇ

ପଙ୍କିଳପୁରେ ଅବଗାହିଲେ ଗୋ,

ସିନ୍ଧୁରେ ଅନାଦର ରଚି ଶ୍ୟାମସୁନ୍ଦର ଅନ୍ଧୁରେ

ପରା ତରୀ ବାହିଲେ ଗୋ ।୪।

 

ନନ୍ଦନନ୍ଦନ ଦେହ ଦେଉ ଯେ ଥିବ ଦାହ

ଚନ୍ଦନ ପ୍ରଭଞ୍ଜନ ବହିଲେ ଗୋ,

ଏ ରସେ ଅଷ୍ଟଦୁର୍ଗ ଧରାବଳୟସ୍ୱର୍ଗ-ମଣ୍ଡଳ

ଆଖଣ୍ଡଳ କହିଲେ ଗୋ ।୫।

(୧୪୨)ଶିଖଣ୍ଡମଣ୍ଡନ—ମୟୂରପୁଚ୍ଛ ଭୂଷଣଧାରୀ ଶ୍ରୀକୃଷ୍ଣ,ସହି ନ କରି—ନ ସହି,ମହିଧ୍ରବର—ବଡ଼ ପର୍ବତ,ସୁଖବଲ୍ଲୀ—ସୁଖରୂପ ଲତା,ଆଖଣ୍ଡଳଧେନୁ—କାମଧେନୁ,ଶଙ୍କରଙ୍କର ଜାଈମାଳା ଧୁନୀ—ମହାଦେବଙ୍କ ମସ୍ତକରେ ଜାଈମାଳ ପରି ହୋଇଥିବା ନଦୀ(ଗଙ୍ଗା),ପଙ୍କିଳପୁରେ—ପଙ୍କୁଆ ପାଣିରେ,ଅନ୍ଧୁ—କୂଅ ।

 

(୨୪୨)

ରାଗ—ଧନାଶ୍ରୀ

 

‘ଶ୍ୟାମ’-ଅପବାଦ ଯେବେ ହେଲା ହେଉ ମା !

ଯେ ଯାହା ବୋଲିବ ପଛେ ବୋଲୁଥାଉ ମା ।୦।

 

ମଜ୍ଜାରେ ନାହିଁ ମୋ’ ଭୀତି ବଜାର ବୁଲିବା ଜାତି

ହଜାର ଦୁଆରେ ଦୁଧ ବିକିଯାଉଁ ମା ! ।୧।

 

ପାଟକ ଜାତି ସହଜ, ହାଟକୁ ଗଲେ କି ଲାଜ ?

ବାଟରେ ଦେଖିଲେ କେତେ ଆଡ଼ ହେଉ ମା ?।୨।

 

ଦେହଳୀ ମୁହଁରୁ ଡେଇଁ ବିହ୍ୱଳି ନ ଯାଏ କେହି

ପହିଲି ଶାଶୁ ନଣନ୍ଦ ଥାଉ ଥାଉ ମା ! ।୩।

 

ହଟା ବସାଇଣ ରାଣ୍ଡେ ଭଟାଚାର କରି ଦାଣ୍ଡେ

ବାଟ ତ ଚଲାଇ ନ ପାରିବେ ଆଉ ମା ! ।୪।

 

‘ଛୋଟରାୟ’ ଭାବି ବୋଲେ ଅପବାଦ ହେଉ ହେଲେ,

ସେହି କୃଷ୍ଣ ଚରଣେ ମୋ’ ଚିତ୍ତ ଥାଉ ମା ! ।୫।

 

(୧୪୨)ମଜ୍ଜାରେ—ଅନ୍ତରତମ ସ୍ଥାନରେ,ଦେହଳୀ—ଏରୁଣ୍ଡି,ଭଟାଚାର—ଭାଟ ଭଳି ଖରାପ ଆଚରଣ

 

(୨୪୩)

 

ଶ୍ୟାମ କେଡ଼େ ଅବୁଝାଣ, ତା ଲାଗି

ଯିବ ଏ ପ୍ରାଣ ଗୋ ।ପଦ।

ଚୋରପଣେ ଆସି ମୋର ପାଶେ ବସି

ଘୋର ଆଚରଇ ଟାଣ ଗୋ ।

ସ୍ମର ମରଦଇ ତା ବଚନ ପାଇ

ବିଷମ ଶର ପଠାଣ ଗୋ ।୧।

 

ପଚାଇ ଦେବାକୁ ଅଭିଳାଷ ଫଳ

ନଚାଇ ଭୂରୁ କମାଣ ଗୋ;

ଫଟାଇ ଦିଅଇ ଧୃତିକି ପ୍ରହାରି

କଟାକ୍ଷ କପଟବାଣ ଗୋ ।୨।

 

ଗୋଟିଏ ଗୋଟିଏ ଅଳପ କଥାକୁ

କୋଟିଏ ପକାଏ ରାଣ ଗୋ;

ସରେ ସେହି ଅବସରେ ସବୁ ସହି

କରେ ଯେଡ଼େ ହଇରାଣ ଗୋ ।୩।

 

ଜମି ରହେ ମନ ତା ଭଙ୍ଗୀରେ କାହିଁ

ନ ମିଳଇ ପରିତ୍ରାଣ ଗୋ;

ଲାଜବିହଙ୍ଗକୁ ଝାମ୍ପଇ ତା

ଶୋଭାଦମ୍ଭଚପଳ ସଞ୍ଚାଣ ଗୋ ।୪।

 

ଜଣାଇଲେ ସଖୀ ଧୂର୍ତ୍ତ ସେ

ଭୂଜଙ୍ଗଫଟାନାଟୁଆ ପ୍ରମାଣ ଗୋ;

ଜଗଦ୍ଦେବ କହେ ତା ସ୍ନେହ ବିରହେ

ପବିପାତ ଭଲ ଜାଣ ଗୋ ।୫।

 

(୧୪୩)ଭୂରୁକମାଣ—ଭ୍ରୂଲତାରୂପ ଧନୁ,ଭୁଜଙ୍ଗଫଟାନାଟୁଆ—କଳିୟ ଫଣା ଉପରେ ନୃତ୍ୟକାରୀ,ପବି—ବଜ୍ର ।

 

(୨୪୪)

ରାଗ—ସାରଙ୍କ, ଝୁଲା

 

ଶ୍ୟାମ ତୁ ଏଣିକି ଛାଉଲି ଛାଡ଼

ହୋଇବଟି ଆଜି ଆଖର ମାଡ଼ ।।

ଆଳି ମୋତେ ଗାଳି ଦେବ କରମାଳି ପୂଜାକୁ

ମୁଁ ଧରିଯିବି ଯୋଗାଡ଼,

ଅଟଳୀ ବୋଲି ଯେ ଭିଡ଼ି ଦେଇ ଭୂବେ

ମୋ ତନୁ ଅତନୁ ଜାତ ଉଜାଡ଼ ।୧।

 

ନୂଆ ଦୁକୂଳ ମୁଁ ଉରେ ଧରିଅଛି

ଛୁଆଁଇ କରି ତୁ ନ ବିଗାଡ଼,

ଡର ଛାଡ଼ି ମନ ପର ଭୂଆସୁଣୀ

ଘରବୁଡ଼ା କଥା ଅନିଗାଡ଼ ।୨।

 

ଅନାଇଁ ରହିଲି ତତେ ଚାହିଁ ହାତେ

ପକାଇ ଦେଲି ଯେ ନାହି କବାଡ଼

ଖଣ୍ଡିଦେଇ ମୃଦୁ ଗଣ୍ଡେ ଯେ ବସନ

ଛାଡ଼ିଯିବ ହୋଇ ଅବାଡ଼ ।୩।

 

କଅଁଳା ପୁଅ ତୁ ରାତିଯାକ ବୁଲୁ

ନ’ଥର ଡେଉଁ ତୁ ପଥରବାଡ଼,

ଚାରିପହର ଯେ ବେଶ୍ୟା ଘର ପରି

କଲୁ ମୋ ଶାଶୁଙ୍କ ଘର ଖୁଆଡ଼ ।୪।

 

ତୋର ବାପ ଗୋପ ନଗରର ଭୂପ

ହେରୁ ନ ଥିଲେ ହେଁ ହେଟ ତିଆଡ଼

ସେ ସହି ଧସିଲେ ସହି ହେବ କେତେ

ସେ ସହିବ ତ ଚାହାଣୀ ତିଆଡ଼ ।୫।

 

ନନ୍ଦଘରେ ଯେଉଁ ସୁନ୍ଦରୀ କେ ଥିବ

ତାର ପାଇଁ ଫୁଲଶେଯ ସଜାଡ଼

କବିରବି ବୋଲେ ଟାପରାଟାପରି

ଯେବେ ଥିବ ତା’ ଉପରା ଅଜାଡ଼ ।୬।

 

(୨୪୫)

ରାଗ—ଭୈରବୀ, ତାଳ—ଆଠତାଳି

 

ଶ୍ୟାମସମ କମନୀୟ ନାହିଁ ଆଉ,

ତା ବାହୁଭିଡ଼ାରେ ମୋର ଦିନ ଯାଉ । ଘୋଷା ।

 

କି ସୁନ୍ଦର ପୀତପଟ, ତ୍ରିଭଙ୍ଗ ମୁରଲୀନଟ,

ତା ଶିର ମୁକୁଟ ଦିଶେ ଦାଉ ଦାଉ ।୧।

 

ଆଳି ମଙ୍ଗଳାକୁ ଜଣା, ଥିଲେ ନ ଥିଲେ କରୁଣା,

ନୟନସମ୍ପତ୍ତି ମୋର ଜୀଇଥାଉ ।୨।

 

ପଡ଼ିଗଲେ ତା ନଜରେ, ମଦନ ମାଦକ ଶରେ,

ନାରୀ ହୃଦୟରୁ ଖସି ପଡ଼େ ହାଉ ।୩।

 

ନିନ୍ଦିଲେ ନିନ୍ଦନ୍ତୁ ଜନେ, ତା ପଛେ ମୁଁ ବନେ ବନେ,

ଶିରେ ଘେନି ବୁଲୁଥିବି ତା କଠାଉ ।୪।

 

କବିରବି ଭାଷେ ରସେ, ମନମଥ ରତିହ୍ରାସେ,

ତା ପ୍ରେମସାଗରେ ଚିତ୍ତ ବୁଡ଼ିଯାଉ ।୫।

 

(୨୪୬)

ରାଗ—ଦେଶ—ରୂପକ ତାଳ

 

ଶ୍ୟାମ ସୁଆଗ ଲୋଡ଼ୁ କାହିଁକି । ଘୋଷା ।

ବଳି ପଡ଼ିବ ବ୍ୟଥା—ନିତି ନୁଆଁଇ ମଥା

ମୁକୁର କରିବୁଟି ମହୀକି ।୧।

 

ବୁଲି ଲଟାକୁଲଟା—ବୋଲାଇବୁ କୁଳଟା

ହଟହଟାକୁ ଡର ନାହିଁ କି ।୨।

 

ଭଲ ନାହିଁଟି ସହି—ଖିଆଲ ଭାବ ବହି

ଖେଳାଇବାର କଳା ଅହିକି ।୩।

 

ଗଲେ ଯିବ ଜୀବନ—ଲଭି ନବ ଯୌବନ

ଚନ୍ଦ୍ରକ ଚୂଳ ଛଟା ଚାହିଁକି ।୪।

 

ଜଳନ୍ତର ବାସବ—କହଇ ହେ କେଶବ

ଭଗାରି ହସା ମିଶା ଟାହିକି ।୫।

 

(୨୪୭)

ରାଗ—କାମୋଦୀ—ଝୁଲା

 

ଶ୍ୟାମସୁନ୍ଦର ତୁ ଶୁଖିଲା ସୁଆଗ ଲଗାନା । ଘୋଷା ।

ଯା’ରସେ ହୋଇଛୁ ବଶ,      ତୁ ଯାଇ ତା’ ପାଶେ ବସ,

ଉଡ଼ୁ ତା’ର ସୁନ୍ଦରୀବାନା ।୧।

 

ଯା’ ପାଦ ରଙ୍ଗ ଅଳତା      କପୋଳେ ଘେନିଛୁ ଚିତା

ସେ ଛବି ମୋ ଆଗେ ଦେଖାନା ।୨।

 

ଯା’ ରତି ରସରେ ମାତି      ଉନ୍ନିଦ୍ରେ ବଞ୍ଚିଛୁ ରାତି

ତା’ ଅଙ୍କେ ଶୁଅ ଯା’ ଘୁମା ନା ।୩।

 

ସେ ବାଳା ନବ ପଦ୍ମିନୀ,      ତୁ ତ ମଧୁବ୍ରତ ଜିଣି

ମୁଁ କେତକୀ କି ମୋ ପାଶେ ଆ’ନା ।୪।

 

ବୋଲେ ଜଗଦ୍ଦେବ ହରି--      ଚନ୍ଦନ ଭାଷେ ଚତୁରୀ

ମୋତେ ତୁ ଭଗାରି ହସାନା ।୫।

 

(୨୪୮)

ରାଜ—ମୁଖାବରୀ—ଆଠତାଳି

 

ଶ୍ୟାମ ହେ, ସଙ୍ଗେ କାହିଁକି ଲାଗ,

ମୁଁ ଜାଣି ନାହିଁ କେଉଁ ଅନୁରାଗ ।। ଘୋଷା ।।

କେ ବୋଲେ ତୁମ୍ଭ ମୁକୁଟେ ଅଳତା

ଗେରୁ ଗୁହାରେ ଖେଳିବା ଫଳ ତା ।୧।

 

ସାକ୍ଷୀ ଅଛି ରବିନନ୍ଦନା ବାଟ

ଫିଟି ତ ନାହିଁ କାହାରି କବାଟ ।୨।

 

ଗଣ୍ଠରେ ଲାଗିବା ବିଡ଼ିଆ ବୋଳ

ଦାଣ୍ଡରେ କେହି ନ ଦେଖୁ ସମ୍ଭାଳ ।୩।

 

ତୁମ୍ଭଠାରେ କି ଦୁଷ୍ଟ ଆଚରଣ,

ଲୁଚିଯାଉ, ମୋତେ ହେଉ ମରଣ ।୪।

 

ଓଷ୍ଠ କଜ୍ଜ୍ୱଳ ନ ଦିଅ ଲିଭାଇ

ଅଶୋଭା ଦେଖିଟି ମୁଁ ହେଲି ବାଇ ।୫।

 

ପୁଣି ସଙ୍କୋଚେ କିଶୋର ହସିଲେ

ଅଷ୍ଟଦୁର୍ଗ ନାଥ ରସେ ଭାଷିଲେ ।୬।

 

(୨୪୯)

ରାଗ—ମୁଖାରୀ—ଆଦିତାଳ

 

ଶ୍ରୀ ନୀଳଶିଖାରୀ-କନ୍ଦର-ସଞ୍ଚାରୀ କଳା

କେଶରୀ ହେ ! ଜୟ ଜୟ

ଯା’ ନାମ ସୁମରଣ କୁଠାର ହାଣେ

ଜନତାପ ସାକ୍ଷୀ ସମୁଦାୟ । ଘୋଷା ।

ସିନ୍ଧୁ ଜେମା ହାତୀ ନୟନ ସମ୍ପତ୍ତି,

ବରାଙ୍ଗନା ମନମୋହନ ମୂରତି,

ଯା’ ପଦାରବିନ୍ଦର ବରକନ୍ଦର ସୁତ୍ରାମାଦି ସୁମନସ ଚୟ ।୧।

 

ହେ ନିଖିଳ ଦୁଃଖୀ ନିବହ ସମ୍ପଦ

ଅଟକ ବିନା ମୋ ମନ ଷଟପଦ

ହାକିମ ହୁକୁମ କର କରୁତବ ଚରଣାବିନ୍ଦ ମଧୁବ୍ୟୟ ।୨।

 

ପରଖି ଜାଣିଛ ଅରକ୍ଷିତ ବୋଲି,

ହରି ଖିଆଲକୁ ସମୟ ନ ସହେ

ତରତରେ ଥରେ ମୋ ଦୁଃଖ ଦୁଷ୍ଟକୁ ତରଜ କୃପା ଅପାଙ୍ଗ ଦ୍ୱୟ ।୩।

 

ଭରସି ଛାମୁରେ ଜଣାଉଛି ପ୍ରଭୋ,

ନଷ୍ଟ ଅଷ୍ଟାକ୍ଷି ମୋ ଦୁଃଖ ପକ୍ଷପାତ

ଏଣୁ ଏ ହେମନ୍ତ ଯେମନ୍ତେ ରହିବ ବିଳସୁ ହୃଦୟ କିଶଳୟ ।୪।

 

ବିଳମ୍ୱରେ ଆଉ କାରଣ ଏଣିକି

ଅରଜିବାକୁ ନାହିଁ ହେ ମହାବାହୁ

ସରିବ ସନ୍ତାପ ଭୁଜଙ୍ଗ ଦଂଶନେ ଛଟପଟେ ରାଜା ଛୋଟରାୟ ।୫।

 

(୨୫୦)

ରାଗ—କାମୋଦୀ, ଏକତାଳ

 

ସଖି, କେ ସେ ନୀପମୂଳେ ଗୋ ।ପଦ।

ଅସିତ ଆକାଶଖଣ୍ଡେ, ରବିପରି ତାର ଗଣ୍ଡେ,

ମଣି ମକରକୁଣ୍ଡଳ ଲୋଳେ ଗୋ ।୧।

 

ମୁଁ ହାରେ ନାୟକ ଆଣି, କରନ୍ତି ସେ ନୀଳମଣି,

କିଣା ହେବ ସଖି କେଉଁ ମୂଲେ ଗୋ ।୨।

 

ଚାହିଁ ତା ଚାରୁ ବଦନ, ମନ୍ଦିରେ ନ ରହେ ମନ,

ଖେଳୁଛି ଅର୍ଯ୍ୟମାଜେମାକୂଳେ ଗୋ ।୩।

 

ସଖି ମୁଁ କହୁଛି ସତ, ଛାଡ଼ି ସବୁ କୁଳବ୍ରତ,

ଖୁରିଏ ଖେଳନ୍ତି ତାର ତୁଲେ ଗୋ ।୪।

 

ଘୁମି ଆନନ୍ଦ ଅମଳେ, ତା ପଦପଙ୍କଜତଳେ,

ଶ୍ରୀ ମୁକୁନ୍ଦଦେବ ଚିତ୍ତ ଭୁଲେ ଗୋ ।୫।

(୨୫୦)ଖୁରିଏ—ମୁହୂର୍ତ୍ତେ,ନାୟକ—ହାରମଧ୍ୟବର୍ତ୍ତୀ ମଣି ।

 

(୨୫୧)

ରାଗ—ପୂରବୀ

 

ସଖୀ ତୁ ତୁନି ହୁଅ ରେ ତୁ ତ ଅନୁଭବୀ ନୋହୁ

ସ୍ନେହ ସୁଖ ଜାତ, ତା ବିଚ୍ଛେଦ ଦୁଃଖ

ଯେ ଜାଣେ ସେ ଆସି କହୁ ।ପଦ।

ଝଡ଼ି ପଡ଼ି ସଢ଼ି ଯାଉଛନ୍ତି ଯେବେ

କୁସୁମ ଚୟରେ ଚାହିଁ

ଫୁଲ ପାନରଙ୍କ ମନାସି ମୁଁ

ତାଙ୍କ ଆଡ଼କୁ ଅନାଉ ନାହିଁ ।୧।

 

ଟେକିଚି ମାନସ ଆଗସରିକି ମୁଁ

ଟେକି ପାରୁ ନାହିଁ ମଥା

ଟେକି ଦେଲେ ଫୁଲି ଫୁଲି ଯିବେ ବୋଲି

ୟେ କି ସଟା ବଟା କଥା ।୨।

 

ଅନୁବରତେ ସେ ସ୍ମରଣ ହେଲାନି

ବନଜ ପଲ୍ଲବାବଳି

ଘନଶ୍ୟାମ ନାମ ଦୁଃଖାନଳେ ମୋର

ହୃଦୟ ଯାଉଛି ଜଳି ।୩।

 

ନୀଳାଞ୍ଚଳ ଚୂଳେ ପ୍ରସାଦ ନ ହେଲେ

ଟେକି ଥିଲେ ତିନି ଥାଳି

କବି ରବି ରାୟଗୁରୁ ବୋଲେ ପ୍ରୀତି

କେହି ନ ପାରନ୍ତି ପାଳି ।୪।

 

(୨୫୨)

ରାଗ—କାଫି—ଆଦିତାଳ

 

ସଖି, ଦେଖିଯିବା ଚାଲ ଗୋ । ଘୋଷା ।

ପ୍ରସୂନ ପୁଞ୍ଜେ ନୀପନିକୁଞ୍ଜେ

ଖେଳୁଅଛନ୍ତି ନନ୍ଦଲାଲ ଗୋ ।୧।

 

ଧୃତି ଲତାଳି ଦେଲାଟି ଟାଳି ସ୍ମର

ତଟିନୀ ତଟୀ ଟାଲ ଗୋ ।୨।

 

ମାର ଖଡ଼ଗ ଧାରକୁ ବେଗ ବାରି

ଦେବାକୁ ସେ ଢାଲ ଗୋ ।୩।

 

ନିଶ୍ୱାସୁ ବାସ ତା’ରଦବାସ ଚାରୁ

ମାଣିକ୍ୟ ମଣି ଲାଲ ଗୋ ।୪।

 

ନାରୀ ସଂସାର ବୋଲାଉ ସାର ଚୁମ୍ୱି

ତା’ ମନୋହର ଗାଲ ଗୋ ।୫।

 

ମହେନ୍ଦ୍ର ମଣିମୟ ସେ ପୁଣି

ବାମା ହୃଦୟ-ମୀନ ଜାଲ ଗୋ ।୬।

 

ବସୁଦୁର୍ଗେଶ ରଚିଲେ ରସ ସ୍ନେହେ

ନ ଘେନି ଢିପ ଖାଲ ଗୋ ।୭।

 

(୨୫୩)

 

ସଖି ! ସେ କି ପିନ୍ଧିଥିଲା ନୀଳ ପାଟକୁ ? ।୦।

ଅଏଁଳା – କୁଙ୍କୁମ ଘେନି ସଙ୍ଗତେ ଥିଲେ ସଜନୀ;

ଯାଉଥିଲେ ସେ ଯମୁନା ଘାଟକୁ ।୧।

 

ସେ ଛଇଲୀ ଛତ୍ରଧାରୀ ପୁରନ୍ଦର ପୁର-ଶିରୀ;

ନାହିଁ ଜଣେ ତା’ ସମ ଥାଟକୁ ।୨।

 

ସତେ ନିକି ଏଡ଼େ ଭାଗ୍ୟ

ଏ ପାପ ନେତ୍ରକୁ ଯୋଗ୍ୟ

ଦେଖାଇବ ତା’ ବସନ-ନାଟକୁ ? ।୩।

 

ଅଷ୍ଟଦୁର୍ଗପତି ବୋଲେ

‘‘ଲେଖା ଗଲାଣି ତା’ ଭାଲେ

ବସାଇବ ଅପବାଦ – ହାଟକୁ’’ ! ।୪।

 

(୧୫୩)ପୁରନ୍ଦର ପୁର ଶିରୀ—ଇନ୍ଦ୍ରପୁରୀ ର ଲକ୍ଷ୍ମୀ ସ୍ୱରୂପା,ବସନ ନାଟକୁ—ପିନ୍ଧିଥିବା ଶାଢ଼ୀର ଦୋଳନକୁ,ଅପବାଦହାଟ—ନିନ୍ଦାର ବ୍ୟାପକତା ।

 

(୨୫୪)

ରାଗ—ତୋଡ଼ି ପରଜ—ଆଦିତାଳ

 

ସଙ୍ଗାତ, ରୁଷି ବସୁଥିଲ ପରା ?

କଷନ୍ତାଇଁ ଶ୍ୟାମସୁନ୍ଦରଙ୍କ ପ୍ରେମ

ସତ କି ଅବା ଟାପରା । ଘୋଷା ।

 

ଶୁଝନ୍ତାଇଁ କିତବରତିକି

ବୁଝନ୍ତାଇଁ କେଡ଼େ ଧୃତି

ବସ ପାଣି ଗଣ୍ଡେ ସମରପି

ଦଣ୍ଡେ ମାତ୍ରକ ଅନାଇଁ କ୍ଷିତି ।୧।

 

ସାକ୍ଷାତ ନେତ୍ରେ ଦେଖିଛ ଲାଗିବାର

ଲାକ୍ଷା ତ ଚୂଳଶିଖଣ୍ଡେ

ନ ଧର ସରସ ସ୍ମିତ

କୁତୁକକୁ ଅଧର ଦଳରେ ଦଣ୍ଡେ ।୨।

 

ସବିତା ନନ୍ଦନ ଗହନ ବାହୁଡ଼ା

ଛବି ଏବେ ଭିନ୍ନେ ଭିନ୍ନେ

ଏଣୁ ଜଣାଉଛି ବେଣୁ ଗୀତ ଶୁଣି

ନ ପୁଲକ ଏକାଦିନେ ।୩।

 

ହାଜର କରିବା ନଜର ମୁଜୁରା

ନ ଘେନି ସରୋଷେ ଗେଲେ

ଶରଣ ବୋଲି ତୋ ଚରଣେ

ଚନ୍ଦ୍ରକ ଚୁମ୍ୱାଇଲେ ଏକ ହେଲେ ।୪।

 

ବସନ୍ତି ବାସନ୍ତୀକ ବେଶ ରସିକା

କରଜେ ଧରିତ୍ରୀ ଚିରି

ଛାଡ଼ି ସ୍ୱକଳମ୍ୱ ଆସନ୍ତା କି

ଶମ୍ଭରାରି ଫରି ଖଣ୍ଡା ଧରି ।୫।

 

ଚରଣତଳ ପତନ ଦୁଃଖ ଘନଶ୍ୟାମ

ଜାଣନ୍ତେ କି ନାହିଁ

ଅଷ୍ଟଦୁର୍ଗ ନରନାଥ ମନୋରଥ

ଭରତି କରିବା ପାଇଁ ।୬।

 

(୨୫୫)

ରାଗ—ଦେଶୀବରାଡ଼ୀ—ତ୍ରିପୁଟା

 

ସଙ୍ଗାତ ରେ, ସରି ତ ଗଲାନି ସବୁ ଦୁଖ ।

ସଙ୍କୋଚ ବିନା ବିହରି ତୁମ୍ୱିବି କି ରୂପେ ହରି

ସୁନ୍ଦର ଶ୍ୟାମଳ ଚନ୍ଦ୍ରମୁଖ ।।

ସଂସର୍ଗ କଲେ ଇତରେ, ସେ ଥାଏ ଚିତ୍ତ ଭିତରେ

ଅପ୍ରିୟେ ଜଣା ନ କରି ଦୁଃଖ,

ସରୋଜ ସଙ୍ଗ ନିପଟ ଛାଡ଼ି କି କାହିଁ ଲମ୍ପଟ

ହୁଅଇ ପ୍ରମତ୍ତ ଶିଳୀମୁଖ ।୧।

 

ସାକ୍ଷାତ ଦେଖିଲି ଭାଲ ଲାକ୍ଷାରେ ହେବାର ଲାଲ

ଧୂଳିଆ ଚନ୍ଦ୍ରକଚୂଡ଼ ଶିଖ,

ଶୁଣିବାକୁ ଲୋକେ ଲାଜ ବଢ଼ଇ ସପତ୍ନୀ ଓଜ

ଏ କଥା ତୋହରି ମନେ ରଖ ।୨।

 

ସମ୍ଭୋଗ ପ୍ରବଳ ବେଳେ ଯାହାର ଉରଜମୂଳେ

ହେଳେ ଗାଢ଼େ ବାଜିଗଲେ ନଖ,

ସୁକୁମାରୀ କ୍ଷମା କର ବୋଲି ଧରାଯାଏ କର

ଏବେ ତାକୁ ବିଷମ ବିଶିଖ ।୩।

 

ସନ୍ତତ ସରିତ ତଟୀ ସମୀପ କୁସୁମ ବାଟୀ

ବୁଲାଇ କରି ଯାହାକୁ କାଖ

ସେ ସ୍ନେହ ପାଶୋରି ମନୁ ତାହାକୁ ଖଚ ବଚନୁ

ସ୍ୱପନେ ନ କରି ଟିକି ପାଖ ।୪।

 

ସୁଧାରୁ ମଧୁର ସାର ରସରେ କିରାତ ଖାର

ମିଳାଇ ବୋଲି କି ଆଉ ଚାଖ,

ସୁମେରୁ ଚୂଳ ଦାରଣ ଦାରୁଣ ଦମ୍ଭୋଳି ବାଣ—

ଶ୍ରେଣୀକି ଶିରୀଷ ନିକି ଲାଖ ।୫।

 

ସରସ ବଚନ ରସେ ଅଷ୍ଟଦୁର୍ଗନାଥ ଭାଷେ

ସାଇତି ରଖିଛି ଦେଖ ଦେଖ,

ସର୍ବସ୍ୱ ତୁହିଟି ମୋର ଶରଣ ସୁବେଣୀ-ବର

ବୋଲି ପେଷିବାର ପ୍ରେମ ଲେଖ ।୬।

 

(୨୫୬)

ରାଗ—କାମୋଦୀ, ତାଳ—ଝୁମ୍ପା

 

ସାଞ୍ଚାରିଣୀ ପାଞ୍ଚାଳିକା କାଞ୍ଚନମୟୀ ରେ

ପ୍ରଲମ୍ୱ କୁଞ୍ଚିତକେଶା,

ଯୋଗି-ସମାଧିଖଣ୍ଡନବିଧିଚତୁରଚାରୁବେଶା;

ପଦପଙ୍କଜନ୍ୟାସପବିତ୍ରୀକୃତ ଧରିତ୍ରୀଦେଶା,

କେ ତୁ ମୋହନ-ହେତୁ ମନର,

ସେତୁ ବିଳାସମିଷବନର

ନରଲୋକରେ

କୃତବାଗୀଶଶିଳ୍ପବିଶେଷଶେଷା । ଘୋଷା।

ପନ୍ଦରୁ ଊଣା ପରି ତ ଜଣା ପଡ଼ୁଛି

କେହି ଏଡ଼େ ପ୍ରବୀଣା ହେଲୁ ରେ,

ଛଣାପୀୟୂଷଜିଣା ବାଣୀ, ସୁଧାଗରଳମିଶା

ତରଳ ବିଲକ୍ଷଣ ଚାହାଣୀ,

ଜଗତୀଯୋଷାରତନଖୋସାଭୂଷା ଶ୍ରୀଅଙ୍ଗଠାଣି;

ଜନନୟନ-ନୀଳେନ୍ଦୀବର-ଚନ୍ଦ୍ରିକା-ପରମ୍ପରା କି

ବରବରନା ତୁହି ନିଶ୍ଚୟ ତୋର

ବୁଦ୍ଧି ନ ପାରେ ଜାଣି ରେ ।୧।

 

କରିଛୁ ଖର୍ବ ସୁପର୍ବପର୍ବସୁଧାଂଶୁମୁଖୀଗଣଙ୍କ ଗର୍ବ

ସର୍ବଂସହାରେ କେ ରହିବ ମାନି,

ଲାଜର ବାସଗୃହ ତୁ ରସରାଜର ରାଜଧାନୀ,

ଗତିଲାବଣ୍ୟ ମାତିଲା ବନ୍ୟହାତିରୁ ବଳିଲାନି,

ଧନ ଯାହାର ମୁକୁତାହାର ହେବୁ ତୁ ଶ୍ରୀଛାମୁକୁ

ତାହାର ସୁକୃତ ତୁଲେ ମୋର

ଜୁହାର ହେଉ ମହତ୍ତ୍ୱ ହାନି ।୨।

 

ଉଦ୍ଦଣ୍ଡରତି ପାଣ୍ଡିତ୍ୟବତୀ ବୋଲାଇ ଟେକାଇବୁ

କି ଛତି ଏବେ ତ ଯତିମୋହନା କ୍ଷିତି ମଣ୍ଡୁ,

ଖଣ୍ଡିବୁ ଚଣ୍ଡ ଫୁଲ କୋଦଣ୍ଡ ବୀରଦୋର୍ଦ୍ଦଣ୍ଡ କଣ୍ଡୁ,

ଚୁମ୍ବେ ଯେ ଜୂରି ନେବ ମକରୀ ତୋର ସୁନ୍ଦର ଗଣ୍ଡୁ,

ସେ ବଡ଼ ଗିରୀଶରୁ ଅମରନାଥରୁ ପାଶକରୁ

କୁବେର ଠାରୁ ନଳିନନନ୍ଦନୁ

ମୀନସ୍ୟନ୍ଦନୁ ମାରତଣ୍ଡୁ ।୩।

 

କହନ୍ତି ଅଷ୍ଟ-ଦୁର୍ଗସାମନ୍ତ ଶ୍ରୀକୃଷ୍ଣଚନ୍ଦ୍ର ମୁଖୁଁ ଏମନ୍ତ

ସରସବାଣୀ ଶ୍ରୀ ଠାକୁରାଣୀ ଶୁଣି ଲଭିଲେ ଲାଜ,

ସ୍ଫୁରିଲା କୁନ୍ଦ ମଧୁନିଃସ୍ୟନ୍ଦ ମନ୍ଦ ହସିତ ବ୍ୟାଜ,

ଚାଳି ଚରଣ କଲେ ଶରଣ ଆଳିଜନ ସମାଜ,

ମିଳନ୍ତେ ଦିନେ ଏକାନ୍ତ-ସୀମା ଏପରି ପରିଣତ

ଚନ୍ଦ୍ରମା-ବଦନା ଶ୍ୟାମ ଦୁହିଙ୍କ

ପ୍ରେମ ହେଲା ନିବିଡ଼େ ନ୍ୟାଜ ।୪।

 

(୧୫୬)ସଞ୍ଚାରିଣୀ ପାଞ୍ଚାଳିକା କାଞ୍ଚନମୟୀ—ଗମନ କରୁଥିବା ସୁବର୍ଣ୍ଣ ପ୍ରତିମା,ସେତୁବିଳାସମିଷବନର—ବିଳାସରୂପ ଜଳ ପାର ହେବାର ସେତୁ ଅର୍ଥାତ୍ ପୋଲ,ବାଗୀଶ—ବ୍ରହ୍ମା,ସୁପର୍ବ—ଦେବତା,ପର୍ବସୁଧାଂଶୁ—ପୂର୍ଣ୍ଣଚନ୍ଦ୍ର,ସର୍ବଂସହା—ପୃଥ୍ୱୀ,ରସରାଜ—ରସିକଶ୍ରେଷ୍ଠ(କନ୍ଦର୍ପ),ମାତିଲା ବନ୍ୟ ହାତୀ—ମତ୍ତ ବନ୍ୟ ହସ୍ତୀ,ଧନ—ସଂବୋଧନ ପଦ,ଫୁଲକୋଦଣ୍ଡ—କନ୍ଦର୍ପ,ଦୋର୍ଦଣ୍ଡ—ବାହୁବଳ,ଜୂରି ନେବ—ଜୂର କରି ନେବ,ମକରୀ—ମକରୀ ଚିତ୍ର,ସ ଗିରୀଶରୁ(ଶିବଙ୍କଠାରୁ); ଅମରନାଥରୁ(ଇନ୍ଦ୍ରଙ୍କଠାରୁ),ପାଶକରୁ(ବରୁଣଙ୍କଠାରୁ);କୁବେରଙ୍କଠାରୁ,ନଳିନନନ୍ଦନୁ(ବ୍ରହ୍ମାଙ୍କଠାରୁ),ମୀନସ୍ୟନ୍ଦନୁ(କନ୍ଦର୍ପଠାରୁ)ଓ ମାର୍ତ୍ତଣ୍ଡୁ(ସୂର୍ଯ୍ୟଙ୍କଠାରୁ) ବଡ଼ । ନ୍ୟାଜ—ବିବେଚନା ।

 

(୨୫୭)

ରାଗ—ଚିନ୍ତାଭୈରବ

 

ସଜନୀ, ଆଜ ରଜନୀରେ ନଇଲେ ବ୍ରଜମୋହନ

ମନ କେହୁ ମୋହିଲା ରେ ।ପଦ।

ମୋ ଦେହେ ଦେଇ କର-କମଳ ବାରମ୍ୱାର

ନିୟମ କରି କେତେ କହିଲା ରେ ;

କପଟ ମତି କରି, ସାହସେ ସେ କିପରି

ଧରମ ତାକୁ ସହି ସହିଲା ରେ ।୧।

 

ଲଗାଇ ପ୍ରେମରସ, ମଧୁ ଜନ୍ମାଇ ବିଷ,

ନୟନୁ ଅଶ୍ରୁ ବରଷାଇଲା ରେ,

ଭଜି ମୁଁ ନିଶି ଦିବା, କି ଅପରାଧୁ ଅବା

ମୋଠାରେ ଅବଧାନ ନୋହିଲା ରେ ।୨।

 

ଭାଙ୍ଗି ରଖିଛି ପାନ, କର୍ପୂର ଶ୍ରୀ ଚନ୍ଦନ,

ଏବେ ତ ବେଶ ବାସି ହୋଇଲା ରେ,

କାହା ସୁରତେ ମାତି, ଆସି ହେଲା ପାହାନ୍ତି,

କୁଳ୍ପୁଟ କୁକୁରାବେ ରଟିଲା ରେ ।୩।

 

ଏ ପାପ କାମ ମୋତେ, ଦଣ୍ଡ ଦେଲାଣି ଯେତେ

ପରାଣତୁଲେ ପିଣ୍ଡ ଦହିଲା ରେ;

କବିମିହିର ଚିନ୍ତା, ଆହା ବ୍ରଜବନିତା,

କପାଳେ ବିହି ଏହା ଲିହିଲା ରେ ।୪।

 

(୨୫୮)

 

ସଜ ହୋଇ ଥା ରେ, ଗଜରାଜଗତି ଆଜ

ରଜନୀ ଆସିବେ ସଜନୀଳୋତ୍ପଳଶ୍ୟାମ

ବ୍ରଜଯୁବରାଜ ।ପଦ।

ସୁନା ଲତିକାରେ ମୀନା ପରି କଳା

ଝୀନ ଶାଢ଼ୀ ଯତ୍ନେ ପିନ୍ଧି,

ବଳାପହମଣି ନୀଳ କୁନ୍ତଳୟେ

କଳାପ କମର ବାନ୍ଧି ।୧।

 

ପୁଣ୍ଡରୀକବରଯୁଗେ ଇନ୍ଦୀବର ଯୁଗଳୀ

ଲଢ଼ାଇବାକୁ; ମର୍ଦ୍ଦିବା ଲାଞ୍ଛନ ତାପିଞ୍ଛେ

କନକମଞ୍ଜରୀ ମିଳାଇବାକୁ ।୨।

 

ମସାରମଣି ହେମସାରସମୂହ ମିଶିବାର ବୁଝିବାକୁ;

ବରତୁଳ ପୟୋଧରେ ରତିବର

ତୁଲେ ଥରେ ଯୁଝିବାକୁ ।୩।

 

କୁଞ୍ଜାଳୟ ଝଷଧ୍ୱଜ କେଳିରସ ଭୁଞ୍ଜାଇ

ଭୁଞ୍ଜିବୁ ପରା; କଞ୍ଜାୟତାକ୍ଷିରେ ଖଞ୍ଜାଇ

ଲଲାମ ତା ପରେ ପୁନ୍ନାଗଝରା ।୪।

 

ଦେଖି ସେ ଉତ୍ସବ ନେତ୍ରେ ଆମ୍ଭେମାନେ

ସୁଖୀ ହୋଇ ଜୀଇବାକୁ;

ଦୁହେଁ ତ ଦୁହିଁଙ୍କ ଜୀବ, ଜୀବବନ୍ଧୁ

ଯିବ ମଧୁ ପିଇବାକୁ ।୫।

 

ଶୁଣି ଲଳିତାଙ୍କୁ ଲୀଳା ତାମରସ ଉଞ୍ଚାଇଲେ

ଦେବୀ ସ୍ନେହେ; ସେ ସମୟେ କରି ବନ୍ଦନକୁ

ହରିଚନ୍ଦନ ଭୂନାଥ କହେ ।୬।

 

(୧୫୮)ମୀନା—ସୂନା ଅଳଙ୍କାରରେ ସୂକ୍ଷ୍ମକାର୍ଯ୍ୟ,ଝିନ—ସୂକ୍ଷ୍ମ,ବଳାପହମଣି—ଇନ୍ଦ୍ରମଣି,କଳାପ—କାଞ୍ଚୀଦାମ,ପୁଣ୍ଡରୀକ—ଶ୍ୱେତପଦ୍ମ,ଇନ୍ଦୀବର—ନୀଳକଇଁ,ତାପିଞ୍ଛ—ତମାଳ,ମସାର—ଇନ୍ଦ୍ରନୀଳମଣି,ବରତୁଳ(ବର୍ତ୍ତୁଳ) —ଗୋଲ,ରତିବର—କନ୍ଦର୍ପ,କୁଞ୍ଜାଳୟ—କୁଞ୍ଜଗୃହ,ଝଷଧ୍ୱଜ—କନ୍ଦର୍ପ,କଞ୍ଜାୟତାକ୍ଷୀ—ପଦ୍ମପରି ବସ୍ତୃତ ଲୋଚନ ଯାହାର,ଲଲାମ—ଭୂଷଣ,ଝରା—ପୁଷ୍ପଗୁଚ୍ଛ ।

 

(୨୫୯)

 

ସତେ କି ବିଧି ଏହା କରିବ ଗୋ

ସଖି, ମୋ ଦୁଃଖ-ଦଶା ସରିବ ଗୋ ।୦।

ସଜଳ ଜଳଧର      କଳେବର କିଶୋର

ବରଙ୍କୁ ମୋର ନେତ୍ର ହେରିବ ଗୋ ।

ପରିଣତ ବିମ୍ୱରୁ       ଅଧିକ ଯେଟି ଚାରୁ

ଅଧର ମନ୍ଦହାସ ଧରିବ ଗୋ ।୧।

 

ବ୍ରଜ ନଗରୀ ଦମ୍ଭ      ମହାସାଗର କୁମ୍ଭ—

ସମ୍ଭବ ନୟନାନ୍ତ ଫେରିବ ଗୋ !

ଶ୍ୟାମ ଶ୍ରୀମୁଖ ଚନ୍ଦ୍ର            ମଣ୍ଡଳୁ ହୋଇ ସାନ୍ଧ୍ର

ବଚନ ସୁଧାରସ ଝରିବ ଗୋ ।୨।

 

‘କରି ମୋ ଚିତ୍ତ ଚୋରି      ଧରା ନ ଦେବା ହରି’

ବୁଝିବା ବୋଲି ବାଣୀ ସ୍ଫୁରିବ ଗୋ!

ବାନ୍ଧିବି ବାହୁ ପାଶେ            ଶଙ୍କା ନ ରଖି ଲେଶେ

ମନ୍ଦ କନ୍ଦର୍ପ ଦର୍ପ ସରିବ ଗୋ ! ।୩।

 

ଭାଷେ ଶ୍ରୀ ଜଗଦ୍ଦେବ      ଲଭି ସେ ଶ୍ୟାମ ଭାବ

କଳ୍ପକ ଅଳ୍ପ ପରି ସରିବ ଗୋ ।

ଶତ କଳ୍ପରେ ଅବା            ସଂକଳ୍ପ କରିଥିବା

କାମରୁ ଲେଶ ମାତ୍ର ପୂରିବ ଗୋ ।୪।

 

(୨୫୯)ଜଳଧର—ମେଘ,କୁମ୍ଭସମ୍ଭବ—ଅଗସ୍ତି ମୁନି,କଳ୍ପ—କୋଟି କୋଟି ବର୍ଷ(ବ୍ରହ୍ମାଙ୍କର ଗୋଟିଏ ଦିନ)

 

(୨୬୦)

ରାଗ—କେଦାର, ତାଳ—ଆଡ଼ତାଳି

 

ସରିଗଲା ଯେ ଲାଜେ,

ରହି ନ ପାରେ ସହୀସମାଜେ । ଘୋଷା ।

ନଗତିଳକ ଉରୋଜାଏ ଅଛନ୍ତି

ଅଗଣିତେ ଅନୁସରି ହେ ।

ଜଗତୀଲଲାମ ଚମ୍ପାଝରା ନାମ ଯୋଗ୍ୟ

କି ଏକା କିଶୋରୀ ହେ ।୧।

 

ଘେନାଇ କହିଲେ ହେଲେ ନେତ୍ରାଞ୍ଚଳେ

ଅନାଇ ତ ସେ ନ ଜାଣେ ହେ ।

ତାକୁ ନଟ-ଖଞ୍ଜରୀଟ-ନେତ୍ରା ବୋଲି

ଡାକୁଥାଅ ତୁମ୍ଭେ କେଣେ ହେ ।୨।

 

ତୁମ୍ଭ ଉରେ ସ୍ତନକୁମ୍ଭ ନତ-ତନୁଲତା

ଯେ ମଣ୍ଡାଏ ନାହିଁ ହେ ।

ବହିଯିବ ବୋଲି ଶୋଭା ପୀୟୂଷ

କି ରହିଥାଅ ଏକା ଚାହିଁ ହେ ।୩।

 

ତାରୁଣ୍ୟ ଗରବେ ବାଳା ସେ ତ କେବେ

ଚଲିକି ନ କରେ ଚାରୁ ହେ ।

ସଡ଼ୁଅଛି କେଳି ଲାଳସୀ ମରାଳୀଗତି

ବୋଲି ଡାକିବାରୁ ହେ ।୪।

 

ଅଧର ମାଧୁରୀ-ଅଭିମାନେ ପୂରି କେତେ

ନାଗରୀ ନାହାନ୍ତି ହେ ।

ତା ଦଶନ ଅଙ୍କ ଥିବା ପାନରଙ୍କ ପରି

ମାଗିବାର ନିତି ହେ ।୫।

 

ପ୍ରେମାଦରେ ଅବା ପ୍ରମାଦରେ ବାଣୀ

ଶୁଣିବା ଚିତ୍ତ କାହିଁକି ହେ ।

ସରସ ଶ୍ଳେଷମଦ କଳକୋକିଳ

ବଚନା ବୋଲ କାହିଁକି ହେ ।୬।

 

ଜଗଦ୍ଦେବ ବନ୍ଦି ଜଣାଇଲେ ଇନ୍ଦୀବର

ଶ୍ୟାମ ବଂଶୀପାଣି ହେ ।

ତୁମ୍ଭେ ସେ ତରୁଣୀ ଚାଲିବା ସରଣୀପରାଗେ

ଗଡ଼ିବା ଜାଣି ହେ ।୭।

 

(୨୬୧)

 

ସହଚରୀ,

ଅଛି ଏତେ ମନୋରଥ କରି ରେ ।୦।

ତମାଳ ମହେନ୍ଦ୍ର-ମଣି ଅପଘନ

ପରିରମ୍ଭକୁ ମୁଁ ଅଟେ କି ଭାଜନ

କେବଳ ଡାକିବ ଥରେ ସେ ମୋହନ

ମୁରଲୀ ମୋ ନାମ ଧରିରେ ।୧।

 

ପଲ୍ଲବ ବିଦ୍ରୁମ ବନ୍ଧୁକ ସଂକାଶ

ଅଧର ମଧୁକୁ ନାହିଁ ମୋର ଆଶ,

ପିଉ ଥରେ ଶ୍ୟାମ ମୁଖ ଚନ୍ଦ୍ରହାସ

ଶୋଭା ମୋ ନେତ୍ର ଚକୋରୀରେ ।୨।

 

ସେ ଶ୍ୟାମ ସଙ୍ଗେ ଅନଙ୍ଗରାଜ କେଳି

ଲଭିବାକୁ ମୁହିଁ ଛାର କି ସେଭଳି

ଦେଖିବି ସେ ପଦ କୁଞ୍ଜ କୁଞ୍ଜାବଳୀ

ବିଜୟ ଶୋଭା ମାଧୁରୀ ରେ ।୩।

 

ଶ୍ୟାମ କର ଚିତ୍ର ପତ୍ରାବଳୀ ମନେ

ଭଜିବାକୁ ଲଜ୍ଜା ଲୋଡ଼ିବି କେସନେ ?

ତାଙ୍କ ସୁଧା ସ୍ୱାଦୁ ବଚନ ମୋ କର୍ଣ୍ଣେ

ହେଉ ଅବତଂସ ପରି ରେ ।୪।

 

ଜଗଦ୍ଦେବ ଯାଇ ଜଣାଏ ପାଶରେ

ଚାରୁ ଉରୁଭଙ୍ଗୀ ସଙ୍ଗ ବିଳାସରେ

ଅଳପ ମୋଠାରେ ପକାଇ ଦେବାରେ

କରୁଣା କଟାକ୍ଷ ଝରି ରେ ।୫।

(୨୬୧)ପରିରମ୍ଭ—ଆଲିଙ୍ଗନ,ବନ୍ଧୁକ ସଂକାଶ—ବଧୁଲି ଫୁଲ ସଦୃଶ,ଅବତଂସ—କାନର ଅଳଙ୍କାର ।

 

(୨୬୨)

ରାଗ—କେଦାର—ଆଦିତାଳ

 

ସାଜ ରାଜହଂସ-ଗତି ରାତିକି ରେ ।। ଘୋଷା ।।

 

ଚପଳା ବଲ୍ଲରୀ ମୁଦିରକୁ ପରି ରେ

ମଣ୍ଡିବୁ ଶ୍ୟାମଳ ଛାତିକି ରେ ।୧।

 

କିଶୋରୀ ରାଜୀବ ନେତ୍ରେ ନ ବାଜିବରେ

ଆଡ଼ିବୁଟି ସ୍ମରକର କାତିକି ରେ ।୨।

 

ଆମ୍ଭେ ଯେ ପ୍ରକାଶ କରୁଛୁଁ ତୋ ଯଶ ରେ

ପୁହାଇବୁ ନାହିଁ ତା କୀରତିକି ରେ ।୩।

 

ଆଚାରୁ ଭୂରୁରୁ ଆଳାନତ ଉରୁ ରେ

ରୁନ୍ଧି ବାନ୍ଧିବୁ ତ ନୀଳ ହାତୀକି ରେ ।୪।

 

ନାନା ମଦବାଜି ମାଗିବେ ଯେ ଆଜି ରେ

ରାଜି କରିବୁଟି କେତେ ଜାତିକି ରେ ।୫।

 

ଏ ବାଣୀ ବିଳାସେ ହସି ରାଧା ଭାଷେ ରେ

ମରୁଛୁ ଗଞ୍ଜାଇ ଖାଇ ମାତିକି ରେ ।୬।

 

ଜଗଦ୍ଦେବ ଚିତ୍ତେ ଏ ସମୟେ ଚିନ୍ତେ ରେ

କିଶୋରୀମଣିକି କଂସାରାତିକି ରେ ।୭।

 

(୨୬୩)

ରାଗ—ମାଳବ

 

ସେ ମୋହନ ସ୍ନେହ ରେ,

ସହଚରୀ କି ପଦାର୍ଥ କହ ରେ ।ପଦ।

ନୋହେ ଅଭୟ ନ ରଖଇ ଦକ,

ଅମଳ ନୋହେ ଅତି ଉନ୍ମାଦକ,

ହୋଇ ହୃଦୟ ଅଦୃଶ୍ୟପଦକ,

ହଜାଇ ଦିଅଇ ବିବେକଯାକ ।୧।

 

ନୋହେ ଘୂକନେତ୍ର ଗୋଳକଜ୍ଜଳ,

ଦୃଶ୍ୟ କରାଏ ଗାଢ଼ତମ ସ୍ଥଳ,

ଲଙ୍ଘାଏ ଦୁର୍ଗ ନୋହେ ଜଙ୍ଘାବଳ,

ବୁଡ଼ାଇ ଦିଅଇ ନୁହଇ ଜଳ ।୨।

 

ନୁହଇ ପରାଣ ନୁହଇ ଛାଡ଼ି,

ଅଟକଇ ପଦ ନୁହଇ ବେଡ଼ି,

ଦୃଷ୍ଟି ବାରଣ ଛତ୍ରକୁ ନ ଲୋଡ଼ି

ନ ମାନେ ନଉମାସନିଶା ଝଡ଼ି ।୩।

 

ନୋହେ ସଂକଳପ ମାନସେ ରହେ,

ହେଳା ନୋହେ ଯତ୍ନ ନ ରଖେ ଦେହେ,

ଅନ୍ନ ନୋହି ଶୀର୍ଣ୍ଣ କରେ ବିରହେ,

ସନ୍ଦେହେ ଶ୍ରୀମୁକୁନ୍ଦଦେବ କହେ ।୪।

(୨୬୩)ଟୀକା-:ଘୂକ—ପେଚକ,ଜଙ୍ଘାବକ—ବେଗଗାମୀ ଦୂତ,ନଭମାସ—ଶ୍ରାବଣ ମାସ ।

 

(୨୬୪)

ରାଗ—ଶାବେରୀ—ଆଡ଼ତାଳି

 

ସ୍ନେହେ କହ ରେ ଚନ୍ଦ୍ରବଦନା

କା’ର ହାରମଣି ମଣି ତୁ । ଘୋଷା ।

ତୋର ଚରଣ ନଖର ଗଣ

ଶରଦୁଦିତ ତାରା କିରଣ

ପରମ୍ପରା ସୁଷମାରୁ କଣ,

ବରବାମାବୃନ୍ଦେ ନାହିଁ ଏ ବ୍ରଜ ସହରେ ।୧।

 

ବଳାହକରୁ କବରୀ କଳା

କଳାକର ବିମ୍ୱେ ମୁଖ ତୁଳା

କଳାମାତ୍ର ନାହିଁ ରେ ଅବଳା,

ବାଳାବଳୟର କି ତୁ ଭୂଷା ନିବହ ରେ ।୨।

 

ତନୁବର୍ଣ୍ଣ ବଳିଛି କୁନ୍ଦନୁ,

ତନୁ କଟୀଟି କି ଯିବ ମନୁ

ଅନୁମିତ ହୁଏ ମଣିସାନୁ,

ସ୍ତନୁ ଊଣା ହୋଇବ ଏ ତହୁଁ ଦୁର୍ବହ ରେ ।୩।

 

ଯଉବନ ମଦ ଚାଲି ଲବ

କେଉଁ ବନ ମଦଗଜେ ଥିବ

କଉତୁକର ତୁ ତ ଅର୍ଣ୍ଣବ,

ନଉବନ୍ଧ କି ତୁ ସ୍ମର ସିନ୍ଧୁ ପ୍ରବାହ ରେ ।୪।

 

ପଟାଟୋପ ଲୋକେ ନିରୂପମ,

ଛଟା କଟାକ୍ଷର କି ବିଷମ

କଟା ଲୋଟାଟି କି ହେବ ସମ,

ସଟାବଟା ନ କର ରୋଷେ ମୋ ଆଗ୍ରହରେ ।୫।

 

ଧନ ହୁଅ ଯାହାର ତାହାର

ମୁଁ ତୋ ଚାକରୁଁ ନୁହେଁ ବାହାର

ମୁଖ ପଙ୍କଜୁଁ ମରନ୍ଦାହାର,

ଦେବୁଟି କି ମୋତେ ନ ମଜ୍ଜାଅ ସନ୍ଦେହ ରେ ।୬।

 

ବସୁଦୁର୍ଗ ପୁରନ୍ଦର ଭାଷେ

ଶ୍ୟାମସୁନ୍ଦର ବାଣୀ ବିଳାସେ

ଲାଜେ ମଜ୍ଜି ବର ମହିଳା ସେ,

ହସି ପଳାଇଲେ ମହା ମଦନ ମୋହରେ ।୭।

 

(୨୬୫)

 

ସୁଖ ସଦନା, ମୋ ଏ ଦୋଷୂ ପରା

ମୁଖ ପୋତି ନଖେ ଚିରୁଚୁ ଧରା ? ।୦।

 

ଗୁରୁଜନ ମେଳେ ଥିଲୁ ତୁ ବସି

ଦୂରୁ ଡାକି ଦେଲା ତୋ ନାଁ ମୋ ବଂଶୀ ।୧।

 

ନିବାସେ ଡକାଇ ସଖୀ-ସଂକେତେ

ବିବାସ କଲି ଯା ଦିବସେ ତତେ ।୨।

 

ଗଣ୍ଡମଣ୍ଡଳକୁ ଯା ନିଧୂବନେ

ଖଣ୍ଡଇ ବୋଲି ତ ମୋର ରଦନେ ।୩।

 

ପ୍ରାଣପଣେ ପାଳିଥିଲୁ ତୁ ବ୍ରତ

ରାଣ ପକାଇ କଲି ଯେ ସୁରତ ।୪।

 

ଦଣ୍ଡଧର ହରିଚନ୍ଦନ ଭାଷେ

ଦଣ୍ଡଦିଅ ଛାନ୍ଦି ତୋ ବାହୁ ପାଶେ ।୫।

 

(୨୬୫)ବିବାସ—ବସ୍ତ୍ରହୀନ,ନିଧୁବନେ—ରତିକ୍ରୀଡ଼ାରେ,ରଦନେ—ଦନ୍ତଦ୍ୱାରା ।

 

(୨୬୬)

ରାଗ—ଝୁଲା

 

ସୁନୟନା ତୁ ଅନା କୁଞ୍ଜପୁଞ୍ଜ ନିକଟକୁ ରେ (ପଦ)

ତହିଁ ଶାମଦେବତାର ଲୀଳା ଚାହିଁ

ପଡ଼ିଯିବୁ ତୁ ସିନା କଳା

ଧନରୁ ଯେ ତନୁ ତେଜେ

ସୁନା ସୁମନେ ଝଟକୁ ରେ ।୧।

 

ଯେ ବ୍ରଜମଣ୍ଡଳେ ତୁ ପରାଚାର

ସେ ଦେବତା ପୂଜା ଉପଚାର

ଦେବାର୍ଚ୍ଚିତ ଥିଲେ ମିତ ଯାଅ

ଯମୁନା ତଟକୁ ରେ ।୨।

 

ଥରେ ଚାହିଁଣ ମୋହନ ଚାଟ

ବରଜି ମଣିମଣ୍ଡିତ ଖଟ

ଭୂମଣ୍ଡଳା ତୁ ମଣ୍ଡନା

ନବ ପଲ୍ଲବ କୂଟକୁ ରେ ।୩।

 

କବିରବି ବୋଲେ ଅନୁରାଗେ ପଡ଼ିବୁ

ଯେବେ ମୋ ମୋହନ ଆଗେ

ଜାତି ପତି ନୀତି ଗଲା

ବୋଲି ବୋଲିବେ ହଟରେ ।୪।

 

(୨୬୭)

ରାଗ—ବେହାରଡ଼ା, ଝୁଲା

 

ସୁନାଗୋରି ତୁ ଏକା ସିନା,

ସୁନାଗରୀ ଶିର ଫୁଲବାସନା । ଘୋଷା ।

ଏ ଜଗତୀ ଭିତରେ କେହି

ଗଜଗତି ତୋ ସମ ନାହିଁ,

ରାଜା ନାରୀମଣ୍ଡଳେ ତୁହି,

ସୁନ୍ଦରକୁନ୍ଦରଦନହସନା ।୧।

 

ପଦନଖ କୋଣ କଣକୁ,

ରସବତୀ ମଣି ପଣକୁ,

ସାଧାରଣେତର ଗୁଣକୁ,

ବରନି ପାରିବେ ନାହିଁ ଉଶନା ।୨।

 

ଗିରିବର ଶିଖରେ ତପ,

କରିଥିଲି କେତେ କଳପ,

ବାଳାବର ମୋତେ ଅଳପ ସୁଲଭ

ହୋଇଛି ତୋ ଉପାସନା ।୩।

 

ପୟୋଧରେ ହାତ ନଚାଇ,

ମୋ ସୁକୃତ ଫଳ ପଚାଇ,

ମାରାଶୁଗ ଡର ଘୁଞ୍ଚାଇ, ବଜାଇ

ଦେବୁ କି ଥରେ ରସନା ।୪।

 

ବାଲୁକେଶ ନୃପତିମଣି,

ଭଣେ ଶ୍ୟାମ ଭାରତୀ ଶୁଣି,

ଲାଜେ ହସି ବରତରୁଣୀ,

ହେଲେ ମୁଖବିନିହିତବସନା ।୫।

 

(୨୬୭)ସୁନାଗୋରୀ—ସୁନାପରି ଗୌରବର୍ଣ୍ଣ ଯାହାର,ସୁନାଗରୀ—ଶ୍ରେଷ୍ଠା ସ୍ତ୍ରୀ,ସାଧାରଣତର—ଅସାଧାରଣ,ଉଶନା—ଶୁକ୍ରାଚାର୍ଯ୍ୟ,ମାରାଶୁଗ—କନ୍ଦର୍ପବାଣ,ରସନା—ଚନ୍ଦ୍ରହାର ।

 

(୨୬୮)

ରାଗ—ବସନ୍ତ—ଝମ୍ପା

 

ସ୍ୱପ୍ନେ ଦେଖିଛି ପରା ସଖି ତୋତେ

ଏ କି ପରଂପରା । ଘୋଷା ।

ଅଞ୍ଜନ ଅତସୀ ମୃଗମଦ ମସୀ

ନୀଳଶାଟୀ ନୀଳୋତ୍ପଳ

ଏମାନ ନ ରୁଚିବାରୁ ତ ଧରିଚି

ମୁଁ ଏବେ ପୀତଦୂକୁଳ ।୧।

 

ପହୁଡ଼ିବା ବେଳେ ଗଣ୍ଡ ପାଳି

ତଳେ ଥିଲା ଦିଶୁଥିଲା ଲାଲ

ଉଭାରିଲେ କେଶ କାହା ଚୂର୍ଣ୍ଣକେଶ

ଲୁଳି ନ ଆଚ୍ଛାଦେ ଭାଲ ।୨।

 

ଝାଙ୍କି ଦେଉଁ କାଲି ବିକଚ ବଧୂଲୀ

ଭ୍ରମରୁ ଭ୍ରମର ଯୁବା

ଏଣୁ ମୋ ଅଧର ଅଳପ ବନ୍ଧୁର

ଦିଶି ଯାଉଥିବ ଅବା ।୩।

 

ସୂନବଲ୍ଲୀକଣ୍ଟା ମୂନ ବକ୍ର ହୋଇ

ବାଜି ଯାଇଥିବ ଦେହେ

ଘାତଜ ଚିହ୍ନ ଏ ବାଣିଜଳପୂଜା

ଜାଣିବାପଣ ଏ ନୁହେଁ ।୪।

 

ଝଡ଼ିବାର ଫୁଲ ପରାଗ ନୟନେ

ପଡ଼ିବାରୁ ଅବା କିଛି

କଷା ଦିଶୁଥିବ ଏ କଥାକୁ ଏଡ଼େ

ହସା କାହିଁକି ହେଉଛି ।୫।

 

କଳି ତାମରସନେତ୍ରାଙ୍କର ରସ

ଲଳିତା ରସେ ଭାସିଲେ

ଜଗଦ୍ଦେବ ହରିଚନ୍ଦନ ଭୂପତି

ରସି ଏ ରସେ ଭାଷିଲେ ।୬।

 

(୨୬୯)

 

ହଇରାଣ କାହିଁକି ଏତେ,

ଆଉ ହଇରାଣ ନ କର ମୋତେ । ଘୋଷା ।

ମୋଦେ ମୋଦେ ହସି ତୁମ୍ଭେ ଯିବ ଖସି

ମୋ ଦେହ ପୂରାଇ କରଜ କ୍ଷତେ ।

ବୁକୁର ଶାଢ଼ୀ ତ ରଖି ଦେବ ନାହିଁ

ମୁଁ କରତଳେ ଆଚ୍ଛାଦିତ କେତେ ।୧।

 

ଚିକୁର ବେଶ ତ ରଖି ଦେଉ ନାହଁ

ମୁକୁରରେ ଦିଶୁ ନାହିଁକି ମୋତେ ।

ବ୍ରୀଡ଼ା-ଜଳଧିରେ ବୁଡ଼ିବି ମୁଁ କେହି ଉଭା

ହେବି ସଙ୍ଗିନୀଙ୍କ ପୁରତେ ।୨।

 

ସଖୀଏ ମକରୀ ଗଣ୍ଡେ ଥିଲେ ଲିହି ନ

କରି ତା ଅନୁରୋଧ କିଞ୍ଚିତେ ।

ଖଣ୍ଡକୁ ତ କେହି ସେପରି ନ କରେ,

ଗଣ୍ଡକୁ ମୋ ଯାହା କର ସୁରତେ।୩।

 

ଆଜି ନ ପାରଇ ଭାଜିଛି ମୋ ବଳ ରାଜି

କରାଉଛ କିଞ୍ଚିତେ ଚିତ୍ତେ ।

ବାମଦେବ ପରିପନ୍ଥୀ ରଣ ଜୟ କାମ

ନୋହିଛି କି ଆହୁରି ଫତେ ।୪।

 

ଠାକୁରାଣୀ ପ୍ରେମବାଣୀ ଶୁଣି ବଂଶୀପାଣି

ପ୍ରେମମୟ ଅନ୍ତରଗତେ ।

ସବିନୟେ ପୁଣି କୋଳରେ ଆଣିଲେ

କବି ଦିନମଣି ରଚିଲେ ଗୀତେ ।୫।

 

(୨୬୯)କରଜକ୍ଷତ—ନଖକ୍ଷତ,ବୁକୁ—ବକ୍ଷ,ଚିକୁର—କେଶ,ବ୍ରୀଡ଼ା—ଲଜ୍ଜା,ବାମଦେବପରିପନ୍ଥୀ—ଶିବଶତୃ,କନ୍ଦର୍ପ;କାମ—କାମନା ।

 

(୨୭୦)

 

ହରିତୁଲେ କରିବୁ ଯେ ପ୍ରୀତି, ମୋ ଅଭିନ୍ନା ରେ

ଧରିଛୁ କିପରି କହ ଧୃତି ।ପଦ।

ଥୋଇ ଯତନେ ସେ ଶ୍ୟାମଳ ଗାତ୍ର,

ମୋ ସଖିଟି ରେ ।

ସୀଇଁ ପାରିବୁ କି ଦୁଇ ନେତ୍ର;

ନିତି ତ ସେ ବତ୍ସ ପଛେ ଚଳିବ,

ନିମିଷ ତ ଶତଯୁଗୁଁ ବଳିବ,

କାମାନଳ ତୋ ହୃଦେ ଜଳିବ,

ମୋ ଦଅଣା ରେ, ନେତ୍ରୁ ନୀର ନିରତେ ଗଳିବ ।୧।

 

ପରପୁରୁଷର ସ୍ନେହଭୂତ, ମୋ ସଜନି ରେ,

ହରବର କରଇ ବହୁତ; ଲାଗେ ପରେ ସ୍ନେହ

ପରବଧୂର, ଚାରୁ ସୁଧାଧାରାଠାରୁ ମଧୁର,

ଈଷିତରେ କରଇ ବିଧୁର, ମୋ ବଉଳ ରେ,

ବିଷ ହୁଏ କିରଣ ବିଧୁର ।୨।

 

ବାରେ ଶ୍ୟାମଠାରେ ନେତ୍ରାଞ୍ଚଳ, ମୋ ଦ୍ୱିତୀୟା ରେ,

ସଲୀଳେ କଲି ମୁଁ ଚଞ୍ଚଳ; ଥାଉ ଆଉ ବଡ଼ ସୁଖ

ବିଭବ, ଯାଉ ଯାଉ କଷ୍ଟେ ରହିଲା ଜୀବ, ତାହା

ଜାଣେ ଏକା ମୋ ମନୋଭାବ, ମୋ ସଙ୍ଗାତ ରେ,

ଯାହା ହୋଇଛି ମୋ ଅନୁଭବ ।୩।

 

ନୂଆ ଭୁଆସୁଣୀ ନିପଟ, ମୋ ମିତଣୀ ରେ,

ଚାହିଁ ଚାହିଁ କେଳି ଚିତ୍ରପଟ; ଅରିଷ୍ଟେ ଯେ ହେତୁ

ବକୀବଧର, ଅଙ୍ଗୁଳିଶିଖେ ଯେ ଧରିଲା ଧର, କି

ସେ ରଖିବ ନବ ପୟୋଧର, ମୋ କେତକି ରେ,

ଖଣ୍ଡପରି ଖଣ୍ଡିବ ଅଧର ।୪।

 

ନିଶି ନିଦ ନ ଜାଣିବ ଆଖି, ମୋ ମରୁଆ ରେ,

ବିସିନୀଦଳରେ ଯିବୁ ଲାଖି; ନବନୀତରୁ ଯେହୁ

ସୁକୁମାର, ବିନ୍ଧିବ କି ଦଶ ଇଷୁକୁ ମାର, ହସୁଥିବ

ଯଶୋଦା ସୁକୁମାର, ମୋ ମୋହନା ରେ,

ନାଚି ତଟେ ଅର୍ଯମାଜେମାର ।୫।

 

ଚିତ୍ତକୁ ଯେ ଆସିବ କର, ମୋ ନିଆଳି ରେ,

ଆଳି ଆଳି ହେଲେ ମୁଁ ଚାକର, ଫଳିଗଲା ନିକି

ବାଞ୍ଛା ସତେ, କଳିବାକୁ ଭାବ ପଚାରୁ ମତେ,

ତୋ ତରସ ପୁରୁ ଶ୍ୟାମରତେ, ମୋ ସଙ୍ଗିନୀ ରେ,

ଅଷ୍ଟଦୁର୍ଗପତି ବୋଲେ ଗୀତେ ।୬।

 

(୨୭୦)ବିଧୁର—ବିକଳ,ବିଧୁର—ଚନ୍ଦ୍ରର,ଅରିଷ୍ଟ—ଅନ୍ତୁଡ଼ିଶାଳ,ବକୀ—ପୂତନା,ଧର—ପର୍ବତ,ଦଶ ଇଷୁକୁ—ଦଶବାଣକୁ,ମାର—କନ୍ଦର୍ପ,ଅର୍ଯ୍ୟମାଜେମା—ଯମୁନା,ତରସ—ଅଭିଳାଷ ।

 

(୨୭୧)

ରାଗ—ତୋଡ଼ି ମରୁଆ—ଆଡ଼ତାଳି

 

ହସି ମୋତେ ଅନା ରେ,

ଅସୀମ ଲାବଣ୍ୟନିଧି ରସିକା

ମୋହନା ରେ ।। ଘୋଷା ।।

ଅପରାଧ ପରାଭୂତି ହେଲା ଯେ ରୁଷନା ରେ

ସପରାଗ ବସୁନ୍ଧରା ପୃଷ୍ଠରେ ବସନା ରେ ।୧।

 

କାରଣ ନ ଥାଉ ବର-ବାରଣ ଗମନା ରେ

କେ ସକଳ ସୁଖ ତୁଲେ ବେଶ କଲା ମନା ରେ ।୨।

 

ବଲ୍ଲବ ବଲ୍ଲଭୀ ରାଜା ମୋ ଅଙ୍କ-ଆସନା ରେ

ନ ଲଭିଲି ଚାରୁମୁଖ ସରୋଜ ବାସନା ରେ ।୩।

 

ତରୁଣୀ ଅକରୁଣ ତା’ ସରଣୀକି ଯା’ନା ରେ

ମୋ ସପତଟି ଉଡ଼ାଅ ରସବତୀ ବାନା ରେ ।୪।

 

ଅଷ୍ଟଦୁର୍ଗାଧୀଶ ଭାଶେ ଶୁଣି ସେ ନବୀନା ରେ

ବିହରିଲେ ଶ୍ରୀହରିଙ୍କ ଅଙ୍କେ ଶଙ୍କା ବିନା ରେ ।୫।

 

(୨୭୨)

ରାଗ—ପୁରୀ କଲ୍ୟାଣ—ଏକତାଳି

 

ହା ନିତମ୍ୱନୀ ମୋ ବାରବାନି-ସୁନା ରେ । ଘୋଷା ।

ତା’ ଶୋଭା ପ୍ରତି ପ୍ରତିକେ ଘେନି ମୁଁ ମୁରତି ରତିକେ

କଷୁଥାଏ ରସୁଥାଏ ଏଣୁ ସିନା ରେ ।୧।

 

ମୋ ମନ ମହାଜନକୁ ତା’ଠାରୁ ମୋ ମଣ୍ଡନକୁ

ବିକୁଥାଏ କିଣୁଥାଏ ଚିନା ଚିନା ରେ ।୨।

 

ମକରଧ୍ୱଜ ପ୍ରଧାନେ ହଟରେ ମୁଁ ଦିନେ ଦିନେ

ସୁନାରୀ ହୁଏ ସେ କରୁ କରୁ ମନା ରେ ।୩।

 

ଶଙ୍କାକୁ ନ ରଖି ଚିତ୍ତେ ଝଙ୍କାଇ ଦେଲେ କିଞ୍ଚିତେ

ଫୁଙ୍କାଯାଏ ମୋ ଶ୍ୟାମଳ ଦେହ ସିନା ରେ ।୪।

 

ଅଷ୍ଟଦୁର୍ଗ ନାଥ ବୋଲେ ହରି ଏପରି ଚିନ୍ତିଲେ

ହରି ନେବାରୁ ହୃଦୟ ସେ ନବୀନା ରେ ।୫।

 

(୨୭୩)

ରାଗ—ପୂରବୀ—ଆଦିତାଳ

 

ହେ ଧର ଧର ଏବେ କରୁଣା କରୁଣା-କର କର

ହୋଇଗଲାଣି ତ ବାଳା ଥରଥର ହେ । ଘୋଷା ।

ଶାଣିବାରୁ ଫୂଲଶର ଶର ମୋ

ସଖୀ ଲଭି ଆଦର ଦର

ନିଶୀ ନିଦ ନାହିଁ ବିଶିନୀ ପଲ୍ଲବ—

ତଳପେ ରଟୁଛି ହରହର ହେ ।୧।

 

ଚିତ୍ତ କରି ସ୍ନେହେ ଜରଜର,

ତାର ପୀନ ପୟୋଧର ଧର

ବିନା ଅପରାଧେ ନାଗରୀ ବରକୁ

ନ ଦିଅ ବରନାଗର ଗର ହେ ।୨।

 

ହୁଅ ପଛେ ସ୍ୱେଦ ସରସର,

ବିଜେ କର ହୋଇ ଖରଖର

କିଶୋରୀମଣିର ପ୍ରାଣ ପରିତ୍ରାଣ—

ପତାକା ଉଡ଼ାଅ ଫରଫର ହେ ।୩।

 

ଚୋର ସଦୃଶ ତ ଡରଡର,

ହୋଇ ପଶୁଥାଅ ଘରଘର

ଆଦରେ ଆଦର ନ କରେ ଯେ ନର

ବୋଲିବେ ବାଇନା ବରବର ହେ ।୪।

 

ଏ ତାପ ସିନ୍ଧୁକୁ ତର ତର,

ହୋଇ ନ ଦେଇ ଆତର ତର

ଚୁମ୍ୱିଣ ଶ୍ରୀମୁଖେ ଭୋଗକରି ସୁଖେ

ପଙ୍କଜ ସଉରଭର ଭର ହେ ।୫।

 

ତା’ ଅଙ୍ଗ ରାଗରେ ଗରଗର,

ହେଲେ ଝିଙ୍କିନେବ ଝରଝର

ବୋଲେ ଅଷ୍ଟଦୁର୍ଗ ଧରା ଦମ୍ଭ ସ୍ୱର୍ଗ—

ମହେନ୍ଦ୍ର ଦୁଃଖକୁ ମରମର ହେ ।୬।

 

(୨୭୪)

ରାଗ—ତୋଡ଼ି, ଆଦିତାଳ

 

ହେ ନବ ଯୁବତୀ-ହୃଦୟ ବିହାରୀ

ମନମୋହନ ମୂରଲୀଧାରୀ । ଘୋଷା ।

 

କହ କେ ଆଉ କିଶୋରୀ ସତୀ ତତି ଧୃତି ଗିରି

ଗ୍ରାମଣି ଚଳନ କରିପାରେ ତୁମ୍ଭ ବିନା ହରି ।୧।

 

ବାଳ କାଳେ ଗୋବର୍ଦ୍ଧନ      ଧରି ଯେସନ ସୁମନ

ତୋଳିଲ ତୁମ୍ଭ ସମାନ ଅଛି କେ ବ୍ରଜ ନଗରୀ ।୨।

 

ଏଣୁ ତୁମ୍ଭଙ୍କୁ ନିଶ୍ଚୟ      କଲୁ ଆମ୍ଭେ ସଖୀଚୟ

ଭାଷେ ରାଜ ହରିହୟ ଚରଣ କଞ୍ଜେ ଜୁହାରି ।୩।

 

(୨୭୫)

 

ହେ ବଂଶୀପାଣି, ଏବେ ହେଉ

ଶ୍ରୀଛାମୁରୁ ମେଲାଣି ହେ । ଘୋଷା ।

 

କୃପାସିନ୍ଧୁ କୃପାଚିତ୍ତ ମୋଠାରେ ଥାଉ ସତତ

ଯାଉ ଜୀବନ ନିୟତ ତୁମ୍ଭ ଗୁଣ ଗୁଣି ହେ ।୧।

 

ଜଟିଳା କୁଟିଳା ରୀତି ଜାଣିଛ ତ ଶିରୀପତି

ତୁମ୍ଭେ ଏକା ମୋର ଗତି ସୁପଥର ଶ୍ରେଣୀ ହେ ।୧।

 

ରାଧା ବାଧା ତ ତୁମ୍ଭର ଶ୍ରଦ୍ଧାରେ କର ଉଦ୍ଧାର

କା ଧବ ନୁହଁ ଶ୍ରୀଧର ଚିତ୍ତେ ମୋ ମାଗୁଣି ହେ ।୩।

 

କବିରବି ଭାଷେ ଗୀତେ ସଦ୍ମ ଉତ୍ତରରୁ ଚିତ୍ତେ

ଜାତ ହୁଏ ବାଧା ଯେତେ କି ବର୍ଣ୍ଣିବି ପୁଣି ହେ ।୪।

 

(୨୭୫)ସତତ—ସବୁବେଳେ,ଧବ—ସ୍ୱାମୀ ବା ପ୍ରଭୂ,ସଦ୍ମ—ବାସଗୃହ ।

 

(୨୭୬)

ରାଗ—ତୋଡ଼ିପରଜ—ଏକତାଳି

 

ହେ ରସିକେ, କି ବର୍ଣ୍ଣିବ ତାହା କବି ?

ପଙ୍କଜନେତ୍ରା ମୋ ଅଙ୍କ ଜଗତୀକି

ଆସିବା ସମୟ ଛବି । ଗୋଷା ।

 

ଝରି, ଚାଦର, ନାଗବଲ୍ଳୀ ତାବୁକୁ

ହେମ ପିକଦାନୀ ଧରି

ପାଞ୍ଚବାରି ପରିଚାରୀ ଘେରିଥାନ୍ତି

ଯା ଚନ୍ଦ୍ରକୁ ତାରାପରି ।୧।

 

ଖସନ୍ତେ କିଞ୍ଚିତେ ଗାଢ଼ାଶ୍ଳେଷ

ସୁଖ ଦୁଇ ଦେହ ସିଆଁ ତାଗ

କିବା ସେ ତଳ୍ପ ତେଜିବା ସମୟେ

ତା’ବିମର୍ଦ୍ଦିତ ଆଙ୍ଗରାଗ ।୨।

 

ଫଳି ସ୍ତନବ୍ୟାଜେ ଫୁଲ ଫୁଟି ଲାଜେ

ମିଶି ଯା ମଧୁରହାସେ

ମୋ ପୂର୍ବ ପୁଣ୍ୟ କଳପ ବଲ୍ଲରୀକି

ମୂର୍ତ୍ତିମତୀ ହୋଇ ରସେ ।୩।

 

ଜାଣି ମୋ ଆଗ୍ରହ ଦନ୍ତେ ତୃଣ

ଗ୍ରହ ଠାରି ଆଚରି ଜୁହାର

ହସିହସି ତୋଳିବାର ବେଗବେଗ

ହୋଇ କେଳି ଶେଯୁଁ ହାର ।୪।

 

ସମାନ ବୟସୀ କେହି କର୍ଣ୍ଣଫାଶୀ

ପାଶେ ହସି କିଛି କହେ

କି ସୁନ୍ଦର ତାକୁ ମାରିବାର ଶ୍ରବ

ଅବତଂସ ଫୁଲେ ସ୍ନେହେ ।୫।

 

ନୀବିକି ନିବାଡ଼ି ଭିଡ଼ି ଖସିପଡ଼ି

ଥିବାର କସିଦାଚୂଳି

ସଖୀଜନ ହସାଭୟରୁ ଲହସା

ଖୋସା ଦେବାର ସାଉଁଳି ।୬।

 

ଉଠାଇ ଆଣେ କି କାମ ହେମଫୁଲ

ଖୋପମଣ୍ଡା ପାଟଖଣ୍ଡା

ଅଥବା ରଥବାହିନୀ ହେଉଥାଏ

ଶୃଙ୍ଗାର ମଙ୍ଗଳ ଝଣ୍ଡା ।୭।

 

ଚାହାଁ-ଦରପଣ ବାଡ଼େ ଦନ୍ତବ୍ରଣ

ଅଧରେ ଗଣ୍ଡେ ଚିବୁକେ

ମୋର ସୁସ୍ନେହାଟି ଲୁକାଏ ଯାହାଟି

ସେ କି କରକଞ୍ଜେ ଲୁକେ ।୮।

 

ରୁଚିର ଚରଣଯୁଗ ଯହୁଁ

କେଳି-ନିଳୟ ଦେହଳୀ ଲଙ୍ଘେ

ମନପୁର ପୂରି ପ୍ରମୋଦ ଲହରୀ

ହୋଇଯାଏ ମୋତେ ଜଙ୍ଘେ ।୯।

 

ଚେଳାଞ୍ଚଳ ଲୁଟୁଥାଏ ଯାହା ସେ କି

ଛାଡ଼ ଛାଡ଼ ବୋଲି ବାଟ

ବଦାଉ ଛେଲ ଘୋଷାରି ଚାଲୁଥାଏ

ମଦନ ମଦୁଆ ଭାଟ ।୧୦।

 

ପଞ୍ଚ ଶିଳୀମୁଖ ପଞ୍ଚମ ବିଶିଖ

ଦୁଇ ଯୁଗ ଦୃଷ୍ଟି ତୁଲେ

ଧୂପୀ ପ୍ରଦୀପ ନିର୍ବାପ ଆରମ୍ଭଇ

ପାଲୀଳାରବିନ୍ଦ ଫୁଲେ ।୧୧।

 

ଅମନ୍ଦ ମନ୍ଦାକ୍ଷ ପ୍ରମୋଦ ବଲକ୍ଷ

ସ୍ମିତେ କି ସୁନ୍ଦର ମୁଖ

ତମିଯାକ ଦେହେ ଜମିଯାଏ

ସ୍ନେହେ ଦିଅଇ ଯେମନ୍ତ ସୁଖ ।୧୨।

 

ସଞ୍ଜବେଳ କଞ୍ଜ ମଞ୍ଜୁ ହୋଇଥାଏ

ଜାଗର କଷା ନୟନ

ଝୁମି ଝୁମି ଢଳୁଥାଏ କମଣ୍ଡଳୁ

ପୀବରସ୍ତନା ମୋ ଧନ ।୧୩।

 

କତୁଳା ନୀଳ ଝାଲରୀଆ ଅଳକେ

ଗୁନ୍ଥା ଘର୍ମବିନ୍ଦୁ ମୋତି

କି ମାନୁଥାଏ ସେ ମୋ ଅଧରେ

ଅଧେ ଲାଗିବା ମକରୀ ଧୃତି ।୧୪।

 

ଯିବା ଆସିବା ସମୟେ କି ସୁବାସମୟ

ହୁଏ ମହୀ ସତେ

ଏପରି ଶ୍ରୀହରି ଘେନିବାର

ହରିଜନ ରଚିଲେ ଗୀତେ ।୧୫।

 

(୨୭୭)

 

ହେଲେ କି ହେବ ଗୋ ନୂଆ ପରା ସେ କିଶୋର

ପରଷିବ କହି ଭରଷି ଅଧରୁ ସୁଧାକୁ ରସିକାବର (ପଦ)

ରସିଲାନି ଚିତ୍ତ ଚକୋର ତ

ମୁଖଚନ୍ଦ୍ର-ସୁଧା ପିଇବାକୁ

ହେଲାନି ମାନସ ଘନଶ୍ୟାମ

ଅଙ୍କେ ସ୍ଥିର ଚପଳା ହେବାକୁ (୧)

 

ଝଳିଲାଣି ମନ ଶ୍ରୀଖଣ୍ଡମଣ୍ଡନ

ରସରତ୍ନ ଲୁଟିବାକୁ

ଝାଂପିଲାନି ନେତ୍ର ଖଞ୍ଜରୀଟ

ନଟ ଶୋଭାମୃତ ଚାଖିବାକୁ ।୨।

 

ଶ୍ୟାମ ତମାଳେ ମାଳି ଭାଳିଲାଣି

ତା ତନୁ ହେମ ମଞ୍ଜରୀ

ମନ ସାରି କାଢ଼ି ପଡ଼ିଲାଣି ବଳୀ

ସେ ବିଟ ପ୍ରେମ ପଞ୍ଜୁରୀ ।୩।

 

କମ୍ପିତ ହେଲାଣି ଭୁଜବଲ୍ଲୀ

ଛନ୍ଦିବାକୁ ଶ୍ୟାମବକ୍ଷ ସ୍ଥଳେ

ପ୍ରଫୁଲ୍ଳ ହେଲାନି ନେତ୍ର ଇନ୍ଦୀବର

ମୋହନ ଲାବଣ୍ୟ ଜଳେ ।୪।

 

ହେଲାନି ସୁଧା ସୁମଧୁର ଅଧର

ମଧୁ ପାନେ ଆସକତ

କଲାନି ବିହାର ସଖୀ ହୃଦ-ପଦ୍ମେ

ଶ୍ୟାମ ମଧୁବ୍ରତ ।୫।

 

ସାଜିଲାଣି ଡୋଳା ସମ୍ପାଦେ

ନାରାଚ ଭ୍ରୂର ନୀଳ ଶୂଳ ଚାପେ

ମଜ୍ଜିଲାଣି ମୋଦେ ତା ମଧୁର

ମନ୍ଦହାସ ମନ୍ଦାକିନୀ ଆପେ ।୬।

କହଇ ଶ୍ରୀଜଗଦ୍ଦେବ ଦରହାସୀ

ହୃଦୟ ନିଦରେ ପୂରି

ପୀରତି ପବନେ ପ୍ରସରିଲାନି

ତା ପ୍ରସନ୍ନ ରସ ଲହରୀ ।୭।

 

(୨୭୮)

ରାଗ—ଭୈରବୀ, ତାଳ—ଝୁଲା

 

ହେଲା ତୋ ଅନୁରାଗ, ଏଥର ଯା’ ମୋହନ ଯା’

ମୋହ ନ ଯା’ ।୦।

ଯା ପାଦ ଆଲିଙ୍ଗିତ ଶିଖଣ୍ଡ ମଣ୍ଡିତ ଭୁଜର ମଣି ଦଣ୍ଡ

ଦେଇଚି ସେ ବିରସେ ତରଳା ଭରଜାକୁ ଭରଜା ।୧।

 

ଜାଗରେ ବସି ରଜନୀଯାକ, ସେ ରତିକୁଶଳାକୁ ଡାକ

ମୋହ ନାମ ଧରି ମୋହନ,

ମାଧୁରୀ ବଇଁଶୀ ନ ବଜା ।୨।

 

କାଳି ନ ବୋଳ ବଦନେ ମୋର,

ଗାଳି ନ ଶୁଣ ବିଟ କିଶୋର

ଚରଣ ନ ଧର ହେ ମଧୁନଗର-ରାଜା ଭଣଜା ।୩।

 

ଭାଷଇ ଜଳନ୍ତର ନରେନ୍ଦ୍ର ନନ୍ଦ-ନିଳୟ- ଗଗନ-ଚନ୍ଦ୍ର

ମିନତି କରି କହୁଚି—ତା’ ପାଶକୁ ଯା’ ।୪।

 

(୨୭୮)ତରଳା—ଦୀପ୍ତିମୟୀ,ଭରଜା—ବୁଝା ବା ସମଜା,ମଧୁନଗର-ରାଜା ଭଣଜା—ମଥୁରାର ରଜା କଂସଙ୍କ ଭଣଜା କୃଷ୍ଣ

 

(୨୭୯)

ରାଗ—କାମୋଦୀ, ଆଦିତାଳ

 

କ୍ଷମାନିଧି ନିରୂପମା, ଏପରି ଗୁରୁ ଗୁମାନ

ସରଜି ନ ବସଟି ରେ

ଅରାତି ନୁହଇ ମୁଁ ତ ରାସଦୃଶାହାସ ଧରା

ଅମୁଖ ମିଶ ଶଶାଟି ରେ । ଘୋଷା ।

ଲଲାମଗିରି ମୋର ସଲାମତ ତୁ ଅଛୁ

ଗଲା ମଦନୁ ଧୃତି ଖସିଟି ରେ ।

କି ଲାଜକୁ ଭରସିଲା ଚରଣେ ଅଛି ପିଲା

ଦିନୁ ଶରଣ ପଶିଟି ରେ ।୧।

 

ପାଣି ଗଣ୍ଡେ ନ କର ଠାଣି ମଣ୍ଡନା ବର

ମାଣିକ୍ୟ ମଣି ଦତ୍ତ ବାସିଟି ରେ

ଜାଣି ନିଗ୍ରହ ତୋର ହାଣିବାକୁ ମୋ ଶିର

ଶାଣିଲାଣିଟି ସ୍ମର ଅସିଟି ରେ ।୨।

 

କୃଶାବନତ ତନୁ ରୁଷା ନ କରତନୁ ବିଶାଳ

ସୁଖ ଭଳି ନିଶିଟି ରେ

ଆଶାର ଅକୁଶଳ କି ସାର ମୁଁ କୁଶଳ

ବିଶାରଦ ପଣରେ କଷିଟି ରେ ।୩।

 

ହରିବଚନୁ ମଦ କରୀବର ଗତି ସେ ହରି

ମନରୁ ମ୍ଳାନ ମଣିଟି ରେ

ହରିଚନ୍ଦନ ବୋଲେ ପରିଚୟ ରଚିଲେ

ଧରିତ୍ରୀ-ଭୂଷା ରସେ ରସିଟି ରେ ।

 

୭.ତୁଡ଼ୁକ—ମୁସଲମାନ,ତୁର୍କ ଶବ୍ଦଜ ୮.ପଟ୍ଟଦେବୀ—ପାଟରାଣୀ ୯.ଆଠଗଡ଼ ରାଜା ବାଲୁଙ୍କେଶ୍ୱର ନାମରେ ଭଣିତ ଏହି ବିରୁଦରେ ଅନେକ ଅଂଶର ପାଠ ଅଶୁଦ୍ଧ ରହିଛି ।

 

(ପରିଶିଷ୍ଟ)

 

(ଗ୍ରନ୍ଥାବଳୀର ସମ୍ପୂର୍ଣ୍ଣ ମୁଦ୍ରଣ ପରେ ହସ୍ତଗତ ହୋଇଥିବାରୁ ଏ ୩ଟି ଚଉପଦୀ ପରଶିଷ୍ଟରେ ସ୍ଥାନିତ କରାଗଲା । )

 

ଲୌକିକ

 

କଳି ନୁହଇ ଯେ, ନଳୀନବାସୀ ବିଳାସ

ଝଳି ମନେ ଧୃତି, ଟଳି ଗଲେ ହେଲେ

ବଳି ପଡ଼ୁଥାଏ ରସ ।।ପଦ।।

ମଳି ମସ କାମ, କୁହୁ ନାଶିବାକୁ,

ଝଳି ହେମାଙ୍ଗି ମୋ ବନ୍ଧୁ ।

ଲଳିତ କରି କି ରଙ୍ଗେ ଘେନିଥାଏ

ଅଳପକେ ସିନ୍ଧୁ ବିନ୍ଦୁ ।୧।

 

କଳି କଲା ପରି ପରତେ ହୁଅଇ,

ଚଳି ଦମ୍ଭେ ଦୂରୁ ଆସେ

ଅଳି କଲା ହୋଇ, ଗେଲାଇ ମୋ ଉର

ସ୍ଥଳିରେ ଯା ସ୍ତନ ଠେସେ ।୨।

 

ଫଳିଗଲା ମୋର ଛାତି ଯେ ବୋଲନ୍ତେ,

ଅଳିକେଶା ହସି ଭଣେ

ଦଳି ଦେବା ମହାଦାଉକୁ ସହିବା

ଭଳି ସିନା ଏକା ଜଣେ ।୩।

 

ଗଳିବାର ସ୍ନେଦ, ଚାହିଁ ମୋ ତନୁରୁ,

ଦଳିତ ପଙ୍କଜମୁଖୀ

ତଳିଆଇ ମୋତେ ତଳପେ ମୋ ବ୍ୟଥା

ମଳି କରେ ଯେଡ଼େ ସୁଖୀ ।୪।

 

ପଳିତ ପାନ ସମାନୁ ଯେତେବେଳେ,

ଚଳି ଯାଏ କଳାକର

ଜ୍ୱଳିତ ତେଜ ବିଜୁଳି ପରି କମ୍ପି,

ଚଳି ନେତ୍ର ଖୋସିବାର ।୫।

 

ଅଳି ଆଏ ଜଳନ୍ତର ଭୂପେ ପର

ବଳିବା କାମୋପଦ୍ରବ

ବଳି ସଦ୍ମ ନର ନାକେ ନାହିଁ କୁନ୍ଦ,

କଳିକା ଦଶନା ଭାବ ।୬।

 

ଲୌକିକ

 

କାହିଁକି ରେ, ମନେ ନାହିଁ କି ରେ ।ପଦ।

ଜାଣି କରୁଣା ତୋର । ଦେଇ ବିନୟୋତ୍ତର

ପେଷିଲି ଶିଶୁ ଚର । ନ ଲେଖିଲୁ ଉତ୍ତର ।୧।

 

ହୁଡ଼ି ଗଲେ ଛପଟ କ୍ଷମା କର ନିପଟ

ଯେ ହେବ ଲାଗି ପଟ । ତହିଁ ଏଡ଼େ କପଟ ।୨।

 

ମୋ ଗୁଣ ଚିହ୍ନାଇଲୁ । ସଖିଙ୍କି ଘେନାଇଲୁ

ସବୁତ ବନାଇଲୁ । ହସି ନ ଅନାଇଲୁ ।୩।

 

ଏବେ ମୋ ଅଙ୍କେ ରାଜ । ହଂସ ଗତି ବିରାଜ

ସ୍ୱଜନେ ଗଣି ଆଜଠାରୁ ବରଜ ରାଜ ।୪।

 

ନ ଜାଣି ବିଷମକୁ । ମୋ ନଖ ବିକ୍ରମକୁ

କାମ ଖଣ୍ଡା ଝମକୁ । ଥିଲା ପରି ଚମକୁ ।୫।

 

ସୁଖ ମନୋରଥରେ ଗଲି ପ୍ରେମ ପଥରେ

ଅଷ୍ଟଦୁର୍ଗ ନାଥରେ । ଦୃଷ୍ଟି ନ ଦେଲୁ ଥରେ ।୬।

 

ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ

ରାଗ-କାମୋଦୀ

 

ନିଦ ନାହିଁଟି ନଟବରକୁ ଗୋ,

ନେତ୍ରୁ ନିରତେ ମୁଞ୍ଚେ ନୀରକୁ ଗୋ

ନ ଲିଭିବାରୁ ନବନୀତାଙ୍ଗି ତୋ ପଲ୍ଲବ

ଅଧର ମଧୁର ନିର୍ଝରକୁ ଗୋ ।ପଦ।

ନୂଆ ନାଗରୀ କେଣେ ନାହାନ୍ତି ଏ ଜଗତେ

ନଚାଇ ନୟନାନ୍ତେ ସ୍ମରକୁ ଗୋ ।।

ନିର୍ମଳ କେଡ଼େ ତୋର ପୂର୍ବ ପୁଣ୍ୟ ନାଗର

ନ ଚିନ୍ତେ ତୋ-ବିନା ଇତରକୁ ଗୋ ।୧।

 

ନିପଟ ତ କପଟୀ । ନୋହୁ ତୁ ଆମ୍ଭେ ହଟି

ହଟି ସିନା ତୋ ବିଦ୍ୟାତରକୁ ଗୋ

ନଉକରିକି ବାଇ । ହେବା ଯାଏ ଲଗାଇ ।

ଜାଣୁ ତୁ ମୋହନ ମନ୍ତରକୁ ଗୋ ।୨।

 

ନିୟମ କରୁ ପରା । ନାହିଁ ଶିଖଣ୍ଡ ଝରା

ଚାହିଁ ମୁଁ ବୋଲି ଥର ଥରକୁ ଗୋ

ନୟନ ବାଣ ତୋର । ନ ବାଜି ନିକି ସ୍ମର

ନୀଳ ଦେହରେ ହେଲା ଜ୍ୱରକୁ ଗୋ ।୩।

 

ନ ଜାଣି ଅବା ଜାଣି ବତାଇଲୁ ତ ପାଣି

ବ୍ୟୋମ ସଂଚାରି କଳାକରକୁ ଗୋ

ନ ହସୁ ଜନେ ଯେବେ । ଉପାୟ ବଳେ ଏବେ

ଅଣାଅ ତାକୁ ନିଜ କରକୁ ଗୋ ।୪।

 

ନଳିନ ଦଳ ଶେଜ ନେତ୍ର ଦେଖିଲି ଆଜ

ନୀରଦ ନିଭ କଳେବରକୁ ଗୋ

ନାସାଗ୍ରେ ଶ୍ୱାସ ବହେ । କବି ମିହିର କହେ

ସମୁଦ୍ଧରଇ ଦୃଶ ନରକୁ ଗୋ ।୫।

 

---ସମାପ୍ତ---